Unknown

 

 

 

 

 

 

 

 

 

 

 

ରୋହିତର ଡାଏରୀ

(ତ୍ରୟୋଦଶ ପର୍ବ)

ଚିତ୍ତରଞ୍ଜନ ଦାସ

 

—ବାବାଜୀ ଶ୍ରୀ ରାମକୃଷ୍ଣ ଦାସଙ୍କ ପାଖରେ ବସିଥିଲା ବେଳେ ସତେଅବା ବନ୍ଧୁଟିଏ ପାଖରେ ବସିଥିବା ପରି ଅନୁଭବ ହୁଏ । “your best friend” ବୋଲି ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମର ମାଆ ଯେଉଁ କଥାଟି କହିଛନ୍ତି, ଠିକ୍ ସେହିପରି ଜଣେ ବନ୍ଧୁ ପାଖରେ ବସିଥିବା ପରି ମନେହୁଏ । ସିଧା ଦେଖିହୁଏ, ଜଳଜଳ ଦେଖିହୁଏ, ଏକାବେଳେକେ ଭିତରକୁ ଦେଖିହୁଏ । ତାଙ୍କ ଭିତରକୁ ଦେଖୁଦେଖୁ ନିଜ ଭିତରକୁ ମଧ୍ୟ ଦେଖିହୁଏ । ତାଙ୍କ ସହିତ କଥା ହେଲାବେଳେ ନିଜ ଭିତରୁ ତାଙ୍କରି କଥା କହୁଥିବା ପରି ମନେ ହେଉଥାଏ । ଯିଏ ସେହି ସଙ୍ଗ ଓ ସଖ୍ୟ ଲାଭ କରିଛି, ସିଏ ପ୍ରକୃତରେ ଧନ୍ୟ । ସନ୍ତାନ ହେବାର ଐଶ୍ଵର୍ଯ୍ୟ କେବଳ ସେଇ ଜାଣିଛି ।

 

‘ରୋହିତର ଡାଏରୀ’ର ଏହି ତ୍ରୟୋଦଶ ପର୍ବକୁ ମୁଁ ତାଙ୍କରି ନାମରେ ଉତ୍ସର୍ଗ କରୁଛି । ୧୯୭୯ ମସିହାରେ ଶ୍ରୀ ଅରବିନ୍ଦ ଆଶ୍ରମରୁ ପ୍ରକାଶିତ ଡାଏରୀରେ ପ୍ରତିଦିନର ପୃଷ୍ଠାରେ ମାଆଙ୍କର ଗୋଟିଏ ଉକ୍ତିକୁ ଉଦ୍ଧୃତ କରା ଯାଇଥିଲା । ତାହାକୁ ପାଠ କରି ମୋ’ ଭିତରେ ହୋଇଥିବା ଅନୁସ୍ପନ୍ଦନ ଏବଂ ପ୍ରତିସ୍ପନ୍ଦନ ଗୁଡ଼ିକୁ ମୁଁ ପ୍ରତ୍ୟହ ଲିପିବଦ୍ଧ କରି ରଖୁଥିଲି । ବ୍ୟାଖ୍ୟା ଆଦୌ ନୁହେଁ, ସେଗୁଡ଼ିକ ପଢ଼ିବା ପରେ ମୋ’ ନିଜର ପ୍ରତିସ୍ପନ୍ଦନ । ଉକ୍ତିଗୁଡ଼ିକ ପାଖରେ ମୋ’ର କୃତଜ୍ଞତା ଜ୍ଞାପନ କରୁଛି । ସେହି ଗୋଟିଏ ବର୍ଷ କାହିଁକି ଏହିପରି କରିବାକୁ ଭଲ ଲାଗିଲା କେଜାଣି-?

Image

 

୧୯୭୯

୧ । ୧ । ୭୯

 

ଭିତରେ ତୁମେ, ବାହାରେ ତୁମେ; ବାହାରେ ତୁମେ, ଭିତରେ ତୁମେ । ବାହାରେ ଓ ଭିତରେ ଦେଖୁ ଦେଖୁ କ୍ରମେ ଭିତର ଓ ବାହାର ପରସ୍ପରର ନିକଟବର୍ତ୍ତୀ ହୋଇ ଆସନ୍ତି, ଭିତର ଓ ବାହାର ଭିତରେ ସତେଅବା ଏକ ସେତୁର ପ୍ରତିଷ୍ଠା ହୋଇଯାଏ । ବାହାର ଆଉ ଭିତର ବୋଲି ଦୁଇଟା ଅଲଗା ଅଲଗା ସଂଜ୍ଞା ମୋଟେ ରହେନାହିଁ । ବାହାର ଆଉ ଭିତର ଏକାଠି ହୋଇଗଲେ କେବଳ ସେଇ ଅନୁଭୂତ ହୁଅନ୍ତି । ଅର୍ଥାତ୍, ସବୁକିଛି ଏକାବେଳେକେ ଅନୁଭୂତ ହୁଏ । କୋଉଠି ଟିକିଏ ହାତ ବାଜିବା ମାତ୍ରକେ ସବୁଯାକ ଏକାବେଳେକେ ସ୍ପନ୍ଦିତ ହୋଇଉଠେ ।

 

ଭିତର ଆଉ ବାହାର ମଧ୍ୟରେ ଯେପର୍ଯ୍ୟନ୍ତ ମୁଁ ଏକ ବ୍ୟବଧାନ ସୃଷ୍ଟି କରି ରଖିଥାଏ, ଯେପର୍ଯ୍ୟନ୍ତ ବାହାର ଥାଇ ବା ବାହାରୁ ତ୍ରସ୍ତ ହୋଇ ଭିତରକୁ ଆସିବାକୁ ଚାହୁଥାଏ ବା ଭିତରେ ଥାଇ ବାହାରଠାରୁ ଆପଣାକୁ ଅଲଗା କରି ଦେଖୁଥାଏ, ସେତେବେଳେ ମୋତେ ନାନା ଭୟ ଗ୍ରାସ କରି ରହିଥାଏ; ମୋ’ ଆଖିକୁ ନାନା ସଂଶୟ ବନ୍ଦ କରି ରଖିଥାଏ । ଏବଂ, ଭୟ ରହିଥିଲେ କିଛି ଦେଖି ହୁଏନାହିଁ, କିଛି ଅନୁଭବ କରି ହୁଏନାହିଁ । ଭୟ ଥିଲେ ତତ୍ତ୍ଵ କରିହୁଏ ସିନା, ମାତ୍ର ଅନୁଭବ କରି ହୁଏନାହିଁ, ଦେଖି ହୁଏନାହିଁ । ବାହାର ତ ଦୂରର କଥା, ଭିତରଟାକୁ ବି ଥରେ ସଂପୂର୍ଣ୍ଣ କରି ଅନାଇବାକୁ ସାହସ ହୁଏନାହିଁ । ଭିତରେ ଓ ବାହାରେ ଉଭୟ ସ୍ଥାନରେ ହିଁ ଘରଛଡ଼ା ହୋଇ ରହିବାକୁ ପଡ଼େ ।

 

୨ । ୧ । ୭୯

 

ଯେଉଁମାନେ ଦେଖି ଜାଣନ୍ତି, ସେହିମାନେ ହିଁ ଦେଖନ୍ତି । ଯେଉଁମାନେ ଦେଖି ନଜାଣନ୍ତି, ସେମାନେ କେବଳ ଆପଣାକୁ ହିଁ ଦେଖୁଥାନ୍ତି,-ଆପଣାର ଅହଙ୍କାରକୁ ଦେଖୁଥାନ୍ତି, ଆପଣାର ଉଚ୍ଚ ପାଚେରୀଗୁଡ଼ାକୁ ଦେଖୁଥାନ୍ତି, ନିରାପଦ କରି ତିଆରି କରି ରଖିଥିବା ଆପଣାର ନିତ୍ୟବିବର ଗୁଡ଼ାକୁ ଦେଖୁଥାନ୍ତି ।

 

କିନ୍ତୁ, ଯେଉଁମାନେ ଦେଖି ଜାଣନ୍ତି, ସେମାନେ ଏହି ସଂସାରକୁ ଠିକ୍ ଗୋଟିଏ ଘରପରି ଦେଖନ୍ତି । ଘର ଭିତରେ ରହିଥିବା ପର୍ଯ୍ୟନ୍ତ ସମସ୍ତେ ଯେପରି ନିର୍ଭୟ ହୋଇ ରହିଥାନ୍ତି, ସେହିପରି ଏହି ସଂସାରକୁ ଘର ପରି ଅନୁଭବ କରୁଥିବା ବ୍ୟକ୍ତିମାନେ କଦାପି କୌଣସି ଅନୁଭବ କରନ୍ତିନାହିଁ-। ସେମାନେ ଏଠି କୌଣସି ପ୍ରକାରେ ତ୍ରସ୍ତ ବା ସନ୍ତପ୍ତ ହୋଇ ପଡ଼ନ୍ତିନାହିଁ । ଭେଳା ବୁଡ଼ିଗଲା ବୋଲି ସେମାନେ କଦାପି ବିକଳ ହୋଇ ଡାକ ପକାନ୍ତି ନାହିଁ । ବସ୍ତୁତଃ, ସେମାନଙ୍କର ଭେଳା କଦାପି ବୁଡ଼ି ଯାଏନାହିଁ । ସେମାନେ ଏହି ସଂସାରକୁ ହିଁ ଗୋଟିଏ ଭେଳା ପରି ଅନୁଭବ କରୁଥାନ୍ତି, ଆପଣାକୁ ଗୋଟିଏ ଭେଳାପରି ଦେଖୁଥାନ୍ତି–ଗୋଟିଏ ସେତୁ ପରି ଅନୁଭବ କରୁଥାନ୍ତି, ତେଣୁ ସେମାନେ କେବେହେଲେ କୌଣସି ଅଭିଯୋଗ କରନ୍ତିନାହିଁ । ସେମାନେ କଦାପି ନାସ୍ତିକ ହୁଅନ୍ତିନାହିଁ, ଅବିଶ୍ଵାସୀ ଆର୍ତ୍ତ ଭକ୍ତିର କଦାପି ଶିକାର ହୋଇ ପଡ଼ନ୍ତିନାହିଁ ।

 

୩ । ୧ । ୭୯

 

ଭୟ ଆଉ କାହାକୁ ନୁହେଁ, ଭୟ କେବଳ ନିଜକୁ । ଚଞ୍ଚଳତା ଆଉ କୋଉଠି ନାହିଁ, ଚଞ୍ଚଳତା କେବଳ ଆପଣାର ଭିତରେ । ଭିତରେ ଯୋଉ ବନ୍ଧୁ ଆଗକୁ, ଆହୁରି ଆଗକୁ ଯିବାଲାଗି ପ୍ରେରଣା ଦେବାରେ ଲାଗିଛି, ତାହାରି କୁହାଟିକୁ ସବୁବେଳେ ମାନିବାଲାଗି ଅର୍ଥାତ୍ ତାହାରି ସହିତ ସହଯୋଗ କରିପାରିବା ଲାଗି ମୁଁ ସବୁବେଳେ ଓ ସକଳ ପରିସ୍ଥିତିରେ ଯୋଗ୍ୟ ହୋଇ ପାରିବି ତ, ତାହାହିଁ ଭୟ, ସେଇଥିଲାଗି ସବୁକିଛି ଚଞ୍ଚଳତା ।

 

ଭିତରକୁ ଅନାଇଦେବା ବେଳକୁ ସବୁ ସ୍ଥିର । ଅତି ଘନିଷ୍ଟ କେଉଁ ବନ୍ଧୁପରି କିଏ ଯେପରି ମୋ’ ଆଡ଼କୁ ଅନାଇ ହିଁ ରହିଛି । କେବଳ ଅନାଇ ରହିଛି । ସିଏ କେତେ ବିଶ୍ଵାସରେ ଅନାଇ ରହିଛି । ତାହାରି ସେହି ଅନାଇବାଟିକୁ ଆପଣା ଭିତରେ ଅନୁଭବ କରିବା, ତାହାହିଁ ଆତ୍ମବିଶ୍ଵାସ । ତାହାହିଁ ଶାନ୍ତି । ନିତ୍ୟ ବିଚରଣର ଶାନ୍ତି, ନିତ୍ୟ ପ୍ରସାରଣର ଶାନ୍ତି ।

 

୪ । ୧ । ୭୯

 

ଆପଣାକୁ ଏବଂ ସମସ୍ତଙ୍କୁ ଅଧିକରୁ ଅଧିକ ସମତା ସହିତ ଦେଖିବାଲାଗି ହିଁ ଭିତରେ ଏକ ଅଶାନ୍ତି । ଆପଣା ଭିତରକୁ ଗଲେ ଗଭୀର ଭିତରେ ଯେଉଁ ଶାନ୍ତି ଓ ଯେଉଁ ନୀରବତା ମିଳେ, ତାହାରି ଅଧିକରୁ ଅଧିକ ଯୋଗ୍ୟ ହୋଇ ପାରିବାଲାଗି ଏହି ଅସନ୍ତୋଷ ଓ ବ୍ୟାକୁଳତା ।

 

ଏହି ବ୍ୟାକୁଳତା ମୋତେ କଦାପି ଚଞ୍ଚଳ କରିନାହିଁ । ଏହା ମୋତେ ଅଧିକରୁ ଅଧିକ ପରିମାଣରେ ଆପଣାର ନିକଟବର୍ତ୍ତୀ କରାଇଛି । ଯେଉଁପରି ଭାବରେ ଆପଣାର ନିକଟବର୍ତ୍ତୀ ହେଲେ କାହାରିଠାରୁ କିମ୍ବା କେଉଁଟିଠାରୁ ବି ଦୂରକୁ ଚାଲିଯିବାକୁ କଦାପି ହୁଏନାହିଁ । ମୁଁ ସେହିପରି ଭାବରେ ଆପଣାର ନିକଟବର୍ତ୍ତୀ ହେବାର ଚେଷ୍ଟା କରୁଛି ।

 

୫ । ୧ । ୭୯

 

ଶକ୍ତି ସେଇଠି ତେଣୁ ଶକ୍ତି ମୋ’ ଭିତରେ । ସେଠୁ ଖିଅ ଛିଡ଼ାଇଦେଇ ମୁଁ ଯେତେ ଯେଉଁଠି ଶକ୍ତିଶାଳୀ ହେବାର ଚେଷ୍ଟା କରିଛି, ସେଠି ଆପେ ଅଧିକ ଅବସନ୍ନ ଓ ଅବଶ ହୋଇ ପଡ଼ିବା ହିଁ ସାର ହୋଇଛି । ନିଜକୁ ତୁଚ୍ଛା ପ୍ରଦର୍ଶିତ କରୁଥିବା ପରି ଲାଗିଛି ଓ ସେଥିଲାଗି ଆପଣା ପାଖରେ ଭାରି ଲାଜ ମାଡ଼ିଛି ।

 

ଯେଉଁପରି ଭାବରେ ଆପଣାର ଶକ୍ତି ଉପରେ ବିଶ୍ଵାସ ରଖି ବାଟ ଚାଲିଲେ ତାଙ୍କର ଉପରେ ରହିଥିବା ଅଚଳ ବିଶ୍ଵାସରୁ କଦାପି କିଛିହେଲେ କ୍ଷୟପ୍ରାପ୍ତ ହୁଏନାହିଁ, ମୋ’ର ସେହିପରି ଭାବରେ ଆପଣା ଉପରେ ବିଶ୍ଵାସ ରହିବା ଦରକାର ସେହି ବିଶ୍ଵାସ କ୍ରମଶଃ ବୃଦ୍ଧି ପାଇବା ଦରକାର । ଏହି ବିଶ୍ଵାସ ହେଉଛି ଶ୍ରଦ୍ଧା । ସେହି ଶ୍ରଦ୍ଧା ହେଉଛି ସର୍ବୋତ୍ତମ ସହାୟ ।

 

୬ । ୧ । ୭୯

 

ତାଙ୍କୁ ଜାଣିବାର ଅର୍ଥ ହେଉଛି ତାଙ୍କ ପାଖରେ ନିଜକୁ ସମର୍ପଣ କରିବା । ତାଙ୍କ ପାଖରେ ନିଜକୁ ସମର୍ପଣ କରିବାର ଅର୍ଥ ହେଉଛି ତାଙ୍କୁ ଜାଣିବା । ଅସଲ ଜ୍ଞାନ ହେଉଛି ଅସଲ ଭକ୍ତି । ଅସଲ ଭକ୍ତି ହେଉଛି ଅସଲ ଜ୍ଞାନ । ନିଜକୁ ସମର୍ପିତ କରି ରଖିବା, ନିଜକୁ ଜାଣିବା ଏବଂ ଆପଣାକୁ ଯଥାର୍ଥ ଭାବରେ ଆବିଷ୍କାର କରି ଏହି ସଂସାରଟିକୁ ଆପଣାର ଘର ବୋଲି ଜାଣିବା, ଏଗୁଡ଼ିକ ସେଇ ଗୋଟିଏ କଥା । ତର୍କଣା ମଣିଷଙ୍କୁ ବହୁଦୂର, ଜୀବନ ବଞ୍ଚାଇବାରେ ଶ୍ରଦ୍ଧା ରଖିଥିବା ଲୋକମାନଙ୍କୁ ଅତ୍ୟନ୍ତ ନିକଟ ।

 

ସେଇ ସବୁଥିରେ ଅଛନ୍ତି, ସେଇ ସବୁ କରୁଛନ୍ତି, ସବୁରି ଭିତରେ ଅଛନ୍ତି । ଜୀବନ ତଥା ଅଭୀପ୍‌ସା ସବୁଯାକ ଦିଗ୍‌ବଳୟରେ ସେଇ ସୂର୍ଯ୍ୟ ହୋଇ ଜଳୁଛନ୍ତି । ସେଇ ଆପଣାକୁ ସମର୍ପିତ କରି ରଖିଛନ୍ତି । ଏଠି ମୋ’ ଭିତରେ ମଧ୍ୟ ସିଏ ଆପଣାକୁ ସମର୍ପିତ କରି ରଖିଛନ୍ତି ।

 

୭ । ୧ । ୭୯

 

କାମ ଯଦି ତୁମରି କାମ ହେଲା, ତେବେ ସେଠୁ ମୁଁ ପଳାଇ ଆସିବି କିଆଁ ? କାମ ଯଦି ତୁମରି କାମ ହେଲା, ମୁଁ ସେଠାରୁ ହଟିଆସିବି କିଆଁ, –ତାକୁ ଛାଡ଼ିବି କାହିଁକି, ସେହି କାମଲାଗି ଅସମ୍ମତ ହେବି ବା କାହିଁକି ?

 

କାମ ତାଙ୍କରି କାମ । ମୁଁ ତାଙ୍କରି ଦ୍ଵାରା ତାଙ୍କରି କାମଲାଗି ଉଦ୍ଦିଷ୍ଟ, ତାଙ୍କରି କାମରେ ପ୍ରେରିତ । ତେଣୁ, ମୋ’ର ପ୍ରତ୍ୟେକ କାମ ତାଙ୍କରି କାମ, ତେଣୁ ତାହା ମୋ’ର କାମ । ସେହି କର୍ମ ହିଁ ଜୀବନ, –ମୋ’ର ସମୟଗୁଡ଼ାକ ସେହି କାମ କରିବାଦ୍ଵାରା କଦାପି କ୍ଳାନ୍ତ ହୋଇ ପଡ଼ନ୍ତିନାହିଁ । ପୂର୍ଣ୍ଣ ହୋଇ ଉଠନ୍ତି । ଏ ଘରଟାଯାକ ପୂର୍ଣ୍ଣ ହୋଇ ଉଠେ । ଏହି ସମ୍ପର୍କଗୁଡ଼ିକ ପୂର୍ଣ୍ଣ ହୋଇ ଉଠେ-। କୋଳାହଳ କରିବା ପରି ଅନେକ ଏହାକୁ ସାଧନ ବୋଲି କହିଥାନ୍ତି । ମୁଁ ଏହାକୁ ହିଁ ଜୀବନ ବୋଲି କହେ ।

 

ଏସକାଳ, ଏ ସନ୍ଧ୍ୟା କେଡ଼େ ସୁନ୍ଦର ! ଏ କର୍ମବ୍ୟାପ୍ତି କେଡ଼େ ମଧୁର ! ଆଖି ଆଗରେ ଯିଏ କେବଳ ଚାଲିବାର ବାଟଟାକୁ ହିଁ ଦେଖୁଥାଏ, ସେଇ ଯଥାର୍ଥରେ ଧନ୍ୟ ।

 

୮ । ୧ । ୭୯

 

ମୋ’ର ଦୁଆର ଖୋଲିବା ଓ ସିଏ ଆସି ମୋ’ ଭିତରେ ପ୍ରବେଶ କରିବା, ଏହି ମଧ୍ୟରେ ଆଦୌ କୌଣସି ପାର୍ଥକ୍ୟ ନାହିଁ । ତେଣୁ, ଆଗ ମୋ’ର ଦୁଆର ଖୋଲିବ ତା’ପରେ ସିଏ ଆସି ଉପସ୍ଥିତ ହେବେ, ସେକଥାକୁ ମୁଁ କଦାପି ହିସାବ କରି କହି ପାରିବିନାହିଁ ।

 

ମୋ’ର ଦୁଆର ଯେ କେତେବେଳେ ଖୋଲିଯାଏ; କେତେବେଳେ ଯେ ସିଏ ଆସି ଦୁଆର ପାଖରେ ପହଞ୍ଚି ଯାଆନ୍ତି, ସେ କଥାଟିକୁ ମଧ୍ୟ ମୁଁ ହିସାବ କରି କଦାପି କହି ପାରିବିନାହିଁ ।

 

ମନେହୁଏ, ସେଇ ଯେପରି ଭିତରେ ଥାଆନ୍ତି, ବେଳ ଜାଣି ସେଇ ଜୀବନ ବଞ୍ଚିବାର ଆଖିଗୁଡ଼ାକରେ ଉନ୍ମୋଚିତ ହୋଇଯିବାର ଖୁସୀ ଭରାଇ ଦିଅନ୍ତି । ସିଏ ମାଳି ହୋଇ ସତେଅବା ବଗିଚାଟିକୁ ନିଜ ହାତରେ ତିଆରି କରନ୍ତି । ବଗିଚାଟିକୁ ପ୍ରସ୍ଫୁଟନର ଯୋଗ୍ୟ କରି ଆଣୁଥାନ୍ତି । ପ୍ରସ୍ଫୁଟନର ଯୋଗ୍ୟ ମୁହୂର୍ତ୍ତଟି ଆସି ପହଞ୍ଚିଲେ ଦୁଆର ଆପେ ଖୋଲିଯାଏ । ଏହି ଭୂମିରେ ହିଁ ଅଭିବ୍ୟକ୍ତି ଘଟେ । ସେହି ଅଭିବ୍ୟକ୍ତି ପୂର୍ଣ୍ଣରୁ ପୂର୍ଣ୍ଣତର ହେଉଥାଏ ।

 

୯ । ୧ । ୭୯

 

ସିଏ ଏଇଠି ଅଛନ୍ତି । ସିଏ ମୋ’ ଭିତରେ ରହିଛନ୍ତି, ମୋ’ ଚାରିପାଖରେ ସମସ୍ତଙ୍କ ଭିତରେ ତଥା ସବୁଟି ଭିତରେ ରହିଛନ୍ତି । ସବୁଟି ଭିତରେ ସିଏ କେନ୍ଦ୍ରସ୍ଥ ସତ୍ୟ ଏବଂ ମହତ୍ତମ ପ୍ରେରଣା ହୋଇ ରହିଛନ୍ତି । ଆମରି ଜୀବନରେ ପ୍ରକାଶିତ ହେବାଲାଗି ଆମରି ସମ୍ମତ ଅର୍ଥାତ୍ ଆମରି ମୁହୂର୍ତ୍ତ ଲାଗି ଅପେକ୍ଷା କରି ରହିଛନ୍ତି ।

 

ଆମେ ଯେଉଁମାନେ ନିଜ ଚତୁର୍ଦ୍ଦିଗରେ ପାଚେରୀଗୁଡ଼ାକୁ ଠିଆ କରି ଏକୁଟିଆ ଐଶ୍ଵର୍ଯ୍ୟଶାଳୀ ଓ ଭାଗ୍ୟଶାଳୀ ହୋଇ ରହିବାର ସନ୍ତାପ ଭିତରେ ପଡ଼ିରହିଚୁ, ଆମେ ସେଇମାନେ ହିଁ ଦରିଦ୍ର । କେବଳ ସେତିକି ନୁହେଁ, ଆମେ ସେଇମାନେ ହିଁ ଏହି ଜଗତରେ ଅନେକ ଦାରିଦ୍ର୍ୟର କାରଣ ହୋଇ ରହିଛୁ । ପାଚେରୀ ଉଠାଇ ଦେବାରେ ହିଁ ଦାରିଦ୍ର୍ୟର ବିଲୋପସାଧନ ନିହିତ ହୋଇ ରହିଛି ।

 

ମୁଁ ଆଶା ରଖିବି, ଆଶାବାଦୀ ହେବି । ଅର୍ଥାତ୍ ମୁଁ ଦିନେ ଏହି ପାଚେରୀଗୁଡ଼ାକୁ ଅର୍ଥାତ୍ ଏହି ଭୟ ତଥା ସଙ୍କୋଚଗୁଡ଼ାକୁ ଉଠାଇଦେଇ, ସେହି ଆଶାଟିକୁ ମୁଁ ନିଜ ଭିତରେ ଅଧିକରୁ ଅଧିକ ଜୀବନ୍ତ ଓ ସକ୍ରିୟ କରି ରଖିବି ।

 

୧୦ । ୧ । ୭୯

 

ଯଥା ନଦ୍ୟଃ ସ୍ୟନ୍ଦମାନାଃ । ...ଜୀବନର ସମସ୍ତ ନଦୀ ଯେଉଁ ସମୁଦ୍ରରେ ଆପଣାକୁ ପରିପୂର୍ଣ୍ଣ କରିବା ଲାଗି ଧାଇଁବାରେ ଲାଗିଛନ୍ତି, ଅନେକ ସମୟରେ ସେହି ସମୁଦ୍ରଟିକୁ ମୁଁ ଆପଣା ଭିତରେ ଅନୁଭବ କରିଥାଏ । ଏହି ବିରାଟ ଆକାଶ, ଏହି ପୃଥିବୀଭରା ଆଲୋକ, –ଏହି ସବୁକିଛିକୁ ମୁଁ ଆପଣା ଭିତରେ ଅନୁଭବ କରେ ।

 

ସେଇ ଯେଉଁ ଅନନ୍ତ ଶାନ୍ତି, ଛାୟାହୀନ ଆଲୋକ, ପରିପୂର୍ଣ୍ଣ ସମତା, ନିଶ୍ଚୟତା, ବିଶ୍ରାମ ଏବଂ ଆନନ୍ଦ, –ତା’ ମଧ୍ୟରେ କେବଳ ମୁଁ ଏକୁଟିଆ କୌଣସି ପ୍ରକାର ବୈକୁଣ୍ଠଧାମର ଭ୍ରମ ସୃଷ୍ଟି କରି ଅବସ୍ଥାନ କରୁନାହିଁ । ସେଠାରେ ସମସ୍ତେ ଅଛନ୍ତି । ସବୁ ମଣିଷ ଅଛନ୍ତି । ଏହି ସମସ୍ତଙ୍କ ସହିତ ହିଁ ମୁଁ ଆଗକୁ ଚାଲିଛି, –ସମସ୍ତଙ୍କ ସହିତ ମୁଁ ଏକତ୍ର ଆପଣାର ଅନ୍ତର୍ଗତ ପରମ ସତ୍ୟର ଗଭୀର ମଧ୍ୟରେ ପ୍ରବେଶ କରୁଛି । ଏହି ପ୍ରବେଶ କରିବାର ସାମଗ୍ରିକ କର୍ମଧାରାଟିକୁ ହିଁ ମୁଁ ଜଗତ୍ ବୋଲି ଗ୍ରହଣ କରି ନେଇଛି, ଜଗତରୂପେ ଅନୁଭବ କରୁଛି ।

 

୧୧ । ୧ । ୭୯

 

ହଁ, କେବଳ କୃତଜ୍ଞତା ହିଁ କୃତଜ୍ଞତା । ଜୀବନ ବଞ୍ଚିବାର ଅନ୍ୟ ନାମ ହେଉଛି କୃତଜ୍ଞତା । ବାଟଟିକୁ ଚାଲିବାର ଅନ୍ୟ ନାମ ହେଉଛି କୃତଜ୍ଞତା । ଜୀବନର ସବୁଠାରୁ ବଡ଼ ଦାବୀ ପ୍ରତି ଆପଣାର ସ୍ୱୀକୃତି ଓ ସମ୍ମତି ଜଣାଇବା ମଧ୍ୟ କୃତଜ୍ଞତା ।

 

ସୁଖ ଦୁଃଖର ହିସାବ କରି, ଲାଭ କ୍ଷତିର ହିସାବ କରି କିମ୍ବା ଜାଣିବା ଓ ହାରିବାର ହିସାବ କରି ଜୀବନ ବଞ୍ଚି ହୁଏନାହିଁ । ଯେଉଁମାନେ ସେହିଗୁଡ଼ାକୁ କରିବାରେ ହିଁ ଜୀବନଟାକୁ ଘାଣ୍ଟି ରଖିଥାନ୍ତି, ସେମାନେ ଜୀବନକୁ ବଞ୍ଚନ୍ତିନାହିଁ, ସେମାନେ ଜୀବନରୁ ବଞ୍ଚିତ ହୋଇ ରହିଥାନ୍ତି ।

 

କର୍ମ, ଜ୍ଞାନ ଓ ଭକ୍ତି,-ଏହି ସବୁକିଛିର ପୂର୍ଣ୍ଣ ପରିଣତ ହେଉଛି କୃତଜ୍ଞତାରେ । କାହାକୁ ଭଲ ପାଇବାର ଅର୍ଥ ହେଉଛି ତା’ପ୍ରତି କୃତଜ୍ଞ ରହିବା । ଭଗବାନଙ୍କୁ ଭଲ ପାଇବା ହେଉଛି ଭଗବାନଙ୍କ ପାଖରେ କୃତଜ୍ଞ ହୋଇ ରହିବା, ତାଙ୍କର ଏହି ଆଲୁଅ ଓ ପବନ ପାଖରେ କୃତଜ୍ଞ ହୋଇ ରହିବା, ତାଙ୍କରି ସଂସାରରେ ସହଯାତ୍ରୀ ହୋଇ ରହିଥିବା ସବୁ ମଣିଷଙ୍କ ପାଖରେ କୃତଜ୍ଞ ହୋଇ ରହିବା ।

 

୧୨ । ୧ । ୭୯

 

ଜୀବନ ଏକ ଧୂପରେ ପରିଣତ ହେବ, ଏକ ଦୀପରେ ପରିଣତ ହେବ, ଏକ ନୈବେଦ୍ୟରେ ପରିଣତ ହେବ ଓ ଏକ ସମର୍ପଣରେ ପରିଣତ ହେବ । ଅର୍ଥାତ୍ ଏକ ଭଲ ପାଇବାରେ ପରିଣତ ହେବ । ସବୁ ପାଚେରୀ ଭାଙ୍ଗିଯିବ, ସବୁ ସଙ୍କୋଚ ଦୂର ହୋଇଯିବ । ସଂକୀର୍ଣ୍ଣତା ବୋଲି ଯେତେ ଯେତେ ମଳିନତାକୁ ବୁଝାଏ, ଚତୁର ସଫଳ ଜୀବନ ଲାଗି ସେଗୁଡ଼ାକ ଯେଡ଼େ ଉପଯୋଗୀ ହୋଇଥିଲେ ମଧ୍ୟ ସେଗୁଡ଼କୁ ଛାଡ଼ି ଆସିବାକୁ ପଡ଼ିବ ।

 

ସମର୍ପଣ ମଧ୍ୟ ଏକ ଅଭିସାର, ଏକ ଯାତ୍ରା । ଭଲ ପାଇବା ଅର୍ଥାତ୍ ଧୂପ ଓ ଦୀପ ହୋଇ ଜଳିବା, ଏଇଟି ମଧ୍ୟ ଅଭିସାର, ଏକ ଯାତ୍ରା । ଏହି ଯାତ୍ରା ପଛରେ ଆଦୌ କୌଣସି ସ୍ଵାର୍ଥଶଙ୍କା-ପ୍ରଣୋଦିତ ଉଦ୍ଦେଶ୍ୟ କିମ୍ବା ଅଭିପ୍ରାୟ ନାହିଁ, କୌଣସି ଥାନରେ କୌଣସି ଗଣ୍ଠି ପକାଇ ବସିଥିବାର କିମ୍ବା ଯାବୁଡ଼ି ଧରିଥିବାର ଆଦୌ କୌଣସି ଅଭିମାନ ବା ଅହଙ୍କାର ନାହିଁ ।

 

ଭଲ ପାଇବା ହେଉଛି ଠିକ୍ ଏହି ସକାଳଟି ପରି ସଜଳ, ନିର୍ମଳ, ସତୃଷ୍ଣ;-ତଥାପି ଅହଙ୍କାରଶୂନ୍ୟ, ତଥାପି ଅଭିମାନ ମୁକ୍ତ । ଭଲ ପାଇବା ହିଁ ଉଜ୍ଜ୍ୱଳ ଜୀବନ ।

 

୧୩ । ୧ । ୭୯

 

ସେଇ ନିଜକୁ ଏଠି ସବୁଟି ଭିତରେ ଅଭିବ୍ୟକ୍ତ କରିବାରେ ଲାଗିଛନ୍ତି । ସେଇଥିଲାଗି ଏହି ସମଗ୍ର ଜୀବନ ହେଉଛି ପରମ ଜୀବନର ପ୍ରତିନିଧି, ଏଠି ଏହି ସମଗ୍ର ଅଭୀପ୍‌ସାଟି ହେଉଛି ମୂଳତଃ ସେହି ପରମ ଅଭୀପ୍‌ସାର ହିଁ ପ୍ରତୀକ । ମୋ’ ଚାରିପାଖରେ ଯାହାକିଛି ରହିଛି, ସେସବୁ କେବଳ ସେହି ଅଭିବ୍ୟକ୍ତିର ହିଁ ବାହକ । ସେମାନେ ସମସ୍ତେ ମୋତେ ସେହି ଅଭିବ୍ୟକ୍ତିକୁ ହିଁ ସ୍ମରଣ କରାଇ ଯାଉଥିବେ । ମୋ’ ଭିତରେ ବାଟ ଚାଲିବାଲାଗି ଯାହାକିଛି ବାସନା ରହିଛି, ସେସବୁ କେବଳ ସେହି ଅଭିବ୍ୟକ୍ତିର ହିଁ ବିଚିତ୍ର ନାନାବିଧ ବାସନା ।

 

ଯଦି ସବୁରି ଭିତରେ ତୁମରି ପ୍ରକାଶ, ତେବେ ଏଠି ମୁଁ ସଂସ୍କାରବଶ ହୋଇ ଯାହାକୁ ମୋ’ର ସମାଜ, ମୋ’ର କାଳ ଓ ମୋ’ର ସଂସାର ବୋଲି ଗ୍ରହଣ କରି ନେଇଛି, ତାହାକୁ ମୁଁ ପ୍ରକୃତରେ ସଂପୂର୍ଣ୍ଣ ଭାବରେ ସ୍ଵୀକାର କରିନେଇ ପାରିବି କିପରି ? ଯେଉଁଠି ତୁମକୁ ନିକାଲି ରଖାଯାଇଛି, ସେହି ନିର୍ମମ ଆନୁଷ୍ଠାନିକତାକୁ ମୁଁ ସାର ବୋଲି ଗ୍ରହଣ କରି ପାରିବି ବା କିପରି ?

 

୧୪ । ୧ । ୭୯

 

ସିଏ କେବଳ ଆବଶ୍ୟକ ବେଳେ ନାହାନ୍ତି, ଅନାବଶ୍ୟକ ବେଳେ ମଧ୍ୟ ରହିଛନ୍ତି । ବନ୍ଧୁ ଯେପରି ଆବଶ୍ୟକ ଏକ ଅନାବଶ୍ୟକ ସବୁ ସମୟରେ ବନ୍ଧୁ ହୋଇ ରହିଥାଏ, ପାଖେପାଖେ ରହିଥାଏ, ସାଙ୍ଗରେ ଥାଏ, ସିଏ ଠିକ୍ ସେହିପରି ରହିଛନ୍ତି ।

 

ସିଏ କୁଆଡ଼େ ଡାକିଲେ ଆସନ୍ତି ବୋଲି ଯେଉଁମାନେ ପିଲାଦିନୁଁ ପାଠ ଶିଖି ରଖିଥିଲା ପରି ତାଙ୍କୁ ଭାବୁଥାନ୍ତି, ସେମାନେ ପ୍ରାୟ ସବୁବେଳେ ଆର୍ତ୍ତ ହୋଇ ରହିଥାନ୍ତି, ସବୁବେଳେ ଡାକୁଥାନ୍ତି-। ତେଣୁ, ଅନେକ ସମୟରେ ସିଏ ଅତି ପାଖରେ ରହିଥିବା ସମୟରେ ମଧ୍ୟ ତଥାପି ସିଏ ଅନେକ ଦୂରରେ ଅଛନ୍ତି ବୋଲି ଭ୍ରମ କରି ତାଙ୍କୁ କେଡ଼େ ବ୍ୟାକୁଳ ଓ ସନ୍ତପ୍ତ ହୋଇ ଡାକିବାରେ ଲାଗିଥାନ୍ତି-। ନାନା ଆନୁଷଙ୍ଗିକ ସହିତ ଡାକନ୍ତି; ତାଙ୍କୁ ଯେପରି ଭଲ କରି ଶୁଭିବ, ସତେଅବା ସେଇଥିଲାଗି ଭଲ କରି ଡାକିବେ ବୋଲି ଅସ୍ଥିର ହୋଇ ପଡ଼ୁଥାନ୍ତି । ସେମାନଙ୍କର ଆଖି ସତେଅବା ଏହିପରି ଅନ୍ୟ ଏକ ଅଭ୍ୟାସରେ ପଡ଼ି ଅତି ପାଖଟାକୁ ମଧ୍ୟ ଦେଖି ପାରୁନଥାଏ ।

 

ତୁମକୁ ମୁଁ ନଖୋଜିଲା ସମୟରେ ପାଇଛି । ହଁ, ମୋଟେ ଡାକୁଥିଲା ସମୟରେ ମଧ୍ୟ ପାଇଛି । ମୋ’ ଭିତରେ ଡାକ ଛାଡ଼ୁଥିବା ସନ୍ଦେହଟାକୁ ହୁଏତ ତୁମେ ଅଧିକାଂଶ ସମୟରେ ଦୂର ହୋଇ ରହିଛି, ଅନ୍ତର ହୋଇ ରହିଛି । ମାତ୍ର ବେଳେ ବେଳେ ହଠାତ୍ ଆସି ଏପରି ଧରା ଦେଇଛ ଯେ ମୋ’ ଘର ଆଉ ତୁମର ଉପସ୍ଥିତି ଭିତରେ ଆଦୌ କୌଣସି ବାଡ଼ ପକାଇ ଦେଖିବାକୁ ମଧ୍ୟ ମୁଁ ମୋଟେ ସମୟ ପାଇନାହିଁ । ଆଉ, ଯିଏ ତୁମକୁ ସବୁ ବଡ଼ ଉଠାଇଦେଇ ଚିହ୍ନି ପାରିଛି, ତା’ର ଆବଶ୍ୟକ ଓ ଅନାବଶ୍ୟକ ଭିତରେ ହୁଏତ ଆଦୌ କୌଣସି ତଫାତ୍ ହିଁ ନାହିଁ ।

 

୧୫ । ୧ । ୭୯

 

ଅର୍ଥାତ୍, ତାଙ୍କୁ ଖୋଜିଲେ ହିଁ ସିଏ ମିଳିବେ, ଖୋଜିବା ମାତ୍ରକେ ହିଁ ସିଏ ମିଳିବେ । ଦୁଆର ଖୋଲିଦେବା ମାତ୍ରକେ ହିଁ ସିଏ ମିଳିବେ । ଦୁଆର ଖୋଲିଦେବା ମାତ୍ରକେ ହିଁ ସବୁଠାରେ କେବଳ ତାଙ୍କରି ସାକ୍ଷର ମିଳିବ, ତାଙ୍କରି ସ୍ପର୍ଶ ଲବ୍ଧ ହେବ ।

 

ତେଣୁ, ମୋ’ର ସକଳ ପ୍ରତୀକ୍ଷା ମୂଳତଃ ତୁମରିଲାଗି ହିଁ ପ୍ରତୀକ୍ଷା । ମୋ’ର ଯାବତୀୟ ଲୋଡ଼ିବା ହେଉଛି କେବଳ ତୁମକୁ ହିଁ ଲୋଡ଼ିବା । ମୋ’ର ସବୁଯାକ ଡୋର ଲଗାଇବା ହେଉଛି ତୁମରି ସହିତ ଡୋର ଲଗାଇବା । ସବୁ ଡୋର ଗୁଡ଼ାକ ଲମ୍ବି ଲମ୍ବି ଯାଇ ଶେଷକୁ ତୁମକୁ ସ୍ପର୍ଶ କରି ପାରିଛି ବୋଲି ହିଁ ଏହି ଡୋରଗୁଡ଼ାକ ଏତେ ଆକର୍ଷଣ ମନେ ହେଉଛି । ଏହି ଜୀବନଟା ଲମ୍ବି ଲମ୍ବି ତୁମକୁ ଯାଇ ସ୍ପର୍ଶ କରିଛି ବୋଲି ଏହି ଜୀବନଟା ଏଡ଼େ ଆପଣାର ମନେ ହେଉଛି । ଏବଂ ଏହି ସଂସାରଟା ମଧ୍ୟ ଲମ୍ବି ଲମ୍ବି ତୁମରିଯାଏ ଲମ୍ବି ଯାଇଛି ଓ ମୂଳରେ ତୁମରି ମଧ୍ୟରେ ଅବସ୍ଥିତ ରହିଛି ବୋଲି ଏତେ ମଧୁର ମନେ ହେଉଛି । ସବୁ ତୁମକୁ ସ୍ପର୍ଶ କରି ରହିଛି ବୋଲି ଏହି ସବୁକିଛି ଏଠି ଏତେ ଭଲ ଲାଗୁଛି । ଦୁଃଖ ଭଲ ଲାଗୁଛି, ସୁଖ ବି ଭଲ ଲାଗୁଛି । ନିଜ ଭିତରେ ଦଣ୍ଡେ ନୀରବ ହୋଇ ବସିବା ମାତ୍ରକେ ତୁମକୁ ସ୍ପର୍ଶ କରିବା ସହିତ ସବୁରି ସହିତ ଓ ସବୁଟି ସହିତ କେଡ଼େ ସ୍ଵାଭାବିକ ଭାବରେ ହିଁ ଖିଅ ଲାଗିଯାଉଛି ।

 

ତେଣୁ, ଏହି ଘରଟି କେବେହେଲେ ଶୂନ୍ୟ ପଡ଼ି ରହୁନାହିଁ, ଏଠି କେବେହେଲେ ଏକୁଟିଆ ଲାଗୁନାହିଁ ।

 

୧୬ । ୧ । ୭୯

 

ତୁମେ ଏଇଠି ଅଛ, ତେଣୁ ଏହି ସବୁକିଛି ରହିଛି । ଆମେ ସମସ୍ତେ ରହିଛୁ । ଏହି ସବୁଟି ମଧ୍ୟରେ ଯାହାକିଛି ସୁନ୍ଦର, ଯାହାକିଛି ସ୍ପନ୍ଦନମୟ ଓ ସ୍ଵପ୍ନମୟ, ତା’ ଭିତରେ ଉପସ୍ଥିତ ରହିଛି ବୋଲି ଏସବୁ ଏଡ଼େ ସୁନ୍ଦର ଦିଶୁଛି; ସ୍ପନ୍ଦନମୟ ଦିଶୁଛି । ଲୋଡ଼ିବା ଆଗରୁ ମଧ୍ୟ ତୁମେ ଏଇଠି ରହିଛ, ଅପେକ୍ଷା କରି ରହିଛ । ଏପାଖରୁ ନାନା କାରଣରୁ ଡୋର ଲାଗି ପାରୁନଥିଲେ ମଧ୍ୟ ତୁମେ ସେ ପାଖରୁ ଡୋର ଲଗାଇ ରହିଛ ।

 

ଏଗୁଡ଼ାକ କଳ୍ପନା ନୁହେଁ, ଏଗୁଡ଼ାକ ହିଁ ବାସ୍ତବ । ଏଗୁଡ଼ିକ ବାସ୍ତବ ବୋଲି ହିଁ କବି ତାହାର କଳ୍ପନା କରି ପାରୁଛି, ଋଷି ତାହାକୁ ଦେଖିପାରୁଛି, ଆମେ ତାହାକୁ ଅନୁଭବ କରି ପାରୁଛୁ ।

 

ତୁମର କେତେଭଳି ଅଭିବ୍ୟକ୍ତ, କେତେଭଳି ପ୍ରକାଶ । ତୁମକୁ ଯେଉଁମାନେ କେବଳ ଗୋଟିଏ ରୂପରେ ହିଁ ଦେଖିବାକୁ ମନ କରୁଥାନ୍ତି, ସେମାନେ ତୁମକୁ ଅନ୍ୟ ରୂପଗୁଡ଼ିକରେ ହରାଇ ବସିବାର ପ୍ରମାଦ ବି ଭୋଗିବାରେ ଲାଗିଥାନ୍ତି । ସେମାନେ ନିଜର ବାସନା ଦେଇ ତୁମକୁ ଚାହାନ୍ତି,-ସେଇଥିଲାଗି ବାସନା ମଧ୍ୟରୁ ବାହାରକୁ ବାହାରି ଆଉ ତୁମକୁ ଅନୁଭବ କରି ପାରନ୍ତିନାହିଁ । ସେମାନେ ଭିତରେ ଦେଖିବାକୁ ଯାଇ ବାହାରେ ହରାଇ ବସନ୍ତି ଓ ବାହାରେ ଦେଖିବେ ବୋଲି ଉତ୍ସାହ ପ୍ରକାଶ କରି ଭିତରେ ଶୂନ୍ୟ ହୋଇ ରହିଥାନ୍ତି । ସଂଶୟୀ ହୋଇ ରହିଥାନ୍ତି ।

 

୧୭ । ୧ । ୭୯

 

“ତୋମାର ଗୌରବ ଯବେ, ଆମର ଗୌରବ ହବେ”,-ତାହାହିଁ ମୋ’ର ଏହି ସମସ୍ତ ଘରଟିକୁ ଏକ ସୁନ୍ଦର ତୁମରିଲାଗି ଘରଟିରେ ପରିଣତ କରିଦେଇ ପାରିବ । ସେତେବେଳେ ଏହି ଘରଟି ତୁମର ପ୍ରସନ୍ନ ଶାନ୍ତିରେ ଉଦ୍‌ଭାସିତ ହୋଇଉଠିବ ।

 

ମୋ’ର ପଥ, ମୋ’ର ବାଟ ଚାଲିବା ଏବଂ ମୋ’ର ଗନ୍ତବ୍ୟ ସ୍ଥାନ,-ଏଗୁଡ଼ିକ ତୁମରି ଗୌରବସ୍ପର୍ଶ ଦ୍ଵାରା ହିଁ ଏକ ଉଜ୍ଜ୍ଵଳ ସୁନ୍ଦର ଘରରେ ପରିଣତ ହେବାରେ ଲାଗିଛି । ଏହି ଘରର ପାଚେରୀ ଗୁଡ଼ାକ ଦିନକୁ ଦିନ ପଛକୁ ପଛ ଘୁଞ୍ଚିଯିବାରେ ଲାଗିଛି । ଏମିତି ଘୁଞ୍ଚି ଘୁଞ୍ଚି ସେଗୁଡ଼ାକ ଯେତେବେଳେ କ୍ରମେ ଅନ୍ତର୍ହିତ ହୋଇଯିବ, ସେତେବେଳେ ମୋ’ର ଘର କହିଲେ ଆଉ କୌଣସି ଅଲଗା ଘରକୁ କଦାପି ବୁଝାଇବ ନାହିଁ । ଏବଂ ସେତିକିବେଳେ ହିଁ ଏହି ଜୀବନରେ ଅସଲ ଶୁଚୀ ସମ୍ଭବ ହେବ ।

 

ଏହି ଘରଟିର କେନ୍ଦ୍ରରେ ଯେତେବେଳ ଯାଏ ମୁଇଁ ବସିଥିବି, ସଭିଙ୍କଠାରୁ ଆପଣାକୁ ଅଲଗା କରି ରଖିଥିବି, ଅନ୍ୟମାନଙ୍କ ଠାରୁ ଆପଣାକୁ ଅଲଗା କରି ଦେଖୁଥିବି ଓ ସଂସାରଯାକ ଧନକୁ ଖାଲି ଏହି ଗର୍ଭଟି ଭିତରେ ଆଣି ଭର୍ତ୍ତି କରିବାରେ ହିଁ ମୋ’ର ସର୍ବାଧିକ ଶକ୍ତି ବ୍ୟୟିତ ହେବାରେ ଲାଗିଥିବ, ସେତେବେଳ ଯାଏ ଆପଣାର ଅସଲ ହୃଦୟଟିକୁ ମୁଁ ଆଉ କଦାପି ଅନୁଭବ କରି ପାରିବିନାହିଁ ।

 

ଏକ ଉନ୍ମୋଚନ,-ତାହାହିଁ ହୃଦୟକୁ ରୂପାନ୍ତରିତ କରିଦେବାର ପ୍ରଶସ୍ତତମ ବାଟ । ଏକ ଉନ୍ମୋଚନ ଦ୍ଵାରା ହିଁ ତୁମରି ଗୌରବକୁ ନିଜର ଗୌରବରେ ପରିଣତ କରାଯାଇ ପାରିବ, ଏହି ସମୁଦାୟ ଘରଟିକୁ ଆପଣାର ଘର ବୋଲି ଅନୁଭବ କରିହେବ ।

 

୧୮ । ୧ । ୭୯

 

ଫୁଲ ପ୍ରତ୍ୟେକ ଦିନ ଫୁଟୁଛି । ଫୁଲ ମୋ’ଭିତରରେ ଫୁଟୁଛି । ଏଥିଲାଗି କୌଣସି ଶ୍ରମ କରିବାକୁ ପଡ଼ୁନାହିଁ, କୌଣସି ସନ୍ତାପ ପାଇବାକୁ ପଡ଼ୁନାହିଁ । କେବଳ ଆପଣା ଭିତରେ ଅପେକ୍ଷା କରି ରହିଥିବା କଢ଼ଟି ଉପରେ ବିଶ୍ଵାସ ରଖି ପାରିଲେ ଓ ସେହି ବିଶ୍ଵାସକୁ ପ୍ରତ୍ୟେକ ମୁହୂର୍ତ୍ତରେ ଅନୁଭବ କରି ପାରିଲେ, ଫୁଲ ଫୁଟି ଫୁଟି ଯାଉଛି ।

 

ଫୁଲର ପର୍ବ ଅର୍ଥାତ୍ ଉନ୍ମୋଚନର ପର୍ବ । ଜୀବନରେ ମୁଁ ଠିକ୍ ଏହିପରି କ୍ରମୋନ୍ମୋଚିତ ହେବାରେ ଲାଗିଛି । ସେଥିଲାଗି ଜୀବନଟି ସତେଅବା ଭାରି ସୁନ୍ଦର ଏକ ବଗିଚାରେ ପରିଣତ ହୋଇ ପାରିଛି । ଭିତର ଓ ବାହାର ଏଡ଼େ ହାଲୁକା ଲାଗିଛି । ଚକ୍ଷୁ ମମ୍ମୁଖରେ କୌଣସି ବନ୍ଧୁ ସତତ ଚକ୍ଷୁଗୁଡ଼ିକୁ ଅଗ୍ରସର କରାଇ ନେଉଛି ବୋଲି ଅନ୍ତରନୁଭୂତିଟି ଅଧିକରୁ ଅଧିକ ସ୍ଵାଭାବିକ ଭାବରେ ହେବାରେ ଲାଗିଛି । ନିଜେ ଏକାଧାରରେ ଗୋଟିଏ ଫୁଲ ଏବଂ ତାହାକୁ ଫୁଟାଇ ଆଣିବାର ପଣ ନେଇ ବାହାରିଥିବା ମାଳି ହୋଇପାରିଲେ ଜୀବନଟା ଯେ କିପରି ହାଲୁକା ହୋଇଯାଏ, ଏହି ସବୁକିଛି କିପରି ଆପଣାର ଲାଗେ, ମୋ’ର କ୍ରମଶଃ ସେହି ଅନୁଭୂତି ହେଉଛି ।

 

ମୋ’ର ତପସ୍ୟା ଏହି ଫୁଲ ଫୁଟାଇ ଆଣିବାର ତପସ୍ୟା । ସଂସାରରେ ସବୁରି ଭିତରେ ଏହି ଫୁଲ ଫୁଟିବାର ସ୍ଵତନ୍ତ୍ର ଆୟୋଜନଗୁଡ଼ିକୁ ଚିହ୍ନିନେଇ ପାରିବାର ତପସ୍ୟା । ଏହାହିଁ ମୋ’ର ଜ୍ଞାନର ତପସ୍ୟା, ମୋ’ ଭକ୍ତିର ତପସ୍ୟା ଓ କର୍ମର ତପସ୍ୟା ।

 

୧୯ । ୧ । ୭୯

 

ଶୁଦ୍ଧ, ଅର୍ଥାତ୍ ନିର୍ମଳ, ଅର୍ଥାତ୍ ସରଳ, ଅଥଚ ସିଧା, ଅର୍ଥାତ୍ ଉନ୍ମୁକ୍ତ, ଅର୍ଥାତ୍ ନିର୍ଭୟ, ଅର୍ଥାତ୍ ଶ୍ରଦ୍ଧାଯୁକ୍ତ । ଏଥିଗୁଡ଼ିକ ମଧ୍ୟରୁ ଆମେ ଯେକୌଣସି ଶବ୍ଦ ବ୍ୟବହାର କରିବା, ତାହା ସେହି ଗୋଟିଏ ମର୍ମାର୍ଥକୁ ହିଁ ପ୍ରକାଶିତ କରିଦେବ ।

 

ନିର୍ଭୟ ଅର୍ଥାତ୍ ଭୟମୁକ୍ତ ନ ହେଲେ ସରଳ ବା ସହଜ ହେବା ବି ହୋଇ ପାରେନାହିଁ । ଭୟାଳୁ ମଣିଷ ଜଟିଳ ହୁଏ, ଭୟାଳୁ ମଣିଷ ଗ୍ରନ୍ଥିଳ ହୁଏ । ଭୟାଳୁ ମଣିଷ ଆପଣାକୁ ମଝିରେ ଯାବୁଡ଼ି ଧରି ସଂସାରଟାକୁ ବଡ଼ ସ୍ଵାର୍ଥପରାୟଣ ଭାବରେ ଦେଖୁଥାଏ । ତେଣୁ ତା’ର ମାର୍ଗଟା ମଧ୍ୟ ଭାରି ଜଟିଳ ଓ ଅସହଜ ହୋଇପଡ଼େ, ତା’ର ମମତାଗୁଡ଼ାକ ନାନା ମୁଖା ପିନ୍ଧା ଅସଲ ମର୍ମଗତତାଟି ପାଖରୁ ତାକୁ ଅନେକ ଦୂରଛଡ଼ା କରି ରଖିଥାନ୍ତି । ଆପଣାର ଧର୍ମକୁ, ଆପଣାର ଧାରଣାଗୁଡ଼ାକୁ ଓ ଆପଣାର ଯାବତୀୟ ଅନୁଧାବନ ଗୁଡ଼ାକୁ ସିଏ ଭାରି ଦୟନୀୟ ଭାବରେ ସ୍ଵାର୍ଥ କେନ୍ଦ୍ରିତ କରି ରଖିଥାଏ । ସହଜ ହେବାଲାଗି ଆଉ କୌଣସି ବେଳ ମିଳେନାହିଁ । ସହଜ ମଣିଷ ଯାହାକିଛି କରେ, ତାହା ଯେଉଁ କ୍ଷେତ୍ରରେ ଅଥବା ଯେକୌଣସି ସ୍ତରରେ ହେଉ ପଛକେ, ତାହା ମୁଖ୍ୟତଃ କେବଳ ଉନ୍ମୋଚନ ଲାଗି ହିଁ କାର୍ଯ୍ୟ କରେ । ତାହା ହାଲୁକା କରିଦେବାରେ, ଅର୍ଥାତ୍ ନିଜକୁ ଅଧିକରୁ ଅଧିକ ସମର୍ପଣ ଲାଗି ଯୋଗ୍ୟ କରି ଆଣିବାରେ ହିଁ ସାହାଯ୍ୟ କରେ । କୃପଣ ହେବାର ପ୍ରମାଦରୁ ସତେଅବା ଆମର ବନ୍ଧୁରୂପେ ହିଁ ଆମକୁ ରକ୍ଷା କରେ ।

 

ଶ୍ରଦ୍ଧା ଦ୍ଵାରା ନିର୍ଭୟତା ଆସେ, ସହଜତା ନିର୍ଭୟତାରୁ ଜନ୍ମଲାଭ କରେ ।

 

୨୦ । ୧ । ୭୯

 

ଯାହା ହଠାତ୍ ଆସି ଧରା ଦେଲାପରି ଲାଗେ, ତାହା ହେଉଛି ଏକ ପ୍ରଲୋଭନ । ଯାହା ଗୋଟାସୁଦ୍ଧା ଏକ ସତ୍ୟ ଭଳି ଏକାବେଳେକେ ଆବୋରି ଧରି ପକାଇବାକୁ ଚାହୁଁଥାଏ, ତାହା ହେଉଛି ଏକ ପ୍ରଲୋଭନ । ଯିଏ ଆହୁରି ଭିତରକୁ ଯିବାକୁ ମନ କରୁଥିବ, ଆହୁରି ଉଚ୍ଚକୁ ଆଖି ରଖିଥିବ, ଏହିସବୁ ପ୍ରଲୋଭନରୁ ସିଏ ଆପଣାକୁ ନିଶ୍ଚୟ ବଞ୍ଚାଇ ରଖିବ ।

 

ଧରା ଦେବା ପ୍ରମାଦ ନୁହେଁ, ଜାଲରେ ପଡ଼ିବା ହେଉଛି ଏକ ପ୍ରମାଦ । ଯେଉଁଠି ଧରାଦେଇ ପାରିଲେ ଅନେକ ଜାଲକୁ ଛିଡ଼ାଇ ବାହାରି ଆସି ପାରିବାର ବଳ ମିଳେ, ତାହା ପ୍ରକୃତରେ ଏକ ବିମୋଚନ ପରି କାମ ଦିଏ । ଅସଲ ଥାନଟିରେ ଧରାଦେଇ ପାରିଲେ ଯାଇ ଏହି ଜାଲଗୁଡ଼ାକ ଭିତରୁ ମୁକ୍ତି ପାଇବା ସମ୍ଭବ ହୁଏ ।

 

ତେଣୁ ମୁଁ ଧରା ଦେବାକୁ ଡରିବିନାହିଁ । ନାନା ହୃଦୟ ଭିତରେ ଧରା ଦେବାକୁ ଡରିବିନାହିଁ । ନାନା ଘରକୁ ଆପଣାର ଘର ବୋଲି ଅନୁଭବ କରିବାକୁ ମଧ୍ୟ ଡରିବିନାହିଁ । ମୁଁ ଜାଲକୁ ହିଁ ଡରିବି । କେଉଁଠି ପାଚେରୀଘେରା ହୋଇ ରହିଯିବାକୁ ଡରିବି, ଜୁଗୁପ୍‌ସାକୁ ଡରିବି । ମୋ’ର ଆକାଶ ଗୁଡ଼ାକ ଅଧିକରୁ ଅଧିକ ପ୍ରସାରିତ ହୋଇ ଯାଉଥିବ, ମୋ’ ଡେଣାଗୁଡ଼ିକ ଅଧିକରୁ ଅଧିକ ଶ୍ରଦ୍ଧାଶୀଳ ହେବାରେ ଲାଗିଥିବ । ତେବେ କେଉଁଠି ଜାଲ ପଡ଼ିଯିବାର ଭୟ ହିଁ ରହିବନାହିଁ । ମୋତେ ସବୁକିଛି ଏକାବେଳେକେ ମିଳିଗଲା ବୋଲି ଏକ ଭ୍ରମ ଭିତରେ ଆସି ପଡ଼ିଯିବାର ବି କୌଣସି ଭୟ ରହିବନାହିଁ ।

 

୨୧ । ୧ । ୭୯

 

ସେଠି ସବୁକିଛି ସରଳ । ତେଣୁ, ସେଠି ଯାଇ ପହଞ୍ଚି ପାରିଲେ ସବୁକିଛି ଭାରି ସରଳ ହୋଇଯାଏ । ହୃଦୟ ଭିତରେ କେବେ କୌଣସି ବକ୍ରତା ରହିଥିଲା ବୋଲି ମନେ ବି ପଡ଼େନାହିଁ । ମନଟା ଅତ୍ୟନ୍ତ ସହଜ ଓ ସରଳ ଭାବରେ ଯାହାକୁ ଚାହେ; ତାକୁ ଧରି ରଖିପାରେ । ଭାବଗୁଡ଼ାକ ଅତ୍ୟନ୍ତ ସରଳ ହୋଇ ଯାଆନ୍ତି । ତେଣୁ ଅଭାବ ଗୁଡ଼ାକ ଅତ୍ୟନ୍ତ ସହଜ ଓ ସରଳ ଭାବରେ ଧରା ପଡ଼ିଯାନ୍ତି ।

 

ହଁ, ଦେହଟା ବି ସରଳ ହୋଇଯାଏ । ନିଜର ଦେହ ସେତେବେଳେ ଠିକ୍ ଗୋଟିଏ ଘର ପରି ଲାଗେ । ଦେହଟା ଯେ କାହିଁକି ଗୋଟିଏ ବୋଝ ପରି ଲାଗିବ, ନିଜକୁ ସେହିକଥା ପଚାରିବାକୁ ଇଚ୍ଛା ହୁଏ । ଏକ ସମଗ୍ରତା ମଧ୍ୟରେ ସବୁକିଛିକୁ ବଡ଼ ସରଳ ଭାବରେ ଅନୁଭବ କରିହୁଏ; ବଡ଼ ସହଜ ଭାବରେ ପାଇହୁଏ ।

 

ତାହାହିଁ ଶୁଦ୍ଧ, ତାହାହିଁ ମଧୁର । ତାହାହିଁ ଜୀବନର ଯଥାର୍ଥ ସାନ୍ନିଧ୍ୟ ଓ ସଙ୍ଗଲାଭ । ଜୀବନର ଯାବତୀୟ ଉଦ୍ୟମ ଯେତେବେଳେ ଆଦୌ ଏକ ଶ୍ରମ ହୋଇ ରହେନାହିଁ, ସେତିକିବେଳେ ସେହି ସାନ୍ନିଧ୍ୟକୁ ସଂପୂର୍ଣ୍ଣ ଭାବରେ ଅନୁଭବ କରିହୁଏ । ପଥଗୁଡ଼ାକୁ ଯେଉଁମାନେ ଅତି ଦୁର୍ଗମ ବୋଲି କହନ୍ତି, ସେତେବେଳେ ସେମାନଙ୍କୁ ମୋଟେ ବିଶ୍ଵାସ କରିବାକୁ ମନ ହୁଏନାହିଁ ।

 

ଏହି ସହଜତା ଓ ସରଳତା ପ୍ରକୃତରେ କିପରି ଆସେ ? ଏହି ଶୁଦ୍ଧତା ଓ ମଧୁରତାକୁ କିପରି ଲାଭ କରି ହୁଏ ? ଏଥିଲାଗି ବର୍ଣ୍ଣନା କରି କହି ପାରିବାଭଳି ହୁଏତ କୌଣସି ଉପାୟ ନାହିଁ-। ସହଜ ହେଲେ ସହଜତା ପାଇହୁଏ, ସରଳ ହେଲେ ସରଳତାର ଉପଲବ୍‌ଧି ହୁଏ । ନ ମେଧୟା ନ ବହୁନା ଶ୍ରୁତେନ ।

 

୨୨ । ୧ । ୭୯

 

ଏହି ଜୀବନର ମଧ୍ୟଦେଇ ତୁମରି ପ୍ରକାଶ ଘଟିବ । ଅର୍ଥାତ୍, ଆହୁରି ସ୍ପଷ୍ଟ ଭାବରେ କହିଲେ, ତୁମରି ପ୍ରକାଶ ଘଟିବ ବୋଲି ହିଁ ଏହି ଜୀବନ ଅଭିପ୍ରେତ ହୋଇ ରହିଛି । ତେଣୁ, ସେହି ପ୍ରକାଶକୁ ଆବାହନ କରି ଆଣିବାଲାଗି ହିଁ ଜୀବନ ମଧ୍ୟରେ ସତତ ପ୍ରସ୍ତୁତି ହେବାରେ ଲାଗିଥିବ । ମୁଁ ଧୂପ ହୋଇ ଆବାହନ ଜାଣାଇବି, ଦୀପଟିଏ ହୋଇ ଅପେକ୍ଷା କରି ରହିବି ଏବଂ ଶୁଦ୍ଧରୁ ଶୁଦ୍ଧତର ହେବାରେ ଲାଗିଥିବି । ଆପଣାକୁ ଅଧିକରୁ ଅଧିକ ଉନ୍ମୁକ୍ତ କରି ରଖିବାଲାଗି ମୋ’ର ଏହି ପ୍ରସ୍ତୁତି ଚାଲିଥିବ ।

 

ପ୍ରାର୍ଥନା ଆଉ ଅନ୍ୟ କୌଣସି କଥା ଲାଗି ନୁହେଁ, ପ୍ରାର୍ଥନା କେବଳ ଏହି ଉନ୍ମୋଚନ ଲାଗି । ଏହି ଉନ୍ନୋଚିତ ଇଚ୍ଛା ହିଁ ପ୍ରାର୍ଥନା । ଅସଲ ପ୍ରାର୍ଥନା କିଛି ମାଗେନାହିଁ, ଅସଲ ପ୍ରାର୍ଥନା ଭିତରେ ଥିବା କୌଣସି ଶୂନ୍ୟସ୍ଥାନ-ଜନିତ ସନ୍ତାପକୁ ପ୍ରକାଶ କରେନାହିଁ । ସେତେବେଳେ ଯାଇ ତାହା ସମଗ୍ର ସତ୍ତାର ପ୍ରାର୍ଥନାରୂପେ ଆପଣାକୁ ଅଭିବ୍ୟକ୍ତ କରିବାଲାଗି ସମର୍ଥ ହୁଏ । ଏହା ବ୍ୟତୀତ ଆଉ ଯେତେ ସବୁ ପ୍ରାର୍ଥନା ରହିଛି, ତାହା ଯେତେ ବଡ଼ ବ୍ୟାକୁଳତାର ଯେତେ ବଡ଼ ଆଡ଼ମ୍ବର ମଧ୍ୟଦେଇ ଆପଣାକୁ ପ୍ରକାଶିତ କରି ବାହାରିଥାଉ ପଛକେ, ତାହା କେବଳ ଏକ ଖଣ୍ଡିତ ଅନୁରାଗର ପ୍ରାର୍ଥନା । ଗୋଟାଏ ଅଂଶ ଆଉଗୋଟାଏ ଅଂଶକୁ ସେହି ନିଜ ଭିତରେ ଚାପି ରଖି ଅତି ଆର୍ତ୍ତ ଭାବରେ ସତେଅବା ଅଭିନୟ କଲାପରି ଆପଣାକୁ ପ୍ରଦର୍ଶିତ କରିବାଲାଗି ଯେଉଁ ଆକୁଳତାକୁ ପ୍ରକାଶ କରେ, ତାହା ଆର୍ତ୍ତର ପ୍ରାର୍ଥନା । ଦୀପଟିଏ ହୋଇ ଜଳୁଥିବା ମଣିଷଟିର ପ୍ରାର୍ଥନା କଦାପି ନୁହେଁ, ଦୁଆର ଖୋଲି ଅପେକ୍ଷା କରି ବସିଥିବା ବିଶ୍ଵାସୀ ମଣିଷର ପ୍ରାର୍ଥନା ନୁହେଁ-

 

୨୩ । ୧ । ୭୯

 

ଯେଉଁଠି ତାଙ୍କର ଇଚ୍ଛା ଆଉ ଆମ ଇଚ୍ଛା ମଧ୍ୟରେ କୌଣସି ବ୍ୟବଧାନ ନଥାଏ, ସେହିଠାରେ ହିଁ ଏକତା ସମ୍ଭବ ହୁଏ । ପ୍ରଥମେ ନିଜର ଇଚ୍ଛା ବୋଲି ଗୋଟାଏ ଜିନିଷ ଥାଏ, ତାହା ନିଜକୁ ପରିପୂର୍ଣ୍ଣ ଭାବରେ ଚରିତାର୍ଥ କରିବାଲାଗି ଇଚ୍ଛା କରୁଥାଏ, ସେଥିଲାଗି ଭଗବାନଙ୍କ ପାଖରେ ବର ମାଗିବାକୁ ଯାଏ, ସେଇଥିଲାଗି ତପସ୍ୟା କରେ, ସେଇଥିଲାଗି ଧର୍ମାଚରଣ କରେ । ସିଏ ଖାଲି ନେବାରେ ଲାଗିଥାଏ, ଖାଲି ମୋଟା ହେବାରେ ଲାଗିଥାଏ; –ଆପେ ମୋଟା ହୋଇ ଅନେକ ସମୟରେ ତାହାକୁ ହିଁ ଜୀବନର ଅସଲ ଯଶସ୍ତିତା ବୋଲି ବିଚାର କରୁଥାଏ । ଏବଂ ନାନାବିଧ କୃଚ୍ଛ୍ର ଦ୍ଵାରା ସିଏ ସେହି ଯଶସ୍ଵିତାର ଭିକ୍ଷା କରି ବୁଲୁଥାଏ । ଯାବତୀୟ ଲାଭକୁ ସତେଅବା ବିତ୍ତରୂପେ ସଞ୍ଚୟ କରି ରଖିବାରେ ଲାଗିଥାଏ । ତଥାପି ଇଚ୍ଛା ପୂରେନାହିଁ, ତଥାପି ଇଚ୍ଛା ଖଣ୍ଡିତ ହୋଇ ରହିଥାଏ, ତଥାପି ସମ୍ବନ୍ଧ ଆଉ ବିପଦ ମଧ୍ୟରେ ଦୋଳାୟମାନ ହୋଇ ରହିଥିବାର ଏକ ନିତ୍ୟ ଆଶଙ୍କା ଚେତନାଟାକୁ ସର୍ବଦା ଆକୁଳ କରି ରଖିଥାଏ ।

 

ଏସବୁ ଦ୍ଵାରା ମୁକ୍ତି ଆସେନାହିଁ । ଏସବୁ ଦ୍ଵାରା ଆଚ୍ଛନ୍ନତା ବଢ଼େ । ଏସବୁ ଦ୍ଵାରା ଯେଉଁ ତଥାକଥିତ ଶକ୍ତିର ଲାଭ ହୁଏ, ତାହାର କୌଣସି ମହିମା ନଥାଏ । ତେଣୁ ବାଟ ଚାଲୁଥିବା ପରି ମୋଟେ ଲାଗେନାହିଁ । କେବଳ ସେହି ଅସଲ ଶକ୍ତିଟି ସହିତ ଆପଣାର ଯାବତୀୟ ଶକ୍ତି ଓ ଉତ୍ସାହକୁ ସମ୍ମିଳିତ କରି ଖିଅ ଲଗାଇ ରଖିପାରିଲେ ଅସଲ ପ୍ରସନ୍ନତା ମିଳେ । ଅସଲ ଶକ୍ତିର ଅନୁଭବ ମିଳେ । ସେହି ଇଚ୍ଛାଟି ସହିତ ଖିଅ ଲାଗି ରହିଥିଲେ ଯାଇ ନିଜର ଇଚ୍ଛାଟିକୁ ନେଇ ସଂପୂର୍ଣ୍ଣ ଏବଂ ସମଗ୍ର ଭାବରେ ବାଟ ଚାଲିବା ସମ୍ଭବ ହୁଏ ।

 

୨୪ । ୧ । ୭୯

 

ସବୁ ଅତିକ୍ରାନ୍ତ ହୋଇଯିବ, ସବୁ ବାଧା କୁଆଡ଼େ ଟଳି ପଡ଼ିବ । ଭିତରେ ଆଉ ବାହାରେ ଗୋଟିଏ ଅନୁରାଗର ସ୍ପନ୍ଦନ ଦ୍ଵାରା ପ୍ରଣୋଦିତ ହୋଇ ଜୀବନ ବଞ୍ଚିବାର ପଥରେ ଯାହାସବୁ ଆପାତତଃ ଅନ୍ତରାୟ ହୋଇ ଦଣ୍ଡାୟମାନ ରହିଛି, ସେସବୁ ଅତିକ୍ରାନ୍ତ ହୋଇଯିବ । ଭିତର ଆଉ ବାହାର ମଧ୍ୟରେ ଯେତେବେଳେ ଏକ ଅସମଞ୍ଜସତା ଆସି ପହଞ୍ଚେ, କେବଳ ସେତିକିବେଳେ ହିଁ ଆମ ଜୀବନର ପ୍ରାୟ ସକଳ ବାଧା ଆସି ଉପସ୍ଥିତ ହୋଇଥାଏ ।

 

ଅସଲ ଏକତା ବା ଅସଲ ସମତାତି ନରହିଲେ ହିଁ ଭିତର ଆଉ ବାହାର ଭିତରେ କେତେ ନା କେତେ ଅସମଞ୍ଜସତା ଆସି ଉପସ୍ଥିତ ହୋଇଥାନ୍ତି । ସେହି ଏକତାଟିକୁ ଅର୍ଜନ କରାଯାଇ ପାରିବ କିପରି ? ତାଙ୍କରି କରୁଣା ପାଇଲେ ତାହା ହେବ । ଜଣେ, ସେହି କରୁଣାର ଏକ ଯୋଗ୍ୟ ଭୂମି ହେବାକୁ ପଡ଼ିବ । ଯୋଗ୍ୟ ହେବାଲାଗି ଯେଉଁ ଅସଲ ଅନୁରାଗ ଅର୍ଥାତ୍ ଅସଲ ଇଚ୍ଛୁକତାଟି ଦରକାର, ଆପଣାର ଭିତରେ ଓ ବାହାର ମଧ୍ୟରେ ମୁଁ ଆପେ ଠିଆ କରି ରଖିଥିବା ପାଚେରୀଗୁଡ଼ାକୁ ସ୍ଵେଚ୍ଛାପ୍ରଣୋଦିତ ଭାବରେ ଉଠାଇ ଦେଇ ପାରିଲେ ଯାଇ ସେହି ଅନୁରାଗ ସମ୍ଭବ ହୋଇ ପାରିବ ।

 

ତେଣୁ, ମୋ’ରି ଭିତରେ ରହିଥିବା ବିଷମତା ଗୁଡ଼ାକୁ ଭାଙ୍ଗି ଦେବାକୁ ହେବ । ମୁଁ ଭିତରେ ଯାହା, ବାହାରେ ମଧ୍ୟ ତାହାକୁ ହିଁ ବଞ୍ଚିବାକୁ ଅନୁରାଗ ରଖିବି । ନିଜ ଜୀବନରେ କଦାପି ଦୁଇଖଣ୍ଡ ହୋଇ ରହିବିନାହିଁ । ତାହାକୁ ହିଁ ଅସଲ ଓ ସର୍ବପ୍ରଥମ ଅନୁରାଗ ବୋଲି ଜାଣିବି ।

 

୨୫ । ୧ । ୭୯

 

ତାଙ୍କରି ହାତ ସବୁ କରୁଛି । ତାଙ୍କର ସ୍ନେହମୟ ହାତଟି ମୋତେ କେତେ କେତେ ବାଟ ଅତିକ୍ରାନ୍ତ କରାଇ ଆଣୁଛି । ବନ୍ଧୁ ହିସାବରେ ସେଇ ମୋତେ ହାତଧରି ଆଗକୁ ନେଇ ଯାଉଛନ୍ତି ।

 

ଏ ପାତ୍ରକୁ ସେଇ ପୂର୍ଣ୍ଣ କରି ରଖିଛନ୍ତି । ଅଧିକ ପରିପୂର୍ଣ୍ଣ ଲାଗି ସେଇ ତାହାକୁ ଯୋଗ୍ୟ କରିବାରେ ଲାଗଛନ୍ତି । ତାଙ୍କର ଅତି ଆପଣାର ଭାବରେ ସେ ମୋତେ ଯୋଗ୍ୟ କରିନେବାରେ ଲାଗିଛନ୍ତି । ତାଙ୍କର ଅତି ଆପଣାର ଭାବରେ ସିଏ ମୋତେ ଯେଉଁପରି ଗଢ଼ିବାର ମନାସ ରଖିଛନ୍ତି, ସିଏ ତାହାରି ଅନୁସାରେ ମୋତେ ଯୋଗ୍ୟ କରି ନେଉଛନ୍ତି । ମୋ’ର ଏହି ଜୀବନ, –ତାହା ହେଉଛି ସେହି ପରମବନ୍ଧୁଟି ଲାଗି ହିଁ ଏକ କୃତଜ୍ଞତାଜ୍ଞାପନ ।

 

ସେହି କୃତଜ୍ଞତା ହିଁ ମୋ’ର ସବୁଯାକ ଆଖିକୁ ସର୍ବଦା ସକୃଷ୍ଟ କରି ରଖିଥାଉ । ସେହି କୃତଜ୍ଞତା ମୋ’ର ପାଦ ଦୁଇଟିକୁ ସର୍ବଦା ସଚଳ କରି ରଖିଥାଉ; ମୋ’ର ହୃଦୟକୁ ତାହା ଅନୁକ୍ଷଣ ଅନୁରାଗମୟ କରି ରଖିଥାଉ । ଏ ଜୀବନରେ କର୍ମ କହ, ଜ୍ଞାନ କହ ବା ଭକ୍ତି କହ–ସବୁକିଛି ଯେପରି ସେହି କୃତଜ୍ଞତାଟି ରୂପରେ ହିଁ ଆପଣାକୁ ଅଭିବ୍ୟକ୍ତ କରି ଆଣୁଥାଉ । ତାହାହିଁ ମୋ’ ଜୀବନର ସର୍ବପ୍ରଧାନ ପ୍ରେରଣାରେ ପରିଣତ ହେଉ । କୃତଜ୍ଞ ହୋଇ ରହିବାର ଅର୍ଥ ହେଉଛି ଜୀବନର ପ୍ରତିଟି ବିଚରଣ ଓ ପ୍ରତିଟି ଆଚରଣରେ ସେହି ପରମବନ୍ଧୁର ହାତଟିକୁ ଅନୁଭବ କରିବା, ସେହି ସ୍ପର୍ଶଟି ଦ୍ଵାରା ହିଁ ପୂର୍ଣ୍ଣ ହୋଇ ରହିବା ।

 

୨୬ । ୧ । ୭୯

 

ସେହି କରୁଣାର କିରଣକୁ ମୁଁ ଏକ ସ୍ପର୍ଶରୂପେ ଅନୁଭବ କରିଥାଏ । ଅନ୍ୟମାନଙ୍କୁ ସ୍ପର୍ଶ କଲାବେଳେ ସେହି କିରଣରେଖା ହିଁ ମାଧ୍ୟମରୂପେ କାର୍ଯ୍ୟ କରେ । ସବୁକିଛି ଯେତେବେଳେ କେବଳ ତାଙ୍କରି ପରିପୂରିତ ହୋଇ ରହିଛି, ସେତେବେଳେ ଏଠି ପର-ଆପଣାର ପ୍ରଶ୍ନ କୁଆଡ଼ୁ ଆସିବ, ବିଶ୍ଵାସ ଏବଂ ଅବିଶ୍ଵାସର ପ୍ରଶ୍ନ ବା କେଉଁଠୁ ଆସିବ ?

 

ଅନ୍ୟ ସମସ୍ତଙ୍କୁ ବିଶ୍ଵାସ କରିବା ଅର୍ଥାତ୍ ଅନ୍ୟ ସମସ୍ତଙ୍କ ଭିତରେ ରହିଥିବା ସେଇ ତୁମକୁ ବିଶ୍ଵାସ କରିବା । ସମସ୍ତଙ୍କ ଭିତରେ ତୁମରି ସନ୍ଧାନ କରିବାକୁ ଯାଇ ଅର୍ଥାତ୍ ତୁମର ସ୍ପର୍ଶ କରିବାର ଆକାଙ୍‌କ୍ଷାଟିକୁ ବହନ କରି ଯଦି ଏ ସଂସାରରେ ଧୋକା ଖାଇବାକୁ ହୁଏ, ତେବେ ସେହି ଧୋକା ଖାଇବାଦ୍ଵାରା ମୋ’ ଭିତରେ ଅବିଶ୍ଵାସଟା ତଥାପି ଆଦୌ କୌଣସି ପ୍ରଶ୍ରୟ ପାଇବନାହିଁ । ମୋ’ର ବିଶ୍ଵାସକୁ ଆହୁରି ଅଧିକ ନିର୍ମଳ କରି ରଖିବାକୁ ପଡ଼ିବ । ଆହୁରି ଅଧିକ ଅନୁରାଗ ସହିତ ମୋତେ ପ୍ରସ୍ତୁତ ହେବାକୁ ପଡ଼ିବ ।

 

ତୁମେ ହିଁ ଅଛ, ତୁମେ ସବୁଟି ରୂପରେ ରହିଛ, –ଏଗୁଡ଼ାକ କେବଳ ଗୋଟାଏ ଗୋଟାଏ ଏପରି ବଚନିକା ନୁହେଁ, ଯାହାର କି ଜୀବନରେ ଆଦୌ କୌଣସି ସ୍ଥାନ ନାହିଁ । ତାହାର ଅସଲ ଓ ସର୍ବପ୍ରଥମ ତାତ୍ପର୍ଯ୍ୟ ହେଉଛି ଯେ, ଯିଏ ମୋ’ ଭିତରେ ରହିଛି, ସେଇ ସମସ୍ତଙ୍କ ଭିତରେ ରହିଛି । ସେଇଥିଲାଗି ହିଁ ମୁଁ ଏକ ସୁନ୍ଦର ଅନୁରାଗପ୍ରଧାନ ସଂସାରର କଳ୍ପନା କରିପାରୁଛି, ସମସ୍ତଙ୍କୁ ନେଇ ଏକ ଭବିଷ୍ୟର କଳ୍ପନା କରିପାରୁଛି । ତେଣୁ, ଏ ଜୀବନ ଥିବାତକ ମୁଁ କେବଳ ଅନୁରାଗ ଓ ଏକ ମୁକ୍ତ ଦୁଆର ନେଇ ସମସ୍ତଙ୍କ ପାଖକୁ ଯିବି, ସମଧର୍ମୀ ଭାବରେ ସବୁରି କବାଟ ଉପରେ ଆଘାତ କରୁଥିବି । ଯେତେ ଧୋକା ଖାଉଥିଲେ ମଧ୍ୟ ତାହାକୁ ହିଁ ଅସଲ ଜୀବନ ବୋଲି ଗ୍ରହଣ କରିଥିବି ।

 

୨୭ । ୧ । ୭୯

 

ଆକାଶ ଶାନ୍ତି, ପୃଥିବୀ ଶାନ୍ତି, ବାୟୁ ଶାନ୍ତି । ତେବେ ମୋ’ ସହିତ ସକଳ ସଂସାରର ଡୋରଟି ଯେଉଁଠି ନିବିଡ଼ ଭାବେ ଲାଗି ରହିଛି, ସେଠାରେ ମଧ୍ୟ ମୁଁ ମୂଳତଃ ସେହି ଶାନ୍ତିଟିକୁ ହିଁ ଅନୁଭବ କରିବାଲାଗି ସମର୍ଥ ହେବି ।

 

ଭଗବାନଙ୍କ ପାଖରେ ଦୁଆରଟାକୁ ଖୋଲି ଆଉ ମଣିଷ ପାଖରେ ତାହାକୁ ବନ୍ଦ ରଖିଥିବି, ଏବଂ ତେଣେ ସକଳ ଘାଟରେ ସେଇ ସାରରୂପେ ବିରାଜିତ ରହିଛନ୍ତି ବୋଲି ଗୁଣି ହେଉଥିବି, –ଏହି କଥାଟାର ସଙ୍ଗତିଟାକୁ ହିଁ ମୁଁ ଏପର୍ଯ୍ୟନ୍ତ ବୁଝିପାରିଲିନାହିଁ । ଅନ୍ୟକୁ ବିଶ୍ଵାସ କଲେ ହିଁ ମୁଁ ଏହି ସଂସାରରେ ବିଶ୍ଵାସର ବୃଦ୍ଧି ହେବାରେ ସାହାଯ୍ୟ କରିପାରିବି । ମାତ୍ର, ସଂସାରକୁ ଅବିଶ୍ଵାସ କରି ମୁଁ ଏଠି ଭଗବତ୍ ଉପସ୍ଥିତିର ପ୍ରତିଷ୍ଠା ଲାଗି କୋଉଠି କ'ଣ କରିପାରିବି ?

 

ଭିତରେ ଯାହାକୁ ପାଇଛି, ମୁଁ ବାହାରେ ତାହାକୁ ହିଁ ପ୍ରଥମେ ଅନୁଭବ କରୁଛି । ସେଇଟା ହିଁ ମୋ’ ଜୀବନ ଭିତରେ ଅସଲ ଆକର୍ଷଣ ହୋଇ କାର୍ଯ୍ୟ କରୁଛି । ସବୁରି ଭିତରେ ମୁଁ ତାଙ୍କରି ସନ୍ଧାନ କରି ବୁଲୁଛି । ସେହି ସନ୍ଧାନରେ ହିଁ ଶାନ୍ତିଲାଭ କରୁଛି । ଯଦି ଚାରିଆଡ଼ୁ ସବୁ କବାଟ ଓ ଝରକାକୁ ବନ୍ଦ କରିଦେଇ ମୁଁ ଭିତରେ ଗୋଟାଏ ଅନ୍ୟ ପ୍ରକାରର ଶାନ୍ତି ନେଇ ଥିର ହୋଇ ରହିଥାନ୍ତି ଓ ସେହି ଏକୁଟିଆ ରହିବାକୁ ହିଁ ସୁଖ ବୋଲି ସମଝୁଥାନ୍ତି, ତେବେ ମୋତେ ହୁଏତ ଏକ ତୀବ୍ର ଦ୍ଵନ୍ଦ୍ଵ ମଧ୍ୟରେ କାଳାତିପାତ କରିବାକୁ ପଡ଼ୁଥାନ୍ତା । ଏହି ଦ୍ଵନ୍ଦଟାହିଁ ମୋ’ର ସକଳ ଅନ୍ତଃପଥ ତଥା ବହିଃପଥକୁ ବଡ଼ ବିକୃତ କରି ରଖିଥାନ୍ତା । ମୁଁ ବାହାରେ ଭେକ ଧରିଥାନ୍ତି, ଉପରେ ମୁଖା ପିନ୍ଧିଥାନ୍ତି ଓ ଭିତରେ ସନ୍ଦେହ ଦ୍ଵାରା ସିଝିକରି ମରୁଥାନ୍ତି । ମୋ’ ଲାଗି ଏଇଟା ଜୀବନ ନୁହେଁ-। ଏହା ମହତୀ ବିନଷ୍ଟି ।

 

୨୮ । ୧ । ୭୯

 

ତୁମରି ଭିତରେ ବାସ କରିବା, ତୁମରି ଲାଗି ବାସ କରିବା,-ଅର୍ଥାତ୍ ମୋ’ ଭିତରେ ଯାହା ସର୍ବୋତ୍ତମ ବାସନା, ସେହି ବାସନାଟିରେ ହିଁ ବଞ୍ଚିବା । ମୋ’ ଭିତରେ ଯାହା ସର୍ବୋତ୍ତମ ପ୍ରେରଣା, ସେହି ପ୍ରେରଣାଟି ଦ୍ଵାରା ପରିଚାଳିତ ହୋଇ ଜୀବନକୁ ବଞ୍ଚିବା ।

 

ତୁମରି ଭିତରେ ଜୀବନ ବଞ୍ଚିବା, ଅର୍ଥାତ୍ ସମଗ୍ର ଜୀବନଟି ମଧ୍ୟରେ ଆପଣାକୁ ଅଭିନ୍ନ ବୋଲି ଆବିଷ୍କାର କରିବା । ଏଇଟା ମୋ’ର ଜୀବନ ଓ ଏହି ଅନ୍ୟସବୁ ମୋ’ ଜୀବନର ବାହାରେ,-ଏପରି ଭ୍ରମରେ ଉତ୍ତେଜିତ ହୋଇ ରହିଥିବା ପର୍ଯ୍ୟନ୍ତ ମୁଁ ତୁମର ଯେଉଁ ରୂପକୁ ଆପଣା ଭିତରେ ଧରି ରଖି ପାରିଛି ବୋଲି ଏକ ଅସନ୍ତୋଷ ଅନୁଭବ କରିବାରେ ଲାଗିଥିବି, ତାହା ପ୍ରକୃତରେ ତୁମର ରୂପ ନୁହେଁ, ତାହା ମୋ’ର ଅହଂକାର; –ତୁମର ଯେଉଁ ଅଂଶଟାକୁ ମୁଁ ଆପଣାର ସମ୍ପତ୍ତି ବୋଲି ହାତରେ ଯାବୁଡ଼ି ରଖିବାକୁ ଚାହେ, ଏହା ହେଉଛି ସେଇ ବିକୃତି ।

 

ତେଣୁ, ତୁମରି ମଧ୍ୟରେ ବାସ କରିବା ଅର୍ଥାତ୍ ଏହି ସକଳ ଭୁବନ ମଧ୍ୟରେ ପରିପୂର୍ଣ୍ଣ ହୋଇ ବାସ କରିବା । ଜୀବନର ସବୁଯାକ କାନ୍ଥକୁ ଭାଙ୍ଗିଦେଇ ସର୍ବନିକେତ ହୋଇ ବାସ କରିବା-। ସେପରି ବାସ କରିବା ପ୍ରକୃତରେ ସୁଖକର କି ନୁହେଁ, ତାହା ପଚାରିବାର ଅଧିକାର ହିଁ ମୋ’ ପାଖରେ ନାହିଁ । ଆପଣାର ଧର୍ମଟିକୁ ସଂପୂର୍ଣ୍ଣ ଭାବରେ ବଞ୍ଚିବାକୁ ହେଲେ ତାହା କରିବା ବ୍ୟତୀତ ମୋ’ର ଆଉ ଅନ୍ୟ ପନ୍ଥା ନାହିଁ । ଆପଣାକୁ ଦେଖିବାକୁ ଅନ୍ୟ ପନ୍ଥା ନାହିଁ; ଜଗତକୁ ଦେଖିବାକୁ ଅନ୍ୟ ପନ୍ଥା ନାହିଁ । ଭଗବାନଙ୍କୁ ଦେଖିବାକୁ ଅର୍ଥାତ୍ ଅନୁଭବ କରିବାକୁ ମଧ୍ୟ ଅନ୍ୟ ପନ୍ଥା ନାହିଁ ।

 

୨୯ । ୧ । ୭୯

 

ତୁମେ ହିଁ ଆଲୋକର ଆଲୋକ, ତେଣୁ ତୁମେ ହିଁ ଏ ଜୀବନର ଆଲୋକ । ଆଖିରେ ସେହି ଆଲୋକଟିର ଅଧିଷ୍ଠାନ ହୋଇ ନଥିଲେ ଆମେ ସେହି ଆଖିଦ୍ଵାରା କେବେହେଲେ କିଛି ଦେଖି ପାରୁନଥାନ୍ତୁ । ଯଦି ତୁମରି ଆଲୋକକୁ ମୁଁ ଆପଣା ଆଲୋକର ଅସଲ ଉତ୍ସବରୂପେ ଅନୁଭବ କରୁଥିବି, ତେବେ ଏହି ସଂସାରରେ ମୁଁ ଯାହାକିଛି ଦେଖିବି, ତାହାକୁ କେବଳ ତୁମରି ଆଲୋକ ଦେଇ ହିଁ ଦେଖିବି । ତୁମରି ଆଲୋକ ଦେଇ ଦେଖିବାର ଅର୍ଥ ହେଉଛି ବିଶ୍ଵାସର ଅଞ୍ଜନ ଦେଇ ଦେଖିବା ବିଶ୍ଵାସ ଅର୍ଥାତ୍ ଆତ୍ମୀୟତାର ଆଖି ଦେଇ ଦେଖିବା ।

 

ତୁମେ ହିଁ ଯଥାର୍ଥ ପ୍ରେମ, ତୁମେ ହିଁ ଯଥାର୍ଥ ଆଲୋକ । ତେଣୁ, ଆପଣାର ଯାବତୀୟ ପ୍ରେମ ଭିତରେ ତା’ର ଗଭୀରତମ ଦେଶରେ ତୁମେ ହିଁ ଅବସ୍ଥିତ ରହିଛ ବୋଲି ଯଦି ମୁଁ ଅନୁଭବ କରୁଥିବି, ତେବେ ମୁଁ ନିଶ୍ଚୟ ସେହି ପ୍ରେମର ଯୋଗ୍ୟ ହେବାର ଚେଷ୍ଟା କରିବି । ଜୀବନର ଯେଉଁ ସମ୍ପର୍କ ଗୁଡ଼ିକୁ ମୁଁ ପ୍ରେମର ସମ୍ପର୍କ ବୋଲି କହୁଛି, ସେଗୁଡ଼ିକୁ ମୁଁ ଯଥାର୍ଥରେ ଯୋଗ୍ୟ ହେବାର ପ୍ରୟାସ ବୋଲି କହିବି । ଏବଂ ସେହି ପ୍ରୟାସଗୁଡ଼ିକୁ ମୁଁ ମୋ’ ଜୀବନର ଅସଲ ପ୍ରୟାସ ବୋଲି ମାନୁଥିବି ।

 

ତୁମକୁ ପ୍ରଭୁ ବୋଲି ଗ୍ରହଣ କରିନେବାପରେ ମୁଁ ପୁଣି ନିଜକୁ ମଝିରେ ରହିଥିବା ଆଉଗୋଟାଏ ପ୍ରଭୁ ଅଥବା ସେହି ପ୍ରଭୁଙ୍କର ପଣ୍ଡା ବୋଲି ମନେ କରିପାରିବି କିପରି ? ମୁଁ ଆପଣାକୁ ନିରାପଦ ସ୍ଥାନରେ ରଖି ପାରିବାଲାଗି ନାନାପ୍ରକାର ଚତୁରତା ଓ ସତର୍କତା ବା ଅବଲମ୍ବନ କରିପାରିବି କିପରି ? ଯେଉଁମାନେ ମଣିଷଙ୍କୁ ଦେଖିବାବେଳେ, ସେମାନଙ୍କ ସମ୍ପର୍କରେ ଆସିବାବେଳେ ଆଗ ସତର୍କ ଓ ଚତୁର ହେବାଲାଗି ମନ ବଳାନ୍ତି, ସେମାନେ ତୁମକୁ ପ୍ରକୃତରେ ଗ୍ରହଣ କରି ନେଇଛନ୍ତି ବୋଲି ମୁଁ ସ୍ଵୀକାର କରିନେବି କିପରି ?

 

୩୦ । ୧ । ୭୯

 

ସବୁରି ମଧ୍ୟରେ ସକଳ ସତ୍ତାରେ ପ୍ରତ୍ୟେକ ମୁହୂର୍ତ୍ତରେ କେବଳ ତାଙ୍କରି ଚେତନାକୁ ଅନୁଭବ କରିବା,-ତାହାହିଁ ତାଙ୍କର ପ୍ରେମମୟତାର ପରିଚୟ ଲାଭ କରିବା ।

 

ସବୁଠାରେ ତାଙ୍କରି ଚେତନାକୁ ଅନୁଭବ କରିବା ହେଉଛି ନିଜକୁ ସମସ୍ତଙ୍କ ଭିତରକୁ ସଂପ୍ରସାରିତ କରିଦେବା, ସବୁରି ଭିତରେ ଏପରି ଏକ ଆତ୍ମୀୟତାର ଠାବ କରିବା ଯାହାକି କୌଣସି ପ୍ରକାରେ କୃପଣ ହେବନାହିଁ, କୌଣସି ପ୍ରକାରେ ଆପଣାକୁ କିଳି ରଖିବନାହିଁ, କୌଣସି ଅବିଶ୍ଵାସକୁ ପ୍ରାୟ ଏକ ତତ୍ତ୍ଵରେ ପରିଣତ କରି ତାହାରି ଦଉଡ଼ି ଗୁଡ଼ାକ ଦେଇ ଜୀବନଟାକୁ ବାନ୍ଧି ରଖିବା ଲାଗି କୌଣସି ଚେଷ୍ଟା କରିବନାହିଁ ।

 

ସେହି ପ୍ରେମମୟଙ୍କୁ ଅସଲ ଡୋରରୂପେ ବ୍ୟବହାର କରି ସବୁରି ସହିତ ଯେଉଁ ଆତ୍ମୀୟତା ଅର୍ଜନ କରାଯାଏ, ତାହାରିଦ୍ଵାରା ହିଁ ଅସଲ ବିମୋଚନଟି ସମ୍ଭବ ହୁଏ । ଆମେ ଅନେକ ସମୟରେ ଏହି ସବୁଟି ମଧ୍ୟରୁ ଆପଣାକୁ କାଟିନେଇ ଆପଣା ଲାଗି ସତେଅବା ଏକ ଅଲଗା ମୁକ୍ତିର ଅର୍ଜନ ଲାଗି ଫିକର କରିବାରେ ଲାଗିଥାଉ । ସେହି କାରଣରୁ, ଆମେ ଧର୍ମ ବୋଲି, ନୀତି ବୋଲି କେବଳ କେତେଟା ଫାଶ ଭିତରେ ହିଁ ବନ୍ଧାହୋଇ ପଡ଼ିଥାଉ । ଏହି ସମଗ୍ର ଭୁବନଟିରୁ ଅତ୍ୟନ୍ତ ନିର୍ମମ ଭାବରେ ବିଚ୍ଛିନ୍ନ ହୋଇ ରହିଥାଉ । ଏହି ଫାଶଗୁଡ଼ିକୁ କାଟିବାକୁ ହେଲେ ନିଜ ଭିତରେ ଯେଉଁ ପ୍ରେମଶକ୍ତିର ଜାଗରଣ ଘଟିଥିବା ଏକାନ୍ତ ଆବଶ୍ୟକ, ଆମେ ସେହି ଶକ୍ତିଟିଠାରୁ ନିଜକୁ ବହୁ ଦୂରରେ ନେଇ ରଖିଥାଉ, ଆମ ଆରାଧନାଗୁଡ଼ାକୁ କୃପଣ କରି ରଖିଥାଉ । ମୋ’ର ଯାବତୀୟ କୃପଣତା ମୋ’ ଭିତରେ ଯେଉଁ ପ୍ରେମମୟଙ୍କୁ ନାନା ଫାଶରେ ବାନ୍ଧି ରଖିଛି, ସିଏ ସ୍ଵୟଂ ସେହି ଫାଶକୁ କାଟି ବାହାରକୁ ବାହାରି ଆସନ୍ତୁ, ତାଙ୍କ ପାଖରେ ମୋ’ର ଏତିକି ପ୍ରାର୍ଥନା ।

 

୩୧ । ୧ । ୭୯

 

ତୁମେ ହିଁ ଉତ୍ସ, ତୁମେ ହିଁ କାରଣ । ତୁମେ ଲକ୍ଷ୍ୟ, ତୁମେ ଗନ୍ତବ୍ୟ; ତୁମେ ଅବଲମ୍ବନ ।

 

ଏଗୁଡ଼ାକ କେବଳ କଥା ନୁହେଁ । କେବଳ ପ୍ରାର୍ଥନାକାଳୀନ ମନ୍ତ୍ର ନୁହେଁ । ଜୀବନରେ ଏପରି ଏକ ପର୍ଯ୍ୟାୟ ଆସି ପହଞ୍ଚେ, ଯେତେବେଳେ ଜୀବନ ବଞ୍ଚିବାଟା ହିଁ ସତେଅବା ଏକ ପ୍ରାର୍ଥନା ପରି ମନେହୁଏ । ପ୍ରତିଦିନ ତାଙ୍କ ପାଖକୁ ଆହୁରି ଅଧିକରୁ ଅଧିକ ଅଗ୍ରସର ହୋଇ ଯାଉଥିବା ପରି ମନେହୁଏ । ଦେହ, ପ୍ରାଣ, ମନ ଏହି ଜୀବନ ବୋଲି ଯାହାକିଛି ରହିଛି, –ସବୁଗୁଡ଼ିକ ସତେଅବା ସମର୍ପିତ ହୋଇ ରହିଥିବା ପରି ହିଁ ଅନୁଭୂତ ହୁଅନ୍ତି । ସବୁଗୁଡ଼ିକ ପବିତ୍ର ହୋଇ ଉଠନ୍ତି-

 

ସେତିକିବେଳେ ନିଜ ଭିତରେ ତାଙ୍କୁ ପ୍ରକୃତରେ ଅନୁଭବ କରିହୁଏ । ନିଜର ବାହାରେ ମଧ୍ୟ କେବଳ ସେଇ ପ୍ରତ୍ୟକ୍ଷ ହୋଇ ଉଠନ୍ତି । ଭିତରର କେନ୍ଦ୍ରଟି ବାହାରର ଏହି ଯାବତୀୟ ପରିଧିକୁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଧରି ରଖିଥିବା ପରି ପ୍ରତ୍ୟକ୍ଷ ହୋଇଯାଏ । ସେତେବେଳେ ଲକ୍ଷ୍ୟକୁ ଆଉ ଖୋଜିବାକୁ ପଡ଼େନାହିଁ । ସେତେବେଳେ ଅବଲମ୍ବନଟିଏ ପାଇଁ ଆଦୌ ଖୋଜି ବୁଲିବାକୁ ପଡ଼େନାହିଁ । ପାଦ ତଳେ ପଥ ଉପରେ ଅବଲମ୍ବନ ବଳେ ବଳେ ମିଳିଯାଏ । ଆଖି ଆଗରେ ଲକ୍ଷ୍ୟ ବ୍ୟତୀତ ଆଉ କିଛିହେଲେ ଦେଖାଯାଏ ନାହିଁ । ଜୀବନର ବାଟଟା ଚିହ୍ନା ଚିହ୍ନା ଲାଗେ । ସମ୍ପର୍କ ଗୁଡ଼ାକ ଚିହ୍ନା ଚିହ୍ନା ଲାଗେ । ଆପଣା ଭିତରେ ସତେଅବା କୋଉ ବନ୍ଧୁର ଚିହ୍ନା ମିଳିଥିଲା ପରି ସେତେବେଳେ ଭିତରକୁ ଅନାଇଦେବା ମାତ୍ରକେ ସବୁଯାକ ନିର୍ଭର ଓ ସବୁଯାକ ଅବଲମ୍ବନ ମହଜୁଦ ହୋଇ ରହିଥିବା ପରି ଅନୁଭବ ହେଉଥାନ୍ତି । ସେତେବେଳେ ଯାହାକିଛି ଉଚ୍ଚାରିତ ହୁଏ, ତାହା ପ୍ରାର୍ଥନାମନ୍ତ୍ର ବ୍ୟତୀତ ଆଉ କ’ଣ ହୋଇପାରେ ?

 

୧ । ୨ । ୭୯

 

ଏହି ଜାଗରଣ କେବଳ ମୁଁ ଇଚ୍ଛା କଲେ ହିଁ ଆସିବ । ଏହି ସାଧାରଣ ଚେତନା ମତେ ଯେତେଦିନ ଯାଏ ଭଲ ଲାଗୁଥିବ, ମୁଁ ସେତେଦିନ ଯାଏ ଏହି ଚେତନାକୁ ହିଁ ମୋ’ର ଅସଲ ଚେତନା ବୋଲି ଗ୍ରହଣ କରି ପଡ଼ି ରହିଥିବି । ଏହି ଚେତନାକୁ ହିଁ ସବୁଠାରୁ ଅଧିକ ଉପଯୋଗୀ ମୋ’ର ବ୍ୟବହାରିକ ଚେତନା ବୋଲି ଗ୍ରହଣ କରୁଥିବି ଏବଂ ସେଇଠାରୁ ଦୁଇତିନିଟା ଉଚ୍ଚ ଉଚ୍ଚ ଖୁଣ୍ଟ ପୋତିଦେଇ ମୋ’ର ଅନେକ ଉପରେ ସତେଅବା ଗୋଟାଏ ମଞ୍ଚା ତିଆରି କରିଦେଇ ମୁଁ ଉପର ରାଜ୍ୟରେ ବେଳେବେଳେ ବିଚରଣ କରି ଆସୁଥିବି, ଅର୍ଥାତ୍ ଉପରଆଡ଼େ ବେଳେବେଳେ ଆଖି ବୁଲାଇ ଆଣୁଥିବି । ତାହାକୁ ହିଁ ଧର୍ମପରାୟଣତା ବୋଲି କହୁଥିବି, ପୂଜା ଓ ଆରାଧନା ବୋଲି କହୁଥିବି, ପରମାର୍ଥ ଚିନ୍ତା ବୋଲି କହୁଥିବି ।

 

ମୁଁ ପ୍ରସାରିତ ହେବାକୁ ମନକଲେ ଯାଇ ଏହି ପ୍ରସାରଣ ସମ୍ଭବ ହେବ । ସଂସାର ମୋତେ ଗନ୍ଧିଆ ଲାଗିଲେ ନୁହେଁ, ମୋ’ ନିଜରେ ଏହି ସଂକୀର୍ଣ୍ଣ ଅହଂଗତ ଜୀବନଟା ମୋତେ ଅତ୍ୟନ୍ତ ଅଯଥେଷ୍ଟ ବୋଲି ମନେ ହେଲେ ଯାଇ ମୁଁ ଏଇଠି ଥାଇ ମଧ୍ୟ ଏକ ପ୍ରସାରଣ ଇଚ୍ଛା କରିବି ଏବଂ ପ୍ରସାରିତ ହେବାଲାଗି ଆପଣାକୁ ଆବଶ୍ୟକ ଭାବରେ ଉନ୍ମୁକ୍ତ କରିଦେବା ଲାଗି ପ୍ରସ୍ତୁତ ହୋଇଯିବି । ସେହି ଦିବ୍ୟ ଉପସ୍ଥିତିକୁ ଆପଣା ଭିତରେ ଅନୁଭବ କରିବାର ଅର୍ଥ ଯାହା, ସେହି ଉପସ୍ଥିତିକୁ ଗୋଟାଏ ପ୍ରତିମାର ରୂପ ଦେଇ ତାକୁ ମୋ’ କୃପଣ ବାକ୍‌ସଟି ଭିତରେ ବନ୍ଦ କରି ରଖି ବିହ୍ଵଳ ବା ଗଦ୍‍ଗଦ୍ ଅନୁଭବ କରିବାର ଅର୍ଥ ମୋଟେ ତାହା ନୁହେଁ ।

 

ତେଣୁ, ସଂସାରର ସମସ୍ତେ ସାଧାରଣ ଚେତନାର ମୁଦଟି ଭିତରୁ ବାହାରକୁ ଆସନ୍ତୁ ବୋଲି ପ୍ରାର୍ଥନା କରିବାର ଅର୍ଥ ହେଉଛି ମୁଁ ନିଜେ ଆଗ ନିଜର ଏହି ମୁଦଟି ଭିତରୁ ବାହାରି ଆସିବାକୁ ମନ କରିବି । ମୁଁ ଖୁସୀ ହୋଇ ଏହା ମନ କରିବି । ଆପଣା ଭିତରେ ଆଉ କିଛି ଅଧିକ ପ୍ରସାରିତ ଓ ଅଧିକ ଜାଗୃତ ସମ୍ପଦର ଆବଶ୍ୟକତା ଅନୁଭବ କରିବି ବୋଲି ହିଁ ମୁଁ ତାହାକୁ ମନ କରିବି ।

 

୨ । ୨ । ୭୯

 

ତାଙ୍କରି ବିଧାନ ହେଉଛି ଆମରି ବିଧାନ । ଜୀବନର ଅସଲ ବିଧାନଟି ହେଉଛି ତାଙ୍କରି ବିଧାନ । ସେଇ ହେଉଛନ୍ତି ଜୀବନର ନିୟନ୍ତା, ଅନୁମନ୍ତା, ସବୁକିଛି ।

 

ଏଗୁଡ଼ାକ ବି କେବଳ ଭାଷାର କେଡ଼େଗୁଡ଼ାଏ ଶବ୍ଦ ନୁହେଁ । ଏସବୁ ଅନୁଭବର କଥା । ଆପଣା ସହିତ ପରିଚୟଟି ଯେତିକି ଘନିଷ୍ଟ ହୁଏ, ଆପଣାକୁ ଯେତିକି ଅହଂମୁକ୍ତ ଭାବରେ ଗ୍ରହଣ କରିବା ସମ୍ଭବ ହେଉଥାଏ, ସେତିକି ସେତିକି ଆମର ଉପଲବ୍‌ଧିଟି ମଧ୍ୟ ବଦଳି ଯିବାରେ ଲାଗିଥାଏ । ନିଜର ଅହଂଗତ ଭୟଗୁଡ଼ାକ ଦ୍ଵାରା ପ୍ରେରିତ ହେଉଥିବା ଯାଏ ଆମେ ଯେଉଁସବୁ ବିଧାନକୁ ଉପଯୋଗୀ ଏବଂ ଆବଶ୍ୟକ ବୋଲି ମାନି ନେଇଥାଉ, ନିଜ ସହିତ ଅସଲ ଘନିଷ୍ଟତା ଏବଂ ଆତ୍ମୀୟତାଟି ବଢ଼ିବା ସଙ୍ଗେ ସଙ୍ଗେ ଆମର ସେହି ବିଧାନ ଗୁଡ଼ାକ ଆମକୁ କ୍ରମେ ଭାରି ଅନୁପଯୋଗୀ ବୋଲି ପ୍ରତୀତ ହେବାକୁ ଲାଗନ୍ତି । ଏପରିକି, ସେଗୁଡ଼ାକ ବେଳେବେଳେ ଭାରି ହାସ୍ୟାସ୍ପଦ ବୋଲି ମନେ ହୋଇଥାନ୍ତି । ଆଗରୁ ଯୋଉସବୁ ବିଧାନରେ କାମ ଚଳି ଯାଉଥିଲା, ସେଗୁଡ଼ାକ ଏଣିକି ଅଯଥେଷ୍ଟ ବୋଲି ମନେ ହୁଅନ୍ତି । ସେଇ ବିଧାନଗୁଡ଼ାକ କାମୁଡ଼ି ପଡ଼ି ରହିଥିଲେ ଏଣିକି ଆଉ ମୋଟେ ବି ବାଟ ଚାଲି ହେବନାହିଁ ବୋଲି ପ୍ରତୀତ ହୋଇଥାଏ । ଏହିପରି ଭାବରେ ବିଧାନଗୁଡ଼ାକ ବଦଳିଯାଏ, କାରଣ ନିଜ ଜୀବନରେ ଗୃହୀତ ହୋଇଥିବା ପ୍ରଭୁଙ୍କର ସଂଜ୍ଞାଟା ବି ବଦଳି ଯାଇଥାଏ ।

 

ଯେତେବେଳେ ମୋ’ର ବିଧାନ ଏବଂ ବିଶ୍ଵର ବିଧାନ ମଧ୍ୟରେ ମୂଳତଃ କୌଣସି ବିଷମତା ନରହିବ, ସେତିକିବେଳେ ଯାଇ ମୁଁ ଅସଲ ପ୍ରଭୁଙ୍କୁ ହିଁ ମୋତେ ପରିଚାଳିତ କରିନେବାର ବାଟ ଛାଡ଼ିଦେଲି ବୋଲି କୁହାଯାଇ ପାରିବ । ସେତେବେଳେ ବିଧାନ ନାମରେ କୌଣସି ବାଡ଼ ଆଉ ମୋତେ ଘେରି କରି ରହି ନଥିବ । ମୋ’ ମୁକ୍ତି ବା ଅବଲମ୍ବନ ବୋଲି କୌଣସି ଭୟ ମଧ୍ୟ ମୋତେ ଗ୍ରାସ କରି ରହିନଥିବ ।

 

୩ । ୨ । ୭୯

 

ଚେତନା ସେଠି; ଚେତନା ଏଠି । ଚେତନା ଏଠୁ ସେଯାଏ ଲମ୍ବିକରି ରହିଛି, ଚେତନା ଏଠୁ ସେଯାଏ ପ୍ରସାରିତ ହୋଇ ରହିଛି । ଏଠି ଯେଉଁ ଚେତନାରେ ମୁଁ ତାଙ୍କୁ ଧରିବାକୁ ଚେଷ୍ଟା କରୁଛି; ସିଏ ସେଠୁ ସେହି ଚେତନାରେ ମୋତେ ଛୁଇଁବାକୁ, ମୋ’ ଭିତରେ ମୋ’ର ଏକ ବିରାଟ ପରିଚୟ ଦେଇ ମୋତେ ଚକିତ କରି ଦେବାଲାଗି ଏଠାକୁ ଆସୁଛନ୍ତି । ଏବଂ ସେଇଥିପାଇଁ ମୁଁ ତାଙ୍କୁ ଲୋଡ଼ୁଛି ।

 

ମୋ’ର ଚେତନା ତାଙ୍କ ଚେତନାକୁ ଲୋଡ଼ୁଛି । ଏହି ଲୋଡ଼ିବାରୁ ହିଁ ସାଧର୍ମ୍ୟର ଲୀଳା ଆରମ୍ଭ ହୋଇ ଯାଉଛି । ତେଣୁ ଏହି ଲୋଡ଼ିବା ମଧ୍ୟରେ ଧର୍ମତଃ ଏକ ପାରସ୍ପରିକତା ପ୍ରଚ୍ଛନ୍ନ ହୋଇ ରହିଛି । ଯାହା ମୋ’ରି ସହିତ ଲାଗିକରି ରହିଛି, ମୁଁ ତାହାକୁ ହିଁ ବାହାରେ ଏହି ସବୁଟିରେ, ସବୁ କାର୍ଯ୍ୟରେ ଓ ସବୁ ମୁହୂର୍ତ୍ତରେ ହିଁ ସ୍ପର୍ଶ କରିବା ଲାଗି ବ୍ୟାକୁଳ ହେଉଛି ।

 

ଚେତନା କହିଲେ ହିଁ ଶାଶ୍ଵତ ଚେତନାକୁ ବୁଝାଏ । ଯେଉଁ ତଥାକଥିତ ଚେତନା ଆପଣାର ଚାରିବାଡ଼ ଭିତରେ ଶଙ୍କିତ, ସୀମିତ ଓ ସଂକୀର୍ଣ୍ଣ ହୋଇ ରହିଥାଏ, ତାହାକୁ ମୁଁ ମୋ’ର ଏକ ଅବିଶ୍ଵାସ ବୋଲି ହିଁ କହିବି । ଏକ ମୌଳିକ ଅବିଶ୍ଵାସ ବୋଲି ହିଁ କରିବି । ଯଦି ମୁଁ ସେହି ବାଡ଼ଦିଆ ସାନ ଘରଟି ଭିତରୁ ଗୋଟାଏ ଗୁପ୍ତ ସୁଡ଼ଙ୍ଗ କାଟି ଅତି ଏକାନ୍ତରେ ମୋ’ ବାହାରେ ଥିବା କୌଣସି ଶାଶ୍ଵତ ଚେତନା ସହିତ ସମ୍ମିଳିତ ହେବାର ଧୃଷ୍ଟତା କରୁଥିବି, ତେବେ ମୋ’ର ସବୁଯାକ ଲୋଡ଼ିବା କେବଳ ଏକ ଧୃଷ୍ଟତାରେ ହିଁ ରହିଯିବ ।

 

ମୁଁ ଯାହାକୁ ଖୋଜୁଛି, ସିଏ ମୋ’ ଭିତରେ ଅଛି । ଯାହାକୁ ମୁଁ ଭିତରେ ଅତି ଆପଣାର ପରି ଅନୁଭବ କରୁଛି, ସିଏ ମୋ’ ବାହାରେ ରହିଛି । ଏହି ଉପଲବ୍‌ଧି ହେଉଛି ଚେତନା । ମୁଁ ଯେ ଯଥାର୍ଥରେ ସଚେତନ, ଏଇଥିରୁ ହିଁ ତା'ର ସଙ୍କେତ ମିଳିଯିବ ।

 

୪ । ୨ । ୭୯

 

ସଂସାର ବିଷୟରେ ସେହି ସାଧାରଣ ଦୃଷ୍ଟି, ଜୀବନ ବିଷୟରେ ସେହି ସାଧାରଣ ନିତ୍ୟନୈମିତ୍ତିକ ଦୃଷ୍ଟି, ଏଗୁଡ଼ାକ ହେଉଛି କୃପଣର ଦୃଷ୍ଟି, ଅସହାୟର ଦୃଷ୍ଟି;-ଆପଣା ଭିତରେ ସବୁଯାକ କାଞ୍ଚନ ରହିଥିଲେ ମଧ୍ୟ ଆପଣାକୁ ତଥାପି ଅକିଞ୍ଚନ ବୋଲି ଭାବୁଥିବା ଏକ ଦୃଷ୍ଟି । ଏହି ଦୃଷ୍ଟି ଆମକୁ ନିଜ ପାଖରେ ପ୍ରକୃତରେ ଭାରି ଛୋଟ କରି ରଖିଥାଏ । ଭଗବାନଙ୍କ ବିଷୟରେ ଆମେ ଯେତେବେଳେ ଏହି ସାଧାରଣ ଦୃଷ୍ଟିକୁ ଆମର ଘରସାର କରି ଧରି ରଖିଥାଉ, ସେତେବେଳେ ଆମ ଶାସ୍ତ୍ରରେ ଓ ଆମର କଥାଗୁଡ଼ାକରେ ସେ ଯେତେ ବଡ଼ ହୋଇ ରହିଥିଲେ ମଧ୍ୟ ଆମ ଜୀବନ ଭିତରେ ସେତେ ଯେପରି ଭାରି ସାଧାରଣ ହୋଇ ରହିଥାନ୍ତି । ଆମେ ତାଙ୍କ ଭିତରକୁ ବିସ୍ତାରିତ ହୋଇଯିବା ପରିବର୍ତ୍ତନ ସିଏ ସତେଅବା ଅତ୍ୟନ୍ତ ସାନ ହୋଇ, ଅତ୍ୟନ୍ତ ସଙ୍କୁଚିତ ହୋଇ ଆମରି ଏହି ସାନ ସୀମା ଓ ସାନ ପ୍ରତ୍ୟୟଗୁଡ଼ାକ ଭିତରେ କିଳି ହୋଇ ରହିଥାନ୍ତି-। ରତ୍ନର ଅଧିକାରୀ ହୋଇ ମଧ୍ୟ ସେତେବେଳେ ଆମ ପାଖରେ କୌଣସି ରତ୍ନ ନଥାଏ ।

 

ମୋ’ ଆଖିର ମାଧ୍ୟମରେ ତାଙ୍କରି ଆଖିକୁ ଅବଲମ୍ବନ ବୋଲି ସାହସ କରି ଯେତେବେଳେ ମୁଁ ଆପଣାକୁ ଓ ଜଗତକୁ ଦେଖିବାକୁ ଶିଖିବି, ସେତେବେଳେ ଯାଇ ମୋ’ର ଏହି ଅସହାୟତା କଟିଯାଇ ପାରିବ । ମୋ’ରି ଇଚ୍ଛା ଭିତରେ ମୁଁ ତାଙ୍କରି ଇଚ୍ଛାର ସ୍ପର୍ଶଟିକୁ ଯେତେବେଳେ ଅନୁଭବ କରିବାକୁ ସମର୍ଥ ହେବି, ସେତିକିବେଳେ ଯାଇ ମୋ’ର ଇଚ୍ଛା ମୋତେ ପ୍ରକୃତରେ ଗୌରବାନ୍ଵିତ କରିପାରିବ । ମୋ’ରି ଭିତରେ ତାଙ୍କୁ ହିଁ ଚିହ୍ନିନେଇ ପାରିଲେ, ମୋ’ରି ଭାଗ୍ୟ ଭିତରେ ତାଙ୍କର ଔଚ୍ଛ୍ଵଲ୍ୟଟିକୁ ଠାବ କରିପାରିଲେ ଯାଇ ମୁଁ ସକଳ କୃପଣତା ଏବଂ ସକଳ ନିତ୍ୟନୈମିତ୍ତିକତାକୁ ଅତିକ୍ରମ କରିଯାଇ ପାରିବି ।

 

୫ । ୨ । ୭୯

 

ପ୍ରେମ ଅଗ୍ନି ହୋଇ ଜଳିବ, ପ୍ରେମ ବାଟ ଦେଖାଇ ପାରିବ । ପ୍ରେମଗୁଡ଼ାକ ଯେ ଅନ୍ଧ କରିଦିଏ, ଏହି ଭ୍ରମଟି ଆପଣାଭିତରୁ ଏକାବେଳେକେ ପୋଛି ହୋଇଯିବ । ଆମେ ଅନେକେ ଆପଣାର ଜୀବନଟିକୁ ସତେଅବା କେଉଁ ଗାତଟିଏ ପରି ଅନୁଭବ କରୁଥାଉ କି କ'ଣ, ପ୍ରେମ କହିଲେ ସେହି ଗାତଟି ଭିତରେ ସାଇତି ଲୁଚାଇ ରଖିଥିବା କେତେକ କନାକତରାକୁ ହିଁ ବୁଝିବାରେ ଲାଗିଥାଉ । ଆମର ପ୍ରେମ ଆମକୁ ଅଧିକରୁ ଅଧିକ ଭୟଭୀତ ଓ ଶଙ୍କାନ୍ଵିତ କରି ରଖିଥାଏ । ଆମ ସଂସାର କହିଲେ ଆମେ ଅଧିକାଂଶତଃ ଚାରିପାଖରେ କାନ୍ଥଗୁଡ଼ାକୁ ଦେଖୁଥାଉ, ଆମର ଅବଲମ୍ବନ କହିଲେ ଖୁଣ୍ଟଗୁଡ଼ାକୁ ବୁଝୁ, ବିଶ୍ଵାସ କହିଲେ ଆମକୁ ବାନ୍ଧି ରଖିଥିବା ହୁଏତ କେତେଗୁଡ଼ାଏ ପଘାକୁ ହିଁ ବୁଝୁ ।

 

ଅସଲ ପ୍ରେମ ବଦଳାଇ ଦେବାକୁ ଆସେ । ପ୍ରେମରେ ପଡ଼ିଲେ ମଣିଷର କାନ୍ଥଗୁଡ଼ାକ ଭାଙ୍ଗି ପଡ଼େ, ଗାତଗୁଡ଼ାକୁ ଲୁଚାଇ ରଖିବାର ଯାବତୀୟ ଫନ୍ଦା ସେତେବେଳେ ଚୁଲୀ ଭିତରକୁ ଯାଏ । ବାଟ ଦେଖାଯାଏ । ଆପଣାକୁ ସମ୍ପୂର୍ଣ୍ଣ ଭାବରେ ଦେଇ ଦେବାଲାଗି ସଂସାରଟା ଯାକ ମଙ୍ଗୁଳା ହୋଇ ରହିଥିବା ଗୋଟାଏ ବେଦୀ ପରି ଦେଖାଯାଏ । ଜୀବନଟା ଫୁଲ ଫୁଟି ଉଠିଥିବା ଏକ ବଗିଚା ପରି ମନେହୁଏ । ନିଜକୁ କେଡ଼େ ବଡ଼ ବୋଲି ମନେହୁଏ । ନିଜର ଖିଅଗୁଡ଼ାକ ଯେ କୁଆଡ଼େ କେତେ ଜାଗାରେ ଲାଗିଛି, ତାହାର ଆଦୌ କୌଣସି ହିସାବ କରି ହୁଏନାହିଁ । ସେତେବେଳେ ଲୁଚି ରହିବାକୁ ମନ ହୁଏନାହିଁ, ତର୍କଣା କରିବାର କୌଣସି ଚତୁରତା ଭିତରେ ଆପଣାକୁ ବାନ୍ଧି ରଖିବାକୁ ଭାରି ଲାଜ ମାଡ଼େ ।

 

ଭଗବାନଙ୍କର ପ୍ରେମ ଆପଣାକୁ କେତେବେଳେ ହେଲେ ଲୁଚାଇ ରଖିନଥାଏ । ମୋ’ର ଏହି ଆଖିଟି ଉପରେ ସେହି ପ୍ରେମର ସ୍ପର୍ଶ ବାଜି ସାରିବାପରେ ମୁଁ ଆପଣାକୁ ଆଉ ଲୁଚାଇ ରଖିପାରିବି କିପରି ? ମୁଁ ଆଉ ଚତୁରତା ଅବଲମ୍ବନ କରିପାରିବି କିପରି ? ଯିଏ ପ୍ରକୃତରେ ପ୍ରେମରେ ପଡ଼େ, ଚତୁର ମଣିଷମାନେ ତାକୁ ବୋକା ବୋଲି କହନ୍ତି । ଚତୁର ଲୋକମାନେ ସର୍ବଦା ଭଲ ଲୋକ ହୋଇ ରହିଥାନ୍ତି । ମାତ୍ର ଆପଣାର ସକଳ ଔଜ୍ଜଲ୍ୟକୁ ସେମାନେ ତାହାରି ମଧ୍ୟରେ ହିଁ ହରାଇ ବସିଥାନ୍ତି ।

 

୬ । ୨ । ୭୯

 

ସେହି ଉପସ୍ଥିତିକୁ ଅନବରତ କରିବା, ଏହା ହେଉଛି ମୂଳତଃ ଏକ ଜାଗରଣ, ଏକ ଅନ୍ତଃଜାଗରଣ । ଅନ୍ତଃଭେଦ କରିପାରିଲେ ଯାଇ ଅନ୍ତଃ ଜାଗରଣ ସମ୍ଭବ ହୁଏ । ମୁଁ ନିଜ ଭିତରକୁ ଯେତିକି ଗଭୀରଯାଏ ଯାଇପାରିବି, ଆପଣାର ଜାଗରଣ ସହିତ ମୁଁ ସେତିକି ସହଯୋଗ କରିପାରିବି ।

 

ତୁମେ ସବୁଠାରେ ରହିଛ; ତୁମେ ମୋ’ ଭିତରେ ରହିଛ, ମୋ’ର ଯାବତୀୟ ସମ୍ପର୍କ ତଥା ଯାବତୀୟ ସ୍ଵପ୍ନରେ ମଧ୍ୟ ରହିଛ । ତେଣୁ, ମୁଁ ତୁମକୁ ଯେଉଁଠାରେ ଅନୁଭବ କରି ପାରିବି, ସେଠାରେ ମଧ୍ୟ ମୋ’ର ନାଡ଼ ଲାଗି ରହିଥିବାର ମୁଁ ସତତ ଅନୁଭବ କରି ପାରିବି । ଏହି ଭିତରୁ ବାହାରକୁ ନାଡ଼ ଲାଗିଛି, ଏହି ଗୋଟିଏ ଆଳୟରୁ ସମଗ୍ର ଆଳୟଟି ମଧ୍ୟକୁ ନାଡ଼ ଲାଗିଛି । ସେହି ନାଡ଼ଟିକୁ ଅନୁଭବ କରିବା ହିଁ ଯଥାର୍ଥରେ ତୁମର ସାନ୍ନିଧ୍ୟଟିକୁ ଓ ତୁମର ସ୍ପର୍ଶଟିକୁ ଅନୁଭବ କରିବା-। ଯେଉଁମାନେ ଏହି ସମଗ୍ରଟି ମଧ୍ୟରୁ ଆପଣାକୁ ଛିନ୍ନ କରିନେଇ ଆଉ କୋଉଠି ଅତି ଏକାନ୍ତରେ ବା ଅତି ଏକୁଟିଆ ଭାବରେ ତାଙ୍କର ଉପସ୍ଥିତିକୁ ଖୋଜିବାରେ ଲାଗିଥାନ୍ତି, ସେମାନେ କୋଉଠି ଗୋଟାଏ ଖଣ୍ଡିଆ ହୋଇ ରହିଯାନ୍ତି । ସେମାନେ ବାହାରେ ତଥା ଭିତରେ ଦୁଇଭାଗ ବା ଅନେକ ଭାଗ ହୋଇ ରହିଯାଆନ୍ତି । ତା’ପରେ ଯାହା କିଛି ଅନୁଭବ କରନ୍ତି, ସେଥିରେ ଆଡ଼ମ୍ବର ରହିଥାଏ ସତ, ମାତ୍ର ହୁଏତ ଆଦୌ କୌଣସି ଯଥାର୍ଥତା ନଥାଏ । ସେତେବେଳେ ହୁଏତ ପୃଥିବୀଯାକ ଠାକୁର ଭର୍ତ୍ତି ହୋଇ ରହିଥାନ୍ତି ସତ, ମାତ୍ର ତଥାପି ଆମ ନିଜ ସହିତ ସବୁଟିକୁ ସଂଲଗ୍ନ କରି ରଖିବାଲାଗି ଆବଶ୍ୟକ ସେତୁଟି ଉପସ୍ଥିତ ନଥାଏ ।

 

ସଂସାରର ସେତୁ ଦେଇ ମୁଁ ତୁମକୁ ଅନୁଭବ କରିବି, ସଂସାରର ସେତୁ ଦେଇ ମୁଁ ତୁମକୁ ସ୍ପର୍ଶ କରିବି । ସଂସାରର ସେତୁ ଦେଇ ହିଁ ମୁଁ ତୁମକୁ ମୋ’ ଭିତରେ ଅନୁଭବ କରିବି, ତୁମକୁ ଆପଣାର ବୋଲି ଅନୁଭବ କରିବି । ତୁମରି ଭିତରେ ଜୀବନ ବଞ୍ଚି ପାରିବି ।

 

୭ । ୨ । ୭୯

 

ଦୃଢ଼ତା ଦରକାର, ଶକ୍ତି ଦରକାର, ସାହସ ଦରକାର । ସଂସାରଟା ଗୋଟାଏ ସର୍କସ୍ ପଡ଼ିଆ ନୁହେଁ ଯେ ଏଠି ସବୁଠାରୁ ଅଧିକ ବଳୀୟାର ବୋଲି ପ୍ରମାଣିତ ହେବାଲାଗି ମୋ’ର ଏଗୁଡ଼ାକ ଦରକାର । ଏହି ସଂସାରରେ ମନ୍ଦିର ଓ ଠାକୁର ଗୁଡ଼ାକ ସବୁଠାରୁ ଅଧିକ ଶୌର୍ଯ୍ୟମୟ ଓ ସାଡ଼ମ୍ବର ଦେଖାଯିବେ ବୋଲି ଯଦି ଅଭିପ୍ରେତ ହୋଇ ରହିଥାନ୍ତା, ତେବେ ସେଥିଲାଗି ସାହସ, ଶକ୍ତି କିମ୍ବା ଦୃଢ଼ତାର ଆଦୌ କୌଣସି ଆବଶ୍ୟକତା ରହୁନଥାନ୍ତା । ଅବଶ୍ୟ ଏକଥା ସତ ଯେ, ଆମ ଭିତରୁ ଅଧିକାଂଶ ମଣିଷ ମୂଳତଃ ସେହିପରି ଗୁଡ଼ାଏ ଅପଶୌର୍ଯ୍ୟ ଏବଂ ଆଡ଼ମ୍ବର ବଢ଼ାଇବେ ବୋଲି ହିଁ ଆପଣାର ସାହସ, ଶକ୍ତି ଏବଂ ଦୃଢ଼ତାଗୁଡ଼ାକୁ ଦେଖାଇବାରେ ଲାଗିଥାନ୍ତି ।

 

ଲକ୍ଷ୍ୟ ହେଉଛି ଏହି ଜଗତକୁ ଓ ଏହି ଜୀବନକୁ ଏକ ଫୁଲବଗିଚାରେ ପରିଣତ କରାଇବା । ଏଠି ସମସ୍ତେ ଫୁଟିବେ, ପରସ୍ପରକୁ ଫୁଟିବାରେ ସାହାଯ୍ୟ କରିବେ ଓ ପରସ୍ପରର ଫୁଟି ଉଠିବାରେ ଆନନ୍ଦ ଅନୁଭବ କରିବେ; ଅନ୍ୟର ଉନ୍ମୋଚନରେ ଆପେ ବି ଉନ୍ମୋଚିତ ହୋଇ ଗଲାପରି ଅନୁଭବ କରିବେ । ମୋ’ର ଦୃଢ଼ତା ଅନ୍ୟମାନଙ୍କୁ ବି ଦୃଢ଼ କରିବ, ମୋ’ର ଶକ୍ତି ଅନ୍ୟମାନଙ୍କୁ ମଧ୍ୟ ଶକ୍ତିମନ୍ତ କରିବ, ମୋ’ର ସାହସ ମୋତେ ଅନ୍ୟ ସମସ୍ତଙ୍କ ସହିତ ରହିଥିବା ମୋ’ର ଡୋରଟିକୁ ଆହୁରି ଅଧିକ ବାସ୍ତବ ଓ ସୁଦୃଢ଼ କରିବାରେ ସାହାଯ୍ୟ କରିବେ ।

 

ମୋ’ର ଯେଉଁ ଆଳସ୍ୟଗୁଡ଼ାକ ମୋତେ ଏଠି ଆତ୍ମକେନ୍ଦ୍ରିତ କରି ରଖିଛି, ସେହି ଆଳସ୍ୟ ଗୁଡ଼ିକର ଅପସାରଣ ପାଇଁ ଯେଉଁ ସାହସ ଦରକାର, ମୁଁ ସେହି ସାହସ ଲାଗି ପ୍ରାର୍ଥନା କରୁଛି । ମୋ’ର ଏହି ଯାବତୀୟ କୁଣ୍ଠାକୁ ଭାଙ୍ଗି ଦେଇ ମୋ’ ଚାରିପାଖରେ ରହିଥିବା ଏହି ସବୁଟି ସହିତ ମୁଁ ଯୁକ୍ତ ହେବାକୁ ଚାହୁଛି । ମୋ’ର ଯାବତୀୟ ପ୍ରାର୍ଥନା ଏହି ଯୁକ୍ତ ହେବାର ପ୍ରାର୍ଥନା । ମୋ’ର ପ୍ରାର୍ଥନା ମୋ’ର ଲକ୍ଷ୍ୟପ୍ରାପ୍ତିର ସେହି ଆନ୍ତରିକ ଇଚ୍ଛାକୁ ହିଁ ସତତ ପ୍ରକାଶ କରିବା ଲାଗି ସମର୍ଥ ହେଉ ।

 

୮ । ୨ । ୭୯

 

a flame of love, –ନିଜ ଭିତରେ ଏହି ଅଗ୍ନିଶିଖାଟି ପ୍ରଜ୍ଜ୍ଵଳିତ ରହିଥିବାର ଅନୁଭବ କରିବାକୁ ଆରମ୍ଭ କଲେ ହିଁ ସମସ୍ତ ସଂସାର ବ୍ୟାପି ଠିକ୍ ସେହି flame of loveର ଅନୁଭୂତି ହେବାକୁ ଆରମ୍ଭ କରିବ । ପ୍ରେମ ସର୍ବଦା ସବୁ କ୍ଷେତ୍ରରେ ହିଁ ଏକ ଅଗ୍ନିଶିଖା ପରି କାର୍ଯ୍ୟ କରେ, ଏକ ଅଗ୍ନିଶିଖା ପରି ହିଁ ଅନୁଭୂତ ହୁଏ । ପ୍ରେମକୁ ଅନେକ ପଣ୍ଡିତ କେବଳ ବ୍ୟକ୍ତିଗତ ବୋଲି ବୁଝାଇବାକୁ ଚେଷ୍ଟା କରି ଥାଆନ୍ତି । କେବଳ ବ୍ୟକ୍ତିଗତ ଭାବରେ ହିଁ ଭଗବାନଙ୍କ ଲାଗି ନିଜର ସେହି ପ୍ରେମାକାଙ୍‌କ୍ଷାଟିକୁ ଉତ୍ତୋଳିତ କରାଯାଇ ପାରିବ ବୋଲି ସେମାନେ ଆମକୁ ପରାମର୍ଶ ଦେଇଥାନ୍ତି । ସେମାନେ ଅଧିକାଂଶ ସମୟରେ ହିଁ ଆମକୁ ବାଟବଣା ହେବାର ବାଟ ବତାଇ ଦେଇଥାନ୍ତି ।

 

ପ୍ରେମଶକ୍ତି ଉତ୍ତୋଳିତ ହେଲେ ତା’ ପରେ ଆଉ ବ୍ୟକ୍ତିଗତ ଅବ୍ୟକ୍ତିଗତ ମଧ୍ୟରେ ଆଦୌ କୌଣସି ଫରକ ରହେନାହିଁ । ତା’ ପରେ ସବୁ ଗୋଳମାଳ ହୋଇଯାଏ । ପ୍ରେମ କହିଲେ ଯେଉଁମାନେ କିଛି ତୁଚ୍ଛା ଆପଣାର କରି ଯାବୁଡ଼ି ରଖିବାକୁ ଇଚ୍ଛା କରୁଥାନ୍ତି, ଏପରିକି ଭଗବାନଙ୍କୁ ମଧ୍ୟ ତୁଚ୍ଛା ଆପଣାର କରି ଯାବୁଡ଼ି ରଖିବାକୁ ଇଚ୍ଛା କରୁଥାନ୍ତି, ସେମାନଙ୍କ କଥା ଅବଶ୍ୟ ନିଆରା । ମାତ୍ର, ପ୍ରେମ କହିଲେ ଯେଉଁଠି କେବଳ ଉନ୍ମୋଚିତ ହୋଇଯିବାକୁ ବୁଝାଏ, ଯେଉଁଠି ବନ୍ଧ ଭାଙ୍ଗେ, ପାଚେରୀ ଭାଙ୍ଗେ, ଖିଅ ଲାଗେ ଓ ଲଜ୍ଜା ଯାଏ, ସେଠାରେ ପ୍ରେମ କହିଲେ ଏହି ସବୁଟି ସହିତ ଗୁନ୍ଥା ହୋଇ ରହିବାକୁ ହିଁ ବୁଝାଏ । ଆପଣା ଭିତରେ ରହିଥିବା ଅନେକ ସୂତ୍ରକୁ ଆବିଷ୍କାର କରିବାକୁ ବୁଝାଏ । ଜୀବନର ଭୂମି ବଦଳିଯାଏ, axioms ବଦଳିଯାଏ । ଜୀବନ ଧନ୍ୟ ହୁଏ, ଆଲୋକ ପରି ବିଚ୍ଛୁରିତ ହୋଇଯାଏ, –ତା’ ପରେ ଆଉ କିଛି ମାଗିବାକୁ ନଥାଏ, କେବଳ ନିଜକୁ ଦେବାଦ୍ଵାରା ହିଁ ସବୁ ମିଳିଲା ପରି ଲାଗୁଥାଏ ।

 

୯ । ୨ । ୭୯

 

“ଜଗତେ ଆନନ୍ଦଯଜ୍ଞେ ଆମାର ନିମନ୍ତ୍ରଣ ।” ଏହି ଜଗତକୁ କେତେ ଆପଣାର ମନେ କରି ପାରିଲେ ଯାଇ ଜଗତ ଆନନ୍ଦମୟ ମନେ ହୋଇ ପାରିବ । ଏହି ମଣିଷକୁ କେତେ ଆପଣାର ମନେ କଲେ ଯାଇ ମଣିଷର ଜୀବନଗୋଟାକ ଆନନ୍ଦମୟ ବୋଲି ଅନୁଭୂତ ହୋଇ ପାରିବ । ଭଗବାନଙ୍କୁ କେତେ ଆପଣାର ମନେ କରି ପାରିଲେ ଯାଇ ଭଗବାନଙ୍କୁ ମୂଳତଃ ଆନନ୍ଦମୟ ରୂପେ ପ୍ରତ୍ୟକ୍ଷ କରାଯାଇ ପାରିବ । ସେହିପରି ଏକ ଜୀବନ, ସେହିପରି ଏକ ମଣିଷ ଓ ସେହିପରି ଏକ ଭଗବାନଙ୍କ ସହିତ ଖିଅ ଯୋଡ଼ି ସତେ ଜୀବନ ବଞ୍ଚିବାକୁ ହିଁ ଆନନ୍ଦ ମଧ୍ୟରେ ବିଚରଣ କରିବା ବୋଲି କୁହାଯିବ ।

 

ଏଠି ଅସ୍ପଷ୍ଟତା ଅଛି, ଦୁଃଖ ଅଛି, ଯନ୍ତ୍ରଣା ଅଛି, ଅନ୍ଧାର କରି ଏଠି କେତେ ଅଜ୍ଞାନ ଘୋଟି ରହିଛି । ବାହାରେ ରହିଛି, ଭିତରେ ରହିଛି । ତଥାପି ଏହି ଜଗତକୁ ଆପଣାର ବୋଲି ଅନୁଭବ କରିବାକୁ ହେବ । ଆପଣାର କରିପାରିଲେ ଯାଇ ଯଥାର୍ଥ ସୁଦ୍ଧୀକରଣ ସମ୍ଭବ ହୋଇ ହୋଇ ପାରିବ । ନହେଲେ, କେବଳ ନାନା ବାଧ୍ୟତା ମଧ୍ୟରେ ହିଁ ଆପଣାକୁ ହନ୍ତସନ୍ତ କରି ରଖିବା ସାର ହେବ । ସକଳ ଭାଗ୍ୟର ଅଧିକାରୀ ହୋଇ ରହିଥିଲେ ମଧ୍ୟ ନିଜକୁ ଅତ୍ୟନ୍ତ ଭାଗ୍ୟହୀନ ବୋଲି ମନେ ହେଉଥିବ । ଭଗବାନ ହେଉଛନ୍ତି ଶ୍ରଦ୍ଧାର ଆକାର; ତାଙ୍କର ଏହି ଜଗତ ହେଉଛି ମର୍ମତଃ ଓ ବାସ୍ତବତଃ ଶ୍ରଦ୍ଧାର ଏକ ଆଳୟ । ମୁଁ ଏହି ଶ୍ରଦ୍ଧାକୁ ନେଇ ଜୀବନ ବଞ୍ଚିବି । ଜୀବନରେ ଯାହାକିଛି ପାଇବି, ତାକୁ ଶ୍ରଦ୍ଧାରେ ରୂପାନ୍ତରିତ କରି ରଖିବାକୁ ପ୍ରୟାସ କରୁଥିବି, ଏକ ଗଭୀର ବିଶ୍ଵାସର ସହିତ ମୁଁ ସେହି ପ୍ରୟାସ ସତତ କରୁଥିବି ।

 

୧୦ । ୨ । ୭୯

 

ସେଦିନ ପରି ଆଜି ଦିନଟି ମଧ୍ୟ ମହନୀୟ । ସେହି ମୁହୂର୍ତ୍ତଟି ପରି ଆଜିର ଏହି ମୁହୂର୍ତ୍ତଟି ମଧ୍ୟ ମହନୀୟ । ଫଳପ୍ରାପ୍ତି ପରି ଏହି ପ୍ରୟାସଗୁଡ଼ିକ ମଧ୍ୟ ମହନୀୟ । ଲକ୍ଷ୍ୟଟି ପରି ଲକ୍ଷ୍ୟର ସମୀପବର୍ତ୍ତୀ କରି ନେଉଥିବା ଏହି ପଥଟି ମଧ୍ୟ ମହନୀୟ । ମୋ’ର ସକଳ ଆକାଙ୍‌କ୍ଷା ସବୁକିଛିର ସାଧନ ମଧ୍ୟଦେଇ ଯାହାଲାଗି ସଚଳ ହୋଇ ରହିଛି, ତାହାରି ପରି ମୋ’ର ଏହି ଆକାଙ୍‌କ୍ଷା ମଧ୍ୟ ମହନୀୟ । ସେହି ଦିନଟି ମୋ’ର ଅଭୀପ୍‌ସାରୂପେ ପ୍ରତିଷ୍ଠିତ ହୋଇ ରହିଲାଣି, ସେହି ଦିନଟି ମୋ’ର ହୃଦୟ ମଧ୍ୟରେ ଅସଲ ରଙ୍ଗରୂପେ ପ୍ରତିଷ୍ଠିତ ହୋଇ ମୋତେ ରଙ୍ଗାଇ ନେବାରେ ଲାଗିଛି । ତେଣୁ, ଆଜିର ଏହି ଦିନଟି ମଧ୍ୟ ଆଦୌ କମ୍ ମହନୀୟ ନୁହେଁ । ଏହି ମଣିଷ ଦିନେ ଯାହା ହେବ, ତାହାର ପରିପ୍ରେକ୍ଷୀରେ ଏହି ଆଜିର ମଣିଷ ମଧ୍ୟ ମହନୀୟ । ଏହି ଜଗତ ଓ ଏହି ଜୀବନ ଦିନେ ଯାହା ହେବ, ତାହାରି ପରିପ୍ରେକ୍ଷୀ ଓ ତାହାରି ପ୍ରେରଣାରେ ଏହି ଜଗତ ଓ ଏହି ଜୀବନ ମହନୀୟ । ଆଜିର ଏହି ପବନ, ଏହି ଆଲୋକ ଓ ମୋ’ର ସମଗ୍ର ଭିତରଟାକୁ ଏପରି ଅହେତୁକ ଭାବରେ ଉଶ୍ଵାସ କରି ରଖିଥିବା ଏହି ଆନନ୍ଦ ମଧ୍ୟ ମହନୀୟ । ଅପବିତ୍ରତା ଗଲେ ପବିତ୍ରତା ଆସେନାହିଁ । ଏହିପରି ହାଲୁକା ହୋଇ ହିଁ ମଣିଷ ପବିତ୍ର ହୁଏ । ଉନ୍ମୋଚିତ ହେଲେ ଅନ୍ଧାର ଯାଏ, ଆପଣାକୁ ଯାବତୀୟ ଥାନରେ ପ୍ରବିଷ୍ଟ କରାଇ ରଖିପାରିଲେ ଶୂନ୍ୟତାଗୁଡ଼ାକର ସନ୍ତାପରୁ ପରିତ୍ରାଣ ମିଳେ ।

 

କେବଳ ସେଦିନ ନୁହେଁ, ଆଜି ମଧ୍ୟ ମୁଁ ମୂଳତଃ ତୁମରି ପାଇଁ ବଞ୍ଚିବି । ତୁମରି ଏହି ଜଗତପାଇଁ ବଞ୍ଚିବି, ତୁମର ଏହି ଜୀବନୋତ୍ସବରେ ମୁଁ ସହଯୋଗୀ ହୋଇ ବଞ୍ଚିବି । ସହଯୋଗୀ ହୋଇ ବଞ୍ଚିବା, ତାହାହିଁ ଅସଲ ବିଶ୍ଵାସର ଏକ ଅନ୍ୟ ନାମ ।

 

୧୧ । ୨ । ୭୯

 

ଏହି ଦୁଃଖର ଘର ଭିତରେ ତାଙ୍କରି ଆଲୋକ ମର୍ମ ଭେଦ କରି ରହିଛି । ଏହି ସଂସାରର ବଗିଚାରେ ସକଳ କଣ୍ଟାକୁ ଧନ୍ୟ କରି ଫୁଲ ଫୁଟୁଛି, । ନିତି ଫୁଟୁଛି, ପ୍ରତ୍ୟେକ ମୂହୁର୍ତ୍ତରେ ଫୁଟୁଛି ।

 

ଆପଣାର ଫୁଟି ଉଠିବା, ତାହାହିଁ ତାଙ୍କ ପ୍ରତି ସର୍ବୋତ୍ତମ ପ୍ରକାରର କୃତଜ୍ଞତା ଜଣାଇବା-। ଆପଣାର ଜୀବନଟିକୁ ଯଥାସମ୍ଭବ ପରିପୂର୍ଣ୍ଣ ଭାବରେ ବଞ୍ଚିବା, ତାହାହିଁ କୃତଜ୍ଞ ହୋଇ ଜୀବନ ବଞ୍ଚିବା । ଅଫଳନ୍ତି ଗଛ ଯେତେମନ୍ତ ଆପଣାର କୃତଜ୍ଞତା ଜଣାଇବାର ଉପଚାର କରୁଥିଲେ ମଧ୍ୟ ତାହାର ଫଳ ଫଳାଇବାରେ ହିଁ ତା’ର ଅସଲ କୃତଜ୍ଞତାଟି ନିହିତ ହୋଇ ରହିଛି । ଆପଣାକୁ ଅଭିପ୍ରେତ ବୋଲି ଅନୁଭବ କରିବା, ଆପଣାକୁ ଏହି ବଗିଚାରେ ଜଣେ ଆଦେଶପ୍ରାପ୍ତ ମାଳିରୂପେ ଗ୍ରହଣ କରିବା, –ଏହି ଜୀବନ ହେଉଛି ଏକ କୃତଜ୍ଞତାମୟ ଜୀବନ । ଏବଂ, ଏହି କୃତଜ୍ଞତାମୟ ଜୀବନ ହେଉଛି ତାଙ୍କରି ସମୀପବର୍ତ୍ତୀ ହୋଇ ରହିଥିବା ଜୀବନ । ଆପଣାର କୃତଜ୍ଞତାକୁ ପ୍ରକାଶ କରି ହିଁ ମୁଁ ଆପଣା ଜୀବନର ଅସଲ ଗୌରବଟିକୁ ଅନୁଭବ କରି ପାରିବି ।

 

ଏଠି ଅନେକ ଅପୂର୍ଣ୍ଣତା, ଅନେକ ଅସୁନ୍ଦରତା ଏବଂ ଅନେକ ଅସନ୍ତୋଷ । ତଥାପି, ଏଇଠି ଥାଇ ମଧ୍ୟ ଯିଏ ସତେଅବା ଏକ ବଗିଚାରେ ଥିଲାପରି ଅନୁଭବ କରୁଛି, ଯିଏ ବାଟ ଚାଲୁଛି, ଯିଏ କେଉଁ ଅନନ୍ତ ଭଲ ପାଇବା ଭିତରେ ପଡ଼ି ଯାଇଥିବା ପରି, ଅଭିପ୍ରେତ ହୋଇ ରହିଥିବା ପରି ବାଟ ଚାଲୁଛି, ସେଇ ଯଥାର୍ଥରେ କୃତଜ୍ଞ । କୌଣସି କୋଳାହଳ ନକରୁଥିଲେ ମଧ୍ୟ ସେଇ ହେଉଛି କୃତଜ୍ଞତାର ପ୍ରତୀକ ।

 

ପ୍ରତିଦିନ ଏହି ସକାଳର ଯାବତୀୟ ପ୍ରାର୍ଥନା ଏହିପରି ଏକ କୃତଜ୍ଞତା ଜ୍ଞାପନର ପ୍ରାର୍ଥନା ହୋଇ ରହିଥାଉ । ପ୍ରତିଦିନ ସନ୍ଧ୍ୟାରେ ବି ନିଜ ବାଟଟିକୁ ଚାଲିବାର ଏକ ସମଗ୍ର ପରିମାଣ ରୂପେ ସେହି କୃତଜ୍ଞତା ହିଁ ମୋ’ର ଶରୀର ଭରି ଏହିପରି ଆପଣାକୁ ପୁଲକିତ ରଖିଥାଉ ।

 

୧୨ । ୨ । ୭୯

 

ତୁମେ ମୋ’ର ଜୀବନକୁ ପରିପୂର୍ଣ୍ଣ କରି ରଖିଛ, ତୁମେ ମୋ’ର ଜୀବନକୁ ମୁକ୍ତଦ୍ଵାର କରି ରଖିଛ । ମୋ’ରି ଅନ୍ତରତମ ଗଭୀର ମଧ୍ୟରେ ତୁମରି ଆଶୀର୍ବାଦ, ତୁମରି ଅଭିପ୍ରାୟ ଏବଂ ତୁମରି କେତେ କେତେ ସ୍ଵପ୍ନ ଯେ ଭରି ରହିଛି, ତୁମେ ମୋତେ ସେହି କଥାର ଅନୁଭବ ଆଣି ଦେଇଛ । ତୁମକୁ ଅନ୍ତରସ୍ଥ ଅର୍ଥାତ୍ ଅନ୍ତରଙ୍ଗ ବୋଲି ଆବିଷ୍କାର କରି ମୁଁ ନିଜକୁ ନିଜର ସଖା ବୋଲି ପାଇଛି ।

 

ଆପଣାର ଇଚ୍ଛାଟିକୁ ମୁଁ ତୁମରି ଇଚ୍ଛାଟି ସହିତ ଖିଅ ଲଗାଇ ରଖିଛି । ସେଥିଲାଗି ଆପଣାର ଇଚ୍ଛାଟିକୁ ମୋତେ କୌଣସି ପ୍ରକାରେ ମାରିଦେବାକୁ ପଡ଼ିନାହିଁ । ତୁମର ଇଚ୍ଛା କହିଲେ ମୂଳତଃ ଯେ ଆପଣା ଇଚ୍ଛାର ଏକ ଶ୍ରଦ୍ଧାଯୁକ୍ତ ସ୍ଵେଚ୍ଛାକୃତ ସମର୍ପଣକୁ ହିଁ ବୁଝାଏ, ସେକଥା ମୁଁ ଦିନକୁ ଦିନ ଅଧିକରୁ ଅଧିକ ପରିମାଣରେ ହୃଦୟଙ୍ଗମ କରିବାକୁ ସମର୍ଥ ହୋଇଛି ।

 

ଆପଣା ଭିତରେ ଶ୍ରଦ୍ଧା ବୋଲି ଏକ ରତ୍ନ ରହିଛି ବୋଲି ମୁଁ ଯେଉଁଦିନୁଁ ଅନୁଭବ କଲିଣି, ସେଦିନୁଁ ମୋ’ ଶ୍ରଦ୍ଧା ଓ ତୁମ ଶ୍ରଦ୍ଧା ମଧ୍ୟରେ କଳ୍ପିତ ଯାବତୀୟ ଦ୍ଵନ୍ଦକୁ ମୁଁ କେଡ଼େ ସ୍ଵାଭାବିକ ଭାବରେ ଅତିକ୍ରମ କରି ଆସିଛି । ମୋ’ରି ଶ୍ରଦ୍ଧା ମଧ୍ୟରେ ହିଁ ତୁମ ବିଶ୍ଵମୟ ଶ୍ରଦ୍ଧାର ସ୍ପର୍ଶଲାଭ କରିଛି । ନିଜର ଘରଟିକୁ ସତେଅବା ଗୋଟିଏ ମନ୍ଦିର ପରି, ତୁମରି ମନ୍ଦିର ପରି ଅନୁଭବ କରିଛି । ମାୟା କଟିଯାଇଛି, ଦୂରତା କଟିଯାଉଛି । ତତ୍ତ୍ଵଗୁଡ଼ାକର ଜଟିଳତା କଟିଯାଇଛି । ନିଜର ଦୁଆର ମଧ୍ୟଦେଇ ମୋ’ ଭିତରଟାକୁ ତୁମେ ପରିପୂର୍ଣ୍ଣ କରି ରଖିଥିବା ପରି ଅନୁଭବ କରିଛି ।

 

୧୩ । ୨ । ୭୯

 

this separate, –ଯେତେବେଳେ ଏହି “ମୁଁ” ଟାକୁ ଗୋଟାଏ ରାଜଧିରାଜ ଏକାନ୍ତ ଦ୍ଵୀପ କରି ରଖିବାର ମନ ବଳେ, ସେତେବେଳେ ସଂସାର ଗୋଟାକୁ ଆପଣାର କ୍ଷୁଦ୍ର ଗାଡ଼ଟି ଭିତରେ ଭରି କରି ରଖିବା ଲାଗି ଭାରି ସରାଗ ଲାଗେ; ସେତେବେଳେ ତୁମକୁ ମଧ୍ୟ ବାନ୍ଧିଆଣି ସେହି ଗାଡ଼ଟି ଭିତରେ ଭର୍ତ୍ତି କରି ରଖିବାକୁ ଇଚ୍ଛା ହୁଏ, ତୁମକୁ ଗୋଟାସୁଦ୍ଧା ନିଜର ସମ୍ପତ୍ତି କରି ରଖିବାକୁ ମନ ହୁଏ । ସାରା ସଂସାରଟା ଯେପରି କେବଳ ମୋ’ରି ପାଇଁ ଚଳୁଛି, ସେହିପରି ଭାବିବାଟା ସ୍ଵଭାବଗତ ହୋଇଯାଏ ।

 

ମୋ’ର ପ୍ରାର୍ଥନା, ମୋ’ର କ୍ରନ୍ଦନ, ମୋ’ର ଜଣାଣ, –ସେତେବେଳେ ସବୁକିଛି ମୋ’ରି ପାଇଁ ହୁଏ । ସେଥିରୁ ମୋତେ ହିଁ ଏକପ୍ରକାର ଅହଙ୍କାର ଓ ଆନନ୍ଦ ମିଳୁଥାଏ । ଆକାଶ ଭିତରେ ମୁଁ ଆଉ କାହାରିକୁ ହେଲେ ଦେଖି ପାରେନାହିଁ । ଅନେକ ସମୟରେ ନିଜର ଥାନ ଖୋଜିବାକୁ ଯାଇ ସତେଅବା ଆକାଶଟା ବି ମୋ’ ଭିତରେ କେଡ଼େ କ୍ଷୁଦ୍ର ହୋଇ ଲୁଚି ଗଲାପରି ଲାଗୁଥାଏ । ସବୁ ଆଡ଼ମ୍ବର ଓ କୋଳାହଳ ସତ୍ତ୍ୱେ ସେତେବେଳେ ଭାରି କ୍ଷୁଦ୍ର ହୋଇ ରହିବାକୁ ପଡ଼େ ।

 

ତାହାହିଁ ଭ୍ରମ, ତାହାହିଁ ବିନାଶର ହେତୁ, ତାହା ହିଁ ବାଧା । ଖାଲି ମୋ’ ନିଜଲାଗି ନୁହେଁ, ସମଗ୍ର ସଂସାର ଲାଗି ଏକ ବାଧା, ଭଗବାନଙ୍କର ଅଭିପ୍ରାୟଟି କାର୍ଯ୍ୟକାରୀ ହେବାରେ ହିଁ ଏକ ପ୍ରବଳ ବାଧା । ମୋ’ର ସକଳ ଭକ୍ତି ଓ ପ୍ରଦର୍ଶନ ଓ ସକଳ ତତ୍ପରତାଗୁଡ଼ାକ ଜଗତରେ ବାଧାଗୁଡ଼ାକୁ ବଢ଼ାଇବାରେ ହିଁ ଯଦି ସହାୟତା କରୁଥାଏ, ତେବେ ଆଖର ମୋତେ ହିଁ ମୋ’ ସବୁକିଛିର ସର୍ବପ୍ରଧାନ ବାଧା ବୋଲି କୁହାଯାଇ ପାରିବ ।

 

୧୪ । ୨ । ୭୯

 

ତୁମେ ମୋତେ ଯାହା ହେବାକୁ ଇଚ୍ଛା କରୁଛ, ମୁଁ ତାହାହିଁ ହେବି । ଅର୍ଥାତ୍, ତୁମେ ମୋ’ ଭିତରେ ରହି ମୋତେ ଯେଉଁ ସବୁ ସୋପାନ ଦେଇ ପରିଚାଳିତ କରିନେବାକୁ ଇଚ୍ଛା କରୁଛ, ମୁଁ ତାହାରି ସହିତ ସହଯୋଗ କରିବି । ତୁମର ସେହି ଇଚ୍ଛା ବ୍ୟତୀତ ମୋ’ର ସ୍ଵତନ୍ତ୍ର ଭାବରେ ବ୍ୟକ୍ତିଗତ ଆଉ କୌଣସି ଇଚ୍ଛା କେବେହେଲେ ରହିବନାହିଁ ।

 

ତୁମ ଇଚ୍ଛା ଓ ମୋ’ର ଇଚ୍ଛା, –ଏହା ଭିତରେ ଦ୍ଵନ୍ଦ ରହିଥିବା ପର୍ଯ୍ୟନ୍ତ ମୋ’ର ଯାବତୀୟ ଉଦ୍ୟମ ମୋତେ କେବଳ ଏକ କଷ୍ଟକୃତ ଶ୍ରମପରି ଅନୁଭୂତ ହେଉଥିବ । ସଂସାର ଏକ ଶ୍ରମକ୍ଷେତ୍ର ବୋଲି ମନେ ହେଉଥିବ । ଏକ କାଳ୍ପନିକ ପ୍ରତିଦ୍ୱନ୍ଦିତାରେ ହାରିଯିବାର ଭୟ ବି ସବୁବେଳେ ଅସଲ ପଥିକଟିକୁ ଆଶଙ୍କିତ କରି ରଖିଥିବ । ତୁମର ଇଚ୍ଛା ସହିତ ମୋ’ରି ଇଚ୍ଛାର ଯେତିକି ସହଯୋଗ ସମ୍ଭବ ହେଉଥିବ, ଜୀବନଟା ଠିକ୍ ସେତିକି ଅଧିକ ଭଲ ଲାଗୁଥିବ । ଆପଣାର ଭିତର ଓ ବାହାର ଉଭୟ ଭଲ ଲାଗୁଥିବ ।

 

ଭିତରେ ମୋ’ର ସାନ ବଡ଼ ସକଳ କାର୍ଯ୍ୟରେ ଓ ସକଳ ଆକାଙ୍‌କ୍ଷାରେ ତୁମକୁ ହିଁ ଅନୁଭବ କରୁଥିଲେ ମୋ’ର ଇଚ୍ଛା ଏବଂ ତୁମର ଇଚ୍ଛା ମଧ୍ୟରେ ହୁଏତ ଆଉ କୌଣସି ଦ୍ଵନ୍ଦ ରହିବନାହିଁ । ଏହି ଜଗତର ସକଳ ମଣିଷକୁ ମୋ’ର ସହଯାତ୍ରୀ ପଥଚାରୀ ବୋଲି ଗ୍ରହଣ କରିନେଇ ପାରୁଥିବା ପର୍ଯ୍ୟନ୍ତ ଆପଣାର ଇଚ୍ଛାଟାକୁ ନେଇ ମୁଁ କେବେହେଲେ ନିରଙ୍କୁଶ ଭାବରେ ଭିନ୍ନ ହୋଇ ବାଟ ଚାଲିବାଲାଗି ମଧ୍ୟ କେତେକେତେ କୌଣସି ଆଗ୍ରହ ପ୍ରକାଶ କରିବିନାହିଁ ।

 

୧୫ । ୨ । ୭୯

 

ଏହି ଜଗତରେ ତୁମରି କାର୍ଯ୍ୟ ଲାଗିଛି । ସବୁରି ଭିତରେ ରହି ତୁମେ ଆପଣାର କାର୍ଯ୍ୟଟିକୁ ସମ୍ପନ୍ନ କରିବାରେ ଲାଗିଛ । ନିଜର ଦ୍ଵାରଟିକୁ ଉନ୍ମୋଚିତ କରି ରଖି ପାରିଥିଲେ ହିଁ ଆମେ ତାହାକୁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଅନୁଭବ କରି ପାରିବା ।

 

ଏହି ଅନୁଭବରୁ ଆମେ ଅନେକ କ୍ଷେତ୍ରରେ ଆପଣାକୁ ବଞ୍ଚିତ କରି ରଖିଥାଉ । କାରଣ ତାଙ୍କର ଜଗତକୁ ଆମେ ଅନେକ ସମୟରେ ତୁମରି ଜଗତ ବୋଲି ଅନୁଭବ କରିବାର ଅନ୍ତଃଶ୍ରଦ୍ଧାଟିକୁ ହରାଇ ବସିଥାଉ । ନିଜ ସହିତ ଲାଗିଥିବା ଅସଲ ଖିଅଟିକୁ ହରାଇ ବସି ଆମେ ପ୍ରାୟ ନିର୍ମମ ଭାବରେ ନିଜ ବୁଦ୍ଧିରେ, ନିଜ ଚତୁରତାରେ ଓ ନିଜ ସତର୍କତାରେ ଜଗତକୁ ଆପଣା–ଅନୁକୂଳ କରି ରଖିବାର ଫାନ୍ଦ ଭିତରେ ପଡ଼ି ଯାଇଥାଉ । ଆପଣା ଫାନ୍ଦରେ ଆପେ ଗୁଡ଼ାଇ ହୋଇ ତଥାପି ତୁମକୁ ଡାକୁ, ତୁମେ ଆସି ଏଠି ଆମରି ସମ୍ପତ୍ତି ହୋଇ ରହିବ ବୋଲି ତୁମକୁ ପ୍ରଲୁବ୍ଧ କରିବାରେ ଲାଗିଥାଉ । ତଦ୍ଦ୍ଵାରା ଗୁଡ଼ାଏ ଆଡ଼ମ୍ବର ହୁଏ, ଗୁଡ଼ାଏ କପଟାଚାର ହୁଏ, କିନ୍ତୁ ତଥାପି ସବୁଯାକ ଖିଅ ଛିଡ଼ିକରି ହିଁ ରହିଥାଏ ।

 

ଏଠି ସବୁ ଭଲ, କାରଣ ଇଏ ହେଉଛି ତୁମରି ଜଗତ, ଏହା ସବୁରି ଜଗତ । ସବୁଟିକୁ ନେଇ ଏହି ଜଗତ । ଏହା କେବଳ ମୋ’ରି ଜଗତ ନୁହେଁ; ତୁମକୁ ଆପଣାର ବୋଲି ପାଇବା, –ତାହାର ଅର୍ଥ ହେଉଛି ଆପଣାକୁ ସବୁରି ଭିତରେ ପାଇବା । ଏସବୁ ତୁମରି କାମ ବୋଲି ଅନୁଭବ କରିବା, ଅର୍ଥାତ୍ ସମସ୍ତଙ୍କର କାମରୂପେ ଓ ତେଣୁ ଆପଣାର କାମରୂପେ ଗ୍ରହଣ କରିବା । ତୁମରି ବୋଲି କହି ପାରିଲେ ନିଜର ଆଉ କୌଣସି ଜାତି ରହେନାହିଁ, କୌଣସି ଅଲଗା ବାଡ଼ ରହେନାହିଁ-

 

୧୬ । ୨ । ୭୯

 

ସମ୍ପୂର୍ଣ୍ଣ ଭାବେ ଲୀନ ହୋଇଗଲେ ହିଁ ଯଥାର୍ଥ ଭାବରେ ପରିପୂର୍ଣ୍ଣ ହେବା ସମ୍ଭବ ହୁଏ । ଯଥାର୍ଥ ଭାବରେ ସଂଯୁକ୍ତ ହୋଇ ପାରିଲେ ହିଁ ଆପଣାର ଏହି ବିଚ୍ଛିନ୍ନତା ଗୁଡ଼ାକ ଅନ୍ତର୍ହିତ ହୋଇଯାଏ । ସଂପ୍ରଦାୟର ବିଚ୍ଛିନ୍ନତା, ଭେକର ବିଚ୍ଛିନ୍ନତା, ପଥଗତ ଯାବତୀୟ ବିଚ୍ଛିନ୍ନତା ସବୁ ଦୂର ହୋଇଯାଏ । ନିଜକୁ ଯାହାକିଛି ଏହି ସମଗ୍ର ଉତ୍ସବଟିକୁ ବିଚ୍ଛିନ୍ନ କରି ରଖିଥିଲା, ପାଚେରୀଗୁଡ଼ାକୁ ହିଁ ସୁରକ୍ଷା ବୋଲି ଭ୍ରମ କରି ଯାହାକିଛି ତ୍ରସ୍ତ ଓ ଆତୁର କରି ରଖିଥିଲା, ସେଗୁଡ଼ାକ ଅନ୍ତର୍ହିତ ହୋଇଯାଏ । ଆପଣାକୁ ଫେରି ପାଇବାକୁ ସମ୍ଭବ ହୁଏ ।

 

ଅନେକ ସଂସାରକୁ ହରାଇ ସଂସାରର କର୍ତ୍ତା ଭଗବାନଙ୍କୁ ପାଇବେ ବୋଲି ବାହାରିଥାନ୍ତି–ଏହି ଖିଅଗୁଡ଼ାକୁ କାଟିଦେଇ ନିଜର ଏକ ଖିଅରେ ତାଙ୍କୁ ଗୋଟାସୁଦ୍ଧା ଆପଣାର ସମ୍ପତ୍ତିରେ ପରିଣତ କରି ତାଙ୍କରି ସଙ୍ଗଲାଭର ଲାଳସା ରଖିଥାନ୍ତି । ସେସବୁ ବାଟ ମୋ’ର ନୁହେଁ, ସେସବୁ ବାଟ ସେହି ବାଟ ଭିତରେ ହିଁ ଭାରି କପଟପୂର୍ଣ୍ଣ ଓ ମୋହାଚ୍ଛନ୍ନ ଭାବରେ ଛନ୍ଦିକରି ରଖିଦିଏ-। ସେ ବାଟ ମୋ’ର ନୁହେଁ ।

 

ଭଗବାନଙ୍କ ଲାଗି ମୋ’ର ବାଟଟି ସଂସାର ମଧ୍ୟଦେଇ ପଡ଼ିଛି । ଭଗବାନଙ୍କୁ ଆବିଷ୍କାର କରି ମୁଁ ସଂସାର ସହିତ ଅଧିକରୁ ଅଧିକ ଯଥାର୍ଥ ଭାବରେ ଯୁକ୍ତ ହୋଇ ରହିବାର ରହସ୍ୟଟିକୁ ଅନୁଭବ କରି ଶିଖିଛି । ମୋ’ ଭିତରେ ଯେତେବେଳେ ସମସ୍ତଙ୍କ ସକାଶେ ସ୍ଥାନ ହୋଇ ପାରିଛି, ମୁଁ ସେତିକିବେଳେ ହିଁ ଗୋଟାସୁଦ୍ଧା ଲୀନ ହୋଇ ଯାଇଥିଲା ପରି ଅନୁଭବ କରିଛି । ସଂସାରକୁ ଶତ୍ରୁତୂଲ୍ୟ ମଣି ମୁଁ କେବେହେଲେ ସଂସାରକର୍ତ୍ତାଙ୍କୁ ଲୋଡ଼ିନାହିଁ । ଏହି ସଂସାରରେ ତାଙ୍କୁ ସବୁରି ଭିତରେ ସଚଳ ଓ ସତୃଷ୍ଣ ହୋଇ ରହିଥିବାର ଆବିଷ୍କାର କରି ହିଁ ମୁଁ ଆପଣାକୁ ଅଧିକ ଅନ୍ତରଙ୍ଗ ଭାବରେ ଆବିଷ୍କାର କରିଛି । ସଂସାରକୁ ସଖାରୂପେ ଗ୍ରହଣ କରି ତାଙ୍କୁ ମୁଁ ସଖା କରି ପାଇଛି ।

 

୧୭ । ୨ । ୭୯

 

ତୁମ ଆଉ ମୋ’ ଭିତରେ ଯାହା ରହିଛି, ତାହା ହେଉଛି ଏକ ଅଭୀପ୍‌ସା ଓ ଏକ ଶ୍ରଦ୍ଧା । ଏପାଖରୁ ଅନ୍ତରଭରା ଶ୍ରଦ୍ଧା ଅଭୀପ୍‌ସାରୂପେ ସେଠି ଚରଣସ୍ପର୍ଶ କରିବାକୁ ଧାଇଁଛି ଓ ଚରଣସ୍ପର୍ଶ କରିସାରି ମୋ’ ଆଖିରେ ବିଶ୍ଵରୂପେ ପ୍ରତିଭାତ ହୋଇ ଉଠୁଛି । ଏବଂ, ସେପାଖର ସେହି ଶ୍ରଦ୍ଧାଟି କରୁଣାରୂପେ, ଆଶୀର୍ବାଦ ରୂପେ ଅଜାଡ଼ି ହୋଇପଡ଼ି ମୋ’ର ଯାବତୀୟ ବିଚ୍ଛିନ୍ନତାକୁ କୁଆଡ଼େ ବିଲୁପ୍ତ କରି ଉଡ଼ାଇ ନେଇଯାଉଛି ।

 

ଏହାକୁ ଏକ ଆବିଷ୍କାର ବୋଲି କୁହାଯାଇଛି, –ଏକ ଆତ୍ମଆବିଷ୍କାର ବୋଲି କୁହାଯାଇଛି, ବିଶ୍ଵଆବିଷ୍କାର ବୋଲି କୁହାଯାଇଛି । ଯେତେବେଳେ ମୋ’ ନିଜ ଭିତରେ ମୁଁ ତୁମ ବ୍ୟତୀତ ଆଉ କିଛି ରହିନାହିଁ ବୋଲି ଅନୁଭବ କରେ, ସେତେବେଳେ ସମଗ୍ର ଜଗତ ମଧ୍ୟ ମୋତେ ସମ୍ଭାରି ଧରିଥିବା ପରି ମନେହୁଏ । ବିଶ୍ଵ ମଧ୍ୟରୁ ପଳାଇ ଯାଇ, ବିଶ୍ଵକୁ ମାୟା ମଣି ଯେଉଁମାନେ ଏଠୁ ବିରକ୍ତ ହୋଇ ତୁମ ସହିତ ଖିଅ ଲଗାଇ ଥାଆନ୍ତି ବୋଲି କହୁଥାନ୍ତି ସେମାନେ ବଡ଼ ନିର୍ମମଭାବେ ପ୍ରଧାନତଃ ଆର୍ତ୍ତ ହୋଇ ରହିଥାନ୍ତି । ଆର୍ତ୍ତ ବ୍ୟକ୍ତି ମଧ୍ୟରେ ଆତୁରତା ଭର୍ତ୍ତି ହୋଇ ରହିଥାଏ, ତେଣୁ ଶ୍ରଦ୍ଧା ଲାଗି ସାହସ ନଥାଏ । ଆତୁର ବ୍ୟକ୍ତି ଏତେଟିକିଏ ସୁଯୋଗ ପାଇବା ମାତ୍ରକେ ଆପଣାକୁ ଅବିଶ୍ଵାସର ନାନା ଖାଲ ଭିତରେ ନେଇ ପକାଇଦିଏ । ସେହି ଖାଲଗୁଡ଼ାକୁ ସେ ତା’ ଜୀବନର ନିରାପତ୍ତା ବୋଲି କହେ । ସେ ବାଟ ମୋ’ର ନୁହେଁ ।

 

ଯେତେବେଳେ ମୁଁ ନିଜକୁ ତୁମେ ବୋଲି ଅନୁଭବ କରେ, ସେତେବେଳେ ସମସ୍ତଙ୍କୁ ମଧ୍ୟ ତୁମେ ବୋଲି ଅନୁଭବ କରିବାର ଏକ ଅତିସହଜ ପ୍ରେରଣା ପାଇଥାଏ । ସେତେବେଳେ ସମସ୍ତେ ମୋ’ର ବନ୍ଧୁ ହୋଇ ଆସନ୍ତି, ସୋଦର ହୋଇ ଆସନ୍ତି । ସେତେବେଳେ ଏହି ସଂସାର ପୁରି ଉଠିଲା ପରି ଦେଖାଯାଏ । ଭାରି ସୁନ୍ଦର ଦିଶେ । ବାଟଟା ପରିଷ୍କାର ହୋଇ ଦେଖାଯାଏ ।

 

୧୮ । ୨ । ୭୯

 

ପୂର୍ଣ୍ଣ ଜ୍ଞାନ ଓ ତା’ ସହିତ ଆପଣାର ସମ୍ମିଳନ । ଆଗ ପୂର୍ଣ୍ଣ ଜ୍ଞାନ ହାସଲ ହେବ, ତା’ ପରେ ଯାଇ ସମ୍ମିଳନ ଘଟିବ, ସେପରି ନୁହେଁ । ଜ୍ଞାନର ବିକାଶ ସଙ୍ଗେ ସଙ୍ଗେ ସମ୍ମିଳନଟି ମଧ୍ୟ ସଂଘଟିତ ହେବାରେ ଲାଗିଥିବ । ଜ୍ଞାନର ସୋପାନ ଉଠି ଉଠି ଯାଉଥିବା ସଙ୍ଗେ ସଙ୍ଗେ ସମ୍ମିଳନର ଆୟତନଟି ମଧ୍ୟ ଅଧିକରୁ ଅଧିକ ବ୍ୟାପକ ଓ ଅଧିକରୁ ଅଧିକ ଗଭୀର ହେବାରେ ଲାଗିଥିବ । ଗୋଟାଏ ଅର୍ଥରେ ଦେଖିଲେ, ଜ୍ଞାନର ଅର୍ଥ ହିଁ ହେଉଛି ସମ୍ମିଳନ-ସ୍ଥାପନ, ଜ୍ଞାନ ଅର୍ଜନ କରିବାର ଅର୍ଥ ହିଁ ହେଉଛି ଯୁକ୍ତ ହେବା । ଆମେ ସବୁ ଅନେକ ସମୟରେ ଯୁକ୍ତ ହେବା ନାଆଁରେ ଗ୍ରାସ କରି ରହିଥାଉ ଅଥବା ଗ୍ରସ୍ତ ହୋଇ ରହିଥାଉ । ସଂସାର ସହିତ ଯୁକ୍ତ ହେବାକୁ ଯାଇ କେଡ଼େ ବାଗରେ ଆମେ ସଂସାରକୁ ଗ୍ରାସ କରି ରହିଥାଉ ଅଥବା ସଂସାରଦ୍ଵାରା ଗ୍ରସ୍ତ ହୋଇ ବି ରହିଥାଉ । ଏପରିକି, ଯାହାଙ୍କୁ ଆମେ ଭଗବାନ ବୋଲି କହୁ, ତାଙ୍କୁ ମଧ୍ୟ ସତେଅବା ଆପଣାର ଗୋଟାଏ ସମ୍ପତ୍ତି ପରି ଗ୍ରାସ କରି ରହିଥାଉ । ସକଳ ଜ୍ଞାନ ଆମକୁ ଏହିସବୁ ନାନା ଗ୍ରାସରୁ ଓ ଗ୍ରସ୍ତତା ଭିତରୁ ମୁକ୍ତ କରିଆଣି ପାରୁଥିବା ଉଚିତ ।

 

ଅଭୀପ୍‌ସା ହେଉଛି ଯୁକ୍ତ ହେବାର ସେହି ଅନ୍ତରଗତ ଇଚ୍ଛା । ଅଭୀପ୍‍ସା ଏକ ପ୍ରେରଣା, ଯାହାକି ଆମକୁ ଯଥାର୍ଥରେ ଯୁକ୍ତ ହୋଇ ପାରିବାଭଳି ସାହସ ଆଣିଦିଏ, ଆମକୁ ଯଥାର୍ଥ ବିଶ୍ଵାସଟିକୁ ଆଣିଦିଏ, ଆମକୁ ନିରସ୍ତ୍ର କରାଏ; –ଆମକୁ ଯଥାର୍ଥ ସଙ୍ଗକାମନା ଅର୍ଥାତ୍ ସମ୍ମିଳନଟି ସକାଶେ ଯୋଗ୍ୟ କରେ । ମୋ’ର ସକଳ ସତ୍ତାକୁ ପୂର୍ଣ୍ଣ ଓ ପ୍ରାଣବନ୍ତ କରି ଯେଉଁ ଅଭୀପ୍‍ସା ଆପଣାକୁ ମୋ’ର ଜୀବନ ମଧ୍ୟଦେଇ ଉକୁଟାଇ ଆଣୁଛି, ତାହାହିଁ ମୋତେ ଏହି ସବୁଟି ସହିତ ଯୁକ୍ତ କରି ରଖିଥାଉ । ମୋତେ ଗ୍ରାସରେ ପଡ଼ିବାରୁ ବା ଗ୍ରାସ କରିବାକୁ ବଞ୍ଚାଇ ରଖୁ ।

 

୧୯ । ୨ । ୭୯

 

ଅନ୍ଧାର ହିଁ ବାଧା । ଯେଉଁଠି ଅନ୍ଧାର, ସେହିଠାରେ ହିଁ ବାଧା । ଯେଉଁଠାରେ ଭିତରେ ଅନ୍ଧାର, ସେହିଠାରେ ହିଁ ବାଧା । ଯେଉଁଠାରେ ବାହାରେ ଅନ୍ଧାର, ବାହାରେ ମଧ୍ୟ ସେହିଠାରେ ବାଧା । ଅନ୍ଧାର ହେଉଛି ଅଜ୍ଞାନ । ଏହି ଅଜ୍ଞାନରୁ ଅନେକ ପରିମାଣ ଭାଗ ହେଉଛି ଆତ୍ମକୃତ, ଆଉଗୋଟିଏ ଭାଗ ହେଉଛି ବାହାରର ନାନା ଅପଶକ୍ତି ଗୁଡ଼ିକର କୃତ । ଏହି ଅଜ୍ଞାନକୁ ମୁଁ ଦୂର କରିବି କିପରି ? ଆଲୋକ ଲାଗି ସମ୍ମତି ଦେଇପାରିବା ଦ୍ଵାରା ହିଁ ମୁଁ ସେହି ଅଜ୍ଞାନରୂପୀ ଅନ୍ଧାରକୁ ଆଲୋକ ମଧ୍ୟରେ ମିଳାଇ ଦେଇ ପାରିବି, ସେଗୁଡ଼ିକୁ ଆଲୋକରେ ରୂପାନ୍ତରିତ କରିଦେଇ ପାରିବି-

 

ଦିବ୍ୟ ଜ୍ଞାନ ଆଉ ଯଥାର୍ଥ ଜ୍ଞାନ ମଧ୍ୟରେ କେଉଁଠି କୌଣସି ପ୍ରଭେଦ ନାହିଁ । ଜ୍ଞାନକୁ ଛାଡ଼ି ଆଉ ଅନ୍ୟ କେଉଁଠି ଦିବ୍ୟ ଜ୍ଞାନ ବୋଲି କୌଣସି ଅଲଗା ଜାତିର ଜ୍ଞାନ ଅଛି ବୋଲି ମୁଁ କେବେହେଲେ ଅନୁଭବ କରିନାହିଁ । ଦିବ୍ୟକୁ ଖୋଜିବାକୁ ଯାଇ ମୁଁ ଆପଣା ଭିତରେ ପ୍ରବେଶ କରିବାର ରହସ୍ୟଟିକୁ ମୋ’ ଆପଣା ଅନୁଭବରେ ପରିଣତ କରିପାରିଛି । ଦିବ୍ୟକୁ ଖୋଜିବାକୁ ଯାଇ ମୋ’ର ଆଖି ଗୁଡ଼ାକୁ ମୁଁ ବିଶ୍ଵମୟ କରିବାର ସୂତ୍ରଟିକୁ ପାଇଯାଇଛି । ଦିବ୍ୟ ଜ୍ଞାନ ଲାଭ କରିବା ସକାଶେ ମତେ କେବେହେଲେ କୌଣସି ଅନ୍ୟବିଭବମଣ୍ଡିତ ଅନ୍ୟଯୁଗକୁ ଦଉଡ଼ି ପଳାଇଯିବାକୁ ପଡ଼ିନାହିଁ । ଅଜ୍ଞାନର ଗଭୀରକୁ ଯାଇ ମୁଁ ଜ୍ଞାନର ସ୍ପର୍ଶ ଲାଭ କରିଛି । ଅନ୍ଧାରର ମର୍ମଭେଦ କରି ମୁଁ ଆଲୋକକୁ ଅନୁଭବ କରିଛି । ଏଇଟାକୁ ହିଁ ମୋ’ ଜୀବନର ସବୁଠାରୁ ଅଧିକ ସ୍ଵାଭାବିକ ରୀତି ବୋଲି ମୁଁ ଅନୁଭବ କରିଛି । ଅର୍ଥାତ୍ ମୁଁ ତାକୁ ମୋ’ର ସ୍ଵଭାବସମ୍ମତ ବୋଲି ଅନୁଭବ କରିଛି, ମୋ’ର ସ୍ଵଧର୍ମ ବୋଲି ଗ୍ରହଣ କରିଛି ।

 

୨୦ । ୨ । ୭୯

 

ଏ ପରଦା ପରଦା ନୁହେଁ । ଏହି ପରଦା ମୋ’ର ଭାଗ୍ୟ ନୁହେଁ । ଏହି ପରଦା ମୁଁ ଭଗବାନ ବୋଲି କହୁଥିବା ଆଉ କୌଣସି ଅତିଶକ୍ତି ଦ୍ଵାରା କଦାପି ତିଆରି ହୋଇନାହିଁ । ଏଗୁଡ଼ାକ ପାଚେରୀ, –ଏଗୁଡ଼ାକ ପ୍ରଧାନତଃ ମୋ’ରି ଦ୍ଵାରା ତିଆରି ହୋଇଛି । ଅଥବା, ମୋ’ର ସହଯୋଗରେ ହିଁ ତିଆରି ହୋଇଛି । ମୁଁ ସେଗୁଡ଼ାକୁ ଦିବ୍ୟ ସହ୍ୟ କରିଯାଉଛି, ତେଣୁ ସେଗୁଡ଼ାକ ରହିଛି । ହୁଏତ ମୁଁ ସେଗୁଡ଼ାକୁ ଭଲ ପାଉଛି, ଅର୍ଥାତ୍ ମୋତେ ସେଗୁଡ଼ାକ ଭାରି ସୁହାଉଛି । ତେଣୁ ସେଗୁଡ଼ାକ ଅଛି-। ମୋ’ରି ବ୍ୟକ୍ତିଗତ ଜୀବନରେ ଅଛି, ସାମାଜିକ ବା ସାମୂହିକ ଜୀବନରେ ମଧ୍ୟ ଅଛି । ସେଗୁଡ଼ାକୁ ମୁଁ ଅନେକ ସମୟରେ ପରମ୍ପରା ବୋଲି କହୁଛି, ମୋ’ର ଐତିହ୍ୟ ବା ସଂସ୍କୃତି ବୋଲି ମଧ୍ୟ କହୁଛି । ଏବଂ, ସେଇଥି ସକାଶେ ହିଁ ସେଗୁଡ଼ାକ ମାୟା ହୋଇ ଏଡ଼େ ଅଭ୍ୟସ୍ତ ଭାବରେ ମୋତେ ଯାବୁଡ଼ି ଧରିଛନ୍ତି, ମୋ’ର ଶୋଭା ବଢ଼ାଉଛନ୍ତି ବୋଲି ମୋତେ ବୋଧ ହେବାରେ ଲାଗିଛନ୍ତି ।

 

ଯେଉଁଠାରେ ପାଚେରୀ ନାହିଁ, ସେଠାରେ ପରଦା ନାହିଁ । ଯେଉଁ ମୂହୁର୍ତ୍ତରେ ମୁଁ ଏହି ପାଚେରୀଗୁଡ଼ାକୁ ଅତିକ୍ରମ କରି ଆପଣାକୁ ବିସ୍ତାରିତ କରିଦେଇ ପାରୁଛି, ସେତେବେଳେ ସକଳ ପରଦା ଅନ୍ତର୍ହିତ ହୋଇଯାଉଛି । ପରଦା ଘୁଞ୍ଚିଗଲେ ତା’ ପରେ ଯାହା ମିଳେ, ତାକୁ ସୁଖ ବୋଲି କହିବା ପୂର୍ବରୁ ପରଦା ଗୁଡ଼ାକର ଘୁଞ୍ଚିଯିବାକୁ ହିଁ ମୁଁ ସୁଖ ବୋଲି କହିବି । ଏହି ପରଦାଗୁଡ଼ାକ ଯେ କେବଳ ପରଦା, ଏତିକି ଉପଲବ୍‍ଧି କରିବାର ମୁହୂର୍ତ୍ତଗୁଡ଼ିକ ହେଉଛି ସୁଖର ମୁହୂର୍ତ୍ତ, ନବଜନ୍ମର ମୁହୂର୍ତ୍ତ, ଯୁକ୍ତ ହେବାର ମୁହୂର୍ତ୍ତ ।

 

ଏହି ପରଦା ଗୁଡ଼ିକର ସେପାଖରେ ତୁମେ ଅଛ, ସେକଥା ଏକାବେଳେକେ ଠିକ୍ । କିନ୍ତୁ, ପରଦା ଗୁଡ଼ିକୁ ଦୂର କରିଦେଇ ମୁଁ ଏକଥା ମଧ୍ୟ ଅବଶ୍ୟ ଉପଲବ୍‍ଧି କରିଥାଏ ଯେ, ତୁମେ ଏଇଠି ମୋ’ର ଅତିପାଖରେ ହିଁ ସର୍ବଦା ଥିଲ । ମୁଁ ଏହି ପରଦା ଗୁଡ଼ିକୁ ଅର୍ଥାତ୍ ପରଦା ଗୁଡ଼ିକ ପର୍ଯ୍ୟନ୍ତ ଦେଖୁଥିଲି ବୋଲି ତୁମକୁ ଦେଖିବାଲାଗି ସମର୍ଥ ହେଉନଥିଲି ।

 

୨୧ । ୨ । ୭୯

 

କେବଳ ସେହି ଆଲୋକ, ସେହି ପ୍ରେମ ଓ ଜୀବନ । ଏହାର ଅର୍ଥ ନୁହେଁ ଯେ, ଏଗୁଡ଼ିକ ବ୍ୟତୀତ ଏଠି ଆଉ କିଛିହେଲେ ନାହିଁ । ଏଠି ସବୁ ଅଛି, –ମାତ୍ର ଯାହାକିଛି ଅଛି, ତାହା ଆଲୋକମୟ ହୋଇ ରହିଛି, ଶ୍ରଦ୍ଧାମୟ ହୋଇ ରହିଛି, ତେଣୁ ଜୀବନମୟ ହୋଇ ରହିଛି; ଅର୍ଥାତ୍ ସମ୍ଭାବନାମୟ ହୋଇ ରହିଛି ।

 

ଏବଂ ସେଇଥି ସକାଶେ ହିଁ ଏସବୁ ଏତେ ଆପଣାର ବୋଲି ମନେ ହେଉଛି । ସେଇଥିପାଇଁ ଏହି ସବୁଟି ମିଶି ଆପଣାର ଘର ପରି ଲାଗୁଛି । ଏହି ଆକାଶ, ଏହି ପବନ, ଏହି ସମୁଦାୟ ସଂସାରର ସବୁଯାକ ଆକାଂକ୍ଷା ଓ ସାଧନା, –ଏଗୁଡ଼ିକ ସହିତ ଅନ୍ତରର କ୍ଷେତ୍ରରେ ସତତ ଏକ ଖିଅ ଲାଗି କରି ରହିଛି । ହଁ, ମୋ’ ଭିତରେ ଯାହା ଅଛି, ଏହି ସବୁଟି ଭିତରେ ମଧ୍ୟ ତାହାହିଁ ରହିଛି । ଗୋଟିଏ ଜନନୀର ଆଖି ହିଁ ଏହି ସବୁକିଛିର ଭିଆଣ କରିଛି, ସେହି ଗୋଟିଏ ଜନନୀର ସ୍ନେହ କଳ୍ପନା ଏହି ସବୁକିଛିକୁ ଅଗ୍ରସର କରାଇ ନେଉଛି । ମୋତେ ଯେପରି ଅଗ୍ରସର କରାଇ ନେଉଛି, ଠିକ୍ ସେହିପରି । ମୋତେ ଯେପରି ଆଶ୍ରୟ ଦେଇ ରଖିଛି, ଠିକ୍ ସେହିପରି ।

 

ଏହିପରି ଭାବରେ ଦେଖିଲେ ଏହି ସବୁଟିକୁ ଗୋଟିଏ ବୋଲି ଦେଖି ହେଉଛି । ଏହିପରି ଭାବରେ ଦେଖିଲେ ସବୁକିଛିକୁ ସତେଅବା ଗୋଟିଏ ଅବିଚ୍ଛିନ୍ନ ପ୍ରାଣମୟତାରେ ଅର୍ଥାତ୍ ସ୍ନେହମୟତାରେ ସ୍ପନ୍ଦିତ ହୋଇ ଉଠୁଥିବା ପରି ମନେ ହେଉଛି । ଏହିପରି ଦେଖିଲେ ହିଁ ଏହି ସବୁକିଛି ସେହି ଗୋଟିଏ ସତ୍ୟର ଧାରିଣୀ ହୋଇ ରହିଥିବା ପରି ମନେ ହେଉଛି । ଏଠି ଏଇ ମୋ’ ଭିତରେ ଯାହା, ମୋତେ ଘେରି ରହିଥିବା ଆକାଶରେ ମଧ୍ୟ ଠିକ୍ ତାହା, –ମୁଁ ଚାଲିଲେ ଏହି ସବୁକିଛି ଚାଲିବା ପରି ମୁଁ ଅନୁଭବ କରିପାରୁଛି, ଏହି ଆକାଶରେ ସୂର୍ଯ୍ୟ ଉଇଁ ଆସିଲେ ମୋ’ର ଏହି ଭିତରେ ମଧ୍ୟ ଏକ ଅନନ୍ତ ପ୍ରତିଶ୍ରୁତି ରୂପେ ସତେଅବା ଏକ ନୂତନ ସକାଳ ଅର୍ଥାତ୍ ଉଦ୍‌ଘାଟନ ସମ୍ଭବ ହୋଇ ଆସୁଛି ।

 

୨୨ । ୨ । ୭୯

 

ହଁ, ଏହି ଜୀବନ ଏହ ସଙ୍ଗୀତ, ଏକ ପ୍ରାର୍ଥନା । କିଛି ମାଗିବାର ପ୍ରାର୍ଥନା ନୁହେଁ, କୃତଜ୍ଞତାର ପ୍ରାର୍ଥନା । କୃତଜ୍ଞତାର ପ୍ରାର୍ଥନା ହେଉଛି ପୁଲକଉତ୍‍ପ୍ରେରିତ ପ୍ରାର୍ଥନା । ମୁଁ ଯେତେ ଯାହା ସମ୍ପଦରେ ପରିପୂର୍ଣ୍ଣ ହୋଇ ରହିଛି, ଯେଉଁ ପରିପୂର୍ଣ୍ଣତାକୁ ଏକ ଭଣ୍ଡାରର ଆଖ୍ୟା ଦେଇ ମୁଁ ହୃଦୟ ବୋଲି କହୁଛି, ସେହି ପରିପୂର୍ଣ୍ଣତା କେବଳ ଏକ ସର୍ବସ୍ପର୍ଶକାରୀ କୃତଜ୍ଞତା ଦ୍ଵାରା ହିଁ ଆପଣାକୁ ସର୍ବୋତ୍ତମ ପ୍ରକାରେ ଅଭିବ୍ୟକ୍ତ କରି ପାରିବ । ଏବଂ ତୁମରି ମହାନୁଭବତା ଅର୍ଥାତ୍ ପରମବନ୍ଧୁତା ପାଖରେ ହିଁ ସେହି କୃତଜ୍ଞତା ଆପଣାକୁ ଅଭିବ୍ୟକ୍ତ କରିବାରେ ଲାଗିଥିବ ।

 

ତୁମରି ବୃହତ୍ତାକୁ ମୁଁ ଅନ୍ତର ଦେଇ ଅନୁଭବ କରୁଥିବାରୁ, ସ୍ପର୍ଶ କରି ପାରୁଥିବାରୁ ହିଁ ଏହି ଜଗତ ଏଡ଼େ ବଡ଼ ବୋଲି ଅନୁଭୂତ ହେଉଛି, ଏଡ଼େ ମହିମାମୟ ବୋଲି ଅନୁଭୂତ ହେଉଛି । ସେଇଥି ସକାଶେ ଏହି ଜୀବନଟା ମଧ୍ୟ ସତେଅବା କେତେ କେତେ ଆଶୀର୍ବାଦରୁ ଲବ୍‍ଧ ଏକ ସମ୍ପଦ ପରି ଲାଗୁଛି । ବାହାରକୁ ଯାହା କ୍ଷୁଦ୍ର ଦିଶୁଛି, ତାହାଭିତରେ ମଧ୍ୟ କେତେ କେତେ ମହିମା ଓ କେତେକେତେ ସାନ୍ନିଧ୍ୟ ଦେଇ ପାରିବାର ପ୍ରେରଣା ଅନୁଭୂତ ହେଉଛି । ତୁମର ମହାନୁଭବତା ସକାଶେ ହିଁ ଏହି ମାୟାଗୁଡ଼ାକ ତଥାପି ଅନନ୍ତ ପ୍ରାଣସମ୍ଭାବନାରେ ସତତ ପ୍ରଣାୟିତ ହୋଇ ରହିଥିବା ପରି ମନେ ହେଉଛି । ଆହୁରି ଅଧିକ ଧରି ରଖି ପାରିବାଲାଗି, ଆହୁରି ଅଧିକ ଯୋଗ୍ୟ ହେବାଲାଗି ଏହି ହୃଦୟର ଆହୁରି ଅଧିକ ସାମର୍ଥ୍ୟ ରହିଛି ବୋଲି ଏକ ନିର୍ଭର ବିଶ୍ଵାସ ମଧ୍ୟ ମିଳିଯାଉଛି । ଯାହାକୁ ମୁଁ ଦିନେ ଅନ୍ଧକାର ମଣି ଆସୁଥିଲି, ସେହି ଅନ୍ଧକାର ମଧ୍ୟରେ ବି କେତେ କେତେ ଆଲୋକର ସମ୍ଭାବନା ପ୍ରଚ୍ଛନ୍ନ ହୋଇ ରହିଥିବାର ପ୍ରତ୍ୟୟଟି ମୋତେ ପଦେ ପଦେ ମିଳିଯାଉଛି ।

 

୨୩ । ୨ । ୭୯

 

ସେହି ଆଲୋକ ଯେତେବେଳେ ଏକ ଅଗ୍ନିରେ ପରିଣତ ହୁଏ, ସେତେବେଳେ ସବୁକିଛି ଯଥାର୍ଥରେ ଜୀବନମୟ ହୋଇଉଠେ । କିନ୍ତୁ ଯେତେବେଳେ ଆମେ କେବଳ ଆପଣା ପାଇଁ ସ୍ଵାର୍ଥପର ଭାବରେ ସେହି ଆଲୋକର ଆବାହନ କରୁଥାଉ, ସେତେବେଳେ ଆମ ଭିତରକୁ ଆସି ତାହା ଆଉ ମୋତେ ଏକ ଅଗ୍ନିରେ ପରିଣତ ହୋଇ ପାରେନାହିଁ ଏବଂ ସେହି ଆଲୋକ ଅନ୍ତରସ୍ଥ ତଥା ବାହ୍ୟ ଜୀବନକୁ ଉଜ୍ଜ୍ଵଳ କରିବା ପରିବର୍ତ୍ତେ ଆମ ପାଖରେ ଏକ ଭୂଷଣ ହୋଇ ରହେ । ସେହି ଆଲୋକ ସତେଅବା ଗୁଡ଼ାଏ ସୁନାଗହଣା ହୋଇ ଠାକୁର ବୋଲି ଆମେ ଥାପନା କରି ରଖିଥିବା ମୂର୍ତ୍ତିଗୁଡ଼ାକର ଦିହରେ ଖୁନ୍ଦି ହୋଇ ରହିଥାଏ ।

 

ଦିବ୍ୟ ଆଲୋକ ଯେତେବେଳେ ମୋ’ ଭିତରେ ଏକ ଅଗ୍ନିରେ ପରିଣତ ହୁଏ, ସେତିକିବେଳେ ହିଁ ମୁଁ ତାହାକୁ ଦିବ୍ୟଶ୍ରଦ୍ଧା ରୂପେ ଅନୁଭବ କରିବାକୁ ସମର୍ଥ ହୁଏ । ଜୀବନର ଦୃଷ୍ଟି ଏକ ସମର୍ପଣମୟ ଆକାଙ୍‌କ୍ଷାରେ ଆପଣାକୁ ଅନୁପ୍ରେରିତ କରିପାରିଲେ ଆମର ଜୀବନ ପ୍ରକୃତରେ ଶ୍ରଦ୍ଧାର ଯୋଗ୍ୟ ହୋଇଥାଏ । ଆମର ଜୀବନ ଉପରେ ଭଗବତ୍–ପରମଶ୍ରଦ୍ଧାର ସେହି ପ୍ରଚଣ୍ଡ ପରାକ୍ରମଶାଳୀ ସ୍ପର୍ଶ ଲାଗିଲେ ଆମର ଜୀବନ ଏକ ସମର୍ପଣମୟ ଆନନ୍ଦରେ ଅନୁସିକ୍ତ ହୋଇଉଠେ । ତେଣୁ, ସେହି ଆଲୋକକୁ ମୁଁ କେବେହେଲେ ମୋ’ର ଆପଣାର ଏହି କ୍ଷୁଦ୍ର ଘରଟି ଭିତରେ ବନ୍ଦ କରି ରଖିବାକୁ ଚେଷ୍ଟା କରିବିନାହିଁ । ମୁଁ ସେହି ଆଲୋକକୁ ଅଗ୍ନିରୂପେ ଗ୍ରହଣ କରିବି, –ଏହି କାନ୍ଥଗୁଡ଼ାକୁ ଭାଙ୍ଗି ମୁଁ ସେହି ଆଲୋକ ଓ ସେହି ଅଗ୍ନିର ଯୋଗ୍ୟ ହେବି ।

 

୨୪ । ୨ । ୭୯

 

ତୁମର ସତ୍ୟ ଏକ ଅଗ୍ନିମୟ ସତ୍ୟ । ତାହା ମୋ’ ଭିତରକୁ ଆସି ମୋ’ର ଏହି ସାନ ଘରଟି ଭିତରେ ସତେଅବା ଏକ ବାକ୍‌ସ ଭିତରେ ବନ୍ଦ ହୋଇ କଦାପି ରହିବନାହିଁ । ଅନେକ ଲୋକ ଅଛନ୍ତି, ଯେଉଁମାନେ କି ସତେଅବା ଗୋଟାଏ ସୁଡ଼ଙ୍ଗ ଭିତରେ ପ୍ରବେଶ କଲାପରି ସତ୍ୟର ସନ୍ଧାନ କରିବାକୁ ଯାଇଥାନ୍ତି । ସେମାନେ ଯେତିକି ଆଗକୁ ଯାଉଥାନ୍ତି ବୋଲି ଭାବୁଥାନ୍ତି, ସେମାନଙ୍କର ରାସ୍ତାଟି ବି ସେତିକି ସେତିକି ସଂକୀର୍ଣ୍ଣ ଓ ଅପ୍ରଶସ୍ତ ହେବାରେ ଲାଗିଥାଏ । ସତ୍ୟକୁ ପାଇଥିବାର ଅନୁଭବ କରି ସେମାନେ ଶେଷକୁ ଯାଇ କୌଣସି ଗୁମ୍ଫା ବା ଗମ୍ଭୀରା ଭିତରେ ଆପଣାକୁ ପ୍ରାୟ କିଳି କରି ରଖିଦିଅନ୍ତି । ସେହି ଗୁମ୍ଫାଗୁଡ଼ାକର ବାହାରେ କେଉଁଠି ସତ୍ୟ ରହିଛି ବୋଲି ଅନୁଭବ କରିବାର ସାମର୍ଥ୍ୟଟିକୁ ହିଁ କ୍ରମେ ହରାଇ ବସନ୍ତି । ବାହାରଟାକୁ କ୍ରମେ ମାୟା ବୋଲି କହନ୍ତି, ମିଥ୍ୟା ବୋଲି କହନ୍ତି, ଅପବିତ୍ର ବୋଲି ବି କହନ୍ତି ।

 

ତୁମର ସତ୍ୟ ପରମ ବନ୍ଧୁରୂପେ ମୋ’ ଭିତରେ ପ୍ରବେଶ କରେ । ମୋ’ କାନ୍ଥଗୁଡ଼ାକୁ ଭାଙ୍ଗେ, ମୋତେ ଏହିସବୁ ଯାବତୀୟ ଗୁମ୍ଫା ଓ ଗଳିଭିତରୁ ବାହାର କରିନିଏ, ମୋତେ ତାହା ଆପଣା ପରି ପରିବ୍ୟାପ୍ତ କରିଦିଏ, ମୋତେ ଭିତର ଆଉ ବାହାରର ଭେଦଟି ବିଷୟରେ ବିସ୍ମୃତ କରିଆଣେ । ତେଣୁ, ଯେଉଁମାନେ ତୁମର ପରମ ସତ୍ୟର ଜ୍ଞାନକୁ ଲାଭ କରି କେବଳ ଆପଣାର ଘରଟିକୁ ହିଁ ଅସ୍ଵୀକୃତିମୟ ନାନା ଝଲକରେ ଝଲସାଇ ଦେବାରେ ଲାଗିଥାନ୍ତି ଓ ସେଇଥିରେ କେଡ଼େ ଖୁସୀ ହୋଇ ରହିଥାନ୍ତି, ସେମାନଙ୍କ ପକ୍ଷରେ ମୁଁ ନୁହେଁ । ତେଣୁ, ମୁଁ ଅନେକ ସମୟରେ ଭାବେ, ତୁମର ସତ୍ୟ ବୋଲି ସେମାନେ ଯେଉଁଗୁଡ଼ାକୁ ସାଇତି ସଞ୍ଚୟ କରି ରଖିଥାନ୍ତି ସେଇଟା ବି ମୋର ସତ୍ୟ ନୁହେଁ । ମୁଁ କୌଣସି ଗୁମ୍ଫାର ନୁହେଁ, କୌଣସି ଗଳିର ବି ନୁହେଁ । ରୂପାନ୍ତର କହିଲେ ମୁଁ ଗୋଟାଏ ବେଶ–ବଦଳାଇ ଆଉଗୋଟାଏ ବେଶ ପିନ୍ଧିବାକୁ କଦାପି ବୁଝେନାହିଁ ।

 

୨୫ । ୨ । ୭୯

 

ମୋ’ର ଆଶ୍ରୟ ଯିଏ, ସେଇ ମୋ’ର ବଳ । ମୋ’ର ସେଇ ହେଉଛି ସ୍ୱାସ୍ଥ୍ୟ । ମଣିଷ କୁଆଡ଼େ ଦୁର୍ବଳ ହେଲେ ଆଶ୍ରୟ ଖୋଜିଯାଏ, ଅବଲମ୍ବନ ଖୋଜିବାକୁ ଯାଏ । ମୋ’ରି ଭିତରେ ମଧ୍ୟ ମୁଁ ଯାହାଙ୍କର ସାନ୍ନିଧ୍ୟ ପାଇଛି, ସିଏ ମୋତେ କେବଳ ବଳବାନ୍ ହେବାରେ ହିଁ ସହାୟତା କରିଛନ୍ତି । ସେହି ସହାୟତାକୁ ମୁଁ ନିଜର ଜୀବନରେ ଆଶୀର୍ବାଦରୂପେ ଗ୍ରହଣ କରି ନେଇଛି । ମୁଁ ଆପଣାକୁ ଖୋଜିବାକୁ ଯାଇ ଆପଣାର ଅବଲମ୍ବନଟିକୁ ପାଇଛି । ସେହି ଅବଲମ୍ବନଟିକୁ ପାଇବା ପରେ, ସିଏ, ମୋ’ ଭିତରେ ନା ମୋ’ର ବାହାରେ, ତାରତମ୍ୟଟିକୁ ବାହାର କରିବାକୁ ମୁଁ ଏକାବେଳେକେ ଭୁଲି ଯାଇଛି । ଭକ୍ତମାନେ ତାଙ୍କୁ ଅବଲମ୍ବନ ରୂପେ ନପାଇଲେ ସତେଅବା ବାଉଳା ହୋଇ ଯାଆନ୍ତି । ସେତେବେଳେ ସେମାନେ କେତେ ଆର୍ତ୍ତନାଦ କରନ୍ତି, ସତେଅବା ଜାଲ ପକାଇବା ପରି ତାଙ୍କୁ କେତେ ଗଡ଼ିଆରେ ଯାଇ ଖୋଜିବାରେ ଲାଗିଥାନ୍ତି । ସେତେବେଳେ ନିଜର ଭିତରଟି ସହିତ କ’ଣ ସେମାନଙ୍କର ସବୁ ଖିଅ ଛିଡ଼ି ଯାଇଥାଏ, ଆପଣାର ଆଖିରେ ସେମାନେ କ’ଣ ନିଜକୁ କେବଳ ଏକ ଅନାଥରୂପେ ହିଁ ଦେଖିବାରେ ଲାଗିଥାନ୍ତି ?

 

ମୋ’ର କୌଣସି ଉତ୍ତାପ ଅଥବା ବିହ୍ୱଳତାରୁ ଯେତେବେଳେ ମୋ’ର ସେହି ଅବଲମ୍ବନଟି ହାତଛଡ଼ା ହୋଇଗଲା ପରି ଲାଗେ, ମୁଁ ସେତେବେଳେ ଆଗ ଥିର ହୋଇଯାଏ, ଆପଣା ଭିତରର ଶ୍ରଦ୍ଧାପଥ ଗୁଡ଼ିକୁ ପୁନର୍ବାର ସାଉଁଟି ଆଣିବାକୁ ଚେଷ୍ଟା କରେ । ଆଉ ତା’ ପରେ, ହୃଦୟଟି ଯାଇ ଠିକଣା ଥାନରେ ଯୋଡ଼ି ହୋଇଯାଏ । ଆକାଶକୁ ଅନାଇବା ମାତ୍ରକେ ଏହି ସବୁକିଛି ନିଜର ଘରଟି ପରି ଲାଗେ, ଏହି ପବନ ଆସି ଦେହରେ ବାଜିଲେ ପୁଲକ ଜାତ ହୁଏ । ଆପଣାକୁ ହଠାତ୍ ପ୍ରସାରିତ ହୋଇ ଗଲାପରି ମନେହୁଏ । ମୁଁ ପୁଣି ସେହି ସାହସଟିକୁ ଅନୁଭବ କରେ । ଯେଉଁ ସାହସଟି ଥିଲେ ସବୁଟି ସହିତ ଯୁକ୍ତ ହୋଇ ରହିଥିବା ପରି ଲାଗେ, ମୁଁ ସେହି ସାହସଟିକୁ ପୁନର୍ବାର ଫେରିଯାଏ ।

 

୨୬ । ୨ । ୭୯

 

ଏଥିଗୁଡ଼ିକ ମଧ୍ୟରୁ ଗୋଟିଏ ସମ୍ଭବ ହେଲେ ପ୍ରକୃତରେ ଆଉ ସବୁଗୁଡ଼ିକ ମଧ୍ୟ ସମ୍ଭବ ହୋଇଯିବ । ଆଗ ଆପଣାକୁ ଉତ୍ସର୍ଗୀକୃତ କରି ରଖିବାକୁ ହେବ । ଆପଣାକୁ ଆପଣା ପାଖରେ ଉତ୍ସର୍ଗ କରି ଦେବାକୁ ହେବ, ଆପଣା ଭିତରେ ଯେଉଁ ସର୍ବୋତ୍ତମ ଆତ୍ମନିଧିଟି ରହିଛି, ତାହାରି ପାଖରେ ଆପଣାକୁ ଉତ୍ସର୍ଗ କରି ଦେବାକୁ ହେବ । ଅର୍ଥାତ୍, ବାହାର ଓ ଭିତର ଉଭୟ ଲାଗି ଆପଣାକୁ ଉତ୍ସର୍ଗ କରି ଦେବାକୁ ହେବ । ଏହି ଆକାଶ, ଏହି ପବନ, ଏହି ଆଲୋକ ଏବଂ ଏହି ପୁଷ୍ପଗନ୍ଧ ପାଖରେ ଏକ ସ୍ଵାଭାବିକ ଆତ୍ମୀୟତା ସହିତ ଆପଣାକୁ ଉତ୍ସର୍ଗୀକୃତ କରି ରଖିବାକୁ ହେବ-। ସେଇଥିରୁ ହିଁ ଜୀବନ ଆଲୋକିତ ହୋଇ ଉଠିବ, ଜୀବନର ଏହି ପାତ୍ରଟି ଶ୍ରଦ୍ଧାରସରେ ପୂର୍ଣ୍ଣ ହୋଇ ଉଠିବ । ତା’ ପରେ ଏହି ସବୁଟି ଲାଗି ଆପଣାକୁ ଦେଇଦେବା ଏବଂ ସବୁଟି ମଧ୍ୟରୁ ଆପଣାଲାଗି ଗ୍ରହଣ କରିବା ମଧ୍ୟରେ ଆଉ କୌଣସି ପ୍ରଭେଦ ରହିବନାହିଁ ।

 

ଆପଣାର କାର୍ଯ୍ୟରେ ମୁଁ ଆପଣାକୁ ସଂପୂର୍ଣ୍ଣ ଭାବରେ ଦେଇ ପାରିଲି କି ନାହିଁ, ତା’ ପରେ ସେଗୁଡ଼ାକୁ ବସି ମାପିବାର ତଉଲିବାର ମଧ୍ୟ ଆଉ କୌଣସି ଅବକାଶ ରହିବନାହିଁ । ସେତେବେଳେ, ଯାହା ମଧ୍ୟରେ ମୁଁ ଆପଣାକୁ ପରିପୂର୍ଣ୍ଣ ଏବଂ ପରିଚ୍ଛନ୍ନ ଭାବରେ ଦେଇ ପାରିବି, କେବଳ ତାହାହିଁ ମୋ’ର କର୍ମ ହୋଇ ରହିବ । ସେହି କର୍ମଦ୍ଵାରା ଆପଣାକୁ ଦେଇ ପାରିବାଦ୍ଵାରା ହିଁ ଜୀବନ ଆପଣାକୁ ସାର୍ଥକ ବୋଲି ମନେ କରିବ । ସେତେବେଳେ ମୋ’ ନିଜର ଇଚ୍ଛା ଓ ତାଙ୍କର ଇଚ୍ଛା ବୋଲି ଆଉ ଦୁଇଟା ଅଲଗା ଜିନିଷ ରହିବନାହିଁ । ମୋ’ର ଭିତରେ ଅବସ୍ଥାନ କରୁଥିବା ଜନନୀ ମୋ’ର ପ୍ରତ୍ୟେକ ମୁହୂର୍ତ୍ତ ମଧ୍ୟଦେଇ ମୋତେ ସେହି ଉତ୍ସର୍ଗ ଲାଗି ଯେପରି ଅଧିକରୁ ଅଧିକ ଯୋଗ୍ୟ କରି ଆଣନ୍ତି, ତାଙ୍କରି ପାଖରେ ଆଜି ମୋ’ର ଏତିକି ପ୍ରାର୍ଥନା ।

 

୨୭ । ୨ । ୭୯

 

ଏହି ସାନ୍ନିଧ୍ୟ ଆହୁରି ଅଧିକ ଗଭୀର ହେବାରେ ଲାଗିଛି, ଅଧିକ ସତତ ଏବଂ ଅଧିକ ସମ୍ପୂର୍ଣ୍ଣ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ମୁଁ ତାଙ୍କରି ଲାଗି ଅଧିକରୁ ଅଧିକ ଯୋଗ୍ୟ ହେବାରେ ଲାଗିଛି । ଆମେ ସମସ୍ତେ ତାଙ୍କର ଅଧିକରୁ ଅଧିକ ଯୋଗ୍ୟ ହେବାରେ ଲାଗିଛୁ । ଆମର ବାଟଗୁଡ଼ାକ ଯେତେ ବଙ୍କା ଟଙ୍କା ହୋଇଥିଲେ ହେଁ ଆମେ ସମସ୍ତେ ସେହି ଗୋଟିଏ ଆକାଙ୍‌କ୍ଷାରେ ବାଟ ଚାଲୁଛୁ ।

 

ଏହି ଅସଲ ଆକାଙ୍‍କ୍ଷାଟିକୁ କିଏ ଅଳପ ଚିହ୍ନିଛି, କିଏ ବଡ଼ ଅସ୍ପଷ୍ଟ ଭାବରେ ଚିହ୍ନିଛି, –କିଏ ଆହୁରି କେତେ କ’ଣ ଆବରଣ ଦ୍ଵାରା ସେଇଟିକୁ କେତେ ପ୍ରକାରେ ଘୋଡ଼ାଇ ରଖିଛି । ସେହି ଆବରଣ ପଛରେ ରହିଥିବା ତାତ୍କାଳିକ ଅଭିପ୍ରାୟଗୁଡ଼ାକୁ ହିଁ ତା’ର ଅସଲ ଆକାଙ୍‍କ୍ଷା ବୋଲି କହୁଛି ବା ଭାବୁଛି । ମୁଖାଗୁଡ଼ାକୁ ତା’ର ଅସଲ ମୁଖା ବୋଲି ସେଗୁଡ଼ାକର ବେଶ୍ ତାରିଫ୍ ବି କରୁଛି । ଭେକ ଗୁଡ଼ାକର କେତେ ତାରିଫ୍ କରିବାରେ ଲାଗିଛି । ତଥାପି, –ସେହି ଭେକ ଓ ସେହି ମୁଖାଗୁଡ଼ାକର ତଳେ ଯାଇ ଅସଲ ଆକାଂକ୍ଷାଟି ରହିଛି, ଅସଲ ଭେକଟି ରହିଛି । ଅସଲ ଭେକଟି ହେଉଛି ସମ୍ମିଳିତ ହେବାର ଭେକ, ସତତ ସମ୍ମିଳିତ ହୋଇ ରହିଥିବାର ଭେକ, ମୁଖାଗୁଡ଼ାକୁ ଅସ୍ଵୀକାର କରି ଯଥାର୍ଥ ମୁଖାଟିକୁ, ସତେଅବା ଅନ୍ତର ଭିତରଟାକୁ ଦେଖାଇ ଦେଉଥିବା ଗୋଟାଏ ଦର୍ପଣର ଆବିଷ୍କାର କରିପାରିବାର ଭେକ ।

 

ମୁଁ ଏହି ଦର୍ପଣଟିକୁ ଆପଣାର ଭିତରେ ଖୋଜୁଛି, ଆପଣାର ବାହାରେ ମଧ୍ୟ ଖୋଜୁଛି । ଏହି ଆକାଶରେ ମୁଁ ସେହି ଦର୍ପଣର ଅନୁଭୂତି ଲାଭ କରି ପାରୁଛି । ମୋ’ର ସାଥୀ ବାଟୋଇ ଆଉ ସମସ୍ତଙ୍କ ମୁହରେ ବି ମୁଁ ସେହି ଦର୍ପଣଟିକୁ ଅନୁଭବ କରି ପାରୁଛି । ସେହି ଦର୍ପଣଟି ମୋ’ ସକଳ ପରିଚୟର ସତତ ସୂତ୍ର ହୋଇ ରହିଥାଉ ।

 

୨୮ । ୨ । ୭୯

 

ପୁଲକେ ହୃଦୟ ଯେ ଦିନ୍ ଉଠ୍‌ବେ ପେଟେ, ସେଦିନ୍ ବାଧନ୍ ଆମର ଯାବେ କେଟେ । ମୋର ଅହଂ, ଇଏ ମଧ୍ୟ ମୋ’ର ଗୋଟାଏ ବନ୍ଧନ; –ମୋ’ର ଦମ୍ଭ, ଅହଂକାର, ଲୋଭ ଏବଂ ଆହୁରି ନାନା ପ୍ରକାରର ଆଚ୍ଛନ୍ନତା, –ଏଗୁଡ଼ାକ ସବୁ ବନ୍ଧନ, ମୁଁ ନାନା ନିରାପତ୍ତାର କାମନା କରି ନାନା ସମ୍ମିଳନର କଳ୍ପିତ ଭୟରୁ ମୁକ୍ତି ଲାଭ କରିବାର ଅଭିପ୍ରାୟରେ ଏ ଗୁଡ଼ିକୁ ବାଡ଼ରୂପେ ଓ ଆବରଣ ରୂପେ ତିଆରି କରି ରଖିଛି । ଏଗୁଡ଼ିକୁ ମୁଁ ରକ୍ଷାକବଚ ରୂପେ ପିନ୍ଧିଛି ଓ ସେଗୁଡ଼ିକୁ ଅଳଙ୍କାର ବୋଲି ଭାବୁଛି । ମୋ’ର ଇଚ୍ଛାଟିକୁ ନପାଇଲା ପର୍ଯ୍ୟନ୍ତ ଏଗୁଡ଼ାକୁ କେହି ଆସି ମୋ’ ଭିତରୁ ତଡ଼ି ନେଇଯାଇ ପାରିବନାହିଁ । ଅନେକ ସମୟରେ ଆମେ ଏସବୁକୁ ଆମ ଭିତରୁ କାଢ଼ି ନେଇଯିବା ଲାଗି ଭଗବାନଙ୍କୁ ଡାକୁ ସିନା, ମାତ୍ର ଆପଣାର ପୁରୁଣା ସ୍ଵଭାବଟି ଦ୍ଵାରା ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଗ୍ରସ୍ତ ହୋଇ ପଡ଼ିଥିବା ହେତୁ ଆମେ ଆମରି ଭିତରକୁ ପ୍ରବେଶ କରୁଥିବା ସେହି ଭଗବାନଙ୍କୁ ମଧ୍ୟ ଗୋଟାଏ ବାଡ଼ରୂପେ ତିଆରି କରି ରଖିଦେଉ; ଆମେ ଭଗବାନଙ୍କୁ ଆମ ଅହଂବିହ୍ଵଳତାର ନାନା କଣ୍ଢେଇ କରି ହିଁ ସଜାଇ ରଖୁ । ତେଣୁ, ଅହଂ ଥାନରେ ଅହଂ ରହେ, ଦମ୍ଭ ଥାନରେ ଦମ୍ଭ ରହେ, ଲୋଭ ଥାନରେ ଲୋଭ ରହେ, ଏହିଗୁଡ଼ାକର ଚନ୍ଦନ ବୋଳି ହୋଇ ଭଗବାନ ପ୍ରାୟ ଆମରି ତାଳି ଅନୁସାରେ ନାଚିବାରେ ଲାଗିଥାନ୍ତି ।

 

ଏସବୁ ଲାଗି ମୁଁ ଆହୁରି ଆପଣା ଭିତରକୁ ଯିବି, ତାଙ୍କରି ପୁଲକ ଯେଉଁଠାରେ ମୋ’ର କେଉଁ ଗଭୀରରେ ମୋ’ର ସମ୍ମତି ଲାଗି ଅପେକ୍ଷା କରି ରହିଛି, ତାହାକୁ ମୁଁ ଆପଣାର ପୁଲକରୂପେ ଫୁଟାଇ ପାରିବାର ଯୋଗ୍ୟ ହେବି । ମୋ’ ଆଖିରେ ମୁଁ ତାଙ୍କରି ଆଖି ଦେଇ ଦେଖିବି । ତେବେଯାଇ ଏହି ବନ୍ଧନ ଯିବ, –ଅର୍ଥାତ୍, ଦମ୍ଭ ଦୂର ହେବ, ଯାବତୀୟ ଲୋଭ ଏକ ସ୍ଵଭାବଗତ ଶ୍ରଦ୍ଧାରେ ପରିଣତ ହେବ ।

 

୧ । ୩ । ୭୯

 

ତେଣୁ ଆଗ ତାଙ୍କରି ସାହାଯ୍ୟ ଦରକାର, ଅର୍ଥାତ୍ ତାଙ୍କରି ସମର୍ଥନ ରହିଥିବା ଆବଶ୍ୟକ । ମୁଁ ଯାହାକିଛି କରୁଛି, ତାହା ପଛରେ ତାଙ୍କରି ସମର୍ଥନ ରହିଥିବା ଦରକାର । ତେବେ, କେବେହେଲେ କିଛିହେଲେ ଅସମ୍ଭବ ହୋଇରହିବ ନାହିଁ ।

 

କିନ୍ତୁ ଅନେକ ସମୟରେ ଆମେ ଆପଣାର ଆର୍ତ୍ତ ଇଚ୍ଛାଗୁଡ଼ାକୁ ଭାରି ଆତୁର ଭାବରେ ଚରିତାର୍ଥ କରିବାକୁ ଚେଷ୍ଟା କରିଥାଉ । ଏବଂ, ସେଗୁଡ଼ାକୁ ଯେକୌଣସି ପ୍ରକାରେ ସମ୍ଭବ କରିବା ଲାଗି ଭଗବାନଙ୍କର ସମର୍ଥନକୁ ମଧ୍ୟ ଆମରି ସପକ୍ଷରେ ଟାଣି ଆଣିବାଲାଗି ଉଦ୍ୟମ କରିଥାଉ । ସଂସାରରେ ଅନେକ ଭକ୍ତ ପ୍ରାୟ ଏହିପରି କରିଥାନ୍ତି; ଏହିପରି ଏକ ଉଗ୍ର ଅଭିପ୍ରାୟ ନେଇ ସେମାନେ କେତେ ସଂକୀର୍ତ୍ତନ କରିଥାନ୍ତି, କେତେ ଘଣ୍ଟ ବାଡ଼େଇ ବୁଲୁଥାନ୍ତି । ସେମାନଙ୍କର ଘଣ୍ଟ ବାଡ଼େଇବା ଗୁଡ଼ାକ ହିଁ ସାର ହୋଇ ରହେ । ଏବଂ, ଭଗବାନ ବୋଲି ଅନୁଷ୍ଠାନ ଗୁଡ଼ାକର ମଧ୍ୟଦେଇ ସେମାନେ ଯାହାକୁ ପାଆନ୍ତି, ସିଏ ଅନେକ ସମୟରେ ସେମାନଙ୍କର ଅହଂପରାକ୍ରମ ଗୁଡ଼ାକ ମଧ୍ୟରେ କୁଆଡ଼େ ପୋତି ହୋଇ ରହିଥାନ୍ତି ।

 

ତେଣୁ, ଆମେ ଯାହା କରୁଛୁ, ତାହା ଭଗବାନଙ୍କର କାମ ଅଥବା ଆମର କାମ, –ଏହି ବିଷୟରେ ଆମର ଏକ ନିର୍ମଳ ବିବେକର ସାମର୍ଥ୍ୟ ରହିଥିବା ଦରକାର । ଅର୍ଥାତ୍, ଭଗବାନ ମୋ’ କାର୍ଯ୍ୟରେ ସାହାଯ୍ୟ କରିବାକୁ ଆସୁନାହାନ୍ତି, ମୁଁ ହିଁ ଭଗବାନଙ୍କର କାର୍ଯ୍ୟ କରୁଛି, ତେଣୁ ତାଙ୍କର ସାହାଯ୍ୟ ଅର୍ଥାତ୍ ସମର୍ଥନ ମୋ’ ସହିତ ରହିଛି; ଆମର ଯୁକ୍ତି ଓ ପ୍ରବୃତ୍ତିଗୁଡ଼ାକ ଠିକ୍ ଏହିପରି ହୋଇପାରିବା ଉଚିତ ।

 

ମୁଁ ଯାହା କରୁଛି, ତାହା ଭଗବାନଙ୍କର ପ୍ରତିନିଧି ହୋଇ କରୁଛି । ଅର୍ଥାତ୍, ମୁଁ ଯାହା କରୁଛି, ତାହା ସମସ୍ତଙ୍କ ଲାଗିହିଁ କରୁଛି । ମୁଁ ଯାହା କରିବି, ସେଥିରେ ମୁଁ କାହାରିକୁ ବଞ୍ଚିତ କରିବାକୁ ଯାଉନାହିଁ, ସମସ୍ତଙ୍କୁ ସାଥୀରୂପେ ଗ୍ରହଣ କରି ହିଁ ମୁଁ ତାହା କରୁଛି । ସମସ୍ତଙ୍କ ଲାଗି ଏହି ଦ୍ଵାରଟି ଯେପରି ଅତ୍ୟନ୍ତ ସହଜ ଭାବରେ ଉନ୍ମୋଚିତ ରହିପାରିବ, ଖାସ୍ ସେଇଥିଲାଗି ହିଁ ମୁଁ ଆପଣାର ଉନ୍ମୋଚନ ଇଚ୍ଛା କରୁଛି ।

 

୨ । ୩ । ୭୯

 

ମୋ’ର ବିଶ୍ଵାସ ଯେତେଦୂର ବ୍ୟାପି ରହିଲେ ମଧ୍ୟ ତଥାପି ଭାରି ସାନ ପରି ମନେହୁଏ, ଭାରି ଅଳ୍ପ ପରି ମନେହୁଏ । ବିଶ୍ଵାସର ବାଟରେ ମୁଁ ଯେତିକି ଯେତିକି ଆଗକୁ ଯାଉଥାଏ, ଉପରକୁ ଆହୁରି ସେତିକି ବାଟ ବାକୀ ରହିଥିବା ପରି ଅନୁଭବ ହେଉଥାଏ । ନିଜ ଭିତରେ ମୁଁ ଯେତିକି ସେତିକି ଏକ ସମଗ୍ର ବିଶ୍ଵାସ ସହିତ ପ୍ରବେଶ କରୁଥାଏ, ଅନ୍ତରର ଗଭୀରରେ ଆହୁରି ସେତିକି ବାଟ ତଥାପି ବାକୀ ରହିଥିବା ପରି ମନେହୁଏ ।

 

ତାଙ୍କରି ଶକ୍ତିକୁ ଯେ ମୁଁ ଅନନ୍ତ ଶକ୍ତି ବୋଲି ଅନୁଭବ କରୁଛି, ତାହା ମୋ’ ଭିତରର ବିଶ୍ଵାସ ବଳରେ ହିଁ କରିପାରୁଛି । ଏହି ଅନନ୍ତ ଶକ୍ତିର ଆବିଷ୍କାର ସଙ୍ଗେ ସଙ୍ଗେ ତାହାର ବିସ୍ତାର ମୋ’ ଭିତରଯାଏ ମଧ୍ୟ ରହିଛି ବୋଲି ମୁଁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଅନୁଭବ କରିଥାଏ । ଭଗବତ୍ ଶକ୍ତି ଏକ ଅନନ୍ତ ଶକ୍ତି, ତାହା ମୋ’ ଭିତରେ ପ୍ରଚ୍ଛନ୍ନ ହୋଇ ରହିଥିବା ଏକ ବିରାଟ ଶକ୍ତିର ମଧ୍ୟ ପରିଚୟ ଦେଇ ଯାଇଥାଏ । ଏହି ବିରାଟ ଜୀବନ, ସମ୍ମୁଖରେ ମୋତେ ଘେରି କରି ରହିଥିବା ଏହି ବିରାଟ ବିଶ୍ଵ ଏବଂ ତାହାକୁ ଅଗ୍ରସର କରାଇ ନେଉଥିବା ବିଶ୍ଵସତ୍ୟ, –ଏମାନଙ୍କ ସମ୍ମୁଖରେ ମୁଁ କେବେହେଲେ ଆପଣାକୁ ହେୟ ବା ତୁଚ୍ଛ ବୋଲି ଜ୍ଞାନ କରିପାରେ ନାହିଁ । ଏହି ଜଗତରେ ବାସ କରୁଥିବା ଆଉ କାହାରିକୁ ମଧ୍ୟ ତୁଚ୍ଛ କିମ୍ବା ହେୟ ବୋଲି ବିଚାର କରି ପାରେନାହିଁ । ଏବଂ, ସେଇଥିଲାଗି, ଏ ସବୁକୁ ଛାଡ଼ି ଅଥବା ଆପଣାର ଏହି ସାନ ଘରଟିକୁ ଛାଡ଼ି, ଏଠି କବାଟ କିଳିଦେଇ ଆଉ କେଉଁ ତଥାକଥିତ ବିରାଟ ଆଶ୍ରୟ ଭିତରକୁ ପଳାଇ ଯିବାକୁ ବି ଆଗ୍ରହ ବଳେନାହିଁ-। ସେହି ଶକ୍ତି ସହିତ ଅନ୍ତରଙ୍ଗ ପରିଚୟ ମୋତେ ବି ଶକ୍ତିମାନ୍ କରେ, ମୋ’ ନିଜ ପାଖରେ ଆପଣାର ଏକ ଅନ୍ତରଙ୍ଗ ଏବଂ ଶକ୍ତିମାନ୍ ପରିଚୟ ଦେଇଯାଏ ।

 

୩ । ୩ । ୭୯

 

ଅସଲ ବିଶ୍ଵାସଟି ଏକାବେଳେକେ ଅନେକ କ୍ଷେତ୍ରରେ ନିଜକୁ ସକ୍ରିୟ କରି ରଖିଥାଏ । ଭଗବାନଙ୍କ ଉପରେ ବିଶ୍ଵାସ, ଜୀବନ ଉପରେ ବିଶ୍ଵାସ, ମଣିଷ ଉପରେ ବିଶ୍ଵାସ ଓ ନିଜ ଉପରେ ବିଶ୍ଵାସ, –ଏହିପରି ନାନା କ୍ଷେତ୍ରରେ ସେହି ଯଥାର୍ଥ ବିଶ୍ଵାସଟି ନିଜକୁ କାର୍ଯ୍ୟକାରୀ କରି ରଖିଥାଏ । ଭଗବାନଙ୍କର ଇଚ୍ଛା ଯେ ଏଠି ସବୁଠାରେ କାର୍ଯ୍ୟକାରୀ ହେଉଛି, ତାହାରି ଉପରେ ଅଟଳ ବିଶ୍ଵାସ ରଖିବା ଏବଂ ସେଇଟି ସହିତ ସହଯୋଗ କରିବାକୁ ହିଁ ଭଗବାନଙ୍କ ଉପରେ ବିଶ୍ଵାସ କରିବା ବୋଲି କୁହାଯିବ । ମୁଁ ଯେଉଁଟି ସହିତ ସହଯୋଗ କରୁଛି, ତାହା ମୋ’ ର ଆତ୍ମବିଶ୍ଵାସ ରୂପେ ମୋ’ ଭିତରେ ନିହିତ ହୋଇ ରହିଛି । ଜୀବନ ଉପରେ ଓ ମଣିଷ ଉପରେ ବିଶ୍ଵାସକୁ ସେହି ବିଶ୍ଵାସଟି ହିଁ ପ୍ରସାରିତ ହୋଇ ରହିଛି ।

 

ଯେତେବେଳେ ମୁଁ ଏହି ନାନାବିଧ ବିଶ୍ଵାସ ମଧ୍ୟରେ ପାତର ଅନ୍ତର କରିଥାଏ, ସେତେବେଳେ ହିଁ ମୁଁ ତଦ୍ଦ୍ଵାରା ନାନା ସୀମାର ସୃଷ୍ଟି କରିଥାଏ, ଅର୍ଥାତ୍ ନାନା ଅସମର୍ଥତାର ବି ସୃଷ୍ଟି କରିଥାଏ । ମୁଁ ନିଜ ଭିତରେ ଓ ଜଗତ ଭିତରେ ତାରତମ୍ୟ ଅର୍ଥାତ୍ ପାତରଅନ୍ତର କରିଥାଏ । ଭଗବାନଙ୍କ ଭିତରେ ମଧ୍ୟ ବ୍ୟବଧାନ ସୃଷ୍ଟି କରିଥାଏ । ଭଗବାନଙ୍କୁ ନିଜ ଭିତରକୁ ଟାଣି ଆଣିବାର ଏକ ଅତିଲୋଭ ଓ ଅତିଚାର ଦ୍ଵାରା ପ୍ରେରିତ ହୋଇ ମୁଁ ତାଙ୍କୁ ସମସ୍ତ ଜଗତଠାରୁ ମଧ୍ୟ ଅନ୍ତର କରି ରଖିବାର ଚେଷ୍ଟା ଅନେକ ସମୟରେ କରିଥାଏ । ଭଗବାନଙ୍କୁ କେବଳ ନିଜେ ହିଁ ଗୋଟାସୁଦ୍ଧା କରି ପାଇବି ଓ ତା’ ପରେ ମୋ’ର ପାଇଥିବା ଧନକୁ କଣାଏ କଣାଏ କରି ପୃଥିବୀସ୍ଥ ଆଉମାନଙ୍କୁ ବିତରଣ କରିବି, –ଆମ ଜଗତର ଅନେକ ଭଗବତ୍‌ପନ୍ଥୀ ଏପରି ଏକ ଅପରାକ୍ରମର ବି ବଶବର୍ତ୍ତୀ ହୋଇଥାନ୍ତି । ଏହିମାନେ ହିଁ ସୀମା ସୃଷ୍ଟି କରନ୍ତି, ନାନା ପ୍ରକାର ବାରଣ ସୃଷ୍ଟି କରନ୍ତି । ଆପଣାର ଅସମର୍ଥତା ଗୁଡ଼ାକୁ ବଢ଼ାଇବା ସଙ୍ଗେ ସଙ୍ଗେ ସେମାନେ ସମଗ୍ର ଭାବରେ ଆମ ସଂସାରର ଅସମର୍ଥତା ଗୁଡ଼ାକୁ ମଧ୍ୟ ସ୍ଥାୟୀ କରି ରଖିବାରେ ସାହାଯ୍ୟ କରୁଥାନ୍ତି ।

 

ବିଶ୍ଵାସ, –ସିଏ ଗୋଟିଏ । ଏହି ସବୁଯାକ ସ୍ତରରେ ତାହା ଆପଣାକୁ ପ୍ରସାରିତ କରି ରଖିଛି, ଆପଣାକୁ ସବୁଠାରେ ଅନୁଭୂତ କରାଉଛି ।

 

୪ । ୩ । ୭୯

 

ଅସୁବିଧା ଆସିବ, ବାଧା ଆସିବ, ପ୍ରମାଦ ବି ପଡ଼ିବ । କିନ୍ତୁ, ଯେତେବେଳେ ଆମର ଇଚ୍ଛା ତାଙ୍କ ଇଚ୍ଛାଠାରୁ କୌଣସି ପ୍ରକାରେ ଅଲଗା ହୋଇ ଗତି କରୁଥିବ ବା ଆମେ ଆମ ନିଜର ସ୍ଵତନ୍ତ୍ର କୌଣସି ଆତୁରତା ଅଥବା ଇଚ୍ଛାର ପୂରଣ ଲାଗି ତାଙ୍କ ଇଚ୍ଛାକୁ ଆମ ପଟକୁ ଟାଣି କରି ନେଇ ଆସିବାକୁ ଚେଷ୍ଟା କରୁଥିବା, କେବଳ ସେତିକିବେଳେ ହିଁ ଏହିସବୁ ଅସୁବିଧା, ବାଧା ଏବଂ ପ୍ରମାଦ ଆସୁଥିବ ।

 

ନିଜର ଇଚ୍ଛାକୁ ତାଙ୍କରି ଇଚ୍ଛାଟି ସହିତ ସଂଯୁକ୍ତ କରି ରଖିଥିଲେ, ଅର୍ଥାତ୍ ଆପଣାକୁ ତାଙ୍କରି ଅଭିପ୍ରେତ ରୂପେ ତାଙ୍କର ଏହି ସଂସାରର ଭିତରେ ଉଦ୍ୟତ କରି ରଖିଥିଲେ, ସଂସାରରେ ହୁଏତ ତଥାପି ବାଧା ଆସିବ, ଅସୁବିଧା ଆସି ପହଞ୍ଚିବ, ମାତ୍ର ସେଗୁଡ଼ାକ ମୋଟେ ବାଧା ବା ଅସୁବିଧା ବୋଲି ଅନୁଭୂତ ହେବନାହିଁ । ସେଗୁଡ଼ାକ ମଧ୍ୟ ପଥର ଅବଶ୍ୟମ୍ଭାବୀ ଅଙ୍ଗରୂପେ ଅନୁଭୂତ ହେବ । ବାଧା ଥିବ, ତଥାପି ତଦ୍ଦ୍ଵାରା ଆପଣାକୁ କୌଣସି ପ୍ରକାରେ ବ୍ୟାହତ ହେଉଥିଲା ପରି ଲାଗୁନଥିବ । ଯିଏ ପର୍ବତାରୋହଣକୁ ପଥରୂପେ ଗ୍ରହଣ କରି ସାରିଛି, ତାକୁ ପର୍ବତଗୁଡ଼ାକ ବାଧା ବୋଲି କାହିଁକି ବା ମନେ ହେବ ? ପର୍ବତମାନେ ତାକୁ ଗୋଟିଏ ଗୋଟିଏ ଆହ୍ଵାନ ପରି ମନେହେବେ ।

 

ଯିଏ ପ୍ରେରଣା, ତାକୁ ଆମେ ଆମ ଦୁର୍ଦ୍ଦିନରେ ଔଷଧ ପରି ମଧ୍ୟ ବ୍ୟବହାର କରି ପାରିବା । ଯେତେବେଳେ ବାଧାଗୁଡ଼ାକ ବାଧା ବୋଲି ମନେ ହେବ, ପର୍ବତ ଗୁଡ଼ାକ ପ୍ରାଚୀର ପରି ଠିଆ ହୋଇ ପଥ ରୁଦ୍ଧ ହୋଇ ଯାଉଥିଲା ପରି ମନେହେବ ଆମେ ଆପଣାକୁ କେବଳ ତାଙ୍କରି ଅଭିପ୍ରେତ ବୋଲି ସ୍ମରଣ କରିବା, ତାଙ୍କରି ଇଚ୍ଛାର ପରିପୂରଣ ଲାଗି ଆମେ ଯେ ଏଠାକୁ ଆସିଛୁ ଓ ଏଠାରେ ବାଟ ଚାଲିଛୁ, ସେହି କଥା ସ୍ମରଣ କରିବା । ସେତେବେଳେ ତେବେ ଏହି ସ୍ମରଣ ଆମ ଉପରେ ଠିକ୍ ଔଷଧ ପରି କାମ କରିବ । ଆମର ବାଧାଗୁଡ଼ାକୁ ହରଣ କରିନେବ । ଆମକୁ ପୁନର୍ବାର ପୂର୍ଣ୍ଣ ବିଶ୍ଵାସରେ ପଥ ଉପରେ ବାହାର କରାଇ ନେଇଯିବ ।

 

୫ । ୩ । ୭୯

 

ସମଗ୍ରତାକୁ ମୁଁ ମୋ’ର ଏଇ ପାଖରୁ ବିଚାର କରି ପାରିବି । ମୋ’ର ଏହି ପାଖଟି, ଯାହା ନାନାପ୍ରକାର ସୀମା ଭିତରେ ନାନା-ଖଣ୍ଡ ହୋଇ ରହିଛି, ନାନାପ୍ରକାରେ ଭିନ୍ନ ହୋଇ ରହିଛି, ମୁଁ ଏଇଟିକୁ ସମଗ୍ର ଭାବରେ, ସମଗ୍ରଟିଏ କରି ସେଇଠି ନେଇ ରଖିଦେଇ ପାରିବି, ନିଜକୁ ଆଉ ଗୋଟିଏ ସମଗ୍ରତାର ସ୍ପର୍ଶରେ ଗୌରବାନ୍ଵିତ ଓ ଚେତନାଯୁକ୍ତ କରି ରଖିପାରିବି, ତାହାର–ଗ୍ରହଣଶୀଳତା ଏବଂ ପ୍ରବେଶ ସମର୍ଥତାକୁ ମୁଁ ଯଥାସମ୍ଭବ ସମଗ୍ର କରି ରଖି ପାରିବି । ତା’ର ଅର୍ଥ ନୁହେଁ ଯେ ମୁଁ ସେହି ସମଗ୍ରତାକୁ ନିଜ ଭିତରେ ଆଣି ଏକ ସୀମା ଦେଇ ରଖିପାରିବି । ମୁଁ ଗୋଟାଏ ସମଗ୍ରତା ମଧ୍ୟରୁ ଆଉଗୋଟିଏ ବୃହତ୍ତର ସମଗ୍ରତା ମଧ୍ୟକୁ ନିଜକୁ ନେଇଯିବାରେ ଲାଗିଥିବି, –ତଥାପି ସେହି ସମଗ୍ରତାର ପରିଧିଗୁଡ଼ିକ ମଧ୍ୟ ମୋ’ ଲାଗି ଆହୁରି ବିସ୍ତୃତ ହୋଇଯିବାରେ ଲାଗିଥିବ, ସେହି ଉଚ୍ଚତାଗୁଡ଼ାକ ଆହୁରି ଉଚ୍ଚ ହେଉଥିବ, ସେହି ଗଭୀରତା ଗୁଡ଼ାକ ଆହୁରି ଅଧିକ ଗଭୀର ହୋଇ ଅନୁଭୂତ ହେଉଥିବ । ମୋତେ ଆକର୍ଷିତ କରି ନେଉଥିବ ।

 

ତେଣୁ ଏହି ଶାନ୍ତି ଓ ଆନନ୍ଦରେ ବି ସେହିପରି ଶେଷ ନାହିଁ । ନାନା ଆପେକ୍ଷିକ ଶାନ୍ତି ଓ ଆପେକ୍ଷିକ ଆନନ୍ଦର ଗାରଗୁଡ଼ାକୁ ଅଯଥେଷ୍ଟ ବୋଲି ଅନୁଭବ କରି ମୁଁ ସତତ ବୃହତ୍ତର ଏବଂ ଆହୁରି ବୃହତ୍ତର ଶାନ୍ତି ତଥା ଆନନ୍ଦ ମଧ୍ୟକୁ ଗତି କରି ଯାଉଥିବି । ନିଜର ଜୀବନ ମଧ୍ୟରେ ବି ମୁଁ ଏହି ଅସରନ୍ତି ଯିବା, ଅସରନ୍ତି ପାଇବାର ଅନୁଭବ ଲାଭ କରିବାରେ ଲାଗିଥିବି । ମୁଁ ପରିପୂର୍ଣ୍ଣ ଶାନ୍ତି ଓ ଆନନ୍ଦ ଲାଭ କରିଛି ବୋଲି କହିବାର ଦୁର୍ଯୋଗ ମୋ’ର କେବେହେଲେ ଆସିବନାହିଁ । ଏହି ଶାନ୍ତି ଆପଣାକୁ ପୂର୍ଣ୍ଣତ୍ତର ଭାବରେ ପ୍ରସ୍ତୁତ କରି ପାରୁଥିବାର ଶାନ୍ତି ଏବଂ ଏହି ଆନନ୍ଦ ହେଉଛି ଆପଣା ଭିତରେ ସେହି ଅସଲ ସମଗ୍ର ସ୍ପର୍ଶଟିକୁ ଆହୁରି ଅଧିକ ନିବିଡ଼ କରି ପାରୁଥିବାର ଆନନ୍ଦ ।

 

୬ । ୩ । ୭୯

 

ସେହି ଅଭୀପ୍‌ସାର ଆଦି ନାହିଁ କି ଅନ୍ତ ନାହିଁ । ଗୋଟାଏ ନିର୍ଦ୍ଦିଷ୍ଟ ପ୍ରକାରର ଭେକ ଧରିଲେ ଯେ ଏହି ଅଭୀପ୍‍ସା ଜନ୍ମଲାଭ କରିଥାଏ, ଏହା ଏକାବେଳେକେ ମିଛ । ମଣିଷ ହୋଇ ଜନ୍ମ ହେବାର ଅର୍ଥ ହେଉଛି ଏହି ଅଭୀପ୍‍ସାଟିକୁ ବହନ କରି ବାଟ ଚାଲିବା ।

 

ତାଙ୍କୁ ଡାକିଲାବେଳେ ଏହି ଅଭୀପ୍‌ସା ହିଁ ଆପଣାକୁ ସଚଳ କରି ରଖିଥାଏ । ତାଙ୍କର ବାଟ ଚାଲିବା ସମୟରେ ସେହି ଅଭୀପ୍‌ସା ସତେଅବା ତାଙ୍କରିଠାରୁ ଆସିଥିବା ଏକ ବାସନା ପରି ମୋତେ ସତତ ଆଗକୁ ଆଗକୁ ବାଟ ଚଲାଇ ନେଉଥାଏ । ମୁଁ ଯେତେବେଳେ ବାହାରକୁ ଦେଖିବାକୁ ବାଟ ଭୁଲିଯାଏ, ଉଚିତ ଅନୁଚିତର ବିଚାର କରି ଦେଖିଲେ ଯେତେବେଳେ ମୁଁ ପଥଭ୍ରଷ୍ଟ ହୋଇପଡ଼େ, ସେତେବେଳେ ମଧ୍ୟ ସେହି ଅଭୀପ୍‌ସା ହିଁ ମୋ’ ଭିତରେ କାର୍ଯ୍ୟକାରୀ ହୋଇ ରହିଥାଏ । ଅର୍ଥାତ୍, ମୁଁ ଯାହା କରେ, ମୋ’ ଭିତରେ ରହିଥିବା ଅଭୀପ୍‍ସା ହିଁ ମୋତେ ବିଭିନ୍ନ ପ୍ରକାରେ ପ୍ରସ୍ତୁତ ଓ ଯୋଗ୍ୟ କରି ଆଣିବା ଉଦ୍ଦେଶ୍ୟରେ ହିଁ ତାହା କରିବାରେ ଲାଗିଥାଏ ।

 

ମୁଁ ହୁଏତ ଏହି ବାହାରେ ବାହାରେ ପ୍ରାୟ ଆତ୍ମଛଡ଼ା ହୋଇ ବୁଲୁଥିବା ସମୟରେ ସେହି ଅଭୀପ୍‌ସାଠାରୁ ସାମୟିକ ଭାବରେ ମୋ’ର ଖିଅ ଛାଡ଼ି ଯାଇଥାଏ । ମାତ୍ର ଅଭୀପ୍‌ସା ମୋତେ ଛାଡ଼େନାହିଁ । ମୁଁ ଜୀବନର ସବୁ ଚାହିଦା ମଧ୍ୟରେ ଯାହାକୁ ସତତ ଚାହୁଛି, ମୋ’ ଭିତରେ ତାଙ୍କର ସେହି ଉଚ୍ଚାଟନକୁ ହିଁ ମୁଁ ଅଭୀପ୍‍ସା ବୋଲି ଜାଣିଛି । ମୋ’ ଭିତରେ ମୋ’ ଠାରୁ ବୃହତ୍ତର ଯେଉଁ ସମ୍ପଦ ଓ ମହିମାଟି ରହି ମୋତେ ଏହି ଅଳ୍ପ ଭିତରୁ ବାହାରି ଚାଲିଯିବା ସକାଶେ ଅନବରତ ପ୍ରେରଣା ଦେବାରେ ଲାଗିଛି, ତାହାହିଁ ମୋ’ ର ଅଭୀପ୍‍ସା, ମୋ’ର ପରମ ମିତ୍ର, ମୋ’ର ପରମ ପ୍ରେରଣା, ମୋ’ର ସର୍ବଶ୍ରେଷ୍ଠ raison d’etre; ତାହା ହିଁ ମୋତେ ଏଠାରେ ନାନା କର୍ମ ମଧ୍ୟରେ ସକ୍ରିୟ କରି ରଖିଛି । ନାନା ସ୍ଵପ୍ନ ମଧ୍ୟରେ ସଚଳ କରି ରଖିଛି । ନାନା ବିଚ୍ୟୁତି ମଧ୍ୟରେ ମୋତେ ତଥାପି ସଂଯୁକ୍ତ କରି ରଖିଛି ।

 

୭ । ୩ । ୭୯

 

ଆଶାର ଶେଷ ନାହିଁ । ଆଶାର ସୀମା ନାହିଁ । ତେଣୁ ସାହସର ବି ଶେଷ ନାହିଁ । ସହିଷ୍ଣୁତାର ବି ସୀମା ନାହିଁ ।

 

ଆଶା କୁଆଡ଼େ ବୈତରଣୀ ନଦୀ । ଏହି ବୈତରଣୀ ନଦୀରେ ଏ କୂଳ ଅଛି, କୌଣସି ସେ କୂଳ ନାହିଁ । ଯୋଉ ବୈତରଣୀ ନଦୀକୁ ପାର ହେଲେ ପାପମୟ ଏପାଖ ସଂସାରରୁ ଲୋକେ ପୁଣ୍ୟମୟ ସେପାଖର ସ୍ଵର୍ଗକୁ ଚାଲିଯାଆନ୍ତି, ମୁଁ ସେହି ବୈତରଣୀ ନଦୀକୁ ମାନେ ନାହିଁ । ସେପାଖକୁ ଚାଲିଗଲେ ଯେ ସକଳ ଆଶାରୁ ମୋତେ ଉଦ୍ଧାର ମିଳିବ, ମୁଁ ଏକାବେଳେକେ ସବୁକିଛି ପାଇଯିବି, ତା’ ପରେ ମୋତେ ଆଉ କିଛିହେଲେ କରିବାକୁ ପଡ଼ିବନାହିଁ, ଏପରି ଏକ ନୀତିବିଧାନକୁ ମୁଁ ମୋଟେ ମାନେନାହିଁ ।

 

ଯେଉଁମାନେ ଏପରି ଏକ ସେ କୂଳର କଳ୍ପନା କରିଥାନ୍ତି, ସେମାନେ ସତେଅବା ଆପଣାର ସାହସ ଓ ସହିଷ୍ଣୁତାର କ୍ଷେତ୍ରରେ ଖୁବ୍ ବେଶୀ ଦୃଢ଼ ହୋଇ ପାରିନଥାନ୍ତି । ଏବଂ ସାହସ ଓ ସହିଷ୍ଣୁତାର କ୍ଷେତ୍ରରେ ଏହିପରି ଅଦୃଢ଼ ହୋଇ ବସିଥିବା ମଣିଷ ମୂଳତଃ ଆପଣାକୁ ଓ ସଂସାରକୁ ନେଇ ବିରକ୍ତ ହୋଇ ରହିଥାଏ । ସିଏ ଏଠୁ ପଳାଇ ଯିବାକୁ ଇଚ୍ଛା କରୁଥାଏ । ଏଠି ଜୀବନର ଓ ଜୀବନାହ୍ଵାନ ଗୁଡ଼ିକର ସମ୍ମୁଖୀନ ହୋଇ ନପାରି ସେ ଏଠାରୁ ପଳାଇଯିବ ବୋଲି ମନ କରୁଥାଏ । ପଳାଇ ଯିବାର ଯାବତୀୟ ଧନ୍ଦାକୁ ହିଁ ସେ ଧର୍ମ ବୋଲି ମାନିଥାଏ । ସନ୍ତପ୍ତତା ଗୁଡ଼ାକୁ କେଡ଼େ ବାଗରେ ସିଏ ପ୍ରାୟ ଏକ ସାଧନା ବୋଲି ବିଶ୍ଵାସ କରୁଥାଏ । ସତେଅବା ଏକ ମର୍ମଗତ ଅବିଶ୍ଵାସରେ ନିଜକୁ ସେ ଜୁଆଇ କରି ରଖିଥାଏ ।

 

ମୋ’ର ଆଶା ମୋତେ ଅଧିକ ସାହସ ଦେଇଛି, ସହିବା ସକାଶେ ଅଧିକ ଶକ୍ତି ଦେଇଛି-। ମୋ’ର ସାହସ ମୋତେ ଆହୁରି ଅଧିକ ଆଶା କରିବାଲାଗି ଯୋଗ୍ୟ କରି ଆଣିଛି । ମୋ’ର ସହନଶୀଳତା ଏକ ନିର୍ଭୀକ ବିଶ୍ଵାସରୁ ହିଁ ଜନ୍ମଲାଭ କରିଛି । ଏହି ବିଶ୍ଵାସର ଆଖିରେ ଅନାଇଲା ବେଳେ ଜୀବନର ନଈଟା ମୋତେ ଆଉ ଏ କୂଳ ବନାମ୍ ସେ କୂଳ ପରି ଦିଶିନାହିଁ । କେବଳ ଏକ ପଥ ପରି ଦିଶିଛି ।

 

୮ । ୩ । ୭୯

 

ପ୍ରାର୍ଥନାରେ ଯୋଗ୍ୟ ହେବା, ସେହି ହେଉଛି ପରମ ଭାଗ୍ୟ । ମୋ’ ପ୍ରାର୍ଥନାର ଫଳଗୁଡ଼ାକ ଅଧିକ ନିଶ୍ଚିତ ଭାବରେ ଫଳିବ ବୋଲି ଯେଉଁମାନେ ଆପଣାର ପ୍ରାର୍ଥନାରେ ଅଧିକରୁ ଅଧିକ ନିଷ୍ଠାପର ହେବାଲାଗି ଚେଷ୍ଟା କରନ୍ତି, ସେମାନେ ବୋଧହୁଏ କେବେହେଲେ କୌଣସି ଯଥାର୍ଥ ପ୍ରାର୍ଥନାର ଯୋଗ୍ୟ ହୋଇ ପାରନ୍ତିନାହିଁ । ଶେଷରେ ସେହି ତଥାକଥିତ ନିଷ୍ଠାଗୁଡ଼ାକ ମଧ୍ୟ କ୍ରମେ ଏକ ଅନ୍ୟ ପ୍ରକାର ଉତ୍ସାହର କ୍ରୂର କବଳରେ ପଡ଼ି ତୁଚ୍ଛା ବାହ୍ୟାଚାରରେ ପରିଣତ ହୋଇ ରହିଯାନ୍ତି । ତା’ ପରେ ଘଣ୍ଟ ବାଜେ, ଚନ୍ଦନ ଲେଶାହୁଏ, ଫୁଲ ଆଉ ପତ୍ର ମଞ୍ଜରୀରେ ଅର୍ଚ୍ଚନାଗୁଡ଼ାକ ଭାରି ବହଳିଆ ହୋଇ ଦିଶନ୍ତି । ତଥାପି ପ୍ରାର୍ଥନା ସମ୍ଭବ ହୋଇ ପାରେନାହିଁ । ଯାହା ଖୋଲିବା କଥା, ତାହା ମୋଟେ ଖୋଲେନାହିଁ । ଯାହା ଧରା ଦେବା କଥା, ତାହା ମୋଟେ ଧରା ଦିଏନାହିଁ । ଖୁବ୍ ବେଶୀହେଲେ ଗୋଟାଏ ଗୋଟାଏ ସାମୟିକ ଆତୁରତା, ବିହ୍ଵଳତା ଅଥବା ଅତିଶୟତା ମଧ୍ୟରେ ଆମର ପ୍ରାର୍ଥନାମାନ ବଡ଼ ବିରୂପ ହୋଇ ପଡ଼ି ରହିଥାନ୍ତି ।

 

ତେଣୁ, ମୁଁ ପ୍ରାର୍ଥନାରେ ଯୋଗ୍ୟ ହେବି । ଆଖି ବୁଜିଲା ମାତ୍ରକେ ସାନ୍ନିଧ୍ୟରେ ଯାଇ ବସି ପାରୁଥିବି । ଫୁଲଟିଏ ଦେଖିଲା ମାତ୍ରକେ ଭିତରେ ଏକାବେଳେକେ ଅନେକ ଫୁଲଫୁଟି ଉଠିଲାପରି ଅନୁଭବ କରୁଥିବି । ହଁ କେତେବେଳେ ହେଲେ ମଧ୍ୟ କୌଣସି ପ୍ରକାର କୋଳାହଳକୁ ମୋଟେ ମନ କରିବି ନାହିଁ । ସକଳ ପ୍ରକାର ପ୍ରଦର୍ଶନ ଅର୍ଥାତ୍ କୃତ୍ରିମତାଠାରୁ ଦୂରବର୍ତ୍ତୀ ହୋଇ ରହିଥିବି । ଭିତରକୁ ଅନାଇଦେବା ମାତ୍ରକେ ଶୀତଳ ହୋଇଯାଇ ପାରୁଥିବି, ଆକାଶର ନିର୍ଭର ପାଇ ପାରୁଥିବି, ମୁଁ ନିଜ ଘରେ ରହିଛି ବୋଲି ଅଭୟ ପାଉଥିବି । ଭିତର ପରି ବାହାରକୁ ମଧ୍ୟ ସତତ ଆପଣାର ଘରପରି ଅନୁଭବ କରି ପାରୁଥିବି । ଏବଂ, ଯାହା ମୋ’ର କଣ୍ଠରୁ ବାହାରୁଥିବ, ତାହା ମୋ’ ର ସମଗ୍ର ଚେତନାର ଭୂମି ଉପରେ ଠିକ୍ ଏକ ପ୍ରାର୍ଥନା ପରି ଅନୁଭୂତ ହେଉଥିବ । ଯାହା କଣ୍ଠ ତଳେ ନୀରବ କଥା ହୋଇ ରହିଥିବ, ସିଏ ମଧ୍ୟ କଣ୍ଠରୁ ବାହାରୁଥିବା ଶବ୍ଦଗୁଡ଼ିକ ସହିତ ପୂର୍ଣ୍ଣ ସହଯୋଗ କରି ପାରୁଥିବ ।

 

୯ । ୩ । ୭୯

 

ହୃଦୟ ସରଳ ନହେଲେ ତାହା କ୍ରମେ ଏକ ହୃଦୟଯନ୍ତ୍ରରେ ପରିଣତ ହୋଇଯାଏ । ଅର୍ଥାତ୍, ମସ୍ତିଷ୍କଯନ୍ତ୍ରର ପ୍ରାୟ ଏକ ଗୋଡ଼ାଣିଆ ବା ଅନୁସରଣିଆ ହୋଇ ରହେ । ମୁଣ୍ଡର ଫିସାଦ ଅନୁସାରେ ମଣିଷ ପ୍ରଧାନତଃ ଏକ ଆତ୍ମରକ୍ଷାମୂଳକ ସତର୍କତାବୃତ୍ତି ଦ୍ଵାରା ପରିଚାଳିତ ହୋଇ ଯାହା କରିବାକୁ ବା ହାସଲ କରିବାକୁ ପ୍ରୟୋଜନୀୟ ବୋଲି ଭାବେ ତା’ର ହୃଦୟ ଧୀରେ ଧୀରେ ତାହାରି ଡିଟୋ କରେ ଓ ତେଣୁ ତାହାର ଅସଲ ବୃତ୍ତି ଓ ବୁଦ୍ଧି ବିଷୟରେ ବିସ୍ମୃତ ହୋଇ ବସେ । ଏବଂ, ଯେଉଁ ହୃଦୟରେ ଏକ ସ୍ଥିର ବିଶ୍ଵାସ ନଥାଏ, ଭଲ ଉପରେ ବିଶ୍ଵାସ ନଥାଏ, ମଣିଷ ମଧ୍ୟରେ ରହିଥିବା ଅନ୍ତର୍ନିହିତ ଭଲ ଉପରେ ବା ବିଶ୍ଵାସ ନଥାଏ, ସେହି ହୃଦୟ କିପରି ସରଳ ହୋଇ ପାରିବ-? ସେହି ହୃଦୟ ଚଲାଖ ହେବାକୁ ଚେଷ୍ଟା କରିବ, ଚଲାଖ ହେଉ ହେଉ ଭୀରୁ ହେବ, ଭୀରୁ ହେଉ ହେଉ ସନ୍ଦେହୀ ହେବ ଏବଂ ସନ୍ଦେହୀ ହେଉ ହେଉ ଆପଣାର ଭିତରେ ତଥା ବାହାରେ ନାନାପ୍ରକାରେ କ୍ଷତବିକ୍ଷତ ହୋଇ ରହିଥିବ । ତେଣୁ, ହୃଦୟ ଅର୍ଥାତ୍ ସରଳ ହୃଦୟ, ହୃଦୟ ଅର୍ଥାତ୍ ବିଶ୍ଵାସମୟ ହୃଦୟ, –ଆପେ ତାତ୍କାଳିକ ଭାବରେ ଯେତେ କ୍ଷତିରେ ପଡ଼ୁଥିଲେ ମଧ୍ୟ ତଥାପି ବିଶ୍ଵାସକୁ ହିଁ ଧର୍ମ ବୋଲି ଗ୍ରହଣ କରି ନେଇଥିବା ହୃଦୟ । ଲାଭକ୍ଷତିର ବଜାରରେ ଯିଏ କେବଳ ଲାଭ ଇଚ୍ଛା କରେ, ଲାଭ ପାଇଁ ଭଲ ପାଏ ଓ ଲାଭ ପାଇଁ ଅନ୍ୟମାନଙ୍କର ନିକଟବର୍ତ୍ତୀ ହେବାପାଇଁ ମନ ରଖିଥାଏ, ତା’ ହୃଦୟରେ ହୃଦ୍‍ବତ୍ତା ହିଁ ନଥାଏ ।

 

ସେଥିପାଇଁ ସରଳ ହୃଦୟ ଓ ବିଶ୍ଵାସୀ ହୃଦୟର ଭାଜନ ହୋଇପାରିବା କେବଳ ଏକ ଆଶୀର୍ବାଦ ନୁହେଁ, ଏହା ହେଉଛି ଏକ ସର୍ତ୍ତ । ଏହି ସର୍ତ୍ତ ହେଉଛି ହୃଦୟ ଦ୍ଵାରା ବଞ୍ଚିବାର ଏକ ସର୍ବପ୍ରଧାନ ସର୍ତ୍ତ । ହୃଦୟ ସରଳ ଏବଂ ବିଶ୍ଵାସୀ ହୋଇପାରିଲେ ଯାଇ ଆପଣା ବିଶ୍ଵର ଯଥାର୍ଥ ଆବିଷ୍କାରରେ ମୁଁ ହୃଦୟକୁ ଉଚିତ ପ୍ରକାରେ କାମରେ ଲଗାଇ ପାରିବି ।

 

୧୦ । ୩ । ୭୯

 

ତାଙ୍କୁ ସ୍ମରଣ କରିବା, ଅର୍ଥାତ୍ ତାଙ୍କୁ ଅନୁଭବ କରିବା । ସିଏ ଏହି ଭିତରେ ଅଛନ୍ତି, ବାହାରେ ସବୁଟି ଭିତରେ ରହିଛନ୍ତି । ମୋ’ ଭିତରେ ରହିଛନ୍ତି, ସବୁରି ଭିତରେ ରହିଛନ୍ତି । ଯାହା ଗଲା, ତାହା ଭିତରେ ସେ ରହିଛନ୍ତି; ଯାହା ଆସୁଛି, ତାହା ଭିତରେ ରହିଛନ୍ତି । ଯାହା ଗଲା, ତାହା ଭିତରେ ସେ ସ୍ମୃତି ହୋଇ ରହିଛନ୍ତି; ଏବଂ ଯାହା ଆସୁଛି, ତାହା ଭିତରେ ବୀଜ ରୂପରେ ରହିଛନ୍ତି । ମୋ’ର ସାଧନା ଭିତରେ ରହିଛନ୍ତି, ମୋ’ର ଯାବତୀୟ ଖିଅ ଭିତରେ ରହିଛନ୍ତି, ମୋ’ର ଯାବତୀୟ ସ୍ଵପ୍ନ ଭିତରେ ସେ ରହିଛନ୍ତି ।

 

ତେଣୁ, ମୋ’ର କଥାକଥିତ କର୍ମର ସବୁଯାକ ଖିଅରେ ସେଇ ରହିଛନ୍ତି । ମୁଁ କୌଣସି କର୍ମ କଲାବେଳେ ତାଙ୍କୁ ବାହାରୁ କୁଆଡ଼ୁ ଆବାହନ କରି ଆଣିବି, ତାଙ୍କୁ ଥାପନା କରି ବସାଇବି ଏବଂ ବିଧି ଅନୁସାରେ ତାଙ୍କୁ ସ୍ମରଣ କରିବି, ଏକଥାଟା ମୋ’ ଜୀବନରେ ଖୁବ୍ ବେଶୀ ହୋଇ ପାରେନାହିଁ । ତେଣୁ, ଯେଉଁମାନେ କୌଣସି କାରଣରୁ ଆର୍ତ୍ତ ଭାବରେ ତାଙ୍କୁ ଡାକନ୍ତି, ସିଏ ଏଠାରେ ନଥିଲା ପରି ତାଙ୍କୁ ଏଠାକୁ ଆସିବାପାଇଁ ଆତୁର ଭାବରେ ଘୋଷି ହେଉଥାନ୍ତି, ମୁଁ ସେମାନଙ୍କର ଦୁଃଖରେ ସମଦୁଃଖୀ ହୁଏ ସିନା, ମାତ୍ର ସେମାନଙ୍କର ରୀତିଟିକୁ ସେପରି ଭଲ ଭାବରେ ବୁଝି ପାରେନାହିଁ । ବାହାରକୁ ଅନାଇ ତାଙ୍କୁ ସ୍ମରଣ କରୁଥିବା ବେଳେ ଅର୍ଥାତ୍ ତାଙ୍କର ପ୍ରତିଚ୍ଛବିଗୁଡ଼ିକୁ ସମସ୍ତଙ୍କ ଭିତରେ ଦେଖୁଥିବା ବେଳେ ସିଏ ଏହି ଭିତରେ ଜବାବ ଦେଉଥିବା ପରି ମନେ ହୁଅନ୍ତି । ବରଂ, ଏପରି କହିବାକୁ ହେବ ଯେ, ସେତେବେଳେ ସେ ଏପରି ଏକ ସେତୁ ପରି ଅର୍ଥାତ୍ ଏପରି ଏକ ସତ୍ୟ ପରି ଅନୁଭୂତ ହୁଅନ୍ତି, ଯେଉଁଥିରେ କି ବାହାର ଆଉ ଭିତର ମଧ୍ୟରେ ମୋଟେ କୌଣସି ଭେଦ ନଥାଏ ।

 

ତେଣୁ ରୀତି ହେଲା, ମୁଁ ତାଙ୍କୁ ସ୍ମରଣ କରୁଥିବି, ଅର୍ଥାତ୍ ତାଙ୍କରି କାମ କରୁଥିବି । ତାଙ୍କୁ ସ୍ମରଣ କରୁଥିବି, ଏହି ସଂସାର ଭିତରେ ବିଚରଣ କରୁଥିବି, –ତେବେ ଏଠି ସତତ ଫୁଲ ଫୁଟୁଥିବାର ଅନୁଭବ କରି ପାରୁଥିବି । ଆପଣାର ଜୀବନକୁ ମୂହୂର୍ମୂହୂ ଫୁଟି ଉଠିବାରେ ଲାଗିଥିବା ଏକ ପୁଲକ ପରି ଅନୁଭବ କରୁଥିବି । ତେଣୁ, ସ୍ମରଣ କେବଳ ଏକ ରୁଟିନ୍ ନୁହେଁ, କେବଳ ଏକ ritual ନୁହେଁ, –ସ୍ମରଣ ହେଉଛି ଜୀବନ, ଜୀବନଟା ଯାକ ହିଁ ସ୍ମରଣ ।

 

୧୧ । ୩ । ୭୯

 

ସେଇଠି ସବୁ ମିଳିବ, ସବୁକିଛି ଶ୍ରେୟଃ ସେହିଠାରେ ହିଁ ମିଳିବ । କିନ୍ତୁ ମୁଁ ଶ୍ରେୟଃ ଇଚ୍ଛା କରୁଥିଲେ ସିନା ମୋତେ ସବୁକିଛି ସେଠାରେ ମିଳିବ ? ମୋ’ର ଆବଶ୍ୟକତା ବୋଇଲେ ଯଦି ଏହି ଶ୍ରେୟଃକ୍ଷେତ୍ରର ଆବଶ୍ୟକତାକୁ ବୁଝାଉଥାଏ, ତେବେ ଏକଥାରେ ଆଦୌ କୌଣସି ସନ୍ଦେହ ନାହିଁ ଯେ, ମୋ’ର ସକଳ ଆବଶ୍ୟକତା କେବଳ ସେହିଠାରେ ହିଁ ମିଳିବ, ଅର୍ଥାତ୍, ଆପଣାର ଯାବତୀୟ ଆବଶ୍ୟକତାର ସ୍ମରଣ ଲାଗି ମୁଁ କେବଳ ତାଙ୍କୁ ହିଁ ଅନାଇବି, ତାଙ୍କରି ଉପରେ ନିର୍ଭର କରିବି, ସେହି ଅବଲମ୍ବନଟିକୁ ଆପଣାର ଗୌରବ ବୋଲି ବୋଧ କରୁଥିବି । କିନ୍ତୁ, ଶ୍ରେୟଃକୁ ଛାଡ଼ି ମୋ’ର ଯଦି ଅନ୍ୟ ଆବଶ୍ୟକତା ରହିଥାଏ, ଅର୍ଥାତ୍ ଯଦି ମୋ’ ଭିତରେ ଅନ୍ୟ ଆଗ୍ରହ କରିଥାଏ ।

 

ସେତେବେଳେ ଅନେକ ସମୟରେ ଏହିପରି ହେବ ଯେ, ଭଗବାନଙ୍କୁ ମୁଁ ମୋ’ ଆପଣାର ଲୁଚି ରହିବାଲାଗି ସତେଅବା ଗୋଟାଏ ଗର୍ତ୍ତପରି ବ୍ୟବହାର କରୁଥିବି–ଭଗବାନଙ୍କୁ ମୁଁ ସତେଅବା ମୋ’ ନିଜର ଅଭିଳାଷ ପୁରଣରେ ଏକ ନିମିତ୍ତ ରୂପେ ବ୍ୟବହାର କରୁଥିବି । ଆପଣା ଲାଗି ତାଙ୍କୁ ବାରବାର ନିଜ ଆଡ଼କୁ ଟାଣି ଆଣିବାକୁ ଚେଷ୍ଟା କରୁଥିବି । ତାଙ୍କର ସନ୍ନିଧାନକୁ ନିଜର ଯିବା ପରିବର୍ତ୍ତେ ମୁଁ ମୋ’ର ସକଳ ତଥାକଥିତ ଭକ୍ତି ସତ୍ତ୍ୱେ ତାଙ୍କୁ ହିଁ ମୋ’ର ଏହି ସାନ ଇଚ୍ଛାଗୁଡ଼ିକର ସଂକୀର୍ଣ୍ଣ ଘରଗୁଡ଼ିକରେ ବାନ୍ଧି ରଖିବାଲାଗି ଭାରି ଆଗ୍ରହ ଓ ଭାରି ସ୍ପୂର୍ତ୍ତି ଦେଖାଉଥିବି-

 

ତେଣୁ, ମୋ’ର ଆବଶ୍ୟକତା ଗୁଡ଼ିକର ଭୂମି ବଦଳାଇବାକୁ ପଡ଼ିବ । ଅର୍ଥାତ୍, ଯିଏ ମୋ’ର ସକଳ ଆବଶ୍ୟକତାକୁ ପୂରଣ କରିବେ, ସେଇ ମୋ’ ଭିତରେ ମଧ୍ୟ ରହିଛନ୍ତି, ମୁଁ ସେହି କଥାକୁ ସ୍ଵାଭାବିକ ଭାବରେ ବିଶ୍ଵାସ କରି ପାରୁଥିବି, ଅର୍ଥାତ୍ ଆପଣାର ଛୋଟ ବଡ଼ ଯାବତୀୟ ମୁହୂର୍ତ୍ତରେ ଏବଂ ଅବସରରେ ଅନୁଭବ କରି ପାରୁଥିବି । ତେବେଯାଇ ହେବ ।

 

୧୨ । ୩ । ୭୯

 

ଆମ କାନ୍ଥଗୁଡ଼ାକ ଆମକୁ ଅନେକ ସମୟରେ ଏକ ନିରାପତ୍ତା ଆଣି ଦେଇଥାନ୍ତି । ଆମର ବିଚ୍ଛିନ୍ନତା ଗୁଡ଼ାକ ଆମକୁ ଅନେକ ସମୟରେ ଗୋଟିଏ ପ୍ରକାରର ନିରାପତ୍ତା ଆଣି ଦେଉଥିବା ପରି ମନେ ହେଉଥାନ୍ତି । ପ୍ରାୟ ସେହିପରି ଏକ ନିରାପତ୍ତା ସକାଶେ ଭାରି ଆକୁଳତା ପ୍ରକାଶ କରି ଆମେ ମୁଖାଗୁଡ଼ିଏ ବି ପରିଧାନ କରି ରହିବାକୁ ଭାରି ମନ କରିଥାଉ । ଯିଏ ଆମ ଭିତରେ ଅଧିକ ସଭ୍ୟ, ସିଏ ଏହି ମୁଖାଗୁଡ଼ାକୁ ପିନ୍ଧିବାରେ ଅର୍ଥାତ୍ ଭ୍ରମଗୁଡ଼ିକୁ ଆବୋରି ରହିବାରେ ଅଧିକ ଚତୁର ବୋଲି ମଣିଷମନର ଅଧ୍ୟୟନ କରିଥିବା କେତେକ ବ୍ୟକ୍ତି ସୂଚନା ମଧ୍ୟ ଦେଇ ଯାଇଛନ୍ତି । କିନ୍ତୁ, ଏଗୁଡ଼ାକ କ’ଣ ନିରାପତ୍ତା ? ଏହି ନିରାପତ୍ତା ଗୁଡ଼ାକର କାମନା କରି ଆମେ କ’ଣ ଭଗବାନଙ୍କ ପାଖକୁ ଯିବା ? ଅର୍ଥାତ୍, ଭଗବାନଙ୍କ ପାଖରୁ ଆମେ କ’ଣ କାନ୍ଥଗୁଡ଼ାକର କାମନା କରି ଯିବା, ମୁଖାଗୁଡ଼ାକର କାମନା କରି ଯିବା ? ଆମେ ନିଜ ସ୍ତରରେ ଭୟାର୍ତ୍ତ ହୀନଚିତ୍ତ ହୋଇ ରହିଛୁ, ସେହି ସ୍ତରରେ ଅଧିକ ପୌରୁଷ ଏବଂ ଗୌରବ ଲାଭ କରିବାଲାଗି କ’ଣ ଆମେ ଭଗବାନଙ୍କୁ ଡାକିବା ?

 

ସବୁ କାନ୍ଥ ଭାଙ୍ଗିଯିବା ପରେ ଓ ସବୁ ମୁଖାଗୁଡ଼ାକୁ କାଢ଼ି ଫିଙ୍ଗି ଦେଲା ପରେ ଆଉ ଅନ୍ୟ ଏକ ପ୍ରକାରର ଯେଉଁ ନିରାପତ୍ତା ସମ୍ଭବ ହୋଇଥାଏ, ସିଏ ଆମର ଏହି କାନ୍ଥ ଓ ବାଡ଼ର ନିରାପତ୍ତା ଠାରୁ ଏକାବେଳେକେ ଅନ୍ୟ ଜିନିଷ । ଆମର କଳ୍ପିତ ସାନ ଭଗବାନଙ୍କୁ ଆମେ ନାନା ଆଡ଼ମ୍ବର ଭିତରେ ତଥାପି ପ୍ରାୟ ସବୁବେଳେ ସେହି କାନ୍ଥ, ବାଡ଼ ଏବଂ ମୁଖାଗୁଡ଼ାକର ନିରାପତ୍ତା ମାଗିଥାଉ । ଆମେ ସେପର୍ଯ୍ୟନ୍ତ ପ୍ରାୟ ସେତିକି ନିରାପତ୍ତାର ଭାଜନ ହୋଇ ରହିଥାଉ । ସେହି ନିରାପତ୍ତା ଗୁଡ଼ାକୁ ନେଇ ସଦାସଶଙ୍କ ହୋଇ ବାସ କରିବାକୁ ହୋଇଥାଏ । ଆମର ସେହିସ୍ତରୀୟ ନିରାପତ୍ତାବୋଧ ଆମକୁ ଅଧିକରୁ ଅଧିକ ବିଚ୍ଛିନ୍ନ ହୋଇ ରହିବାରେ ସାହାଯ୍ୟ କରେ । ମୁଖାଗୁଡ଼ାକୁ ଆହୁରି ଅଧିକ ଅସହାୟତାବୋଧ ସହିତ ଯାବୁଡ଼ି ଧରିବାକୁ ତାହା ଆମକୁ ଭାରି ଉତ୍ସାହ ଦେଇ ରଖିଥାଏ ।

 

୧୩ । ୩ । ୭୯

 

ଯଥାର୍ଥରେ ଶାନ୍ତ ରହିବା ଅର୍ଥାତ୍ କେବଳ ଉପରେ ଦେଖିବାକୁ ତୁନିହୋଇ ରହିବା ନୁହେଁ, –ଏହାର ଅର୍ଥ ହେଉଛି ଭିତରେ ମଧ୍ୟ ତୁନି ହୋଇ ରହିବା । ଯଥାର୍ଥ ଭାବରେ ଶାନ୍ତ ରହିବାର ଅର୍ଥ ହେଉଛି, ସକଳ ପ୍ରକାର ଉତ୍ତପ୍ତତା, ଗ୍ଳାନି ଏବଂ ଜ୍ଵରରୁ ମୁକ୍ତ ହୋଇ ରହିବା । ଶାନ୍ତ ହୋଇ ରହିବାକୁ ଆମେ ଯେଉଁମାନେ କେବଳ ବାହାରେ ମୌନ ହୋଇ ରହିବା ବୋଲି ବୁଝିଥାଉ, ସେମାନେ ଆପଣା ଭିତରେ ଅନେକ କିଛି କ୍ଷତ ଏବଂ ଉଦ୍‌ଜନିତ ଦ୍ଵେଷକୁ ଚାପିକରି ରଖିଥାଉ । ତେଣୁ ଆମକୁ କୌଣସି ବିଷୟରେ ହିଁ ସମାଧାନ ବୋଲି କୁହାଯାଇ ପାରୁଥିବା କୌଣସି ସମାଧାନ କେବେ ମିଳେନାହିଁ । ସମାଧାନ ବୋଲି ଆମେ ଯେତିକି ଧରି ପାରିବାକୁ ସମର୍ଥ ହେଉ, ତାହା ଆମ ଅହଂର ନାନାପ୍ରକାର ରଜ୍ଜୁରେ ଆମର ଆଖିଗୁଡ଼ାକୁ ସତେଅବା ଉଢ଼ୁଆର କରି ରଖି ଦେଇଥାଏ ।

 

ବାଧା ଆସିବ, ତଥାପି ମୁଁ ଶାନ୍ତ ରହିଥିବି । ଅର୍ଥାତ୍, ମୋ ଭିତରେ ବିଶ୍ଵାସ ବିଷୟରେ ଆଦୌ କୌଣସି ବିଚଳନ ରହି ନଥିବ । ମୋ’ର ଚକ୍ଷୁ ସମ୍ମୁଖରେ ମୋ’ର ବାଟଟି ସ୍ପଷ୍ଟ ଭାବରେ ଦେଖା ଯାଉଥିବ, ସଂସାର ସହିତ ଲାଗି ରହିଥିବା ମୋ’ର ଅସଲ ଭାବର ରଜ୍ଜୁଗୁଡ଼ିକ କୌଣସି ପ୍ରକାରେ ବିଚ୍ଛିନ୍ନ ହୋଇ ରହିନଥିବ, –ଏବଂ, ସକଳ ବାହ୍ୟ ଆପଦ ଏବଂ ସାମୟିକ ବିପନ୍ନତା ସତ୍ତ୍ୱେ ତଥାପି ମଣିଷ ଭିତରେ ରହିଥିବା ଭଲଟା ଉପରେ ହିଁ ଅବିଚଳିତ ବିଶ୍ଵାସ ରହିଥିବ । ତେବେ, ବାଧା, ଅସୁବିଧା ଯେତେ ଯାହା ଆସି ପହଞ୍ଚୁଥିବ, ମୁଁ ତାହାର ସମ୍ମୁଖୀନ ହୋଇ ପାରୁଥିବି, –ଏବଂ ବିପଦର ସମ୍ମୁଖୀନ ହେବାର ଶକ୍ତି ଏବଂ ସ୍ଥିର ବିଶ୍ଵାସ ଭିତରେ ରହିଥିବା ପର୍ଯ୍ୟନ୍ତ ବିପଦ ବା ଅସୁବିଧାଗୁଡ଼ାକ ମୋତେ କୌଣସି ପ୍ରକାରେ ଅସହାୟ କରିଦେଇ ପାରିବେନାହିଁ ।

 

ବିପଦ ଓ ବାଧା ଯେଉଁ ସ୍ତରର, ସମାଧାନ ମଧ୍ୟ ସେହି ସ୍ତରର । ବିପଦ ଓ ବାଧା ଲାଗି ହିଁ ରହିଥିବ । କିନ୍ତୁ ଆଗକୁ ଯାଉଥିବା ସଙ୍ଗେ ସଙ୍ଗେ ସେହିସବୁ ବାଧା ଓ ବିପଦର ସ୍ତର ବଦଳି ଯାଉଥିବ । ଏବଂ ସେହି ଅନୁସାରେ ସ୍ତର, ପରିସର ଏବଂ ବ୍ୟଞ୍ଜନା ମଧ୍ୟ ବଦଳି ଯିବାରେ ଲାଗିଥିବ ।

 

୧୪ । ୩ । ୭୯

 

ଏକ ପୂର୍ଣ୍ଣ ଚେତନାର ସାଗର ରହିଛି, ଯାହାଭିତରେ କି ଆମେ ସମସ୍ତେ ଅବସ୍ଥାନ କରୁଛୁ । ସେହି ପୂର୍ଣ୍ଣ ଚେତନାର ଜ୍ୟୋତିଟି ମୋ’ର ଆଖିକୁ ସ୍ପର୍ଶ କରି ରହିଛି ବୋଲି ମୁଁ ଏହି ଆଖିକୁ ଲମ୍ବାଇଦେଇ ଏକାବେଳେକେ ଏତେ କଥା ଦେଖିପାରୁଛି, ଏପରିକି ଆଖିକୁ ବୁଜିଦେଇ ମଧ୍ୟ ଏତେ ଭିତରକୁ ଓ ଏତେ ଗଭୀରକୁ ଦେଖି ପାରୁଛି । ସେହି ପୂର୍ଣ୍ଣ ଚେତନାର ବୀଜଟି ମୋ’ ଭିତରେ ନିହିତ ହୋଇ ରହିଛି ବୋଲି ମୁଁ ତାହାକୁ ଏହି ଜୀବନରେ ଅନୁଭବ କରି ପାରୁଛି, ଏପରିକି ସେହି ଶବ୍ଦଟିର ଓ ସେହି ବସ୍ତ୍ରଟିର ଏକ କଳନା ମଧ୍ୟ କରିପାରୁଛି ।

 

ହଁ, ଆମେ ଇଚ୍ଛା କଲେ ସବୁବେଳେ ସେହି ପୂର୍ଣ୍ଣ ଚେତନାଟି ମଧ୍ୟରେ ପ୍ରବିଷ୍ଟ ହୋଇ ରହି ପାରିବା । ଅର୍ଥାତ୍, ଆମେ ସମସ୍ତେ କେବଳ ତାହାରି ମଧ୍ୟରେ ରହିଛୁ ଓ ତାହାରି ମଧ୍ୟରେ ଆତଯାତ ହେଉଛୁ ତଥା ତାହାରିଦ୍ଵାରା ପରସ୍ପର ସହିତ ସଂଯୁକ୍ତ ହୋଇ ରହିଛୁ ବୋଲି ଅନୁଭବ କରି ପାରିବା । ଇଚ୍ଛା ନକଲେ ଅଲଗା ହୋଇ ରହିଥିବା ଓ ନିଜ ନିଜର ଗୋଟିଏ କରି ଏକକ ଦ୍ଵୀପ କରି ରହିବାରେ ବ୍ୟସ୍ତଥିବା । ପାଣି ଭିତରେ ଥାଇ ମଧ୍ୟ କୁଆଡ଼େ ଅନେକେ ତୃଷାଦ୍ଵାରା ଶୁଷ୍କ ହୋଇ ମରନ୍ତି । ତେଣୁ, ଏହି ନାନା ଯୁକ୍ତତା ମଧ୍ୟରେ ଅବସ୍ଥାନ କରୁଥିଲେ ମଧ୍ୟ ଆମେ ଯେ ତଥାପି ଅଯୁକ୍ତ ଏବଂ ଏକୁଟିଆ ହୋଇ ବାସ କରିବାର ଦୁର୍ଗତି ଭୋଗ କରିବାର ଅନ୍ୟ ଅବସ୍ଥାଟିରେ ପଡ଼ି ରହିଥିବା, ସେଥିରେ କୌଣସି ସନ୍ଦେହ ନାହିଁ ।

 

ଇଚ୍ଛା କରିବା, ଅର୍ଥାତ୍ ଏସବୁ ଯାବତୀୟ ବାଡ଼କୁ ଉଠାଇଦେବା, ଏସବୁ ଯାବତୀୟ ପାଚେରୀକୁ ଭାଙ୍ଗି ଦେବା । ଏକଥାଟି ପାଇଁ ସାହସ କରିବା, ଯେତିକି ବିଶ୍ଵାସ ରହିଲେ ସେ ସାହସ ସମ୍ଭବ ହେବ, ସେତିକି ବିଶ୍ଵାସ ଲାଗି ଭାଜନ ହେବା । ଆମର ତଥାକଥିତ ବିଶ୍ଵାସଗୁଡ଼ାକ ଅନେକ ସମୟରେ ପ୍ରାୟ ଏକ ଅବିଶ୍ଵାସ ପରି କାର୍ଯ୍ୟ କରିଥାଏ । ତାହା ଆମକୁ ଆପଣାର ବାଡ଼ ଓ ପାଚେରୀ ଦ୍ଵାରା କ୍ଷୁଦ୍ର ହୋଇ ରହିଥିବା ଆପଣାଟି ବିଷୟରେ ଏତେଦୂର ଅତିସଚେତ କରି ରଖିଥାଏ ଯେ ଆମେ ତାହାକୁ ଡେଇଁ ବା ତାହାକୁ ଭେଦ କରି ଅନ୍ୟ ଅସଲ ସମ୍ପଦଟିର ଅନୁଭବ ଲାଭ କରିବାରୁ ଆପଣାକୁ ବଞ୍ଚିତ କରି ରଖିଥାଉ ।

 

୧୫ । ୩ । ୭୯

 

ଏହି ଦୁଇଟିଯାକ ଗୋଟିଏ ଗୋଟିଏ ନିଷ୍ପତ୍ତି । ବିଶ୍ଵାସ କରିବାକୁ ହିଁ ଜୀବନର ପ୍ରଧାନ ଅବଲମ୍ବନ ବୋଲି ଗ୍ରହଣ କରିବା ହେଉଛି ଏକ ନିଷ୍ପତ୍ତି, ସନ୍ଦେହ ବା ସଂଶୟ ଲାଗି ନିଜ ଜୀବନରେ ସ୍ଥାନ ରଖିବା, ସିଏ ବି ଏକ ନିଷ୍ପତ୍ତି । ଏହି ନିଷ୍ପତ୍ତିଟିକୁ ସର୍ବଦା ନିଜକୁ ହିଁ କରିବାକୁ ପଡ଼ିଥାଏ ।

 

ଅନେକ ମଣିଷ ସତେଅବା ଏକାବେଳେକେ ଦୁଇଟିଯାକକୁ ନେଇ ବାସ କରୁଥାନ୍ତି । ସେମାନେ ବିଶ୍ଵାସ କରୁଥାନ୍ତି, ସନ୍ଦେହ ବି କରୁଥାନ୍ତି । ଏକ ପକ୍ଷରେ ବିଶ୍ଵାସକୁ ହିଁ ଏକୈବ ପଥ ବୋଲି ବୁଝୁଥାନ୍ତି ଓ ଏକ ସମଗ୍ର ବିଶ୍ଵାସର ଭାଜନ ହେବାକୁ ମଧ୍ୟ ବେଶ୍ ଆଗ୍ରହ ରଖିଥାନ୍ତି । ତେଣେ, ଅନ୍ୟ ପକ୍ଷରେ, ଯେତେବେଳେ ଏହି ସଂସାରରେ ରଖିବାକୁ ପଡ଼ୁଛି, ତେଣୁ ବାସ୍ତବତା ଦୃଷ୍ଟିରୁ ସନ୍ଦେହ ଓ ସଂଶୟକୁ ମଧ୍ୟ ଜୀବନରେ ଏକ ସ୍ଥାନ ଦେଇ ରଖିଥାନ୍ତି । ତଦ୍ଦ୍ଵାରା ହୁଏତ କିଛି ଲାଭ ବି ମିଳୁଛି ବୋଲି ଅନବରତ ନିଜକୁ ବୁଝାଇବାରେ ଲାଗିଥାନ୍ତି ।

 

ଅଧା ବିଶ୍ଵାସ ଅଧା ସନ୍ଦେହ, –ଇଏ ମଧ୍ୟ ଗୋଟିଏ ପ୍ରକାରର ଅବିଶ୍ଵାସ । ଦରକାର ପଡ଼ିଲେ ସନ୍ଦେହ, ତା’ ନହେଲେ ସାଧାରଣ ସମୟରେ ବିଶ୍ଵାସ, –ଏଇଟା ବି ଅବିଶ୍ଵାସ । ଆମେ ସମସ୍ତେ ଏହାରି ଭିତରେ ପ୍ରାୟ ଟାଣିହୋଇ ରହି ସର୍ବଦା ହନ୍ତସନ୍ତ ହେବାରେ ଲାଗିଥାଉ । ଏକ ପକ୍ଷରେ ଆମର ତଥାକଥିତ ଭଗବଦ୍ ଭକ୍ତି ଏକ ତଜ୍ଜନିତ ଗଦ୍‌ଗଦ୍‌ତାଗୁଡ଼ାକ ଯେତିକି ଯେତିକି ବଢ଼ିବାରେ ଲାଗିଥାଏ, ତେଣେ ଅନ୍ୟ ପକ୍ଷଟିରେ ଆମ ସଂସାର ଭିତରେ ଆମର ଚାଲାଖି ଏବଂ ସତର୍କତାଗୁଡ଼ିକ ବି ସେହିପରି ବଢ଼ିବାରେ ଲାଗିଥାଏ । ଦୁଇଟି ମଧ୍ୟରେ ଆମେ ପ୍ରାୟ ଭାରି ଆଡ଼ମ୍ବରପୂର୍ଣ୍ଣ ଭାବରେ ଅବିରତ ନାକେଦମ୍ ହୋଇ ରହିଥାଉ ଏବଂ ବିଶ୍ଵାସ ତଥା ସଂଶୟ ଉଭୟ କ୍ଷେତ୍ରରେ ହିଁ ପ୍ରାୟ ଏକ ରାଜସିକତାର ପ୍ରଦର୍ଶନ କରିବାରେ ଲାଗିଥାଉ । ଆପଣାର ଭିତରେ ଏବଂ ବାହାରେ ଦୁଇଭାଗ ହୋଇ ବସିଥାଉ । ଗୋଟିଏ ହୋଇ ମାଗି ପାରୁନାହିଁ ଅଥବା ଗୋଟିଏ ହୋଇ ଦେଇ ବି ପାରୁନାହିଁ । ଗୋଟିଏ ହୋଇ ପ୍ରାୟ କିଛିହେଲେ ଗ୍ରହଣ କରି ପାରୁନାହିଁ । ତା’ ପରେ ଏକ ଜଟିଳ ନୀତିବାଦୀ ହୋଇ ରହିବାଲାଗି ମୋଟେ ଅଧିକ ଦୂର ତଥା ଅଧିକ ବେଳ ବାକୀ ନଥାଏ ।

 

୧୬ । ୩ । ୭୯

 

ମୁଁ ଭିତରେ ବଦଳି ଯାଉଛି; ତେଣୁ ମୋ’ର ପରିସ୍ଥିତି ମଧ୍ୟ ବଦଳି ବଦଳି ଯାଉଛି, ସତତ ବଦଳି ଯାଉଛି । ଏହି ଅସଲ ସୂତ୍ରଟି ହାତଛଡ଼ା ହୋଇଯିବା ମାତ୍ରକେ ହିଁ ମୁଁ ଯେ ମୋ’ର ପରିସ୍ଥିତିକୁ ବଦଳାଇ ପାରିବି ଅର୍ଥାତ୍ ତାକୁ ନୂତନ କରି ତିଆରି କରି ପାରିବି, ମୁଁ ସେହି ବିଶ୍ଵାସଟିକୁ ମଧ୍ୟ କ୍ରମେ ହଜାଇ ବସୁଛି । ମୁଁ ମୋ’ ପରିସ୍ଥତିର ଦାସ ହୋଇ ରହୁଛି । ସେଇଥିରୁ ହିଁ ଅଭିଯୋଗ କରିବାର ଦୟନୀୟ ପର୍ବଟି ଆରମ୍ଭ ହୋଇ ଯାଉଛି ।

 

ଆପଣାର ପରିସ୍ଥିତିକୁ ଆପେ ବଦଳାଇ ପାରିବାର ବା ତିଆରି କରିବାର ବିଶ୍ଵାସଟି ହଜିଯିବା ପରେ ହିଁ ଆମେ ଆମ ଭଗବାନଙ୍କ ପାଖରେ ସୁଖ ମାଗି ଯାଇଥାଉ, ଆହୁରି କେତେ କ’ଣ ମାଗିବାକୁ ବି ଯାଇଥାଉ । ସିଏ ମଧ୍ୟ ଗୋଟାଏ ପ୍ରକାର ଅଭିଯୋଗ; ମାଗିବାର ମନୋଦୃଷ୍ଟି ମଧ୍ୟରେ କେଉଁଠି ନା କେଉଁଠି ଅଭିଯୋଗପ୍ରୀତି ଲୁକ୍କାୟିତ ହୋଇ ରହିଥାଏ । ଭଗବାନଙ୍କର ଭଜନ ବା ଜଣାଣ ବୋଲି ଆମେ ଅଧିକାଂଶତଃ ଯାହା ଦେଖିବାକୁ ପାଇଥାଉ, ସେଥିରେ ଏହିପରି ଏକ ଅଭିଯୋଗମୂଳ ଗୋଟାଏ ମନୋଦୃଷ୍ଟି ପ୍ରାୟ ଏକ ସିଠା ପରି ଲାଗି ରହିଥାଏ ଏବଂ ଆମ ଭିତରେ ସହଜ ପଥଚାରୀ ଓ ସହଜ ସନ୍ତାନଟିକୁ ତାହାରି ସହିତ ହିଁ ଅଠା ଲଗାଇ ରଖି ଦେଇଥାଏ ।

Unknown

 

ମୁଁ ନିଜେ ଯାହା, ଠିକ୍ ସେହିପରି ଭାବରେ ହିଁ ମୁଁ ମୋ’ର ଯାବତୀୟ ପରିସ୍ଥିତିକୁ ମୋ’ର ଅନୁକୂଳ ବା ପ୍ରତିକୂଳ କରି କାମରେ ଲଗାଇ ପାରୁଥିବି । ମୁଁ ଯଦି ଭିତରେ ପ୍ରଧାନତଃ ଏକ ସ୍ଵାର୍ଥପର ମାଗିବା–ଭକ୍ତ ହୋଇ ହୋଇ ରହିଥିବି, ତେବେ ମାଗିବା ନାଆଁରେ ମୁଁ କେତେ ଅଭିଯୋଗ କରିବାରେ ଲାଗିଥିବି । ମୁଁ ଏତେ ଆଶ୍ରେ କଲି, ତଥାପି ଏଗୁଡ଼ାକ ମୋ’ର କପାଳକୁ କାହିଁକି ଲେଖାହୋଇ ରହିଲା ବୋଲି ବାହୁନି ମେଦନୀ କମ୍ପାଉଥିବି । ଆପଣା ଭିତରର ସେହି ପରିଭୁ ପରମବନ୍ଧୁଙ୍କୁ ଚିହ୍ନି ନେବାଲାଗି ଆଉ କୌଣସି ବେଳ ନଥିବ ।

 

୧୭ । ୩ । ୭୯

 

ମୋ’ର କର୍ତ୍ତବ୍ୟ ହେଉଛି ମୋ’ ସ୍ଵଭାବଗତ, ତାହା ମୋ’ର ବୁଦ୍ଧିଜାତ ନୁହେଁ । ମଣିଷ ବୁଦ୍ଧିଆ ହେଲେ ବହିରୁ ଖୋଜେ, ଦେଉଁଳରୁ ଖୋଜେ, ଗୁରୁବାକ୍ୟରୁ ଖୋଜେ, ଗୁରୁଙ୍କ କଥାକୁ ମାନିବାକୁ ପ୍ରାୟ ଏକ ରୁଟିନ୍‌ବତ୍ ନିଷ୍ଠାନୁଗତତା ମଧ୍ୟରୁ ଖୋଜେ, ସିଏ ତାହା ଫଳରେ କ’ଣ ପାଏ; ମୁଁ ସେକଥା କହି ପାରିବନାହିଁ । କିନ୍ତୁ ମୁଁ ଭିତରେ ଖୋଜେ, ଭିତରେ ପାଏ । ଭିତରେ ହିଁ ସମସ୍ତ ଭୁବନକୁ ଦେଖିବାକୁ ପାଏ, ମୋ’ରି ଭିତରେ ଏହି ସବୁକିଛି ସମ୍ପ୍ରସାରିତ ହୋଇ ରହିଛି ବୋଲି ଅନୁଭବ କରେ । ଭିତରକୁ ଅନାଇ ମୁଁ ଆପଣାକୁ ଦେଖି ପାରେନାହିଁ, ଭୁବନଯାକକୁ ଦେଖେ । ଆପଣାର ବାହନ ଉପରେ ସକଳ ଭୁବନ ଓ ସକଳ ଭବିଷ୍ୟ ସତେଅବା ଠିଆ ହୋଇ ରହିଥିବାରୁ ଦେଖିବାକୁ ପାଇଥାଏ । ଏବଂ ସେଇଥିରୁ, ଅର୍ଥାତ୍ ସେହି ଖୋଜିବାରୁ ଏବଂ ସେଇ ଦେଖିବାରୁ ହିଁ ସୁଖ ପାଏ । ଅର୍ଥାତ, ଯାହା ପାଏ, ତାହାକୁ ହିଁ ସୁଖ ବୋଲି ଜାଣେ ।

 

ଏହି ଖୋଜିବାଟାକୁ ହିଁ ମୁଁ ଜୀବନର ସାଧାରଣ ଧର୍ମ ବୋଲି ଗ୍ରହଣ କରି ନେଇଥାଏ । ଏହି ସାଧାରଣକୁ ବାଦ ଦେଇ ଆଉ କୌଣସି ଏକ ଅସାଧାରଣ ବୋଲି କିଛି ରହିଛି ଏବଂ ତାହାକୁ ଆଧ୍ୟାତ୍ମିକ ବୋଲି କୁହାଯିବା ଉଚିତ, ମୁଁ ଏପରି ଅନୁଭବ କରି ପାରେନାହିଁ । ଯେଉଁ ସୁଖ ମୋତେ ଖୋଜିବାରେ ପ୍ରବୃତ୍ତ କରେନାହିଁ, ଏକାତ୍ମକ ହେବାର ସୌହାର୍ଦ୍ଦ୍ୟ ଆଣି ଦେଇ ପାରେନାହିଁ, ସେହି ସୁଖ ଆଡ଼କୁ ମୁଁ ପ୍ରାୟ କେବେହେଲେ ଆକର୍ଷଣ ଅନୁଭବ କରେନାହିଁ । ମୋ’ର ସ୍ଵଭାବଟାକୁ ଅତିକ୍ରମ କରି ବା ଅସ୍ଵୀକାର କରି କେଉଁଠି କର୍ତ୍ତବ୍ୟ ବୋଲି କ’ଣ ଗୋଟାଏ ରହିଛି ଅନେକ ସମୟରେ ମୁଁ ଏକଥା ମଧ୍ୟ ସ୍ଵୀକାର କରି ପାରେନାହିଁ । ମୁଁ ଲୋଡ଼େ, ମୁଁ ଖୋଜିବାରେ ହିଁ ଲାଗିଥାଏ-। ପାଇଲେ ଆହୁରି ଲୋଡ଼େ । ଆପଣା ଭିତରେ ଲୋଡ଼େ, ଆପଣାକୁ ଯଥାସମ୍ଭବ ଅଧିକରୁ ଅଧିକ ବିସ୍ତାରିତ କରି ଲୋଡ଼େ । ସେହି ଲୋଡ଼ିବାରେ ହିଁ ମୁଁ ସେଇ ଅସଲ ସ୍ପର୍ଶଟି ପାଇ ଯାଉଥାଏ ।

 

୧୮ । ୩ । ୭୯

 

ଏଇଟା ନୁହେଁ କି ସେଇଟା ନୁହେଁ, ଏଠି ନୁହଁ କି ସେଠି ନୁହେଁ; ଏଇଟା ଆଗ ନୁହେଁ କି ସେଇଟା ବି ଆଗ ନୁହେଁ । ଏ ମାର୍ଗ ଛାଡ଼ି ସେ ମାର୍ଗ ନୁହେଁ, ଏହି ମୂର୍ତ୍ତିଟାକୁ ଛାଡ଼ି ସେ ମୂର୍ତ୍ତିଟା ନୁହେଁ । ବାହାରକୁ ଛାଡ଼ି ଭିତର ବି ନୁହେଁ, –ସଂସାରକୁ ଛାଡ଼ି ମୁକ୍ତି ବି ନୁହେଁ । ମୋ’ଉପରେ ଏହି ଅନନ୍ତ ଆକାଶ ଯେପରି ପ୍ରମାଦରହିତ ଭାବରେ ଆପଣାକୁ ବିସ୍ତୃତ ଓ ପ୍ରସାରିତ କରି ରଖିଛି, ମୁଁ ଆପଣା ଭିତରେ ସେହିପରି ଅପ୍ରମତ୍ତ ଭାବରେ ହିଁ ପ୍ରସାରିତ ହୋଇ ରହିଥିବ । ଏହି ଫୁଲଟି ଯେପରି ଅତ୍ୟନ୍ତ ଅପ୍ରମତ୍ତ ଭାବରେ ଆପଣାକୁ ଫୁଟାଇଦେଇ ପାରୁଛି ମୁଁ ମଧ୍ୟ ସେହିପରି ଅତ୍ୟନ୍ତ ଦ୍ଵିଧାମୁକ୍ତ ଏବଂ ଶଙ୍କାମୁକ୍ତ ଭାବରେ ଏହି ବଗିଚାଟି ମଧ୍ୟରେ ଫୁଟି ଉଠି ପାରୁଥିବି । ମୁଁ ଆଲୁଅ ଅନ୍ଧାର ବାରୁନଥିବି, ଜ୍ୟେଷ୍ଠ କନିଷ୍ଠ ମାନୁ ନଥିବି, ଲାଭ କ୍ଷତି ହିସାବ କରୁନଥିବ । ମାର୍ଗ ଅମାର୍ଗ ବାରୁନଥିବି, ପୀଠ ଅପୀଠ ବି ବାରୁନଥିବି । ଭେକ ବାରୁ ନଥିବି, ମୂର୍ତ୍ତି ବାରୁ ନଥିବି, ସ୍ତୁତି ବା ସ୍ତୋତ୍ର ବାରୁନଥିବି । ଆପଣା ଭିତରେ ଖୋଲା ହୋଇ ବସିଥିବି, ଆପଣା ପାଖରେ ନିର୍ମଳ ହୋଇ ରହିଥିବି, ବନ୍ଧୁଟି ପରି ଆପଣାର ହାତଟିକୁ ଧରି ଆଗକୁ ଆଗକୁ ଚାଲି ଯାଉଥିବି ।

 

ତେବେ ମୋ’ରି ଭିତରେ ମୁଁ ସେହି ନିର୍ମଳ ନିତ୍ୟୋଦୟଟିକୁ ଅନୁଭବ କରିପାରିବ ! ତାହାକୁ ମୁଁ ଏକାନ୍ତ କୋଳାହଳଶୂନ୍ୟ ଭାବରେ ଅନୁଭବ କରି ପାରିବି । ତା’ପରେ ଯାହା ହେବ, ତାହା ଅତ୍ୟନ୍ତ ସ୍ଵାଭାବିକ ଭାବରେ ହେବ । ତା’ପରେ ତାଙ୍କୁ ପ୍ରଭୁ ବୋଲି କହିବାଲାଗି ଡର ମାଡ଼ିବନାହିଁ, ସଖା ବୋଲି କହିବାଲାଗି, ଡର ମାଡ଼ିବନାହିଁ, ପିତା ବୋଲି କହିବାଲାଗି ମଧ୍ୟ ଡର ଲାଗିବନାହିଁ । ମୋ’ର ବାଡ଼ଗୁଡ଼ାକ ସ୍ଵାଭାବିକ ଭାବରେ ଭାଙ୍ଗି ଭାଙ୍ଗି ଯାଉଥିବ । ମୁଁ ତାହାକୁ ଆଦୌ କୌଣସି କ୍ଷତି ବୋଲି ଅନୁଭବ କରୁନଥିବି । ସେତେବେଳେ ଦେଉଳ ଦିଶୁନଥିବ, ଖୋଲି ନେତ ଦିଶୁଥିବ । ନେତ ବି ଦିଶୁନଥିବ; କେବଳ ଏକ ପରମ ସ୍ଵୀକୃତିମୟ ଇଙ୍ଗିତ ହିଁ ଅନୁଭୂତ ହେଉଥିବ । ସ୍ପର୍ଶ ଅନୁଭୂତ ହେଉଥିବ, ପୂର୍ଣ୍ଣତା ଅନୁଭୂତି ହେଉଥିବ, ମୋ’ର ଏହି ସାନ ଘରଟି ଭିତରେ ସମସ୍ତ ବିଶ୍ଵ ଆସି ଠୁଳ ହୋଇ ରହିଥିବା ପରି ଅନୁଭୂତ ହେଉଥିବ ।

 

୧୯ । ୩ । ୭୯

 

ଆମେ ଏହି ପୃଥିବୀକୁ ଆସିଛୁ, ତାହା କେବଳ ତାଙ୍କରି ଇଚ୍ଛାରେ । କାରଣ ଆମେ ଆମ ଭିତରେ ତାହାଙ୍କୁ ହିଁ ବହନ କରି ରହିଛୁ । ଆମର ଯାବତୀୟ ଖୋଜିବା ଭିତରେ ଆମେ ଆମ ଭିତରେ ମୂଳତଃ ସେହି ପ୍ରତିଶ୍ରୂତିଟିକୁ ଖୋଜିବାରେ ଲାଗିଛୁ । ସେହି ପ୍ରତିଶ୍ରୂତି ବାହାରେ ନାହିଁ, ଆମ ଭିତରେ ରହିଛି । ଆମରି ବିଶ୍ଵାସ ଯେତିକି ଗଭୀର ହେଉଥିବ, ଆମକୁ ସେହି ବିଶ୍ଵାସଟି ଆମ ଭିତରୁ ସେତିକି ଅଧିକ ପରିମାଣରେ ମିଳି ଯାଉଥିବ । ଆମେ ରହି ପ୍ରକୃତରେ ଆମ ନିଜ ଘରେ ରହିଥିବା ପରି ଅନୁଭୂତ ହେଉଥିବ । ଆମ ବାହାରେ ପଡ଼ି ରହିଥିବା ଓ ଆମକୁ ନାନା ଆତ୍ମୀୟତାରେ ବାନ୍ଧି ରଖିଥିବା ଏହି ଭୁବନସମ୍ପଦଟି ଭିତରେ ମଧ୍ୟ ଆମେ ପ୍ରତିଶ୍ରୂତିଟିକୁ କ୍ରମେ ଲାଭ କରିବାର ଯୋଗ୍ୟ ହୋଇଯିବା । ଆମର ହୃଦୟ ସେଥିଲାଗି ଯୋଗ୍ୟ ହେବ, ଆମର ଆଖି ସେଥିଲାଗି ଯୋଗ୍ୟ ହେବ । ଆମର ସ୍ପର୍ଶେନ୍ଦ୍ରିୟ ମଧ୍ୟ ସେଥିଲାଗି ଏକ ସ୍ଵାଭାବିକ ଯୋଗ୍ୟତା ହାସଲ କରି ପାରିବ ।

 

ମୋ’ର ଜୀବନ ହେଉଛି ଏକ ଅଭିବ୍ୟକ୍ତିର ପ୍ରକ୍ରିୟା । ଜୀବନରେ ଆଗକୁ ଯିବାର ଅର୍ଥ ହେଉଛି ସେହି ଅଭିବ୍ୟକ୍ତିର ମାର୍ଗରେ ଅଧିକରୁ ଅଧିକ ପରିମାଣରେ ଅଗ୍ରସର ହେବାରେ ଲାଗିଥିବା । ଯଦି କେବଳ ଏତିକି ବିଶ୍ଵାସ ସହିତ ଆମେ ଜୀବନଟିକୁ ବଞ୍ଚିବାକୁ ଆରମ୍ଭ କରିବା, ତେବେ ଆମେ ଏହି ଯାବତୀୟ ପ୍ରକାଶ ମଧ୍ୟଦେଇ କାହାକୁ ପ୍ରକାଶିତ କରିବାରେ ଲାଗିଛୁ, ଆମକୁ କ୍ରମେ ତାହାର ପରିଚୟଟି ମଧ୍ୟ ମିଳିଯିବାରେ ଲାଗିବ । ଆପଣାର ଇଚ୍ଛାଗୁଡ଼ିକ ମଧ୍ୟରେ କ୍ରମେ ତାଙ୍କରି ଇଚ୍ଛା ହିଁ ଅନୁଭୂତ ହେବାକୁ ଲାଗିବ, ଆପଣାକୁ ଏହି ବୃହତ୍ତର ବୃତ୍ତଟି ମଧ୍ୟରେ ଅନୁଭବ କରୁଥିବା ସଙ୍ଗେ ସଙ୍ଗେ ଆମର ଯାବତୀୟ ଅନୁଭୂତି ଅଧିକରୁ ଅଧିକ ସମଗ୍ର ଏବଂ ଗଭୀର ହେବାରେ ଲାଗିଥିବ । ଜୀବନ ମଧ୍ୟରେ ଆମକୁ ଏକ ଉଦ୍ଦେଶ୍ୟ ମିଳିଯିବ, ଯାବତୀୟ ବଞ୍ଚିବା ମଧ୍ୟରେ ଏକ ଅର୍ଥ ମିଳିଯିବ, ଏକ ସାର୍ଥକତା ମିଳିଯିବ ।

 

୨୦ । ୩ । ୭୯

 

ଜୀବନ ଦେବାକୁ ହେବ, ମୃତ୍ୟୁକୁ ବି ଦେବାକୁ ହେବ । ସୁଖକୁ ଦେବାକୁ ହେବ, ସୁହଖକୁ ବି ଦେବାକୁ ହେବ । ଯେଉଁ ସୁଖର ବିସର୍ଜନ କଲେ ଦୁଃଖ ହିଁ ଉପଲବ୍ଧ ହୋଇଥାଏ, ସେହି ସୁଖ ସୁଖ ବୋଲି କୁହାହେବାର ଯୋଗ୍ୟ ନୁହେଁ । ଆମର ସାଧାରଣ ହିସାବ ଏବଂ ସାଧାରଣ ତଉଲ ଅନୁସାରେ ଜୀବନ ଆଉ ମୃତ୍ୟୁ ହେଉଛନ୍ତି ପରସ୍ପର ଓଲଟା, ସୁଖ ଓ ଦୁଃଖ ହେଉଛନ୍ତି ପରସ୍ପରର ଓଲଟା, ସୁଖ ଓ ଦୁଃଖ ହେଉଛନ୍ତି ପରସ୍ପରର ଓଲଟା । ଦେବାର, ଉପଲବ୍ଧି କରିବାର ଏବଂ ଅନୁଭବ କରିବାର ଆଉଏକ ଅନ୍ୟ ପ୍ରସ୍ଥ ରହିଛି, ଯେଉଁଠାରେ କି ଜୀବନ ଓ ମୃତ୍ୟୁ ଉଭୟେ ଅନ୍ତର୍ଭୁକ୍ତ ହୋଇ ରହିଥାନ୍ତି, ସୁଖ ଓ ଦୁଃଖ ଗୋଟିଏ ବୃହତ୍ତର ପରିଧି ମଧ୍ୟରେ ଅନ୍ତର୍ଭୁକ୍ତ ହୋଇ ରହିଥାନ୍ତି । ଜୀବନରେ ଆଗକୁ ଯାଇ ସେହି ପରିଧିଟିକୁ ସ୍ପର୍ଶ କରିବାକୁ ପଡ଼ିଥାଏ । ସେହି ବୃହତ୍ତର ଘରଟିର ଭାଜନ ହେବାକୁ ପଡ଼ିଥାଏ । ଭୟ ଭାଙ୍ଗିଲେ ଯାଇ ମଣିଷ ଭାଜନ ହୋଇପାରେ, ଗୋଟାସୁଦ୍ଧା ଆପଣାର ହୋଇପାରିଲେ ଯାଇ ସଙ୍କୋଚ କଟିଯାଏ । ସେତେବେଳେ ଦେବା ଓ ପାଇବା ଭିତରେ ମଧ୍ୟ କୌଣସି ଅନ୍ତର ରହେନାହିଁ, ଗୋଟାଏ ବସ୍ତୁ ଦେଇ ଆଉଗୋଟାଏ ବସ୍ତୁ ପାଇବାର ହିସାବ ବି ଭଣ୍ଡୁର ହୋଇଯାଏ । ସେତେବେଳେ ଖାଲି ବଞ୍ଚିବାକୁ ହିଁ ହୁଏ, ତାହାରି ମଧ୍ୟରେ ପଳ ପଳ ହୋଇ ମରି ପଳ ପଳ କରି ଅଭିବୃଦ୍ଧି ଲାଭ କରିବାକୁ ହେଉଥାଏ, ଗୋଟିଏ ବୃତ୍ତର ପରିଧିକୁ କାଟି ଏକ ବୃହତ୍ତର ବୃତ୍ତରେ ଯାହାସବୁ ଥିଲା, ତାହାକୁ ନୂଆ କରି ପାଇବାର ଏକ ସତତ ପ୍ରକ୍ରିୟା ଲାଗି ରହିଥାଏ । ସେହି ପ୍ରକ୍ରିୟା ଉନ୍ମୋଚିତ କରିଆଣେ, କାନ୍ଥଗୁଡ଼ାକ ଭାଙ୍ଗି ଦିଏ, ବଣିଜାର ମୂଳ ଧର୍ମଗୁଡ଼ାକୁ ହିଁ ବଦଳାଇ ଦେଇ ଯାଏ ।

 

୨୧ । ୩ । ୭୯

 

ଯେତେବେଳେ ସବୁକିଛି ଶାନ୍ତ ହୋଇ ଆସେ, ଅର୍ଥାତ୍ ସବୁକିଛିର ଅତ୍ୟକ୍ତ ନିକଟବର୍ତ୍ତୀ ହୋଇ ଆସିଲା ପରି ଲାଗେ, ସବୁକିଛିକୁ ସ୍ପର୍ଶ କରି ପାରୁଥିଲା ପରି ଲାଗେ, ଯେତେବେଳେ ଭିତରର କୁତ୍ସିତତାରେ ଆଶଙ୍କିତ ଏବଂ ବିତ୍ରସ୍ତ ହୋଇ ବାହାରକୁ ପଳାଇ ଯିବାକୁ ପଡ଼େନାହିଁ ଅଥବା ବାହାର ଦ୍ଵାରା ଶଙ୍କିତ ଓ ବିଚଳିତ ହୋଇ ଭିତରେ ଯାଇ କବାଟ କିଳି ବସିବାକୁ ପଡ଼େନାହିଁ, ଯେତେବେଳେ ଯାବତୀୟ ବଙ୍କା କୁଟିଳଗୁଡ଼ାକ ସରଳ, ସିଧା ଏବଂ ସ୍ଵଚ୍ଛ ହୋଇ ଦେଖାଯିବାକୁ ଆରମ୍ଭ କରେ, ସେତିକିବେଳେ ତାଙ୍କୁ ସ୍ପର୍ଶ କରିହୁଏ, ଆପଣା ଭିତରେ ତଥା ଆପଣା ବାହାରେ ତାଙ୍କୁ ହିଁ ଅନୁଭବ କରିହୁଏ, ସେହି ଅନୁଭୂତି କ ବିଶାଳ ବିଶ୍ଵାସରୂପେ ଜୀବନନେତ୍ରକୁ ପ୍ରତିଭାତ କରି ରଖେ । ସୁନ୍ଦର ଦେଖିବା, ବିଶ୍ଵାସର ସହିତ ଦେଖିବା, ଅତ୍ୟନ୍ତ ସରଳ ଏବଂ ସ୍ଵାଭାବିକ ଭାବରେ ଏହି ସବୁଟିର ଏକ ଅଂଶ ହୋଇ ରହିବା ଓ ଏହି ସବୁଟିଲାଗି ଏକ ନିମିତ୍ତ ହୋଇ ରହିବା, –ତାହାହିଁ ସମର୍ପଣ କରିଦେବାର ଅର୍ଥ ହେଉଛି ଆପଣାକୁ ତାଙ୍କର ଏକ ଅଂଶରୂପେ ଅନୁଭବ କରିବା,-ତାଙ୍କର ଅଭିପ୍ରାୟ ଓ ନିଜର ଅଭିପ୍ରାୟ ମଧ୍ୟରେ ଆଦୌ କୌଣସି ବ୍ୟବଧାନ ରହିଛି ବୋଲି ଭାବିବାର ଚକ୍ରାନ୍ତ ମଧ୍ୟରେ ପଡ଼ିନ ଯିବା । ନିଜ ଜୀବନରେ ଏପରି ଏକ ସମୟ ଆସେ, ଯେତେବେଳେ ଆଖି ଖୋଲିଦେବା ମାତ୍ରକେ ହିଁ ସକାଳ ବୋଲି ମନେହୁଏ, ନିଜ ଭିତରକୁ ଅନାଇ ଦେବା ମାତ୍ରକେ ହିଁ ସକାଳ ହୋଇ ଆସୁଥିବା ପରି ଲାଗେ, ସବୁକିଛି ଶାନ୍ତି, ସ୍ୱଚ୍ଛ ଏବଂ ସମର୍ପଣସତୃଷ୍ଣ ହୋଇ ରହିଥିବା ପରି ମନେହୁଏ, ଅନାଇଦେବା ମାତ୍ରକେ ସବୁକିଛି ସୁନ୍ଦର ଓ ଢଳଢଳ ଦେଖାଯାଏ । ସେତେବେଳେ କେବଳ ସେଇ ଦିଶନ୍ତି, –ଆଉ କିଛି ଦିଶେନାହିଁ । ସେତିକିବେଳେ ହିଁ ସବୁ ଦିଶିଯାଏ,-ନିଜ ଭିତରେ ଗୋଟିଏ ଘର ଭିତରେ ସବୁକିଛି ସୁସଜ୍ଜିତ ହୋଇ ରହିଥିଲା ପରି ଦିଶିଦିଶି ଯାଉଥାଏ ।

 

୨୨ । ୩ । ୭୯

 

ପ୍ରୀତି ଯାହା, ଆନନ୍ଦ ବି ସେଇଆ । ଆନନ୍ଦ ହେଉଛି ଏକ ସମଗ୍ର ସ୍ଵାଭାବିକତା ଏବଂ ପ୍ରୀତି ଏକ ହେଉଛି ଏକ ସ୍ଵାଭାବିକ ସୂତ୍ରରେ ସମସ୍ତଙ୍କ ସହିତ ବନ୍ଧା ହୋଇ ରହିବା ଏବଂ ତଥାପି ଆପଣାକୁ ସର୍ବଦା ମୁକ୍ତ ତଥା ସହଜ ବୋଲି ଅନୁଭବ କରିବା । ଜୀବନରେ ମୁଁ ଯାହା କରିବି, ତାହାକୁ ପ୍ରୀତି ସହିତ କରିବି, ଆନନ୍ଦ ସହିତ କରିବି । ସାଧନାଟା ମୋତେ କୌଣସି ପ୍ରକାର କୃଚ୍ଛ୍ର କ୍ଲେଶ ମଧ୍ୟରେ କଦାପି ହନ୍ତସନ୍ତ କରି ରଖିନଥିବ । ଜୀବନରେ ବିରକ୍ତ ହୋଇ ନିତିତ ହୋଇ ଅନେକ ଲୋକ ଦିବ୍ୟ ପରମସତ୍ୟର ନିକଟବର୍ତ୍ତୀ ହୋଇଥାନ୍ତି ବୋଲି ମୁଁ ଶୁଣିଛି । ସେତେବେଳେ ସେମାନେ ଯାହାଙ୍କର ଆରାଧନା କରନ୍ତି, ସେମାନେ ତାହାଙ୍କୁ ଭଗବାନ ବୋଲି କହନ୍ତି, କେଡ଼େ ବଡ଼ ଗୋଟାଏ ନାଆଁ ଦେଇ ତାଙ୍କୁ ଠାକୁର ବୋଲି କହନ୍ତି । ଏଠି ଯାବତୀୟ ଗଞ୍ଜଣା ଭିତରୁ ନିସ୍ତାର ପାଇବାଲାଗି ସେମାନେ ଠାକୁରଙ୍କୁ ଡାକୁଥାନ୍ତି; ନାନାପ୍ରକାର ପୂଜା ଓ ପ୍ରାର୍ଥନା ଜରିଆରେ ସେମାନେ ସେହି ଠାକୁରଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଥାନ୍ତି । ନାନା ବାହ୍ୟାଚାରର ଶରଣ ନେଇ ସେମାନେ ସେହି ଦୃଷ୍ଟିଆକର୍ଷଣ କରିପାରିଲେ ବୋଲି ଅନେକ ସମୟରେ ଏକ ପ୍ରତ୍ୟୟ ବି ଲାଭ କରୁଥାନ୍ତି । ସେହି ପ୍ରତ୍ୟୟର ପ୍ରମାଣରୂପେ ସେମାନେ ଅନୁଧାବନକୁ ସେମାନେ ପ୍ରାୟ ଗୋଟାଏ ବହୁ-ଆଡ଼ମ୍ବର ବିଶିଷ୍ଟ ଏକ ଠାକୁରପୂଜା ବୋଲି ଧରି ନେଇଥାନ୍ତି । ସେମାନେ ଅତି ଚମତ୍କାର ଭାବରେ ବିଭକ୍ତ ହୋଇ ରହିଥାନ୍ତି ।

 

ମୁଁ ଏହି ପ୍ରମାଦଟିକୁ କଦାପି ଭୁଲି ଯିବିନାହିଁ । ଆପଣାର ଯାବତୀୟ ଗତି ଏବଂ ପ୍ରଗତିକୁ ମୁଁ ଏହିପରି ଏକ ତରାଜୁ ଉପରେ ବିଚାର କରି ଶିଖିବି, ତେବେଯାଇ ପ୍ରୀତି ଓ ଆନନ୍ଦର ପରିଚୟ ପାଇ ପାରିବି । ତେବେଯାଇ ପ୍ରୀତି ଓ ଆନନ୍ଦ ସହିତ ଭଗବତ୍ ପରମସତ୍ୟର ଅନୁଧାବନ କରିବା ମୋ’ ଜୀବନରେ ସମ୍ଭବ ହୋଇ ପାରିନି । ତେବେ ଯାଇ ମୁଁ ନିଜ ଜୀବନରେ ଅସଲ ଆନନ୍ଦ ଓ ଅସଲ ପ୍ରୀତିକୁ ଅନୁଭବ ତଥା ଅଭିବ୍ୟକ୍ତ କରିବାର ନିତ୍ୟ ସୂତ୍ରଟିକୁ ପାଇଯାଇ ପାରିବି ।

 

୨୩ । ୩ । ୭୯

 

ସାନ୍ତ୍ଵନା କେବଳ ସେଇଠି, ସମର୍ଥନ କେବଳ ସେଇଠି । ଶ୍ରଦ୍ଧା ମଧ୍ୟରେ ହିଁ ସାନ୍ତ୍ଵନା, ଶ୍ରଦ୍ଧା ମଧ୍ୟରେ ସମର୍ଥନ । ସେହି ଶ୍ରଦ୍ଧା ହେଉଛି ଦିବ୍ୟ ଶ୍ରଦ୍ଧା । ସେହି ଶ୍ରଦ୍ଧା ମୋ’ରି ଭିତରେ ମୂଳରୁ ହିଁ ରୋପିତ ହୋଇ ରହିଛି ବୋଲି ମୁଁ ଆପଣାର ଜୀବନରେ ଶ୍ରଦ୍ଧାର ଏହି ସମଗ୍ର ଅନୁସିକ୍ତତାଟିକୁ ଅନୁଭବ କରିପାରୁଛି, ଅପାଙ୍କୁ ଏହି ସବୁଟି ମଧ୍ୟରେ ଅନୁଭବ କରି ପାରୁଛି, ଏହି ସାନ ଆଖି ଦିଓଟି ଭିତରେ ମୁଁ ସମଗ୍ର ବିଶ୍ଵାର ମୂର୍ତ୍ତିଟିକୁ ସମ୍ଭାରି ରଖିପାରୁଛି, ମୋ’ର ସାନ ହୃଦୟଟି ମଧ୍ୟରେ ସମଗ୍ର ବିଶ୍ଵର ଆକୃତିଟିକୁ ଅନୁଭବ କରିପାରୁଛି । ଏହି ସାନ ତାତ୍କାଳିକ ବାଡ଼ଗୁଡ଼ାକୁ ଭାଙ୍ଗି ବାହାରି ଆସି ପାରିଛି ।

 

ମୋ’ରି ଭିତରେ ସେହି ଶ୍ରଦ୍ଧାର ଅବତରଣ ଘଟିଛି ବୋଲି ହିଁ ମୁଁ ତାକୁ ମଧ୍ୟ ଲୋଡ଼ୁଛି । ସବୁ ଥାନରେ, ସବୁ ସମ୍ବନ୍ଧ ଭିତରେ ତଥା ସକଳ ଜ୍ଞାନ ଓ ସକଳ କର୍ମ ମଧ୍ୟରେ ମୁଁ ତାହାକୁ ହିଁ ଲୋଡ଼ୁଛି । ଏବଂ, ଲୋଡ଼ୁଛି ବୋଲି ଅସଲ ସମର୍ଥନଟିକୁ ପାଇପାରୁଛି, ଅସଲ ସାନ୍ତ୍ଵନାଟିକୁ ପାଇପାରୁଛି । ଯଦି ମୁଁ ଅଲଗା ହୋଇ ବସିଥାନ୍ତି, ତେବେ ସେହି ଦୂରାବସ୍ଥାରେ ଯାହାକୁ ମୁଁ ଭଗବାନ ବୋଲି ଆପଣାର ଦଉଡ଼ି ଗୁଡ଼ାକରେ ବାନ୍ଧି ରଖିବାକୁ ଚାହୁଥାନ୍ତି ଓ ଆପଣାର ବାଡ଼ଗୁଡ଼ାକ ଭିତରେ ଯାହାକୁ ବନ୍ଦୀ କରି ରଖିବାକୁ ବ୍ୟଗ୍ର ହୋଇ ଧାଉଁଥାନ୍ତି, ତାହା କଦାପି କୌଣସି ଅସଲ ସମର୍ଥନ ଓ ଅସଲ ସାନ୍ତ୍ଵନାର ଭାଜନ ହୋଇ ପାରନ୍ତା ନାହିଁ । ତାହା ମୋ’ର ଏହି କ୍ଷୁଦ୍ର ସାତକଣ ମଧ୍ୟରେ କ୍ଷୁଦ୍ର ପିତୁଳାଟିଏ ହୋଇ ରହିଥାନ୍ତା । ମୋ’ ଭିତରଟା ଅହଂ ନାମକ ଏକ ଅଭାବକୁ ହିଁ ସୁବର୍ଣ୍ଣ ପିତୁଳା କରି ପୂଜା କରିବାରେ ଲାଗିଥାନ୍ତା । ଏବଂ ତା’ପରେ ମୁଁ ସତେଅବା ଗୋଟାଏ ରାକ୍ଷସ ପରି ଅସହାୟ ହୋଇ ରହିଥାନ୍ତି, ମୋ’ରି ଅକାଳ ବଳ ଓ ସମ୍ବଳ ସତ୍ତ୍ୱେ ମୁଁ ଭାରି ଅସହାୟ ହୋଇ ରହିଥାନ୍ତି ।

 

୨୪ । ୩ । ୭୯

 

କରୁଣା ଆମକୁ ଛାଡ଼ି ଯିବନାହିଁ, ପରମ କରୁଣା ଆମକୁ କଦାପି ପରିତ୍ୟକ୍ତ କରି ରଖିବନାହିଁ, –ଏଗୁଡ଼ାକ ହୁଏତ ପ୍ରଧାନତଃ ସେହିମାନଙ୍କ ପାଇଁ କୁହାଯାଏ, ଯେଉଁମାନେ କରୁଣା ଉପରେ ସଂଶୟ ରଖିଥାନ୍ତି । ଯେଉଁମାନେ କରୁଣାକୁ ନିଜେ ଅର୍ଜନ କରିଥିବାର ଏକ ସମ୍ପତ୍ତିତୁଲ୍ୟ ବିଚାରୁଥାନ୍ତି, ଯେଉଁମାନେ କରୁଣା ମାଗନ୍ତି, କରୁଣାର ପରିମାଣ-ବିଚାର କରନ୍ତି, ଆପଣାର ନାନାବିଧ କାର୍ପଣ୍ୟ-କଳ୍ପନାକୁ ଯେଉଁମାନେ କରୁଣାମୟଙ୍କ ଠାରେ ମଧ୍ୟ ଆରୋପ କରି ନିଜ ବୁଦ୍ଧିମତ୍ତାର ପରିଚୟ ଦେବାରେ ଲାଗିଥାନ୍ତି ।

 

ଅସଲ ବିଶ୍ଵାସ ହେଉଛି ଏହି କରୁଣା ଉପରେ ବିଶ୍ୱାସ । କରୁଣା ଉପରେ ବିଶ୍ଵାସ ହେଉଛି ଯଥାର୍ଥତଃ ଆପଣା ଉପରେ ବିଶ୍ଵାସ । ଆପଣା ଉପରେ ଯେ ତାଙ୍କର ସ୍ପର୍ଶ ଅନବରତ ରହିଛି, ସିଏ ଯେ ମୋ’ରି ଭିତରେ ପରମ ବନ୍ଧୁରୂପେ ସଦା ଉପସ୍ଥିତ ରହିଛନ୍ତି, ତାହାରି ଉପରେ ବିଶ୍ଵାସ । ଆମେ ଯେଉଁମାନେ ସଂସାରରେ ସଉଦା କରି ବାହାରିଥାଉ, ଅଳପ ଦେଇ ଯଥାସମ୍ଭବ ଅଧିକ କିଣିବାକୁ ହିଁ ସିଆଣିଆ ସଉଦା କରିବା ବୋଲି ଭାବିଥାଉ, –ଆମ ଭିତରେ ଜୀବନ ପ୍ରତି ସେହି ମୂଳ ବିଶ୍ଵାସଟି ମଧ୍ୟ ପ୍ରାୟ ସେହି ସଉଦାସ୍ତରର ଗୋଟାଏ ଦ୍ରବ୍ୟପ୍ରାୟ ପରି ହୋଇ ରହିଥାଏ-। ଆମେ ଭାରି ସତର୍କ ହୋଇ ବାଟ ଚାଲୁ । ନିଜର ପ୍ରାର୍ଥନା ମଧ୍ୟରେ କରୁଣା ମାଗୁ । କରୁଣା ପାଇଲୁ ବୋଲି ବେଳେବେଳେ ପୁଣି କୃତଜ୍ଞତା ଜଣାଉ, ଧନ୍ୟବାଦ ଦେଉ । ଆମର ସମର୍ପଣଗୁଡ଼ାକ ମଧ୍ୟ ପ୍ରଧାନତଃ ପ୍ରାୟ ସେହିପରି ବ୍ୟବସାୟାତ୍ମକ ହୋଇ ରହିଥାନ୍ତି । ଧର୍ମଗୁଡ଼ାକ ସୂତ୍ରପରି ଲାଗୁଥାଏ । କୌଣସି ଏକ ସୂତ୍ର ବା କେତେଟା ସୂତ୍ରକୁ ଆୟତ୍ତ କରିନେଲେ ଆମେ ଜୀବନରେ ଅସଲ ଧର୍ମ ଅର୍ଥାତ୍ ଅସଲ ସ୍ଵାଭାବିକତାର ଅଧିକାରୀ ହୋଇ ପାରିବା ବୋଲି ଭାବୁଥାଉ । ତେଣୁ, ଆମର ଦେବତାଗୁଡ଼ାକ ମଧ୍ୟ ଆମଲାଗି ସେହିପରି ଗୋଟାଏ ଗୋଟାଏ ସୁନା ଅଥବା ରୂପାର କଣ୍ଢେଇ ହୋଇ ରହିଥାନ୍ତି ।

 

୨୫ । ୩ । ୭୯

 

ସେହି ପରମ କରୁଣା ହିଁ ପରମ ସାହାସରୂପେ ମୋ’ରି ଭିତରେ ଆସି ଭିତରେ ଆସି ଅବତୀର୍ଣ୍ଣ ହୋଇଛି ଓ ମୋତେ ପ୍ରେରିତ କରିବାରେ ଲାଗିଛି । ଯାହା ଉପରୁ କରୁଣାରୂପେ ମୋ’ରି ଉପରକୁ ଅବନତ ହୋଇ ଆସିଛି, ତାହାହିଁ ମୋ’ରି ଭିତରୁ ଅଭୀପ୍‌ସାରୂପେ ଅର୍ଥାତ୍ ଅନ୍ତର୍ଗତ ଅନନ୍ତ ସାହସରୂପେ ଆପଣାକୁ ଅଭିବ୍ୟକ୍ତି କରିବାରେ ଲାଗିଛି । ଅଭୀପ୍‌ସା ମୂଳତଃ ଏକ ସାହସ, ଅଳପ ମଧ୍ୟରୁ ବହୁତ ବାଟଦେଇ ଭୂମାକୁ ଯିବାର ଏକ ସାହସ; ଆପଣାର ଏହି ସାନ ଖୋଳଟାକୁ ଛାଡ଼ି ସବୁରି ମଧ୍ୟରେ ପ୍ରବିଷ୍ଟ ହେବାର ଓ ସବୁଟିକୁ ସ୍ପର୍ଶ କରି ପାରିବାର ସାହସ । ଏହି ସାହସ ହିଁ କରୁଣାର ଯୋଗ୍ୟ । ମୋ’ ଭିତରେ ଯେଉଁଠି ଯଦି କୌଣସି ଆର୍ତ୍ତ ଆପଣ ପାଖରେ କିଛି ନାହିଁ ବୋଲି ରୋଦନ କରିବାରେ ଲାଗିଛି ଓ ସେହି ରୋଦନକୁ ହିଁ ପ୍ରାର୍ଥନା ବୋଲି କହୁଛି, ତେବେ ସିଏ କଦାପି କରୁଣାର ଯୋଗ୍ୟ ହୋଇ ପାରିବନାହିଁ । ତା’ର ଆର୍ତ୍ତତ୍ରାଣ କଦାପି ଯଥାର୍ଥତଃ କରୁଣାମୟ ହୋଇ ତା’ଲାଗି ଅବତୀର୍ଣ୍ଣ ହୋଇ ପାରିବେନାହିଁ । ଯିଏ ଭୀରୁ, ସିଏ କଦାପି କରୁଣାରେ ବିଶ୍ଵାସ ସ୍ଥାପନ କରି ପାରିବନାହିଁ । ଭୀରୁ ହୋଇ ରହିଥାଏ । ସେ ମୂଳତଃ ବିଚ୍ଛିନ୍ନ ହୋଇ ରହିଥାଏ । ବିଚ୍ଛିନ୍ନ ହୋଇ ରୋଦନ କରିବା ଆଉ ଯାହାକିଛି ହୋଇପାରେ, ମାତ୍ର ମୁଁ ତାହାକୁ କଦାପି ପ୍ରାର୍ଥନା ବୋଲି କହି ପାରିବନାହିଁ । ମୋ’ ପ୍ରାର୍ଥନା, ସିଏ ଏକ ଅନ୍ୟ ସମ୍ପଦ ।

 

ଅର୍ଥାତ୍ ସାହାସରୁ ସବୁ ଆରମ୍ଭ । ସାହସରୁ ବିଶ୍ଵାସ । ସେହି ବିଶ୍ଵାସ ହିଁ ଆପଣାକୁ ସର୍ବତ୍ରଗାମୀ କରି ଆପଣା ଭିତରେ ତଥା ଆପଣାର ବାହାରେ ସେହି ପରମ କରୁଣାର ଅନୁଭୂତି ଲାଭ କରେ । ଆପଣାକୁ ତାହାରି ଏକ ନିମିତ୍ତରୂପେ ସେ ବ୍ୟବହାର କରିବାରେ । ଯିଏ ସାହସର ଦାବୀ କରନ୍ତି, ଯିଏ ବିଶ୍ଵାସର ବିକାଶ କରାଇ ଆଣନ୍ତି, ସେଇ ଯଥାର୍ଥରେ କରୁଣାମୟ ହୋଇ ଆମ ପ୍ରତ୍ୟେକଙ୍କ ଜୀବନରେ ପ୍ରକଟ ହୋଇ ଆସିଥାନ୍ତି ।

 

୨୬ । ୩ । ୭୯

 

ଆପଣାକୁ ସମର୍ପିତ କରି ରଖିବାର ଅର୍ଥ ହେଉଛି ତାଙ୍କର ସମୀପବର୍ତ୍ତୀ ହୋଇ ରହିବା-। ସଖା ପରି ତାଙ୍କର ଅଧିକରୁ ଅଧିକ ସମୀପବର୍ତ୍ତୀ ହୋଇ ଆସିବାର ଅର୍ଥ ହେଉଛି ତାଙ୍କର ସହିତ ଅଧିକରୁ ଅଧିକ ପରିମାଣରେ ଏକାତ୍ମକ ହୋଇ ରହିବା । ମୂଷା ଯେତେବେଳେ ଆପଣାକୁ ବିଲେଇ ପାଖରେ ସମର୍ପିତ କରି ଦେଉଥିବ, ସେତେବେଳେ ସିଏ ବିଲେଇ ସହିତ କଦାପି କୌଣସି ଏକାତ୍ମକତା ଅର୍ଜନ କରୁନଥିବ । ଏକାତ୍ମକତା ଅନୁଭବ କରିବାର ଅର୍ଥ ହେଉଛି, ମୁଁ ମୂଳତଃ ଯାହା, ସିଏ ମଧ୍ୟ ଠିକ୍ ସେଇଆ । ଏପରି ଏକ ଆକର୍ଷଣ ସମ୍ଭବ ହେଉଛି କାରଣ ଆମେ ଦୁହେଁ କେନ୍ଦ୍ରତମ ସତ୍ୟରୂପେ ସେହି ଗୋଟିଏ ଉପାଦାନକୁ ହିଁ ଧାରଣ କରି ରଖିଛୁ ।

 

ଏଣୁ, ଆପଣାକୁ ସମର୍ପିତ କରି ରଖିବା ହେଉଛି ଆପଣାକୁ ପାଇବା, ଆପଣାର ବୃହତ୍ତର ସୀମାଗୁଡ଼ିକୁ ସ୍ପର୍ଶ କରିବାଲାଗି ସମର୍ଥ ହେବା, ଏଠି ମୋତେ ବିଚ୍ଛିନ୍ନ କରି ରଖିଥିବା ଯାବତୀୟ ଦୂରତା ଉପରେ ବିଜୟ ହାସଲ କରିବା । ମୁଁ ଯେ ପର୍ଯ୍ୟନ୍ତ କୌଣସି ନା କୌଣସି ଭୟଦ୍ଵାରା ଆପଣାକୁ ଆଚ୍ଛନ୍ନ କରି ରଖିଥିବି, ଯେପର୍ଯ୍ୟନ୍ତ ଆପଣାକୁ ଏକୁଟିଆ ବୋଲି ଭାବୁଥିବି ଅର୍ଥାତ୍ ଏକୁଟିଆ ଭାବରେ ହିଁ ଆପଣାର ଯାବତୀୟ ସମସ୍ୟାର ସମାଧାନ କରିବାଲାଗି ଆଶା ଓ ଇଚ୍ଛା କରୁଥିବି, ସେପର୍ଯ୍ୟନ୍ତ ମୋ’ ଜୀବନରେ କୌଣସି ଯଥାର୍ଥ ସମର୍ପଣ କଦାପି ସମ୍ଭବ ହୋଇ ପାରିବନାହିଁ । ଭୟରେ ଯେଉଁ ସମର୍ପଣ କରାଯାଏ, ତା’ପଛରେ ଏକ ଅତିରିକ୍ତ ଆତ୍ମସଚେତନ ଲୁକ୍‍କାୟିତ ହୋଇ ରହିଥାଏ, ଯାହାକି କୌଣସି ପ୍ରକାରେ ଦୁଆରଗୁଡ଼ାକୁ ଖୋଲାଇ ଦିଏନାହିଁ, କୌଣସି ବାଡ଼କୁ ଭାଙ୍ଗି ପାରେ ନାହିଁ । ଏବଂ, ଜଳାଶୟ ପରି ରହି ନିଜର ହୁଡ଼ାଗୁଡ଼ିକୁ ଉଚ୍ଚ ଉଚ୍ଚ ସୁରମ୍ୟ କରି ରଖିବା ହିଁ ସେ ପର୍ଯ୍ୟନ୍ତ ଆମର ଏକମାତ୍ର ଧନ୍ଦା ହୋଇ ରହିଥାଏ । ତାହାକୁ ଏକ ଗାମ୍ଭୀର୍ଯ୍ୟ ଆଣି ଦେବାକୁ ଆମେ ତା’ସହିତ ଧର୍ମକୁ ବି ଆଣି ମିଶାଇ ରଖିଥାଉ, ଏବଂ ଧର୍ମଛଡ଼ା ହୋଇ ରହିଥାଉ ।

 

୨୭ । ୩ । ୭୯

 

ସେହି ସତ୍ୟ ଆମରି ଭିତରେ ରହିଛି । ଯେଉଁଠି ଯେଉଁ ସତ୍ୟ ରହିବା କଥା, ତାହା ଠିକ୍ ସେହି ସ୍ଥାନରେ ନିହିତ ହୋଇ ରହିଛି । ସେହି ସତ୍ୟଟି ରହିଛି ବୋଲି ଆମ ଭିତରେ ଯାହାର ଅବଗତ ହେବା କଥା, ସିଏ ମଧ୍ୟ ତାହା ବିଷୟରେ ଅବଗତ ରହିଛି । ମାତ୍ର, ଆମେ ସାଧାରଣତଃ ଜୀବନର ଯେଉଁ ଭୂମିରେ ଅବସ୍ଥାନ କରୁଛେଁ, ସେହି ଭୂମିରେ ସେପରି ଜ୍ଞାନର ହୁଏତ କିଛି ପ୍ରୟୋଜନ ହୋଇନାହିଁ ବୋଲି ଆମେ ତଥାପି ସେଇଟି ବିଷୟରେ ବିସ୍ମୃତ ହୋଇ ରହୁଛୁ । ଯଥାର୍ଥ ତତ୍ତ୍ଵ ହିସାବରେ ଜାଣୁଛୁ, ଧର୍ମ ହିସାବରେ ମାନୁଛୁ, ଜ୍ଞାନ ହିସାବରେ ସ୍ଵୀକାର କରୁଛୁ, ମାତ୍ରକେ ତାକୁ ଆମ ଜୀବନର ହିଁ ଏକ ଅଂଶ ଅଥବା ଉତ୍ସ ହିସାବରେ ଗ୍ରହଣ କରି ପାରୁନାହୁଁ । ସେପରି ଗ୍ରହଣ କରି ନେଇ ପାରିବାର ଆହ୍ଵାନଟିକୁ ଆମେ ଆପଣା ଜୀବନରେ ସ୍ଵୀକାର କରିନେଇ ପାରୁନାହୁଁ । ନିଜର ଭିତରକୁ ଅନାଇବା ଲାଗି ଆମର ଯଥାର୍ଥ ସାହସଟି ହୋଇନାହିଁ, –ନିଜ ଘରେ ଝରକାଗୁଡ଼ାକୁ ଖୋଲିଦେଇ ତା’ପରେ ସେହି ବିପୁଳ ମୁକ୍ତି, ବିପୁଳ ସାତତ୍ୟ ଏବଂ ବିପ୍ଳବ ସାନ୍ନିଧ୍ୟର ସମ୍ମୁଖୀନ ହେବାଲାଗି ଆମ ଭିତରେ ଏ ପର୍ଯ୍ୟନ୍ତ ସଙ୍କୋଚ ରହିଛି ।

 

ସେହି ସଙ୍କୋଚଟିକୁ ଭାଙ୍ଗି ପରିବାକୁ ହେଲେ ଆହୁରି ଭକ୍ତି ଦରକାର, ଆହୁରି ଭଲ ପାଇବା ଦରକାର, ଆହୁରି ଅନେକ ନିର୍ଭୟ ହୋଇ ପାରିବା ଦରକାର । ମୋ’ନିଜର ସମ୍ମୁଖୀନ ହୋଇ ପରିବାକୁ ଅନେକ ଭଲ ପାଇବା ଦରକାର, ଅର୍ଥାତ ବିଶ୍ଵାସ ଦରକାର । ଆପଣାକୁ ସ୍ଵୀକାର କରିନେବା ଦରକାର, କେତେ କେତେ ପ୍ରକାରର ଜୁଗୁପ୍ସା ଦ୍ଵାରା ଉତ୍ପୀଡ଼ିତ ହୋଇ ରହିଥିବା ଅରଣ୍ୟ ଭିତରୁ ଆପଣାକୁ ଠାବ କରିନେଇ ପାରିବା ଦରକାର ।

 

୨୮ । ୩ । ୭୯

 

ଆମେ ଯଥାର୍ଥତା ଯାହା ହେବା, ତାହା ଆମରି ମଧ୍ୟରେ ନିହିତ ହୋଇ ରହିଛି । ନିହତଂ ଗୁହାୟାଂ । ସେହି ଗୁହାର ଦୁରୋଦ୍‌ଘାଟନ କରିବାକୁ ପଡ଼ିବ, –ଅର୍ଥାତ୍ ଆପଣାର ପରିପୂର୍ଣ୍ଣ ପରିଚୟଟିକୁ ପାଇବାଲାଗି ସେହି ଗୁହାଟି ମଧ୍ୟରେ ପ୍ରବେଶ କରିବାକୁ ପଡ଼ିବ ଓ ସେହି ପରିଚୟଟିକୁ ଧରି ଏହି ଗୁହାଟି ମଧ୍ୟରେ ବାହରି ଆସିବାକୁ ପଡ଼ିବ ।

 

ସେହି ଗୁହା କହିଲେ ସେହି ଗଭୀରତାକୁ ବୁଝାଉଛି । ଗଭୀରତା ମଧ୍ୟ ଏଇ ମୋ’ରି ଜୀବନର ଗୋଟିଏ ପ୍ରସ୍ଥ ଅର୍ଥାତ୍ ଗୋଟିଏ dimension, –ମୋ’ ଆକାଙ୍‌କ୍ଷାର ଗୋଟିଏ ପ୍ରସ୍ଥ, ମୋ’ ଅନ୍ଵେଷଣର ଗୋଟିଏ ପ୍ରସ୍ଥ, ମୋ’ ସମ୍ପର୍କ ପ୍ରତିଷ୍ଠାର ଗୋଟିଏ ପ୍ରସ୍ଥ, ମୋ’ ଭଲ ପାଇବାର ଗୋଟିଏ ପ୍ରସ୍ଥ । ଅର୍ଥାତ୍, ଗଭୀରତା ହେଉଛି ମୋ’ ପଥର ଗୋଟିଏ ପ୍ରସ୍ଥ । ଗଭୀରକୁ ଯିବା ଅର୍ଥାତ୍ ଆପଣା ଭିତରେ ରହିଥିବା ବୃହତ୍ତର ଏବଂ ଆହୁରି ବୃହତ୍ତର ସ୍ପର୍ଶ ପାଇବାରେ ଲାଗିଥିବା । ଏହି ଗଭୀରତା କହିଲ କଦାପି ଏକ ଗର୍ତ୍ତକୁ ବୁଝାଏନାହିଁ, –ଏହା ଏକ ପ୍ରସାରକୁ ବୁଝାଏ, ପ୍ରକୃତରେ ଏକ ଅନନ୍ତ ପ୍ରସାରକୁ ଏକ ଅନନ୍ତ ପ୍ରସାରକୁ ବୁଝାଏ । ଶିଖରକୁ ଉଠି ଉଠି ଗଲା–ବେଳେ ଆମର ଆଖିକୁ ଯେପରି ଅଧିକରୁ ଅଧିକ ଦୃଷ୍ଟିଗୋଚର ହେବାରେ ଲାଗିଥାଏ, ଆପଣାର ଗଭୀର ଭିତରକୁ ଅନ୍ତରଙ୍ଗ ଭାବରେ ଏବଂ ଅନନ୍ତ ବିଶ୍ଵାସର ସହିତ ପ୍ରବେଶ କରିବାକୁ ମନ ରଖିଥିଲେ ସେହିପରି ଅଧିକରୁ ଅଧିକ ଦୃଷ୍ଟିଗୋଚର ହେବାରେ ଲାଗିଥାଏ, ଅଧିକରୁ ଅଧିକ ସମ୍ପଦ ସ୍ପର୍ଶଲବ୍‌ଧ ଓ ନିକଟ ହେବାରେ ଲାଗିଥାଏ । ତେଣୁ ଯାହା ଗଭୀରରେ ଅଛି, ମୋତେ ତାହାହିଁ ହେବାକୁ ପଡ଼ିବ, ମୋ’ର ସମସ୍ତ ଲବ୍‌ଧ ଓ ଉପାର୍ଜିତକୁ ବ୍ୟବହାର କରି ସେହି ଗଭୀରକୁ ସ୍ଵୀକାର କରିବାକୁ ହେବ, ସେହି ଗଭୀରକୁ ପଡ଼ିଥିବା ପଥଟିର ସନ୍ଧାନ ପାଇବାକୁ ହେବ ଓ ସେଇଠାରେ ଯାଇ ପହଞ୍ଚି ପାରିବାକୁ ହେବ । ତାହାହିଁ ଅଭିପ୍ରେତ ହୋଇ ରହିଛି ।

 

୨୯ । ୩ । ୭୯

 

ସିଏ ମୋ’ର ଅଣୁ ଅଣୁ ଭିତରେ ରହିଛି । ମୋ’ ଦେହର ପ୍ରତ୍ୟେକ କୋଷରେ ମୁଁ ତାହାରି ଉପସ୍ଥିତିକୁ ଅନୁଭବ କରୁଛି ।

 

ଏହି ଶରୀରକୁ ମୁଁ ଯେପର୍ଯ୍ୟନ୍ତ ଲୁଚାଇ ରଖିବାଲାଗି ଉଦ୍ୟମ କରୁଥାଏ, ଯେପର୍ଯ୍ୟନ୍ତ ମୁଁ ତାକୁ କେବଳ ଏକ ପାତକ ବୋଲି ଜ୍ଞାନ କରୁଥାଏ, ସେପର୍ଯ୍ୟନ୍ତ ସେହି ପରମ ସତ୍ୟକୁ ଦେହକୁ ଛାଡ଼ି ଅନ୍ୟ ଯେଉଁ ସବୁ ଥାନରେ ମୁଁ ପାଇବି ବୋଲି ମନ କରିଥାଏ, ତାକୁ ସେହିସବୁ ଥାନରେ ମୋଟେ ପାଇ ପାରେନାହିଁ । ଯେତେବେଳେ ଏହି ଦେହଟି ସମେତ ଯାବତୀୟ ଦ୍ଵାରକୁ ମୁଁ ଉନ୍ମୋଚିତ କରି ରଖିପାରେ, ଯେତେବେଳେ ଆଉ ଲୁଚାଇ ରଖିବାର କିମ୍ବା ଭଲ ହୋଇ ଦିଶିବାର ଆଉ କୌଣସି ଦୁରାଗ୍ରହ ନଥାଏ, ସେତେବେଳେ ଏହି ସମଗ୍ର କାଚଟାକୁ ପ୍ରଦୀପ୍ତ କରି ତାଙ୍କରି ଦୀପ୍ତି ହିଁ ଉଦ୍‌ଭାସିତ ହୋଇଉଠେ, ଏହି ସମଗ୍ର ଉଦ୍ୟାନଟିକୁ ଧନ୍ୟ କରି ତାଙ୍କରି ଫୁଲଟି ହିଁ ସତତ ଫୁଟି ଉଠିବାପରି ମନେ ହେଉଥାଏ ।

 

ସିଏ ମୋ’ର ପ୍ରତ୍ୟେକ ଅଣୁଟି ମଧ୍ୟରେ ଭରି ରହିଛନ୍ତି ବୋଲି ମୁଁ ତାଙ୍କୁ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ପ୍ରତିମା ଭିତରେ ଠାବ କରିଦେଇ ମୋଟେ ନିଶ୍ଚିନ୍ତ ହୋଇ ରଖି ପାରୁନାହିଁ । ସେଇଥିଲାଗି, ଆଖିଗୁଡ଼ିକୁ ଅଧିକ ନିର୍ମଳ କରି ଅନାଇବା ମାତ୍ରକେ ପ୍ରତିମାଗୁଡ଼ାକ ସତେଅବା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ିଲାପରି ମନେ ହେଉଛି; ଏଡ଼େ ଯତ୍ନର ସହିତ ଗଢ଼ାହୋଇ ରହିଥିବା ଦେଉଳଗୁଡ଼ାକ ମଧ୍ୟ ତୁଚ୍ଛା ଗୋଡ଼ିମାଟି ପରି ଭୁଷୁଡ଼ି ପଡ଼ୁଛି । ସେଇଥିଲାଗି ଯାବତୀୟ ବେଢ଼ା ଓ ବାଡ଼ ଭିତରୁ ବାହାରି ନଆସିବା ପର୍ଯ୍ୟନ୍ତ ଆପଣାର ଅସଲ ଘରଟିର ଠାବ କରିଥିବା ପରି ମୋଟେ ପରତେ ହେଉନାହିଁ । ଅସଲ ଘରଟି ସବୁଠାରେ, ଅସଲ ଘରଟିର କୌଣସି ବାଡ଼ ନାହିଁ, କୌଣସି ବେଢ଼ା ନାହିଁ ।

 

୩୦ । ୩ । ୭୯

 

ତାହାକୁ ମୁଁ ଜୟ କହିବି କି ପରାଜୟ ବୋଲି କହିବି, ମୁଁ ସେକଥା ମୋଟେ କହି ପାରିବିନାହିଁ । କିନ୍ତୁ, ଜୀବନରେ ମୁଁ ଯେତିକି ଯେତିକି ଆଗକୁ ଯାଉଛି, ଯେତିକି ଅଧିକ ଦେଖୁଛି ଓ ଅଧିକ ହେଉଛି, ମୋ’ର ଯାବତୀୟ ଇଚ୍ଛା ସତେଅବା ସେତିକି ଅଧିକ ପରିମାଣରେ ଏକ ଅଭୀପ୍‌ସାରେ ପରିଣତ ହେବାରେ ଲାଗିଛି । ମୋ’ର ଇଚ୍ଛା ଆଉ ମୋ’ରି ଇଚ୍ଛା ବୋଲି ଆପଣାକୁ କହିବାଲାଗି ଅନିଚ୍ଛା ପ୍ରକାଶ କରୁଛି । ଏବଂ, ଯେତେବେଳେ ସମସ୍ତ ଇଚ୍ଛା ଏକ ଅଭୀପ୍‌ସାରେ ପରିଣତ ହୋଇ ପାରିବାର ସାମର୍ଥ୍ୟ ଅର୍ଜନ କରେ, ସେତେବେଳେ ଇଚ୍ଛାମାତ୍ରେ ହିଁ ସଦିଚ୍ଛାରେ ପରିଣତ ହୁଏ । ସେତେବେଳେ ଇଚ୍ଛା ବୋଲି ଚଉକଷ ବାଡ଼ ଦିଆହୋଇ ରହିଥିବା କୌଣସି ପ୍ରକାରେ ଗେହ୍ଲାପଣ ବା କୌଣସି ଉଗ୍ରତା ଲାଗି ଏହି ଘରଟି ଭିତରେ ମୋଟେ କୌଣସି ସ୍ଥାନ ରହେନାହିଁ ।

 

ଯେତେବେଳେ ମୋ’ର ଇଚ୍ଛାଗୁଡ଼ିକ ଗୋଟିଏ ଗୋଟିଏ ଅଭୀପ୍‌ସାରେ ପରିଣତ ହୋଇ ଯାଆନ୍ତି, ସେତେବେଳେ ଜୀବନରେ ଜୟ ବା ପରାଜୟ ବୋଲି ହୁଏତ ଆଉ ଦୁଇଟା ଅଲଗା ଅଲଗା ଜିନିଷ ରହିବାଲାଗି ମଧ୍ୟ କୌଣସି ଅବକାଶ ରହେନାହିଁ । ଇଚ୍ଛା ପଛରେ ଆନ୍ତରିକତା ରହିଥିଲେ, ଅର୍ଥାତ୍, ତାହା ମୋ’ର ସମଗ୍ର ଚେତନା ତଥା ସମଗ୍ର ଆବଶ୍ୟକତାଟି ମଧ୍ୟରୁ ଜନ୍ମଗ୍ରହଣ କରି ପାରୁଥିଲେ, ଏହି ଜୀବନର ଯାବତୀୟ ଅଭିବ୍ୟକ୍ତି କେବଳ ସଦିଚ୍ଛାର ହିଁ ଅଭିବ୍ୟକ୍ତିରେ ପରିଣତ ହୋଇଯାଏ । ତା’ପରେ ଅସଦିଚ୍ଛାକୁ ଦବାଇ ସଦିଚ୍ଛା ପକ୍ଷରେ ରହିବାଲାଗି ମୋଟେ କୌଣସି ଆବଶ୍ୟକତା ରହେନାହିଁ । ସେତେବେଳେ ହୁଏତ ଜୟଲାଭ କରିବାଲାଗି ମଧ୍ୟ ବିଶେଷ କୌଣସି ଯୋଜନା କରିବାକୁ ପଡ଼େନାହିଁ । କୌଣସି ପରାଜୟରୁ ନିଷ୍କୃତ ପାଇବାଲାଗି ମଧ୍ୟ ହୁଏତ କୌଣସି କାତର ଓ ସତର୍କ ପ୍ରୟାସ ବି କରିବାକୁ ପଡ଼େନାହିଁ । ମୋ’ର ଇଚ୍ଛାଗୁଡ଼ାକ ମୋ’ ଅନ୍ତରର ହୋଇ ରହିଥାଉ, ମୋ’ର ଜୀବନଟା ଏହିପରି କେବଳ ଏକ ସଦିଚ୍ଛା ହୋଇ ରହିଥାଉ ।

 

୩୧ । ୩ । ୭୯

 

ଏ ଲକ୍ଷ୍ୟ କଦାପି ଭୁଲିବାର ନୁହେଁ । ଲକ୍ଷ୍ୟ ହେଉଛି ଆପଣାକୁ ଅଭିବ୍ୟକ୍ତି କରି ଆଣିବା, ଲକ୍ଷ୍ୟ ହେଉଛି ଆପଣାର ଗଭୀରରେ ପ୍ରବେଶ କରି ପାରିବାଲାଗି ଅଧିକରୁ ଅଧିକ ଶ୍ରଦ୍ଧାଶୀଳ ହୋଇ ସେହି ଗଭୀରରେ ରହିଥିବା ସାରତତ୍ତ୍ଵଟିକୁ ଆବିଷ୍କାର କରି ଆଣିବା, ତାହାକୁ ଉଦ୍‌ଘାଟିତ କରି ଆଣିବା; ଯାହା ଭିତରେ ଅଛି, ତାହାକୁ ବାହାରକୁ ଅଭିବ୍ୟକ୍ତି କରି ଆଣି ଏଠି ଏହି ସବୁଟି ସହିତ ସମ୍ମିଳିତ ହୋଇ ରହିବା ।

 

ମୋ’ର ଲକ୍ଷ୍ୟ ହେଉଛି ଆପଣାକୁ ନାନ ଗ୍ଲାନିଦର୍ପିତ ଭାବରେ ଲୁକ୍‌କାୟିତ କରି ରଖିଥିବା ଆପଣାର ଅହଂଗୁଡ଼ାକୁ ଅସ୍ଵୀକାର କରିବା, ଅର୍ଥାତ୍ ସେହିଗୁଡ଼ାକ ମଧ୍ୟରେ ହିଁ ବାନ୍ଧିହୋଇ ରହିବା ଲାଗି ଅସ୍ଵୀକାର କରିବା । ଲକ୍ଷ୍ୟ ହେଉଛି ଅନ୍ୟ ମାନଙ୍କୁ ମଧ୍ୟ ଆପଣା ଭିତରେ ଠିକ୍ ଆପଣାପରି ସ୍ଥାନ ଦେବା; ଆପଣାକୁ ଏପରି ଏକ ସଦନରେ ପରିଣତ କରିବା, ଯେଉଁଠାରେ କି ସମସ୍ତଙ୍କୁ ଆମନ୍ତ୍ରଣ କରି ଅଣାଯାଇ ପାରିବ । ଲକ୍ଷ୍ୟ ହେଉଛି ଆପଣାର ପରିଧିଗୁଡ଼ିକୁ ଅଧିକରୁ ଅଧିକ ପ୍ରସାରିତ କରିବାରେ ଲାଗିଥିବା, ଆପଣାର ବିଶ୍ଵାସକୁ ଅଧିକରୁ ଅଧିକ ପ୍ରସାରିତ କରିବାରେ ଲାଗିଥିବା, –ମୁଁ ଯେ କେବଳ ମୋ’ରି ପାଇଁ ଅର୍ଥାତ୍ ମୋ’ରି ଦ୍ଵୀପଟିକୁ ହିଁ ଅଧିକରୁ ଅଧିକ ଦର୍ପମୟ ଏବଂ ଯଶୋଯୁକ୍ତ କରି ରଖିବାପାଇଁ ଏଠାକୁ ଆସିନାହିଁ, ଏହିପରି ଏକ ବିଶ୍ଵାସରେ ଆପଣାକୁ ପ୍ରସାରିତ କରିବାରେ ଲାଗିଥିବା । ପରମସତ୍ୟ ଯେ ଏକ ବିଶ୍ଵସତ୍ୟ, ଏବଂ ଆତ୍ମସତ୍ୟର ଆବିଷ୍କାର କରି ବିଶ୍ଵର ସେତୁ ଦେଇ ଯେ ସେହି ପରମସତ୍ୟଟି ସହିତ ଖିଅ ଯୋଡ଼ିବା ସମ୍ଭବ, ମୋ’ର ସାନ ବଡ଼ ପ୍ରତ୍ୟେକ ଆକୂତିରେ ଏହାହିଁ ଅନୁଭବ କରିପାରିବା,-ଏହାହିଁ ଲକ୍ଷ୍ୟ । ଏଥିପାଇଁ ଯେ କେତେପ୍ରକାର ଖଣ୍ଡପ୍ରୀତି ଏବଂ ଅନ୍ୟପ୍ରୀତିର ହୀରାନୀଳା ଦେଇ କେଡ଼େ ସରାଗରେ ଗଢ଼ାହୋଇ ରହିଥିବା ପାଚେରୀଗୁଡ଼ାକୁ ଭାଙ୍ଗଦେବାକୁ ପଡ଼େ, ଆଜି ସକାଳେ ପଛକୁ ଅନାଇଦେଲା ବେଳକୁ ମୁଁ କେବଳ ତାହାହିଁ ଭାବୁଛି ।

 

ମୁଁ ସେହି ଲକ୍ଷ୍ୟର ଯୋଗ୍ୟ ହେବି, –ସେହି ଯୋଗ୍ୟ ହେବାକୁ ହିଁ ମୋ’ଜୀବନର ଲକ୍ଷ୍ୟ ବୋଲି ମୁଁ ଅନୁଭବ କରିପାରିବି । ସେହି ଅନୁଭବ ସହିତ ମୁଁ ଅନ୍ୟ ସମସ୍ତଙ୍କ ସହିତ ଯୁକ୍ତ ହେବି, –ଆପଣା ସହିତ ମଧ୍ୟ ମୂଳତଃ ସେହି ଖିଅଟି ଦ୍ଵାରା ବନ୍ଧାହୋଇ ରହିବି ।

 

୧ । ୪ । ୬୯

 

କେବଳ ଜୀବନର ଯାବତୀୟ ଉପାଦାନ ନୁହେଁ, ଜୀବନର ଯାବତୀୟ କର୍ମ ମଧ୍ୟ ତାଙ୍କରି ପରମ ପ୍ରେମ ଓ ପରମ ପ୍ରଶାନ୍ତତାର ଅଭିବ୍ୟକ୍ତି ହୋଇ ରହିବ । ଯେଉଁଠାରେ ଉପାଦାନଗୁଡ଼ାକ ଅଲଗା ପରି ଆପଣାକୁ ଗମ୍ଭୀର ଭିତରେ କିଳି ରଖିଥାନ୍ତି ଏବଂ ତେଣେ କର୍ମଗୁଡ଼ାକ ସତେଅବା ଆଉଗୋଟାଏ ଆଡ଼କୁ ମୁହଁ କରି ପ୍ରେରିତ ହୋଇ ରହିଥାନ୍ତି, ସେଠାରେ ସେହିପ୍ରେମ ଓ ସେହି ପ୍ରଶାନ୍ତତା ନିଶ୍ଚିତ ଭାବରେ କେତେ ଦୂରର ଦୁଇଟି ବସ୍ତୁ ହୋଇ ରହିଥାନ୍ତି । ଯେଉଁଠି ଏହିପରି ଭାବରେ ଏବଂ ବାହାର ମଧ୍ୟରେ ଏହିଭଳି ଏକ ଦ୍ଵନ୍ଦ୍ଵ ରହି ଯାଇଥାଏ, ସେଠାରେ ଜୀବନର ଭୂଇଁଟାକୁ ହୁଏତ କୌଣସି ପ୍ରେମ ଅଥବା କୌଣସି ପ୍ରଶାନ୍ତତା ସ୍ପର୍ଶ ହିଁ କରିନଥାଏ ।

 

ଯୁଗ ଯୁଗ ଧରି ଆମେ ଅନେକେ ଭଗବତ୍-ପ୍ରେମ ଓ ଭଗବତ୍-ପ୍ରଶାନ୍ତ କହିଲେ ମୂଳତଃ ଆମ ଭିତରେ କେବଳ ଆମରି ଏକୁଟିଆ ହୋଇ ରହିଥିବା କୌଣସି ପ୍ରେମ ବା ପ୍ରଶାନ୍ତିକୁ ବୁଝି ଆସିଛୁ । ଏବଂ, ଭଗବାନଙ୍କ ସହିତ ସମ୍ପର୍କଟା ସେତେବେଳେ ସତେଅବା ଗୋଟାଏ ତୁଚ୍ଛା ବ୍ୟକ୍ତିଗତ ସମ୍ପର୍କରେ ପରିଣତ ହୋଇ ରହିଥାଏ । ଆମେ ଭଗବାନଙ୍କୁ ଲାଭ କରି ଆପଣାର ବ୍ୟକ୍ତିଗତ ସତେଅବା କୌଣସି ଭଣ୍ଡାରଘରେ ତାଙ୍କର କୃପା, କରୁଣା ଏବଂ ପ୍ରେମର ଅଧିକରେ ହେଉଥିବାର ଭ୍ରମ କରୁଥାଉ ଓ ତାହାକୁ ହିଁ ଏକ ପ୍ରଶାନ୍ତି ବୋଲି କହିବାରେ ଲାଗିଥାଉ । ଏହା ଭ୍ରମ, ଏହା ଅହଂକାର, ଏହା ଅଜ୍ଞାନତା,-କାରଣ ଭଗବାନ କହିଲେ ବାହାର ଓ ଭିତର ଉଭୟକୁ ବୁଝାଏ, ତାଙ୍କର ପ୍ରେମ ଓ ପ୍ରଶାନ୍ତି କହିଲେ ବାହାର ଓ ଭିତର ଉଭୟ କ୍ଷେତ୍ରରେ ଅନନ୍ତ ବିଶ୍ୱାସର ସହିତ ପ୍ରତିଷ୍ଠିତ ହୋଇଥିବା ଏକ ଜୀବନସୂତ୍ର ଏବଂ ତତ୍‌ପ୍ରେରିତ ଏକ ଅନୁଭୂତିକୁ ବୁଝାଏ । ବାହାରେ ଦୁଆର ଖୋଲୁଥିବା ସଙ୍ଗେ ସଙ୍ଗେ ଭିତରେ ବି ଦୁଆର ଖୋଲେ । ଭିତରେ ଉପଲବ୍‍ଧ ହେଉଥିବା ସଙ୍ଗେ ସଙ୍ଗେ ବାହାରର ଗଣ୍ଠିଗୁଡ଼ାକ ମଧ୍ୟ ଫିଟି ଯାଉଥାନ୍ତି ।

 

୨ । ୪ । ୭୯

 

ଏହି ଅଭୀପ୍‌ସା ସମସ୍ତ ପୃଥିବୀର ଅଭୀପ୍‌ସା । ମୋ’ ଜୀବନର ଯାବତୀୟ ଯଥାର୍ଥ ଅଭୀପ୍‌ସା କେବଳ ସେହି ବିଶ୍ଵ-ଅଭୀପ୍‌ସାର ଏକ ବାହନ ବା ଅଭିବ୍ୟକ୍ତି ହୋଇ ରହିବ । ମୋ’ର ଅଭୀପ୍‌ସା; ଅର୍ଥାତ୍ ମୋ’ ଭିତରେ ରହିଥିବା ବିଶ୍ୱୋପାଦାନଗତ ଆକୂତିଟିର ଏକ ଅଭିପ୍ରେରଣା । ଆପଣାର ଯାତ୍ରାରେ ଅଧିକରୁ ଅଧିକ ନିକଟବର୍ତ୍ତୀ ହେଉଥିବା ସଙ୍ଗେ ସଙ୍ଗେ ହିଁ ଆମେ ଏହି ଅନୁଭୂତିଟିର ଅଧିକାରୀ ହୋଇଥାଉ ।

 

ଅର୍ଥାତ୍, ମୋ’ର ଅଭୀପ୍‌ସା ମୋ’ର ବ୍ୟକ୍ତିଗତ ଅଭୀପ୍‌ସା ନୁହେଁ; –ଅଭୀପ୍‌ସା ଭଳି ଆଦୌ କୌଣସି ବ୍ୟକ୍ତିଗତ କଥା ବା ଧନ୍ଦା କେଉଁଠିହେଲେ ନାହିଁ । ଯାହାକିଛି କେବଳ ବ୍ୟକ୍ତିଗତ, ତାହା ହେଉଛି ବାସନା; ତାହା ଏକ ଅହଂକାର, ଏକ ଦୌରାତ୍ମ୍ୟ । ଆମେ ଅନେକ ସମୟରେ ଏହିପରି ଏକ ଦୌରାତ୍ମ୍ୟ ଦେଖାଇବାକୁ ହିଁ ଭଗବତ୍‌ପଥର ଆଚରଣ ବୋଲି ମାନି ନେଇଥାଉ । ପାର୍ଥିବ ସଫଳତାଜନିତ ଅହଂକାରଗୁଡ଼ାକୁ ଆମେ ଆମ ଆଦ୍ୟାତ୍ମିକ ବିକାଶର ମାଇଲଖୁଣ୍ଟ ବୋଲି ଧରିନେବାର ସାହସ ବି ଦେଖାଇଥାଉ । ଏହାଦ୍ୱାରା ଆମେ କେତେ ଉଚ୍ଚ ପରିପାଟୀରେ ଆପଣାକୁ କେତେ ଉଚ୍ଚ ସ୍ଥାନରେ ନେଇ ବସାଉ, ଭଗବତ୍‌କାର୍ଯ୍ୟ ନାମରେ କେତେ ଭଳି ଭଳି ରାଜସିକତାର ଭିଆଣ କରୁ । ସଂସାରରେ ଆମ ନାମରେ କେତେ ଉଚ୍ଚ ସ୍ଥାନରେ ନେଇ ବସାଉ, ଭଗବତ୍‌କାର୍ଯ୍ୟ ନାମରେ ଡିଣ୍ଡିମ ବାଜେ, ଆମକୁ ବସାଇ ସଭା ହୁଏ, ଆମକୁ ସବା ଆଗରେ ରଖି ଶୋଭାଯାତ୍ରା ବି ବାହାରେ । ତଥାପି, ତଦ୍ଦ୍ଵାରା ଆମେ ହିଁ ଆପଣାକୁ ଭାରି ସୂତ୍ର ଓ ଉତ୍ତେଜିତ ଭାବରେ ନିର୍ବାସିତ କରି ରଖି ଦେଇଥାଉ । ଏବଂ ତଦ୍ଦ୍ଵାରା ଆଧ୍ୟାତ୍ମିକତା ଧର୍ମର କୋଳାହଳ ଓ ପ୍ରଦର୍ଶନ ଭିତରେ କୁଆଡ଼େ ବୁଡ଼ି ଯାଇଥାଏ । ଆମେ ନିଜେ ବି ଆପଣାର ନିଶାଗୁଡ଼ାକ ଭିତରେ କୁଆଡ଼େ ବୁଡ଼ି କରି ରହିଥାଉ, ଆମ ନିଜ ଦ୍ଵାରା ବଜା ହୋଇଥିଆ ଦଉଡ଼ି ଗୁଡ଼ାକରେ କୁଆଡ଼େ ବାନ୍ଧିହୋଇ ରହିଥାଉ । ଭଗବାନଙ୍କ ନାମରେ ଆମ ନିଜ ବିପଣିଗୁଡ଼ାକ ହିଁ ଚାଲିଥାଏ । ଆମ ନିଜ ବାନାଗୁଡ଼ାକ ଉଡ଼ିବାରେ ଲାଗିଥାଏ, ଆମ ନିଜ ଲୀଳାଗୁଡ଼ାକୁ ହିଁ ଅଭିନୀତ ହେଉଥାଏ ।

 

୩ । ୪ । ୭୯

 

ସେହି ଶକ୍ତି ଭିତରେ ନିହିତ ହୋଇ ରହିଛି, ସେହି ଶକ୍ତି ଅଭିପ୍ରେତ ହୋଇ ରହିଛି । ଯାହା କରୁଣାରୂପେ ମୋ’ ଭିତରକୁ ଏବଂ ଏହି ସବୁଟି ଭିତରକୁ ଅବତୀର୍ଣ୍ଣ ହୋଇ ଆସିଛି, ତାହାହିଁ ମୋ’ଭିତରୁ ଓ ଏହି ସବୁଟି ଭିତରୁ ଶକ୍ତିରୂପେ ପ୍ରକାଶିତ ହେଉଛି, ପ୍ରଥମେ ଅଭୀପ୍‌ସାର ଶକ୍ତିରୂପେ ଏବଂ ତା’ପରେ ଅଭିବ୍ୟକ୍ତିର ଶକ୍ତିରୂପେ ପ୍ରକାଶିତ ହେଉଛି । ମୋ’ଭିତରେ ଶକ୍ତିରୂପେ ନିହିତ ହୋଇ ରହିଛି, ତାହାରି ପ୍ରମାଣ ମିଳିଯାଉଛି ।

 

ଆଲୋକର ସେହି ବିପୁଳତାକୁ ଆମେ ଆବାହାନ କରି ଆଣିବା । ସେହି ବିପୁଳତାଟିକୁ ଆଣି ଆମରି ଭିତରେ ଅପେକ୍ଷା କରି ରହିଥିବା ଆଲୋକଟି ସହିତ ତାହାର ଖିଅ ଲଗାଇଦେବା । ତା’ପରେ ହୁଏତ ମୋତେ ଆଉ କିଛି କରିବାକୁ ପଡ଼ିବନାହିଁ । ଆଲୋକର ସେହି ବିପୁଳତା ମୋ’ ଭିତରେ ବାହାର ଏବଂ ଭିତରକୁ ଏକାଠି କରି ଆପଣାର କାର୍ଯ୍ୟ କରିବ । ତାହାହିଁ ମୋ’ର ସବୁଯାକ ବାଡ଼ ଭାଙ୍ଗିଦେବ, ମୋ’ର ସବୁ ସଙ୍କୋଚକୁ ଦୂର କରିଦେବ, ସମସ୍ତ ସଙ୍କଟର ମୋଚନ କରିବ । ତେଣୁ ବାହାରେ ବାଟ ଖୋଜିବା ଆଦୌ ଅସଲ କଥା ନୁହେଁ । ଅସଲ କଥା ହେଉଛି ଖିଅ ଲଗାଇବା, ଅସଲ କଥା ହେଉଛି, ଆପଣା ମଧ୍ୟରେ ଦୀପଟିଏ ଜଳୁଛି ଓ ଦୀପଟିର ଅପେକ୍ଷା କରି ରହିଛି ବୋଲି ସ୍ଵାଭାବିକ ଭାବରେ ସତତ ଅନୁଭବ କରିବା । ସେହି ଦୀପକୁ ମୁଁ ନିଜ ଭିତରେ ମୋ’ର ଅସଲ ବିଶ୍ଵାସ ବୋଲି ମଧ୍ୟ ବୁଝିପାରିବି । ସେହି ଦୀପଟି ଗ୍ରହଣପାତ୍ର ରୂପେ କାମ କରିବି, ତାହାହିଁ ମୋ’ ଜୀବନର ଅସଲ ସଂଯୋଜନ ଗୁଡ଼ିକୁ କ୍ରମେ ପ୍ରସ୍ତୁତ କରି ଆଣୁଥିବ ।

 

୪ । ୪ । ୭୯

 

ସିଏ ହେଉଛି ଏକ ମହିମା, ଏକ ଐଶ୍ଵର୍ଯ୍ୟ । ତାହା ହେଉଛି ଏକ ବିପୁଳତା । ତେଣୁ ତାଙ୍କୁ ଅନୁଭବ କରିବାକୁ ହେଲେ ଆପଣା ଭିତରେ ସେହି ମହିମା ଓ ଗୌରବ ଏବଂ ଐଶ୍ଵର୍ଯ୍ୟଟିକୁ ଅନୁଭବ କରି ପାରିବାକୁ ହୁଏ । କିନ୍ତୁ ନାନା କାରଣରୁ ଆମେ ଆପଣାକୁ ନାନ ଗ୍ଳାନି ଭିତରେ କେତେ ଯତ୍ନ ଏବଂ କେତେ ବୁଦ୍ଧିର ସହିତ ବୁଡ଼ାଇ ରଖିଥାଉ । ନିଜକୁ ଛୋଟ ଅସମର୍ଥ ଏବଂ ଅକିଞ୍ଚନ କରି ପ୍ରମାଣ କରିବାକୁ ଆମେ କେତେ ଯୁକ୍ତି ପ୍ରସ୍ତୁତ କରି ରଖିଥାଉ । ତାହାରି ଭିତରୁ ଅପରାଧ ଏବଂ ପାପର ଦୁର୍ଦ୍ଧର୍ଷ ଶାସ୍ତ୍ର ଓ ବ୍ୟାକରଣଗୁଡ଼ାକୁ ତିଆରି କରିବାରେ ଲାଗିଥାଉ । ତେଣୁ ଆଖି ଆଗରେ ଆକାଶଟାକୁ ଆଲୋକର ମହିମାରେ ପରିଣତ କରି ସୂର୍ଯ୍ୟ ଉଠେ ତଥାପି ଭିତରେ ସିନ୍ଦୁରା ଫାଟେନାହିଁ, ଭିତରର ବ୍ୟାକୁଳତା ମହିମା ହୋଇ ଉଛୁଳି ପଡ଼େନାହିଁ,-ତଥାପି ଆମେ ଆପଣାର ଗାତଟି ମଧ୍ୟରେ ଲୁଚି ରହିବାକୁ ବିନୟ ବୋଲି ଭାବିବାରେ ଲାଗିଥାଉ ।

 

ନା, –ଭିତରର ଅସଲ ଧର୍ମଟି ବାହାରର ଏହି ଯାବତୀୟ ବୈପୁଲ୍ୟ ଓ ଐଶ୍ଵର୍ଯ୍ୟ ମଧ୍ୟଦେଇ ଆପଣାକୁ ଅନୁଭୂତ କରିବାରେ ଲାଗିଛି । ମୁଁ ସେହି ଅନୁଭୂତି ମଧ୍ୟକୁ ବିକଶିତ ହୋଇ ଉଠିବି, ସେହି ଅନୁଭୂତି ଲାଗି ନିଜର ଆଖି ଓ ନିଜର ହୃଦୟକୁ ଏକ ସ୍ପନ୍ଦନରୂପେ ପ୍ରସ୍ତୁତ କରି ରଖିବି । ତାହାହିଁ ବିଦ୍ୟା ।

 

୫ । ୪ । ୭୯

 

ଶବ୍ଦ ହିଁ ଉଚ୍ଛଳିତ ହୋଇ ଉଠୁଛି । ପରମ ସତ୍ୟ ପରମ ଶବ୍ଦ ରୂପେ ହିଁ ଆପଣାକୁ ଅଭିବ୍ୟକ୍ତି କରି ଆଣୁଛୁ । ଏବଂ, ସେହି ଶବ୍ଦ କ୍ରମେ ମୂର୍ତ୍ତ ହେବାରେ ଲାଗିଛି । ମାର୍ଗଟିକୁ ଉକୁଟାଇ ଆଣୁଛି, ସୂତ୍ରଟିକୁ ଉକୁଟାଇ ଆଣୁଛି, ଭବିଷ୍ୟକୁ ଉକୁଟାଇ ଆଣୁଛି । ଏଠି ଯାହାକିଛି ଶୂନ୍ୟ ବୋଲି ପ୍ରତୀତ ହେଉଛି, ତାହା ପ୍ରକୃତରେ ଶୂନ୍ୟ ନୁହେଁ, –ତାହା ହେଉଛି ଶବ୍ଦଗର୍ଭ, –ଶବ୍ଦକୁ ତାହା ଗର୍ଭରେ ରଖିଛି, ଶବ୍ଦର ପ୍ରକାଶ ଲାଗି ଅପେକ୍ଷା କରି ରହିଛି । ଶବ୍ଦର ମଧ୍ୟଦେଇ ତାହା ମୋ’ରି ଭିତରେ ଉଦ୍‌ଘାଟିତ ହୋଇ ଆସୁଛି, ଶବ୍ଦର ମାଧ୍ୟମରେ ହିଁ ମୋ’ ସହିତ ବିଶ୍ଵର ମିଳନ ଘଟୁଛି । ଏହି ସବୁଟି ସହିତ ମୋତେ ସଂଯୁକ୍ତ କରି ଆଣିବାରେ ସତେଅବା ଶବ୍ଦ ହିଁ ଅହରହ ଏକ ସେତୁରୂପେ କାର୍ଯ୍ୟ କରିବାରେ ଲାଗିଛି ।

 

ସେହି ଶବ୍ଦ ପ୍ରକୃତରେ ଉଚ୍ଛଳିତ ହୋଇ ଉଠୁଛି । ବାହାରୁ ମୋ’ ଭିତରକୁ ଉଚ୍ଛଳିତ ହୋଇ ଆସୁଛି, ମୋ’ ଭିତରୁ ବାହାରକୁ ଉଚ୍ଛଳି ପଡ଼ୁଛି । ମୋ’ ସହିତ ବାହାରର ଯେ ଏକ ନାଡ଼ ଲାଗିରହିଛି, ମୋତେ ଅବିରାମ ଭାବରେ ତାହାରି ପରିଚୟ ଦେଇଯାଉଛି । ଆମେ ଯାହାକୁ ପୃଥିବୀ ବୋଲି କହୁଛୁ, ଯାହାକୁ ପ୍ରକୃତି ବୋଲି କହୁଛୁ, ସଂସାରରେ ଯେଉଁ ନାନାବିଧ ସମ୍ପର୍କ ଆମକୁ ନାନା ସ୍ଥାନରେ ପ୍ରବିଷ୍ଟ ଏବଂ ବିସ୍ତୃତ କରିବ ରଖଚି, ତାହାକୁ ମୁଁ କାନ ଡେରିଲେ ଏବଂ ଅସଲ କରି ବାସନାଟିକୁ ଆପଣାର ବାସନାରେ ପରିଣତ କରି ପାରିଲେ ଶବ୍ଦରୂପେ ହିଁ ଅନୁଭବ କରି ପାରିବି । ଆପଣାର ଭିତର ଆଡ଼କୁ କାନ ଡେରିବା ଲାଗି ସମର୍ଥ ହୋଇପାରିଲେ ମୁଁ ଆପଣା ଭିତରେ ବାହାରର ଏହି ସବୁଟିକୁ ଶୁଣି ପାରିବି, ତାହାହିଁ ଆପଣାକୁ ସମ୍ଭାରି ରଖିଛି ବୋଲି ଅନୁଭବ କରି ପାରିବି ।

 

୬ । ୪ । ୭୯

 

ସମସ୍ତ ବିଶ୍ଵ ତାଙ୍କରି ଭିତରେ ବାସ କରୁଛି ଓ ସିଏ ଏହି ବିଶ୍ଵ ମଧ୍ୟରେ ପ୍ରତ୍ୟେକଟି ବସ୍ତୁ ମଧ୍ୟରେ ବାସ କରୁଛନ୍ତି । ଏହାକୁ କବଳ ଏକ ଦାର୍ଶନିକ ତଥ୍ୟ ବୋଲି ମାନୁଥିବା ପର୍ଯ୍ୟନ୍ତ ଏହା ତଥାକଥିତ ଜ୍ଞାନଦ୍ୱାରା ଆମର ଉଦୟରେ କୌଣସି ପରିବର୍ତ୍ତନ ଘଟିବନାହିଁ । ଏହି ସତ୍ୟଟିକୁ ନିଜ ଭିତରେ ନିଜର ଜୀବନ ଭିତରେ ଓ ନିଜର ସମ୍ପର୍କ ଗୁଡ଼ିକ ଭିତରେ ଅନୁଭବ କରିବାକୁ ହେବ । କିନ୍ତୁ, ତାଙ୍କୁ କେବଳ ଗୋଟିଏ ସ୍ଥାନରେ, ଗୋଟିଏ ମୂର୍ତ୍ତିରେ କିମ୍ବା ଗୋଟିଏ ନିର୍ଦ୍ଦିଷ୍ଟ ମାର୍ଗରେ ଦେଖୁଥିବା ପର୍ଯ୍ୟନ୍ତ ଆମର ମସ୍ତିଷ୍କ ଆମର ହୃଦୟକୁ ଏହିପରି ଏକ ଅନୁଭୂତି ଲାଗି କିପରି ବାଟ ଛାଡ଼ିଦେଇ ପାରିବ ?

 

ପରମ ଦିବ୍ୟ ସତ୍ୟ ଅର୍ଥାତ୍ ଆମ ସମସ୍ତଙ୍କୁ ଓ ଏହି ସବୁକିଛିକୁ ଏକାଠି ଗୋଟିଏ ସୂତ୍ରରେ ଏବଂ ଗୋଟିଏ ମହିମାରେ ବାନ୍ଧି ରଖିଥିବା ଏକ ପରମ ବିଶ୍ଵାସ । ଏହି ବିଶ୍ଵାସ ଆମକୁ ନିଜର ମହିମା ବିଷୟରେ ଏକ ପ୍ରତ୍ୟକ୍ଷ ଅନୁଭୂତି ଦେଇ ଯାଇଥାଏ । ଏହି ବିଶ୍ଵାସ ଆମ ଜୀବନକୁ ବଦଳାଇ ଦିଏ, ଆମ ଦୃଷ୍ଟିର ଦିଗ୍‌ବଳୟ ଗୁଡ଼ିକୁ ତାହା ଏକ ନୂତନ ଭୂମିକୁ ଉତ୍ତୋଳିତ କରିନିଏ । ଆମ ଭିତରୁ ଯିଏ ପରମ ସତ୍ୟକୁ ଏହିପରି ଭାବରେ ଅନୁଭବ କରିବ, ତାହାର ଜୀବନ ଅନୁଭୂତିମୂଳ ହୋଇ ହିଁ ରହିବ । ଉପାସନା କହିଲେ ସଂସାରରେ ସାଧାରଣତଃ ଯାହା ବୁଝାଇଥାଏ, ସେପରି ଅନେକ ଉପାସନା ସେତେବେଳେ ପ୍ରାୟ ଅନାବଶ୍ୟକ ବୋଲି ମନେହେବ । ଉପାସନାର ନାମରେ ପ୍ରଚଳିତ ଅନେକ ଆଚାର ସେତେବେଳେ ପ୍ରାୟ ଅନାଚାର ବୋଲି ମନେ ହେବ । ମନ୍ଦିର ଭିତରେ ଚାଲିଥିବା ଅନେକ ଉପଚାର ସେତେବେଳେ ତୁଚ୍ଛା ବ୍ୟଙ୍ଗ ପରି ମନେହେବ । ନିଜର ଅନୁଭୂତି ହିଁ ଆମର ବୁଦ୍ଧି ଓ ବୁଦ୍ଧିଦ୍ଵାରା ସ୍ଵୀକୃତ ଶାସ୍ତ୍ର ଏବଂ ସଂହିତାଗୁଡ଼ାକ ଅପେକ୍ଷା ଆମକୁ ଅଧିକ ସହାୟକ ଏବଂ ଅଧିକ ନିର୍ଭରଯୋଗ୍ୟ ବୋଲି ମନେହେବ ।

 

୭ । ୪ । ୭୯

 

ତାଙ୍କୁ ଏହି ଜୀବନ ଭିତରକୁ ଆବାହାନ କରି ଆଣିବାର ଅର୍ଥ ହେଉଛି ତାଙ୍କର ସହାୟତାକୁ ଆବାହନ କରି ଆଣିବା । ତାଙ୍କୁ ହିଁ ଆପଣାର ଜୀବନରେ ସର୍ବପ୍ରଧାନ ପ୍ରେରକରୂପେ ପାଇବା ହେଉଛି ତାଙ୍କରି ସାଥିତ୍ଵର ଅଧିକାରୀ ହେବା । ସଂସାରରେ ଅନେକ ମଣିଷ ପାରମ୍ପରିକ ଭାବରେ ତାଙ୍କର ସହାୟତା ଲାଭ କରିବା ଉଦ୍ଦେଶ୍ୟରେ ହିଁ ତାଙ୍କୁ ଲୋଡ଼ିଥାନ୍ତି, ତାଙ୍କର ଆରାଧନା କରିଥାନ୍ତି ଏବଂ ତାହାକୁ ହିଁ ତାଙ୍କର ଆବାହନ ବୋଲି କହିଥାନ୍ତି । ଏପରି କରିବାଦ୍ୱାରା ଅନେକ ସମୟରେ ତାଙ୍କର ଆବାହନ ଅର୍ଥାତ୍ ଆପଣା ଭିତରେ ତାଙ୍କ ସତତ ସାନ୍ନିଧ୍ୟର ଅନୁଭୂତ ଅପେକ୍ଷା ସେମାନେ ତାଙ୍କଠାରୁ ମିଳିବ ବୋଲି ପ୍ରତ୍ୟାଶା କରା ଯାଉଥିବା ସହାୟତାଗୁଡ଼ିକ ବିଷୟରେ ହିଁ ଅଧିକ ସଚେତନ ହୋଇ ରହିଥାନ୍ତି । ତାଙ୍କଠାରୁ ଆମକୁ କ’ଣ ମିଳିବ ଆପଣା ଲୋଡ଼ିବାର ସଂକୀର୍ଣ୍ଣ ଗୋହରୀ ଗୁଡ଼ାକରେ ସେହିଗୁଡ଼ିକ ବିଷୟରେ ଉତ୍ତପ୍ତ ଏବଂ ଆର୍ତ୍ତ ହୋଇ ବସିଥିବା ପର୍ଯ୍ୟନ୍ତ ଆପଣା ଭିତରେ ତାଙ୍କୁ ଯଥାର୍ଥ ଭାବରେ ଅନୁଭବ କରିବା ମୋଟେ ସମ୍ଭବ ହୁଏନାହିଁ । ସେପର୍ଯ୍ୟନ୍ତ ଆମ ଯୋଜନା ଭିତରେ ସିଏ ଆମ କାମରେ ଲାଗିବାର ଏକ ଆବଶ୍ୟକତା ହୋଇ ରହିଥାନ୍ତି ସିନା, ମାତ୍ର ଆମର ସାଥୀ ହୋଇ ପାରନ୍ତିନାହିଁ, ତେଣୁ ଆମର ପ୍ରିୟ ବି ହୋଇ ପାରନ୍ତିନାହିଁ ।

 

ସେଠୁ ଜବାବ ସବୁବେଳେ ଆସୁଛି । ସେହି ଜବାବଟି ମୋ’ର ଶୁଭତମ ଅଭୀପ୍‌ସା ଗୁଡ଼ିକ ରୂପରେ ମୋ’ ଜୀବନର ଅନ୍ତରତମ କ୍ଷେତ୍ରରେ ସାଇତା ହୋଇ ରହିଛି । ମାତ୍ର ତାହା ମୋ’ର ଆର୍ତ୍ତତାଗୁଡ଼ାକ ପାଖରେ ଧରାଦେବାର ବସ୍ତୁ ନୁହେଁ, ତାହାକୁ ମୁଁ ମାଗୁଥିବା ପର୍ଯ୍ୟନ୍ତ ତାହା ହୁଏତ ମୋତେ ଯଥାର୍ଥରେ ଆଦୌ କିଛିହେଲେ ଦେଇ ପାରିବନାହିଁ ।

 

୮ । ୪ । ୭୯

 

ବାହାରେ ଝଡ଼, ବାହାରେ ଉଦ୍‌ବେଳନ । ଭିତରେ ଶାନ୍ତି । ବାହାରର ଏହି ଝଡ଼ ଓ ଉଦ୍‌ବେଳନକୁ ଆପଣାକୁ ବଞ୍ଚାଇ ରଖିବାକୁ ଅଥବା ଏଗୁଡ଼ାକ ମଧ୍ୟରୁ ଆଉ କୌଣସି ନିରାପତ୍ତା ମଧ୍ୟକୁ ପଳାଇ ଯିବାକୁ ଭିତରର ଶାନ୍ତି ମୋତେ ଆଦୌ କୌଣସି ସାହାଯ୍ୟ କରିବନାହିଁ । ବାହାରର ଯାବତୀୟ ଆହ୍ଵାନର ସମ୍ମୁଖୀନ ହେବାଲାଗି ସେହି ଶାନ୍ତି ମୋତେ ବନ୍ଧୁରୂପେ ଓ ବିଶ୍ଵାସରୂପେ ସତତ ପ୍ରେରଣା ଦେବାରେ ଲାଗିଥିବ ।

 

ହଁ, ଭିତରେ ଅନନ୍ତ ପ୍ରସାର, ଅନନ୍ତ ବିସ୍ତାର; ତାହା ପ୍ରଶାନ୍ତ, ତାହା ନିର୍ବେଗ । ମୁଁ ତାହାକୁ ହିଁ ବିଶ୍ଵାସରୂପେ ଅନୁଭବ କରେ । ମୁଁ ତାକୁ ମୋ’ର ଜୀବନଗତିର ମୂଳଦୁଆ ପରି ହିଁ ଗ୍ରହଣ କରିଥାଏ । କିନ୍ତୁ ତାହା ମୋତେ ଭିତର ସହିତ ବାହାରକୁ ସଂଯୁକ୍ତ କରି ରଖିବାଲାଗି ନୀତି ଅଧିକରୁ ଅଧିକ ପ୍ରେରଣା ଦେବାରେ ଲାଗିଥାଏ । ମୁଁ ଭିତରେ ଯାହା ଅନୁଭବ କରିଥାଏ, ବାହାରେ ମଧ୍ୟ ତାହାକୁ ହିଁ ଅନୁଭବ କରିବି । ଏହିପରି ଏକ ବିଶ୍ଵାସମୟ ଆକାଙ୍‌କ୍ଷା ନେଇ ମୁଁ ଜୀବନରେ ବାହାରକୁ ବାହାରିଥାଏ, ଜୀବନରେ ଯାବତୀୟ ସମ୍ପର୍କ ପ୍ରତିଷ୍ଠା ଲାଗି ଆକୃଷ୍ଟ ହୁଏ । ଏହି ବିଶ୍ଵାସ ଦ୍ଵାରା ହିଁ ମୁଁ ପାଚେରୀ ଭାଙ୍ଗେ, ଯାବତୀୟ ସ୍ୱଳ୍ପତାକୁ ଭାଙ୍ଗିଦେବାକୁ ସମର୍ଥ ହୁଏ । ବାହାରର ଝଡ଼ ଓ ଉଦ୍‌ବେଳନ ଦେଖି ମୁଁ କେବେହେଲେ ବିକ୍ଷୁବ୍‌ଧ ହୋଇ ପଡ଼େନାହିଁ, କେବେହେଲେ ବିଶ୍ଵାସ ହରାଇ ବସେ ନାହିଁ । ଭିତରର ପ୍ରଶାନ୍ତି ବାହାରେ ବିଶ୍ଵାସରୂପେ ନିଜକୁ ଅଭିବ୍ୟକ୍ତ କରିବାର ଆକାଙ୍‌କ୍ଷା ରଖିଥାଏ । ଭିତରର ପ୍ରଶାନ୍ତି ବାହାରର ଏହି ବିକ୍ଷୁବଧ୍‌ତା ଗୁଡ଼ାକୁ ଯଦି ଡରୁଥାନ୍ତା, ଯଦି ସେହି କାରଣରୁ ଆପଣାଲାଗି ଏକ ନିରାପଦ ମନ୍ଦିର ତିଆରି କରି ରହିଥାନ୍ତା, ତେବେ ତାହା କେଡ଼େ ଦୟନୀୟ କଥା ହୋଇନଥାନ୍ତା !

 

୯ । ୪ । ୭୯

 

ସେହି ଚେତନାର ଜନନୀରୂପେ ଯିଏ ଦେଖିଛି, ସିଏ କଦାପି ବାହାରର ନାନା ବିକ୍ଷୁବଧ୍‌ତା ଦ୍ଵାରା ଟଳି ଯିବନାହିଁ । ବାହାରେ ପ୍ରାତିଭାସିକ ଏବଂ ସାମୟିକ କେତେ ବିକ୍ଷୋଭ ଲାଗିଥିବେ, କେତେ କେତେ ମଞ୍ଚଦର୍ପବାନ୍ ଅଭିନେତା ମଞ୍ଚ ଉପରକୁ ଆସୁଥିବେ, ମଞ୍ଚଗୋଟାକୁ ହୁଏତ ଏକାବେଳେକେ ଦୋହଲାଇ ପକାଉଥିବେ, –ତଥାପି ସେହିଗୁଡ଼ିକ ହୃଦୟ ଭିତରେ ରହିଥିବା ଚେତନାଟିକୁ ଅନୁଭବ ପ୍ରତ୍ୟକ୍ଷ କରୁଥିବା ପର୍ଯ୍ୟନ୍ତ ଭିତରର ଚେତନା ଅବିଚଳିତ ହୋଇ ରହିଥିବ । ମୁଁ କୂଳ ଭିତରେ ରହିଥିବି, ଦ୍ଵନ୍ଦ୍ଵ ଭିତରେ ପହଁରୁଥିବି, –ତଥାପି ଯାବତୀୟ ଦ୍ଵନ୍ଦ୍ଵ ମଧ୍ୟରେ ବିଶ୍ୱାସ ଅବିଚଳିତ ହୋଇ ରହିଥିବ । ବାହାରେ କେତେ କେତେ ଚତୁରତା ଆଖିରେ ଆସି ପଡ଼ୁଥିବ, ତଥାପି ଚତୁରତା ଗୁଡ଼ାକ ମୋତେ କୌଣସି ପ୍ରକାରେ ଆସ୍ଥାନଚ୍ୟୁତ ଅର୍ଥାତ୍ ଧ୍ୟାନଚ୍ୟୁତ କରି ପାରୁନଥିବ । ସଂସାରର ଦ୍ଵନ୍ଦ୍ଵ ଏବଂ ଆକୁଳତା ମଧ୍ୟରୁ ପଳାଇ ଯାଇ ଅଥବା ସେଗୁଡ଼ିକରୁ ଆପଣାକୁ ନିରାପଦ ରଖି ଅନେକେ ଭିତରେ ଏକ ଅବିଚଳ ଚେତନାକୁ ଅନୁଭବ କରିବାଲାଗି ଚେଷ୍ଟା କରିଥାନ୍ତି । ସେଇଟା ମୋ’ର ବାଟ ନୁହେଁ । ନିରାପତ୍ତା ମୋ’ ଧ୍ୟାନର ଲକ୍ଷ୍ୟ ନୁହେଁ । ଚେତନା ଯଦି ଶ୍ରଦ୍ଧାରୂପେ ଆତ୍ମପ୍ରକାଶ କରିପାରେ, ଚେତନା ଯଦି ବିଶ୍ୱାସରୂପେ ମୂଳଦୁଆ ହୋଇ ରହିପାରେ, ତେବେ ତାହା ମୋ’ ଜୀବନରେ ଠିକ୍ ଜନନୀରୂପେ ହିଁ କାର୍ଯ୍ୟ କରିପାରିବ । ମୁଁ ଆପଣା ଭିତରେ ସେହି ଜନନୀର ହିଁ ଉପାସନା କରିବି, ସେହି ଜନନୀଙ୍କୁ ହିଁ ଆବାହନ କରି ଆଣିବି,-ଆପଣାକୁ ପ୍ରତ୍ୟେକ ମୁହୂର୍ତ୍ତରେ ନବଜନ୍ମ ଦେଲାପରି ମୁଁ ସେହି ଜନନୀଙ୍କ ସହିତ ବିଚରଣ କରୁଥିବି । ଏହି ସାନ୍ନିଧ୍ୟ ହେଉଛି ମୋ’ଲାଗି ତାଙ୍କର ଅସଲ କରୁଣା । ଏହାହିଁ ମୋ’ର ଜୀବନରେ ତାଙ୍କର ଅସଲ ପ୍ରେରଣା ।

 

ତେଣୁ, ମୋ’ ଚେତନାକୁ ଅକ୍ଷୁର୍ଣ୍ଣ ଓ ଅନାହତ ରଖିବାପାଇଁ ମୁଁ ଆଉ କୁଆଡ଼େ ପଳାଇ ଯିବିନାହିଁ । ଏହି ଚେତନାକୁ ନେଇ ମୁଁ ଏହି ସବୁଟି ମଧ୍ୟରେ ଆହୁରି ଅଧିକ ଗଭୀରକୁ ପ୍ରବେଶ କରିବାରେ ଲାଗିଥିବି ।

 

୧୦ । ୪ । ୭୯

 

ସଂଶୟ ନାହିଁ, କୁଣ୍ଠା ବି ନାହିଁ । ଆପଣା ଭିତରକୁ ଯିବାଲାଗି କୁଣ୍ଠା କାହିଁକି ରହିବ, ସଂଶୟ ବି କାହିଁକି ରହିବ ? ଆପଣା ନିର୍ଭରର ଆକାଶ ତଳେ ବାଟ ଚାଲିବା ଲାଗି, ନିଜର ପରସ୍ତଗୁଡ଼ିକୁ ଗୁଡ଼ିକୁ ନିଜେ ଭେଦ କରିବାଲାଗି କୁଣ୍ଠା କାହିଁକି ରହିବ, ସଂଶୟ କାହିଁକି ରହିବ ? ଅନ୍ୟ ସମସ୍ତଙ୍କ ସହିତ ଯେଉଁଠି ମୋ’ର ଖିଅ ଲାଗି ରହିଛି, ସବୁଟି ମଧ୍ୟଦେଇ ଯେଉଁଠି ଏଠୁ ସେପର୍ଯ୍ୟନ୍ତ ସେତୁଟି ପଡ଼ି ରହିଛି, ସେଠି ବାଟ ଚାଲିବାକୁ, ସେଠି ସମସ୍ତଙ୍କୁ ସ୍ପର୍ଶ କରି ଆସିବାକୁ ବା ଆପଣା ମଧ୍ୟକୁ ସମସ୍ତଙ୍କୁ ଆମନ୍ତ୍ରଣ କରି ଆଣିବାକୁ ସଂଶୟ କାହିଁକି ରହିବ, କୁଣ୍ଠା ବା କାହିଁକି ରହିବ ?

 

ନା, –କୁଣ୍ଠା ରହିବ ନାହିଁ, ସଂଶୟ ବି ରହିବନାହିଁ । ଭିତରେ ଆପଣାର ଅସଲ ଦ୍ଵାରଟି ଖୋଲିଗଲେ ତା’ପରେ ଏସବୁ ଆଉ କିଛି ରହିବନାହିଁ । ତା’ପରେ ସବୁ ସିଧା ହୋଇଯିବ, ସକଳ ବିପଦ ସତ୍ତ୍ୱେ ସବୁ ସିଧା ବୋଲି ଲାଗିବ; ଭିତର ଏବଂ ବାହାର ସବୁ ସିଧା ହୋଇ ଦିଶିବ । ବିପଦ ଆସିବ, ଏବଂ ତଥାପି ତାହାରି ସହିତ ସବୁ ସିଧା ହୋଇ ଦିଶୁଥିବ । ଆପଣା ଘରେ ଆପେ ପ୍ରବେଶ କରୁଥିଲା ପଡ଼ି ମନେ ହେଉଥିବ । ବୟସ କମି କମି ଯାଉଥିବ, ଅର୍ଥାତ୍ ଚତୁରତା କମି କମି ଯାଉଥିବ, ସତର୍କତା କମି କମି ଯାଉଥିବ । ଏହି ସମସ୍ତ ଜୀବନ, ସମଗ୍ର ସଂସାର ସତେଅବା ସମସ୍ତଙ୍କୁ ଏକତ୍ର ଧାରଣ କରି ରହିଥିବା ସେହି ଗୋଟିଏ ମହାବିନ୍ଦୁର ବିସ୍ତାର ପରି ଅନୁଭୂତ ହେବାରେ ଲାଗିବ ।

 

ତା’ପରେ-ଏହି ଜୀବନ ଦେଇ ଯିଏ ପରିପୂର୍ଣ୍ଣ ହେବା କଥା, ଯାହାର କାର୍ଯ୍ୟ ଓ ଅଭିପ୍ରାୟ କାର୍ଯ୍ୟକାରୀ ହେବା କଥା, ସେଇ ଆପଣାକୁ କାର୍ଯ୍ୟକାରୀ କରି ଯାଉଥିବେ । ବାହାରର ବାଧାଗୁଡ଼ାକ ପାଚେରୀ ପରି ଠିଆ ହୋଇ ରହିଥିବେ, ସତେଅବା ବୋକା ବନି ଠିଆ ହୋଇ ରହିଥିବେ; –ଏବଂ ତଥାପି ବାଟ ଦିଶି ଦିଶି ଯାଉଥିବ, ବାଟ କଟି କଟି ଯାଉଥିବ, ବାଟ ଫିଟି ଫିଟି ଯାଉଥିବ । ଏବଂ ଜୀବନଟା ଏକ ବିଜୟ ରୂପେ ପ୍ରତିଭାତ ଏବଂ ମୁକୁଳିତ ହୋଇ ଯାଉଥିବ ।

 

୧୧ । ୪ । ୭୯

 

ଅନ୍ଧାରର ଗର୍ଭରେ ଆଲୋକ ରହିଛି । ବିକ୍ଷୋଭର ଗର୍ଭରେ ମଧ୍ୟ ଶାନ୍ତି ରହିଛି । ଯାହା ଚାଲିଯିବ, ସେଇଗୁଡ଼ାକ ହିଁ ବିକ୍ଷୋଭରୂପେ ଆତ୍ମପ୍ରକାଶ କରୁଛି । ଯାହା ରହିବ, ଯାହା ଅନ୍ତରର ସମ୍ପଦ, ଯାହା ସର୍ବତ୍ର ସେହି ଗୋଟିଏ ସମ୍ପଦ ଏବଂ ଯାହା ଅଭିପ୍ରେତ, ତାହା ଶାନ୍ତ; –ତାହା କେବଳ ଆବାହନ କରିନେଉଛି, ତାହା ଏଠି ମୋ’ରି ଭିତରେ ରହି ସେହି ଆବାହନର ପ୍ରତ୍ୟୁତ୍ତର ଦେବାରେ ଲାଗିଛି ।

 

ଏହି ଶାନ୍ତି ହେଉଛି ସତ୍ୟ । ସେହି ସତ୍ୟ ଡୋର ପରି ଏହି ସବୁକିଛିକୁ ବାନ୍ଧି ରଖିଛି । ସିଏ ଅନ୍ତଃସୂତ୍ର ହୋଇ ରହିଛି । ବାହାରର ଏହି ଯାବତୀୟ ଖୋଳ ସତ୍ତ୍ୱେ ସେଇ ଅନ୍ତଃଧର୍ମ ହୋଇ ରହିଛି । ସେହି ଧର୍ମକୁ ଆମେ ନାନା କାରଣରୁ ଅସ୍ଵୀକାର କରୁଥିବା ପର୍ଯ୍ୟନ୍ତ ତାକୁ ଅନୁଭବ କରିବା ଆମ ପକ୍ଷରେ ଆଉ ସମ୍ଭବ ହୋଇ ପାରୁନାହିଁ । ଖୋଳଗୁଡ଼ାକୁ ଭେଦି ଭିତରେ ପ୍ରବେଶ ନକରି ପାରିଥିବା ପର୍ଯ୍ୟନ୍ତ, ଅର୍ଥାତ୍ ଆପଣାର ଖୋଳଗୁଡ଼ାକୁ ଭେଦ କରି ଭିତରେ ପ୍ରବେଶ କରି ନପାରିଥିବା ପର୍ଯ୍ୟନ୍ତ ଆମେ ସେହି ଅନ୍ତଃଧର୍ମଟିକୁ ଅନୁଭବ ବି କରିପାରୁନାହୁଁ ।

 

ସେହି ଶାନ୍ତି ଏକ ଅଖଣ୍ଡ ଶାନ୍ତି । ସେହି ଶାନ୍ତି କାହାକୁ ଛାଡ଼ି ରହିନାହିଁ । ସେହି ଶାନ୍ତି ମୋତେ ବିରାଟ କରି ରଖିଛି, ମୋତେ ପୂର୍ଣ୍ଣ କରି ରଖିଛି, କାରଣ ତାହା ମୋତେ ସଂଲଗ୍ନ କରି ରଖିଛି । ସେହି ଶାନ୍ତିର ସେତୁଟି ଉପରେ ଏଠି ସବୁ ଆପଣାର ବୋଲି ମନେ ହେଉଛି-ଏହି ବାହାରଟା ମଧ୍ୟ ଏଡ଼େ ଆପଣାର ବୋଲି ମନେହେଉଛି । ଏହି ତାତ୍କାଳିକତା ଯେ ପ୍ରକୃତରେ ଏକ ସ୍ଥାୟିତ୍ଵ ଓ ଏକ ପରମ ପ୍ରତିଷ୍ଠା ଦିଗରେ ଆମ ସମସ୍ତଙ୍କୁ ଧାବିତ କରି ନେଉଛି, ତାହାହିଁ ଅନୁଭୂତ ହେଉଛି । ଏହି ବିକ୍ଷୋଭଗୁଡ଼ାକ ମଧ୍ୟ ସେଥିଲାଗି ଆପଣାର ଅନ୍ତରରେ ରହିଥିବା ସେହି ପରମ ଶାନ୍ତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଦେଉଛି । ଭିତରଟା ବାହାର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଦେଉଛି, ବାହାରଟା ମଧ୍ୟ ଭିତର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଦେଉଛି ।

 

୧୨ । ୪ । ୭୯

 

ତୁମର ଶାନ୍ତି, ତାହା ହେଉଛି ଏକ ଐଶ୍ଵର୍ଯ୍ୟମୟତା, ତାହା ଏକ ମହିମାମୟତା । ଯେଉଁଠି କେବଳ ତୁମେ ତୁମର ଯାବତୀୟ ସୃଷ୍ଟି ମଧ୍ୟରେ ଏହି ଆଖିକୁ ପ୍ରତିଭାତ ହୋଇଉଠେ, ସେଠାରେ କେବଳ ତୁମରି ମହିମାର ହିଁ ପରିଚୟ ମିଳେ, ତୁମ ଐଶ୍ଵର୍ଯ୍ୟର ହିଁ ପରିଚୟ ମିଳିଥାଏ । ଏବଂ, ସେତେବେଳେ, ଆପଣା ଭିତରକୁ ଅନାଇଦେବା ମାତ୍ରକେ, ଆପଣାକୁ ସ୍ପର୍ଶ କରିବା ମାତ୍ରକେ ଆପଣା ଭିତରେ ବି ସେହି ଐଶ୍ଵର୍ଯ୍ୟର ପରିଚୟ ମିଳିଥାଏ, ଆପଣା ଭିତରେ ସତେଅବା ସମଗ୍ର ଜଗତକୁ କୁଣ୍ଢାଇ ଧରିଥିବା ପରି ଅନୁଭବ ହୁଏ ।

 

ଅର୍ଥାତ୍, ସେତେବେଳେ କିଛି ଦେଖାଯାଏ ନାହିଁ, ବିଚ୍ଛିନ୍ନ ହେଇ ଆଦୌ କିଛି ଦେଖା ଯାଏନାହିଁ । ସେତେବେଳେ ସେହି ଗୋଟିଏ ଐଶ୍ଵର୍ଯ୍ୟ ଓ ମହିମା ଭିତରେ ସବୁକିଛିର ଦର୍ଶନ ମିଳେ-। ସବୁଟି ସହିତ ଖିଅ ଲାଗି ରହିଥିବା ପରି ମନେହୁଏ । ଯେଉଁଠି ଯିଏ ରହିଛନ୍ତି ବୋଲି ପ୍ରତ୍ୟକ୍ଷ ହୁଏ, ସେଠି କିଛିହେଲେ କାହାରିଠାରୁ ଅଲଗା ହୋଇ ଦେଖାଯାଏ ନାହିଁ, –ନିଜକୁ ମଧ୍ୟ ଅଲଗା ହୋଇ ଦେଖା ଯାଏନାହିଁ । ଏବଂ ନିଜକୁ ଅଲଗା ବୋଲି ନଦେଖିବା, ଅଲଗା ପରି ଅନୁଭବ ନକରିବା, –ତାହାହିଁ ହେଉଛି ସବୁଟି ମଧ୍ୟରେ ତାଙ୍କୁ ହିଁ ଦେଖିବା ଓ ତାଙ୍କୁ ହିଁ ଅନୁଭବ କରିବା; –ତାହାହିଁ ହେଉଛି ଅନାଇଦେବା ମାତ୍ରକେ କେବଳ ସେହି ମହିମା ଓ ସେହି ଐଶ୍ଵର୍ଯ୍ୟର ପ୍ରତ୍ୟକ୍ଷ କରିବା । ତେଣୁ ଯେଉଁମାନେ ଭଗବାନଙ୍କୁ ଦେଖିଲାବେଳେ ଆଉ କିଛିହେଲେ ଦେଖିପାରନ୍ତି ନାହିଁ ବୋଲି କହନ୍ତି, ସେମାନେ ଅନେକ ସମୟରେ ଏହି ମହିମାରୁ ପ୍ରାୟ ବିଚ୍ଛିନ୍ନ ହୋଇ ରହିଥାନ୍ତି । ଏବଂ, ନିଜକୁ ସେହି ମହିମାରୁ ବିଚ୍ଛିନ୍ନ କରି ରଖି, ସମଗ୍ରଟିରୁ ବିଚ୍ଛିନ୍ନ କରି ରଖି ଯେଉଁ ସଞ୍ଜୁକ୍ତତା ଅନୁଭବ କରାଯାଏ, ତାକୁ ଆଦୌ କୌଣସି ସଞ୍ଜୁକ୍ତତା ବୋଲି କୁହାଯାଇ ପାରିବ ବା କିପରି ?

 

୧୩ । ୪ । ୭୯

 

ସେଇ ପ୍ରଭୁ, ସେଇ ପରମବନ୍ଧୁ । ତାଙ୍କୁ ଆପଣାର ପରମବନ୍ଧୁ ରୂପେ ଅନୁଭବ କରିବା ମାତ୍ରକେ ହିଁ ସିଏ ଆମ ସତ୍ତାର ସବୁ ସ୍ତରରେ ଭେଦି କରି ରହିଛନ୍ତି ବୋଲି ମଧ୍ୟ ଅନୁଭବ ହେବାକୁ ଲାଗିବ । ତା’ପରେ ମୋତେ ନେଇ ଯାହାକିଛି କାର୍ଯ୍ୟ ହେବ ଏବଂ ଯାହାକିଛି ପରିବର୍ତ୍ତନ ଘଟିବ, ତାହା ଅତ୍ୟନ୍ତ ସ୍ଵାଭାବିକ ଭାବରେ ତାହାଙ୍କୁ ହି ମୂଳ ପ୍ରେରକରୂପେ ସ୍ଵୀକାର କରିନେଇ ହିଁ ଘଟିବ । ସେତେବେଳେ କେବଳ ସେଇ ଆମରି ମଧ୍ୟରେ ଓ ଆମରି ମଧ୍ୟଦେଇ ଜୀବନକୁ ସ୍ପର୍ଶ କରି ରହିଥିବେ, ଆମକୁ ନିମିତ୍ତରୂପେ ବ୍ୟବହାର କରି ସେ ଆପଣାର ଯାବତୀୟ ଅଭିପ୍ରାୟକୁ ପୂର୍ଣ୍ଣ କରିବାରେ ଲାଗିଥିବେ ।

 

ହଁ, ସେଇ ପରମ ସଖା, ସେଇ ପ୍ରିୟତମ ସଖା । ସେ ମୋ’ର ସବୁଠାରୁ ଅଧିକ ପାଖରେ । ତାଙ୍କୁ ଡାକିଲାବେଳେ ସତେଯେପରି ଆପଣା ଭିତରେ ହିଁ ତାଙ୍କୁ କେଉଁଠି ସ୍ମରଣ କରୁଥିବା ପରି ମନେ ହୋଇଥାଏ । ସିଏ ଏଇଠି ଥାଆନ୍ତି, ମୋ’ର ସହିତ ମୋ’ରି ହାତ ଧରି ବିଚରଣ କରୁଥାନ୍ତି, ତେଣୁ ମୋତେ ସେ ସ୍ପର୍ଶ କରି ରହିଥାନ୍ତି । ତାଙ୍କୁ ସ୍ପର୍ଶ କରି ରହିଥିବା ପର୍ଯ୍ୟନ୍ତ ଏହି ସମସ୍ତ ଜଗତକୁ ମଧ୍ୟ ମୁଁ ସ୍ପର୍ଶ କରି ରହିଥିବା ପରି ଅନୁଭବ କରୁଥାଏ । ସେପର୍ଯ୍ୟନ୍ତ ଏହି ସଂସାରରେ ଆପଣାକୁ କେବେହେଲେ ଏକୁଟିଆ ଲାଗେନାହିଁ, କେବେହେଲେ ବିଚ୍ଛିନ୍ନ ବି ଲାଗେନାହିଁ । ଆପଣା ପାଖରେ ଆପଣାକୁ କଦାପି ଅନାହୂତ ପରି ମନେ ହୁଏନାହିଁ । ତାଙ୍କୁ ସଖାରୂପେ ପାଇଲେ ଆପଣାକୁ ମଧ୍ୟ ଆପଣାର ସଖାରୂପେ ପାଇହୁଏ । ଯିଏ ଆପଣାର ଚେତନା ମଧ୍ୟରେ ନିଜକୁ ସଂସାରଠାରୁ ଅଲଗା କରି ରଖିଥାଏ, ସିଏ ଏସବୁକୁ କେବେହେଲେ ବୁଝି ପାରିବନାହିଁ; ଆର୍ତ୍ତ ଏକଥାଟିକୁ କେବେହେଲେ ଅନୁଭବ କରି ପାରିବନାହିଁ ।

 

୧୪ । ୪ । ୭୯

 

ଆପଣା ଅହଂଟି ସହିତ ଯେତେବେଳେ ଗଣ୍ଠି ଛିଡ଼ିଯାଏ, ସେତେବେଳେ ସମଗ୍ର ବିଶ୍ଵ ସହିତ ଖିଅ ଲାଗିଯାଏ । ସେତେବେଳେ ଆପଣାର ତଥାକଥିତ ଜଳାଶୟଟି ସାଗରସ୍ପର୍ଶ ଅର୍ଥାତ୍ ସମଗ୍ରସ୍ପର୍ଶଟି ଦ୍ଵାରା ଧନ୍ୟ ହୁଏ । ନିର୍ଲିପ୍ତ ହୋଇଯିବା ଅର୍ଥ ଏକୁଟିଆ ହୋଇଯିବା କଦାପି ନୁହେଁ । ନିର୍ଲିପ୍ତ ହେବାର ଅର୍ଥ ହେଉଛି ଆପଣାର ଏକୁଟିଆ ସାନ ଆୟତନଟି ମଧ୍ୟରୁ ନିଜକୁ ମୁକ୍ତ କରିବା, ବାଡ଼ଗୁଡ଼ାକୁ ଭାଙ୍ଗି ଦେବା ଏବଂ ସବୁଠାରେ ଆପଣାର ଅସଲ ଖିଅଗୁଡ଼ାକ ଲାଗି ରହିଥିବା ପରି ଅନୁଭବ କରିବା । ସେଇଥିରୁ ହିଁ ଅସଲ ଶାନ୍ତି ମିଳେ, ବିସ୍ତୃତିରୁ ହଁ ଶାନ୍ତି ମିଳେ । ଆପଣାକୁ ପ୍ରସାରିତ, ସଂଯୁକ୍ତ ଏବଂ ମୁକୁଳିତ କରିଦେବା ଦ୍ଵାରା ଶାନ୍ତି ମିଳେ । ସେହି ଶାନ୍ତି ଉତ୍ସାହ ଦିଏ, ସେହି ଶାନ୍ତି ଜୀବନ ସ୍ପର୍ଶ ଆଣିଦିଏ, ସେହି ଶାନ୍ତି ତାଙ୍କର ସାନ୍ନିଧ୍ୟ ମଧ୍ୟରେ ଏକ ନୂତନ ଜୀବନ ଆଣି ଦିଏ । ସେହିପରି ଏକ ଶାନ୍ତିରେ ସିଏ ମୋ’ଭିତରେ ପ୍ରବେଶ କରିବାକୁ ବାଟ ପାଆନ୍ତି, ତାହାରି ଦ୍ଵାରା ମୋ’ ଭିତରେ ସେ ବାସ ପାଆନ୍ତି, ମୋ’ ଭିତରକୁ ଅଧିକାର ପାଆନ୍ତି । ସେହି ଶାନ୍ତି ମୋ’ ଭିତରେ ଏକ ସମତା ଅର୍ଥାତ୍ ଶ୍ରଦ୍ଧାର ପ୍ରତିଷ୍ଠା କରିବାରେ ସମର୍ଥ ହୁଏ । ସେହି ଶାନ୍ତି ମୋତେ ଆପଣା ଘରେ ରହିଥିବାର ଆନନ୍ଦଟି ଦେଇଯାଏ । ସେହି ଶାନ୍ତି ମୋତେ ଯଥାର୍ଥ ଆନନ୍ଦର ଅଧିକାରୀ କରାଏ ।

 

ମୋ’ ଜୀବନରେ ସେହି ଶାନ୍ତିର ବିଜୟ ହେଉ, ସେହି ଶ୍ରଦ୍ଧାର ଜୟ ହେଉ । ଆପଣାର ଏହି ପୂର୍ଣ୍ଣ ସଦନଟି ମଧ୍ୟରେ ଆପଣାକୁ ଗ୍ରନ୍ଥି ମୁକ୍ତ ଅର୍ଥାତ୍ ଯୁକ୍ତ ରୂପେ ଅନୁଭବ କରିବାଲାଗି ମୋ’ର ବଳ ଆସୁ, ସାହସ ଆସୁ, ଶ୍ରଦ୍ଧା ଆସୁ ।

 

୧୫ । ୪ । ୭୯

 

ଯେତେବେଳେ ସକଳ ଦୁଃଖ ସେପାଖରେ ତୁମରି ଛବିଟି ପ୍ରତିଭାତ ହୋଇ ଉଠୁଥାଏ, ସେତେବେଳେ ଦୁଃଖ ଆଉ ଦୁଃଖ ବୋଲି ଲାଗେନାହିଁ । ସେତେବେଳେ ତୁମରି ସ୍ପର୍ଶ ବାଜି ଦୁଃଖଗୁଡ଼ାକ ସତେଅବା ଆଉ ଏକ ରସାୟନରେ ପରିଣତ ହୋଇଯାଏ । ତୁମେ ହିଁ ମୋ’ରି ଭିତରେ ପ୍ରବେଶ କରି ସକଳ ଅଜ୍ଞାନର ବିନାଶ କର । ଅର୍ଥାତ୍, ସକଳ ଜ୍ଞାନରେ ସେପାଖରେ ମୁଁ ଯେତେବେଳେ ତୁମକୁ ହିଁ ଦେଖେ ଓ ତୁମକୁ ହିଁ ଅନୁଭବ କରେ, ସେତେବେଳେ ଅଜ୍ଞାନର ବିନାଶ ହୁଏ । ଅଜ୍ଞାନରୂପୀ ଯାବତୀୟ ଜ୍ଞାନର ବାଡ଼ କୁଆଡ଼େ ଅନ୍ତର୍ହିତ ହୋଇଯାଏ । ତେଣୁ, ସବୁଟି ଭିତରେ ତାଙ୍କୁ ହିଁ ଅନୁଭବ କରି ବା ତାଙ୍କୁ ହିଁ ପାଇ ଜୀବନର ସକଳ କ୍ଷତ କୁଆଡ଼େ ଭଲ ହୋଇଯାଏ । ତା’ପରେ ଆଉ କୌଣସି ଖଣ୍ଡତା ଅନୁଭୂତ ହୁଏନାହିଁ । ଏବଂ ଖଣ୍ଡତାର ଅଭାବରେ ସକଳ କ୍ଷତ ମଧ୍ୟ ଅନ୍ତର୍ହିତ ହୋଇଯାଏ ।

 

ତେଣୁ; ସେଇ ମୋ’ଭିତରେ ସର୍ବଦା ଅନୁଭୂତ ହୁଅନ୍ତୁ, ମୋର ଯାବତୀୟ ପ୍ରେରଣାରେ ସେଇ ସର୍ବମୂଳ ପ୍ରେରଣା ହୋଇ ରହିଥାନ୍ତୁ, –ଏଇଥିଲାଗି ପ୍ରାର୍ଥନା କରିବା ହେଉଛି ଜୀବନର ସର୍ବଶ୍ରେଷ୍ଠ ପ୍ରାର୍ଥନା, ଅର୍ଥାତ୍ ଆପଣା ଭିତରେ ସର୍ବଶ୍ରେଷ୍ଠ ମୁହୂର୍ତ୍ତର ପ୍ରାର୍ଥନା, ସର୍ବୋତ୍ତମ ଅଭୀପ୍‌ସା-। ସେଥିପାଇଁ ପ୍ରସ୍ତୁତ ହେବାକୁ ପଡ଼େ, ସେଥିଲାଗି ଆପଣାକୁ ଉପଯୁକ୍ତ ବିଶ୍ଵାସର ଭାଜନ କରିବାକୁ ପଡ଼େ, ସେଥିଲାଗି ଆପଣା ମଧ୍ୟରେ ଏକ ବୃହତ୍ତର ଇଚ୍ଛାକୁ ବଞ୍ଚି ପାରିବାକୁ ହୁଏ-। ଏବଂ, ନିଜ ସକାଶେ, ଆପଣାର ବାଡ଼ଗୁଡ଼ାକ ମଧ୍ୟରେ ରହି ଜୀବନକୁ ଏକାନ୍ତ ବିଚ୍ଛିନ୍ନ ଭାବରେ ବଞ୍ଚିପାରିବା ସକାଶେ ଭଗବାନଙ୍କୁ ଡାକୁଥିବା ପର୍ଯ୍ୟନ୍ତ ସେକଥା କଦାପି ହୋଇ ପାରେନାହିଁ । ସେପର୍ଯ୍ୟନ୍ତ କେବଳ ନାନା ରୂପରେ ଓ ନାନା ମୁଖାତଳେ ଆପଣାର ସାନ ଭୟାଳୁତାଟାକୁ ହିଁ ଅନୁଭବ କରିବା ସାର ହୁଏ ।

 

୧୬ । ୪ । ୭୯

 

ଏହି ଆନନ୍ଦ ସଂଯୁକ୍ତ ହୋଇ ପାରିବାର ଆନନ୍ଦ, ଏହି ସଙ୍ଗୀତ ସଂଯୁକ୍ତ ହୋଇ ରହିଥିବାର ସଙ୍ଗୀତ । ସେତେବେଳେ ମୋ’ର ହୃଦୟ କେବଳ ମୋ’ର ହୃଦୟ ନାମକ ଏକ ବସ୍ତୁରେ ଅଲଗା ଭାବରେ ଆଦୌ ପଡ଼ି ରହିନଥାଏ, ସେତେବେଳେ ମୋ’ର ମୁଣ୍ଡ କେବଳ ମୋ’ରି ମୁଣ୍ଡ ବୋଲି ଆଦୌ କୌଣସି ବଡ଼ାଇ କରୁନଥାଏ । ଅନେକ ସମୟରେ ଆପଣାର ହୃଦୟ ଭିତରେ ଆମେ କେତେ କାନ୍ଦିବାରେ ଲାଗିଥାଉ, ଖିଅ ଲାଗି ପାରିଲାନାହିଁ ବୋଲି ଭିତରକୁ ଏବଂ ବାହାରକୁ ଆମେ କେତେ ଧିକ୍‌କାର ଦେବାରେ ଲାଗିଥାଉ । ମାତ୍ର ତଥାପି ପ୍ରାୟ ପାଚେରୀଗୁଡ଼ାକୁ ବାଡ଼ଗୁଡ଼ାକୁ ଏବଂ ଡିହଗୁଡ଼ାକୁ ସାର କରି ଆମେ ତାହାକୁ ହିଁ ହୃଦୟ ବୋଲି ଗ୍ରହଣ କରି କେଡ଼େ ଉଗ୍ର ଓ କେଡ଼େ ଉତ୍ତପ୍ତ ହୋଇ ବସିଥାଉ । ସେତେବେଳେ ଆନନ୍ଦ କହିଲେ ମଧ୍ୟ ଆମେ ପ୍ରାୟ କେତେଗୁଡ଼ାକ ଉତ୍ତପ୍ତତାକୁ ହିଁ ବୁଝୁଥାଉ । ସଙ୍ଗୀତ କହିଲେ ମଧ୍ୟ ଆପଣାର ସାନ ମୁଣ୍ଡଟିର ଯନ୍ତ୍ରକୁ ଧରି ସାନ କ୍ଷେତ୍ରଟି ଭିତରେ ପ୍ରାୟ ଏକ ଆତ୍ମସନ୍ତୋଷଲାଭ ସକାଶେ କିଞ୍ଚିତ୍‍ ବାହୁନିବା ବୋଲି ମନେ କରିଥାଉ ।

 

ବାଡ଼ ଭାଙ୍ଗିଦେଲେ ଯାଇ ଅସଲ ଘଟଣାଟି ଘଟେ । ଉତ୍ତାପ ଚାଲିଗଲେ ଯାଇ ବାଡ଼ ଭାଙ୍ଗେ । ବାଡ଼ ଭାଙ୍ଗିବାଲାଗି ସେତେବେଳେ ଆଉ କୌଣସି ଭୟ ଲାଗେନାହିଁ, କୌଣସି ସଙ୍କୋଚ ଲାଗେନାହିଁ, ଏବଂ, ସେତେବେଳେ ଆମେ ଯେଉଁ ବିଶ୍ଵାସର ଅଧିକାରୀ ହୋଇଥାଉ, ତାହାହିଁ ଆମକୁ ଯାବତୀୟ କ୍ଷୁଦ୍ରତା ମଧ୍ୟରୁ ମୁକ୍ତ କରି ଆଣିଥାଏ । ସେହି ବିଶ୍ଵାସରୁ ଶାନ୍ତି ଆସେ । ଆପଣାକୁ ସମର୍ପିତ କରି ରଖିବା ବ୍ୟତୀତ ଅର୍ଥାତ୍ ଅଧିକରୁ ଅଧିକ ସମର୍ପଣର ଯୋଗ୍ୟ ହେବା ବ୍ୟତୀତ ଆଉ ଅନ୍ୟ କୌଣସି ଉତ୍ସାହ ନଥାଏ । ତେଣୁ, ସେହି ଶାନ୍ତି ଅମିତ ଶକ୍ତିର କାରଣ ହୁଏ । ଅମିତ ଆଶୀର୍ବାଦର କାରଣ ହୁଏ ।

 

୧୭ । ୪ । ୭୯

 

ତାଙ୍କର ସକଳ କାର୍ଯ୍ୟ ହିଁ ନୀରବରେ ହେଉଥାଏ; କାରଣ, ତାଙ୍କର ଯାହାକିଛି କାର୍ଯ୍ୟ ହେଉଥାଏ, ତାହା ତାଙ୍କର ଶ୍ରଦ୍ଧାଦ୍ଵାରା ହିଁ ଅନୁପ୍ରେରିତ ହୋଇ ହେଉଥାଏ । ଆମେ ଯଥାର୍ଥରେ ନୀରବ ହୋଇ ଆସିଲେ ସେହି ନୀରବତାକୁ ଅନୁଭବ କରିବାଲାଗି ସମର୍ଥ ହେଉ, ସେହି ଶ୍ରଦ୍ଧାଟିକୁ ଆମର ଭିତରେ ଓ ବାହାରେ ସଚଳ ହୋଇ ରହିଥିବାର ପ୍ରତ୍ୟକ୍ଷ ବି କରିପାରୁ । ସେହି ଶ୍ରଦ୍ଧା ଭିତରେ ଯେଉଁ ଅମିତ ଶକ୍ତି ପ୍ରଚ୍ଛନ୍ନ ହୋଇ ରହିଥାଏ, ସେହି ନୀରବତା ଭିତରେ ଭିତରେ ବି ଯେଉଁ ଅମିତ ଶକ୍ତି ନିଜକୁ ପରିପୂର୍ଣ୍ଣ କରି ରଖିଥାଏ, ଆମେ ଆପଣା ଭିତରେ ସେହି ଶକ୍ତିକୁ ମଧ୍ୟ ଅନୁଭବ କରିବାକୁ ଆରମ୍ଭ କରୁ । ସେହି ଅନୁଭୂତିର ଆନ୍ଦୋଳନ ଫଳରେ ଏଠି ବନ୍ଦ ହୋଇ ରହିଥିବା ଦ୍ଵାରଗୁଡ଼ିକ ସତେଅବା କାହାର ବିଶ୍ଵାସମୟ ଇଙ୍ଗିତ ଲାଭ କରିଥିବା ପରି ଖୋଲିଯାଆନ୍ତି, ଭିତରେ ସତେଅବା ଅନେକ ଦିନରୁ ସଙ୍କୋଚ ଗ୍ରସ୍ତ ହୋଇ ରହିଥିବା କଢ଼ଗୁଡ଼ିକ ଫୁଟିଉଠନ୍ତି । ତା’ପରେ ସବୁ ପରିଷ୍କାର ହୋଇଯାଏ, ସବୁ ସ୍ୱଚ୍ଛନ୍ଦ ହୋଇଯାଏ, ସବୁ ସହଜ ହୋଇଯାଏ । ଗମନାଗମନ ସହଜ ହୋଇଯାଏ । ତା’ପରେ ସବୁ ଆଲୋକମୟ ହୋଇ ଉଠେ । ଏହି ତଥାକଥିତ ଜଡ଼ ମଧ୍ୟ ଆଲୋକରୂପେ ପ୍ରତିଭାତ ହୋଇଉଠେ । ଭିତରେ ଯାହାକିଛି ଜାଗୃତି ହୁଏ, ତାହା ସତେଅବା ଏକ ଆଲୋକରୂପେ ହିଁ ଆପଣାକୁ ଅନୁଭୂତ କରାଏ । ସେହି ଆଲୋକ ଦ୍ଵାରା ହିଁ ବାଟ ଦିଶିଯାଏ । ନିଜ ଭିତରକୁ ବାଟ ଦିଶିଯାଏ, ବାହାରେ ଏହି ସବୁଟି ଭିତରକୁ ମଧ୍ୟ ବାଟ ଦିଶିଯାଏ । ଆଲୋକ ଦ୍ଵାରା ଏହି କ୍ଷେତ୍ରରେ ଯାହା ଘଟେ, ତାହାକୁ ଏକ ସଂପ୍ରସାରଣ ବୋଲି ହିଁ କୁହାଯାଇ ପାରିବ । ତାଦ୍ଦ୍ଵାରା ମୋ’ ଭିତରଟା ସଂପ୍ରସାରିତ ହୋଇ ବାହାରକୁ ଯେପରି ସ୍ପର୍ଶ କରିପାରେ, ବାହାରଟା ମଧ୍ୟ ଠିକ୍ ସେହିପରି ଭାବରେ ମୋ’ ଭିତରଯାଏ ସଂପ୍ରସାରିତ ହୋଇଆସେ ।

 

୧୮ । ୪ । ୭୯

 

ହଁ, ଏହି ସବୁକିଛି ହେଉଛି ଶକ୍ତି, ସାହସ, ବଳ, ଇଚ୍ଛା, ଅନ୍ତହୀନ ମଧୁରତା ଏବଂ ଅତୁଳନୀୟ କରୁଣା । କେବଳ ସତେଅବା ନୁହେଁ, ପ୍ରକୃତରେ । ଏଗୁଡ଼ିକ ବଳ, ଶକ୍ତି, ସାହସ, ଇଚ୍ଛା, ମଧୁରତା ଏବଂ କରୁଣା । ଜୀବନ କହିଲେ ବାହାରେ ଆଉ ଭିତରେ ସେହି ଶକ୍ତି ଓ ବଳକୁ ବୁଝାଇଥାଏ, ସେହି ଇଚ୍ଛାକୁ ବୁଝାଇଥାଏ, ମଧୁରତାକୁ ବୁଝାଇଥାଏ, ସେହି କରୁଣାକୁ ହିଁ ବୁଝାଇଥାଏ । ମୁଁ ଯାହା କିଛି କରେ, ତା’ଭିତରେ ଏହି ସାହସ ଓ ବଳ ବିଶ୍ଵାସ ହୋଇ ରହିଥାଏ । ବଳ ଏବଂ ଶକ୍ତି ରହିଥିବାରୁ ହିଁ ଏହି ଜୀବନ ଏକ ପୁନରାବୃତ୍ତି ବୋଲି ମୋଟେ ମନେ ହୁଏନାହିଁ । କେବଳ ଏକ ଉତ୍ସାହ ବୋଲି ମନେହୁଏ । ମୋ’ର ଇଚ୍ଛା ଏକ ମହତ୍ତର ବୃହତ୍ତର ଇଚ୍ଛାଦ୍ଵାରା ପ୍ରେରିତ ହୋଇ ଆସୁଥିବା ପରି ଅନୁଭୂତ ହେଉଥାଏ । ସେତେବେଳେ ସବୁକିଛି ଏକ ଯାତ୍ରା ପରି ମନେ ହୁଏ, ଏକ ନିତ୍ୟ ଆବିଷ୍କାର ଏବଂ ନିତ୍ୟ-ପ୍ରବେଶ ଯାତ୍ରା ପରି ମନେ ହୋଇଥାଏ ।

 

ଏବଂ ସେତିକିବେଳେ ହିଁ ପୃଥିବୀଯାକ ଏକ ମଧୁରତା ବୋଲି ମନେ ହୋଇଥାଏ, ଏକ ମହାନ୍ ଦାନ ଅର୍ଥାତ୍ କରୁଣା ବୋଲି ହିଁ ମନେ ହୋଇଥାଏ । ସେହି ହେଉଛି କରୁଣା, ଯାହା ମୋ’ର ବାଡ଼ଗୁଡ଼ାକୁ ଭାଙ୍ଗି ଦେଇଥାଏ, ମୋ’ର କ୍ଷୁଦ୍ର ଜଳାଶୟଗୁଡ଼ାକୁ ଉଚ୍ଛନ୍ନ କରିଦେବାରେ ଲାଗିଥାଏ, ମୋତେ କ୍ଷୁଦ୍ର ହୋଇ ରହିବାକୁ କଦାପି ଦିଏନାହିଁ । ମୁଁ ସେହି କରୁଣାଦ୍ଵାରା ହିଁ ଧନ୍ୟ ହୁଏ, ସେହି କରୁଣାଦ୍ଵାରା ହିଁ ଏହି ଜୀବନ ଅର୍ଥପୂର୍ଣ୍ଣ, ହୋଇଉଠେ, ମୂଲ୍ୟପୂର୍ଣ୍ଣ ହୋଇଉଠେ । ଏହି ପୃଥିବୀ ଏକ ଆକର୍ଷଣ ଏବଂ ଏକ ଆହ୍ଵାନରେ ପରିଣତ ହୋଇଥାଏ । ତା’ପରେ ଶତ୍ରୁ ବୋଲି ଆଉ କେହି ରହନ୍ତିନାହିଁ, ନିଜକୁ ଆଉ ଏକ ଅବରୁଦ୍ଧ ଦୁର୍ଗ ପରି ମନେ ହୁଏନାହିଁ । ସମସ୍ତେ ସାଥୀ ବୋଲି ମନେହୁଅନ୍ତି, ପୃଥିବୀ ଘର ବୋଲି ମନେହୁଏ ।

 

୧୯ । ୪ । ୭୯

 

ଅନ୍ତର ଭିତରେ ଯିଏ ଆଲୋକରୂପେ ବିଦ୍ୟମାନ ରହିଛନ୍ତି, ଆଲୋକ ହୋଇଥିବାରୁ ଯିଏ ଭିତରୁ ବାହାରକୁ ବାଟ କାଢ଼ି ନେଉଛନ୍ତି ତାଙ୍କୁ ମୁଁ ବାହାରେ ମଧ୍ୟ ସେହି ଆଲୋକରୂପେ ପ୍ରତ୍ୟକ୍ଷ କରିବି । ମୁଁ ଯାହାକୁ ବାହାର ବୋଲି ବୋଲି କହୁଛି, ତାହାର ମଧ୍ୟ ଏକ ଅନ୍ତର ରହିଛି । ସେହି ଅନ୍ତର ଭିତରେ ଆଲୋକ ହିଁ ଅଧିଷ୍ଠିତ ହୋଇ ରହିଛି । ଆଲୋକ ଆଲୋକର ସମ୍ମିଳନ ଘଟି ଏଠାରେ ଯାବତୀୟ ଯଥାର୍ଥ ପରିଚୟ ସଂଘଟିତ ହେଉଛି । ତେଣୁ ସେହି ଆଲୋକ ହିଁ ସଖାରୂପେ ଉତ୍ସାହ ଦେବ, ସଖାରୂପେ ବାଟ ଦେଖାଇବ, ସଖାରୂପେ ବାଟ କଢ଼ାଇନେବ ।

 

ସେହି ବିଧାନ ହେଉଛି ଆଲୋକର ଏକ ବିଧାନ, କାରଣ ସେହି କାର୍ଯ୍ୟ ମଧ୍ୟ ଆଲୋକର ହିଁ କାର୍ଯ୍ୟ । ଯେତେବେଳେ ଆପଣାର ତିଆରି କରିଥିବା ଅନ୍ଧାର ବ୍ୟତୀତ ମୁଁ ଆଉ କିଛିହେଲେ ଦେଖି ପାରେନାହିଁ, ସେତେବେଳେ ମୋତେ ପୃଥିବୀଟା ସତେଅବା ଗୋଟାଏ ଦଣ୍ଡ ଓ ଶାସ୍ତିର ସଂସାର ପରି ମନେହୁଏ । ବିଧାନଗୁଡ଼ାକ ପ୍ରଧାନତଃ ଭୟଭୀତ କରି ରଖିଥିବା ପରି ବି ମନେ ହେଉଥାଏ । ସେତେବେଳେ ମୁଁ ସେହି ବିଧାନକୁ ଭୟ କରେ, ସେହି ବିଧାନ ପାଖରୁ ଲୁଚି ଲୁଚି ବୁଲୁଥାଏ, ସେହି ବିଧାନ ଯେପରି ମୋତେ କୌଣସି ପ୍ରକାରେ ବଦଳାଇ ନପାରେ, ସେଥିପାଇଁ ମୁଁ କେତେ ଅପଦେବତାଙ୍କ ପାଖରେ ଗୁହାରି କରିବାରେ ଲାଗିଥାଏ । ତଥାପି ଦୁଆର ଖୋଲିଗଲେ କେବଳ ଆଲୋକ ହିଁ ଦେଖାଯାଏ, ବିଧାନଗୁଡ଼ାକ ଉଦୟର ବିଧାନରୂପେ ଅନୁଭୂତ ହୁଅନ୍ତି; ପୂର୍ବରୁ ଯାହାଙ୍କୁ ମୁଁ ଦଣ୍ଡଦାତା ବୋଲି ମଣି ଆସୁଥିଲି, ସିଏ ସଖାରୂପେ ଆବିର୍ଭୂତ ହୁଅନ୍ତି, ସଖାରୂପେ ପାଖକୁ ଆସନ୍ତି ଏବଂ ସଖାରୂପେ ପାଖେପାଖେ ରଖିବାକୁ ଆରମ୍ଭ କରନ୍ତି ।

 

୨୦ । ୪ । ୭୯

 

ମୋ’ର ସବୁ ଶ୍ରଦ୍ଧା, ସବୁ ଭକ୍ତି, ଉତ୍ସର୍ଗର ଯାବତୀୟ ଆନନ୍ଦ, –ଏଗୁଡ଼ାକ ମୋ’ ଜୀବନର ଅସଲ ବିଧାନ, ଏଗୁଡ଼ାକ ଏହି ସମଗ୍ର ଜଗତର ହିଁ ଅସଲ ବିଧାନ । ତେଣୁ, ଯିଏ ସେହି ବିଧାନରୂପେ ମୋ’ର ଏହି ପାତ୍ରଟିରେ ଆସି ପ୍ରବେଶ କରୁଛି, ତାହାହିଁ କୃତଜ୍ଞତା ରୂପେ ଅର୍ଥାତ୍ ଜୀବନରୂପେ ଏହି ପୃଥିବୀକୁ ଭରିଦେଇ ଅଭିବ୍ୟକ୍ତ ହୋଇ ଉଠୁଛି ।

 

ସେହି ବିଧାନ ମୋ’ରି ଭିତରେ କାର୍ଯ୍ୟ କରୁଛି । ତାହା ସାରା ସଂସାର ଭିତରେ ବି କାର୍ଯ୍ୟ କରୁଛି । ମୋ’ ଭିତରେ ଯାହା କାର୍ଯ୍ୟ କରୁଛି, ତାହାହିଁ ସଂସାର ମଧ୍ୟରେ କାର୍ଯ୍ୟ କରୁଛି, –ଆପଣା ଭିତରେ ସେହି ବିଶ୍ୱାସଟିକୁ ଅନୁଭବ କରିବା ହେଉଛି ଶ୍ରଦ୍ଧା, ତାହାହିଁ ଭକ୍ତି । ଭିତର ଆଉ ବାହାର ମଧ୍ୟରେ କୌଣସି ବ୍ୟବଧାନ ନରଖି ପୂର୍ଣ୍ଣାର୍ପିତ ଭାବରେ ଜୀବନ ବଞ୍ଚିବା ହେଉଛି ଭକ୍ତି । ଭକ୍ତିରେ କୁଆଡ଼େ ଏକ ବ୍ୟବଧାନ ଆବଶ୍ୟକ ହୋଇଥାଏ ବୋଲି ଭକ୍ତିବାସୀ, ପ୍ରେମବାଦୀ ପଣ୍ଡିତମାନେ କହିଥାନ୍ତି । ମୁଁ ଭାବେ ବ୍ୟବଧାନ ଘୁଞ୍ଚିଲେ ହିଁ ଅସଲ ଭକ୍ତି ସମ୍ଭବ ହୁଏ, ଅସଲ ଶ୍ରଦ୍ଧା ସମ୍ଭବ ହୁଏ । ଅସଲ ସମ୍ମିଳନ ଅର୍ଥାତ୍ ଅସଲ ଉତ୍ସର୍ଗ ସମ୍ଭବ ହୁଏ । ବ୍ୟବଧାନଗୁଡ଼ାକୁ ମୁଇଁ ସୃଷ୍ଟି କରେ, ବ୍ୟବଧାନଗୁଡ଼ାକୁ ମୁଇଁ ଭଲପାଏ, ବ୍ୟବଧାନଟାକୁ ମୁଁ ନିଜେ ସତେଅବା ଜୀବନବୋଧର ପରମ କାଠିରୂପେ ଗ୍ରହଣ କରିଥାଏ; ସେଇଥିଲାଗି ମୁଁ ବ୍ୟବଧାନଟିକୁ ଦେଖୁଥାଏ, ସେତୁଟିକୁ ଦେଖି ପାରେନାହିଁ, ସୂତ୍ରଟିକୁ ଦେଖି ପାରେନାହିଁ । ତେଣୁ, ସେହି ବିଧାନଟି ହିଁ ପରିପୂର୍ଣ୍ଣ ହେଉ । ମୋ’ ଜୀବନରେ ପରିପୂର୍ଣ୍ଣ ହେଉ । ଅର୍ଥାତ୍, ଏହି ଭିତର ଏବଂ ବାହାର ମଧ୍ୟରେ ଯେ ଆଦୌ କୌଣସି ବ୍ୟବଧାନ ନାହିଁ, ସେହି ସତ୍ୟଟିକୁ ମୁଁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଉପଲବ୍‍ଧି ଏବଂ ଅନୁଭବ କରିବାକୁ ସମର୍ଥ ହୁଏ !

 

୨୧ । ୪ । ୭୯

 

ଦୈଶାନ୍ତିଃ, ଅନ୍ତରୀକ୍ଷଃ ଶାନ୍ତିଃ, –ଏହା କେବଳ ଏକ invocation ନୁହେଁ, କେବଳ ଏକ ପ୍ରାର୍ଥନା ନୁହେଁ, କେବଳ ଏକ ଇଚ୍ଛାପ୍ରକାଶ ବି ନୁହେଁ । ଏହା ଏକ ଶପଥ, ଏକ ବ୍ରତ । ମୋ’ର ଜୀବନକୁ ବଞ୍ଚିବାଲାଗି ଏକ ସୂତ୍ର, ମୋତେ ପରିପୂର୍ଣ୍ଣ ଭାବରେ ଚଲାଇ ନେଉଥିବା ପରି ଗୋଟିଏ ମାର୍ଗ । ମୁଁ ଭିତରେ ଯାହାକୁ ମୋ’ର ସର୍ବୋତ୍ତମ ସମ୍ପଦ ବୋଲି ସଞ୍ଚିତ କରି ରଖିଛି, ବାହାରେ ସେହି ଶକ୍ତିର ପ୍ରତିଷ୍ଠା କରିବାଲାଗି ମୁଁ ନିମିତ୍ତ ହେବି । ତାହାହିଁ ମୋ’ର ଶପଥ । କେବଳ ମୋ’ର ଆଖି ଦୁଇଟା ଏପରି ଉଦାର ସର୍ବସ୍ଵୀକାରୀ ଭାବରେ ବଦଳି ଯିବନାହିଁ, ଯଦ୍ଦ୍ଵାରା କି ମୁଁ ବାହାରେ କେଉଁଠି ହେଲେ ଅଶାନ୍ତି ଦେଖିବିନାହିଁ, କେବଳ ଶାନ୍ତି ଦେଖିବି !

 

ନା–ମୋ’ର ଅନ୍ତର ଭିତରେ ଯାବତୀୟ ଅଶାନ୍ତିର ଉତ୍ସକୁ ଭେଦ କରି ମୁଁ ଯେପରି ତାହାକୁ ଶାନ୍ତିରେ ପରିଣତ କରିବାଲାଗି ଉଦ୍ୟମ କରୁଛି, ବାହାରେ ମଧ୍ୟ ମୁଁ ସେହିପରି ଅଶାନ୍ତିଗୁଡ଼ିକୁ ଦେଖିବି, ସେଗୁଡ଼ିକୁ ଚିହ୍ନିବି, ସେଗୁଡ଼ିକର ମର୍ମଭେଦ କରିବି, ସେଗୁଡ଼ିକର ନିଦାନକୁ ଜାଣିବି, –ସେହିସବୁ ଅଶାନ୍ତି ଯେପରି ଶାନ୍ତିରେ ପରିଣତ ହୋଇ ପାରିବ, ସେଥିଲାଗି ଭାବରେ ମୁଁ ଆପଣାର ଜୀବନକୁ ମଧ୍ୟ ପରିପ୍ରେରିତ ଏବଂ ଉଦ୍ୟତ କରି ରଖିବି । ମୁଁ ଶାନ୍ତ ରହିଲେ ମୋ’ର ସବୁ କାର୍ଯ୍ୟ ସରି ଯିବନାହିଁ । ମୋ’ର ଲବ୍‍ଧ ଶାନ୍ତିଟି ଯେପରି ଆହୁରି ଅନେକ ଅଶାନ୍ତି ମଧ୍ୟରେ ପ୍ରବେଶ କରି ପାରିବ, ତାହା ଯେପରି ସେଥିଲାଗି ସାହସ କରି ପାରିବ, ଯେପରି ତାହା ଅଶାନ୍ତିକୁ ଆଦୌ ଭୟ କରିବନାହିଁ, ଆପଣା ଶାନ୍ତିଟିର ଲୋଭରେ ଅଶାନ୍ତି ପାଖରୁ ଦଉଡ଼ି ପଳାଇବ ନାହିଁ, –ମୋ’ ଜୀବନରେ ସେଥିଲାଗି ମଧ୍ୟ ଦୁଆରଟି ଯଥେଷ୍ଟ ପରିମାଣରେ ଉନ୍ମୋଚିତ ହୋଇ ରହିବ । ମୁଁ ଏହିପରି ପ୍ରସ୍ତୁତ ହୋଇ ପାରିଲେ ଯାଇ ମୋ’ ଲାଗି ଭୁବନବ୍ୟାପୀ ପ୍ରକୃତ ଶାନ୍ତି ବିରାଜିତ ହୋଇ ରହିପାରିବ ।

 

୨୨ । ୪ । ୭୯

 

ପ୍ରମାଦ, ଅସ୍ପଷ୍ଟତା, ଅଜ୍ଞାନ-ଏସବୁ ମୋ’ ଭିତରେ ସମ୍ଭବ ହେଉଛି, ମୋ’ ଭିତରେ ଘର କରି ରହୁଛି, କାରଣ ମୁଁ ନିଜେ ଏଗୁଡ଼ିକ ଲାଗି ଥାନ କରିଦେଉଛି, ଏଗୁଡ଼ିକୁ ଇଚ୍ଛା କରୁଛି, ଏହିଗୁଡ଼ିକୁ ହିଁ ଲୋଡ଼ୁଛି । ନାନା କାରଣରୁ ମୁଁ ଏସବୁକୁ ଲୋଡ଼ୁଛି । ମାତ୍ର, ତାହାର ସର୍ବପ୍ରଧାନ କାରଣ ହେଉଛି ଯେ, ଏହି ସଂସ୍କାରଗୁଡ଼ାକୁ ମୁଁ ଏବେସୁଦ୍ଧା ଛାଡ଼ି ଆସି ପାରିନାହିଁ । ମୂଳରେ ଯେଉଁ ସବୁ ସଂସ୍କାର ମୋତେ ପ୍ରାୟ ଚଉକଷ କରି ବାନ୍ଧି ରଖିଥିଲା, ମୋ’ ଲାଗି ଏକମାତ୍ର ଲାଭଜନକ ସଂସ୍କାର ବୋଲି ପ୍ରତୀତ ହେଉଥିଲା, ସେଗୁଡ଼ାକୁ ମୁଁ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବରେ ଛାଡ଼ି ପାରିନାହିଁ ।

 

ତାହାର କେବଳ ଗୋଟିଏ ମାତ୍ର କାରଣ ରହିଛି । ତୁମେ ଯେ ମୋ’ରି ଭିତରେ ଅଛ, ମୋ’ର ଗଭୀରତମ ସେହି ଅନ୍ତରଙ୍ଗ ଦେଶରେ ତୁମେ ମୋ’ର ଅସଲ କଳା ଓ ଅସଲ ବାସନାଟି ରୂପରେ ରହିଛ, ସେହି କଥାଟିକୁ ମୁଁ ଯଥେଷ୍ଟ ବାସ୍ତବ ଭାବରେ ଅନୁଭବ କରି ପାରିନାହିଁ । ମୁଁ ତୁମକୁ ବାହାରେ ବାହାରେ ଖୋଜି ବୁଲୁଛି, କାରଣ ଆପଣା ଭିତରେ ତୁମକୁ ଛଡ଼ାଇ ଆଉକିଛି ଲୁଚାଇ ରଖିବାକୁ ହୁଏତ ମୁଁ ତଥାପି ଚେଷ୍ଟା କରୁଛି । ତୁମର ସେହି ସର୍ବଶକ୍ତିମାନ୍ ରୂପ ପରମସତ୍ୟରୂପୀ ପରିଚୟ, ପରମ ପ୍ରଭୁଙ୍କର ରୂପ, –ଏଗୁଡ଼ାକୁ ମୁଁ ଆପଣା ଭିତରେ ସ୍ଵାଭାବିକ ଭାବରେ ସର୍ବଦା ଅନୁଭବ କରି ପାରିନାହିଁ । ମୁଁ ଯେ ଗୋଟାସୁଦ୍ଧା ତାହାରି ଅଭିବ୍ୟକ୍ତିର ଏକ କ୍ଷେତ୍ରରୂପେ ଅଭିପ୍ରେତ ହୋଇ ଆସିଛି, ମୁଁ ସେଇଟିକୁ ହୁଏତ ଏପର୍ଯ୍ୟନ୍ତ ମୋ’ ଜୀବନର ସାଧାରଣ ସତ୍ୟରୂପେ ଗ୍ରହଣ କରିନେଇ ପାରିନାହିଁ । ଅର୍ଥାତ୍, ଭିତରେ ଏବେମଧ୍ୟ ଦରିଦ୍ରତା ରହିଛି । ଏବେ ବି ସେହି ସମ୍ପଦ ଉପରେ ପୂର୍ଣ୍ଣ ଆସ୍ଥା ଆସିନାହିଁ, ପୂର୍ଣ୍ଣ ଏକାତ୍ମକତା ଆସିନାହିଁ ।

 

୨୩ । ୪ । ୭୯

 

ଏହି ସବୁକିଛି ହେଉଛି ସିଏ । ଏତିକି ନିଜ ଜୀବନରେ ପ୍ରତ୍ୟେକ କାର୍ଯ୍ୟରେ ଅନୁଭବ କରିବା ସକାଶେ ସମୟ ଲାଗେ, ପ୍ରସ୍ତୁତି ଲାଗେ । ଆପଣା ଭିତରେ ମଧ୍ୟ ସେଇ ରହିଛନ୍ତି ଓ ମୂର୍ତ୍ତିମନ୍ତ ହୋଇ ଉଠିଛନ୍ତି ବୋଲି ଉପଲବ୍‌ଧି କରିବାକୁ ପଡ଼େ । ସେଥିଲାଗି ସମତାଗୁଣର ଅର୍ଜନ କରିବାକୁ ହୁଏ, ଅର୍ଥାତ୍ ଜ୍ଵରମୁକ୍ତ ହେବାକୁ ପଡ଼େ । ଆମେ ଅନେକ ସମୟରେ ଭକ୍ତି, ଶ୍ରଦ୍ଧା ଏବଂ ଉତ୍ସାହ ନାମରେ ଭିତରେ ଗୁଡ଼ାଏ ଜ୍ଵରକୁ ହିଁ ଭର୍ତ୍ତି କରି ରଖିଥାଉ; ସେହି ଜ୍ଵରଦ୍ଵାରା ପ୍ରେରିତ ଅର୍ଥାତ୍ ପୀଡ଼ିତ ହୋଇ ଆମେ ଯେଉଁ ଧାଁଧପଡ଼ ସବୁ କରୁ, ଯେତେପ୍ରକାର ପଳାୟନରେ ଆପଣାକୁ ସତେଅବା ଗୋଟାଏ ହିରୋ ପରି କରି ରଖିଥାଉ, ତଦ୍ଦ୍ଵାରା ଆମେ କେତେ କ’ଣ କରି ପକାଇଲୁ ବୋଲି ଭାବିବାରେ ଲାଗିଥାଉ । କିନ୍ତୁ, ଜ୍ଵର ତୁଟିଲେ ଯାଇ ସମତା ଆସେ । ସମତା ଏକ ବିଶ୍ଵାସ, ଯାଏ ଅନ୍ତରରେ ପ୍ରତିଷ୍ଠିତ ହୁଏ; ସମତା ଏକ ଦୃଷ୍ଟି ଯାହା ଅନ୍ତର ଭିତରୁ ବାହାରଯାଏ ସବୁଆଡ଼େ ଆପଣାର ଚେତନାକୁ ଅର୍ଥାତ୍ ଶ୍ରଦ୍ଧା ଏବଂ ସମ୍ମିଳନ-ଇଚ୍ଛାକୁ ବ୍ୟାପ୍ତ ଓ ସଂଯୁକ୍ତ କରି ରଖିଥାଏ । ସେହି ସମତା ମାଗିଲେ ଆସେନାହିଁ । ତାହାକୁ ଅର୍ଜନ କରିବାକୁ ହୁଏ ।

 

ସିଏ ସବୁଠାରେ ଅଛନ୍ତି, ତାହା ଶାସ୍ତ୍ରର ବାକ୍ୟ । ଶାସ୍ତ୍ରରୁ ଏକଥା ଗୁଡ଼ାକ ଶୁଣି ଶୁଣି ଆମେ ବି କାଳକ୍ରମେ ଏକତାକୁ ପଇଟାଇବାରେ ଲାଗିଥାଉ । କିନ୍ତୁ ତାହା ଆମ ଜୀବନର ଦୃଷ୍ଟିକ୍ଷେତ୍ରରେ ଏକ ସତ୍ୟରେ ତଥାପି ପରିଣତ ହୋଇନଥାଏ । ଏହି ସବୁଟି ଭିତରେ ତାଙ୍କୁ ଅନୁଭବ କରିବାର ଉପଲବ୍‍ଧି ହୋଇଯିବା ପରେ ଯାଇ ସେହି ସତ୍ୟଟି ପ୍ରକୃତରେ ଲବ୍‌ଧ ଏକ ସତ୍ୟରୂପେ ଅନୁଭୂତ ହୋଇଥାଏ । ତା’ପରେ ଶାସ୍ତ୍ର ମଧ୍ୟ ଏକ ଅନୁଭୂତିରେ ପରିଣତ ହୋଇଯାଏ, ଯଥାର୍ଥରେ ଏକ ଦର୍ଶନରେ ପରିଣତ ହୁଏ । ତା’ପରେ କିଛିହେଲେ ବାହାରେ ନଥାଏ, କିଛିହେଲେ ଦୂରରେ ରହେନାହିଁ । ସବୁଟିକୁ ନିଜ ଭିତରେ ଦେଖିବା, ବହନ କରିବା, ତାହାହିଁ ସମତା ।

 

୨୪ । ୪ । ୭୯

 

ଆଲୋକର ଆଲୋକ, ଜୀବନର ଜୀବନ; –ସେଇ ପୁଣି ସର୍ବୋଚ୍ଚ ପ୍ରେମ, ସେଇ ଏହି ପୃଥିବୀର ପରିତ୍ରାଣକର୍ତ୍ତା । ସେଇ ପରମ ସତ୍ୟ । ମୁଁ ଯେତେବେଳେ ତାଙ୍କରି ସହିତ ଏକ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିପାରେ, ସେତିକିବେଳେ ସିଏ ମୋ’ର ଜୀବନ ମଧ୍ୟକୁ ଅବତରଣ କରନ୍ତି । ସେତେବେଳେ ମୁଁ ଦେଖୁଥିବା ଏହି ଯାବତୀୟ ଆଲୋକ ଆଉ ବିଚ୍ଛିନ୍ନ ବୋଲି ଆଦୌ ମନେ ହୁଏନାହିଁ । ଅନ୍ଧାର ଭିତରେ ମୁଁ ହଜିଗଲି କିମ୍ବା ମରିଗଲି ବୋଲି କହିବାଲାଗି ସେତେବେଳେ ଆଉ କୌଣସି ଅବକାଶ ନଥାଏ । ଯେତେବେଳେ ଏହି ଜୀବନର ମୋ’ ଶ୍ରଦ୍ଧାର ବାହନ ଉପରେ ସେହି ସମୁଦାୟ ଜୀବନ ଅର୍ଥାତ୍ ସକଳ ଜୀବନର ସେହି ଉତ୍ସଟି ସହିତ ସେତୁ ଲାଗିଥାଏ, ସେତେବେଳେ ଏହି ଜୀବନ ଆଉ କୌଣସି ପ୍ରକାରେ ବିଚ୍ଛିନ୍ନ ପରି ବୋଧ ହୁଏନାହିଁ, –ତୁମେ ମୋତେ ଆସି ଉଦ୍ଧାର କର, ଏହି ଯନ୍ତ୍ରଣା ମଧ୍ୟରୁ ଆଉ କେଉଁଠାକୁ ନେଇଯାଅ ବୋଲି କହିବାକୁ ମୋଟେ ଅବକାଶ ମିଳେନାହିଁ । ସିଏ ଯେତେବେଳେ ପରିତ୍ରାଣ କରିବାକୁ ପୃଥିବୀକୁ ଆସନ୍ତି, ମୋ’ର ଜୀବନ ଭିତରକୁ ଆସନ୍ତି, ସେତେବେଳେ ମୋତେ ବା ପୃଥିବୀକୁ ଏଠାରୁ ଆଉ କେଉଁଠାକୁ ଉଡ଼ାଇ ନେଇଯିବାକୁ ସେ କଦାପି ଏଠାକୁ ଆସନ୍ତିନାହିଁ । ସିଏ ଦୁଆର ଖୋଲିଦେବାକୁ ଆସନ୍ତି । ହାତରେ ଅସଲ ଖିଅଟିକୁ ଧରାଇ ଦେବାକୁ ଆସନ୍ତି । ସେହି ଖିଅଟି ଲାଗିଗଲେ ବର୍ତ୍ତମାନ ଭବିଷ୍ୟ ଲାଗି ପ୍ରସ୍ତୁତ ହେବାକୁ ଆରମ୍ଭ କରେ, ମୁହୂର୍ତ୍ତଗୁଡ଼ାକ ସତେଅବା କେଉଁ ପରିପୂର୍ଣ୍ଣ ସ୍ଵପ୍ନର ଅଭିବ୍ୟକ୍ତି ଲାଗି ପ୍ରସ୍ତୁତ ହୋଇ ଯାଆନ୍ତି । ଯେତେବେଳେ ଏହିସବୁ ପ୍ରକ୍ରିୟା ମୋ’ରି ଭିତରେ ଚାଲିଥିବାର ଅନୁଭବ ହୁଏ, ସେତେବେଳେ ଶ୍ରଦ୍ଧା ବ୍ୟତୀତ ଆଉ କିଛିହେଲେ ଅନୁଭୂତ ହୁଏନାହିଁ । ଶ୍ରଦ୍ଧାରେ ହିଁ ଏହି ସବୁକିଛି ତିଆରି ହୋଇଥିଲା ପରି ଏବଂ ଆତଯାତ ହେଉଥିଲା ପରି ଅନୁଭୂତ ହୁଏ । ଆପଣାର ଶ୍ରଦ୍ଧା ଦେଇ ସେତେବେଳେ ସମଗ୍ର ସବୁକିଛିକୁ ଦେଖିହୁଏ, ପାଇହୁଏ ।

 

୨୫ । ୪ । ୭୯

 

ସମଗ୍ର ଦୃଶ୍ୟ ଜଗତ କେବଳ ତାଙ୍କରି ବ୍ୟତୀତ ଆଉ କିଛି ନୁହେଁ, ମୋ’ର ଦେଖିବା ଏହିଠାରୁ ଆରମ୍ଭ ହେବ । ସିଏ ସଂସାରରୂପେ ପ୍ରକଟ ହୋଇଛନ୍ତି,-ତେଣୁ, ମୋ’ ଭିତରେ ମଧ୍ୟ ମଧ୍ୟ ପ୍ରକଟ ହୋଇ ରହିଛନ୍ତି । ମୋ’ର ଏହି ଶରୀର ତାଙ୍କରି ଶରୀର । ଏବଂ, ଏହି ଶରୀର ଭିତରେ ମୋ’ର ଯାହାକିଛି ସ୍ଵପ୍ନ ଓ ଯାହାକିଛି ଅଭୀପ୍‌ସା ରହିଛି, ତାହା କେବଳ ମୋ’ରି ଭିତରେ ରହିଥିବା ତାଙ୍କରି ଅଭୀପ୍‌ସା । ଯିଏ ସତ୍ୟ, ତାହା କେବଳ ମୋ’ରି ଭିତରେ ଅଛନ୍ତି ଏବଂ ଏହି ସବୁଟି ଭିତରେ ଅଛନ୍ତି । ଅର୍ଥାତ୍, ସେହି ସତ୍ୟର ସ୍ପର୍ଶଟିକୁ ଅନୁଭବ କରି ମୁଁ ଯେତିକି ଯେତିକି ଆପଣା ଭିତରକୁ ଗତି କରୁଥିବି, ସେତିକି ସେତିକି ଏହି ତଥାକଥିତ ବାହାରମଧ୍ୟକୁ ବି ମୁଁ ପ୍ରସାରିତ ହୋଇ ଯାଉଥିବି । ଆପଣ ଭିତରର ସତ୍ୟଲାଗି ମୁଁ ଆପଣାକୁ ଯେତିକି ଅଧିକ ପରିମାଣରେ ସମର୍ପିତ କରି ରଖିପାରୁଥିବି, ଠିକ୍ ସେତିକି ଅଧିକ ପରିମାଣରେ ବାହାର ଏବଂ ଭିତର ମଧ୍ୟରେ କରା ଯାଇଥିବା ବ୍ୟବଧାନଟି ମୋ’ର ଚେତନା ଭିତରେ କମି ଯାଉଥିବ ।

 

ଭଗବାନ କୁଆଡ଼େ କେବଳ ନିଜ ଭିତରେ ଅଛନ୍ତି, ତାଙ୍କୁ କୁଆଡ଼େ କେବଳ ନିଜ ଭିତରେ ହିଁ ସନ୍ଧାନ କରିବାକୁ ହୁଏ । ଯେଉଁମାନେ ବାହାର ଆଡ଼କୁ କିଳିହୋଇ ରହି କେବଳ ନିଜ ଭିତରେ ହିଁ ତାଙ୍କୁ ସନ୍ଧାନ କରନ୍ତି, କେବଳ ଭିତରକୁ ଉନ୍ମୋଚିତ ହୋଇ ରହିଥାନ୍ତି, ସେମାନଙ୍କ ପରି ସେମାନଙ୍କର ଭଗବାନ ମଧ୍ୟ ଏକଆଖିଆ ହୋଇ ରହିଥାନ୍ତି । ଏହିପରି ଏକ ଉପଚାର ଭିତରେ ଜୀବନ ସତେଅବା ଗାତରେ ପଶିଯାଏ, ସତେଅବା ପାଚେରୀ ତିଆରି କରିବାରେ ଲାଗିଥାଏ, –ବାହାରେ ହରାଇ ଥିବାରୁ ଭିତରେ ମଧ୍ୟ ହରାଇ ବସିବାଲାଗି ପ୍ରସ୍ତୁତ ହେଉଥାଏ ।

 

୨୬ । ୪ । ୭୯

 

ମୋ’ର ବିଶ୍ଵାସ ତାଙ୍କରି ବିଶ୍ଵାସ, ମୋ’ର ଭାବନା ତାଙ୍କରି ଭାବନା ମୋ’ର ଯାବତୀୟ ଶ୍ରଦ୍ଧା ମଧ୍ୟରେ ତାଙ୍କରି ଶ୍ରଦ୍ଧାର ପ୍ରକାଶ । ଏସବୁ କଥା ନୁହେଁ, ଏସବୁ ସ୍ତବ ନୁହେ କି ସ୍ତୋତ୍ର ନୁହେଁ–ଏସବୁ ଉପଲବ୍‌ଧି, ଏସବୁ ଅନୁଭବ । ମୋ’ ନିଃଶ୍ଵାସ କାଳେ ଅନ୍ୟ ନିଃଶ୍ଵାସ ହୋଇଯିବ, ମୋ’ର ଭାବନା କାଳେ ଅନ୍ୟ ଭାବନା ହୋଇଯିବ ଏବଂ ମୋର ଶ୍ରଦ୍ଧା କାଳେ ଅନ୍ୟ ଶ୍ରଦ୍ଧା ହୋଇଯିବ, ସେଥିଲାଗି ମୁଁ ଯେତେବେଳେ ଆପଣାକୁ ସତେଅବା ଗୋଟାଏ ଚୌକିଦାର ପରି ଜଗି ରହିଥାଏ, ସେତେବେଳେ ମୁଁ କି ନିର୍ବୋଧତା ନ କରେ ! କାରଣ ସେତେବେଳେ ମୁଁ ତାଙ୍କଠାରୁ ବାହାରେ ହିଁ ନିଜର କଳ୍ପନା କରୁଥାଏ, ତାଙ୍କ ପାଖରେ ନିଜକୁ ସତେଅବା ଗୋଟାଏ ଚୋର ପରି ବଞ୍ଚାଇ ରଖିବାର ଫିକର କରୁଥାଏ, ଓ ସେପର୍ଯ୍ୟନ୍ତ ମୋ’ର ନିଃଶ୍ଵାସକୁ ତାଙ୍କରି ନିଶ୍ୱାସ ବୋଲି ଅନୁଭବ କରେନାହିଁ, ମୋ’ର ଭାବନା ମଧ୍ୟଦେଇ ତାଙ୍କରି ଭାବନା ଅଭିବ୍ୟକ୍ତ ହୋଇପାରିବ ବୋଲି କଳ୍ପନା ବି କରି ପାରେନାହିଁ, ମୋ’ରି ଶ୍ରଦ୍ଧାର ମୂଳରେ ତା’ଙ୍କରି ଶ୍ରଦ୍ଧାର ପ୍ରେରଣା ରହିଛି ବୋଲି କହିବାକୁ ସାହସ କରେନାହିଁ ।

 

ତେଣୁ ମୁଁ ଶେଷଆଡ଼ୁ ଆରମ୍ଭ କରେ । ମୁଁ ଆଗ ସହଜ ହୋଇଯାଏ, ଉନ୍ମୋଚିତ ହୋଇଯାଏ, ପାଚେରୀ ଭାଙ୍ଗିଦିଏ । ମୁଁ ନିଜକୁ ଗୋଟାସୁଦ୍ଧା ସୂର୍ଯ୍ୟମୁହାଁ କରି ରଖିଥାଏ । ତାହାରି ଦ୍ଵାରା ଅଧିକରୁ ଅଧିକ ତାଙ୍କର କାର୍ଯ୍ୟ କରିବାରେ ଯୋଗ୍ୟ ହୁଏ । ଏହିପରି ଭାବରେ ଆଗ ସ୍ଵୀକୃତ ହୋଇଯାଏ । ସବୁଠାରୁ ବଡ଼ କଥା ହେଉଛି, ଏହିପରି ଭାବରେ ମୁଁ ନିଜପାଖରେ ମଧ୍ୟ ସ୍ଵୀକୃତ ହୋଇଯାଏ । ଏବଂ ତା’ପରେ, ତାଙ୍କରି ପାଖରେ ବସିଥିବା ପରି ଅନୁଭବ କରେ, ତାଙ୍କୁ ଛୁଇଁକରି ରହିଥିବା ପରି ଅନୁଭବ କରେ । ଏହି ଉପାଦାନକୁ ଆଉ ନିନ୍ଦା କରିବାର ଅବକାଶ ରହେନାହିଁ । ସେତେବେଳେ ମୋ’ର ପ୍ରତ୍ୟେକ ଦ୍ଵାର ଏକ ଅପୂର୍ବ ସାମର୍ଥ୍ୟରେ ଓ ଅପୂର୍ବ ମହିମାରେ ଶୁଦ୍ଧ ହୋଇ ଉଠନ୍ତି ।

 

୨୭ । ୪ । ୭୯

 

ତୋମାର ଗୌରବ ଯବେ, ଆମାର ଗୌରବ ହେବେ, –ଏହାହିଁ ମୋ’ର ସକଳ ଅଭୀପ୍‌ସାର ମୂଳ କଥା । ଏହି ଗୌରବର କ୍ଷେତ୍ର ହେଉଛି ଏହି ସବୁଯାକ କ୍ଷେତ୍ର । ମୋ’ର ଦେହ, ମୋ’ର ପ୍ରାଣ ଓ ମୋ’ର ମନ, –ଏଗୁଡ଼ିକ ମଧ୍ୟ କ୍ରମଶଃ ଅଧିକରୁ ଅଧିକ ଯଥାର୍ଥ ଭାବରେ ତାଙ୍କରି ଗୌରବର ହିଁ ପରିଣତ ହେବ । ଏଗୁଡ଼ିକୁ ମୁଁ କୌଣସି ପ୍ରକାରେ ତାଙ୍କରି ଗୌରବରୁ ବଞ୍ଚିତ କରି ରଖିବିନାହିଁ । ଏଗୁଡ଼ିକ ତାଙ୍କରି ଗୌରବମୟ ଅଭିବ୍ୟକ୍ତିର ଜଗତରେ ଗୋଟିଏ ଗୋଟିଏ ସାଧନରୂପେ ବ୍ୟବହୃତ ହେବାକୁ ହିଁ ଆପଣାର ସର୍ବପରମ ଗୌରବ ବୋଲି ଅନୁଭବ କରିବାକୁ ଆରମ୍ଭ କରିବେ ।

 

ମୋ’ର ଅଭୀପ୍‌ସା ପ୍ରକୃତରେ ସେହି ଗୌରବାନ୍ଵିତ ହେବାର ଅଭୀପ୍‌ସା । ମୋ’ ଚାରିପାଖରେ ମୁଁ ସଂସାର ବୋଲି ଯାହାକିଛି ଦେଖୁଛି ଓ ଅନୁଭବ କରୁଛି, ତାକୁ ଆପଣାର ଉପଲବ୍‌ଧ ସେହି ପରମ ଗୌରବ ଅର୍ଥାତ୍ ପରମ ସମ୍ପଦବତ୍ତା ମଧ୍ୟକୁ ସ୍ଵୀକାର କରି ନେଇ ଆସିବାର ଅଭୀପ୍‌ସା । ସେହି ସବୁଟିକୁ ଆପଣାର ଅନ୍ତରଙ୍ଗ ରୂପେ ଅନୁଭବ କରିବାର ଅଭୀପ୍‌ସା-। ଭଗବାନଙ୍କୁ ନେଇ ଯାହାକିଛି ସାଧନା ହେବ, ଯାହାକିଛି ଉପଲବ୍‌ଧି ହେବ, ତାହା ଏହି ପୃଥିବୀକୁ ହିଁ ସାଙ୍ଗରେ ନେଇ ଓ ପୃଥିବୀକୁ ହିଁ ଭୂମିରୂପେ ବ୍ୟବହାର କରି ଘଟିବ, –ଏହିପରି ଏକ ସାହସ ସଂକଳ୍ପ ଅର୍ଥାତ୍ ଶ୍ରଦ୍ଧା ନେଇ ଜୀବନ ବଞ୍ଚିବାର ଅଭୀପ୍‌ସା । ଏହି ଜୀବନ ବଞ୍ଚିବା ମୋ’ର ଏହି ଆପଣାର ଭୂମିଟିରେ ଯେତିକି ଅଧିକ ପରିମାଣରେ ସମ୍ଭବ ହେଉଥାଏ, ମୋ’ ଚେତନା ମଧ୍ୟରେ ତାଙ୍କରି ସାମ୍ରାଜ୍ୟଟି ସେତିକି ଅଧିକ ପରିମାଣରେ ପ୍ରତିଷ୍ଠିତ ହୋଇ ଯାଉଥାଏ, ତାଙ୍କରି ମହିମା ସେତିକି ଯଥାର୍ଥ ଭାବରେ ମୋ’ ଜୀବନ ଭିତରେ ପ୍ରକଟ ହୋଇ ଯିବାରେ ଲାଗିଥାଏ ।

 

୨୮ । ୪ । ୭୯

 

ସେହି ସାନ୍ନିଧ୍ୟ, ତାହାହିଁ ଶାନ୍ତି । ଏବଂ, ସେହି ସାନ୍ନିଧ୍ୟ ଲାଗି ହିଁ ଯାବତୀୟ ସାଧନା । ସେହି ସାନ୍ନିଧ୍ୟ ସଂସାର ଭିତରେ ସେତୁ ପରି କାର୍ଯ୍ୟ କରୁଥାଏ । ତାହା ନିଜ ସହିତ ନିଜକୁ ସେତୁଦ୍ୱାରା ସଂଯୁକ୍ତ କରାଇ ରଖିଥାଏ, ସେତୁଦ୍ଵାରା ଆଉ ସମସ୍ତଙ୍କ ସହିତ ତଥା ସବୁଟି ସହିତ ସଂଯୁକ୍ତ କରି ରଖିଥାଏ । ଅସଲ ସୌନ୍ଦର୍ଯ୍ୟାନୁଭୂତି କହିଲେ ଏହି ସାନ୍ନିଧ୍ୟ–ଅନୁଭୂତିକୁ ହିଁ ବୁଝାଏ । ଉକ୍ତ ସେତୁ ଦେଇ ମୁଁ ଯାହାକୁ ବୁଝିବାକୁ ଯାଏ, ତାହାକୁ ଅନୁଭବ କରୁଥିବାର ବୋଧଟି ମୋ’ ଭିତରେ ସୌନ୍ଦର୍ଯ୍ୟର ଅନୁଭୂତିକୁ ଆଣି ଦେଇ ଯାଉଥାଏ ।

 

ସେହି ସେତୁଟି ମୋତେ ନାସ୍ତିକ ହେବାରୁ ବଞ୍ଚାଇରଖେ, ଏଠି ବା ଆଉ କେଉଁଠି ଆପଣାକୁ ଗୋଟାସୁଦ୍ଧା ଏକୁଟିଆ ଅର୍ଥାତ୍ ଅରକ୍ଷିତ ବୋଲି ଭାବିବାରୁ ମଧ୍ୟ ବଞ୍ଚାଇ ରଖିଥାଏ । ଏହି ସେତୁଟି ପଡ଼ିଥିବା ପର୍ଯ୍ୟନ୍ତ ଦୁଃଖରେ ଏକୁଟିଆ ଲାଗେନାହିଁ, ସୁଖରେ ବି ଏକୁଟିଆ ଲାଗେ ନାହିଁ, ମନରେ ଏକୁଟିଆ ଲାଗେନାହିଁ, ଅପମାନରେ ବି ଏକୁଟିଆ ଲଗେନାହିଁ । ସେହି ସେତୁଟି ସକାଶେ ମୁଁ ଅନେକ ଦମ୍ଭରୁ ରକ୍ଷା ପାଏ, ଅନେକ ଅହଂକାର ଓ ଆତ୍ମସର୍ବସ୍ଵତାର କବଳରୁ ମଧ୍ୟ ସୁରକ୍ଷିତ ହୋଇ ରହିଥାଏ । ସେହି ସେତୁ ମୋତେ ଏହି ଜୀବନରେ ଯଥାର୍ଥ ସ୍ଵୀକୃତିର ମହିମା ଦେଇଯାଏ; ମୋତେ ଅନେକ ଅଳ୍ପତାରୁ ରକ୍ଷା କରେ ।

 

ଅଳ୍ପତାହିଁ ଯଦି ଅଶାନ୍ତିର କାରଣ ହୁଏ, ତେବେ ସେହି ସେତୁଟି ମୋ’ ଭିତରେ ଲାଗି ରହିଥିବା ପର୍ଯ୍ୟନ୍ତ, ଆପଣାକୁ ବି ମୁଁ ଗୋଟିଏ ସେତୁ ବୋଲି ଅନୁଭବ କରୁଥିବା ପର୍ଯ୍ୟନ୍ତ, ମୁଁ ଅନେକ ଅଶାନ୍ତିରୁ ସୁରକ୍ଷିତ ହୋଇ ରହିଥାଏ । ସଂସାରରେ ଅନେକ ଲୋକ ଯାହାକୁ ଅଶାନ୍ତି ବୋଲି କହନ୍ତି, ସେଇଟା ମଧ୍ୟ ମୋତେ ଆକାଶର ଏକ ତୁଙ୍ଗ ଅନୁଭୂତି ଆଣିଦିଏ । ମୁଁ ଅଶାନ୍ତିର ଗର୍ଭକୁ ଭେଦ କରି ପାରେ, ଅନ୍ଧାରର ଅନ୍ତରକୁ ଭେଦ କରି ଯିଏ ଅନ୍ଧାରର ଅନ୍ତରସ୍ଵରୂପ ହୋଇ ରହିଛନ୍ତି, ତାହାକୁ ହିଁ ସ୍ପର୍ଶ କରେ ।

 

୨୯ । ୪ । ୭୯

 

ଏହି ସବୁଟିକୁ ଅନୁଭବ କରି ନପାରିଲେ ଅନୁଭବ, ଅନୁଭବ ହିଁ ନୁହେଁ, ଏହି ସବୁଟିକୁ ଆପଣା ସହିତ ନନେଲେ ଏହି ଜୀବନ ଜୀବନ ହିଁ ନୁହଁ । ଏହି ସବୁଟିକୁ ଏକାବେଳେକେ ଭଲ ପାଇ ପାରିଲେ, ଭଲ ପାଇବା ମଧ୍ୟରେ ଯେ ଏକ ମହନୀୟତା ଏବଂ ଶକ୍ତିମତା ନିହିତ ହୋଇ ରହିଛି, ଆମେ ସେହି ଅନୁଭବଟିକୁ ଲାଭ କରିଥାଉ । ଏହି ଏଠାରେ ଯିଏ ମୃତର ଭିତରେ ଜୀବନର ସଂଚାର କରିଛନ୍ତି ଅର୍ଥାତ୍ ଜଡ଼ ମଧ୍ୟରେ ଅଭୀପ୍‍ସାର ସଂଚାର କରାଇ ତାହାକୁ ଏତେ ସୌନ୍ଦର୍ଯ୍ୟ ଓ ଏତେ ସମ୍ଭାବନାର ମହିମାରେ ମହିମାନ୍ଵିତ କରିଛନ୍ତି, ସିଏ ହେଉଛନ୍ତି ଏକ ସର୍ବମୟତା, ଏକ ଆତ୍ମମୟତା, ସିଏ ଏକ ଅନ୍ତରଙ୍ଗତା । ସେହି ଅନ୍ତରଙ୍ଗତାକୁ ଠୁଳରୂପରେ ଆପଣ ଭିତରେ ଓ ସର୍ବରୂପରେ ସବୁଟି ଭିତରେ ଅନୁଭବ କରି ପାରିଲେ, ଆପଣାର ଯାବତୀୟଦୃଷ୍ଟିରେ ସେହି ପ୍ରାଣମୟ ଅବିଚ୍ଛିନ୍ନତାଟିକୁ ଅନୁଭବ କରି ପାରିଲେ, ସେଇଥିରୁ ହିଁ ଜୀବନର ଯାବତୀୟ ପିପାସାର ଉଦୟ ହୋଇଥାଏ । ସେହି ପିପାସା ଆମକୁ ଆହୁରି କେତେ କେତେ ଜୀବନମୟତା ଏବଂ ସ୍ଵପ୍ନମୟତା ମଧ୍ୟକୁ ବିସ୍ତାରିତ ଓ ସମ୍ପ୍ରସାରିତ କରିନିଏ । ସେହି ପିପାସା ଅନ୍ତର ଓ ବାହାର ମଧ୍ୟରେ ଖିଅ ଯୋଡ଼ିଦେଇ ଯାଏ, ଏକ ଅନ୍ତର୍ପ୍ରାଣତାର ଖିଅ ଯୋଡ଼ିଦେଇ ଯାଏ । ତା’ପରେ ଏଠି କୌଣସି କଥାକୁ ମଧ୍ୟ ଅନିତ୍ୟ ବୋଲି ମନେ ହୁଏନାହିଁ । ତା’ପରେ ଜୁଗୁପ୍‌ସା ବୋଲି ଆଉ କୌଣସି କଥା ହିଁ ରହେନାହିଁ । ଯିଏ ଆପଣାକୁ ଏହି ପ୍ରେମମୟ ଆକାଶରୂପେ ପ୍ରସାରିତ ଓ ଉନ୍ମୋଚିତ କରି ରଖିଛି, ତାହାରି ମଧ୍ୟରେ ଆପଣାକୁ ଠିକ୍ ସେହିପରି ଏକ ହାଲୁକା ଆକାଶ ପରି ଉନ୍ମୋଚିତ କରି ଦେଇ ନିଜର ସବୁକିଛିକୁ ପାଇହୁଏ ।

 

୩୦ । ୪ । ୭୯

 

ଅନ୍ଧାର ମଧ୍ୟରେ ସେଇ ରହିଛନ୍ତି, ସେଇ ଅନ୍ଧାରର ଅନ୍ତର ମଧ୍ୟରେ ଅନ୍ଧାରର ଅନ୍ତରରୂପେ ଅବସ୍ଥିତ ରହିଛନ୍ତି । ଅନ୍ଧାର ତାହା ନିଜେ ଅନୁଭବ କରି ପାରୁନାହିଁ, ମାତ୍ର ଅନ୍ଧାର ମଧ୍ୟରେ ରହିଥିବା ଅନ୍ତର୍ଯାମୀ ତାହାକୁ ଭଲରୂପେ ଜାଣୁଛନ୍ତି । ସକଳ ପ୍ରକାର ଛାୟା ଏବଂ ମାୟା ଭିତରେ, ବାହାରୁ ଦେଖି ଆମେ ଯାହାକୁ ମାୟା ବା ଛାୟା ବୋଲି କହୁଛୁ, ତା’ ମଧ୍ୟରେ ବି ସେଇ ରହିଛନ୍ତି, ସେଗୁଡ଼ିକର ଅନ୍ତର ହୋଇ ରହିଛନ୍ତି । ସେମାନେ ସ୍ଵୟଂ ତାହା ଜାଣି ପାରୁନାହାନ୍ତି ସତ, ମାତ୍ର ଯିଏ ଅନ୍ତର ଭିତରେ ରହିଛି, ସେ ତାହା ନିଶ୍ଚୟ ଜାଣିଛି । ସେଇଥିଲାଗି ସବୁ ଛାୟା ଏବଂ ସବୁ ମାୟା ସତ୍ତ୍ୱେ ବେଳେବେଳେ ଯେତେବେଳେ ସିଧା ବାଟ ଦିଶିଯାଉଛି, ସେତେବେଳେ ଏଠାରୁ ସେଠା ପର୍ଯ୍ୟନ୍ତ ସତେଅବା ସେତୁ ପଡ଼ିଯାଉଛି ।

 

ଯେତେବେଳେ ବାଟଟି ସିଧା ଦେଖାଯାଏ, ବାହାର ସହିତ ଯେତେବେଳେ ଅନ୍ତରର ସିଧା ସେତୁ ପଡ଼ିଯାଏ, ସେତେବେଳେ ଆମର ତଥାକଥିତ ଦୁଃଖ ଆଉ ଦୁଃଖ ପରି ଲାଗେନାହିଁ । ସେସବୁ ଆମ ପଥର ବହୁମୂଲ୍ୟ ଅଭିଜ୍ଞତାରେ ପରିଣତ ହୁଏ । ଯେଉଁ ପଥ ଓ ଯେଉଁ ଅଭିଜ୍ଞତା ମୋତେ ଉଜ୍ଜ୍ଵଳ କରେ, ମୋତେ ଯୁକ୍ତ କରେ, ମୋତେ ପ୍ରସାର ଆଣିଦିଏ, ଦୁଃଖମାନେ ତାହାରି ଭିତରେ ଏକ ଆବଶ୍ୟକ ଅଂଶରୂପେ ପ୍ରତିଭାତ ହେବାରେ ଲାଗନ୍ତି । ସେତେବେଳେ ସକଳ ଦୁଃଖ ସାର୍ଥକ ହୋଇଯାଏ । ସକଳ ଛାୟା ଓ ମାୟା ମଧ୍ୟ ସାର୍ଥକ ହୁଅନ୍ତି । ଏସବୁ ସତ୍ତ୍ୱେ ଆପଣାକୁ ଚିହ୍ନିହୁଏ, ଆପଣାକୁ ଆପଣାର କରି ଗ୍ରହଣ କରିହୁଏ । ସିଏ ଯେ ସେଇଠି ଅର୍ଥାତ୍ ସବୁଠିଁ ରହିଥିଲେ ଓ ରହିଛନ୍ତି, ସେତେବେଳେ ଏହି ସତ୍ୟଟି ଆପଣାର ଏକ ପ୍ରତିମୂର୍ତ୍ତିର ଉପଲବ୍‌ଧିରେ ପରିଣତ ହୋଇଯାଏ । ଯେଉଁ ମୁକ୍ତି ଯୁକ୍ତ କରାଇ ରଖେ, ଇଏ ହେଉଛି, ଠିକ୍ ସେହି ମୁକ୍ତି ।

 

୧ । ୫ । ୭୯

 

ଯଥାର୍ଥ ବଞ୍ଚିବା, ତାହାହିଁ ତାଙ୍କରି ପାଇଁ ବଞ୍ଚିବା ଓ ତାଙ୍କରି ପାଇଁ କାମ କରିବା । ତାହାହିଁ ପ୍ରାର୍ଥନା । ଅନ୍ତର ଭିତରର ଆଖି ଊର୍ଦ୍ଧ୍ଵକୁ ମଧ୍ୟ ବ୍ୟାପ୍ତ ହୋଇ ରହିଥିବ, ଏହି ଗୋଟିଏ ଆୟତନର ଆଗ୍ରହଗୁଡ଼ିକ ସର୍ବାୟତନ ମଧ୍ୟକୁ ପ୍ରଲମ୍ଭିତ ହୋଇ ରହିଥିବ, ଗୋଟିଏ ଗୋଟିଏ ମୁହୂର୍ତ୍ତ ଏକ ମୁହୂର୍ତ୍ତାତୀତ ଅନନ୍ତତା ମଧ୍ୟକୁ ପ୍ରସାରିତ ହୋଇ ରହିଥିବ, ଏଠି ବାଡ଼ କିଛି ନଥିବ ଆପଣା ଭିତରକୁ ଅନ୍ତରଙ୍ଗ ଦୃଷ୍ଟିରେ ଅନାଇଦେଲେ ଚରାଚର ସମସ୍ତେ ଭର୍ତ୍ତି ହୋଇ ଆପଣାର ହୋଇ ରହିଥିବା ପରି ଅନୁଭବ ହେଉଥିବ,-ଏହିପରି ଏକ ବାସନା ସହିତ ବଞ୍ଚିବାର ଯାବତୀୟ କ୍ଷେତ୍ରରେ ଓ ଯାବତୀୟ ବିଚରଣରେ ଆମେ ଯାହାକିଛି କରିବା ତାହାହିଁ ତାଙ୍କର କାମ, ତେଣୁ ତାଙ୍କରି ପ୍ରାର୍ଥନା ।

 

ଦେଉଳ ତୋଳାଇବା ବି ତାଙ୍କରି କାମ ହୋଇନପାରେ, ଏବଂ ଦେଉଳ ଭିତରକୁ ଯିବା ମଧ୍ୟ ତାଙ୍କର କାମ ହୋଇ ନପାରେ, ଅନେକେ ତ ଆପଣାକୁ ଲୁଚାଇ ରଖିବାଲାଗି ଦେଉଳ ତୋଳାଇବାକୁ ମନ କରିଥାନ୍ତି । ଆପଣାର ଅପମୁହୂର୍ତ୍ତ ଗୁଡ଼ାକୁ ଭୁଲିଯିବା ପାଇଁ ହୁଏତ ଦେଉଳ ଭିତରେ ଘଡ଼ିଟାଏ ବସି ଆସିବାକୁ ଯାଇଥାନ୍ତି । ସେମାନେ ଯେଉଁଠାକୁ ଯାଆନ୍ତି, ସେଠାରେ ବି ଅସଲ ଦର୍ଶନ ଓ ଅସଲ ସାକ୍ଷାତ୍‌କାର ଗୁଡ଼ାକୁ ଗଡ଼ାଇ ଦେବାରେ ଲାଗିଥାନ୍ତି ।

 

ଅସଲ ପ୍ରାର୍ଥନା ଭିତରେ ମନଟା ଆଦୌ ଏକଚାଟିଆ ହୋଇ ରହିନଥାଏ । ଅସଲ ସମର୍ପଣ କେବଳ କେତେଟା ଭାବପ୍ରବଣତା ମଧ୍ୟରେ ବାନ୍ଧିହୋଇ ରହି ନଥାଏ । ଶରୀର ସବୁଠାରେ ଥାଏ, ଶରୀର ବି ସବୁକିଛି ମନେ ରଖିପାରେ । ଶରୀର ସାଙ୍ଗରେ ଥାଏ । ଏକ ଅଙ୍ଗ ହିସାବରେ ଥାଏ, ଅଂଶୀଦାର ହିସାବରେ ଥାଏ । ଶରୀର ସାଙ୍ଗରେ ଥିଲେ ସବୁ ଘଟ ଦେଉଳ ପରି ଲାଗେ, ସବୁ ଘଟରେ ନାରାୟଣ ରହିଥିବା ପରି ଲାଗନ୍ତି । ସେତେବେଳେ ଜୀବନରେ ଆମେ ଯାହାକିଛି କରୁ, ତାହାହିଁ ଏକ ଅନ୍ତରଙ୍ଗ ସ୍ଵୀକୃତ ଅର୍ଥାତ୍ ପ୍ରାର୍ଥନାରୂପେ ଆପଣାକୁ ଅଭିବ୍ୟକ୍ତ କରି ଆଣିବାରେ ଲାଗିଥାଏ ।

 

୨ । ୫ । ୭୯

 

ଯେତେବେଳେ ଏହି ଜୀବନ ତାଙ୍କରି ଲାଗି ବଞ୍ଚିହୁଏ, କେବଳ ସେତିକିବେଳେ କର୍ମ ଓ ପ୍ରାର୍ଥନା ମଧ୍ୟରେ ଆଉ କୌଣସି ଫରକ ରହେନାହିଁ । ଯେତେବେଳେ ଭଗବାନଙ୍କ ଲାଗି କର୍ମ କରାଯାଏ, କେବଳ ସେତିକିବେଳେ ଯାଇ ତାହା ଏକ ପ୍ରାର୍ଥନାରେ ରୂପାନ୍ତରିତ ହୋଇପାରେ, ଏକ ପ୍ରାର୍ଥନାରୂପେ ଅଭିବ୍ୟକ୍ତ ହୋଇପାରେ ।

 

ଆମେ ଅଧିକାଂଶ ସମୟରେ ଯାହା କରୁ ତାହାକୁ ପ୍ରାୟ ନିଜଲାଗି କରିଥାଉ । ଆପଣାର ଶରୀରଟାକୁ ମଧ୍ୟ ଆମେ ଆମର ସମ୍ପତ୍ତି ପରି ମନେ କରିବାରେ ଲାଗିଥାଉ । ଭଗବାନଙ୍କୁ ମଧ୍ୟ ନିଜ କାମ ପାଇଁ ଚାହୁ; ତାଙ୍କୁ ନିଜପାଇଁ ବର ମାଗୁ । ଆପଣାକୁ ହିଁ ତାଙ୍କ ଆଶୀର୍ବାଦର ଐଶ୍ଵର୍ଯ୍ୟରେ ଐଶ୍ଵର୍ଯ୍ୟମୟ କରି ରଖିଥାଉ । ସେତେବେଳେ ଭଗବାନ ମଧ୍ୟ ପ୍ରାୟ ଏକ ସମ୍ପତ୍ତିରେ ପରିଣତ ହୋଇ ରହିଥାନ୍ତି । ସେତେବେଳେ ପ୍ରାର୍ଥନା ଗୋଟାଏ ଥାନରେ ରହିଥାଏ; କର୍ମ ଆଉ ଗୋଟାଏ ଥାନରେ ରହିଥାଏ । କର୍ମ ବାନ୍ଧି ରଖିଥାଏ, କର୍ମ ଆଉ ଗୋଟାଏ ଥାନରେ ରହିଥାଏ । କର୍ମ ବାନ୍ଧି ରଖିଥାଏ, ପ୍ରାର୍ଥନା ବି ବାନ୍ଧି ରଖିଥାଏ । କର୍ମ ଆଉ ପ୍ରାର୍ଥନା ଦୁଇଟାଯାକ ହିଁ ସତେଅବା କଷଣ ପରି ମନେ ହେଉଥାନ୍ତି । ଏହି ସଂସାରଟା ସେତେବେଳେ ପଥ ପରି ମନେ ନହୋଇ ସତେଅବା ପ୍ରତିଦ୍ଵନ୍ଦିତାର ଗୋଟାଏ ପଡ଼ିଆ ପରି ମନେ ହେଉଥାଏ । ସେତେବେଳେ ପ୍ରାର୍ଥନା ପ୍ରଧାନତଃ ଗୋଟାଏ ପ୍ରକାର ପ୍ରଲୋଭନ ଦେଖାଇବାରେ ପରିଣତ ହୋଇ ରହିଥାଏ । ଆମେ ଯେପରି ନାନା ପ୍ରଲୋଭନରେ ବଶ ହୋଇ ରହିଥାଉ, ଆମର ଭବବାନ ମଧ୍ୟ ଅବଶ୍ୟ ସେହିପରି ପ୍ରଲୋଭନ ଦ୍ୱାରା ବଶ ହୋଇ ପାରିବେ ବୋଲି ଅନୁଭବ କରୁଥାଉ ଏବଂ ସେଇଥିଲାଗି ଆମ ପ୍ରାର୍ଥନାଗୁଡ଼ାକ ସତେଅବା ଏକ ଜାଲରେ କାହାକୁ ଆପଣା ପାଖକୁ ବାନ୍ଧି ଆଣିବାକୁ ମନ କରୁଥାଏ । କାହାକୁ ଆପଣା ପାଖକୁ ବାନ୍ଧି ଆଣିବାରେ ନୁହେ, ଆପଣାକୁ ଖୁସୀ ହୋଇ, ସ୍ଵାଭାବିକ ହୋଇ, ସମର୍ପିତ ଭାବରେ ଖେଳାଇ ଦେଇ ପାରିବା ହେଉଛି ପ୍ରାର୍ଥନା । ତାହାହିଁ କର୍ମ । ସବୁରି ହୋଇପାରିବା, –ଏହି ଆଲୁଅର ଓ ଏହି ପବନର ବି ହୋଇପାରିବା, ତାହାହିଁ ପ୍ରାର୍ଥନା, ତାହାହିଁ କର୍ମ-

 

Unknown

୩ । ୫ । ୭୯

 

ଧ୍ୟାନ ମଧ୍ୟ କର୍ମ, କର୍ମ ମଧ୍ୟ ଧ୍ୟାନ । ଆପଣାକୁ ସମର୍ପଣ କରି ନଦେଲେ ତାହା ଯଥାର୍ଥ କର୍ମ ନୁହେଁ, ଧ୍ୟାନରେ ଆପଣାକୁ ସମର୍ପଣ କରିନଦେଲେ ତାହା ଯଥାର୍ଥ ଧ୍ୟାନ ବି ନୁହେଁ । କର୍ମ ଆମ ଜୀବନରେ ପ୍ରସାରଣ ଆଣିଦିଏ, ଧ୍ୟାନ ମଧ୍ୟ ଆମ ଜୀବନରେ ସେହି ପ୍ରସାରଣଟିକୁ ଆଣି ଦେଇଥାଏ । କର୍ମ ଆମକୁ ବୃହତ୍ତର ବିଶ୍ଵଟି ସହିତ ଯୁକ୍ତ କରାଏ, ବିଶ୍ଵମୟଙ୍କ ସହିତ ଯୁକ୍ତ ହୋଇ ରହିଥାଉ । ମୋ’ର ଏହି ତଥାକଥିତ ବ୍ୟକ୍ତିଗତଟି ମଧ୍ୟରେ ଯେ ଏକ ବିଶ୍ଵମୟ ଦିଗ ରହିଛି, ମୋ’ର କର୍ମ ମୋତେ ସେହିପରି ଏକ ଅନୁଭୂତି ଆଡ଼କୁ ପ୍ରେରିତ କରି ନେଇଯାଏ । ମୋ’ର ଧ୍ୟାନ ମୋତେ ସେହିପରି ଯୋଗ୍ୟ କରାଏ, ସେହି ଅର୍ଜନ ଏବଂ ସେହି ଗୌରବର ଯୋଗ୍ୟ କରାଇ ନେବାରେ ଲାଗିଥାଏ ।

 

କିନ୍ତୁ ଯେତେବେଳ ଯାଏ ମୁଁ ମୋ’ର ସାନ ପାଚେରୀ ଅର୍ଥାତ୍ ସାନ ଭୟ ଏବଂ ସାନ କ୍ଷତିଗୁଡ଼ିକର ସୀମା ଭିତରେ ବାନ୍ଧିହୋଇ ରହିଥାଏ, ସେତେବେଳେ ମୋ’ର କର୍ମ ଏବଂ ମୋ’ର ଧ୍ୟାନ ଉଭୟେ ମୋତେ ପ୍ରଧାନତଃ ଅଧିକ ବାନ୍ଧିହୋଇ ରହିବାରେ ହିଁ ସାହାଯ୍ୟ କରିଥାନ୍ତି । ସେତେବେଳେ ମୋ’ର କର୍ମ ଏବଂ ମୋ’ ଧ୍ୟାନର ଜରିଆରେ ମୁଁ ଯାହାକିଛି ଚାହୁଥାଏ, ତାହାକୁ ଅତ୍ୟନ୍ତ ବିଚ୍ଛିନ୍ନ ଓ ଅତ୍ୟନ୍ତ ଦୟନୀୟ ଭାବରେ କେବଳ ମୋ’ ନିଜଲାଗି ହିଁ ଚାହୁଥାଏ ମୁଁ ପ୍ରସାରକୁ ଡରୁଥାଏ, ଯୁକ୍ତ ହେବାକୁ ଡରୁଥାଏ । ସେତେବେଳେ ମୁଁ ଓଲଟି ସବୁକିଛିକୁ ହାତ ଭିତରେ ଯାବୁଡ଼ି ରଖିବାକୁ ହିଁ ଇଚ୍ଛା କରୁଥାଏ । ଲୁଚି ରହିବାକୁ ହିଁ ଜୀବନ ବୋଲି ମନେ କରୁଥାଏ । ସେତେବେଳେ ମୋ’ର କର୍ମ ଓ ଧ୍ୟାନ ମଧ୍ୟ ସେହି ସମାନ ପର୍ଯ୍ୟାୟର ହୋଇ ରହିଥାନ୍ତି । ଅର୍ଥାତ୍, ମୋ’ କର୍ମରୁ ମୋ’ ଧ୍ୟାନସ୍ତରର ବିଚାର କରାଯାଇ ପାରେ, ମୋ’ ଧ୍ୟାନରୁ ମୋ’ କର୍ମସ୍ତରର ମଧ୍ୟ ବିଚାର କରାଯାଇପାରେ ।

 

୪ । ୫ । ୭୯

 

ଶାନ୍ତି ଦୁଇପ୍ରକାରର ଅଛି । ନିଶ୍ଚଳତା ବି ଦୁଇପ୍ରକାରର ଅଛି । ଆପଣାକୁ ସବୁଟିରୁ ବିଚ୍ଛିନ୍ନ କରି, ପ୍ରତ୍ୟାହୃତ କରିନେଇ ଏକ ଶାନ୍ତି ଓ ଏକ ନିଶ୍ଚଳତା ଅନୁଭବ କରାଯାଇ ପାରେ । ଆମ ପରମ୍ପରାରେ ସେପରି ଶାନ୍ତି ଓ ନିଶ୍ଚଳତା ହାସଲ କରିଥିବା ବ୍ୟକ୍ତି ଅନେକ ଅଛନ୍ତି । ଏହି ଶାନ୍ତି କୁଆଡ଼େ ବୈରାଗ୍ୟରୁ ମିଳେ, କାରଣ, ଆଚରିତ ସେହି ବୈରାଗ୍ୟରୁ କୁଆଡ଼େ ଏକ ବିବେକ ଜାତ ହୋଇଥାଏ ଏବଂ ସେହି ବିବେକ ଶାନ୍ତି ଆଣିଦିଏ । ବୈରାଗ୍ୟ କହିଲେ ଏଠାରେ ଅନେକ ସ୍ଥଳରେ ଏକ ବାହ୍ୟ ବୈରାଗ୍ୟକୁ ହିଁ ବୁଝାଇଥାଏ । ବାହାରୁ ବନ୍ଧନଗୁଡ଼ାକୁ କାଟିଦେଇ ଏକୁଟିଆ ହୋଇଗଲେ ମଣିଷ କୁଆଡ଼େ ଶାନ୍ତ ଏକ ନିଶ୍ଚଳ ହେବାରେ ସାହାଯ୍ୟ ପାଇଥାଏ ।

 

ସବୁଟି ସହିତ ଆପଣାର ଅନ୍ତର୍ନାଡ଼ୀଗୁଡ଼ାକ ଦେଇ ସଂଯୁକ୍ତ ହୋଇ ରହିବାରେ ମଧ୍ୟ ଆଉ ଏକ ଶାନ୍ତି ରହିଛି, ଆଉ ଗୋଟିଏ ନିଶ୍ଚଳତା ବି ରହିଛି । ବିଚ୍ଛିନ୍ନ ହୋଇ ରହିଥିବା ପର୍ଯ୍ୟନ୍ତ, ନିଜର ମୁକ୍ତିକୁ ଏକ ଅଲଗା ପଦାର୍ଥ ବୋଲି ଭାବୁଥିବା ପର୍ଯ୍ୟନ୍ତ ମଣିଷ ଏହି ଶାନ୍ତିକୁ କଦାପି ହାସଲ କରି ପାରେନାହିଁ । ଆପଣା ଭିତରେ ଏହି ବିଶ୍ଵସଂସାରକୁ ଅନୁଭବ କରି ପାରିଲେ, ଆପଣା ମଧ୍ୟରେ ସକଳ ବିଶ୍ଵସଂସାରକୁ ବହନ କରି ରହିପାରିଲେ ଯେଉଁ ପ୍ରସାର ଉପଲବ୍‌ଧ ହୁଏ, ସେଥିରୁ ମଧ୍ୟ ଏକ ବୃହତ୍ତର ଶାନ୍ତି ମିଳେ । ଏକ ନିଶ୍ଚଳତା ମିଳେ । ତାହାହିଁ ଆପଣାର କର୍ତ୍ତବ୍ୟ ନିର୍ଦ୍ଧାରଣ କରିବାରେ ସବୁଠାରୁ ଅଧିକ ସାହାଯ୍ୟ କରେ । ମୋ’ରି ଭିତରେ ଯେଉଁ ସ୍ତରରେ ମୁଁ ସବୁରି ସହିତ ଯୁକ୍ତ ହୋଇ ରହିଛି, ସେଇଠି ପ୍ରଶ୍ନ ପଚାରିଲେ ଯଥାର୍ଥ ଉତ୍ତର ମିଳେ, ବାଟ ପଚାରିଲେ ବାଟ ମିଳିଯାଏ, ଖିଅ ଖୋଜିଲେ ଖିଅ ମଧ୍ୟ ମିଳେ । ମୁଁ ତାହାରି ଉପରେ ନିର୍ଭର କରିବି । ଏକୁଟିଆ ଅଲଗା ହୋଇ ଯେଉଁ ଶାନ୍ତି ମିଳେ, ମୁଁ ଆଉ ତେଣେ ଭଳି ଯିବିନାହିଁ, –ଜୀବନ ମଧ୍ୟରୁ ନିଜକୁ ବିଚ୍ଛିନ୍ନ ଓ ବିରାଗ କରି ମିଳୁଥିବା ନିଶ୍ଚଳତା ମୋ’ର ନୁହେଁ ।

 

୫ । ୫ । ୭୯

 

ଶ୍ରଦ୍ଧାରେ ଯେଉଁ କାର୍ଯ୍ୟଟି କରାଯାଏ ? ଶ୍ରଦ୍ଧାଦ୍ଵାରା ଅନୁପ୍ରେରିତ ହୋଇ ବି କେଉଁ କାର୍ଯ୍ୟଟି କରାଯାଏ ? ଯେଉଁ କାର୍ଯ୍ୟରେ ଆଗ ମୁଁ ନଥାଏ, ଯେଉଁଠି ସମସ୍ତଙ୍କ ଭିତରେ ମୁଁ ଥାଏ, ଯେଉଁଠି ଭଗବାନ ରହିଥାନ୍ତି, ଅଗ୍ରରେ ରହିଥାନ୍ତି, ମଧ୍ୟରେ ରହିଥାନ୍ତି ଓ ଅନ୍ତରେ ରହିଥାନ୍ତି; ସେହିଠାରେ ହିଁ ଯାବତୀୟ ଅନୁପ୍ରେରଣା ଶ୍ରଦ୍ଧାର ଅନୁପ୍ରେରଣା ହୋଇ ରହିଥାଏ ।

 

ଆମର ଭଗବାନଙ୍କ ଠାରେ ଶ୍ରଦ୍ଧା ନଥାଏ, ତାଙ୍କର ଏହି ସଂସାର ଉପରେ ଶ୍ରଦ୍ଧା ନଥାଏ-। ତାଙ୍କର ଯେଉଁ ଅଂଶଟି ଆମ ଭିତରେ ରହିଛି । ସେଇଟି ଉପରେ ବି କୌଣସି ଶ୍ରଦ୍ଧା ନଥାଏ । ଭଗବାନଙ୍କ କ୍ଷେତ୍ର ମଧ୍ୟରୁ ଆମେ ଯେଉଁ ଅରାଟିକୁ ଆପଣା ଲାଗି ମାଡ଼ିବସିଛୁ ଅଥବା ମାଡ଼ିବସି ରଖିବାକୁ ଇଚ୍ଛା କରୁଛୁ, ଆମର ଯେଉଁ କାମନାଗୁଡ଼ାକ ସକାଶେ ଆମେ ଭଗବାନରୂପୀ ଏକ ପ୍ରୟୋଜନର ଶରଣାଗତ ହୋଇଛୁ, ଆମର ଶରଧା ପ୍ରଧାନତଃ ତାହାରି ଭିତରେ ରହିଥାଏ । ତେଣୁ, ଆମର ପୂଜାରେ ଶ୍ରଦ୍ଧା ଥାଏ, ପଇତାରେ ଶ୍ରଦ୍ଧା ଥାଏ, ଭୋଗରେ ଶ୍ରଦ୍ଧା ଥାଏ, ପ୍ରସାଦ ସେବନରେ ଶ୍ରଦ୍ଧା ଥାଏ, ଦେଉଳରେ ଶ୍ରଦ୍ଧା ଥାଏ, –ଆହୁରି କେତେ କ’ଣ ଖଣ୍ଡପ୍ରୀତିରେ ଶ୍ରଦ୍ଧା ରହିଥାଏ ।

 

ଶ୍ରଦ୍ଧା ହେଉଛି ଏକ ଉନ୍ମୋଚନ, ଯିଏ ମୋ’ ଆପଣା ଭିତରେ ସମସ୍ତ ବିଶ୍ଵର ଅନୁଭୂତି ଆଣି ଦିଏ । ଶ୍ରଦ୍ଧା ହେଉଛି ଏକ ଉନ୍ମୋଚନ, ଯାହା ଫଳରେ ଏଠାରେ ସବୁଟି ଆଗ ଆପଣାର ଘରପରି ମନେହୁଏ । ଶ୍ରଦ୍ଧା ହେଉଚି ଏକ ଉନ୍ମୋଚନ, ଯାହା ମୋତେ ଭିତରୁ ବଦଳାଇ ଦିଏ, ସଂସାର ସହିତ ଲାଗିଥିବା ମୋ’ର ଖିଅଗୁଡ଼ାକର ଧର୍ମକୁ ବଦଳାଇ ଦିଏ, ଯାହା ମୋ’ର ଆଖିଟାକୁ ବଦଳାଇ ଦିଏ । ଯାହା ମୋ’ର ବାହ୍ୟ ଉପଚାରଗୁଡ଼ାକୁ ଗୋଟି ଗୋଟି କରି ତଳକୁ ଖସାଇ ପକାଏ-। ବାହାରର ପଇତାଗୁଡ଼ାକୁ ଛିଡ଼ାଇ ଯାହା ମୋତେ ଆପଣା ଭିତରେ କେଉଁଠି ଦୀକ୍ଷିତ ଓ ସମର୍ପିତ ଅର୍ଥାତ୍ ଶ୍ରଦ୍ଧାନତ ହୋଇ ରହିବାର ସାହସ ଦିଏ । ଯାହା ଅଳ୍ପତାକୁ ନଷ୍ଟ କରେ, ଯାହା ମୋ’ ଅଳ୍ପାନୁରାଗର ପାଚେରୀଗୁଡ଼ାକୁ ଭାଙ୍ଗି ଦେଇଯାଏ ।

 

୬ । ୫ । ୭୯

 

ଭୟ ହେଉଚି ଦାସତ୍ଵ, କର୍ମ ହେଉଚି ମୁକ୍ତି, ସାହସ ହେଉଚି ବିଜୟ । ଭୟର ସହିତ ଯେତେ ଯାହା କର୍ମ କରାଯାଏ, ତାହା ମଧ୍ୟ ଦାସତ୍ଵ । ଏହିପରି ଆପଣା ମୋହର ବଶବର୍ତ୍ତୀ ହୋଇ ଆମେ କେତେ କେତେ ଦାସତ୍ଵକୁ ମୁକ୍ତି ବୋଲି ସ୍ଵୀକାର କରିଛୁ, ମୁକ୍ତି ବୋଲି ଗ୍ରହଣ କରି ନେଇଛୁ-। ଏହିପରି କେତେପ୍ରକାର ଭ୍ରମମୁକ୍ତି ଆମକୁ ନାନା କ୍ଷେତ୍ରର ନାନା ଦାସତ୍ଵରେ ବାନ୍ଧି ରଖିଛି-

 

ଭୟ ଚାଲିଯାଏ, ବିପଦ ଚାଲିଯାଏ ନାହିଁ, ଭୟ ଚାଲିଯାଏ । ବାଟ ଚାଲିଯାଏ । ଆପଣାର ଆହୁରି ଗଭୀରକୁ ବାଟ ଚାଲିବାପାଇଁ ଓ ସଂସାର ମଧ୍ୟରେ ଆପଣାକୁ ସମ୍ପ୍ରସାରିତ କରି ଦେବାପାଇଁ ବହୁକାଳରୁ ସଞ୍ଚିତ ସକଳ ଭୟ ଚାଲିଯାଏ । ଯେଉଁଠି ଭୟ ଥିଲା, ସେଠି ବିଶ୍ଵାସ ଆସି ଲଗାମ ଧରେ । ବିଶ୍ଵାସ ହିଁ ଆପଣାକୁ କର୍ମପ୍ରେରିତ କରି ରଖେ । ତେବେଯାଇ ମୁକ୍ତି ସମ୍ଭବ ହୁଏ, ବିଜୟ ସମ୍ଭବ ହୁଏ, ବିଜୟ ସମ୍ଭବ ହୁଏ । ସେହି ଜୀବନ ଆପଣାକୁ ଯଥାର୍ଥରେ ଏକ ସାହାସୀ ଯାତ୍ରୀର ଜୀବନ ବୋଲି ପ୍ରତିପାଦିତ କରିପାରେ ।

 

ମଣିଷ ଆଗେ ଭୟାଳୁ ହେଲେ ଦାସତ୍ଵକୁ ହିଁ ମୁକ୍ତି ବୋଲି ଭ୍ରମ କରିଥାଏ ଅଥବା ନାନାପ୍ରକାର ପ୍ରୟୋଜନରୁ ଦାସତ୍ଵକୁ ହିଁ ଆପଣାର ଧର୍ମରୂପେ ଗ୍ରହଣ କରିନେଲେ ସିଏ କ୍ରମେ ଭୟାଳୁ ହେବାକୁ ବି ଆରମ୍ଭ କରେ, ସେକଥା କେହି ଦୁଇଭାଗ କରି କହି ପାରିବନାହିଁ । ଭୟ ଓ ଦାସତ୍ଵ ଏ ଦୁଇଟିଯାକ ଗୋଟିଏ ଜୀବନାଚାରର ଦୁଇପାଖ, ଭିତରେ ଭୟ, ବାହାରେ ଦାସତ୍ଵ । ଅଥବା, ଭିତରେ ଦାସତ୍ଵ ଏବଂ ବାହାରେ ଭୟ । ଯିଏ ଭୟରେ ହିଁ ଜଡ଼ିତ ହୋଇ ରହିଥାଏ, ଯିଏ ଭୟ ଦେଖାଇ ଅନ୍ୟମାନଙ୍କୁ ବଶ କରି ରଖିବାର ଫିକର କରୁଥାଏ, ସେ ଦୁହେଁ ଯାକ ହିଁ ଦାସତ୍ଵକୁ ଅବଲମ୍ବନ କରି ରହିଥାନ୍ତି । ସେମାନଙ୍କର ଯାବତୀୟ କର୍ମ ଭୟର ହିଁ ଭୟସଂକ୍ରମଣର ହିଁ ଦ୍ୟୋତକ ହୋଇ ରହିଥାଏ, ସେମାନଙ୍କର ପ୍ରତ୍ୟେକ ତଥାକଥିତ ବିଜୟ ପରିଣାମତଃ ଭୟର ହିଁ ବିଜୟ ହୋଇ ରହେ ।

 

୭ । ୫ । ୭୯

 

କର୍ମ ପଛରେ ଚେତନା ନଥିଲେ ତାହାକୁ କର୍ମ ବୋଲି କାହିଁକି କୁହାଯିବ ? ଆମେ ଅନେକ ସମୟରେ ଅଚେତନ ଭାବରେ ନାନା କର୍ମ କରିଥାଉ । ପୁଣି, ଏପରିକି ଅଚେତନା ମଧ୍ୟରେ ଅବସ୍ଥିତ ରହି ମଧ୍ୟ ନାନା କର୍ମରେ ପ୍ରବୃତ୍ତ ହୋଇଥାଉ । ତେଣୁ, ଆମେ କିପରି କାମଟିକୁ କରୁଛୁ, ସେବିଷୟରେ ଆମର ପ୍ରାୟ ଆଦୌ କୌଣସି ହୋସ ବି ନଥାଏ । ଆମେ ବାହାରର କେତେ ଆଡ଼ମ୍ବର ଓ ପରିପାଟୀ ମିଶାଇ କାମଗୁଡ଼ାକୁ କରୁଥାଉ, ସେହି ଆଡ଼ମ୍ବର ଏବଂ ପରିପାଟୀରେ ପରସ୍ପର ସହିତ ପ୍ରତିଦ୍ଵନ୍ଦ୍ଵିତା କରିବାରେ ମଧ୍ୟ ଲାଗିଥାଉ । ଏବଂ, ପ୍ରାୟ କେଡ଼େ ଉତ୍‌ଫୁଲ୍ଲ ଭାବରେ ସେହି ଆଡ଼ମ୍ବର ଓ ପରିପାଟୀ ଗୁଡ଼ାକୁ ହିଁ ଶୁଦ୍ଧତା ବୋଲି କହୁଥାଉ, ପ୍ରସ୍ତୁତି ବୋଲି କହୁଥାଉ, ମୁକ୍ତିପଥ ବୋଲି କହୁଥାଉ । ଆମର ସାନ ଘରର କଣଗୁଡ଼ିକ ଠାରୁ ଆରମ୍ଭ କରି ଆମର ତଥାକଥିତ ମନ୍ଦିରଗୁଡ଼ାକ ପର୍ଯ୍ୟନ୍ତ ଏହିସବୁ ଆଡ଼ମ୍ୱର ଓ ପରିପାଟୀ ଭିଡ଼ କରି ରହିଥାଏ । ଏହାଦ୍ୱାରା ଜୀବନଟା ସତେଅବା ଅଧିକରୁ ଅଧିକ କର୍କଶ ହୋଇ ଯାଉଥାଏ, ଅଧିକ ଅଧିକ ବଧିର ହେବାରେ ଲାଗିଥାଏ । ଅର୍ଥାତ୍, ତାହାର ଗ୍ରହଣଶୀଳତା କମି ଯାଉଥାଏ ।

 

ଯେଉଁ ଚେତନା ମୋତେ ସମ୍ପ୍ରସାରିତ କରିଦିଏ, ମୋ’ ଭିତରେ ଯେଉଁ ଚେତନା ଏଠୁ ସେଠା ପର୍ଯ୍ୟନ୍ତ ସେତୁଟିଏ ପକାଇ ରଖିଥାଏ, ସେହି ଚେତନା ହିଁ ମୋତେ ମୋ’ର ବିଭିନ୍ନ କର୍ମରେ ପ୍ରବୃତ୍ତ କରି ରଖିବ । ମୋ’ର ତଥାକଥିତ ଚେତନା ମୋତେ ଯେତେବେଳେ ଆପଣା ଭିତରେ ବହୁଧା ବିଭକ୍ତ କରି ରଖିଥିବ, ସେତେବେଳେ ଯାଏ ମୁଁ ଦୈତ୍ୟ ପରି ଯେତେ ଯାହା କର୍ମ କରିବାରେ ଲାଗିଥିଲେ ମଧ୍ୟ ତଥାପି ଦୁଆର ଗୁଡ଼ାକ ବନ୍ଦ ହୋଇ ରହିଥିବ ! ମୋ’ର ସକଳ ଚତୁରତା ମୋତେ ପ୍ରାୟ ଗୋଟାଏ ଗଧ କରି ରଖିଥିବ ।

 

୮ । ୫ । ୭୯

 

କର୍ମରେ ପରିପୂର୍ଣ୍ଣତା,- ଅର୍ଥାତ୍, କର୍ମ ଯାହାପାଇଁ କରାଯାଉଛି, ତାଙ୍କରି ଲାଗି ରହିଥିବା ମୋ’ର ଅଭୀପ୍‌ସାର ପରିପୂର୍ଣ୍ଣତା । କର୍ମଯୋଗ ହେଉଛି ଏକ ପ୍ରସ୍ତୁତିଯୋଗ । ମୋ’ର ଯେଉଁ ସ୍ତରରେ ରହିଛି, ମୋ’ର କର୍ମ ଯେତିକି ବ୍ୟାପ୍ତ ଅଥବା ଯେତିକି ସଂକୀର୍ଣ୍ଣ ହୋଇ ରହିଛି, ମୋ’ର କର୍ମ ମୋତେ ଯେତିକି ବାନ୍ଧିହୋଇ ରହିବାଲାଗି ପ୍ରରୋଚନା ଦେଉଛି ଅଥବା ଉନ୍ମୋଚିତ ହେବାଲାଗି ଉତ୍ସାହ, ବିଶ୍ଵାସ ଏବଂ ସାହସ ଦେଇଯାଉଛି, ମୁଁ ଭିତରେ ଆପଣା ଆକାଙ୍‌କ୍ଷାର ସ୍ତରରେ କେତେଦୂର ଯଥାର୍ଥରେ ପ୍ରସ୍ତୁତ ହୋଇ ପାରିଛି, ସେଥିରୁ ତାହାରି ଏକ କଳନା କରାଯାଇ ପାରିବ ।

 

Perfectionର ଅର୍ଥ efficiency ନୁହେଁ । ସଂସାର ଭିତରେ ମୁଁ କେତେକେତେ efficient ଗଧ ଦେଖି ଆସିଲି, ଯେଉଁମାନେ କି perfectionର ଧାର ବି ଧାରନ୍ତିନାହିଁ । କିନ୍ତୁ ସେମାନେ କେତେ ଦକ୍ଷ ଓ ବିଚକ୍ଷଣ ଭାବରେ କେତେ କାମ କରି ଯାଉଥାନ୍ତି, ନିଜକୁ ଭଗବାନଙ୍କର ହିଁ କାମ କରୁଥିବା ଗୋଟାଏ ଗୋଟାଏ ରଥୀ ବୋଲି ଭାବୁଥାନ୍ତି । ଏମାନେ ନିଜ ଭିତରେ ବାଟ ଚାଲିବାକୁ ଡରନ୍ତି, ଏମାନେ ଆପଣା ଜୀବନରେ କୌଣସି ପ୍ରକାର ପ୍ରସାରକୁ ମଧ୍ୟ ଭାରି ଡରନ୍ତି, ନିଜର ଜୀବନ ଭିତରେ ଆଉ କାହାରିପାଇଁ ସ୍ଥାନଟିଏ ଛାଡ଼ିଦେବାକୁ ମଧ୍ୟ ଭାରି ଡରନ୍ତି ।

 

ଆମର ଉଦ୍ୟମରେ ଧୈର୍ଯ୍ୟ ରହିବା ଉଚିତ, ଅର୍ଥାତ୍ ବିଶ୍ଵାସ ରହିବା ଉଚିତ, ବିଶ୍ଵାସର ସହିତ ହିଁ ଉଦ୍ୟମ କରିବାକୁ ହୁଏ । ଅର୍ଥାତ୍, ଏହି ସବୁକିଛି କର୍ମ ଜରିଆରେ ମୁଇଁ ଆପଣାର ଅଧିକରୁ ଅଧିକ ଭିତରକୁ ଯେ ପ୍ରସ୍ଫୁଟିତ ହୋଇ ଯାଉଥିବି, ମୁଁ ଏ ଦିଗଗୁଡ଼ିକୁ ପ୍ରସ୍ଫୁଟିତ ହୋଇ ଉଠିବାରେ ନିମିତ୍ତରୂପେ କାର୍ଯ୍ୟ କରୁଥିବି, ଏହିପରି ଏକ ବିଶ୍ଵାସ ତଥା ସଂକଳ୍ପର ସହିତ ଅଧିକରୁ ଅଧିକ ତାଙ୍କର ହୋଇଯିବାକୁ ହୁଏ, ଅର୍ଥାତ୍ ପରିପୂର୍ଣ୍ଣ ହୋଇଯିବାକୁ ହୁଏ ।

 

୯ । ୫ । ୭୯

 

ସିଏ ଆପଣାକୁ ଏହି ସଂସାରରେ ନିବେଦନ କରିଛନ୍ତି, ମୁଁ ହେଉଛି ସେହି ଶ୍ରଦ୍ଧାର ପରିଣାମ । ସିଏ ଆପଣାକୁ ସଂସାରରୂପେ ପ୍ରକଟ କରିଛନ୍ତି, ମୁଁ ହେଉଛି ତାହାରି ଏକ ପ୍ରତୀକ, ତାହାରି ଏକ ନିଦର୍ଶନ । ମୁଁ ଶ୍ରଦ୍ଧାରୁ ଜାତ, ସମର୍ପଣରୁ ଜାତ, ନିବେଦନରୁ ଜାତ । ତେଣୁ ମୋ’ର ଜୀବନ କେବଳ ସେହି ଶ୍ରଦ୍ଧାକୁ ହିଁ ପ୍ରକଟିତ କରିଦେବ; ଏହି ଜୀବନର ସାନବଡ଼ ସବୁକିଛିକୁ ସତତ ଏକ ଆତ୍ମନିବେଦନରେ ପରିଣତ କରି ତାହାକୁ ମହିମାମୟ କରି ରଖିଥିବ । ମୋ’ର ଯାବତୀୟ କାର୍ଯ୍ୟକଳାପରେ, ଯାବତୀୟ ଆକାଙ୍‌କ୍ଷା ଏବଂ ଅବଲୋକନରେ ମୁଁ ଅନୁକ୍ଷଣ ସେହି କଥାଟିକୁ ହିଁ ସ୍ମରଣ ରଖିଥିବି । ମୁଁ ଯେଉଁଠାରୁ ଆସିଛି, ଅର୍ଥାତ୍ ଯେଉଁଠାରୁ ମୋ’ ନାଡ଼ଟି ବାହାରି ଏଠାରେ ଜୀବନରୂପେ ପ୍ରସ୍ଫୁଟିତ ଓ ପ୍ରତିଭାତ ହୋଇ ପାରିଛି, ମୁଁ ସେହି ଉତ୍ସଟିକୁ ସତତ ସ୍ମରଣ କରି ପାରୁଥିବି, ସେହି ଉତ୍ସଟିକୁ ମୁଁ ମୋ’ର ଏହି ଦେହରେ ମଧ୍ୟ ଅନୁଭବ କରି ପାରୁଥିବି, –ଏହି ସ୍ମରଣକୁ ହିଁ ମୋ’ର ପ୍ରାର୍ଥନା ବୋଲି ଜାଣୁଥିବି ।

 

ମୋ’ର ଜ୍ଞାନ, ମୋ’ର ବୁଦ୍ଧି ଓ ମୋ’ର କର୍ମ,-ସବୁଟି ଭିତରେ ସେହି ସ୍ମରଣ ହିଁ ମୋ’ର ସର୍ବମୂଳ ସନ୍ତକ ହୋଇ ରହିଥିବ ଏବଂ ଏହି ସବୁକିଛି ମୋ’ର ଜୀବନ ମଧ୍ୟଦେଇ ଶ୍ରଦ୍ଧାରୂପେ, ଭକ୍ତିରୂପେ, ଏକ ସ୍ଵାଭାବିକ ଉତ୍ସର୍ଗ ଅର୍ଥାତ୍ ପ୍ରସାରଣ ରୂପେ ଏହି ସଂସାର ସଧ୍ୟରେ ଅର୍ଥାତ୍ ତାଙ୍କରି ଚରଣତଳେ ଅଜାଡ଼ି ହୋଇ ପଡ଼ୁଥିବ । ତାହାହିଁ ମୋ’ର ଯାବତୀୟ ବିଚରଣ ଏବଂ ଅନୁଧାବନର ସର୍ବମୂଳ ଶୈଳୀ ହୋଇ ରହିଥିବ । ମୁଁ ଏକ ନିବେଦନରୁ ସମ୍ଭୁତ ହୋଇଛି, ନିଜକୁ ଏକ ସ୍ଵତଃସ୍ଫୁର୍ତ୍ତ ନିବେଦନରେ ପରିଣତ କରିଦେଇ ମୁଁ ସେହି ଉତ୍ସ ଏବଂ ଏହି ପ୍ରତିଭାତ ଜଗତ ମଧ୍ୟରେ ଏକ ଜୀବନ୍ତ, ସଚଳ ଓ ଗତିମାନ୍‍ ସଂଯୋଜକ ହୋଇ ଆପଣାକୁ ପ୍ରେରିତ କରି ରଖିଥିବି ।

 

୧୦ । ୫ । ୭୯

 

ଖାଲି ଧ୍ୟାନ କିପରି କରିବାକୁ ହୁଏ, ସେକଥା ମୋତେ ଜଣାନାହିଁ । ଧ୍ୟାନ କଲା ମଣିଷ ଯେତେବେଳେ ଆପଣା ଆଡ଼କୁ ଅନାଉଥିବ, ସେତେବେଳେ ତା’ ଭିତରେ ସମଗ୍ର ବିଶ୍ଵଭୁବନଟା ହିଁ ତ ଜକଜକ ହୋଇ ଦିଶୁଥିବ ଏବଂ ତା’ପରେ, ଅର୍ଥାତ୍ ତଥାକଥିତ ଧ୍ୟାନ ମଧ୍ୟରୁ ବାହାରି ଆସିବା ପରେ ସିଏ ଯେତେବେଳେ ଭୁବନ ମଧ୍ୟକୁ ଅନାଇ ପାରୁଥିବ, ସେତେବେଳେ ତା’ ଭିତରେ ତା’ ନିଜ ସମେତ ସବୁକିଛି ଜକଜକ ହୋଇ ଉଠୁଥିବ, ଭିତର ଆଉ ବାହାର ଉଭୟକୁ ଏକତ୍ର ସମାବିଷ୍ଟ କରି ରଖିଥିବା ସୂତ୍ରଟି ହିଁ ତା’ର ଆଖି ଆଗରେ ଜକଜକ ହୋଇ ଉଠୁଥିବ । ତେଣୁ, ଧ୍ୟାନ କଲାବେଳେ ମଧ୍ୟ ମୁଁ କାର୍ଯ୍ୟ କରୁଥାଏ ଏବଂ କାର୍ଯ୍ୟ କଲାବେଳେ ଧ୍ୟାନସ୍ଥ ହୋଇ ରହିଥାଏ । ଯଦି କୌଣସି କର୍ମ ଯଥାର୍ଥରେ ତାଙ୍କର କର୍ମ ହୋଇଥାଏ, ତେବେ ଧ୍ୟାନସ୍ଥ ନହେଲେ, ଶ୍ରଦ୍ଧାଦ୍ଵାରା ପ୍ରେରିତ ନହେଲେ, ଆପଣାକୁ ସମର୍ପିତ ଭାବରେ ଉତ୍ତୋଳିତ କରି ନଧରିଲେ, ମୁଁ ସେହି କାର୍ଯ୍ୟଟିକୁ କିପରି କରିପାରନ୍ତି-! ତେଣୁ କାମ କଲାବେଳେ ମୋ’ର ସବୁଯାକ ଚେତନା ନିବେଦିତ ହୋଇ ରହିଥାଏ । ହୁଏତ କେବଳ ସେହି ତାତ୍କାଳିକ କର୍ମଟିର ପରାଧୀ ଭିତରେ ନୁହେଁ, ମାତ୍ର ଯିଏ କାର୍ଯ୍ୟଟିକୁ ମୋ’ଦ୍ଵାରା କାର୍ଯ୍ୟ ନେଉଛି ତାହାରି ପାଖରେ; ନିବେଦିତ ହୋଇ ରହିଥାଏ । ସେଇଥିପାଇଁ ହିଁ ହାତକୁ ନେଇଥିବା ଯେକୌଣସି କାମ କଲାବେଳେ ଭିତରେ ମୁଁ ଦଶଗୁଣ ଅଧିକ ସବଳ ହୋଇ ରହିଥାଏ-। ଆପଣାର ବାଡ଼ଗୁଡ଼ାକୁ ଉଠାଇଦେଲେ, ଆପଣାର ଭୟଗୁଡ଼ାକୁ ଭାଙ୍ଗି ଦେଲେ ଓ ଏହି ସବୁଟି ସହିତ ସହଜ ଭାବରେ ଯୁକ୍ତି ହୋଇ ରହିପାରିଲେ ଯେଉଁ ସବଳତା ଆସେ, ମୁଁ ସେହି ସବଳତାକୁ ହିଁ ଅନୁଭବ କରୁଥାଏ । ତେଣୁ ମୋ’ର ଧ୍ୟାନ ମୋ’ର କର୍ମକୁ ଛାଡ଼ି ଅନ୍ୟ ବାଟ ନଖୋଜୁ ଏବଂ ମୋ’ର କର୍ମ ମୋ’ର ଧ୍ୟାନକୁ ଛାଡ଼ି କୌଣସି ଅନ୍ୟ ଫିକର ନକରୁ । ମୋ’ର କର୍ମ ଦ୍ଵାରା ମୋ’ ଧ୍ୟାନସ୍ଥତା ଅଧିକ ସହଜାତର ସାମର୍ଥ୍ୟ ଲାଭ କରୁ ଏବଂ ମୋ’ର ଧ୍ୟାନଦ୍ଵାରା ମୋ’ର କର୍ମ ମଧ୍ୟ ଅଧିକ ସହଜତାର ସାମର୍ଥ୍ୟ ଲାଭ କରୁ ।

 

୧୧ । ୫ । ୭୯

 

ଅବିଚଳ ବିଶ୍ଵାସରୁ ଅବିଚଳ ଉଦ୍ୟମ ସମ୍ଭବ ହୁଏ । ଅବିଚଳ ଶ୍ରଦ୍ଧାରୁ ହିଁ ଅବିଚଳ ଉଦ୍ୟମ ସମ୍ଭବ ହୁଏ । ମୋ’ ଜୀବନରେ ମୋତେ ମହାନ୍ ଲାଭମାନ ମିଳିବ, ସେଇଥିପାଇଁ ଯଦି ମୁଁ ନିଜକୁ ବଶ୍ୟ କରି ରଖି ମହାନ୍‌ ଉଦ୍ୟମମାନ କରିବାକୁ ଲାଗିଥାଏ, ତେବେ ତାହା ମୋ’ଭିତରେ ଏକ ଅବିଚଳ ବିଶ୍ଵାସ ଏବଂ ଅବିଚଳ ଶ୍ରଦ୍ଧାକୁ ସମ୍ଭବ କରାଇ ଆଣିବାରେ ପ୍ରକୃତରେ ବାଧକ ପରି କାର୍ଯ୍ୟ କରୁଥିବ ।

 

ବିଶ୍ଵାସ ବା ଶ୍ରଦ୍ଧା କେବେ ଉଦ୍ୟମ କରିବାଦ୍ୱାରା ସମ୍ଭବ ହୁଏନାହିଁ । ଆଗ ଆପଣାକୁ ବିଶ୍ଵାସ ଓ ଶ୍ରଦ୍ଧାଦ୍ୱାରା ଜୁଆଇ ନେବାକୁ ହୁଏ, ଆପଣାର ଦୃଷ୍ଟିକୁ ହିଁ ବିଶ୍ଵାସ ଏବଂ ଶ୍ରଦ୍ଧାର ଦୃଷ୍ଟିରେ ପରିଣତ କରି ନେବାକୁ ହୁଏ, ଆପଣାର ଯାବତୀୟ ବଞ୍ଚିବାକୁ ହିଁ ବିଶ୍ଵାସ ଏବଂ ଶ୍ରଦ୍ଧା ସହିତ ବଞ୍ଚିବାରେ ପରିଣତ କରିନେବାକୁ ହୁଏ, ତେବେ, ତା’ପରେ ଯାହାକିଛି ଉଦ୍ୟମ ସମ୍ଭବ ହୁଏ, ତାହା ଅବିଚଳ ହୋଇ ରହେ, ଯଥାର୍ଥ ହୋଇ ରହେ । ଅର୍ଥାତ୍ ତାହା ଯଥାର୍ଥ ଭାବରେ ପ୍ରେରଣ କରେ, ଯଥାର୍ଥ ଫଳମାନ ବହନ କରିଆଣେ । ତେଣକି ଆଉ ଉଦ୍ୟମ କରିବାକୁ ପଡ଼େନାହିଁ ବା ବା ଫଳଲାଭ ଲାଗି କୌଣସି ପ୍ରକାର ଯୋଜନା କରିବାକୁ ବି ପଡ଼େନାହିଁ । ସେତେବେଳେ ଉଦ୍ୟମ ଏକ ଧର୍ମ ଏବଂ ଏକ ସ୍ଵାଭାବିକତାରେ ପରିଣତ ହୁଏ ଏବଂ ସେଥିରୁ ଯାହା କିଛି ଉପଲବ୍‌ଧ ହୁଏ, ତାହା ଜୀବନକୁ ଉଜ୍ଜ୍ଵଳ କରେ, ଜୀବନକୁ ଉନ୍ମୋଚିତ କରି ଆଣେ, ଜୀବନକୁ ଧନ୍ୟ କରେ । ସେତେବେଳେ ବାହାର ଓ ଅନ୍ତର ଉଭୟ ଉଜ୍ଜ୍ଵଳ ଦେଖାଯାଏ, ଜୀବ ଓ ଅଜୀବ ସମସ୍ତେ ଉଜ୍ଜ୍ଵଳ ହୋଇ ଦେଖାଯାଆନ୍ତି, ଅତ୍ୟନ୍ତ ନିକଟର ହୋଇ ଦେଖାଯାଆନ୍ତି । ସଂସାରଟା ସତେଅବା କେଉଁ ଅସଲ ଘର ବା ଅସଲ ପ୍ରେମାସ୍ପଦ ପାଖକୁ ଏକ ସେତୁ ପରି ଅନୁଭୂତ ହେବାକୁ ଆରମ୍ଭ କରେ ।

 

୧୨ । ୫ । ୭୯

 

ମୋ’ର ପ୍ରତ୍ୟେକ ଦିନ, ମୋ’ର ଗୋଟିଏ ଗୋଟିଏ ପାହାଚ । ମୋ’ ଅଭୀପ୍‌ସାର କ୍ଷେତ୍ରରେ ଗୋଟିଏ ଗୋଟିଏ ଗୋଟିଏ ପାହାଚ, ମୋ’ର ଶ୍ରଦ୍ଧାର କ୍ଷେତ୍ରରେ ଗୋଟିଏ ଗୋଟିଏ ପାହାଚ, ମୋ’ର ଅନ୍ତଃପରିଚୟର କ୍ଷେତ୍ରରେ ଗୋଟିଏ ଗୋଟିଏ ପାହାଚ ଏବଂ ମୋ’ର ବିଶ୍ଵ-ପରିଚୟର କ୍ଷେତ୍ରରେ ମଧ୍ୟ ଗୋଟିଏ ଗୋଟିଏ ପାହାଚ । ତେଣୁ ମୋ’ର ଦିନଗୁଡ଼ିକ କେବଳ ଏକ ପୁନରାବୃତ୍ତି ନୁହେଁ, କାରଣ ମୋ’ର ଜୀବନ ବଞ୍ଚିବାଟା ମଧ୍ୟ କେବଳ ଏକ ପୁନରାବୃତ୍ତି ନୁହେଁ । ମୋ’ର ସଂସାରକୁ ଆସିବାଟା କେବଳ ଏକ ପୁନରାବୃତ୍ତି ନୁହେଁ, ଅର୍ଥାତ୍ ମୋ’ର ଏହି ଆଖିଗୁଡ଼ାକୁ, ମୋ’ର ଏହି ସଙ୍ଗଲାଭଗୁଡ଼ାକୁ ଓ ମୋ’ର ଏହି ଯାବତୀୟ ଅନୁରାଗଗୁଡ଼ାକ, –କେହି କଦାପି ପୁନରାବୃତ୍ତି ନୁହନ୍ତି ।

 

ତେଣୁ, ଏହି ଯାତ୍ରାର ଅନ୍ତ ନାହିଁ, ଏହି ଗତିର ଅନ୍ତ ନାହିଁ, ଏହି ଅଗ୍ରଗତିର ଅନ୍ତନାହିଁ । କାଳ ଅତିବାହିତ ହୋଇଯିବାକୁ ଅନେକ ମଣିଷ ବାର୍ଦ୍ଧକ୍ୟ ବୋଲି କହନ୍ତି, ଆପଣାର ହୃଦୟ ସାନ୍ନିଧ୍ୟର କ୍ଷେତ୍ରରେ ଆପେ କେଉଁଠି ବୁଢ଼ା ହୋଇ ବସିଥିବାରୁ ହିଁ ସେମାନେ ସେପରି କହିଥାନ୍ତି । ପାହାଚ ପାହାଚ ଉଠିଯିବାକୁ କିଏ ବାର୍ଦ୍ଧକ୍ୟ ବୋଲି କହିବ, ପାଖକୁ ପାଖକୁ ଆସି ପହଞ୍ଚି ଯାଉଥିବାରୁ କିଏ କାହିଁକି ବାର୍ଦ୍ଧକ୍ୟ ବୋଲି କହିବ, ଆପଣାର କରି ଅଧିକ ଅନ୍ତରଙ୍ଗ କରି ଚିହ୍ନିବାକୁ କିଏ କାହିଁକି ବାର୍ଦ୍ଧକ୍ୟ ବୋଲି କହିବ । ଯିଏ ଆଗକୁ ଯିବାକୁ ହିଁ ଅସଲ ବାସନା ବୋଲି ଗ୍ରହଣ କରିଥାଏ, ସିଏ ପଦ ଚାହେନାହିଁ, ବସିଯିବାକୁ ଚାହେନାହିଁ, କୌଣସି ଉପଲବ୍‌ଧିକୁ ମଧ୍ୟ ସିଏ ସର୍ବଶେଷ ପ୍ରତିଷ୍ଠା ବୋଲି ଗ୍ରହଣ କରେନାହିଁ । ଖୋଳଗୁଡ଼ାକ ମଧ୍ୟ ଦେଇ ବାହାରକୁ ବାହାରି ଆସିବାପରି ସିଏ ଏହି ପ୍ରତିଷ୍ଠାଗୁଡ଼ାକ ମଧ୍ୟଦେଇ ସେ ବାରବାର ବାହାରି ଆସିବାରେ ଲାଗିଥାଏ । ତା’ଭଲ ପାଇବାର ଅନ୍ତ ନଥାଏ । ପ୍ରତ୍ୟେକ ଦିନ ତାକୁ ଏକ ନୂତନ ଜନ୍ମର ଆଶୀର୍ବାଦ ଦେଇଯିବାରେ ଲାଗିଥାନ୍ତି ।

 

୧୩ । ୫ । ୭୯

 

ଅଭୀପ୍‌ସା ହିଁ ଗତି, ଅଭୀପ୍‌ସା ହିଁ ପ୍ରଗତି । ଅଭୀପ୍‌ସା କଲେ ପ୍ରଗତି ହେବ, ଅର୍ଥାତ୍ ପ୍ରଗତିର ଇଚ୍ଛା ରଖୁଥିଲେ ଅଭୀପ୍‌ସା ରହିଥିବା ଉଚିତ, ଏପରି ଭାବୁଥିଲେ ଅନେକ ସମୟରେ ପ୍ରଗତି କରିବାର ଇଚ୍ଛାଟା ସତେଅବା ଏକ ଲାଳସା ହୋଇ ଆମ ଭିତରଟାକୁ ଏପରି ଅବାଗିଆ କରି ପକାଏ ଯେ, ଆମ ଭିତରେ କ୍ରମେ ସେହି ଲାଳସାଟା ହିଁ ମୁଖ୍ୟ ହୋଇ ରହେ ଏବଂ ଅଭୀପ୍‌ସାଟା ସତେଅବା ଭାରି ଗୌଣ ହୋଇଯାଏ । ସେତେବେଳେ ଆମେ ଯାହାକୁ ଅଭୀପ୍‌ସା ବୋଲି ଭାବି ହୁଏତ ଢମ କରିବାରେ ଲାଗିଥାଉ, ତାହା ସତେଅବା କେବଳ ଏକ ଇପ୍‌ସା ହୋଇ ରହିଥାଏ । ଏହି ଜଗତ ହଜାର ପ୍ରକାର ଇପ୍‌ସାର ଅଧୀନ ହୋଇ ରହିଥିବା ପରି ଆମେ ବି ଅଭୀପ୍‌ସାର ଭ୍ରମ କରି ତଥାପି ଗୁଡ଼ାଏ ଇପ୍‌ସାର ଅଧୀନ ହୋଇ ରହିଥାଉ, ଇପ୍‌ସାକୁ ହିଁ ଚିତା ଲଗାଇ ଓ ପଇତା କରି ପକାଇ କେଡ଼େ ନିରିମଳ ଓ କେତେ ଧୌତବିଧୌତ କରି ରଖିଥାଉ ।

 

ଅଭୀପ୍‌ସା ମୋ’ର ଇଚ୍ଛା ନୁହେଁ, –ତାଙ୍କରି ଇଚ୍ଛାକୁ ଆପଣା ଭିତରେ ଆପଣାର ଇଚ୍ଛା ପରି ଅନୁଭବ କରି ତାହାରି ଅନୁସାରେ ଆପଣାର ଯାବତୀୟ ପ୍ରସ୍ତୁତି ଏବଂ ଜାଗୃତିକୁ ଅଭିମୁଖ କରି ରଖିବା, ତାହାହିଁ ହେଉଛି ଅଭୀପ୍‌ସା । ସେହି ଅଭୀପ୍‌ସା ଯେତେବେଳେ ଆମ ଜୀବନର ଏକ ଧର୍ମରୂପେ ପରିଣତ ହୋଇଯିବ, ସେତେବେଳେ ଆମର ଜୀବନଟା ପ୍ରକୃତରେ ଗତିଧର୍ମୀ ହୋଇ ରହିବ, ପ୍ରଗତିଧର୍ମୀ ହୋଇ ରହିବ । ସେତେବେଳେ ପ୍ରଗତି ଲାଗି ଆଉ ଯୋଜନା କରିବାକୁ ପଡ଼ିବନାହିଁ, ଅଗ୍ରଗତି ଲାଗି କୌଣସି ସ୍ଵତନ୍ତ୍ର ଯୋଜନା କରିବାକୁ ମଧ୍ୟ ପଡ଼ିବନାହିଁ । ପ୍ରଗତିଟା ହିଁ ଏକ ଧର୍ମରେ ପରିଣତ ହେବ । ସେତେବେଳେ ହୃଦୟ ଭିତରେ ଶ୍ରଦ୍ଧା ହିଁ ରାଜତ୍ଵ କରିବ, ଶ୍ରଦ୍ଧା ହିଁ ବାଟ କଢ଼ାଇ ନେଇଯିବ । ବାହାରର ଏହି ଆଲୋକଯାତ୍ରାର ସବୁଯାକ ଚେର ସେହି ଭିତରେ ରହିଥିବା ପରି ଅନୁଭୂତ ହେବ । ଭିତରେ ମଧ୍ୟ ଏହି ଆକାଶ ବିସ୍ତୃତ ହୋଇ ରହିଥିବା ପରି ଅନୁଭୂତ ହେବ । ସେତେବେଳେ ଅଭୀପ୍‌ସା, ଧର୍ମ ଏବଂ ପ୍ରଗତି ମଧ୍ୟରେ ଆଉ କୌଣସି ତଫାତ ରହିବନାହିଁ ।

 

୧୪ । ୫ । ୭୯

 

ମୋ’ର ବାଟ ମୋତେ ସହଜ ଲାଗୁଥିଲା ବେଳେ ମୁଁ ସ୍ଥିର ରହିବି, କଷ୍ଟକର ଲାଗୁଥିବା ବେଳେ ମଧ୍ୟ ସ୍ଥିର ହୋଇ ରହିଥିବି । ପଖାରେ ବସିଥିବା ସମୟରେ ସ୍ଥିର ରହିବି, ଦୂରରେ ଥିଲାବେଳେ ମଧ୍ୟ ସ୍ଥିର ରହିବି । ସ୍ପର୍ଶ କରି ରହିଥିବା ସମୟରେ ସ୍ଥିର ରହିବି, ଖିଅ ଛାଡ଼ି ଯାଇଥିବା ସମୟରେ ମଧ୍ୟ ସ୍ଥିର ରହିବି ସମସ୍ତଙ୍କର ମେଳରେ ବସିଥିବା ବେଳେ ସ୍ଥିର ରହିବି, ଏକୁଟିଆ ବେଳେ ମଧ୍ୟ ସ୍ଥିର ରହିଥିବି । କେହି ପାଖରେ ନଥିବା ସମୟରେ, ଯେତିକି ସ୍ଥିରତା ରଖିପାରିଲେ ସମସ୍ତ ଜଗତ ମୋ’ ସହିତ ଅବଶ୍ୟ ରହିଛି ବୋଲି ଅନୁଭବ ମିଳିଥାଏ, ମୁଁ ସେତିକି ସ୍ଥିର ହୋଇ ରହି ପାରିବାର ଯୋଗ୍ୟ ହୋଇ ପାରିବି, ଏବଂ ସମସ୍ତଙ୍କ ସହିତ ଏକାଠି ହୋଇ ରହିଥିବା ସମୟରେ ଯେତିକି ସ୍ଥିର ରହିଲେ ତଥାପି ନିଜ ଘରଟି ଭିତରେ ଆପଣାକୁ ପରିପୂର୍ଣ୍ଣ ଓ ପ୍ରଶସ୍ତତମ ଭାବରେ ଚିହ୍ନିହୁଏ, ମୁଁ ସେତିକି ସ୍ଥିର ରହି ପାରିବାର ଯୋଗ୍ୟ ହେବି । ଭିତରେ ଆପଣା ମଧ୍ୟରେ ରହିଥିବା ସମୟରେ ମଧ୍ୟ ସ୍ଥିର ହୋଇ ରହିଥିବି, ସମଗ୍ର ଆକାଶ ମଧ୍ୟରେ ପ୍ରସାରିତ ହୋଇ ରହିଥିବା ସମୟରେ ମଧ୍ୟ ସ୍ଥିର ହୋଇ ରହିଥିବି । ସ୍ଥିର ହୋଇ ରହିପାରିଲେ ଆଉ ବାଧାଗୁଡ଼ାକୁ ହିଁ ସର୍ବପ୍ରବଳ ହୋଇ କଦାପି ଦେଖା ଯିବନାହିଁ । କେବଳ ସମ୍ମୁଖସ୍ଥ ବାଟଟି ଦେଖା ଯାଉଥିବ । ଆପଣା ଭିତରକୁ ବାଟଗୁଡ଼ିକ ଜଳଜଳ ଦେଖା ଯାଉଥିବ ଏବଂ ସମସ୍ତ ଆକାଶ ମଧ୍ୟରେ ବ୍ୟାପ୍ତ ହୋଇ ରହିଥିବା ସମଗ୍ର ବାଟଗୁଡ଼ିକ ବି ଜଳଜଳ ହୋଇ ଦେଖା ଯାଉଥିବ ।

 

ମୁଁ ସେତେବେଳେ ପର୍ଯ୍ୟନ୍ତ ପରିସ୍ଥିତିକୁ ସ୍ଥିର ହୋଇ ଦେଖିବାଲାଗି ସମର୍ଥ ହୋଇ ରହିଥାଏ, ସେତେବେଳେ ଯାବତୀୟ ପ୍ରକାରର ପରିସ୍ଥିତିକୁ ମଧ୍ୟ ଏକ ଉଜ୍ଜ୍ଵଳତା ଏକ ସମ୍ଭାବନା ଏବଂ ଏକ ଆମନ୍ତ୍ରଣ ରୂପେ ଅନୁଭବ କରିବାରେ ଲାଗିଥାଏ । ନୀରବ ଓ ସ୍ଥିର ହୋଇ ରହିଥିବା ପର୍ଯ୍ୟନ୍ତ ମୁଁ ଯେ କୌଣସି ପରିସ୍ଥିତିରେ ମଧ୍ୟ ବନ୍ଧୁଙ୍କୁ ଚିହ୍ନିପାରେ ଏବଂ ବନ୍ଧୁଙ୍କୁ ଚିହ୍ନିପାରୁଥିବା ପର୍ଯ୍ୟନ୍ତ ସବୁକିଛି ସହଜ ହୋଇଯାଏ ।

 

୧୫ । ୫ । ୯୭

 

ଏପାଖରେ ଯାହାକୁ ନିଷ୍ଠା ଏବଂ ସଦିଚ୍ଛା ବୋଲି କୁହାଯାଏ, ସେପାଖରେ ତାହାହିଁ ସହାୟତା ହୋଇ ମୋ’ ପାଖକୁ ଆସେ, ସେପାଖରୁ ତାହାହିଁ ଆଶ୍ରୟ ହୋଇ ମୋତେ ଆଶ୍ରା ଦିଏ । ସେତେବେଳେ ସେପାଖରେ ଯାହାକିଛି ଥାଏ, ତାହା ଜନନୀରୂପେ ମୋ’ ଆଗରେ ଆବିର୍ଭୂତ ହୁଏ । ଜନୀନର ସାନ୍ନିଧ୍ୟ ଆଣିଦିଏ, ଆପଣ ଭିତରେ ଜନନୀର ଚେତନା ଆଣିଦିଏ, ଆପଣା ଭିତରେ ଜନନୀର ମହିମାନୁଭୂତି ଆଣି ଦେଇଯାଏ । ସେଥିଲାଗି, ଏପାଖରେ ନିଷ୍ଠା ଓ ସଦିଚ୍ଛା ହୋଇପାରିଲେ ଯାଇ ସେପାଖରୁ ସାହାଯ୍ୟ ଆସି ପାରିବ, ସତକଥା କହିବାକୁ ଗଲେ, ମୁଁ ଏପରି କଥା କଦାପି କହିବାକୁ ମନ କରିବିନାହିଁ । ବେଳବେଳେ ଏପରି ବି ଅନୁଭବ ହୁଏ, ଯେତେବେଳେ ମୋ’ର ଜୀବନ ଗୋଟାକଯାକ ଅତ୍ୟନ୍ତ ସ୍ଵାଭାବିକ ଭାବରେ ହିଁ ନିଷ୍ଠା ଏବଂ ସଦିଚ୍ଛାରୂପେ ପ୍ରତିଭାତ ହୋଇଉଠେ, ସେତେବେଳେ ମୋ’ର ଭିତରୁ ହିଁ ସହାୟତା ମିଳିଯାଏ । ମୋ’ର ଭିତରେ ହିଁ କେଉଁଠି ଜନନୀଟି ଲୁଚି ରହିଥାଏ ଅର୍ଥାତ୍ ଅପେକ୍ଷା କରି ରହିଥାଏ କେଜାଣି, ତାହାହିଁ ମୋ’ର ମାଗିଥିବା ନମାଗିଥିବା ଯାବତୀୟ ସହାୟତା ରୂପେ ପ୍ରକଟିତ ହୋଇଉଠେ । ଭିତରର ଜନନୀ ସେତେବେଳେ ସାଥୀ ହୋଇ ପ୍ରକଟ ହୁଅନ୍ତି ।

 

ହେ ପରମ ସହାୟତା, ହେ ପରମ ଆଶୀର୍ବାଦ, –ତୁମେ ହିଁ ମୋ’ ଭିତରେ ପରମ ସମପର୍ଣ ଓ ପରମ ଅଭୟରୂପେ ପ୍ରକଟ ହୋଇ ଉଠିଛି । ଏବଂ ସେହି ପ୍ରକଟ ହେବାକୁ ହିଁ ମୁଁ ମୋ’ ଜୀବନର ସ୍ଵାଭାବିକ ଅଭିବ୍ୟକ୍ତି ଏବଂ ରୀତି ବୋଲି ସ୍ଵୀକାର କରିନେଇଛି । ନିଷ୍ଠାର ଅଭାବ, ସଦିଚ୍ଛାର ଅଭାବ, –ଏଗୁଡ଼ାକୁ ମୋ’ ଲାଗି ସତେଅବା ଏକୁଟିଆ ହୋଇଯିବାର ବିପର୍ଯ୍ୟୟ ରୂପେ ହିଁ ଅନୁଭୂତ ହୋଇଛି । ଏହି ବିପର୍ଯ୍ୟୟକୁ ହିଁ ମୁଁ କ୍ରମେ ଏକ ମୌଳିକ ଅବିଶ୍ଵାସ ବୋଲି, ଗ୍ରହଣ କରିବାକୁ ଆରମ୍ଭ କରିଛି । ବିଶ୍ଵାସ ହିଁ ସହାୟତା, ଅବିଶ୍ଵାସ ହେଉଛି ଆପଣାକୁ ସକଳ ଯଥାର୍ଥ ସହାୟତାକୁ ବଞ୍ଚିତ କରି ରଖିବା ।

 

୧୬ । ୫ । ୭୯

 

ତାଙ୍କୁ ସ୍ମରଣ କରିବାର ଅର୍ଥ ହେଉଛି ତାଙ୍କୁ ଅନୁଭବ କରିବା । ତାଙ୍କୁ ଅନୁଭବ କରିବାର ଅର୍ଥ ହେଉଛି ସମସ୍ତଙ୍କୁ ଏବଂ ଏହା ସବୁଟିକୁ ଅନୁଭବ କରିବା ତେଣୁ, ତାଙ୍କୁ ସ୍ମରଣ କରିବାର ଆଉଗୋଟିଏ ବି ଅର୍ଥ ହେଉଛି ତାଙ୍କରି ମଧ୍ୟରେ ସମସ୍ତଙ୍କୁ ଓ ସବୁଟିକୁ ତଥା ସମସ୍ତଙ୍କର ଓ ସବୁଟି ମଧ୍ୟରେ ତାଙ୍କୁ ଅନୁଭବ କରିବା । ଆପଣାକୁ ସବୁଟି ସହିତ ସମ୍ମିଳିତ କରି ଦେଖାପାରିଲେ ଯାଇ ଏକଥା ସମ୍ଭବ ହେବ । ସଂସାରକୁ ନିଜ ଭିତରେ ଦେଖିହେବ, ନିଜକୁ ମଧ୍ୟ ସଂସାର ଭିତରେ ଦେଖିହେବ ସେତେବେଳେ ପାଶମୁକ୍ତ ହୋଇ ପାରିବାଲାଗି ଆଉ କୌଣସି ଅଲଗା ସାଧନା କରିବାକୁ ପଡ଼ିବନାହିଁ । ଅସଲ ପାଶଗୁଡ଼ିକରେ ସବୁଟି ସହିତ ଏପରି ଅନ୍ତରଙ୍ଗ ଭାବରେ ଏବଂ ସ୍ଵାଭାବିକ ଭାବରେ ବାନ୍ଧି ହୋଇଯିବ ଯେ, ପ୍ରକୃତରେ କୌଣସି ପ୍ରକାର ପାଶ ବାହାରୁ ବାନ୍ଧି ପକାଇବାକୁ ଆସିବନାହିଁ ।

 

ତାଙ୍କୁ ମୁଁ କେବେହେଲେ କେବଳ ନିଜ ଭିତରେ ବାନ୍ଧି ପକାଇବାକୁ ଚେଷ୍ଟା କରିବିନାହିଁ-। ଏବଂ ସେହି ବାନ୍ଧି ପକାଇବାଟାକୁ ହିଁ ମୁଁ କେବେହେଲେ ତାଙ୍କର ସାନ୍ନିଧ୍ୟ ଲାଭ କରିବା ବୋଲି କହିବିନାହିଁ । ତାଙ୍କର ପ୍ରକୃତ ସାନ୍ନିଧ୍ୟ ଲାଭ କରିବା ଅର୍ଥାତ୍‌ ଆପଣାର ଏହି ସାନ ବନ୍ଦୀଶାଳାଟି ମଧ୍ୟରୁ ତାଙ୍କୁ ମୁକ୍ତ କରିଦେବା । ସେଇ ମୋ’ର ନୁହନ୍ତି, କେବଳ ମୋ’ରି ଦୁଃଖ ଦୂର କରିବାକୁ କିମ୍ବା ମୋ’ର ପ୍ରାର୍ଥନା ଶୁଣିବାକୁ ହିଁ ସେଇ ଅପେକ୍ଷା କରି ବସିନାହାନ୍ତି । ଯେତେବେଳେ ମୁଁ ତାଙ୍କୁ ପ୍ରକୃତରେ ସ୍ମରଣ କରି ପାରିବି, ସେତେବେଳେ ମୋ’ର ଦୁଃଖଗୁଡ଼ାକୁ ମଧ୍ୟ ପରିଶୁଦ୍ଧ ହୋଇଯିବ, ଦୁଃଖଗୁଡ଼ାକୁ ଆଉ ଦୁଃଖପରି ମୋଟେ ଲାଗିବନାହିଁ । ସତେବେଳେ ମୁଁ ଯାହାକିଛି କରିବି, ଯାହାକିଛି ଭାବିବ, ତାହା ପ୍ରାର୍ଥନାରୂପେ ହିଁ ଉଚ୍ଚାରିତ ହେବାରେ ଲାଗିଥିବ । ସେତେବେଳେ ଜୀବନଟା ଭାରି ହାଲୁକା ହୋଇଯାଏ, ସେତେବେଳେ ଦୁଃଖ ପରି ଲାଗେନାହିଁ । ସେତିକିବେଳେ ଖିଅ ଲାଗିଯାଏ, ସେତିକିବେଳେ ସାନ୍ନିଧ୍ୟ ମିଳେ, ଅସଲ ସ୍ମରଣ ସମ୍ଭବ ହୁଏ ।

 

୧୭ । ୫ । ୭୯

 

ରାତ୍ରିର ଅନ୍ଧରକାର ଭିତରେ ଏହି ଯାତ୍ରା । ତଥାପି ସମ୍ମୁଖରେ ସୂର୍ଯ୍ୟ ଅନେକ ସ୍ପଷ୍ଟ । ଭିତରେ ଯିଏ ଆଲୋକମୟ ଅନ୍ତରଙ୍ଗ ରୂପେ ବିରାଜମାନ ରହିଛନ୍ତି, ସେଇ ମୋଟେ ଏହି ଯାତ୍ରାରେ ଅଗ୍ରସର କରାଇ ନେଉଛନ୍ତି, ମୋ’ ବାଟରେ ଫୁଲ ଫୁଟାଇ ନେଉଛନ୍ତି । ଭିତରର ଅଭୀପ୍‌ସା ବାହାରେ ସୂର୍ଯ୍ୟରୂପେ ପ୍ରତିଭାତ ହୋଇ ଉଠୁଛି ।

 

ଅନ୍ତରସ୍ଥ ଆଲୋକଟି ଉପରେ ନିର୍ଭର କରି ଜାଣିଥିଲେ; ତାହାକୁ ହିଁ ବାସ୍ତବରୂପେ ଅନୁଭବ କରି ପାରୁଥିଲେ, ବାହାରର ଏହି ଅନ୍ଧାରଗୁଡ଼ାକ ମଧ୍ୟ କ୍ରମେ ଆପଣାର ଅନ୍ତର ମଧ୍ୟରେ ରହିଥିବା ଅସଲ ସତ୍ୟଟିକୁ ପ୍ରକଟ କରାଇ ଦେଉଥିବେ । ଏହି ଅନ୍ଧାରଗୁଡ଼ାକୁ ଅନ୍ଧାର ନୁହନ୍ତି । ଏହି ଅନ୍ଧାରର ଅନ୍ତର ଭିତରେ ଯିଏ ରହିଛନ୍ତି, ଏହି ଅନ୍ଧାର ହେଉଛି ପ୍ରକୃତରେ ତାହାହିଁ । ଏ ରାତି ମୋ’ ଜୀବନରେ କୌଣସି ପ୍ରକାରର ବିଚ୍ଛିନ୍ନତା ସୃଷ୍ଟି କରି ରଖିଥିବାର ଏକ ବ୍ୟବଧାନ ବି ନୁହେଁ । ଅନେକ ସମୟରେ ଏହି ରାତିଟା ମଧ୍ୟ ସତେଅବା ଗୋଟାଏ ଖିଅ ପରି ଅନୁଭୂତି ହୋଇଥାଏ । ତେଣୁ, ତାହାହିଁ ମୁଁ ଆଦୌ ଏକ ଗର୍ତ୍ତ ବା କୂପ ପରି ବ୍ୟବହାର ନକରି ସତେଅବା ଏକ ସେତୁ ପରି ହିଁ ଅନୁଭବ କରିଥାଏ । ଏପାଖର ଆଲୋକମୂଳରେ ଛିଡ଼ା ହୋଇ ସେପାଖର ଆଲୋକବିସ୍ତାରଟି ଆଡ଼କୁ ଅନାଇ ରହିଥିଲା ବେଳେ ଏବଂ ଆପଣକୁ ଖିଅଲଗା ହୋଇ ରହିଥିବା ପରି ଅନୁଭବ କରୁଥିବା ସମୟରେ ଏହି ଅନ୍ଧାର ଭିତରେ ପ୍ରକୃତରେ ଗୋଟାଏ ବାଟ ବି ଦେଖା ଯାଉଥିବା ପରି ମନେହୁଏ । ସେତେବେଳେ ଅନ୍ଧାରକୁ ମୋଟେ ଭୟ ଲାଗେନାହିଁ । ଆପଣାର ଅନ୍ତରଘରଟିକୁ ଏବଂ ତାହାକୁ ବେଷ୍ଟିତ କରି ରହିଥିବା ଆଲୋକଟିକୁ ମୋଟେ ଭୟ ଲାଗୁନଥିବା ପରି ଅନ୍ଧାରକୁ ମଧ୍ୟ ଭୟ ଲାଗେନାହିଁ । ମୋଟେ କାହାରିକୁ ବି ଛାଡ଼ି ପଳାଇବାକୁ ମନ ହୁଏ ନାହିଁ । ଅନ୍ଧାର ଯେ ଆଲୋକରୂପେ ଅର୍ଥାତ୍ ଆଲୋକର ଅଭୀସ୍ତା ରଖିଥିବା ଏକ ପଥରୂପେ ଉନ୍ମୋଚିତ ହୋଇଯାଇ ପାରିବ, ତାହାହିଁ ଆପଣାର ସମକ୍ଷରେ ଉଦ୍‌ଘାଟିତ ହୋଇଯିବାକୁ ଆରମ୍ଭ କରେ ।

 

୧୮ । ୫ । ୭୯

 

ଯେତେବେଳେ ସିଏ ମୋ’ ଭିତରେ ଥାଇ ମୋତେ ବାଟ ଚଳାଇ ନିଅନ୍ତି ସେତେବେଳେ ସମ୍ମୁଖକୁ ଯିବା କହିଲେ ଉର୍ଦ୍ଧ୍ଵକୁ ଯିବା ହିଁ ବୁଝାଇଥାଏ । ସେତେବେଳେ ପଛକୁ ଅନାଇବାକୁ ବି ମୋଟେ ଇଚ୍ଛା ହୁଏ, ନାହିଁ, ମୋଟେ ମନେ ପଡ଼େନାହିଁ ।

 

ଗୋଟିଏ ବାଟ ତାଙ୍କ ଆଡ଼କୁ ପଡ଼ିଛି, ଅର୍ଥାତ୍ ଏହି ସଂସାର ଭିତରକୁ ପଡ଼ିଛି, ତାଙ୍କର ବୃହତ୍ତରତା ମଧ୍ୟକୁ ପଡ଼ିଛି । ମୋ’ର ଗଭୀରତର ପରିଚୟଟି ମଧ୍ୟକୁ ପଡ଼ିଛି । ଆଉଗୋଟିଏ ବାଟ କୁଆଡ଼କୁ ପଡ଼ିଛି ମୁଁ ଜାଣେନାହିଁ, କିନ୍ତୁ ସେହି ବାଟରେ ଯେତିକି ଯେତିକି ଯିବାକୁ ମନହୁଏ, ସେଥିରେ ଯେ ସେତିକି ସେତିକି ଛନ୍ଦିହୋଇ ଯାଉଥିବା ପରି ମନେ ହେଉଥାଏ, ମନ ଅର୍ଥାତ୍ ଚତୁର ମନର ପାଚେରୀଗୁଡ଼ାକ ସେତିକି ସେତିକି ଚାରିପାଖରୁ ଘେରି ପକାଉଥିବା ପରି ଲାଗୁଥାଏ, ସେତିକି ସେତିକି ଏକୁଟିଆ ହୋଇ ରହିବାର ପ୍ରାୟ ଏକ ଭୟପ୍ରପୀଡ଼ିତ ପାଷଣ୍ଡତା ଗ୍ରାସ କରି ଆସୁଥିବା ପରି ବୋଧ ହୁଏ, ଏଥିରେ କୌଣସି ସନ୍ଦେହ ନାହିଁ ।

 

ଏହି ପଥ ଏକ ଗିରିପଥ । ଏହି ଗିରିଟିକୁ ଆପଣାର ଦୃଷ୍ଟିଦ୍ଵାରା ଲଂଘନ କରିବାକୁ ହୁଏ, ଆପଣାର ଶ୍ରଦ୍ଧାଦ୍ଵାରା ଲଂଘନ କରିବାକୁ ହୁଏ;-ଆପଣାକୁ ଏହି ଯାତ୍ରାଟି ଲାଗି ନିରନ୍ତର ପ୍ରସ୍ତୁତ କରି ରଖିବାର ଶ୍ରଦ୍ଧାରେ ହିଁ ଏହି ଗିରିପଥ ସତେଅବା ଆପଣାର ପଥ ପରି ଆକର୍ଷଣ କରେ । ତା’ପରେ ପର୍ବତକୁ ପର୍ବତ ବୋଲି ଆଉ ମୋଟେ ଭୟ ଲାଗେନାହିଁ । ଉପରକୁ ଉଠି ଯାଉଥିବା ସଙ୍ଗେ ସଙ୍ଗେ ସତେଅବା ନିଜଭିତରେ ବସି ରହିଥିବା ସଖାଟିର ଅଧିକ ନିକଟବର୍ତ୍ତୀ ହୋଇ ଆସୁଥିବା ପରି ଲାଗୁଥାଏ ।

 

୧୯ । ୫ । ୭୯

 

ସକଳ ପରିସ୍ଥିତିରେ ସର୍ବୋତ୍ତମ ହିଁ କରିବା, –ଅର୍ଥାତ୍ ଆପଣଙ୍କୁ ଯଥାଶକ୍ତି ସର୍ବୋତ୍ତମ ଭାବରେ ଦେଇପାରିବା, ସର୍ବାଧିକ ପରିମାଣରେ ଆପଣାର ଗଣ୍ଠି ଗୁଡ଼ାକୁ ଫିଟାଇଦେଇ ପାରିବା, ଆପଣାର କେନ୍ଦ୍ରଟି ଉପରେ ବହଳ ହୋଇ ମାଡ଼ି ରହିଥିବା ଅହଂଗତତାର ସମସ୍ତ ଆବରଣକୁ ଭାଙ୍ଗିଦେଇ ଆପଣାକୁ ଆତ୍ମାରୂପେ ଅନୁଭବ କରିବା ଓ ଆତ୍ମାରୂପେ ଦେବା, ଅର୍ଥାତ୍ ଆତ୍ମକ୍ଷେତ୍ରରେ ନିଜର ଯାବତୀୟ କର୍ମର ମାଧ୍ୟମରେ ସବୁଟି ସହିତ ସମ୍ମିଳିତା ଓ ଯୁକ୍ତ ହୋଇ ରହିବା, –ଇଏ କ’ଣ କମ୍ କଥା, ଏଥିପାଇଁ କ’ଣ କମ୍ ବିଶ୍ଵାସ ଲୋଡ଼ା, ଆପଣାପ୍ରତି ଏବଂ ସଂସାରପ୍ରତି କମ୍ ଶ୍ରଦ୍ଧା ଲୋଡ଼ା ?

 

ମୁଁ ଯାହା ବାସନା କରୁଥାଏ ବା ନକରୁଥାଏ, ନିଷ୍କାମ ହୋଇଥାଏ ବା ସକାମ ହୋଇଥାଏ, ଅସଲ ଫଳଗୁଡ଼ାକ ଯିଏ ଦେବାର କେବଳ ସେଇ ଦିଅନ୍ତି । ଅସଲ ନିଷ୍କତ୍ତି ଗୁଡ଼ାକ ଯିଏ କରିବାର କେବଳ ସେଇ କରନ୍ତି । ମୁଁ କାମନା ଭିତରେ ବୁଡ଼ି ରହିଥିଲେ ମଧ୍ୟ, ଅତ୍ୟନ୍ତ କୃପଣ ଭାବରେ କେବଳ ମୋ’ର ଲାଭ ହେବାଭଳି କର୍ମଗୁଡ଼ାକୁ ବାଛି ବାଛି କରୁଥିଲେ ମଧ୍ୟ, ଯାହାସବୁ ମୋତେ ପ୍ରାପ୍ତ ହୁଏ, ତାହା କେବଳ ତାଙ୍କରିଠାରୁ ପ୍ରାପ୍ତ ହୁଏ, ଯାହା ପ୍ରାପ୍ତ ହୋଇଛି, ତା’ଉପରେ ଆପଣାର ଭ୍ରମଗୁଡ଼ାକୁ ନବୋଳି ତାହାକୁ ତାଙ୍କର ହାତରୁ ଗ୍ରହଣ କରି ପାରିବ, ଏଥିପାଇଁ କ’ଣ କମ୍ ବିଶ୍ଵାସ ଲୋଡ଼ା, ଏଥିଲାଗି କ’ଣ ଆପଣା ଉପରେ ତଥା ସଂସାର ଉପରେ କମ୍ ଶ୍ରଦ୍ଧା ରହିଥିବା ଦରକାର ? ତେଣୁ, ମୋ’ର ଯାବତୀୟ କର୍ମର ସ୍ତର, ସର୍ବୋତ୍ତମତା ବିଷୟରେ ମୋ’ର ଯାବତୀୟ ଧାରଣା ଏବଂ ପ୍ରାପ୍ତ ଫଳଗୁଡ଼ାକୁ ମୁଁ ଯେପରି ଭାବରେ ଗ୍ରହଣ କରୁଛି, ତାହା ସବୁ କିଛି ମୋ’ର ବିଶ୍ଵାସ ଏବଂ ଶ୍ରଦ୍ଧାର ସ୍ତର ଉପରେ ନିର୍ଭର କରୁଛି ।

 

୨୦ । ୫ । ୭୯

 

ଜୀବନରେ ସେଇ ସର୍ବଶ୍ରେଷ୍ଠ ସାଥୀ, –ଯେତେବେଳେ ମୁଁ ତାଙ୍କୁ ମୋ’ର ନିଜ ଚେତନାରୂପେ ଅନୁଭବ କରି ପାରିବି, ସେତେବେଳେ ହିଁ ତାଙ୍କୁ ଆପଣାର ସାଥୀରୂପେ ଅନୁଭବ କରି ପାରିବି । ଯେତେବେଳେ ଏହି ସବୁକିଛି ମୁଁ ଆପଣାର ଚେତନା ମଧ୍ୟରେ ଅନୁଭବ କରିପାରିବି, ସେତେବେଳେ ଯାଇ ତାଙ୍କୁ ମୁଁ ନିଜ ଚେତନା ପରି ଅନୁଭବ କରି ପାରିବି । ସେହି ଅନୁଭବ ହିଁ ହେଉଛି ଅସଲ ଶକ୍ତି । ମୋତେ ସେହି ଅସଲ ଶକ୍ତି ପରିଚାଳିତ କରିନେବ, –ତାହାର ଅର୍ଥ ହେଉଛି ଯେ, ମୋ’ର ସମସ୍ତ ଶକ୍ତି ଭିତରେ ମୁଁ ତାହାଙ୍କୁ ହିଁ ଅନୁଭବ କରିବାକୁ ସମର୍ଥ ହେବି ।

 

ଆମେ ଅନେକ ସମୟରେ ଆପଣାର ଶକ୍ତିଗୁଡ଼ାକର ବିଜୟ କାମନା କରି ତାଙ୍କର ଅନୁଗ୍ରହ ଭିକ୍ଷା କରିବାପାଇଁ ଯାଇଥାଉ । ତାଙ୍କରି ଅନୁଗ୍ରହ ପାଇ ଆମେ ନିଜ ବଳରେ ବଳୀୟାର ହେବୁ ବୋଲି କେତେ ଦୁରାତ୍ମ ଆସକ୍ତିମୟ ସ୍ଵପ୍ନମାନ ଦେଖିବାକୁ ଆରମ୍ଭ କରି ଦେଇଥାଉ । ତାଙ୍କର କୃପା ଲାଭ କରି ନିଜର କେତେ ଗର୍ବରେ ଗର୍ବୀ ହୋଇ ରହିବାର ପରାକ୍ରମ ଭିତରେ ମଜ୍ଜି ରହିଥାଉ-। ସେଇଥିଲାଗି ଆମର ଶକ୍ତିଗୁଡ଼ାକୁ ଅନେକ ସମୟରେ ଅପଶକ୍ତି ପରି କାମ କରୁଥାଏ, ଖିଅଗୁଡ଼ାକୁ ଛିଡ଼ାଇ ହେବାରେ ହିଁ ଅଧିକତର ପରିମାଣରେ କାର୍ଯ୍ୟ କରୁଥାଏ । ତାଙ୍କର ପ୍ରସାଦ ଲାଭ କରିବା ସକାଶେ ଆମର ଯାବତୀୟ ଘଣ୍ଟାବାଡ଼ିଆ ଏଣୁ ଆମ ନିଜର ନାନା ଘଣ୍ଟାବାଡ଼ିଆରେ ପର୍ଯ୍ୟବସିତ ହୋଇ ରହିଥାଏ ।

 

୨୧ । ୫ । ୭୯

 

ଏମିତି ଏକ ସୁଖର ଅବସ୍ଥା, ଯେବେବେଳେ କି ମୋଟେ କିଛି ମନେ ପଡ଼େନାହିଁ । କିଛି ମାଗିବାଲାଗି ମନେ ପଡ଼େନାହିଁ । ବାଟ ଚାଲୁଥିଲେ ମଧ୍ୟ ତଥାପି ବାଟ ଚାଲୁଥିବା ପରି ମୋତେ ମନେ ପଡ଼େନାହିଁ । ଭିତରେ କୌଣସି କ୍ଷତ ରହିଥିବା ପରି ମୋଟେ ଲାଗେନାହିଁ । ନିଜର ଭାଗ୍ୟକୁ ଅନ୍ୟ ଆଉକାହା ଭାଗ୍ୟ ସହିତ ତୁଳନା କରି ଆପଣାକୁ ଅଧିକ ଭାଗ୍ୟହୀନ ବୋଲି ଅନୁଭବ କରିବାକୁ ମଧ୍ୟ ସେତେବେଳେ ମୋଟେ ମନେ ପଡ଼େନାହିଁ । ସେତେବେଳେ ମାର୍ଗଗୁଡ଼ାକ ମୋଟେ ମନେ ପଡ଼ନ୍ତିନାହିଁ, –ମୋ’ ମାର୍ଗଟା । ଅନ୍ୟ ଅନେକ ମାର୍ଗଠାରୁ କିପରି ଅଲଗା, ସେ କଥା ବି ମୋଟେ ମନେ ପଡ଼େନାହିଁ ।

 

ସେତେବେଳେ ଦେଉଳଗୁଡ଼ାକ ଆପେ ଆପେ ଭୁଲି ହୋଇଯାଏ । ମୋ’ ଦେହ ଉପରେ ମୁଁ କେଉଁ ଭେକ ଲଗାଇଛି, ଆଦୌ କୌଣସି ଭେକ ଲଗାଇଛି କି ନାହିଁ, ସେଗୁଡ଼ାକ ସତେଅବା ଏକାବେଳେକେ ଭୁଲି ହୋଇ ଯାଇଥାଏ । ସେତେବେଳେ ଯୋଉଠି ବସିଲେ ମଧ୍ୟ ଆପଣାର ଘର ପରି ଲାଗେ, ଯାହାକୁ ଦେଖିଲେ ମଧ୍ୟ ଆପଣାର ବନ୍ଧୁ ପରି ଲାଗେ । ସେତେବେଳେ ଏହି ପବନ ଦେହରେ ଆସି ବାଜିବା ମାତ୍ରକେ ଆପଣାର ଭୁବନ ଭାରି ରୋମାଞ୍ଚ ଜାତ ହୁଏ । ଦୁଆର ଗୁଡ଼ାକ ଏକାବେଳେକେ ଖୋଲା ହୋଇ ରହିଥାଏ । ଭିତର ଆଉ ବାହାର ମଧ୍ୟରେ କେଉଁଠି ହେଲେ କୌଣସି ପ୍ରହରୀ ଜଗି ବସି ନଥାନ୍ତି । ତାହାହିଁ ଖୁସୀ ତାହାହିଁ ସହଜତା, ତାହାହିଁ କୃତଜ୍ଞତା । ଆପେ ମୁଁ ଅନ୍ୟମାନଙ୍କ ତୁଳନାରେ ଏତେ ବେଶୀ ପାଇଛି, ତଜ୍ଜନିତ ଏକ ଅନ୍ୟ ଆକୂତିର କୃତଜ୍ଞତା ନୁହେ, ମୁଁ ଯେ ନିଜକୁ ଏତେଭଳି ଭାବରେ ଦେଇ ଦେଇ ପାରୁଛି, ତାହାରି ପାଇଁ ସ୍ୱାଭାବିକ ଭାବରେ ନିଜକୁ ବ୍ୟକ୍ତ କରି ଆସୁଥିବା କୃତଜ୍ଞତା ।

 

୨୨ । ୫ । ୭୯

 

ଏହି ପୃଥିବୀରେ ହିଁ ସବୁ ସାମ୍ଭବନାର ଖିଅ ଲାଗିଛି । ମୁଁ ଯାହାକୁ ମୋ’ ନିଜର ପୃଥିବୀ ବୋଲି କହୁଛି, ତାହା ସବୁ ପୃଥିବୀ ସହିତ ସଂଯୁକ୍ତ ହୋଇ ରହିଛି । ଯାହାକୁ ମୁଁ ନିଜର ଜୀବନ ବୋଲି କହୁଛି, ତାହା ସକଳ ଜୀବନ ସହିତ ସଂଯୁକ୍ତ ହୋଇ ରହିଛି । ଜଣେ ବ୍ୟକ୍ତିର ଜୀବନ ସବୁ ବ୍ୟକ୍ତିଙ୍କ ଜୀବନ ସହିତ ସଂଯୁକ୍ତ ହୋଇ ରହିଛି । ଯାହାକୁ ମୁଁ ଭଗବାନ ବୋଲି କହୁଛି ସିଏ ଏହି ସବୁଟି ମଧ୍ୟରେ ରହି ସବୁଟିକୁ ଏକତ୍ର ସଂଯୁକ୍ତ କରି ରଖିଛନ୍ତି । ଯାହାକୁ ମୁଁ ଦେବତା ବୋଲି ପୂଜା କରୁଛି, ସିଏ ସବୁଟିର ପ୍ରତୀକ ହୋଇ ରହିଛନ୍ତି । ଯାହାକିଛି ହେବାକୁ ଯାଉଛି ସିଏ ସେହି ସବୁକିଛି ସର୍ବୋତ୍ତମ ସମ୍ଭାବନାର ପ୍ରତୀକ ହୋଇ ରହିଛନ୍ତି ।

 

ଯିଏ ଏତିକି ଅନୁଭବ କରି ପାରିବ, ତାକୁ ଏଠି ସବୁ ଭଲ ଲାଗିବା, ସବୁ ସୁନ୍ଦର ଦିଶିବ, ଆପଣାକୁ ନିମିତ୍ତ କରି ସିଏ ସବୁଟି ଭିତରେ ଅନ୍ତଃପ୍ରେରିତ ହୋଇ ପ୍ରବେଶ କରିବାର ସାହସଟିକୁ ଲାଭ କରି ପାରିବ । ସକଳ କୁତ୍ସିତତା ମଧ୍ୟରେ ସିଏ ତଥାପି ଏକ ସୌନ୍ଦର୍ଯ୍ୟ-ସମ୍ଭାବନାର ଅନୁଭୂତି ଲାଭ କରି ପାରିବ । ସିଏ ବର୍ତ୍ତମାନ ଭିତରେ ଏକ ସମ୍ପଦମୟ ଉଜ୍ଜ୍ଵଳ ସୁନ୍ଦର ଭବିଷ୍ୟତର ପ୍ରତ୍ୟକ୍ଷ କରି ପାରିବ । ସେହି ଭବିଷ୍ୟତ ଲାଗି ସିଏ ଆପଣାକୁ ଏକ ଭୂମିରୂପେ ପ୍ରସ୍ତୁତ କରି ପାରିବ । ଆପଣାର ଭୂମିଟିକୁ ବିଶ୍ଵଭୂମିଟି ସହିତ ଯୋଡ଼ିଦେଇ ପାରିବାକୁ ହିଁ ସିଏ ଆପଣା ଜୀବନର ଧର୍ମ ବୋଲି ଗ୍ରହଣ କରି ପାରିବ । ସିଏ ତାହାରିଦ୍ଵାରା ଆଜି ମଧ୍ୟ ନିଜର ଜୀବନକୁ ଆଲୋକମୟ କରି ରଖିପାରିବ ।

 

୨୩ । ୫ । ୭୯

 

ଉନ୍ମୋଚନ କହିଲେ ସର୍ବଦା ସେହି ଗୋଟିଏ ଉନ୍ମୋଚନକୁ ହିଁ ବୁଝାଏ । ସେହି ଅସଲ ଉନ୍ମୋଚନଟି ବ୍ୟତୀତ ଆମ ଜୀବନରେ ଉନ୍ମୋଚନ ହିଁ ବୁଝାଏ । ସେହି ଅସଲ ଉନ୍ମୋଚନଟି ବ୍ୟତୀତ ଆମ ଜୀବନରେ ଉନ୍ମୋଚନକୁ ନାମରେ ଆଉ ଯେତେ ଯାହାକିଛି ଘଟିଥାଏ, ତାହା ଉନ୍ମୋଚନ ନୁହେଁ, ତାହା ଏକ ସଙ୍କୁଚନ, ତାହା ଏକ ଅପସାରଣ । ଉନ୍ମୋଚନ ନାମରେ ଆମେ ଅନେକ ସମୟରେ ଏକ ଉପାସନା ମଧ୍ୟରେ ଆସି ପଶିଯାଉ, –ତାହାକୁ ଏକ ମାର୍ଗ ବୋଲି କହିଥାଉ । ସେହି ମାର୍ଗ ଆମକୁ ଆଦୌ କୁଆଡ଼କୁ ନେଇଯାଇ ପାରେନାହିଁ । ତାହା ଆମର ଚାରିପାଖରେ କେତେଟା ପାଚେରୀ ତିଆରି କରିଦିଏ, ଆମର ଅହଙ୍କାରକୁ ଗୋଟାଏ ସୁନ୍ଦର ନାଆଁ ଦେଇ ଗେହ୍ଲା କରି ରଖିଥାଏ । ସଂସାରରେ ଏପରି ଅନେକ ତଥାକଥିତ ମାର୍ଗ ଆମର ଯଥାର୍ଥ ଉନ୍ମୋଚନକୁ ବାରିତ କରି ରଖିଛି, ଆମର ଦୁଆରଗୁଡ଼ାକୁ ଅତ୍ୟନ୍ତ ବିଚକ୍ଷଣ ଭାବରେ ବନ୍ଦ କରି ରଖିଛି ।

 

ଏହି ଉନ୍ମୋଚନ ଅଧିକରୁ ଅଧିକ ହୋଇ ପାରୁଥିବା ଉଚିତ । ମୁଁ ଯେପରି କାହାର ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସୁଛି, ସତତ ଅତ୍ୟନ୍ତ ସ୍ଵାଭାବିକ ଭାବରେ ମୋ’ର ସେହିପରି ଏକ ଅନୁଭୂତି ହୋଇ ପାରୁଥିବା ଉଚିତ । ସେହି ଅନୁଭୂତି ହିଁ ଅଗ୍ରଗତିର ଅନୁଭୂତି, ଅର୍ଥାତ୍ ସଂଯୁକ୍ତ ଓ ସମ୍ମିଳିତ ହୋଇ ରହିଥିବାର ଅନୁଭୂତି । ଏସବୁ ଯେ କେହି ମୋ’ଠାରୁ ଭିନ୍ନ ନୁହନ୍ତି, କେହି ମୋ’ର ପର ନୁହନ୍ତି, ଏହି ସକାଳ, ଏହି ପବନ ଓ ଏହି ଯାବତୀୟ ସମ୍ପର୍କ ମଧ୍ୟରେ ମୁଁ ମଧ୍ୟ ଯେ ଖିଏ ଖିଏ ପ୍ରସାରିତ ହୋଇ ରହିଛି, ସେହିପରି ଏକ ଅନୁଭୂତି । ଉନ୍ମୋଚନ ମଧ୍ୟ ଜୀବନର ଏକ ସତତ ଏବଂ ସମଗ୍ର ଦୃଷ୍ଟିରେ ପରିଣତ ହୋଇପାରିବ, ନିଜର ଜୀବନରେ ସେହି ସମ୍ଭାବନାଟିକୁ ଅନୁଭବ କରିସାରିବା ପରେ ଆଉ କୌଣସି ପ୍ରାଚୀରକୁ ମନ୍ଦିର ବୋଲି ଗ୍ରହଣ କରିବାର ଆଦୌ କୌଣସି ପ୍ରମାଦ ରହେନାହିଁ ।

 

୨୪ । ୫ । ୭୯

 

ଯେଉଁ ଅଭୀପ୍‌ସା ସତତ ନୁହେଁ, ତାହାକୁ ସମ୍ଭବତଃ ଏକ ବାସନା ବୋଲି କୁହାଯାଇ ପାରିବ । ବାସନା ଆମର ପ୍ରାଚୀର ଏବଂ ଆମର ମୋହଗୁଡ଼ାକୁ ଆହୁରି ଅଧିକ ଜବର କରି ପ୍ରତିଷ୍ଠିତ କରି ରଖିବାର ସାହାଯ୍ୟ କରିଥାଏ । ଆମ ଆଖିଆଗରେ ତାହା ଏକ ଭ୍ରମଜାଲ ସୃଷ୍ଟି କରି ରହିଥାଏ । ଏପରିକି, ଆପଣାକୁ ସତେଅବା ଅଭୀପ୍‌ସାରୂପେ ପରିଚିତ କରି ରଖିବାଲାଗି ବାସନା ଆଦୌ କୌଣସି କୁଣ୍ଠା ପ୍ରକାଶ କରେନାହିଁ । ବାସନା ଆମକୁ ବିଚ୍ଛିନ୍ନ କରି ରଖେ, ତେଣୁ ଭାରି ଅନ୍ଧ କରି ରଖିଥାଏ । ବାସନାଦ୍ଵାରା ପରିଚାଳିତ ହେଉଥିବା ସମୟରେ ଆମେ ସତେଅବା ଆପଣା ବ୍ୟତୀତ ଆଉ କିଛିହେଲେ ଦେଖି ପାରୁନାହିଁ । ଅଭୀପ୍‌ସାର କ୍ଷେତ୍ରରେ ଠିକ୍ ଓଲଟା କଥାଟି ଘଟିଥାଏ । ଅଭୀପ୍‌ସା ଆମର ସବୁ କାର୍ପଣ୍ୟକୁ ଦୂରକରେ, ଆମକୁ କ୍ରମଶଃ ପ୍ରସ୍ତୁତ କରିଆଣେ, ଆମକୁ ସବୁଟି ସହିତ ଯୁକ୍ତ ହୋଇ ରହିବାଲାଗି ପ୍ରସ୍ତୁତ କରେ । ତେଣୁ ଅଭୀପ୍‌ସା ଦ୍ଵାରା ଭୟ ଭଙ୍ଗେ । ଯାତ୍ରୀର ବ୍ରତ ଗ୍ରହଣ କରି ସାରିଲେ ଭୟ ଲାଗି ଆଉ କୌଣସି ସ୍ଥାନ ରହେନାହିଁ ।

 

ତେଣୁ, ଅଭୀପ୍‌ସା ଦ୍ଵାରା ମଳିନତା ଯାଏ, କ୍ଷୁଦ୍ରତା ଦୂର ହୁଏ । ଆପଣାକୁ ଲୁଚାଇ ରଖିବାର ସକଳ ଧନ୍ଦା ଯେ କେବଳ ଏକ ନିରର୍ଥକ ଧନ୍ଦା, ଏହି ଦୃଢ଼ ବିଶ୍ଵାସଟି ଆଡ଼କୁ ବାଟ ପରିଷ୍କାର ହୋଇଯାଏ । ମୋ’ର ଅଭୀପ୍‌ସା ମୋ’ର ବାସନାଗୁଡ଼ିକୁ ମଧ୍ୟ କ୍ରମେ ଆପଣା କରିନେଉ-! ବାସନା ଏବଂ ଅଭୀପ୍‌ସା ମଧ୍ୟରେ ରହିଥିବା ଯାବତୀୟ ଦ୍ଵନ୍ଦ୍ଵର ଅବସାନ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ନିଜକୁ ଅଧିକରୁ ଅଧିକ ଅଲଗା କୌଣସି ଜିନିଷ ରହେନାହିଁ ।

 

୨୫ । ୫ । ୭୯

 

ସ୍ଵାର୍ଥତ୍ୟାଗ କରିପାରିଲେ ଆମେ ପରମସତ୍ୟର ଯଥାର୍ଥ ସେବା କରି ପାରିବା ଅଥବା ପରମସତ୍ୟର ଯଥାର୍ଥ ସେବା କରି ପାରିଲେ ଆମେ ସକଳ ସ୍ଵାର୍ଥରୁ ମୁକ୍ତ ହୋଇ ବାହାରିଆସି ପାରିବା, ଏହି ବିଷୟରେ ସଂସାରରେ କେତେ କେତେ ତର୍କ କରାଯାଇଛି । କେଉଁଟା ଆଗ ଓ କେଉଁଟା ପଛ, ସେହି ବିଷୟଟିକୁ ନେଇ ମଣିଷମାନେ କେତେ କ’ଣ ବଚସା ନ କରିଛନ୍ତି ! ଅମୁକ ନହେଲେ ଭଗବାନଙ୍କର ସେବା କରାଯାଇ ପାରିବ, ଏପରି ଗୋଟାଏ ସର୍ତ୍ତ ମତେ ପ୍ରାୟ କେବେହେଲେ ଭଲ ଲାଗିନାହିଁ । ସେହି କଥାଟା ସତେଅବା କେବେହେଲେ ବି ମୋ’ ସ୍ଵଭାବର ଅନୁକୂଳ ବୋଲି ମନେ ହୋଇନାହିଁ । ସେହି ପରମସତ୍ୟଙ୍କୁ ମୁଁ ଏହି ଆପଣା ଭିତରେ ବି ବହନ କରୁଛି ବୋଲି ଅନୁବଭ କରିବା ମାତ୍ରକେ ମୋ’ର ଯାବତୀୟ ସ୍ଵାର୍ଥାଭାନା କୁଆଡ଼େ ପଛରେ ଯାଇ ପଡ଼ିରହିଛି । ମୋ’ର ଭାବନାକୁ ସେତେବେଳେ ସ୍ଵାର୍ଥାଗୁଡ଼ାକୁ ଭିତରୁ ସଚେତନ ଭାବରେ ଆଦୌ ମୁକ୍ତ କରି ଆଣିବାକୁ ପଡ଼ିନାହିଁ । ସତେଅବା ଆଦୌ କୌଣସି ଅନ୍ତର ରହିନାହିଁ । ସେତେବେଳେ କେବଳ ଏକ ଗୁହାମୁକ୍ତିର ହିଁ ଅନୁଭବ ହୋଇଛି । ଜୀବନଟା ଉପରେ ଆକାଶ ଓ ଆଖି ଆଗରେ ଧରଣୀରୂପେ ବିସ୍ତୃତ ହୋଇ ରହିଛି ଓ ସବୁକିଛି ସତେଅବା ମୋତେ ସ୍ପର୍ଶ କରି ରହିଥିବା ପରି ମନେହୋଇଛି । ଅନୁଭବର ସେହି ଅଭିଧାନଟି ମଧ୍ୟରେ ସେତେବେଳେ ସ୍ଵାର୍ଥ ଓ ସ୍ଵାର୍ଥମୁକ୍ତତା ପ୍ରଭୃତି ଶବ୍ଦଲାଗି ଆଉ କୌଣସି ସ୍ଥାନ ରହି ପାରିନାହିଁ । ସେତେବେଳ ପ୍ରତ୍ୟେକ କର୍ମ ଭଗବାନଙ୍କର ସେବାରେ ହିଁ ପରିଣତ ହୋଇ ଯାଇଛି ।

 

୨୬ । ୫ । ୭୯

 

ତାଙ୍କୁ ଅନୁଭବ କରିବା ବ୍ୟତୀତ ଆଉ ଦ୍ଵିତୀୟ ଆନନ୍ଦ ନାହିଁ । ସିଏ ଏଠାରେ ସବୁରି ଭିତରେ ପୂର୍ଣ୍ଣ ହୋଇ ରହିଛନ୍ତି, ତେଣୁ ସବୁରି ଭିତରେ ତାଙ୍କୁ ଅନୁଭବ କରିବା ଅର୍ଥାତ୍ ସବୁଟି ସହିତ ଖିଅ ଲଗାଇ ପାରିବା ବ୍ୟତୀତ ଆଉ ଦ୍ଵିତୀୟ ଆନନ୍ଦ ନାହିଁ । ସିଏ ମୋ’ରି ଭିତରେ ମଧ୍ୟ ରହିଛନ୍ତି ମୋ’ର ଆଖି ହୋଇ ରହିଛନ୍ତି, ମୋ’ର ହୃଦୟ ହୋଇ ରହିଛନ୍ତି, –ଏହି କଥାଟିକୁ ପ୍ରତ୍ୟେକ ମୁହୂର୍ତ୍ତରେ ଅନୁଭବ କରିବା ଅର୍ଥାତ୍ ଆପଣା ସହିତ ଖିଅ ଲଗାଇ ଜୀବନ ବଞ୍ଚିବା ବ୍ୟତୀତ କୌଣସି ଆନନ୍ଦ ନାହିଁ । ଯଥାର୍ଥ ଆନନ୍ଦ ବୋଲି ଯେଉଁଠି ଯାହାକିଛି ରହିଥାଉ ନା କାହିଁକି, ସେହିସବୁ ଆନନ୍ଦର ମୂଳରେ ଏହି ଆନନ୍ଦଟି ହିଁ ଉତ୍ସ ପରି ହୋଇ ରହିଛି ।

 

ଏବଂ ଏହା, ଅନୁଭବଟି ସହିତ ମୁଁ ଯାହାକିଛି କରିବି, ମୋ’ ଜୀବନରେ ତାହାହିଁ ଯଥାର୍ଥ ସେବା ହୋଇ ରହିବ । ମୋ’ର ଯାବତୀୟ କାର୍ଯ୍ୟ ତାଙ୍କ କାର୍ଯ୍ୟ ହୋଇ ରହିବ । ସେତେବେଳେ ତାଙ୍କର କାର୍ଯ୍ୟ କରିବାକୁ ଆଉ କୌଣସି ବିଶେଷ ସ୍ଥାନକୁ ଯିବାକୁ ପଡ଼ିବନାହିଁ ବା କୌଣସି ବିଶେଷ ମୁହୂର୍ତ୍ତ ବି ବାଛିବାକୁ ପଡ଼ିବନାହିଁ । ତାଙ୍କର ଗୁଣ ଗାଇବାଲାଗି କୌଣସି ବିଶେଷ ଭଜନ ଗାଇବାକୁ ପଡ଼ିବନାହିଁ କିମ୍ବା କୌଣସି ବିଶେଷ ଘଣ୍ଟ ବଜାଇବାକୁ ପଡ଼ିବନାହିଁ । ସେତେବେଳେ ସବୁଯାକ ପାଚେରୀ ଭାଙ୍ଗି ଯାଇ ଆକାଶକୁ ରାଜ୍ୟ ଛାଡ଼ିଦେବ ଏବଂ କରୁଣାକୁ ରାଜ୍ୟ ଛାଡ଼ିଦେବ । ସମଗ୍ର ବଞ୍ଚିବାଟା ହିଁ ତାଙ୍କର ଲାଗି ବଞ୍ଚିବାର ଏକ ଅନ୍ୟ ନାମ ହୋଇ ରହିବ । ଏବଂ ସେହି ବଞ୍ଚିବା ଭିତରୁ ଆନନ୍ଦକୁ ମଧ୍ୟ ଆଉ ଅଲଗା କରି ବାରି ହେବନାହିଁ ।

 

୨୭ । ୫ । ୭୯

 

ମନସ୍ଥିର ରହିବା, ତେବେ, ମନ ଯଥାର୍ଥ ଭାବରେ ଗତିଶୀଳ ହୋଇ ରହିବା । ଅର୍ଥାତ୍, ମନ ଏପରି ଭାବରେ ଗତିଶୀଳ ହୋଇ ପଡ଼ିବନାହିଁ, ଯେପରି ତାହା ଆପଣାର ସ୍ଵାଭାବିକ ସ୍ଥିରତାକୁ ହରାଇ ବସିବା, ଆପଣାର ଗଭୀର ମୂଳଟି ସହିତ ଆପଣାର ଖିଅଟିକୁ ଛିଣ୍ଡାଇ ବସିବ । ଏବଂ, ଅନ୍ୟପକ୍ଷରେ ସେହି ମନ ଏପରି ସ୍ଥିର ହୋଇ ପଡ଼ିବନାହିଁ, ଯାହାଦ୍ୱାରା କି ତା’ ସମସ୍ତ ଗତିଶୀଳତା ଅପହୃତ ହୋଇ ରହିବ, ଅର୍ଥାତ୍ ଆପଣା ମଧ୍ୟରେ ସିଏ କେବଳ ଜଡ଼ ହୋଇ ପଡ଼ି ରହିଥିବ ।

 

ହୃଦୟରେ ବି ଶାନ୍ତି ରହିଥିବ । ଅର୍ଥାତ୍, ସମଗ୍ରଟି ସହିତ ଯଥାର୍ଥ ସମଞ୍ଜସତା ଅର୍ଜନ କଲେ ଯେଉଁ ଶାନ୍ତି ସମ୍ଭବହୁଏ, ହୃଦୟ ଭିତରେ ସେହି ଶାନ୍ତି ସମ୍ଭବ ହେବ । ଏହି ସବୁଟି ସହିତ ଖିଅ ଲାଗିଥିବା, ସବୁରି ସହିତ ଖିଅଲାଗିଥିବ,-ସମସ୍ତେ ଅତ୍ୟନ୍ତ ସାବଲୀଳ ଭାବରେ ଏହି ଘରଟି ଭିତରକୁ ଯା’ଆସ କରି ପାରୁଥିବେ, ମଳିନତା ଅଥବା ଦରିଦ୍ରତାବୋଧ ନଥିବ । ତେବେଯାଇ, ଆମେ ଯାହାକିଛି କରିବା, ତାହା ଆମକୁ କେବଳ ସୁଖକର ହିଁ ବୋଧ । ହେଉଥିବ, ଅର୍ଥାତ୍ ଅସଲ ଦିଗରେ ତାହା ଆମକୁ ସତେ ଅଗ୍ରସର କରାଇନେଇ ଯାଉଥିବ । ହୃଦୟକୁ ସ୍ଥିର ଓ ଶାନ୍ତିକରି ରଖିବେ ବୋଲି ଯେଉଁମାନେ ହୃଦୟର ଚାରିପାଖରେ ବାଡ଼ ଦେଇ ରଖନ୍ତି, ସେମାନେ ଅତ୍ୟନ୍ତ ଦୟନୀୟ ଭାବରେ ଅଲଗା ହୋଇ ରହନ୍ତି, ଖିଅଛିଣ୍ଡା ହୋଇ ରହନ୍ତି, ମୂଳତଃ ଏକ ଅଭାବକୁ ହିଁ ସତେଅବା ଏକ ଭୂଷଣ ପରି କରି ରଖିଥାନ୍ତି । ସେମାନେ ଯାହାକିଛି କରନ୍ତି ସେଥିରୁ ଏକପ୍ରକାର ଆତ୍ମଶାନ୍ତି ମିଳେ ସତ, ମାତ୍ର ଯଥାର୍ଥ ଶାନ୍ତି ଓ ପୂର୍ଣ୍ଣତାବୋଧ ଆଦୌ ମିଳେନାହିଁ ।

 

୨୮ । ୫ । ୭୯

 

କିଛି ଚିନ୍ତା ନାହିଁ । ଏ ସକାଳ ପୁଣି ଆସିବ, ଏହି ସକାଳ ବାରବାର ଆସିବ, ଏହି ଆକାଶକୁ ଧନ୍ୟ କରି, ଏହି ବାଟ ଚାଲିବାକୁ ଧନ୍ୟ କରି ଏହି ଅପେକ୍ଷା କରିବାକୁ ଧନ୍ୟ କରି ପୁନର୍ବାର ସୂର୍ଯ୍ୟୋଦୟ ହେବ ।

 

କେହି କୁଆଡ଼େ ଚାଲି ଯିବେନାହିଁ । ଯୋଉମାନଙ୍କୁ ଆପଣାର କଲି, ସେମାନେ ଆପଣାର ହୋଇ ରହିବେ । ସେମାନଙ୍କ ସହିତ ବାରବାର ପୁଣି ଭେଟ ହେବ । ଯେଉଁ ମାଟିଗୁଡ଼ାକୁ ଗୋଡ଼ତଳୁ ଖସି ଗଲାବୋଲି ଲାଗିଲା, ତାହା ସତେଅବା ଆଗରେ ଆଉ କେଉଁ ସେପାନ ଲାଗି ମୂଳଦୂଆ ପକାଇବାକୁ ବ୍ୟବହୃତ ହେବାରେ ଲାଗିଲାଣି । ତେଣୁ, ମୁଁ ଆଉ ଚତୁର ହେବିନାହିଁ । ଯେଉଁମାନେ କ୍ଷତିଗୁଡ଼ାକୁ ଗଣୁଥାନ୍ତି, ସେମାନଙ୍କ ପରି ମୁଁ ଦିନେହେଲେ ଚତୁର ହେବାକୁ ମନ କରିବିନାହିଁ । ଚତୁରମାନେ ଯେଉଁଠି ଜିତିଜିତି ଯାଆନ୍ତି, ମୁଁ ସେଠାରେ ହାରି ହାରି ଯାଉଥିବା ତେବେଯାଇ ନିଜର ଏହି ମାର୍ଗରେ ଆଗକୁ ଯାଇ ପାରୁଥିବି ।

 

ତେଣୁ କିଛି ବ୍ୟର୍ଥ ନୁହେଁ ଏହି ଭଲ ପାଇବା ବ୍ୟର୍ଥ ନୁହେଁ । ଏହି ଶ୍ରଦ୍ଧା ବ୍ୟର୍ଥ ନୁହେଁ । କାହାର ଆପଣାର ହୋଇଯିବା ମଧ୍ୟ କଦାପି ବ୍ୟର୍ଥ ନୁହେଁ । ଆତ୍ମନିବେଦନ ବ୍ୟର୍ଥ ନୁହେଁ । କାହାରିଲାଗି ଆପଣାର ବାଡ଼ଗୁଡ଼ାକୁ ଆରପଟ ଆପଣାର ଲାଜଗୁଡ଼ାକୁ ଭଲିଯିବା ଆଦୌ ବ୍ୟର୍ଥ ନୁହେଁ । ଯେଉଁ ଆଜି କାଲିକୁ ଜନ୍ମ ଦେବାରେ ଲାଗିଛି, ତାହାରି ଭିତରେ ହିଁ କାଲି ପୁଣି ଜନ୍ମଲାଭ କରିବ । ଯେଉଁ ଅତୀତ ଭବିଷ୍ୟତକୁ ଜନ୍ମ ଦେବାକୁ ସଜ ହେଉଛି, ତାହାରି ଭିତରେ ହିଁ ଅତୀତ ପୁନର୍ବାର ଜନ୍ମଲାଭ କରିବି । ତେଣୁ, ଭବିଷ୍ୟତକୁ ସ୍ମରଣ କରି ମୁଁ, ମୋ’ର ଅତୀତକୁ ମଧ୍ୟ ଆତ୍ମୀୟରୂପେ ସ୍ମରଣ କରି ପାରିବି । ତାହାହିଁ ଧର୍ମ, ତାହାହିଁ ପନ୍ଥା, ତାହାହିଁ ଅଭୟ ।

 

୨୯ । ୫ । ୭୯

ଏହି ସବୁଯାକ ସେହି ଗୋଟିଏ ଶିଖା, –କେବଳ ଗୋଟିଏ ଶିଖା ପରି ଦୃଶ୍ୟମାନ ହୁଅନ୍ତି-। ଜୀବନ ଯେତେବେଳେ ଶିଖାଟିଏ ହୋଇ ଜଳିବାକୁ ସମର୍ଥ ହୁଏ, ସେତେବେଳେ ଅନ୍ତରସ୍ଥ ଭଗବାନ ଶିଖାରୂପେ ହିଁ ମୂର୍ତ୍ତିମନ୍ତ ଓ ଦୃଶ୍ୟମାନ ହୋଇ ଉଠନ୍ତି । ସବୁ ଅନ୍ୟ ପ୍ରତିମା କୁଆଡ଼େ ଅନ୍ତର୍ହିତ ହୋଇଯାଆନ୍ତି, କୁଆଡ଼େ ପୋଡ଼ି ଜଳି ଯାଆନ୍ତି । କେବଳ ଶିଖା ହିଁ ଦୃଶ୍ୟମାନ ହୁଏ-

 

ବାହାରେ ଯେତେବେଳେ ମୁଁ ତାଙ୍କୁ ପ୍ରକୃତରେ ଅନାଇବାକୁ ପ୍ରସ୍ତୁତ ହୋଇଯାଏ, ସେତେବେଳେ ଅନାଇଦେବା ମାତ୍ରକେ ସତେଅବା ଆଉ କିଛିହେଲେ ଦୃଷ୍ଟିଗୋଚର ହୁଏନାହିଁ, କେବଳ ଶିଖାମୟ ଦେଖାଯାଏ । ଏହି ଶିଖା ଭିତରୁ ବାହାରକୁ ଓ ବାହାରୁ ଭିତରକୁ ବ୍ୟାପ୍ତ ହୋଇ ରହିଥିବା ପରି ଅନୁଭୂତି ହୁଏ । ସେହି ଶିଖା ହିଁ ସତେଅବା ଏକମାତ୍ର ସେତୁରୂପେ ଅନୁଭୂତ ହୁଏ ।

 

ଜୀବନରେ ଆଉ ହୁଏତ କିଛି ହିଁ ସାଧ୍ୟ କରି ପାରିଲିନାହିଁ । ଆପଣାକୁ ଗୋଟିଏ ଶିଖାପରି ଜାଳିଦେଇ ପାରିଲି, ଶିଖାଟିଏ ପରି ଅନୁଭବ କରି ପାରିଲି ଆପଣାର କର୍ମ, ଜ୍ଞାନ ଓ ଭକ୍ତିକୁ ସତେଅବା କେବଳ ଗୋଟିଏ ଶିଖା ପରି ଜାଳିଦେଇ ପାରିଲି । ତେଣୁ, କୋଉଠି କିଛି ମାଗି ପାରିଲିନାହିଁ । କୋଉଠି କୋଉ ଆସନରେ ଯାଇ ବସି ପାରିଲିନାହିଁ ଅଥବା କୌଣସି ମନ୍ତ୍ରକୁ ମଧ୍ୟ ସାଧ୍ୟ କରି ପାରିଲି ନାହିଁ । ମଣିଷର ଆଖିକୁ ଅନାଇଦେବା ମାତ୍ରକେ ଯେଉଁଦିନ ମୁଁ ଶିଖାଟିଏ ବ୍ୟତୀତ ଆଉ କିଛିହେଲେ ଦେଖି ପାରିଲିନାହିଁ, ସେହି ଦିନଠାରୁ ଏଠି ଏହି ସଂସାରରେ ମୁଁ ସବୁଯାକ ନ ବାଟ ଭୁଲିଗଲି । ସବୁଯାକ ହିସାବ ଭୁଲିଗଲି । ତଥାପି ବାଟ ଦିଶିଲା; ଭିତରେ ଦିଶିଲା, ବାହାରକୁ ଦିଶିଲା । ଆପଣାର ହୃଦୟ ମଧ୍ୟକୁ ସେଠାରେ ଅପେକ୍ଷା କରି ରହିଥିବା କିଏ ଯେପରି ଆମନ୍ତ୍ରଣ କରି ମୋତେ ନେଇଗଲା, ସେଇଠି ଏହି ଅଖିଳ ବିଶ୍ଵର ସାକ୍ଷାତ କରାଇଦେଲା-

 

୩୦ । ୫ । ୭୯

 

ସମତା, ସମଞ୍ଜସତା, –ଏସବୁ କେବଳ ମୋ’ରି ଜୀବନରେ ଉପାର୍ଜିତ ହୋଇ ରହିବାକୁ ଯାଉଥିବା ଗୋଟିଏ ଗୋଟିଏ ତଥାକଥିତ ସମ୍ପଦ ନୁହେଁ, ଆଗରୁ ଏପରି ସମ୍ପଦବାନ୍ ବ୍ୟକ୍ତି ସଂସାରକୁ କେତେ ଆସିଛନ୍ତି, ସଂସାରକୁ ଚମତ୍କୃତ କରି ଦେଇଛନ୍ତି ଓ ସଂସାରରୁ ବିଦାୟ ନେଇ ଯାଇଛନ୍ତି । ସେମାନଙ୍କୁ ବି ଗୋଟାଏ ଦୃଷ୍ଟିରୁ Maximum ବା extreme ବୋଲି କୁହାଯାଇ ପାରିବ । ସେମାନେ ଏଠାରେ ଏକ ସମଗ୍ର equilibrium ବା barmony ସମ୍ଭବ କରିବାରେ ପ୍ରାୟ ଏକ ଅନ୍ତରାୟ ହୋଇରହିଛନ୍ତି, –ଆପଣା ପ୍ରାପ୍ତିର ଉଲ୍ଲାସରେ ସେମାନେ ଏଠି ହୁଏତ ଅନେକ ଅସମଞ୍ଜସତାର କାରଣ ହୋଇ ରହିଛନ୍ତି ।

 

ତେଣୁ ମୋର perfection କେବଳ ମୋ’ରି perfection ନୁହେଁ,- ମୋ’ରି ଜୀବନର ଧାରଣାର ଅଥବା ଅଭୀପ୍‌ସା ଏହି ଅତିକ୍ଷୁଦ୍ର ବୃତ୍ତଟି ମଧ୍ୟରେ ମୁଁ ଅର୍ଜନ କରୁଥିବା equilibrium ଏବଂ harmony ଆଦୌ କୌଣସି equilibrium ବା harmony ନୁହେଁ । ମୋ’ର ଅଭୀପ୍‌ସା ଯେତେବେଳେ ସମଗ୍ର ବିଶ୍ଵର, ସଂପୂର୍ଣ୍ଣ ସଂସାରର ଅଭୀପ୍‌ସା ସହିତ ସମଞ୍ଜସତା ଅର୍ଜନ କରି ପାରିବ, ସେତେବେଳେ ଯାଇ ମୋ’ perfectionକୁ ଏକ ସୁସ୍ଥ perfection ଓ ତେଣୁ ଏକ ଅସୁସ୍ଥ ଆଦର୍ଶ ବୋଲି କୁହାଯାଇ ପାରିବ । ନହେଲେ, ମୋ’ର ସକଳ ବ୍ୟକ୍ତିଗତ achievement ଗୋଟାଏ ଗାତର ଦାଢ଼ରେ ହୁଏତ ଗୋଟାଏ ଗୋଟାଏ ଶୃଙ୍ଗ ହୋଇ ରହିଥିବ । ତେଣୁ, ସମତା ହେଉଛି ସମଗ୍ରଟି ମଧ୍ୟରେ ସମତା ଓ ସମଞ୍ଜସତା; ଏବଂ, ମୋ’ର ବ୍ୟକ୍ତିଗତ ସମତା, ସମଞ୍ଜସତା ଓ ଉପଲବ୍‌ଧି ସେଥିରେ କେବଳ ଏକ ନିମିତ୍ତ ମାତ୍ର ।

 

୩୧ । ୫ । ୭୯

 

ପ୍ରତ୍ୟେକ ମୁହୂର୍ତ୍ତରେ ସମର୍ପଣ ରହିଥିଲେ ପ୍ରତ୍ୟେକ ମୁହୂର୍ତ୍ତରେ ଜାଗରଣ ମଧ୍ୟ ରହିଥାଏ । ଏହି ଜୀବନ ଯେତେବେଳେ ଯାଏ ତାଙ୍କରି ହୋଇ ରହିଥାଏ, ଅର୍ଥାତ୍ ତାଙ୍କରି ଲାଗି ସମର୍ପିତ ହୋଇ ରହିଥାଏ, ସେତେବେଳ ଯାଏ ଆଉ ଶୋଇ ରହିବାର କିମ୍ବା ବାଉଳା ହୋଇଯିବାକୁ ଆଦୌ କୌଣସି ଭୟ ନଥାଏ । ଏହି ସଂସାର ମଧ୍ୟରେ ମୋ’ର ଯାବତୀୟ କାର୍ଯ୍ୟ ଯେତେବେଳ ଯାଏ ତାଙ୍କରି ଲାଗି ସମର୍ପିତ ହୋଇ ରହିଥାଏ, ଅର୍ଥାତ୍ ଏହି ସଂସାରକୁ ଯେତେବେଳ ପର୍ଯ୍ୟନ୍ତ ମୁଁ ତାଙ୍କରି ସଂସାର ବୋଲି ଗ୍ରହଣ କରିଥାଏ, ସେତେବେଳ ଯାଏ ଏହି ସଂସାର ଭିତରେ ଶୋଇ ପଡ଼ିବାର ଅଥବା ବାଟ ହୁଡ଼ିଯିବାର ମଧ୍ୟ ଆଦୌ କୌଣସି ପ୍ରଶ୍ନ ନଥାଏ ।

 

ଅର୍ଥାତ୍ ସେତେବେଳ ଯାଏ, ମୁଁ ସଂସାରକୁ ଗୋଡ଼ିମାଟି ପରି ଆଦୌ ମନେ କରୁନଥାଏ, ଏହି ସଂସାରର କୌଣସି ମଣିଷକୁ କଦାପି ଗୋଡ଼ିମାଟି ପରି ମନେ କରେନାହିଁ; ଆପଣାକୁ ମଧ୍ୟ କାଦପି ଗୋଡ଼ିମାଟି ପରି ମନେ କରେନାହିଁ । ସତେଅବା ନିଦ୍ରାମଗ୍ନ ହୋଇ କଦାପି କାହାରିକୁ ଗ୍ରାସ କରି ପକାଇବାକୁ ଯାଏନାହିଁ କିମ୍ବା କାହାରିଦ୍ଵାର ଗ୍ରସ୍ତ ହୋଇ ରହିବାକୁ ମଧ୍ୟ କଦାପି ମନ ବଳାଏନାହିଁ । ମୁଁ ବାଟ ଚାଲୁଥାଏ, ନିବେଦିତ ଭାବରେ ବାଟ ଚାଲୁଥାଏ । ଏହିପରି ବାଟ ଚାଲିବା ହେଉଛି ଜୀବନ, ଏହାହିଁ ଜାଗ୍ରତ ଜୀବନ । ଏଥିରେ ବିସ୍ମରଣର ସ୍ଥାନ ନାହିଁ; ତେଣୁ, ଅଲଗା କରି ସ୍ମରଣ କରିବାଲାଗି ମଧ୍ୟ ଆଦୌ କୌଣସି ପ୍ରୟୋଜନ ନାହିଁ ।

 

୧ । ୬ । ୭୯

 

ପ୍ରାର୍ଥନା ଉର୍ଦ୍ଦୁଭାଷାରେ ନମାଜ ବୋଲି କୁହାଯାଇଛି । ନଈର ନମାଜ ବହିଯିବାରେ । ଗଛର ନମାଜ ଫୁଲ ଫୁଟାଇବାରେ ଓ ଫଳ ଫଳାଇବାରେ । ସୂର୍ଯ୍ୟଚନ୍ଦ୍ରଙ୍କର ନମାଜ ଆଲୁଅ ଦେବାରେ । ଚଢ଼େଇର ନମାଜ ଗୀତା ଗାଇବାରେ । ସେହିପରି ମୋ’ର ନମାଜ ହେଉଛି ପରିପୂର୍ଣ୍ଣ କରି ଜୀବନ ବଞ୍ଚିବାରେ । ଯେତେବେଳେ ଆମେ କେବଳ ନିଜପାଇଁ ଜୀବନ ବଞ୍ଚୁ, ସେତେବେଳେ ଆମେ ପ୍ରକୃତରେ କେତେ ଟିକିଏ ବଞ୍ଚୁ ! ଏବଂ ଯେତେବେଳେ ଅତୀତର ବୋଝଟାକୁ ସତେଅବା ପିଠି ଉପରେ ବୋହି ସତେଅବା ବଡ଼ ମ୍ରିୟମାଣ ଓ ବିପର୍ଯ୍ୟସ୍ତ ହୋଇ ରହିଥିବା ପରି ଆମେ କେବଳ ବର୍ତ୍ତମାନଟାକୁ ବଞ୍ଚୁ, ଅର୍ଥାତ୍ ଖାଲି ଏହି ବର୍ତ୍ତମାନ ସହିତ ଯେକୌଣସି ପ୍ରକାରେ ଆପଣାକୁ ଖାପ ଖୁଆଇ ନେବାରେ ଲାଗିଥାଉ, ସେତେବେଳେ ମଧ୍ୟ ଆପଣାର ଜୀବନଟିକୁ ଆମେ କେତେ ଅଳପ କରି ବଞ୍ଚୁ !

 

ପରିପୂର୍ଣ୍ଣ ଭାବରେ ଜୀବନ ବଞ୍ଚିବାର ଅର୍ଥ ହେଉଛି ତାଙ୍କର ସକାଶେ ଜୀବନ ବଞ୍ଚିବା, ତାଙ୍କରି ଭିତରେ ଅବସ୍ଥିତ ରହି ଜୀବନ ବଞ୍ଚିବା, ସମର୍ପିତ ହୋଇ ସବୁରିଲାଗି ଜୀବନ ବଞ୍ଚିବା ଏବଂ ଭବିଷ୍ୟତ ଲାଗି ମଧ୍ୟ ଜୀବନ ବଞ୍ଚିବା । ତାହାହିଁ ପ୍ରାର୍ଥନା,-ଅତ୍ୟନ୍ତ ସ୍ଵାଭାବିକ ପ୍ରାର୍ଥନା, ତେଣୁ ସର୍ବଶ୍ରେଷ୍ଠ ପ୍ରାର୍ଥନା । ଏହି ଜୀବନଟାକୁ ହିଁ ଏହିପରି ଏକ ପ୍ରାର୍ଥନାରେ ପରିଣତ କରି ଦେବାପରେ ଆଉ ସ୍ଵତନ୍ତ୍ର ଭାବରେ ଏକ ସ୍ଵତନ୍ତ୍ର ବେଳରେ ତଥାକଥିତ ପ୍ରାର୍ଥନା କରିବାରେ ଆଉ କଦାପି କୌଣସି ପ୍ରୟୋଜନ ରହେନାହିଁ ।

 

୨ । ୬ । ୭୯

 

କରୁଣା କେବଳ ସବୁକିଛି କରେନାହିଁ । କରୁଣା ହିଁ ସବୁକିଛିରେ ରହିଥାଏ, ମୁଁ ଯାହା କରୁଛି, ତାଙ୍କରି କରୁଣାକୁ ଲାଭ କରିବାପାଇଁ ମୁଁ ତାହା କରୁଛି, ଏପରି ଭାବରେ ଭାବିବାକୁ ଅଭ୍ୟସ୍ତ ହୋଇଥିଲେ ହୁଏତ କରୁଣା ଆସି ମୋ’ର ପାଖେ ପାଖେ ରହିଥିବ, ମାତ୍ର ତଥାପି ମୁଁ ତାକୁ ଅନୁଭବ ହିଁ କରି ପାରୁନଥିବି । ମୁଁ ଯାହାକିଛି କରୁଛି, ତାହରି ସହିତ ହିଁ ମୋ’ଭିତରେ କରୁଣାଗତ ସାନ୍ମିଧ୍ୟ ଏବଂ କରୁଣାଗତ କାର୍ଯ୍ୟକାରିତାର ଏକ ଅନୁଭବ ହୋଇପାରିବା ଉଚିତ । ଏହି ଅନୁଭବ ହେଉଛି ଅସଲ ସମର୍ପଣ । ମୋ’ର ସକଳ ଇଚ୍ଛା ଯେତେବେଳେ ତାଙ୍କରି ଇଚ୍ଛାର ଏକ ନିମିତ୍ତ ହୋଇ ରହିପାରିବ, ସେତେବେଳେ ତାଙ୍କର କରୁଣା ମଧ୍ୟ ମୋ’ ସକଳ ସକ୍ରିୟତାରେ ଏକ ଜଳବାୟୁ ପରି ହୋଇ ରହିପାରିବ । କିନ୍ତୁ ବେଳେବେଳେ ସତେଅବା ଅଲଗା ହୋଇ ବାହାରେ ଆଉ କେଉଁଠି ଠିଆ ହୋଇ ଯେତେବେଳେ ଆମେ ତାଙ୍କର ଇଚ୍ଛା ଅନୁସାରେ ଆପଣାର ଇଚ୍ଛାଟିକୁ ମଣ କରି ରଖିବାକୁ ଇଚ୍ଛା କରୁ ଏବଂ ତାହାରିଦ୍ଵାରା ଆମକୁ ତାଙ୍କ କରୁଣାର ଲାଭଟି ମଧ୍ୟ ମିଳିପାରିବ ବୋଲି ବାଞ୍ଛା କରି ବସିଥାଉ, ସେତେବେଳେ ଆମକୁ ହିଁ ଅନେକ ପ୍ରକାରେ ବଞ୍ଚିତ ହୋଇ ରହିବାର ଦୁର୍ଯ୍ୟୋଗ ଭୋଗିବାକୁ ହୋଇଥାଏ, ଆମର ନିବେଦନଗୁଡ଼ାକୁ ସେତେବେଳେ ସତେଅବା ଏକ କୃତ୍ରିମ ଅଭିନୟରେ ପରିଣତ ହୋଇଯାଏ । ଦୁଆରବନ୍ଧଟାକୁ ଡେଇଁବାକୁ ସେତେବେଳେ ପ୍ରକୃତରେ ଭାରି ଡର ମାଡ଼ୁଥାଏ । କିନ୍ତୁ ଦୁଆରବନ୍ଧଟାକୁ ନଡେଇଁ ପାରିବା ପର୍ଯ୍ୟନ୍ତ ଆଉ କିଛି ବି ସାଧ୍ୟ ହୋଇ ପାରେନାହିଁ । ଆମେ ବାହାରେ ବାହାରେ ଗୋଟାଏ ଅନ୍ୟ ପ୍ରକାରର ଉକ୍ତ ହୋଇ ରାହିଯାଉ, ଆତ୍ମବିଡ଼ମ୍ବିତ ହୋଇ ରହିଯାଉ; ପ୍ରଦର୍ଶନରେ କେତେ ଆନନ୍ଦ ପାଉ । ତଥାପି ଭିତରକୁ ପଶି ପାରୁନାହିଁ, ତଥାପି ରାଜ୍ୟାଧିକାର–ଲାଭ ସମ୍ଭବ ହୁଏନାହିଁ । ଆମେ ତଥାପି ଅଛୁଆଁ ହୋଇ ରହିଥାଉ ।

 

୩ । ୬ । ୬୯

 

ଭଗବାନଙ୍କର କରୁଣା ସବୁବେଳେ ପ୍ରସ୍ତୁତ ହୋଇ ରହିଛି । ମୋ’ର ହାତ ଧରି ମୋତେ ଅଗ୍ରସର କରାଇ ନେବାକୁ ପ୍ରସ୍ତୁତ ହୋଇରହିଛି । କିନ୍ତୁ ମୁଁ ସେହି ସାହାଯ୍ୟ ନଲୋଡ଼ିଲେ ସିଏ ଆଉ କାହାକୁ ସାହାଯ୍ୟ କରିବ, ମୁଁ ସାଥୀ ବୋଲି ନଚିହ୍ନିଲେ ସିଏ ଆଉ କାହାକୁ ସାହାଯ୍ୟ କରିବାକୁ ଆସିବ ?

 

ସେଠି ଅନୁପାତର ବିଚାର ହୁଏନାହିଁ । ମୁଇଁ ଆପଣାର ନଲୋଡ଼ିବା ଅଥବା ଲୋଡ଼ିବାଦ୍ଵାରା ହିଁ ସେହି ଅନୁପାତଟିକୁ ନିର୍ଣ୍ଣୟ କରି ଦେଇଥାଏ । ମୋ’ ଭିତରେ ଯେତେବେଳେ ବିଶ୍ଵାସ ଅପେକ୍ଷା ଅବିଶ୍ଵାସ ଅଧିକ ବଳୁଆ ହୋଇ ରହିଥାଏ, ସେତେବେଳେ ମୋ’ର ଆଖି ସେହି କରୁଣାଯାଏ ମୋତେ ପ୍ରବେଶ କରି ପାରେନାହିଁ । ଯେତେବେଳେ ମୁଁ ଆପଣାକୁ ସବୁଟିଠାରୁ ଅଲଗା କରି ରଖିଥାଏ ଓ ସଂସାରଟାକୁ ଖାସ୍ ମୋ’ରି ଲାଗି ଚଳାଇ ନେବାର ଦମ୍ଭ କରୁଥାଏ ଓ ସେହି ଦମ୍ଭଦ୍ଵାରା ଭୟଚ୍ଛାନ୍ନ ହୋଇ ରହିଥାଏ, ସେତେବେଳେ ମୋ’ର ସବୁ ବିଶ୍ଵାସ ସତେଅବା ପରାଭୂତ ହୋଇ ରହିଯାଏ, ସେତେବେଳେ ଅବିଶ୍ଵାସ ହିଁ ମୋ’ ଭିତରେ ସତେଅବା ଏକ ଜୀବନସତ୍ୟର ବେଶ ପିନ୍ଧି ରାଜତ୍ଵ କରିବାକୁ ଆରମ୍ଭ କରେ । ସେତେବେଳେ ମୋ’ ଜୀବନର ଅଭିଧାନରେ କରୁଣା ବୋଲି ହୁଏତ କୌଣସି ଶବ୍ଦ ହିଁ ରହେନାହିଁ । ମାତ୍ର, ଯେତେବେଳେ ବିଶ୍ଵାସର ମୁହୂର୍ତ୍ତ ଆସେ, ଯେତେବେଳେ ଦୂଆର ଖୋଲି ରଖିବାକୁ ଆଉ ମୋତେ ଡର ମାଡ଼େ ନାହିଁ, ଯେତେବେଳେ ସଂସାରଟା ନିଜର ଘର ପରି ମନେହୁଏ, ଅର୍ଥାତ୍ ଗୋଟିଏ କଥାରେ କହିଲେ, ଯେତେବେଳେ ଛିଡ଼ି ଯାଇଥିବା ଖିଅଟି ପୁନର୍ବାର ଯୋଡ଼ି ହୋଇଯାଏ, ସେତେବେଳେ ସବୁଯାକ ସମ୍ବନ୍ଧ ଓ ସବୁଯାକ ବଣିକ ସତେଅବା କରୁଣାର ହିଁ ଏକ ସମ୍ଭନ୍ଧ ଓ ଏକ ବଣିଜରେ ପରିଣତ ହୋଇଯାଏ । ଯେତେବେଳେ ଆପଣା ଭିତରେ ସେହି ଦିବ୍ୟ କରୁଣା ବ୍ୟତୀତ ଆଉ କେହି ମୋ’ର ନେତ୍ର ହୋଇ ରହିଥିବା ପରି ମୋଟେ ମନେ ହୁଏନାହିଁ ।

 

୪ । ୬ । ୭୯

 

ଯାହା ମୋ’ ଲାଗି ସର୍ବୋତ୍ତମ, ମୋ’ଲାଗି ତାହାହିଁ ହେଉଛି । ମୋ’ ନିଜ ତରଫରୁ ମୁଁ କେବେହେଲେ କିଛି ଦାବୀ କରିନାହିଁ । ଯେଉଁ ଦିନଠାରୁ ମୁଁ ତାଙ୍କୁ ଶ୍ରଦ୍ଧାରୂପେ ଚିହ୍ନିଲିଣି, ଜନୀନରୂପେ ଚିହ୍ନିଲିଣି ଓ କରୁଣାରୂପେ ଚିହ୍ନିଲିଣି, ସେହି ଦିନଠାରୁ ମୁଁ କେବଳ ସମ୍ମତ ହିଁ ହୋଇ ବସିଛି, କେବଳ ଦୁଆରଟାକୁ ହିଁ ଖୋଲା କରି ରଖିଛି । ଏବଂ ତା’ପରେ ମୋ’ ଜୀବନରେ ଯାହାକିଛି ଆସିଛି ମୋତେ ସବୁକିଛି ଭଲ ଲାଗିଛି । ମୋତେ ଯେ କିଏ ଜଣେ ଭଲ ପାଉଛି, କାହାର ଦୃଷ୍ଟି ଯେ ଅବିରାମ ମୋ’ ଉପରେ ରହିଛି, ମୁଁ ସେଇଥିରୁ ହିଁ ଏହି କଥାଟିର ପ୍ରମାଣ ପାଇଯାଇଛି ।

 

ଉପରେ ଏହି ଶ୍ରଦ୍ଧାର ଖିଅ ଯେପରି ଲାଗିଛି, ମୋ ଜୀବନଯାକ ମୋ’ ନାନା ଶ୍ରଦ୍ଧାର ସମ୍ବନ୍ଧଟି ମଧ୍ୟ ଠିକ୍ ସେହିପରି ଭାବରେ ନିର୍ଣ୍ଣିତ ହେବାରେ ଲାଗିଛି । ଉପରୁ ମୁଁ ତାଙ୍କୁ ଯେପରି ଭାବରେ ଗ୍ରହଣ କରିବି, ମୋ’ ନିଜ ଜୀବନରେ ମଧ୍ୟ ମୁଁ ଠିକ୍ ସେହିପରି ଭାବରେ ହିଁ ଆପଣାକୁ ଆଉ ସମସ୍ତଙ୍କ ସହିତ ଯୋଡ଼ିକରି ରଖିଥିବି । ଉପରେ ସଉଦା କରୁଥିଲେ ଏଠି ମୋ’ ନିଜ ଜୀବନରେ ମଧ୍ୟ ସେହି ବେପାର ଓ ସେହି ସଉଦା କରି ବୁଲୁଥିବି । ଆପଣାକୁ କେନ୍ଦ୍ରକରି କେବଳ ଗୋଟାକୁ ଗୋଟା ଗଣ୍ଠି ପକାଇବାରେ ଲାଗିଥିବି । ଶ୍ରଦ୍ଧାରେ ଯେ ଗଣ୍ଠି ଖୋଲିଯାଏ, ଶ୍ରଦ୍ଧାରେ ପଶିଲେ ଯେ ଆପଣାର ସକଳ ଭୟ ସତେଅବା କାହାରି ନିର୍ଭରସ୍ପର୍ଶ ପାଇ କୁଆଡ଼େ ଅନ୍ତର୍ହିତ ହୋଇଯାଏ, ତା’ପରେ ମୋ’ର ଯାବତୀୟ କର୍ମ । ଶ୍ରଦ୍ଧା ଓ ଜ୍ଞାନ କେବଳ ଏହି ସଉଦାର ସ୍ତରଟାରେ ହିଁ ନାନା ଅଡ଼ୁଆ ଭିତରେ ଛନ୍ଦିହୋଇ ଗଣ୍ଠି ପଡ଼ି ରହି ଯାଇଥିବ ।

 

୫ । ୬ । ୭୯

 

ପରମ ସତ୍ୟ ଲାଗି ଆପଣାକୁ ସମର୍ପଣ କରିଦେବାର ଅର୍ଥ ହେଉଛି ଆପଣାକୁ ସେହି ପରମସତ୍ୟ ଲାଗି, ଉନ୍ମୋଚିତ କରିଦେବା, ଅର୍ଥାତ୍ ନିଜ ଭିତରେ ସେହି ପରମସତ୍ୟ ଲାଗି ରହିଥିବା ବାସନାଟିର ଆବିଷ୍କାର କରିବା, ତାହାହିଁ ହିଁ ଆପଣାର ଅସଲ ବାସନାରୂପେ ଅନୁଭବ କରିବା ଏବଂ ଆପଣାକୁ ସେହି ବାସନାଟି ଅନୁସାରେ ପ୍ରସ୍ତୁତ କରି ଆଣିବା । ଏଥିରେ ପୁଣି କୁଣ୍ଠା କାହିଁକି ରହିବ, ସଙ୍କୋଚ କାହିଁକି ରହିବ, ଓ ଜୁଗୁପ୍‌ସା ବା କାହିଁକି ରହିବ ?

 

ଆପଣାକୁ ନିବେଦିତ କରି ରଖିବାର ଅର୍ଥ ହେଉଛି ଆପଣାକୁ ଉନ୍ମୋଚିତ କରି ରଖିବା, ଆପଣାର ଦ୍ଵାରଗୁଡ଼ିକୁ ଖୋଲିଦେବା, ନିର୍ଭୟ ହେବା, ବିଶ୍ଵାସରେ ଜୀବନ ବଞ୍ଚିବା ବିଶ୍ଵାସରେ ଆପଣାକୁ ଦେବା, ବିଶ୍ଵାସରେ ପାହାଚ ଉଠିବା ଏବଂ ବିଶ୍ଵାସ ସହିତ ଆପଣାକୁ ଏହି ସବୁଟି ସହିତ ସମ୍ମିଳିତ କରି ରଖିବା । ଏତିକି କରିବାର ଅର୍ଥ ହେଉଛି ସେହି ପରମ କରୁଣାକୁ ନିଜର ଜୀବନ ମଧ୍ୟରେ ଅନୁଭବ କରିବା,-ସାନ ବଡ଼ ଯାବତୀୟ ଅନୁଭୂତିରେ ସେହି କରୁଣାରେ ହିଁ ସ୍ପର୍ଶ ଲାଭ କରିବା ଏବଂ ସେଇଠି ସକାଶେ ହିଁ ଏକ ଅନ୍ତର୍ଗତ ଓ ସ୍ଵାଭାବିକ ପୁଲକ ଅନୁଭବ କରିବା । ଏବଂ, ସେଥିଲାଗି ପୁଣି କୁଣ୍ଠା ରହିବ କାହିଁକି ? ଦିବ୍ୟ କରୁଣା ମୋ’ ଭିତରକୁ ଯେତିକି ଯେତିକି ପ୍ରସାରିତ ହୋଇ ଆସୁଥିବ, ମୋ’ର ଆଖିଗୁଡ଼ାକୁ ତାହା ସେତିକି ସେତିକି ପ୍ରସାରିତ ନ କରିଦେଇ ଯାଉଥିବା, ମୋ’ର ଏହି ସବୁଯାକ ବଡ଼କୁ ଭାଙ୍ଗି ଦେଇ ଯାଉଥିବ । ତା’ପରେ ମୋ’ର ନିଜର ସମ୍ପତ୍ତି ବୋଲି ଆଉ କିଛି ରହିବନାହିଁ । ସେହି କରୁଣାକୁ ମୁଁ ସକଳ ବିଶ୍ଵର ସମ୍ପତ୍ତି ରୂପେ ଆବିଷ୍କାର କରିବ, ନିଜକୁ ମୁଁ ଏହି ସବୁଟିଯାକର ଗୋଟିଏ ଅଂଶ ବୋଲି ଆବିଷ୍କାର କରିବି ।

 

୬ । ୬ । ୭୯

 

ପରମେଶ୍ଵର ଏବଂ ପରମେଶ୍ଵରଙ୍କର କରୁଣା, –ଗୋଟିକୁ ଆଉଗୋଟିକ ଠାରୁ ଅଲଗା କରି ହୁଏନାହିଁ । କାରଣ ପରମେଶ୍ଵରଙ୍କୁ ମୁଁ ସତେଅବା କେବଳ ତାଙ୍କର କରୁଣାରୂପେ ହିଁ ଏଠି ଅନୁଭବ କରିଥାଏ । ପରମ ସତ୍ୟ କରୁଣାରୂପେ ହିଁ ଏହି ପୃଥିବୀ ଉପରେ ଅନୁଭୂତ ହୋଇଥାଏ । ମୁଁ ଯେ ଏଠାରେ ଅଛି, ଏଠି ଦିନରାତି ବିତାଉଛି, ଏହି ଆକାଶ, ଆଲୁଅ ଏବଂ ପବନ ଭିତରେ ଆପଣାକୁ ଗୋଟାସୁଦ୍ଧା ହାଲୁକା କରିଦେଇ, ପ୍ରସାରିତ କରିଦେଇ ପାରୁଛି; ଏଠି ଯେ ମତେ ପ୍ରତ୍ୟେକଟି ଦିନ ଅଲଗା ଅଲଗା ଲାଗୁଛନ୍ତି, ମୋତେ ଯେ ଏତେ ଭଲ ଲାଗୁଛି ଏବଂ ଏଠାରେ ଯେ ମୁଁ ତାଙ୍କୁ ମୋ’ର ଅତ୍ୟନ୍ତ ପାଖରେ ଅନୁଭବ କରି ପାରୁଛି, ଏସବୁ କେବଳ ତାଙ୍କର କରୁଣା ବ୍ୟତୀତ ଆଉ କ’ଣ ହୋଇପାରେ ?

 

ମଣିଷ ଯେଉଁଦିନ ଠାରୁ ତାଙ୍କୁ ଏଇଠି ଅନୁଭବ କରି ଶିଖିଲା, ସେହିଦିନ ଠାରୁ ସେ ତାଙ୍କର କରୁଣା–ରୂପଟିର ଦର୍ଶନ କରି ପାରିଲା । ଯେଉଁଦିନ ପର୍ଯ୍ୟନ୍ତ ସିଏ ତାଙ୍କୁ ଦୂରସ୍ଥ କେଉଁ ଅତିପ୍ରତାପଶାଳୀ ଏକ କ୍ରୂର ଓ ଦଣ୍ଡଦାତା ଭଗବାନ ବୋଲି ଭାବୁଥିଲା, ତାଙ୍କୁ ଭୟ କରୁଥିଲା ଓ ତାଙ୍କର ସନ୍ତୋଷଭାଜନ ହେବାଲାଗି ଯାବତୀୟ ହୀନତା ଉଗ୍ରତାର ଆଚରଣ କରୁଥିଲା; ସେପର୍ଯ୍ୟନ୍ତ ସେ ନିଜେ ମଧ୍ୟ ଭାରି କ୍ରୂର ଓ ହୀନ ହୋଇ ରହିଥିଲା । ସେତେବେଳେ ସେ ତାଙ୍କୁ ସ୍ପର୍ଶ କରି ଜାଣିନଥିଲା, ଆପଣାକୁ ଏକ ତୀଥରୂପେ ଅନୁଭବ କରି ଜାଣିନଥିଲା, ଏକ ଭୂମିରୂପେ ପ୍ରସ୍ତୁତ କରି ବି ଜାଣିନଥିଲା । ଏହି ସଂସାର ତାକୁ ସେତେଦିନ ଯାଏ ଏକ ଅଭିଶପ୍ତ ନିମ୍ନସ୍ତର ବୋଲି । ମନେ ହେଉଥିଲା । ଜୀବନଟାକୁ ହିଁ ସେ ଏକ fall ବା ଅଭିଶାପ ବୋଲି ଭାବୁଥିଲା, ତେଣୁ ଏଠି ସବୁକିଛିକୁ ଭାରି କୁତ୍ସିତ ଓ ଭୟାବହ କରି ରଖିଥିଲା ।

 

୭ । ୬ । ୭୯

 

ନଦୀ ସାଗରକୁ ଲୋଡ଼େ । ଆପଣାକୁ ଏକ ନଦୀ ବୋଲି ଆବିଷ୍କାର କରିପାରିବା ସଙ୍ଗେସଙ୍ଗେ ନଦୀ ସାଗରକୁ ଲୋଡ଼େ, ସାଗରାଭିମୁଖିନୀ ହୁଏ । ଆପଣାକୁ ଯଥାର୍ଥ ଭାବେ ଆବିଷ୍କାର କରିପାରିବା ସଙ୍ଗେସଙ୍ଗେ, ଅର୍ଥାତ୍ ଆପଣାକୁ ସମ୍ପୂର୍ଣ୍ଣ ରୂପେ ଅନୁଭବ କରିପାରିବା ସଙ୍ଗେ ସଙ୍ଗେ, ମୁଁ ପ୍ରକୃତରେ କୁଆଡ଼କୁ ଯାଉଛି, ଅର୍ଥାତ୍ ମୁଁ ପ୍ରକୃତରେ କେଉଁଠାରେ ଆସିଛି ଏବଂ ମୋ’ର ଯାବତୀୟ ଲୋଡ଼ିବା ପଛରେ ମୁଁ ପ୍ରକୃତରେ କାହାକୁ ଲୋଡ଼ୁଛି, ତାହାର ଆବିଷ୍କାର କରିହୁଏ; ତାହାକୁ ଅନଭୁବ କରି ହୁଏ । ତା’ପରେ ଆପଣାକୁ ଆଉ ବୁଝାଇବାକୁ ଦରକାର ପଡ଼େନାହିଁ ତା’ପରେ କୌଣସି ଭେକ ପିନ୍ଧିବା ଦରକାର ପଡ଼େନାହିଁ । ପାଚେରୀ ଗୁଡ଼ାକ ରହିଥିବା ପର୍ଯ୍ୟନ୍ତ ହିଁ ଅସଲ ଭିତରଟାକୁ ଚିହ୍ନିତ କରାଇ ପାରିବାକୁ ଗୋଟାଏ ବାନା ଉଡ଼ାଇବାର ପ୍ରୟୋଜନ ରହିଥାଏ । ସାଗର ସହିତ ଅନ୍ତଃଖିଅଟି ଲାଗିଯିବା ପରେ ବାନାଗୁଡ଼ାକୁ ଅନାବଶ୍ୟକ ହୋଇ ପଡ଼ନ୍ତି-। ଔପଚାରିକ ଭାବରେ ଦୀକ୍ଷା ନନେଲେ ମଧ୍ୟ ତଥାପି ଦୀକ୍ଷା ହୋଇଯାଏ । ଗୁରୁ ଆପେ ଆପେ ମିଳିଯାଆନ୍ତି, ଭିତରର ପଥିକଟି ଅତ୍ୟନ୍ତ ସ୍ଵାଭାବିକ ଭାବରେ ଆପଣାର ଶିଷ୍ୟତ୍ଵକୁ ସ୍ଵୀକାର କରିନିଏ ।

 

ସେହି ଅନୁଭବଟି ମୋତେ ବାଟ କଢ଼ାଇ ନେଉଛି ଏବଂ ମୋ’ର ଶିଷ୍ୟତ୍ଵକୁ ଅତ୍ୟନ୍ତ ସହଜ ଭାବରେ ମୋ’ର ପ୍ରତ୍ୟେକ ମୁହୂର୍ତ୍ତର ଜୀବନ ମଧ୍ୟଦେଇ ଘୋଷଣା କରି ଦେବାରେ ଲାଗିଛି-। ଭିତରେ ମୁଁ ଯାହାକୁ ଅନୁଭବ ବୋଲି କହୁଛି, ବାହାରେ ସତେଅବା ତାହାହିଁ ଯେପରି ଏକ ଆକର୍ଷଣ ଓ ଆତ୍ମନ୍ତ୍ରଣରୂପେ ମୋତେ ଅଗ୍ରସର କରାଇ ନେବାରେ ଲାଗିଛି । ମୋ’ ନିଜ ଭିତରେ ମୋତେ ଯିଏ ପ୍ରତ୍ୟେକ ମୁହୂର୍ତ୍ତରେ ଜନ୍ମ ଦେବାରେ ଲାଗିଛି, ମୁଁ ଯେପରି ବାହାରେ ତାହାକୁ ହିଁ ମୋ’ର ଜନନୀରୂପେ ପ୍ରତ୍ୟକ୍ଷ କରିବାରେ ଲାଗିଛି । ଭିତରେ ଓ ବାହାରେ କେବଳ ସେହି ଗୋଟିଏ ମାତ୍ର ଅଭୟକୁ ହିଁ ମୁଁ ଅନୁଭବ କରି ପାରୁଛି । ଏବଂ ସେହି ଅଭୟ ହେଉଛି ଶାନ୍ତି ।

 

୮ । ୬ । ୭୯

 

ବିଶ୍ଵାସ ଯେତେବେଳେ ସତେଅବା ଏକ ବେପାରରେ ପରିଣତ ହୋଇ ରହିଥାଏ, ସେତେବେଳେ ଭଗବାନଙ୍କର ସଂସାରଟା ମଧ୍ୟ ସତେଅବା ଏକ ବଜାର ପରି ମନେହୁଏ । ସେତେବେଳେ ବାହାରର ପରିସ୍ଥିତି ଅନୁସାରେ ଆମ ଜୀବନବଜାରର କିଣାବିକା ମଧ୍ୟ ବଦଳିବାରେ ଲାଗିଥାଏ ।

 

ସେତେବେଳେ ଅଧିକରୁ ଅଧିକ ଲାଭବାନ୍ ହେବା ହିଁ ଆମ ଜୀବନର ସର୍ବପ୍ରଧାନ ତତ୍ତ୍ଵଗତ ବ୍ୟାକରଣ ହୋଇ ରହିଥାଏ । ଏବଂ ନିତାନ୍ତ ବାଜାରଅର୍ଥରେ ହିଁ ଆମେ ସେତେବେଳେ ସେହି ଲାଭବାନ୍ ହେବା ବା ନହେବାର ଅର୍ଥ କରିବାରେ ଲାଗିଥାଉ । ଦେବତାମାନଙ୍କର ବିଚାର କରୁ, ଦେବତାମାନଙ୍କୁ ସ୍ତୁତି ଦେଇ ବା ଭୋଗ ଦେଇ ତୁଷ୍ଟ କରି ରଖୁ, ଦେବତାମାନଙ୍କ ପ୍ରତି ଅନେକ ସମୟରେ ବିମୁଖ ମଧ୍ୟ ହୋଇଥାଉ । ଧର୍ମଟା ସତେଅବା କିଣିକା ଓ ବିକିବାର ଏକ ଧର୍ମରେ ପରିଣତ ହୋଇ ରହିଯାଏ ।

 

ମୋ’ରି ଭିତରେ ଦେବତା ଅଛନ୍ତି ବା ଦେବତ୍ଵ ରହିଛି, ଏହି ସର୍ବମୂଳ ଅନୁଭୂତିଟି ହୋଇପାରିଲେ ଯାଇ ସମଗ୍ର ଜୀବନରେ ବିଶ୍ଵାସ ବୋଲି ଏକ ଧନର ଉନ୍ମେଷ ହୋଇଥାଏ । ତା’ପରେ ଚତୁରତା କମିଯାଏ, ଲାଭ ଖୋଜିବାର ନିଶା ବି ଦୂର ହୋଇଯାଏ । ଆମର ବିଶ୍ଵାସ ଆଦୌ କୌଣସି ହିସାବ ଦ୍ଵାରା ପ୍ରେରିତ ହୁଏନାହିଁ; ତାହା ଏକ ସ୍ଵଭାବରେ ପରିଣତ ହୁଏ, ଏକ ଜୀବନଦୃଷ୍ଟିରେ ପରିଣତ ହୋଇଯାଏ । ସେତେବେଳେ ଆମର ସଂସାରଦୃଷ୍ଟି ବା ଦେବତାଦୃଷ୍ଟି ମଧ୍ୟ ଆଦୌ କୌଣସି ବାହ୍ୟ ପରିସ୍ଥିତି ଉପରେ ନିଭର କରେନାହିଁ । ସେତେବେଳେ ଭିତରର ବିଶ୍ଵାସ ହିଁ ବାହାରର ପରିସ୍ଥିତିକୁ ଗଢ଼େ, ଭିତରର ଦୃଷ୍ଟିଟି ଶ୍ରଦ୍ଧାରୂପେ ବାହାରକୁ ପ୍ରସାରିତ ହୋଇଆସେ ।

 

୯ । ୬ । ୭୯

 

ସେଇଥିପାଇଁ ତ ସିଏ ଅଭୟ, ସିଏ ସଦନ, ସିଏ ବିଶ୍ଵନୀଡ଼ । ସେଇଥିପାଇଁ ସଂସାରଟା ଏଠି ଏତେ ଭଲ ଲାଗେ, ଆପାଣର ଘରପରି ଲାଗେ, –ପୂର୍ଣ୍ଣ ଭୟଶୂନ୍ୟ ଭାବରେ ଏଠି ବିଚରଣ କରିହୁଏ । ସେଇଥିଲାଗି ସୁନିଶ୍ଚିତ ମୃତ୍ୟୁ ସତ୍ତ୍ୱେ ଜୀବନ ଏତେ ଭଲ ଲାଗେ । ତାଙ୍କରି ସହିତ ଖିଅ ଲଗାଇ ରଖିବାର ପ୍ରୟାସ, –ତାହାହିଁ ସଂସାର ।

 

ଭିତରେ ଅତ୍ୟନ୍ତ ଭୟାଳୁ ହୋଇ ରହିଥିବାରୁ ଆମେ ଅନେକ ସମୟରେ ଚାରିପାଖରେ ଏଡ଼େ ଏଡ଼େ ବାଡ଼ ଉଠାଇ ଆପଣାକୁ ତାହାଦ୍ଵାରା ହିଁ ନିରାପଦ କରି ରଖିବାକୁ ଇଚ୍ଛା କରୁଥାଉ ଓ ସେହି ପ୍ରୟାସକୁ ହିଁ ସଂସାର ବୋଲି କହୁଥାଉ । ଆପଣାକୁ ଭଗବାନଙ୍କ ପାଖରେ ଉନ୍ମୋଚିତ କରିଦେବ । ପରିବର୍ତ୍ତେ ଭଗବାନଙ୍କୁ ସତେଅବା ନିଜର ଏହି ବାଡ଼ିଦିଆ କ୍ଷୁଦ୍ର କଣଟି ଭିତରେ ଜାକିଜୁକି ରଖିବାକୁ ଆମେ ଅନେକ ସମୟରେ ସାଧନା ବୋଲି ଭ୍ରମ କରୁଥାଉ । ହୁଏତ ସେଇଥିଲାଗି ହିଁ ଅନେକ ସମୟରେ ଆମକୁ ସମ୍ପ୍ରଦାୟ ଭଲ ଲାଗେ, ମନ୍ତ୍ରଗୁଡ଼ାକୁ ସତେଅବା କେବଳ ଆମର ନିଜ ସମ୍ପତ୍ତି ବୋଲି ମନେ ହୁଅନ୍ତି, ଠାକୁରମାନେ ଆମରି ସଞ୍ଚା ଖାଇ ରହିଥିବା ପୋଲିସ ବା ପହରାଦର ପରି ମନେହୁଅନ୍ତି ଏସବୁ ଦ୍ଵାରା ଆମର ଚତୁରତା ନିଶ୍ଚୟ ବଢ଼ିବାରେ ଲାଗିଥାଏ, କିନ୍ତୁ ଭୟ ମଧ୍ୟ ବଢ଼ିବାରେ ଲାଗିଥାଏ ଆମର ଆକାଶ ଦିନକୁଦିନ ଅଧିକ ଛୋଟ ହୋଇ ଆସିଥାଏ । କୌଣସି ମନ୍ତ୍ରକୁ ଏକ ଯଥାର୍ଥ ଜୀବନସତ୍ୟରେ ପରିଣତ କରି ପାରିବାକୁ ଆଉ ଭିତରେ ମୋତେ ଜାଗା ହୋଇ ପାରେନାହିଁ । ଠାକୁରମାନଙ୍କୁ ନିଜର ଅନେକ ଅହଙ୍କାର ଦେଇ ବଡ଼ଠାକୁର ଅଥବା ଏକମାତ୍ର ଠାକୁର ବୋଲି କହୁଥିଲେ ମଧ୍ୟ ଆମ ଭିତରେ ସର୍ବାଧିକ ସ୍ଥାନ ମାଡ଼ି ବସୁଥାନ୍ତି । ଆମ ନିଜଲାଗି ବି ହୁଏତ ସେଠି ଯଥେଷ୍ଟ ଥାନ ନଥାଏ ।

 

୧୦ । ୬ । ୭୯

 

ଯୋ ଏକଂ ଜାଣଇ, ସୋ ସବବଂ ଜାଣଇ । ମାଆ ଏମିତି କହୁଥିଲେ କାହିଁକି କେଜାଣି (“ake the Divine alone into your soul’s confidence’) ? ବୋଧହୁଏ ଆମମାନଙ୍କର ବୁଝିବାଲାଗି ହିଁ ସିଏ ଏପରି କହିଥିଲେ ଆମେ ଯେଉଁମାନେ ପରମ ଦିବ୍ୟସତ୍ତାକୁ ଆଗ ଆମଠାରୁ ଅଲଗା ବୋଲି ଠାବ କରିବାରେ ଅଭ୍ୟସ୍ତ ହୋଇ ଆସିଚ୍ଛୁ ଓ ଏପର୍ଯ୍ୟନ୍ତ ବି ଆପଣାର ଚେତନାରେ ବିଭକ୍ତି ହୋଇ ରହିଛୁ, ଆମର ବୁଦ୍ଧିଭିତରେ ଏକ ଅନୁକୂଳ ଅନ୍ୟ ଅଲୋଡ଼ନ ସୃଷ୍ଟି କରିବାଲାଗି ମାଆ ଏପରି କହିଥିଲେ ।

 

ପରମଦିବ୍ୟ ଅର୍ଥାତ୍ ପରମ ସକଳ, –ଅର୍ଥାତ ପରମ ଏକ । ମୋ’ର ବିଶ୍ଵାସକୁ ମୁଁ ସେହି ପରମ ଦିବ୍ୟ ଲାଗି ହିଁ ପ୍ରେରିତ କରି ରଖିବି । ଅର୍ଥାତ୍, ମୁଁ ଏହି ସବୁକିଛିକି ହି ଯଥାର୍ଥ ଭାବରେ ଜାଣିବି, ଏହି ସବୁଟିଲାଗି ହିଁ ଆପଣାକୁ ଯଥାର୍ଥ ଭାବରେ ପ୍ରେରିତ କରି ରଖିବି । ପରମ ଦିବ୍ୟସତ୍ତାଙ୍କୁ ଏକମାତ୍ର ଯଥାର୍ଥ ସତ୍ତା ବୋଲି ଅନୁଭବ କରିବାର ଅର୍ଥ ହେଉଛି, ଏହି ସବୁଟି ଭିତରେ ମୂଳତଃ ଓ ମର୍ମତଃ କେବଳ ତାଙ୍କୁ ହିଁ ଚିହ୍ନିବା, ଏହି ଅବଚରଣଗୁଡ଼ାକ ଭିତରେ ମଧ୍ୟ ତାଙ୍କରି ସନ୍ଧାନ ଲାଭ କରିବା, ଏହି ଯାବତୀୟ ଅନ୍ଧାରର ଭିତରକୁ ଯାଇ ତାହାଙ୍କୁ ହିଁ ଗର୍ଭସ୍ଥ ଅର୍ଥାତ୍ ଉଦ୍‌ଭାସକ ସତ୍ୟରୂପେ ଠାବ କରି ପାରିବା । ତେଣୁ ମୋ’ର ବିଶ୍ଵାସରେ ଆଉ କୌଣସି ବାଡ଼ ନରହୁ, କୌଣସି ଆବରଣ ନରହୁ, କୌଣସି ବିଭକ୍ତତା ନରହୁ । ଆପଣା ଭିତରେ ଯାବତୀୟ ବାଡ଼ ଓ ଯାବତୀୟ ଆବରଣକୁ ଭେଦ କରି ପାରିଲେ ଯାଇ ମୁଁ ବାହାରେ ମଧ୍ୟ ସେଗୁଡ଼ାକୁ ଭେଦ କରିପାରିବି । ଏହା ଅନୁଭବର କଥା, ତେଣୁ ଏକ ଅସଲ ଆରାଧନର କଥା । ଯେଉଁ ଆରାଧନା ବାଡ଼ ବସାଏ, ଆବରଣର ସୃଷ୍ଟି କରେ, ଆବରଣଗୁଡ଼ାକୁ ସତେଅବା ଅଳଙ୍କାର ପରି ଦେଖାଇବାକୁ ଚେଷ୍ଟା କରୁଥାଏ, ସେହି ଆରାଧନା କଦାପି ମୋ’ର ନୁହେଁ ।

 

୧୧ । ୬ । ୭୯

 

ସିଏ ଯାହା ଇଚ୍ଛା କରୁଛନ୍ତି, ମୁଁ ତାହାହିଁ ଇଚ୍ଛା କରିବି,-ଭୃତ୍ୟଭାବେ ନୁହେଁ, ସନ୍ତାନଭାବେ ହିଁ ମୁଁ କେବଳ ତାହାହିଁ ଇଚ୍ଛା କରିବି । ତାହାହିଁ ବୃହତ୍ ଜୀବନ, ତାହାହିଁ ଖେଦଶୂନ୍ୟ ଜୀବନ । ଭକ୍ତିକୁ ଯେଉଠି ପ୍ରାୟ ଏକ ଭୃତ୍ୟଗିରି ପରି ଗ୍ରହଣ କରି ନିଆ ଯାଇଥାଏ, ସେଠି ମୋତେ ସେହି ତଥାକଥିତ ଭକ୍ତିମାନଙ୍କୁ ଦେଖିଲେ ଭାରି ଡର ମାଡ଼େ । ଭକ୍ତିର ସନ୍ନିଧାନକୁ ଆସି ପାରିବାକୁ ହେଲେ ଏହି ଭକ୍ତମାନଙ୍କ ପାଖକୁ ମୋତେ ଦୂରରେ ରହିବାକୁ ପଡ଼ିବ ବୋଲି ମନେହୁଏ ।

 

ସିଏ ଯାହା ଇଚ୍ଛା କରିବେ, ମୁଁ ତାହାହିଁ ବାହାରେ ରହିଥିବା ପର୍ଯ୍ୟନ୍ତ ସିଏ କେବଳ ମୋ’ ଦ୍ଵାରା ଗଢ଼ା ତଥାକଥିତ କୌଣସି ଦେଉଳ ଭିତରେ ରହିଥିବା ପର୍ଯ୍ୟନ୍ତ ଏବଂ ଆଉ କେଉଁଠି ହେଲେ ନରହିଥିବା ପର୍ଯ୍ୟନ୍ତ, ସେକଥା କଦାପି ସମ୍ଭବ ହେବନାହିଁ । ଆପଣାର ତଥାକଥିତ କାମଗୁଡ଼ାକୁ ଛାଡ଼ି ସାବଧାନତା କିମ୍ବା ବିଜ୍ଞତାର ସହିତ କେବଳ ତାଙ୍କର କାମଗୁଡ଼ାକୁ କରିବାର ଏକ ନିର୍ଘଣ୍ଟ ମାନି ଚଳିଲେ ମଧ୍ୟ ତାହା ସମ୍ଭବ ହେବନାହିଁ । ମୋ’ ନିଜର କାମର ଭିତରକୁ ତାଙ୍କୁ ଆଣିବାକୁ ପଡ଼ିବ ମୋ’ ନିଜ ଇଚ୍ଛାର ଭିତରରୁ ତାଙ୍କ ଇଚ୍ଛାଟିକୁ ଆଣିବାକୁ ପଡ଼ିବ । ଏସବୁ ଖୁସୀ ହୋଇ ଅତ୍ୟନ୍ତ ସ୍ଵାଭାବିକ ଭାବରେ କରିବାକୁ ପଡ଼ିବ, ତାହାହିଁ ଅସଲ କଥା, ତାହାହିଁ ରହସ୍ୟ, ତାହାହିଁ ପଥ; ତାହାହିଁ ଯୋଗ ତା’ପରେ ସବୁକିଛି ସମ୍ଭବ ହୋଇଯିବ, ସବୁକିଛି ସହଜ ହୋଇଯିବ, ନିଜ ଇଚ୍ଛାର ତାଙ୍କ ଇଚ୍ଛା ସହିତ ଆଉ କୌଣସି ସଙ୍ଘତା ହେବନାହିଁ । କୃଚ୍ଛ୍ରଗୁଡ଼ାକ ସାଧନାରେ ରୂପାନ୍ତରିତ ହୋଇଯିବ । ସ୍ପର୍ଶାଧିକାର ମିଳିଯିବ ।

 

୧୨ । ୬ । ୭୯

 

କରୁଣା ରହିଛି, ସହାୟତା ରହିଛି, କରୁଣା ଓ ସହାୟତା ସବୁବେଳେ ରହିଛି । ଏଗୁଡ଼ାକୁ ବୁଝାଇ କହିଲେ ହୁଏନାହିଁ, ଏଗୁଡ଼ିକୁ ଅନୁଭବ କରିପାରିଲେ ତେବେଯାଇ ଅନୁଭବ କରିହୁଏ, ଜାଣିହୁଏ ଆପଣାର ଯାବତୀୟ କର୍ମ, ସମ୍ବନ୍ଧ ତଥା ଅନୁଧାବନରେ ସ୍ପର୍ଶ କରିହୁଏ, ଆପଣାର ସମଗ୍ର ଜୀବନଟା ସତେଅବା ତାହାରି ମଧ୍ୟରେ ପ୍ରତିଷ୍ଠିତ ରହିଛି ବୋଲି ପ୍ରତ୍ୟକ୍ଷ କରିହୁଏ । ସେସବୁ ମୋ’ ପାଖେ ପାଖେ ରହିଛନ୍ତି । ସେଇଥିଲାଗି ହିଁ ଏଠି ସବୁକିଛି ମୋ’ର ଘରପରି ଲାଗୁଛି, ସବୁ ମଣିଷ ମୋ’ର ଆପଣାର ପରି ଲାଗୁଛନ୍ତି । ମୋ’ ନିଜର ବାଟଟା ବି ଏତେ ପ୍ରିୟ ଲାଗୁଛି, ଯେଉଁଠାରେ କରୁଣା ଏବଂ ସହାୟତାକୁ ଅତ୍ୟନ୍ତ ନିକଟବର୍ତ୍ତୀ ହୋଇ ରହିଥିବାର ଅନୁଭବ କରିବା ସମ୍ଭବ ହେଉଛି, ସେଠାରେ ଜୁଗୁପ୍‌ସା ନାହିଁ, ବିଚ୍ଛେଦ ନାହିଁ, ସେଠାରେ ଆଦୌ କୌଣସି ହୁଡ଼ିବା ନାହିଁ, ସେଠାରେ ମୃତ୍ୟୁ ନାହିଁ, ତେଣୁ ଅବିଶ୍ଵାସ ନାହିଁ ।

 

ତେଣୁ; ବିଶ୍ଵାସ ଆଗ । ଆପଣାକୁ ବିଶ୍ଵାସ କରିବା, ଯେଉଁ ସମୁଦ୍ର ମୋତେ ଆବୋରି ରହିଛି, ତାହାକୁ ବିଶ୍ଵାସ କରିବା, ଯେଉଁ ସମ୍ପର୍କ ମୋତେ ସର୍ବମୂଳ ସୂତାଟି ହୋଇ ସମସ୍ତଙ୍କର ସହିତ ଏବଂ ସବୁଟି ସହିତ ବାନ୍ଧି ରଖିଛି, ସେହି ସମ୍ପର୍କଟି ଉପରେ ବିଶ୍ଵାସ କରିବା, –ଏହିଗୁଡ଼ାକୁ ହିଁ ଅସଲ-। ତେବେଯାଇ ଏହି ସକାଳ ଭାରି ଆପଣାର ବୋଲି ମନେହେବ, ତେବେଯାଇ ଏହି ସକାଳ ଏବଂ ଏହି ଜନ୍ମମୁହୂର୍ତ୍ତ ଗୁଡ଼ିକୁ ନିଜଭିତରେ ଅନୁଭବ କରି ହେବ ।

 

୧୩ । ୬ । ୭୯

 

ଯାହା ତାଙ୍କଲାଗି ସମର୍ପିତ, ତାହାହିଁ ନିରାପଦ; କାରଣ ତାହାହିଁ ଯଥାର୍ଥ । କାରଣ, ସେଥିମଧ୍ୟରେ ଆଦୌ କୌଣସି ସଙ୍କୁଚିତତା ନାହିଁ, ଯାହା ତାଙ୍କଲାଗି ଉଦ୍ଦିଷ୍ଟ ନୁହେଁ, ମୋ’ଭାବନା ଅନୁସାରେ ଯାହା କେବଳ ମୋ’ର ଲାଗି ଉଦ୍ଦିଷ୍ଟ, ସେଥିରେ ପ୍ରକୃତରେ କେତେ ନା କେତେ ପ୍ରକାରର ତ୍ରାସ ଭର୍ତ୍ତି ହୋଇ ରହିଛି, ମୋ’ଭିତରେ ଯିଏ ତଥାପି ଆପଣାକୁ ଏକୁଟିଆ କରି ରଖିବାକୁ ଏଡ଼େ ଭଲ ପାଉଛି, ଏକୁଟିଆ ହୋଇ ସତେଅବା ଏକା ସବୁଯାକ ଭୁଞ୍ଜିବାକୁ ମନ କରୁଛି, ତା’ଭିତରେ ବିଜ୍ଞାନ ନାମରେ ଭକ୍ତି ନାମରେ ଏବଂ କର୍ମ ନାମରେ ପ୍ରକୃତରେ କେତେ ତ୍ରାସ ଭର୍ତ୍ତି ହୋଇ ନରହିଛି, ଏବଂ ସେହି ତ୍ରାସ ହେତୁ ତା’ର ବହୁପରିଶ୍ରମକୃତ ସେହି ଜ୍ଞାନ, ଭକ୍ତି ଏବଂ କର୍ମ ପ୍ରକୃତରେ ଗୋଟାଏ ଗୋଟିଏ କି ଫିସାଦରେ ହିଁ ପରିଣତ ହୋଇ ନରହିଛି ! ଯୋଉଠି ଏଡ଼େ ଦର୍ପରେ ଘଣ୍ଟ ବାଜୁଛି, ସେଠାରେ ଭୟରେ କାହାର ସତେଅବା ଛାତି ଦୁକୁଦୁକୁ ହେବାରେ ଲାଗିଛି । ଯୋଉଠି ଏଡ଼େବଡ଼ ଦେଉଲଟାଏ ତୋଳା ହୋଇ ରହିଛି, ସେଠାରେ ଅସଲ ବ୍ରତତୀଟି ସତେଯେପରି ତଥାପି କେଉଁଗାତ ଭିତରେ ଲୁଚି କରି ବସି ରହିବାକୁ ଭାରି ଭଲ ପାଉଛି । ଏବଂ, ଯାହାଙ୍କୁ ସମର୍ପିତ କରି ଏଠି ସବୁକିଛି ନିରାପଦ ହୋଇ ପାରିଥାନ୍ତା, ଯିଏ ତଥାପି ଏହି ଭିତରେ ରହିଛନ୍ତି, ଅପେକ୍ଷା କରି ରହିଛନ୍ତି, ସେଇ ମୁରୁକି ମୁରୁକି ହସିବାରେ ଲାଗିଛନ୍ତି, ବନ୍ଧୁପରି ହାତ ବଢ଼ାଇ ଡାକିବାରେ ଲାଗିଛନ୍ତି, ସିଏ ଅନେକ ବିଶ୍ଵାସର ସହିତ ଅପେକ୍ଷା କରି ରହିଛନ୍ତି ।

 

୧୪ । ୬ । ୭୯

 

ମୁଁ ଆପଣାକୁ ଯେତିକି ପରିମାଣରେ ଦେବାକୁ ସମର୍ଥ ହୋଇ ପାରୁଛି, ମୋ’ର ଯଥାର୍ଥ ମୂଲ୍ୟ ସେତିକି । ମୁଁ ଅନ୍ୟ କୌଣସି ମୁଗ୍‍ଧତାର ବଶବର୍ତ୍ତୀ ହୋଇ ଅନ୍ୟ କେତେ କୁଆଡ଼ୁ ଛିଣ୍ଡାଇ ଆଣି କେବଳ ଆପଣାର ବୋଲି ଯେତିକି ଆପଣାର ଏହି ସାନ ଗାତଟି ଭିତରେ ଜମା କରି ରଖିବାକୁ ଚାହୁଛି, ମୁଁ ସେତିକି ପରିମାଣରେ ଆପଣାକୁ ହରାଇ ବସୁଛି, ଆପଣାର ଅସଲ ଖିଅଗୁଡ଼ିକୁ ହରାଇ ବସୁଛୁ, ଆପଣାର ଅସଲ ନାଡ଼ୀଗୁଡ଼ିକୁ ହରାଇ ବସୁଛି ।

 

ଆପଣାର ମୁଁ ଯେତିକି ପରିମାଣରେ ଦେଇଛି, ଅର୍ଥାତ୍ ଯେତିକି ପରିମାଣରେ ମୁଁ ଆପଣାକୁ ଚିହ୍ନିଛି, ମୁଁ ଆପଣାକୁ ଯେତିକି ପରିମାଣରେ ଚିହ୍ନିଛି ଅର୍ଥାତ୍ ଯେତିକି ପରିମାଣରେ ମୁଁ ଆପଣାକୁ ଦେଇ ପାରିଛି । ମୋ’ର ଯାବତୀୟ ଯୋଗ୍ୟତା ମୋ’ର ଦୁଆରଗୁଡ଼ାକୁ ବନ୍ଦ କରି ରଖିବାରେ ନୁହେଁ, ମୋ’ର ଦୁଆରଗୁଡ଼ାକୁ ଖୋଲିଦେବା ଉପରେ ହିଁ ନିର୍ଭର କରୁଛି । ଦୁଆର ଖୋଲିଯିବାର ଅର୍ଥ ହେଉଛି ସମଗ୍ର ସତ୍ୟ ମଧ୍ୟରେ ଆପଣାର ପରିଚୟ ଲାଭ କରିବା, ଏହି ସମଗ୍ର ମଧ୍ୟରେ ନିଜକୁ ଅଭିନ୍ନ ଓ ସଂଲଗ୍ନ ହୋଇ ରହିଥିବା ପାର୍ଟି ଆବିଷ୍କାର କରିବା ବିଚ୍ଛିନ୍ନତା ହେଉଛି ମୃତ୍ୟୁ, ବିଚ୍ଛିନ୍ନତାକୁ ହିଁ ଯାବତୀୟ ଭୟ । ଅସଲ ସତ୍ୟଟିଠାରୁ ନିଜକୁ ବିଚ୍ଛିନ୍ନ କରି ରଖିଲେ ନିଜ ମଧ୍ୟରେ ମଧ୍ୟ ନିଜେ ନାନାଭାବରେ ବିଚ୍ଛିନ୍ନ ଓ ବିଭକ୍ତ ହୋଇ ରହିଥିବାର ଭୟ ରହିଛି । ଏବଂ, ଯିଏ ବିଚ୍ଛିନ୍ନ ହୋଇ ରହି ଏବଂ ନାନା ଉତ୍ତେଜନାର ବଶବର୍ତ୍ତୀ ହୋଇ କେବଳ ଆପଣା ଘରଟାକୁ ନାନା ପାଟଲୁଗା ଦେଇ ସଜାଡ଼ି ରଖିବାରେ ଲାଗିଛି, ଅର୍ଥାତ୍ ନିଜକୁ ଘୋଡ଼ାଇ ରଖିବାରେ ଲାଗିଛି, ଅସଲ ଦରବାରରେ ଆପଣାର ମୂଲ୍ୟାୟନ କରି ପାରିବାରୁ ସିଏ ବଞ୍ଚିତ ନହୋଇ ରହିଛି ।

 

୧୫ । ୬ । ୭୯

 

ସେହି ବଡ଼ ସାମ୍ରାଜ୍ୟଟି ଏହି ଜଗତରେ ପ୍ରତିଷ୍ଠିତ ହୋଇ ପାରିବାଲାଗି ଅନେକ ସାନ ସାନ ରାଜାଙ୍କୁ ନତମସ୍ତକ ହେବାକୁ ପଡ଼ିବ । ମୋ’ର ଭିତରେ ମଧ୍ୟ ସେହି ଅସଲ ସ୍ଵୀକୃତିଟି ସମ୍ଭବ ହୋଇ ପାରିବାଲାଗି ମୋ’ ଭିତରେ ରହି ମୋତେ ଉତ୍ପୀଡ଼ିତ କରି ରଖିଥିବା ଅନ୍ୟ ଅନେକ ଦେବତା ଅର୍ଥାତ୍ ଅନ୍ୟ ଅନେକ ଅନୁରକ୍ତିକୁ କାଟି ବାହାରି ଆସିବାକୁ ପଡ଼ିବ । ଯେଉଁ ଅନୁରକ୍ତିଗୁଡ଼ାକ ସତେଅବା ଗୋଟାଏ ଗୋଟାଏ ପାଚେରୀ ହୋଇ ମୋତେ ବୃହତ୍ତର ସମଗ୍ରତାଟିରୁ ବିଚ୍ଛିନ୍ନ କରି ରଖିଛନ୍ତି, ମୋତେ ନାନା ଅଳ୍ପତା ଓ ମୁଗ୍‍ଧତା ମଧ୍ୟରେ ବାନ୍ଧି ରଖିଛନ୍ତି, ସେଗୁଡ଼ାକୁ କାଟି ବାହାରି ଆସିବାକୁ ପଡ଼ିବ ।

 

ଆନେ ଅନେକେ ଅଧବାଟରେ ଅଟିକିଯାଉ । ଆମର ତଥାକଥିତ ସମର୍ପଣ ଲାଗି ସକଳ ଆୟୋଜନ ସେହିପରି ଭାବରେ ଏକ ଅହଙ୍କାର ହୋଇ ରହିଯାଏ । ସେଇ ଅହଙ୍କାର ହିଁ ରାଜା ହୋଇ ବସେ, –ବାହାରେ କେତେ ବିଜୟ ଦେଖାଏ, କେତେ ପାଟଲୁଗା ପିନ୍ଧେ । କେତେ ଚାରୁବାକ୍ୟ ଦ୍ଵାରା ଆପଣାକୁ ବେଶ୍ ସମ୍ଭ୍ରାନ୍ତ କରି ରଖିଥାଏ,-ତଥାପି ଭିତରେ ବାଡ଼ ପଡ଼ିଥାଏ, ଭିତରେ ଡର ମାଡ଼ୁଥାଏ, –ଆଖି ମେଲି ଆଖି ଯେତେଯାଏ ଯାଇ ପାରିବ, ସେତେଯାଏ ଚାହିଁ ପାରିବାଲାଗି ସାହସ ପାଉନଥାଏ, –ପିତୁଳାଗୁଡ଼ାକର ଆଶ୍ରା କରି ସେତେବେଳେ ଭାରି ଆରମଦାୟକ ମନେ ହେଉଥାଏ । କିନ୍ତୁ ତଦ୍ଦ୍ଵାରା ରାତିଗୁଡ଼ାକ ଆହୁରି ଜାରିହୋଇ ରହିବାଟା ହିଁ ମନେ ହେଉଥାଏ । କିନ୍ତୁ ତଦ୍ଦ୍ଵାରା ରାତିଗୁଡ଼ାକୁ ଆହୁରି ଜାରିହୋଇ ରହିବାଟା ହିଁ ସାରହୁଏ ।

 

୧୬ । ୬ । ୭୯

 

ଆହ୍ଵାନ ଶୁଣିବା ମାତ୍ରକେ ହିଁ ପଥ ମିଳିଯାଏ । ଯେଉଁଠାରୁ ବା ଯାହା ପାଖରୁ ଆହ୍ଵାନ ଆସୁଛି, ତା’ପାଖରେ ଯାଇ ପହଞ୍ଚିବା ସକାଶେ ମୋତେ ସେଇ ବାଟ ଦେଖାଇ ନେଇଯିବ ଓ ତେଣୁ ଏହି ପଥରେ ସେଇ ମୋ’ ସଙ୍ଗେ ସଙ୍ଗେ ରହିଛି, ମୋ’ର ପରମସଖା ହୋଇ ରହିଛି ଓ ମୋ’ ଭିତରେ ରହିଛି, ଏହି ବିଶ୍ଵାସଟି ଆସିଯିବା ମାତ୍ରକେ ପଥ ଚାଲିବାଟା ବି ଭାରି ସହଜ ହୋଇଯିବ । ଯେତେବେଳେ ମୁଁ ତାଙ୍କଠାରୁ ସାହାଯ୍ୟ ଲୋଡ଼ିବି, ସେତେବେଳେ ସିଏ ସେହି ସାହାଯ୍ୟଟିକୁ ମୋ’ ଲାଗି ଅବଶ୍ୟ ଉପଲବ୍‌ଧ କରାଇ ଆଣିବେ,-ଏହିପରି ଅନ୍ତଃପ୍ରତ୍ୟୟ ମୋତେ । ଅନେକ ଅବିଶ୍ଵାସଜନିତ ପ୍ରମାଦରୁ ବାହାର କରି ଆଣୁଥିବ । ଏବଂ ତା’ପରେ ସବୁ ସହଜ ଲାଗିବ, ସବୁ ଭଲ ଲାଗିବ । ବାଟ ଚାଲିବାଟା ଆଉ କଦାପି ଏକ କୃଚ୍ଛ୍ର ବୋଲି ମନେ ହେବନାହିଁ । ମୁଁ ଯେତିକି କଷ୍ଟ ସହିବି, ମୋତେ ସେତିକି କୃଷ୍ଣ ମିଳିବେ, ଏପରି ଏକ ମୌଳିକ ଅବିଶ୍ଵାସରେ ମୋତେ ହୁଏତ ଆଉ କେବେହେଲେ ପଡ଼ିବାକୁ ହେବନାହିଁ ।

 

ହଁ ଏଇଟା ଗୋଟାଏ ଅବିଶ୍ଵାସ । ଆପଣା ଭିତରେ ଆହ୍ଵାନଟିକୁ ନଶୁଣି, ସିଏ ଏହି ଭିତରେ ରହି, ମୋ’ର ବିବେକ ହୋଇ, ମୋ’ର ସଖା ହୋଇ ମୋତେ ବାଟ ଦେଖାଇ ନେଉଛନ୍ତି ବୋଲି ଅନୁଭବ କରି ନପାରିବାର ସେହି ଦୁର୍ଗତି, ଏହାର ମୂଳରେ ଏକ ଅବିଶ୍ଵାସ ରହିଛି, ଏକ ଦୂରତାବୋଧ ରହିଛି, ନିଜକୁ ହେୟ ମନେ କରୁଥିବାର କୌଣସି ଏକ ଦୁର୍ଭାଗ୍ୟ ନିହିତ ହୋଇ ରହିଛି ।

 

୧୭ । ୬ । ୭୯

 

ସେହି ଆଶ୍ରୟ କଦାପି ପ୍ରାଚୀର ପରି କାର୍ଯ୍ୟ କରେନାହିଁ । ସେହି ଅବଲମ୍ବନ ନିର୍ଭରଶୀଳ ହୋଇ ରହିବାକୁ କୌଣସି ପ୍ରକାରେ ବାଧ୍ୟ କରେନାହିଁ । ଏହି ପୃଥିବୀରେ ଆମେ ଅନେକ ସମୟରେ ଆଶ୍ରୟ କହିଲେ ପ୍ରାୟ ଗୁଡ଼ାଏ ପ୍ରାଚୀରକୁ ବୁଝିଥାଉ ଏବଂ ଅବଲମ୍ବନ କହିଲେ ପ୍ରାୟ ଏକ ବ୍ୟାଧିତ ନିର୍ଭରଶୀଳତାକୁ ହିଁ ବୁଝିଥାଉ । ହୁଏତ ଏଇଥି ସକାଶେ ଧର୍ମ ଯୁଗେ ଯୁଗେ ଏତେଏତେ ମଣିଷଙ୍କୁ ନାନାପ୍ରକାର କଳ୍ପିତ ପ୍ରାଚୀର ମଧ୍ୟରେ ଅଲଗା କରି ରଖିବାର ଏବଂ ଅଧିକରୁ ଅଧିକ ମଣିଷଙ୍କୁ ଅକାରଣ ଭାବରେ ନିର୍ଭରଶୀଳ ହୋଇ ରହିବାକୁ ହିଁ ଅଧିକ ସହାୟତା କରି ଆସିଛି ।

 

ସେହି ଆଶ୍ରୟ ଆପଣା ଭିତରେ ଯାବତୀୟ ପ୍ରକାରର ପ୍ରାଚୀରକୁ ଭାଙ୍ଗି ଦେବାର । ଆଶ୍ରୟ, ସେହି ଅବଲମ୍ବନ ହେଉଛି ସବୁପ୍ରକାର ନିର୍ଭରଶୀଳତାକୁ ଭାଙ୍ଗି ଏକ ସ୍ଵାଭାବିକ ଓ ସମର୍ପିତ ଜୀବନ ଯାପନ କରିବାଭଳି ପରିବେଶ ସୃଷ୍ଟି କରି ପାରୁଥିବାର ଅବଲମ୍ବନ । ଏହି ଅବଲମ୍ବନ ମୁକ୍ତି ଦିଏ, ଏହି ଅବଲମ୍ବନ ଅଭୟ ଆଣିଦିଏ,-ସମଗ୍ରଟି ସହିତ ଯୁକ୍ତି କରାଏ,-ଶ୍ରଦ୍ଧାଦ୍ଵାରା ପ୍ରେରିତ ହୋଇ ବାଟ ଚାଲିବାର ରହସ୍ୟଟିକୁ ଉଦ୍‌ଘାଟିତ କରି ଦେଇଯାଏ । ଏହାପରେ ଆଉ କୌଣସି ପ୍ରମାଦ ରହେନାହିଁ, ବାନ୍ଧିହୋଇ ରହିବାର କୌଣସି ଦୁର୍ଗତି ରହେନାହିଁ । ସଂଶୟ ସର୍ବଦା ତାଙ୍କର ବାହୁବେଢ଼ ଭିତରେ ରହି ତଥାପି ମୁକ୍ତ ଭାବରେ ବିଚରଣ କରୁଥିବାର ଅନୁଭବ ମିଳେ । ସେହି ବାହୁବେଢ଼ର ଅଭୟକୁ ଆପଣାର ଦେହ ଭିତରେ ମଧ୍ୟ ଅନୁଭବ କରିହୁଏ ।

 

୧୮ । ୬ । ୭୯

 

ମୋ’ର ଯାବତୀୟ ଦୁଃଖ ହେଉଛି ଏଇ ପାଖରେ, ଏହି ପାଚେରୀଗୁଡ଼ାକୁ ଭିତରେ ଆବଦ୍ଧ ହୋଇ, ବିଚ୍ଛିନ୍ନ ହୋଇ ରହିଥିବା ମୋ’ର ଏହି ସାନ ପୃଥିବୀଟିର, –ଯେଉଁଠାରେ କି ମୁଁ ଅତ୍ୟନ୍ତ ସ୍ପର୍ଶକତାର ହୋଇ ରହିଥାଏ, ଅତ୍ୟନ୍ତ ପରିମାଣରେ ଆତ୍ମତପ୍ତ, କାରଣ ଏକୁଟିଆ ହୋଇ ରହିଥାଏ । ସବୁକିଛିକୁ ମୁଁ ସତେଅବା ଏହି କ୍ଷୁଦ୍ରଟି ଭିତରକୁ ଟାଣିଆଣି ତାହାରିଦ୍ଵାରା ନିଜେ ବହଳ ଓ ବଡ଼, ହୋଇ ଦିଶିବି ବୋଲି ଫିକର କରିବାରେ ଲାଗିଥାଏ । ମୋ’ର ଯାବତୀୟ ଦୁଃଖ ହେଉଛି ଏକ ଅସମର୍ପିତ ଜୀବନର ଦୁଃଖ ।

 

ସମର୍ପିତ ହେବାର ଅର୍ଥ ହେଉଛି ଏହି ବାଡ଼ଗୁଡ଼ାକୁ ଉଠାଇଦେବା, ଏହି ଅତିଅହଙ୍କାରସଞ୍ଚିତ ଅଳ୍ପଗୁଡ଼ାକୁ ନେଇ ସେହି ପରମବିସ୍ତୃତି, ପରମ କରୁଣା ଓ ପରମ ନିର୍ଭର ପାଖରେ consecrate କରିଦେବା, ତାହାରି ହୋଇଯିବା, ତାହାରି ହୋଇ ଆପଣାର ମୁହୂର୍ତ୍ତଗୁଡ଼ିକୁ, ଆଗ୍ରହଗୁଡ଼ିକୁ ଓ ବାସନାଗୁଡ଼ିକୁ ବଞ୍ଚିବା ଭିତରେ ଅସଲ ଶ୍ରଦ୍ଧାଟି ରହିଥିଲେ ଓ ଅସଲ ଆଲୋଡ଼ନଟି ହୋଇ ପାରୁଥିଲେ ଏପରି ହେବା ଆଦୌ କଷ୍ଟକର ହେବନାହିଁ । ଭିତରେ ଭୟଗୁଡ଼ାକ ଭାଙ୍ଗି ଗଲେ ରାତି ପାହିବାକୁ ମୋଟେ ଡେରି ଲାଗେନାହିଁ । ଭିତରେ ତାକୁ ସ୍ପର୍ଶ କରି ପାରିଲେ ସବୁ ଦୂରଗୁଡ଼ାକ ଅତ୍ୟନ୍ତ ନିକଟବର୍ତ୍ତୀ ହୋଇ ଆସନ୍ତି, ସବୁଯାକ ଶାସ୍ତ୍ର ଦେଖି ପାରୁଥିବା ମନ୍ତ୍ରରେ ପରିଣତ ହୋଇ ଯାଆନ୍ତି । ସମ୍ପର୍କଗୁଡ଼ାକ ସତେଅବା ଗୋଟାଏ ଗୋଟାଏ ଖିଅ ହୋଇ ଅସଲ ସମ୍ପର୍କଟି ସହିତ ଯୋଡ଼ି ହୋଇଯାଏ । ତା’ପରେ ସକଳ ଦୁଃଖହରର ଶ୍ରଦ୍ଧାବତରଣରେ ସବୁ ଦୁଃଖ ଅପସରି ଯାଏ ।

Unknown

 

୧୯ । ୬ । ୭୯

 

ବିଚ୍ଛିନ୍ନତା ହେଉଛି ଦୁଃଖ, ଖିଅଛିଣ୍ଡା ହୋଇ ରହିବା ହେଉଛି ଦୁଃଖ, ଆପଣାକୁ ବନ୍ଧୁହରା ବୋଲି ଭାବିବା ହେଉଛି ଦୁଃଖ । ଅନେକ ସମୟରେ ଆହୁରି କ’ଣ ଏକ ଆଗ୍ରହରେ ପଡ଼ି ଆମେ ସତେଅବା ନିଜେ ହିଁ ଆପଣାର ଖିଅଗୁଡ଼ାକୁ ଛିଣ୍ଡାଇଦେବାକୁ ଭାରି ଭଲ ପାଇଥାଉ, ଆପଣାର ଏହି ସବିକିଛିରୁ ବିଛିନ୍ନ କରି ଦେବା ହିଁ ଗୋଟାସୁଦ୍ଧା ସବୁଯାକ ଶାନ୍ତି ଲାଭ କରିବା ବୋଲି ବିଶ୍ଵାସ ଅର୍ଥାତ୍ ଅବିଶ୍ଵାସ କରିବାରେ ଲାଗିଯାଉ, ଏହି ସଂସାରଟା ସତେଅବା ଏତେବଡ଼ ଗୋଟାଏ ଶତ୍ରୁଶିବିର ପରି ଦେଖାଯାଏ ଯେ, ତା’ଭିତରେ ଜଣେ କେହି ବନ୍ଧୁ ରହିଥିବେ ବୋଲି ଆଦୌ ମନେ ହୁଏ ନାହିଁ । ସେତିକିବେଳେ ସତେଅବା ସବୁଯାକ ଦୁଃଖ ଆସି ଆମକୁ ମାଡ଼ି ବସନ୍ତି ।

 

ସିଏ ଏତେ ପାଖରେ ଥାଇ ମଧ୍ୟ ସତେଅବା ଅନେକ ଦୂରରେ ରହିଥିବା ପରି, ଏପରିକି ଆଦୌ କେଉଁଠି ହେଲେ ନଥିବା ପରି ବୋଧ ହୁଅନ୍ତି । ସେତେବେଳେ ତାଙ୍କୁ ଆଣି ନିଜର ଏହି ସାନ ଗାଡ଼ଟି ଭିତରେ ପୂରାଇ ତାଙ୍କୁ ମୋ’ର ବୋଲି କହି ନପାରିବା ପର୍ଯ୍ୟନ୍ତ ଗୋଡ଼ ସତେଅବା କୋଉଠିହେଲେ ଠାକି ପାରେନାହିଁ । ସେତେବେଳେ ଆମେ କାହାରି ହୋଇ ପାରିବାର ସକଳ ସାମର୍ଥ୍ୟ ଓ ସକଳ ଖୁସୀକୁ ହରାଇ ବସିଥାଉ । ତେଣୁ ତାଙ୍କର ହୋଇ ଜୀବନ ବଞ୍ଚିବାର କୌଣସି ପ୍ରଶ୍ନ ହିଁ ନଥାଏ । ସେତିକିବେଳେ ହିଁ ଦୁଃଖ ଭୋଗିବାକୁ ହୁଏ । ଗର୍ତ୍ତଗୁଡ଼ାକୁ ମନ୍ଦିର ବୋଲି କୁହାଯାଏ, ସମ୍ପ୍ରଦାୟଗୁଡ଼ାକୁ ପଥ ବୋଲି କୁହାଯାଏ ଓ ତୁଚ୍ଛା ଭେକଗୁଡ଼ାକୁ ହିଁ ରୂପ ବୋଲି କୁହାଯାଏ ।

 

୨୦ । ୬ । ୭୯

 

ଯାହାକିଛି ମୁଁ ଯଥାର୍ଥରେ ପାଏ, ତାହା ମୁଁ କେବଳ ତାଙ୍କରିଠାରୁ ପାଏ । ଯାହାକିଛି ‘ମୁଁ ଆନନ୍ଦର ସହିତ ପାଏ, ତାହା ସତେଅବା ତାଙ୍କରି ହାତରୁ ଆସୁଥିବା ପରି ବୋଧ ହୁଏ । ମୁଁ ଯାହାକିଛି ପାଇଲି, ତାହା ଭିତରେ ସେହି ବିଦ୍ୟମାନ ରହିଛନ୍ତି ବୋଲି ବୋଧହୁଏ, ସେତେବେଳେ ତାଙ୍କରି କରୁଣାର ସ୍ପର୍ଶଟି ଆସି ବାଜିଯାଏ, ମୋତେ ଧନ୍ୟ କରିଦେଇ ଯାଏ ।

 

ମାତ୍ର ଅନେକ ସମୟରେ, ଯେତେବେଳେ ମୋ’ର ନାନା ଭାବନା ଏବଂ ଅନ୍ୟବାସନା ମୋ’ର ଆନନ୍ଦଟିକୁ ନାନାଭାବେ ଉତ୍ତପ୍ତ ବା ଉତ୍ତେଜିତ କରି ରଖିଥାଏ, ଯେତେବେଳେ ମୁଁ ଆପଣା ଚାରିପାଖରେ ନିଜେ ଘେରାଇ ରଖିଥିବା ନାନା ଅଳ୍ପତା ଦ୍ଵାରା ସନ୍ତପ୍ତ ହୋଇ ରହିଥାଏ, ସେତେବେଳେ ତାଙ୍କର ହାତଟିକୁ ଚିହ୍ନି ପାରିବା ଭାରି କଷ୍ଟକର ହୋଇପଡ଼େ । ସେତେବେଳେ ମୁଁ ଆପଣାର ଅନେକ ଲୋଭଗ୍ରସ୍ତତା ଦ୍ଵାରା ଯାବତୀୟ ପ୍ରାପ୍ତିକୁ କେବଳ ଏକ ମହାକ୍ଷୋଭରେ ହିଁ ପରିଣତ କରି ରଖିଥାଏ । ଉପରେ କେତେ ଆଡ଼ମ୍ବର ଥାଏ, ମାତ୍ର ଭିତରେ ଈର୍ଷାଟା ହିଁ ସବୁଠାରୁ ଅଧିକ ଜବର ହୋଇ ରହିଥାଏ, ଆଖିଦୁଇଟା ଉପରେ କେତେ ମେଘ ମାଡ଼ିକରି ରହିଥାନ୍ତି, ତେଣୁ ଦୁଇ ଆଖି ମେଲାଇ କାହାରିକୁ ବା କୌଣସି ସମ୍ପଦକୁ ଆପଣା ଭିତରକୁ ସ୍ଵାଗତ କରି ଆଣିବା ମଧ୍ୟ ମୋ’ ପକ୍ଷରେ ସେତେବେଳେ ଆଉ ସମ୍ଭବ ହୁଏନାହିଁ । ଏହି ଭୂବନମୂର୍ତ୍ତି କରୁଣା ଭିତରେ ମୁଁ ତଥାପି ଦରିଦ୍ର ହୋଇ ରହିଥାଏ, ମୋ’ର ଭକ୍ତି ଭାରି ଦୟନୀୟ ଭାବରେ ଅର୍ତ୍ତ ହୋଇ ରହିଥାଏ । ମୁଁ ଆଉସବୁ କେଉଁ ଗାତମାନଙ୍କରେ ପଶି ଆଉ କି ଆନନ୍ଦ ଖୋଜି ବୁଲିବାକୁ ମନ କରୁଥାଏ କେଜାଣି, ଜଗତକୁ ଆନ୍ଦୋଳିତ ଏବଂ ଅନୁସିକ୍ତ କରି ରଖିଥିବା ବିପୁଳ ଆନନ୍ଦଟିରେ ମୁଁ ସତେଅବା ଆଦୌ କୌଣସି ଭାଗ ନେଇ ପାରେନାହିଁ ।

 

୨୧ । ୬ । ୭୯

 

ଯେଉଁ ଅନୁରାଗ ଏହି ସଂସାର ଭରି କାର୍ଯ୍ୟକାରୀ ହୋଇ ରହିଛି, ଯେଉଁ ଅନୁରାଗ ଏହି ସବୁଟିର ମୂଳରେ ରହିଛି, ଯିଏ ଜନନୀ ପରି ହୋଇ ଏହି ସବୁଟିକୁ ଜନ୍ମ ଦେଉଛି, ସେଇ ଏଠି ମୋ’ ନିଜ ଘରଟି ଭିତରେ ମଧ୍ୟ ପୂର୍ଣ୍ଣ ହୋଇ ରହିଛି । ସିଏ ଏଠି ମୋ’ ଆଖିରେ ମଧ୍ୟ ଏତେ ଅନୁରାଗ ଭରି ଦେଇଛି । ତାହାରି ପାଇଁ ଏହି ଜଗତ ଏତେ ଭଲ ଲାଗୁଛି, –ଯେତେ ସାନ ହୋଇଥିଲେ ମଧ୍ୟ ମୋ’ର ଛାତିଭିତରେ ଯେପରି କୋଉଠି କ’ଣ କେତେ କୁଆଡ଼କୁ ପ୍ରସାରିତ ହୋଇ ରହିଛି, କେତେ କୁଆଡ଼କୁ ସ୍ପର୍ଶ କରି ରହିଛି ।

 

ମୋ’ର ଯାବତୀୟ ଜାଣିବା, ଯାବତୀୟ ବିଚରଣ ଏବଂ ଯାବତୀୟ ବିଚାରଣା ପଛରେ ଯେଉଁ ଦିନଠାରୁ ଏହି ଅନୁରାଗଟି ହିଁ ସର୍ବମୂଳ ପ୍ରେରଣା ହୋଇ ରହିଲାଣି, ସେହି ଦିନଠାରୁ ମୁଁ ଏହି ଜୀବନକୁ ଏକ ଅନ୍ୟପ୍ରକାରେ ଦେଖିବାକୁ ଶିଖିଛି । ସେହି ଦିନଠାରୁ ସବୁକିଛି ମୋ’ଲାଗି ଅତ୍ୟନ୍ତ ହାଲୁକା ହୋଇଯାଇଛି, ମୋ’ର ଗୋଟିଏ ପଥ ଯେପରି ସହସ୍ର ପଥର ବିସ୍ତୃତିରେ କେତେ କ’ଣ ଆବୋରି ଧରିଛି । ତେଣୁ, ମୁଁ ଯାହାକିଛି କରୁଛି ତାକୁ ଯେପରି କେବଳ ମୁଇଁ କରୁନାହିଁ; ମୁଁ ଯାହା ଜାଣୁଛି, ତାହାକୁ କେବଳ ମୁଇଁ ଜାଣୁନାହିଁ; –କେବଳ ମୋ’ରି ଲାଗି କରୁନାହିଁ ବା ମୋ’ରି ଲାଗି ଜାଣୁନାହିଁ । ସତେଅବା ଏକ ମହିମାମୟ ଉତ୍ସବରେ ମୁଁ ଆହୁରି ଅନେକଙ୍କ ସହିତ ଏକତ୍ର ସମ୍ମିଳିତ ହୋଇ ରହିଛି । ଏହାରି ଫଳରେ ବୋଧହୁଏ ଭିତରେ ଅନେକ ଗଣ୍ଠି କେଡ଼େ ସହଜରେ ଫିଟିଯାଇଛି, କେତେ ପ୍ରକାରର କେତେ ଲାଜ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଅପସାରିତ ହୋଇଯାଇଛି । ହଁ, ମୋ’ର କେତେ ଭୟ ଭାଙ୍ଗି ଯାଇ ପାରିଛି ।

 

୨୨ । ୬ । ୭୯

 

ବିଶ୍ଵାସ ହେଉଛି ଏକ movement, –ଏହା ଏକ କ୍ରିୟା । ଅର୍ଥାତ୍ ମଣିଷ ଯେତେବେଳେ ଯର୍ଥାତ୍ ଭାବରେ ସକ୍ରିୟ ହୁଏ, ତାହାର ସେହି ସକ୍ରିୟତା ବିଶ୍ଵାସରୂପେ ଆପଣାକୁ ଅଭିବ୍ୟକ୍ତ କରାଇ ଆଣିଥାଏ । ବିଶ୍ଵାସୀ ମଣିଷ ଏକ ସବଳ ମଣିଷ, ସକ୍ରିୟ ମଣିଷ ।

 

ଆତ୍ମା ସଚଳ, –ଅର୍ଥାତ୍ ଆତ୍ମାର ଜ୍ଞାନ ମଧ୍ୟ ସଚଳ । ତାହା ସ୍ଵତଃସ୍ପୂର୍ତ୍ତ, ତାହା ଅପରୋକ୍ଷ-। ଆତ୍ମାର ଜ୍ଞାନ ଏକ ସମଗ୍ର ଜ୍ଞାନ, ଆତ୍ମାର ପ୍ରେରଣା ଏକ ସମଗ୍ର ପ୍ରେରଣା । ଜୀବନରେ ଆମର ଉପଲବ୍‍ଧି ଏବଂ ଆବିଷ୍କାରଗୁଡ଼ିକ ଯେତିକି ସମଗ୍ର ହେବାକୁ ସମର୍ଥ ହୁଅନ୍ତି, ଆମର ଜୀବନଟି ସେତିକି ଅଧିକରୁ ଅଧିକ ପରିମାଣରେ ଆପଣାକୁ ସମଗ୍ର ଭାବରେ ପ୍ରକଟ କରିବାକୁ ସମର୍ଥ ହୋଇଥାଏ । ଆମର ସୂତ୍ରଗୁଡ଼ିକ ସେତିକି ସମଗ୍ର ହେଉଥାଏ, ଆମର ଶ୍ରଦ୍ଧାଗୁଡ଼ିକ ସେତିକି ସମଗ୍ର ହେଉଥାଏ, ଆମର ଦୃଷ୍ଟିଟି ମଧ୍ୟ ସେତିକି ସମଗ୍ର ହୁଏ । ସେତେବେଳେ ଆମର ଭକ୍ତି ବା ଆମର ଦୃଷ୍ଟିଟି ଆଉ କେବଳ ଆମରି ଭକ୍ତି ବା ଆମରି ଦୃଷ୍ଟି ହୋଇ ରହେ ନାହିଁ । ଅର୍ଥାତ୍ ଆମର ବିଶ୍ଵାସ ଆମକୁ ଏକ ବିସ୍ତାର ଆଣିଦିଏ, ଆମକୁ ଏକ ଉଦାର ସର୍ବାନ୍ତଗାମୀ ସ୍ନେହଶକ୍ତି, ଏକାନ୍ତ ହେବାର ଶକ୍ତି ଆଣିଦିଏ । ତେଣୁ, ବିଶ୍ଵାସ ଆସିଲେ ହିଁ, ଅସଲ ବିଶ୍ଵାସର ଯୋଗ୍ୟତା ଆସିଲେ ହିଁ ଆମ ଜୀବନରେ ଏକ ସାଗରସ୍ପର୍ଶ ସମ୍ଭବ ହୋଇଥାଏ, ଏକ ଦ୍ଵାରୋନ୍ମୋଚନ ସମ୍ଭବ ହୁଏ,-ଯାହାଫଳରେ ମୋ’ର ପୁଲକ ଏକ ବିଶ୍ଵପୁଲକରେ ପରିଣତ ହୋଇପାରେ, ମୋତେ ତାହା ଏହି ଅଳ୍ପତା ମଧ୍ୟରୁ ମୋ’ରି ଭିତରେ ଅପେକ୍ଷା କରି ରହିଥିବା ଏକ ବୃହତ୍ତା ମଧ୍ୟକୁ ପ୍ରେରିତ କରି ନେଇଯାଏ ।

 

୨୩ । ୬ । ୭୯

 

ସେହି କରୁଣା ଯେତେବେଳେ ଆମର ସଂକଳ୍ପଶକ୍ତିରେ ପରିଣତ ହୋଇଯାଏ ସେତିକିବେଳେ ହିଁ ନ୍ୟାୟର ପ୍ରତିଷ୍ଠା ହୁଏ । ଯେତେବେଳ ପର୍ଯ୍ୟନ୍ତ ଆମେସବୁ ପରସ୍ପରଠାରୁ ଅତ୍ୟନ୍ତ ବିଚ୍ଛିନ୍ନ ଭାବରେ ଆପଣାର ଏକୁଟିଆ ଭଲ ଓ ଏକୁଟିଆ ମୋକ୍ଷ ତଥା ମୁକ୍ତିଗୁଡ଼ିକର ଅନୁଧାବନ କରୁଥାଉ, ସେତେବେଳ ପର୍ଯ୍ୟନ୍ତ ଆମେ ଭିତରେ ଓ ବାହାରେ ଅତ୍ୟନ୍ତ ନିଷ୍କରୁଣ ହୋଇ ରହିଥାଉ । ସେତେବେଳ ଯାଏ ଆମେ କେବଳ ନିଜ ଛଡ଼ା ଆଉ କାହାରିକୁ ବି ଦେଖିବାକୁ ପାଉନାହିଁ । ପୃଥିବୀ ଭରି ସେହି ଗୋଟିଏ କରୁଣା ସମସ୍ତଙ୍କୁ ଓ ସବୁଟିକୁ ଆବୋରି ରହିଛି ବୋଲି ଆମେ ସେତେବେଳେ ମୋଟେ ଅନୁଭବ କରି ପାରୁନାହିଁ । ଆମ ଭଗବାନଗୁଡ଼ାଙ୍କୁ ମଧ୍ୟ ଆମେ ସମଗ୍ର ସୃଷ୍ଟି ମଧ୍ୟରୁ ନିଜର ସାନା ସାନ ଗହ୍ଵରଗୁଡ଼ାକୁ ଭିତରକୁ ଟାଣି ଆଣିଥାଉ ଓ ସତେଅବା ଗୋଟାଏ ଗୋଟାଏ ପିତୁଳା ପରି ସେଗୁଡ଼ାକୁ ଆମର ଅଳ୍ପଭକ୍ତି ଓ ଖଣ୍ଡଭକ୍ତି ଦ୍ଵାରା ନଚାଇବାରେ ଲାଗିଥାଉ । ସେତେବେଳେ ଆମରି ଦ୍ଵାରା ହିଁ ଏହି ଜଗତର ଯାବତୀୟ ନ୍ୟାୟ ପରାଭୂତ ଓ ତିରସ୍କୃତ ହୋଇ ରହିଥାଏ ।

 

ଭଗବତ୍-କରୁଣା ସମଗ୍ର ବିଶ୍ଵକୁ ଆବୋରି ରଖିଥିବା ଏକ ଶକ୍ତି । ମୁଁ ତାହାରି ଭାଜନ ହେବି, ତାହାରି ଲାଗି ଆପଣାର ଜୀବନ ମଧ୍ୟରେ ସ୍ଥାନ କରି ପାରିବି, ତାହାରିପାଇଁ ବଞ୍ଚିବି, –ମୋ’ର ଦୁଃଖ, ସୁଖ ଆଗ୍ରହ ଏବଂ ଗ୍ରହଣଶୀଳତା ଗୁଡ଼ାକୁ ମୁଁ ତାହାରି ସ୍ତରକୁ ଉତ୍ତୋଳିତ କରିନେଇ ପାରିବି, ମୋ’ର ଯାବତୀୟ ଆଚରଣ, ବିଚାର ଏବଂ ବିଚରଣରେ ମୁଁ ତାହାକୁ ସ୍ପର୍ଶ କରି ପାରୁଥିବି । ତେବେ ମୁଁ ବିଶ୍ଵନ୍ୟାୟର ପ୍ରତିଷ୍ଠାରେ ଏକ ନିମିତ୍ତରୂପେ ବ୍ୟବହୃତ ହୋଇ ପାରିବି ।

 

୨୪ । ୬ । ୭୯

 

ଅବତାର ଏଇଠି ଥାଆନ୍ତି, ଏଇଠି ପ୍ରକଟ ହୁଅନ୍ତି । ଅନ୍ୟ କୌଣସିଠାରେ ହିଁ ତାଙ୍କୁ କଦାପି ଅବତାର ବୋଲି କୁହାଯାଇ ପାରିବନାହିଁ । ସିଏ ଏଇଠି ପ୍ରଚ୍ଛନ୍ନ ହୋଇ ରହିଥାନ୍ତି । ଆମ ସମସ୍ତଙ୍କ ଭିତରେ ପ୍ରଚ୍ଛନ୍ନ ହୋଇ ରହିଥାଆନ୍ତି । ଯୁଗଟି ଭିତରେ ପ୍ରଚ୍ଛନ୍ନ ହୋଇ ରହିଥାନ୍ତି, ଇତିହାସର ପ୍ରୟୋଜନଟି ମଧ୍ୟରେ ସିଏ ପ୍ରଚ୍ଛନ୍ନ ହୋଇ ରହିଥାନ୍ତି । ଆମ ସମସ୍ତଙ୍କର ପରବର୍ତ୍ତୀ ସମ୍ଭାବନାଗୁଡ଼ିକୁ ବହନ କରି ସେ ଆମରି ଭିତରେ ପ୍ରଚ୍ଛନ୍ନ ହୋଇ ରହିଥାନ୍ତି । ସେହି ଅବତାର ଦିବ୍ୟ କରୁଣାକୁ ହିଁ ଏଠାରେ ପ୍ରକଟ କରିଦିଅନ୍ତି । ଦିବ୍ୟ କରୁଣା ମଧ୍ୟ ଏଠାରେ ସବୁବେଳେ ରହିଥାଏ, ବିଶ୍ଵମୟ ଶ୍ରଦ୍ଧା ଏବଂ ବିଶ୍ଵମୟ ସୌନ୍ଦର୍ଯରୂପେ ସିଏ ଏଇଠି ବିବରଣ କରୁଥାଏ, ତାହା ଆମକୁ ସ୍ପର୍ଶ କରି ରଖିଥାଏ । ଆମେ ସେହି ସ୍ପର୍ଶକୁ ଅନୁଭବ କରି ପାରୁନଥାଉ । ନାନା କାରଣରୁ ଆମେ ଅନେକେ ଆମର ଅତି ନିକଟରେ ତାହାର ଉପସ୍ଥିତିକୁ ଅନୁଭବ କରି ପାରୁ ନଥାଉ । ଆମକୁ ପ୍ରାୟ ଆଙ୍ଗୁଠି ଦେଖାଇ କହି ଦେବାକୁ ଏବଂ ସେହି ସ୍ପର୍ଶ ଓ ସେହି ସାନ୍ନିଧ୍ୟଟି ବିଷୟରେ ଜାଗ୍ରତ ଏବଂ ସଚେତନ କରାଇ ଦେବାକୁ ଯାହାର ଆବିର୍ଭାବ ହୁଏ, ଆମ ଭାଷାରେ ଆମେ ତାହାକୁ ଏକ ଅବତାର ବୋଲି କହିଥାଉ । ଅବତାର ଆମର ମାନରକ୍ଷା କରେ ।

 

ତେଣୁ, ଅବତାର ହେଉଛି ଏକ ଆହ୍ଵାନ । ପରମ ସଙ୍ଗୀର ଆହ୍ଵାନ, ପରମ ସମ୍ଭାବନାରେ ଆହ୍ଵାନ, –ଆମର ଯାବତୀୟ ଅବିଶ୍ଵାସ ମଧ୍ୟରେ ବିଶ୍ୱାସରେ ଆହ୍ଵାନ, ଆମର ଯାବତୀୟ ସଂଶୟ ମଧ୍ୟରେ ତାହା ହେଉଛି ସତ୍ୟର ଆହ୍ଵାନ । ଆମ କଳ୍ପନାରୁ ପ୍ରସୂତ ନାନା ଶକ୍ତିହୀନତା ମଧ୍ୟରେ ତାହା ହେଉଛି ଶକ୍ତିର ଆହ୍ଵାନ ।

 

୨୫ । ୬ । ୭୯

 

ପ୍ରତ୍ୟେକ ମଣିଷ, ସିଏ ଏକ ଯନ୍ତ୍ରରୂପେ ହିଁ ତିଆରି ହୋଇ ଆସିଛି । ସିଏ ଏଠି ଯାବତୀୟ ସୌନ୍ଦର୍ଯ୍ୟ ଓ ଯାବତୀୟ ଶିବକୁ ଚିହ୍ନିବ, ଆପଣାକୁ ସେହି ସୌନ୍ଦର୍ଯ୍ୟ ଏବଂ ଶିବିର ଏକ ଯନ୍ତ୍ରରୂପେ ଅଭିପ୍ରେତ ହୋଇ ଆସିଥିବା ପରି ଅନୁଭବ କରିବ । ଉପରେ ଯେଉଁଠି ଯେତେ ଅସୁନ୍ଦର ଏବଂ ଅଶିବ ଆଣ୍ଟ ଜମାଇ ବସିଥାଉ ପଛକେ, ସିଏ ତାହାରି ପଛରେ ଅଭିବ୍ୟକ୍ତ ହୋଇ ପରିବାଲାଗି ଅପେକ୍ଷା କରି ରହିଥିବା ସୌନ୍ଦର୍ଯ୍ୟ ଏବଂ ଶିବକୁ ଆପଣା ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଅନୁଭବ କରିବାକୁ ସମର୍ଥ ହେବ, ତାହାରି ଲାଗି କାର୍ଯ୍ୟ କରିବ, ତାହାରି ଅଭିବ୍ୟକ୍ତି ସକାଶେ ଆପଣାକୁ ଏକ ଯନ୍ତ୍ରରୂପେ ଗଢ଼ିବ, ଏକ ପ୍ରକୃତ ଓ ସହଜ ଯନ୍ତ୍ର ହୋଇ ପାରିବାଲାଗି ସିଏ ଅନ୍ତଃବିଭୁଙ୍କ ପାଖରେ ଶକ୍ତିର ପ୍ରାର୍ଥନା କରିବ ।

 

ଶିଷ୍ୟ ହୋଇ ପାରିବାଲାଗି ଏତିକି ଯଥେଷ୍ଟ, ପାଦ ଛୁଇଁ ପାରିବାଲାଗି ଏତିକି ଯଥେଷ୍ଟ, ଦିବ୍ୟ କରୁଣାର ବାସନାଟିକୁ ଆପଣା ଜୀବନରେ ଅନୁଭବ କରି ପାରିବାପାଇଁ ପ୍ରକୃତରେ ସେତିକି ଯଥେଷ୍ଟ । ଶିଷ୍ୟ ହେବା ଲାଗି କୌଣସି ଚିତା ଲୋଡ଼ା ନାହିଁ, ପଇତା ଲୋଡ଼ାନାହିଁ ବାନା ଲୋଡ଼ାନାହିଁ, କୌଣସି ପ୍ରକାର ବିଶେଷ ରୀତିରେ କୀର୍ତ୍ତନ କରିବାର ମଧ୍ୟ ଲୋଡ଼ାନାହିଁ । ଯେତେବେଳେ ଆମେ ତାଙ୍କର ନହୋଇ ତାଙ୍କୁ ଗୋଟାସୁଦ୍ଧା ଆମର କରି ରଖିବାର ଚତୁର ଫନ୍ଦିରେ ପଡ଼ି ଯାଇଥାଉ, ଅଧିକାଂଶତଃ ସେତିକିବେଳେ ହିଁ ଶିଷ୍ୟତ୍ଵ ଲାଗି ଚିତା, ପଇତା ଏବଂ ଆନୁଷଙ୍ଗିକ ଆଉ ସବୁକିଛିର ପ୍ରୟୋଜନ ହୋଇଥାଏ । ଚିତା ଓ ପଇତାର ଗହଳି ଭିତରେ ଶିଷ୍ୟତ୍ଵଟା ପ୍ରାୟ ଗୋଟାସୁଦ୍ଧା ପାସୋରି ହୋଇ ରହିଯାଏ ।

 

୨୬ । ୬ । ୭୯

 

ତାଙ୍କରି ସୃଜନକାରିଣୀ ଶକ୍ତି ମୋ’ ଭିତରେ ପ୍ରବେଶ କରି ମୋତେ ପ୍ରତ୍ୟେକ ମୁହୂର୍ତ୍ତରେ ଜନ୍ମ ଦେବାରେ ଲାଗିଛି । ସେହି ଜନନୀ ମୋତେ ଧାରଣ କରି ରହିଛନ୍ତି ବୋଲି ଅର୍ଥାତ୍, ଅପର ଦୃଷ୍ଟିଟିକୁ ଅନୁଭବ କରି ପାରିଲେ ମୁଁ ମୋ ନିଜ ଭିତରେ ସେହି ଜନନୀଙ୍କୁ ଧାରଣ କରି ରହିଛି ବୋଲି ଜୀବନର ପ୍ରତ୍ୟେକ ପାଦ ଓ ଜୀବନର ପ୍ରତ୍ୟେକ ଆହ୍ଵାନ ଗୋଟିଏ ଗୋଟିଏ ନୂତନ ଜନ୍ମରୂପେ ଅଭିବ୍ୟକ୍ତ ହେବାରେ ଲାଗିଛି । ଏହି ନୂତନ ଜନ୍ମର ସାମର୍ଥ୍ୟଟିକୁ ବହନ କରି ପାରିଥିବାରୁ ଏହି ଜୀବନ ଏତେ ଭଲ ଲାଗୁଛି, ଏତେ ସମ୍ଭାବନାମୟ ଲାଗୁଛି, –ସେଇଥିଲାଗି ଏଠି ଯାବତୀୟ ନଶ୍ଵରତା ଏକ ଅନନ୍ତ ସଂଲଗ୍ନତା ରୂପେ ଆପଣାକୁ ଅନୁଭୂତ କରାଇ ପାରୁଛି । ପରମ ଦିବ୍ୟ କରୁଣା ସେହି ଜନନୀ ରୂପେ ହିଁ ମୋ’ ଭିତରେ ଏତେ ଉଦ୍ୟମ, ଏତେ ସ୍ଵପ୍ନ ଏବଂ ଏତେ ସକ୍ରିୟତାରୂପେ ଅନୁଭୂତ ହୋଇ ପାରୁଛନ୍ତି । ତାଙ୍କରି ସକାଶେ, ଅର୍ଥାତ୍ ତାଙ୍କୁ ହିଁ ଆପଣା ଭିତରେ ଅନୁଭବ କରି ପାରୁଥିବାରୁ ହିଁ ମୁଁ ଦିବ୍ୟ କରୁଣାର ଭାଜନ ହୋଇ ପାରୁଛି, ଦିବ୍ୟ କରୁଣା ପାଖରେ କିଛି ମାଗିବା ପୂର୍ବରୁ ମୁଁ ତାହାରି ଏହି ଚରାଚରବ୍ୟାପ୍ତି ମଧ୍ୟରେ ଏକ ନିମିତ୍ତ ହୋଇ ପାରିବାର ସାହସ ବି କରିପାରୁଛି । ଏବଂ, ହୁଏତ ସେଇଥିଲାଗି ମୁଁ ଦିବ୍ୟ କରୁଣା ଏବଂ ଦିବ୍ୟ ଜନନୀଙ୍କ ମଧ୍ୟରେ ଆଦୌ କୌଣସି ତଫାତ୍ ରହିଥିବାର ଅନୁଭବ କରି ପାରୁନାହିଁ । ତାଙ୍କ ପାଖରେ କିଛି ମାଗି ପାରିବାଲାଗି ଅନ୍ତତଃ ଯେତିକି ଦୂରତାବୋଧ ରହିଥିବା ଦରକାର ବା ସମୀଚୀନ, ସେତିକି ଦୂରତା ମଧ୍ୟ ଅନୁଭବ କଲା ବେଳକୁ ତାହା ସତେଅବା ଏକ ମିଥ୍ୟା ବୋଲି ବୋଧ ହେଉଛି । ସେହି ଜନନୀରୂପୀ ସେତୁଟି ସକାଶେ ହିଁ ତାହା ସମ୍ଭବ ହେଉଛି ।

 

୨୭ । ୬ । ୭୯

 

ଯାହା ମଝିରେ ସେତୁପରି ହୋଇ ଏପାଖଟି ସହିତ ସେପାଖରେ ଖିଅ ଲଗାଇଦିଏ, ସେଇ ଜନନୀ । ସିଏ ସେପାଖରୁ ସମ୍ଭୂତ ହୋଇ ଏପାଖରେ ସେହି ଅସଲ ଉତ୍ସମୂଳଟିର ପ୍ରେରଣାକୁ ଜାଗ୍ରତ କରାଇ ଦେଉଥାଏ । ଆପଣା ଭିତରେ ଜନନୀର ସ୍ପର୍ଶ ଲାଭ କରିବାର ଅର୍ଥ ହେଉଛି ନିଜର ଜୀବନରେ ସେହି ସେତୁଟିକୁ ପାଇଯିବା, ଯାହାକି ଆମକୁ ସେହି ଉତ୍ସ ପର୍ଯ୍ୟନ୍ତ ନେଇ ପହଞ୍ଚାଇ ପାରିବ । ବେଳେବେଳେ ମନେହୁଏ, ମୋ’ଭିତରେ ସେହି ଜନନୀ ସତେଅବା ଏକ ଖିଅ ପରି ହୋଇ ରହିଛନ୍ତି ବୋଲି ମୁଁ ଅଭୀପ୍‌ସା କରିପାରୁଛି, ମୁଁ ସ୍ଵପ୍ନ ଦେଖି ପାରୁଛି, ଆପଣାକୁ ସମସ୍ତଙ୍କ ଭିତରକୁ ପ୍ରସାରିତ କରିଦେଇ ପାରୁଛି ଏବଂ ଆପଣା ଭିତରେ ସମସ୍ତଙ୍କର ଖୋଜଗୁଡ଼ିକୁ ବାରିନେଇ ବି ପାରୁଛି । ସେହି ଉପସ୍ଥିତିଟି ସକାଶେ ମୋତେ ଅଳ୍ପ ଗୁଡ଼ାକ ମୋଟେ ଭଲ ଲାଗୁନାହିଁ, ବାଡ଼ ଗୁଡ଼ାକ ମୋଟେ ଭଲ ଲାଗୁନାହିଁ, ବାଡ଼ଗୁଡ଼ାକ ପରସ୍ପରକୁ ଆବୋରି ରହି ମଝିରେ ଅହଂ ବୋଲି ଯେଉଁ ଶୂନ୍ୟତା ଓ ସନ୍ତାପଟାକୁ ରଚନା କରିଥାନ୍ତି, ସେଇଟା ମଧ୍ୟ ଆଦୌ ଭଲ ଲାଗୁନାହିଁ । ଏହି ଭଲ ନ ଲାଗିବାଟାକୁ ଯେ ମୁଁ ପ୍ରକାଶ କରି ପାରୁଛି, ତାହାହିଁ ଜନନୀର କରୁଣା । ସେହି କରୁଣା ବାରବାର ମୋ’ଭିତରେ କେତେ ଦ୍ଵାରରେ ଉନ୍ମୋଚନ କରିଦେଇ ଯାଉଛି ମୋତେ କେତେ ସଂପ୍ରସାରଣ ଲାଗି ଭାଜନ କରିଦେଇ ପାରୁଛି । ତେଣୁ ଯେ କିଏ ଭୂମାରୂପେ, ବନ୍ଧୁରୂପେ ମୋ’ଭିତରେ ପ୍ରବେଶ କରିବାକୁ ବାହାରି ଆସିଲେଣି, ମୋ’ ଭିତରେ ଅଦମ୍ୟ ଭାବରେ ସେହିପରି ଏକ ନିର୍ଭର ଏବଂ ବିଶ୍ଵାସକୁ ଜାଗ୍ରତ କରିଦେଇ ଯାଉଛି ।

 

୨୮ । ୬ । ୭୯

 

ତାଙ୍କରି କରୁଣା ହେଉଛି ମୋ’ଜୀବନର ଉତ୍ସାହ–ପାଖ । ଜଗତରେ ଯଦି କେବଳ ପୂର୍ଣ୍ଣତା ଓ ଅପୂର୍ଣ୍ଣତାର ବିଚାର ହେଉଥାନ୍ତା, ଦୋଷ ଦେଖିବା ମାତ୍ରକେ କୌଣସି କ୍ରୂର ଭଗବାନ ଯଦି ଖାଲି ଦଣ୍ଡ ଦେବାଲାଗି ବାହାରି ଆସୁଥାନ୍ତା, ତେବେ ହୁଏତ ଆମେ କେହି ଏଠାରେ ନଥାନ୍ତେ-। କିନ୍ତୁ, ତାଙ୍କର ମୋ’ରି ଭିତରେ ଅର୍ଥାତ୍ ଏହି ପୃଥିବୀରେ ପ୍ରକଟ ହେବାରେ ପ୍ରକ୍ରିୟାଟି ମଧ୍ୟରେ ପ୍ରକୃତରେ କେତେ ଧୈର୍ଯ୍ୟ ପରିପୂର୍ଣ୍ଣ ହୋଇ ନ ରହିଛି ! ସେହି ଧୈର୍ଯ୍ୟ ଓ ସେହି ଶ୍ରଦ୍ଧା, –ତାହାହିଁ କରୁଣାରୂପେ ସଂସାରକୁ ପାଳୁଛି, ମୋତେ ପାଳୁଛି, ମୋ’ଉପରେ ବିଶ୍ଵାସ ରଖିଛି, ମୋତେ ସହସ୍ର ଅଯୋଗ୍ୟତା ମଧ୍ୟରେ ତଥାପି ଯୋଗ୍ୟ କରି ଆଣୁଛି ସହସ୍ର ଅସମର୍ଥତା ସତ୍ତ୍ୱେ ମୋତେ ତଥାପି ସମର୍ଥ କରି ଆଣୁଛି । ସବୁ ପ୍ରକାରର କେତେ ଅବିଶ୍ଵାସ ମଧ୍ୟରେ ତାହା ମୋ’ଭିତରେ ତଥାପି ଏକ ଅବିଚଳ ବିଶ୍ଵାସରୂପେ ଆପଣାକୁ ଅନୁଭୂତ କରାଇପାରୁଛି ।

 

ମୋର ଯାବତୀୟ ଶ୍ରଦ୍ଧା ମଧ୍ୟରେ ଏହି ଧୈର୍ଯ୍ୟଟି ଅତୁଟ ହୋଇ ରହିଥାଉ । ମୋ’ର ଯାବତୀୟ ଶ୍ରଦ୍ଧା ଓ ଯାବତୀୟ ଉଦ୍ୟମ ତା’ର ଏହି ଅସଲ ରଜ୍ଜୁ ଓ ଅସଲ ନିର୍ଭରଟିକୁ କେବେହେଲେ ହାତଛଡ଼ା କରି ନଦେଉ । ତେବେ, ଅଗ୍ରସର ହୋଇ ପାରିବାର ପଥରେ ଆଉ କୌଣସି ପ୍ରମାଦ ରହିବନାହିଁ । ବାଧା ଆସିବ, ତଥାପି ମୁଁ କଦାପି ଅଟକି ରହି ଯିବିନାହିଁ । ସେହି କରୁଣା ହିଁ ଏହିପରି ଭାବରେ ମୋ’ଭିତରେ ଶ୍ରଦ୍ଧାରୂପେ ନିତ୍ୟ ନବଜନ୍ମ ଲାଭ କରିବାରେ ଲାଗିଥାଉ ।

 

୨୯ । ୬ । ୭୯

 

ଦୁଆର ବନ୍ଦଥିଲେ ସବୁ ଅସମ୍ଭବ, ଖିଅ ଲାଗି ନଥିଲେ ସବୁ ଅସମ୍ଭବ । ମୁଁ ସମ୍ମତ ନଥିଲେ ସବୁ ଅସମ୍ଭବ । ଏବଂ, ମୁଁ ସବାଆଗ ପ୍ରମାଣ ଚାହୁଥିଲେ ମୋ’ ପାଇଁ ସବୁ ଅସମ୍ଭବ ।

 

ଖିଅ ଲାଗିଥିଲେ ସବୁ ସମ୍ଭବ । ଖିଅ ଲଗାଇବାର ସାହସ ନଥିଲେ ଆମେ ଦୂରରେ ରଖି କେବଳ ପୂଜା କରିବାରେ ଲାଗିଥାଉ । ଭଗବାନଙ୍କୁ ନିରାପଦ ଦୂରତାରେ ରଖିଥାଉ ଏବଂ ସେହିପରି ଭାବରେ ଆପଣାକୁ ନିରାପଦ ଦୂରତାରେ ରଖିଥାଉ । ଆପଣା ଭିତରେ ଅନେକ ସମ୍ଭାବନାକୂ ପ୍ରାୟ ଗୋଟିଏ ଗୋଟିଏ ଅସମ୍ଭବତାରେ ପରିଣତ ରଖିଥାଉ, ଆପଣା ଭିତରର ଅନେକ ବିଶ୍ୱାସକୁ ପ୍ରାୟ ଗୋଟାଏ ଗୋଟାଏ ଅବିଶ୍ୱାସରେ ପରିଣତ କରି ରଖିଥାଉ, ଆମ ଭିତରେ ରହିଥିବା ଅନେକ ସମ୍ମତିକୁ ପ୍ରାୟ ଗୋଟାଏ ଗୋଟାଏ ଭୀରୁ ଅସମ୍ମତିରେ ପରିଣତ କରି ରଖିଥାଉ ।

 

ତାଙ୍କରି କରୁଣା ଯେ ସେଇ ପ୍ରଥମ ଦିନରୁ ଆମରି ଭିତରେ ଆମଲାଗି ଅପେକ୍ଷା କରି ରହିଛି, ବାହାରେ ଥାଇ ସତେଅବା ଆକାଶର ତଳକୁ ନଇଁ ଆସୁଥିବା ଏହି ମେଘପରି ଆମକୁ ଏକ ଉନ୍ମିଳନ ଲାଗି ପ୍ରେରଣା ଦେଇଯିବାରେ ଲାଗିଛି, ଆପଣାର ଜୀବନରେ ସେହି ଆବିଷ୍କାରଟି ହୋଇସାରିବା ପରେ ସବୁ ସମ୍ଭବ ହେବାରେ ଲାଗେ । ଅସମ୍ଭବଗୁଡ଼ାକ ବି ସମ୍ଭବ ହେବାରେ ଲାଗେ । ଅବିଶ୍ଵାସମାନେ ହାଲୁକା ହୋଇ ବିଶ୍ୱାସରେ ପରିଣତ ହୁଅନ୍ତି, –ଭୀରୁତାମାନେ ପ୍ରାୟ ଏକ ଉଲ୍ଲାସରେ ପରିଣତ ହୋଇଯାଆନ୍ତି ।

 

୩୦ । ୬ । ୭୯

 

ଯାହାସବୁ ଅସମ୍ଭବ ବୋଲି ମନେହେଉଛି, ତାହା ସମ୍ଭବକୁ ରୂପାନ୍ତରିତ ହୋଇଯିବ । ଆମରି ନାନା ବିଚ୍ଛିନ୍ନ ଇଚ୍ଛାଦ୍ଵାରା ଆକ୍ରାନ୍ତ ହୋଇ ଯାହା ଆମକୁ ପ୍ରାୟ ଅସମ୍ଭବ କରି ରଖିଛି, ଏବଂ ଆମ ନିଜର ଅସମର୍ଥତା ବିଷୟରେ ଆମକୁ ସଚେତନ କରାଇ ରଖି ଆମକୁ ନାନାପ୍ରକାରେ ସନ୍ତାପ ଦେବାରେ ଲାଗିଛି, ତାଙ୍କରି ଇଚ୍ଛାକୁ ଆମରି ଭିତରେ ଏକ କରୁଣାସିକ୍ତ ଅଭିପ୍ରାୟ ରୂପେ ରୂପାନ୍ତରିତ କରି ଆଣିପାରିଲେ ତାହା ସମ୍ଭବ ହୋଇ ଆସିବ । ଦୂରଗୁଡ଼ାକ ପାଖ ହୋଇ ଆସିବେ, ଅସ୍ପଷ୍ଟଗୁଡ଼ାକ ସ୍ପଷ୍ଟ ହୋଇ ଆସିବ, ବିଚ୍ଛିନ୍ନତା ଗୁଡ଼ାକ ଏକାଠି ଗୋଟିଏ ସମଗ୍ରତା ଓ ତେଣୁ ସୁନ୍ଦରତା ମଧ୍ୟରେ ସମାହିତ ହୋଇଆସିବ ।

 

ତେଣୁ, ମୁଁ ବିଚ୍ଛିନ୍ନ ନୁହେଁ, ବିଭିନ୍ନତା ମଧ୍ୟ ମୋ’ର ସ୍ଵାଭାବିକ ପରିଚୟ ନୁହେଁ, ବିଚ୍ଛିନ୍ନ ହୋଇ ରହିବା ମୋ’ର ସ୍ଵଭାବ ମଧ୍ୟ ନୁହେଁ । ଏହି ଜଗତରେ ମୁଁ ବହିରାଗତ ନୁହେଁ, ମୁଁ ଭୟାର୍ତ୍ତ ବି ନୁହେଁ । କାରଣ, ଭୟଲାଗି ଏଠି ଆଦୌ କୌଣସି କାରଣ ନାହିଁ ।

 

ଏହି ଯେତେ ଯାହା ବାଡ଼ ନାନା ଯୁକ୍ତି ହୋଇ ମୋତେ ଏଠାରେ ସର୍ବଦା ବାନ୍ଧି ରଖିବାଲାଗି ଚେଷ୍ଟା କରୁଥାନ୍ତି, ଯେତେ ଯାହା ଆଶଙ୍କା ମୋତେ ନାନାପ୍ରକାରେ ଏଠି ଉଗ୍ର ଓ ଭୟାର୍ତ୍ତ କରି ରଖିଥାନ୍ତି, ସେଗୁଡ଼ାକ ମୋତେ ଆଦୌ କୌଣସି ଆଶ୍ରୟ ଦେଇ ପାରିବେନାହିଁ । ବାଡ଼ ଭାଙ୍ଗିଗଲେ ଆଶ୍ରୟ ମିଳେ । ନିଜେ ମୁଁ ଯେତେ ଯେତେ ଅନ୍ଧାର ଓ ରାତ୍ରିର ଏଠି ବାଡ଼ ଦେଇ ରଖିଛି ଓ ତାହାରି ଭିତରେ ଆପଣାର ଉପାସନା–ବିଳାସ ଲାଗି ଦେଉଳଟିଏ ତିଆରି କରି ରଖିଛି ସେଗୁଡ଼ାକ ଦୂରୀଭୂତ ହୋଇଗଲେ ମୁଁ ଆପଣା ଭିତରେ ଅସଲ ଆଶ୍ରୟଟିକୁ ଖୋଜି ପାଇପାରିବି ।

 

୧ । ୭ । ୭୯

 

“ତୋମାତେଇ ସବ୍ ସୁଖ୍ ହେ ପ୍ରଭୁ ତୋମାତେଇ ସବ୍ ଭାଲୋ ।” କାରଣ ଭୂମାରେ ହିଁ ସୁଖ, ନାଳ୍ପେ ସୁଖମସ୍ତି । ସବୁଆଡ଼ୁ ଖିଅ ଛିଣ୍ଡାଇ ଦେଇ ଯେତେବେଳେ କେବଳ ମୁଇଁ ଆପଣାକୁ ଏକ ଅହଂ ଉତ୍ପୀଡ଼ିତ ଦ୍ଵୀପଟିଏ କରି ରଖିଥାଏ, ସେତେବେଳେ ମୁଁ ଅଳପ ଭିତରେ ଥାଏ, ଅଳପକୁ ଅବଲମ୍ବନ କରି ରହିଥାଏ । ଯେତେବେଳେ ମୁଁ ଆପଣାଲାଗି ହିଁ, –ଆପଣାର ସୁଖ, ଶାନ୍ତି, ନିରାମୟତା ଏବଂ ମୁକ୍ତି ଲାଗି ତାଙ୍କୁ ଇଚ୍ଛା କରୁଥାଏ, ଅର୍ଥାତ୍ ତାଙ୍କୁ ଟାଣି ଟୁଣି ସାନ କରିଆଣି ମୋ’ର ଏଇ ଅତିସାନ ଘରଟି ଭିତରେ କେବଳ ଆପଣାର ଧର୍ମସମ୍ଭୋଗ ଲାଗି ଅଥବା ଦୁଃଖମୋଚନ ଲାଗି କିଳି କରି ରଖିଥାଏ, ସେତେବେଳେ ମୁଁ ପ୍ରକୃତରେ ଭାରି ଅଳପ ହୋଇ ରହିବାକୁ ଚାହୁଁଥାଏ, –ସେତେବେଳେ ମୁଁ ବହୁତକୁ ଡରୁଥାଏ, ବାଡ଼ ଭାଙ୍ଗି ଦେବାକୁ ଡରୁଥାଏ ।

 

ସ୍ନେହା ଡରରୁ ହିଁ ଦୁଃଖ ଆସେ । ଖିଅ ଛିଣ୍ଡାଇ ଦେବାରୁ ହିଁ ଦୁଃଖ ଆସେ । ସେତେବେଳେ ମୋ’ ଭିତରେ ତାଙ୍କୁ ଡାକିବାର ଓ ତାଙ୍କୁ ଆଦରି ଥିବାର ନାନା ଆଡ଼ମ୍ବର ଚାଲିଥିଲେ ମଧ୍ୟ ସିଏ ତଥାପି ମୋ’ପାଖରେ ନଥାନ୍ତି । ଅର୍ଥାତ୍ ଆହୁରି ଉଚିତ କଥାରେ କହିଲେ, ମୁଁ ତାଙ୍କ ପାଖରେ ମୋଟେ ନଥାଏ । ମୁଁ ଆପଣାର ସାନ ବୃତ୍ତଟି ଭିତରେ ବୁଲିବାରେ ଲାଗିଥାଏ, ଭାରି ଉତ୍ତପ୍ତ ହୋଇ ବୁଲୁଥାଏ, ଭାରି ଉଦ୍ଦଣ୍ଡ ହୋଇ ବୁଲୁଥାଏ । ଏବଂ, ସେହି ଉତ୍ତପ୍ତତାକୁ ଓ ଉଦ୍ଦଣ୍ଡତା ଗୁଡ଼ାକୁ ଭାରି ସରାଗରେ ଧର୍ମ ବୋଲି କହି ଡକା ପାରିଥାଏ ।

 

୨ । ୭ । ୭୯

 

ମୁଁ ତାଙ୍କୁ ନଭାବୁଥିଲେ ମଧ୍ୟ ସିଏ ମୋ’ର ପାଖେପାଖେ ରହିଛନ୍ତି । ମୋ’ର ଭାବିବାଟା ଉପରେ ତାଙ୍କର ମୋ ପାଖେପାଖେ ରହିବାଟା ମୋଟେ ନିର୍ଭର କରୁନାହିଁ ।

 

ଯେତେବେଳେ ମୁଁ ତାଙ୍କ କଥା ଭାବିବାକୁ ଆରମ୍ଭ କରେ, ସେତେବେଳେ ଆପଣା ଭିତରୁ ହିଁ ତାଙ୍କୁ ଆବିଷ୍କାର କରେ, ଆପଣା ଭିତରେ ହିଁ ତାଙ୍କୁ ଅନୁଭବ କରିବାକୁ ଆରମ୍ଭ କରେ । ସିଏ ମୋ’ର ଭିତରେ ରହିଥାନ୍ତି ବୋଲି ବାହାରକୁ ମଧ୍ୟ ଦୃଶ୍ୟମାନ୍ ହୁଅନ୍ତି । ମୋ’ରି ଆଖି ଭିତରେ ବିଦ୍ୟମାନ୍ ରହି ସିଏ ଯେତେବେଳେ ଏହି ସଂସାରକୁ ଦେଖନ୍ତି, ସେତେବେଳେ ଏ ସଂସାର ଏତେ ଭଲ ଲାଗେ, ଏହି ସବୁକିଛି ଏତେ ପବିତ୍ର ବି ଲାଗେ । ଜୀବନଟା ସତେଅବା ଏକ ତୀର୍ଥଭୂମି ଅଥବା ବ୍ରତଭୂମି ପରି ମନେ ହୁଏ । ତେଣୁ, ସିଏ ମୋ’ପାଖରେ ରହିଛନ୍ତି, ମୋ’ର ପାଖେପାଖେ ରହିଛନ୍ତି; ମୋ’ର ତାଙ୍କୁ ଭାବିବାଟାକୁ ମୁଁ କଦାପି ତାହାର ସର୍ତ୍ତରୂପେ ବ୍ୟବହାର କରି ପାରିବିନାହିଁ । ବରଂ, ହୁଏତ ଏପରି କୁହାଯାଇ ପାରିବ ଯେ, ସିଏ ମୋ’ର ପାଖେପାଖେ ରହିଛନ୍ତି ବୋଲି ମୁଁ ତାଙ୍କ କଥା ଭାବି ପାରୁଛି ସିଏ ମୋ’ଭିତରେ ସଦାବର୍ତ୍ତମାନ ହୋଇ ରହିଛନ୍ତି ବୋଲି ମୁଁ ତାଙ୍କ କଥା ଭାବି ପାରୁଛି । ମୋ’ର ସକଳ ଭାବନାର ମୂଳରେ ସେଇ ବିଦ୍ୟମାନ୍ ରହିଛନ୍ତି ମୋ’ର ଭଲ ଲାଗିବା ପଛରେ ସେଇ ବିଦ୍ୟମାନ୍ ରହିଛନ୍ତି, –ମୋ’ର ଆଖି ଭିତରେ ସେଇ ବସି ରହିଛନ୍ତି ବୋଲି ଏହି ଆଖି ବେଳେବେଳେ ସତେଅବା ଏକ ମଣିମୟ ସିଂହାସନ ପରି ମନେ ହେଉଛି ।

 

୩ । ୭ । ୭୯

 

ନୀରବରେ ଯିବାକୁ ହେବ, ନିଜ ଭିତରକୁ ଯିବାକୁ ହେବ । ତେବେ ଯାଇ ସେହି ପରମ ଉପସ୍ଥିତିକୁ ଅନୁଭବ କରାଯାଇ ପାରିବି । ଦିବସ ଓ ରଜନୀ ସର୍ବଦା ସେହି ଅତ୍ୟନ୍ତ ଅନ୍ତରଙ୍ଗ ଉପସ୍ଥିତିଟିକୁ ଅନୁଭବ କରାଯାଇ ପାରିବ ।

 

ହଁ, ସେହି ଉପସ୍ଥିତିକୁ ବାହାରେ ବି ଅନୁଭବ କରାଯାଇ ପାରିବ । ବାହାରେ ଯେତେବେଳେ ଆପଣାର ସେହି ଅନ୍ତରଙ୍ଗ ସ୍ପର୍ଶଟିକୁ ଅନୁଭବ କରିବା ସମ୍ଭବ ହୋଇଯିବ, ସେତେବେଳେ ଯାଇ ସେକଥା ହେବ । ଅନେକ ସମୟରେ ଆମେ ବାହାରୁ ସତେଅବା ବିତାଡ଼ିତ ହୋଇ ଆସିବାପରି ପଳାଇ ଆସି ତଥାକଥିତ ଆପଣା ଭିତରକୁ ପଳାଇ ଆସିଥାଉ । ଆପଣା ଭିତରେ ସତେଅବା କାହାର ସମ୍ମୁଖୀନ ହୋଇ ନପାରି ଆମେ ଆପଣା ଭିତରୁ ବାହାରକୁ ପଳାଇ ଯାଇଥାଉ । ଅନେକ ପୁରୁଷ କୁଆଡ଼େ ଆଗ ବାହାରେ ବିମୁଖ ହୋଇ ତା’ପରେ ଯାଇ ଅନ୍ତର ଭିତରେ ସେହି ସାନ୍ନିଧ୍ୟଟିକୁ ଲାଭ କରିଥାନ୍ତି । ତଦ୍ଦ୍ୱାରା ହୁଏତ ବାହାରେ ଭିତରେ ଉଭୟ କ୍ଷେତ୍ରରେ କେବଳ ଏକ ଶୂନ୍ୟତା ଅର୍ଥାତ୍ ସଙ୍ଗଶୂନ୍ୟତା ହିଁ ରାଜତ୍ଵ କରୁଥାଏ । ସବୁଠାରେ କେବଳ ଛଟପଟ ହେବା ହିଁ ସାର ହୁଏ । ଆମେ ସେହି ଆତୁରଟାକୁ କେତେପ୍ରକାର କୋଳାହଳ ଦ୍ଵାରା ପ୍ରକାଶ କରୁ, ସେହି କୋଳାହଳ ଗୁଡ଼ାକୁ ଭକ୍ତି ବୋଲି କହୁ । ତଥାପି ସାନ୍ନିଧ୍ୟ ମିଳେନାହିଁ, ତେଣୁ ଅନୁଭୂତି ବି ସମ୍ଭବ ହୁଏନାହିଁ ।

 

୪ । ୭ । ୭୯

 

ଗଭୀରରେ ଦୁଃଖ ନାହିଁ, ବିଚ୍ଛେଦ ନାହିଁ, ବିରହ ନାହିଁ କି ବିରସତା ନାହିଁ, ସେଠାରେ କେବଳ ହସ ରହିଛି । ଅର୍ଥାତ୍ କେବଳ ବିଶ୍ଵାସ ରହିଛି, କେବଳ କୃତଜ୍ଞତା ରହିଛି ଓ କେବଳ ଏକ ସମ୍ମତି ହିଁ ରହିଛି । ଏହି ସମ୍ମତି ହେଉଛି ଏକ ଜୀବନବାଚକ ସମ୍ମତି, ଏହି କୃତଜ୍ଞତା ହେଉଛି ଏକ ଜୀବନବାଚକ କୃତଜ୍ଞତା । ତା’ପରେ ଆପଣାର କୌଣସି ଦୁଃଖ ରହେନାହିଁ, କାରଣ ତା’ପରେ ଆଉ କୌଣସି ଦୁଃଖ ମନେ ରହେନାହିଁ । ତା’ପରେ ଆଉ କିଛିହେଲେ ମାଗିବାକୁ ମନ ହୁଏ ନାହିଁ, କେବଳ ଦେବାକୁ ମନ ହୁଏ । ସମୁଦ୍ର ଭିତରେ ପଶି ସାରିଲାପରେ ପୁଣି ସମୁଦ୍ରକୁ ଆଉ କ’ଣ ମାଗିବାକୁ ମନ ହୁଅନ୍ତା ? ସମୁଦ୍ର ହୋଇସାରିବା ପରେ ସମୁଦ୍ରଠାରୁ ମାଗିବାଲାଗି ଆଉ ପ୍ରକୃତରେ କ’ଣ ବାକୀ ରହନ୍ତା ?

 

ତେଣୁ, ଆପଣା ଭିତରର ସେହି ଗଭୀରତା ମଧ୍ୟରେ କେବଳ ଏକ ହସ ରହିଛି, କେବଳ ଏକ ପ୍ରସନ୍ନତା ରହିଛି, ସମ୍ମତି ରହିଛି; –ସବୁକିଛି ମିଶି କେବଳ ଏକ କୃତଜ୍ଞତା ରୂପେ ହିଁ ଅଭିବ୍ୟକ୍ତ ହେବାରେ ଲାଗିଛି । ମୋ’ର ଯାବତୀୟ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ ସତେ ଯେପରି ସେହି କୃତଜ୍ଞତାଟି ରୂପରେ ପରିପକ୍ଵ ଅର୍ଥାତ୍ ସମଗ୍ର ହୋଇ ଉକୁଟି ଉଠିବାକୁ ଇଚ୍ଛା କରୁଛି । ମୋ’ ବାହାରେ ଯାହାକିଛି ଅଛି, ସବୁକିଛି ସେହି ଗଭୀରର ଆଶୀର୍ବାଦସ୍ପର୍ଶରେ ଏକ କୃତଜ୍ଞତା ରୂପେ ପ୍ରକଟ ହୋଇ ଉଠିବାକୁ ସତତ ପ୍ରସ୍ତୁତ ହେବାରେ ଲାଗିଛି ।

 

୫ । ୭ । ୭୯

 

ମନ୍ଦିର ନାମରେ ଯେଉଁ ଅଟ୍ଟାଳିକାଗୁଡ଼ାକ ଏଡ଼େ ଏଡ଼େ ହୋଇ ଠିଆ ହୋଇ ରହିଛନ୍ତି, ତାହାର ଆଦୌ କୌଣସି ଗଭୀରତା ନାହିଁ । ଗଭୀରତା ଏଇ ଭିତରେ ଅଛି । ଭିତରେ ଆଦୌ କୌଣସି ଗଭୀରତା ରହିଥିଲେ ଯାଇ ଆମେ ବାହାରର ମନ୍ଦିରଗୁଡ଼ାକରୁ ହୁଏତ କୌଣସି ପ୍ରକାରେ ଉପକୃତ ହୋଇ ପାରିବା । ଆପଣାକୁ ଏକ ମନ୍ଦିର ପରି ଅନୁଭବ କରିବା, ଆପଣା ଭିତରେ ଗୋଟିଏ ମନ୍ଦିର ତିଆରି କରି ରଖିବା ଏବଂ ଆପଣାର ଜନନୀକୁ ମଧ୍ୟ ସତେଅବା ଗୋଟିଏ ମନ୍ଦିର ପରି ଅର୍ଥାତ୍ ଦେବତାର ଆସ୍ଥାନ ପରି ଗଢ଼ିବା, –ଏଗୁଡ଼ାକ ଧର୍ମର ପାଠ ନୁହେଁ ଏଗୁଡ଼ାକ ହେଉଛି ଏକ ଅନ୍ୟ ପାଠ ।

 

ଯିଏ ମୋତେ ସବୁଠାରୁ ଅଧିକ ଆପଣାର ବୋଲି ଦିଶୁଛନ୍ତି, ଯିଏ ମୋତେ ସବୁଠାରେ ରହି ଏହି ଜୀବନ ଏବଂ ଏହି ସଂସାର ଭିତରକୁ ଆମନ୍ତ୍ରଣ କରି ନେଉଛନ୍ତି ସିଏ ମୋ’ଭିତରେ ରହିଛନ୍ତି । ସିଏ ମୋ’ର ଜନକ ହୋଇ ରହିଛନ୍ତି । ମୋ’ର ଜନନୀ ହୋଇ ରହିଛନ୍ତି, ମୋ’ର ବନ୍ଧୁ ହୋଇ ରହିଛନ୍ତି, ସଖା ହୋଇ ରହିଛନ୍ତି । ମୋ’ର ମହତ୍ତମ ବାସନା ହୋଇ ରହିଛନ୍ତି ସେଇ ମୋ’ର ଆଖି ହୋଇ ମୋତେ ବାଟ ଦେଖାଇ ନେଉଛନ୍ତି । ଅନେକ ସମୟରେ ସେହି ଅସଲ ଆଖିଗୁଡ଼ାକୁ ପ୍ରାୟ ବନ୍ଦ କରି ରଖି ଆମେ ମନ୍ଦିରଗୁଡ଼ାକ ପାଖରେ ଅଟକି ରହିଯାଉ, ମନ୍ଦିର କରୁ, ମନ୍ଦିରକୁ ହିଁ ଠାକୁର ବୋଲି କହୁ, ମନ୍ଦିର ଭିତରକୁ ଯାଇ ଦଣ୍ଡକଲାଗି ଟିକିଏ ଭାବପ୍ରବଣ ହୋଇ ପାରିଲେ ଆମର ଦୈତ୍ୟଗିରି ଗୁଡ଼ାକ ଭୁଲି ହୋଇଯିବ ବୋଲି ବିଚାରିଥାଉ । ଆମ ଅସଲ ଗଭୀରଟିର ସ୍ପର୍ଶ ମିଳିଲେ ଆମର ଏହିସବୁ ଫିକର ପଣ୍ଡ ହୋଇଯାଏ ।

 

୬ । ୭ । ୭୯

 

ଏହି ଅଭୀପ୍‌ସାରେ ଅନ୍ତ ନାହିଁ । ଏହାର ଉଚ୍ଚତା ଯେତିକି, ଗଭୀରତା ମଧ୍ୟ ସେତିକି । ଯିଏ ଯେତିକି ଯାଏ ପ୍ରସାରିତ ଓ ବିରାଜିତ ହୋଇ ରହିଛନ୍ତି, ଏହି ଅଭୀପ୍‌ସା ମଧ୍ୟ ସେତିକି ଯାଏ ପ୍ରଳମ୍ବିତ ହୋଇ ରହିଛି । ତାଙ୍କୁ ମୁଁ ଯେତିକି ଗଭୀରରେ ଅନୁଭବ କରି ପାରୁଛି, ମୋ’ର ଅଭୀପ୍‌ସା ମଧ୍ୟ ଠିକ୍ ସେତିକି ଗଭୀର ଯାଏ ଆପଣାକୁ ଭେଦାଇ ରଖିବାକୁ ଇଚ୍ଛା କରୁଛି, ମୋ’ର ବିଶ୍ଵାସ ସେତିକି ଦୂରଯାଏ ଆପଣାକୁ ଆପଣାକୁ ଭେଦାଇ ରଖିଛି । ସେଇଥିଲାଗି ଏଠାରେ ଆଦୌ କିଛି ହେଲେ ବିଚ୍ଛିନ୍ନ ବୋଲି ଲାଗୁନାହିଁ, ଏଠାରେ ମୋଟେ ଏକୁଟିଆ ବୋଲି ମନେ ହେଉନାହିଁ । ମୋ’ ବିଶ୍ଵାସ ହୁଏତ ସେଇଥିଲାଗି କୋଉଠି ହେଲେ ପ୍ରତିହତ ହୋଇ ଫେରି ଆସିବାକୁ ଇଚ୍ଛା କରୁନାହିଁ । ତେଣୁ ଅପୂରଣ ବୋଲି କିଛି ରହୁନାହିଁ । ମୁଁ ଯାହା ମାଗୁଛି, ମୋତେ ସେତେବେଳେ ତାହା ମିଳିଯାଉଛି । ନମାଗିଲେ ମଧ୍ୟ ମିଳିଯାଉଛି ।

 

ଇଚ୍ଛାପୂରଣ ଲାଗି ମୁଁ କେବେ କୌଣସି ଅଭୀପ୍‍ସା କରିବାକୁ ମନ ବଳାଇ ନାହିଁ । ଏସବୁ କ୍ଷେତ୍ରରେ ମୁଁ କେବେ କୌଣସି ଅଭୀପସା କରିବାକୁ ମନ ବଳାଇ ନାହିଁ । ଏସବୁ କ୍ଷେତ୍ରରେ ମୁଁ କୌଣସି ପ୍ରକାର ସଉଦା କରିନାହିଁ । ମାତ୍ର ମୋ’ ଭିତରେ ଓ ଏହି ସମଗ୍ର ସବୁଟି ଭିତରେ ଯେଉଁ ଅନ୍ତଃସୂତ୍ରଟି ସବୁବେଳେ ରହିଛି, ସତେ ଯେପରି ତାହାହିଁ ମୋ’ଭିତରେ ଅଭୀପ୍‌ସା ରୂପେ ଜନ୍ମଲାଭ କରୁଛି, ସେହି ଅଭୀପ୍‌ସା ସତେ ଯେପରି ଏଠାରେ ମୋତେ ପ୍ରତ୍ୟେକ ମୁହୂର୍ତ୍ତରେ ଜନ୍ମ ଦେଇ ଚାଲିଛି, ମୋତେ ନୂଆ ଆଖି ଦେଇ ଚାଲିଛି, ମୋତେ ପରିପୂର୍ଣ୍ଣ କରିନେବାରେ ଲାଗିଛି ।

 

୭ । ୭ । ୭୯

 

ଅଭୀପ୍‌ସାକୁ ଅବାରିତ କରି ରଖିବା, ଆପଣା ଭିତରେ ଦୀପଟିକୁ ପ୍ରଜ୍ଜ୍ଵଳିତ କରି ରଖିବା, –ତାହାହିଁ ତ ଜୀବନ, ତାହାହିଁ ଭଲ ପାଇବା । ତାହାହିଁ ହେଉଛି ବାହାର ସହିତ ଭିତରକୁ ଅର୍ଥାତ୍ ଭିତର ସହିତ ବାହାରକୁ ଖିଅ ଲଗାଇ ରଖିବା । ଅଭୀପ୍‍ସା କେଉଁଠି ହେଲେ କିଛି ମାଗେନାହିଁ । ଅଭୀପ୍‌ସା ଆମର ଆର୍ତ୍ତତାଗୁଡ଼ାକୁ ଅନ୍ତର୍ହିତ କରାଇନିଏ ଓ ତେଣୁ ଆର୍ତ୍ତ ଭକ୍ତିର ନାନା ଦୟନୀୟତାକୁ ଛାଡ଼ି ଆସିପାରିଲେ ଯାଇ ଆମେ ଅଭୀପ୍‌ସାର ଯଥାର୍ଥ ପରିଚୟଟିକୁ ଲାଭ କରିଥାଉ । ଆର୍ତ୍ତ ହୋଇ ନାନା ସଂଗ୍ରହ ଓ ନାନା ଯଶସ୍ଵୀତାର ଲାଳସାରେ ଆମେ ଏ ଦେଉଳ ସେ ଦେଉଳ ହୋଇ ବୁଲୁଥିବା ପର୍ଯ୍ୟନ୍ତ, ଆମ ଭିତରେ ଯେ କେଉଁଠି ଦୀପଟିଏ ଜଳୁଛି, ସତତ ଜଳୁଛି, ସେକଥା ଆମେ ଅନୁଭବ ବି କିପରି କରିପାରିବା ? ସେହି ଦୀପଟି ଜଳୁଛି, ବୋଲି ଅନୁଭବ କରି ନପାରିବା ପର୍ଯ୍ୟନ୍ତ ଆମେ ଅଭୀପ୍‍ସାର ବି କି ଅର୍ଥ ବୁଝିବାକୁ ସମର୍ଥ ହେବା, ଆଦୌ କୌଣସି ଅଭୀପ୍‌ସାର କି ଯୋଗ୍ୟ ହୋଇପାରିବା ? ତେଣୁ ବାହାରର ଖିଅଗୁଡ଼ାକୁ ନେଇ ମୁଁ ଭିତରଟି ସହିତ ଲଗାଇବାକୁ ସମର୍ଥ ହେବି । ବାହାରୁ ମାଗି ନେଇ, ସାଉଁଟି ନେଇ ଅଥବା ଦୁହିଁ ନେଇ ମୁଁ ମୋ’ର ଭିତରର ସାନ ଗହ୍ୱରଟାକୁ ଭର୍ତ୍ତି କରି ରଖିବାଲାଗି ଆଉ କୌଣସି ଚେଷ୍ଟା କରିବିନାହିଁ । ସେଠି ପ୍ରଦୀପଟିଏ ଜଳୁଥିବ, ସେଠୁ ଆରମ୍ଭ ହୋଇ ଖିଅଗୁଡ଼ିକ ବାହାରର ଦୃଶ୍ୟ ଓ ଅଦୃଶ୍ୟ ଏହି ଚଉଦ ଭୁବନ ଭିତରକୁ ଲମ୍ବି ଆସିଥିବ । ଏବଂ ତା’ପରେ ମୁଁ ଯାହାକିଛି କରିବି, ତଦ୍ଦ୍ଵାରା ମୁଁ କେବଳ ତାଙ୍କରି କାମ ହିଁ କରିବି । ତାହାହିଁ ମୋ’ର ସଫଳତା । ମୁଁ ସେହି ବିଷୟରେ ନିଶ୍ଚିତ ।

 

୮ । ୭ । ୭୯

 

ଯଦି ଭୟ କରିବି, ତେବେ ନିଜ ଭିତରେ ରହିଥିବା ମୋ’ର ଏହି ଭୟାଳୁଟାକୁ କରିବି, –ଯିଏ ଅଭିନୟ କରେ, ଯିଏ ଘର ବନ୍ଦ କରି ବସିଥିଲେ ମଧ୍ୟ ତଥାପି ଦେଖାଇହୁଏ, ଯିଏ ବାଡ଼ଗୁଡ଼ାକୁ ହିଁ ପ୍ରାୟ ଅଭୟ ବୋଲି ଭ୍ରମ କରୁଥାଏ, ତେଣୁ ଯିଏ ସର୍ବଦା ଆପଣା ସହିତ ଓ ତେଣୁ ଜଗତ ସହିତ କପଟ କରିବାରେ ଲାଗିଥାଏ ।

 

ବାଡ଼ ଉଠାଇଦେବା, –ତାହାହିଁ ନିଷ୍ଠା । ଆନ୍ତରିକତା ଭିତରେ ନମ୍ରତା ରହିଥାଏ, ସମ୍ଭ୍ରମ ରହିଥାଏ, କିନ୍ତୁ ବାଡ଼ ନଥାଏ । ଆନ୍ତରିକତା ବିନା ଆପଣାକୁ କେଉଁଠାରେ ହେଲେ ଦେଇ ହୁଏନାହିଁ, କାହାରି ଏକାବେଳେକେ ପାଖରେ ଯାଇ ବସି ହୁଏନାହିଁ । ଏବଂ, ବାହାରେ ଚିତା, ପଇତା, ଦେଉଳ ଓ ଦିଅଁ ଗୁଡ଼ାକରେ ଅନୁରକ୍ତି ବଢ଼ିବାରେ ହିଁ ଲାଗିଥାଏ । ଏଗୁଡ଼ାକ ଦେଇ ଆପଣାକୁ ବେଶ୍ ଲୁଚାଇହୁଏ, ଭାର ଚମତ୍କାର ଭାବରେ ପ୍ରତିଷ୍ଠିତ କରିହୁଏ । ଭିତରେ ଏକାବେଳେକେ ଅପ୍ରତିଷ୍ଠିତ କରି ରଖିଥିଲେ ମଧ୍ୟ ବାହାରେ ତାହା ବେଶ୍ ହୋଇପାରେ । ଏବଂ, ଭିତରେ ବାହାରେ ଦୁଇଭାଗ ହୋଇ ରହିଥିବା ସମୟରେ ହିଁ ମଣିଷ ଭୟ କରେ, ଭୟ କରୁଥାଏ ବୋଲି ସେ ଅଭିନୟ କରେ । ଅଭିନୟରେ କେତେ ନା କେତେ ନିଷ୍ଠା ଦେଖାଏ ଏବଂ ତାହାକୁ ହିଁ ଅସଲ ନିଷ୍ଠା ବୋଲି କହୁଥାଏ । ବାହାରେ ଆପଣାକୁ କେଡ଼େ ନିଷ୍ଠାପର ବୋଲି ଦେଖାଇହୁଏ, ସେଥିଲାଗି କେତେ ଆଚାର ମାନେ କେତେ ମୂର୍ତ୍ତିର ପୂଜା କରେ । ଆପଣାର ଅସଲ ବେଢ଼ାଟି ଭିତରକୁ ପଶି ପାରୁନଥାଏ ବୋଲି ସିଏ ବାହାର ବେଢ଼ା ଭିତରେ କେତେ ପ୍ରକାରର ପ୍ରକୁପିତତା ସହିତ ବୁଲିବାରେ ଲାଗିଥାଏ । ଏବଂ ସେହି ପ୍ରକୁପିତତାକୁ ହିଁ ଭକ୍ତି ବୋଲି କହୁଥାଏ ।

 

୯ । ୭ । ୭୯

 

ସ୍ଥିର ହୋଇଯିବା, ଶାନ୍ତ ହୋଇଯିବା, ତା’ର ଅର୍ଥ ହେଉଛି ଆପଣାକୁ ଉନ୍ମୋଚିତ କରିଦେଇ ବିଶ୍ଵାସର ସହିତ ଅପେକ୍ଷା କରିବା । ବିଶ୍ଵାସର ସହିତ ଅପେକ୍ଷା କରି ରହିବାର ଅର୍ଥ ହେଉଛି ଏକ ସ୍ପର୍ଶାନୁଭୂତି ଲାଗି ଅପେକ୍ଷା କରି ରହିବା । ଭିତରେ ଆମର ଅନେକ ଆଗରୁ ଯିଏ ଆମରିଲାଗି ଅପେକ୍ଷା କରି ରହିଛି, ତାହାରି ସ୍ପର୍ଶକୁ ଏକ ସତତ ଏବଂ ସ୍ଵାଭାବିକ ସ୍ପର୍ଶରୂପେ ଅନୁଭବ କରି ପାରିବାଲାଗି ଅପେକ୍ଷା କରି ରହିବା । ତେଣୁ, ସ୍ଥିର ହୋଇଯିବାର ଅର୍ଥ ନିର୍ଜୀବ ହୋଇଯିବା ନୁହେଁ, ମୁହଁ ବନ୍ଦ କରି ବସିବା ଆଦୌ ନୁହେଁ, ଯେଉଁଠି ଅହଂ ଆପଣାକୁ ସଂସାର ଭିତରେ ଏକମାତ୍ର ରାଜଚକ୍ରବର୍ତ୍ତୀ ବୋଲି ଭାବୁଥାଏ, ସେଠାରେ ସିଏ ବାହାରୁ ଚୁପ ହୋଇଯାଇ ଭିତରେ ଆପଣାର ଦର୍ପ, ଆପଣାର ଦମ୍ଭ ଓ ଆପଣାର କୋପ ଏବଂ ଅହଙ୍କାରଗୁଡ଼ାକ ଦ୍ଵାରା ଆପେ ଧର୍ଷିତ ହେବାରେ ଲାଗିଥାଏ । ଏଭଳି ଲୋକମାନେ ଚୁପ୍ ହୋଇ ରହିବାକୁ ସତେଅବା ନୀତି ବୋଲି ମାନି ନେଇଥାନ୍ତି ଏବଂ ତାହାକୁ ହିଁ ସ୍ଥିର ହୋଇଯିବା ବୋଲି କହିବାରେ ଲାଗିଥାନ୍ତି ।

 

ମୋ’ର ଚେତନାରେ ସେହି ଶକ୍ତି ସତତ ତା’ର କାର୍ଯ୍ୟ କରିଯାଇ ପାରୁଥିବ, ଏଥିଲାଗି ମୋ’ ଭିତରେ ଯେତିକି ଉନ୍ମୋଚନ ଦରକାର, ସେତିକି ଉନ୍ମୋଚନ ସମ୍ଭବ କରିବା; ତାହାହିଁ ସ୍ଥିରତା-। ସକ୍ରିୟତା ଭିତରେ ଏହି ସ୍ଥିରତା ସବୁବେଳେ ସମ୍ଭବ ହୋଇପାରେ । ନିଷ୍କ୍ରିୟ ଭୂଇଁକୁ ଯେ ସେହି ଚେତନା ଏକ ଦ୍ଵାର ବନ୍ଦ ହୋଇ ରହିଥିବା ଭୂଇଁରୂପେ ଛାଡ଼ି ଦେଇଯିବ, ଏଇଟା କ’ଣ କାହାକୁ ବୁଝାଇ କରି କହିବାକୁ ହେବ ?

 

୧୦ । ୭ । ୭୯

 

ଅନ୍ତର ଉନ୍ମୁକ୍ତ ରହିଥିଲେ ଆନ୍ତରିକତା ସମ୍ଭବ ହୁଏ । ଏବଂ, ଯେଉଁଠି ଆନ୍ତରିକତା ରହିଥାଏ, ସେଠାରେ ବିଜୟ ସମ୍ବନ୍ଧରେ ଆଦୌ କୌଣସି ଚିନ୍ତା ନଥାଏ । କାରଣ, ଆନ୍ତରିକତା ମଧ୍ୟରେ ଯେଉଁ ସମର୍ପିତତାର ଭାବ ରହିଥାଏ, ତାହା ଜିତିବା ଓ ହାରିବା ବିଷୟରେ ଖୁବ୍ ବେଶୀ ପାର୍ଥକ୍ୟ ରହିଥିବାର ଅନୁଭବ ବି କରି ପାରେନାହିଁ । ଜିତିବା ଓ ହାରିବାର ଭାବନା ତ ଅନେକ ସମୟରେ ଅସଲ ଆନ୍ତରିକତାର ଅଭାବରୁ ଆମ ଭିତରେ ଆସି ପ୍ରବେଶ କରିଥାଏ । ବିଜୟଲାଭ ସକାଶେ ଆମକୁ ଆନ୍ତରିକତାଯୁକ୍ତ ବା ନିଷ୍ଠାପର ହେବାକୁ ପଡ଼ିବ ବୋଲି ଆମେ କେତେପ୍ରକାରେ ନିଜକୁ ଶାସିତ ଓ ସଜ୍ଜିତ କରି ରଖିବାର ଚେଷ୍ଟା କରିବାରେ ଲାଗିଥାଉ । ଆମେ ଆନ୍ତରିକତାକୁ ସତେଅବା ଏକ ଅସ୍ତ୍ର ବା ଏକ ଟେକ୍‌ନିକ୍ ପରି ବ୍ୟବହାର କରୁଥାଉ । ଜୀବନର ସ୍ତରଟା କେଡ଼େ ଅଧମ ହେଲେ ଯାଇ ଯେ ଏପରି ଭାବନାଗୁଡ଼ାକ ଆମ ଭିତରକୁ ଆସିବାର ପ୍ରଶ୍ରୟ ପାଆନ୍ତି, ସେକଥା ଭାବିଲେ ଅନେକ ସମୟରେ ଆଶ୍ଚର୍ଯ୍ୟ ହେବାକୁ ହୁଏ ।

 

ଆନ୍ତରିକତା ଦ୍ଵାରା ମୋ’ର କୌଣସି ବିଜୟ ହାସଲ ହେବ ବୋଲି ଯେ ମୁଁ ଆନ୍ତରିକତାର ଅନୁଶୀଳନ କରିବି, ତାହା ଆଦୌ ନୁହେଁ । ଜୀବନର ଅଭିପ୍ରେତ ମାର୍ଗରେ ଆପଣାକୁ ଅଧିକରୁ ଅଧିକ ଉନ୍ମୋଚିତ କରି ଯାଉଯାଉ ମୁଁ ଏପରି ଏକ ଥାନରେ ଆସି ପହଞ୍ଚିଚି, ଯେତେବେଳେ ଆନ୍ତରିକ ହେବା ବ୍ୟତୀତ ମୁଁ ଆଉ କିଛିହେଲେ ବି ହୋଇ ପାରିବିନାହିଁ । ସେତେବେଳେ ମୁଁ ଆପଣାର ଆନ୍ତରିକତାକୁ ଅର୍ଜିତ ଏକ ଅଲଗା ଗୁଣ ପରି ଅନୁଭବ କରି ପାରିବିନାହିଁ । ସତତ ଆମନ୍ତ୍ରଣ କରି ଆଣୁଥିବା ଏକ ଅଙ୍ଗନ ପରି ମୋ’ର ଜୀବନ ସେତେବେଳେ ତାଙ୍କରି ଲାଗି ଉଦ୍ଦିଷ୍ଟ ହୋଇ ରହିଥିବ ।

 

୧୧ । ୭ । ୭୯

 

ସମଗ୍ର presence ହିଁ ମଧୁର । ଏହି ମଧୁରତାର ଅନୁଭୂତିଟି ଯେତେବେଳେ କୃତଜ୍ଞତାର ରୂପ ଗ୍ରହଣ କରି ନିଜର ଜୀବନ ଦେଇ ଫୁଟି ଉଠିବାର ଯୋଗ୍ୟ ହୁଏ, ସେତିକିବେଳେ ଅନ୍ତର ଖୋଲେ, –ଭିତର ଆଉ ବାହାର ମଧ୍ୟରେ ସେତୁ ପଡ଼ିଯାଏ, ପାଚେରୀଗୁଡ଼ାକ ଉଠିଯାନ୍ତି, –ମୁଁ ଯାହାକୁ ବାହାରୁ ଥାଇ ଡାକୁଥିଲି, ସେଇ ଅନ୍ତର ଭିତରୁ ଇଙ୍ଗିତ ଦିଏ, ସ୍ପର୍ଶାନୁଭୂତି ଆଣିଦିଏ । ତା’ପରେ ଜୀବନର ଯାବତୀୟ ଅଭିବ୍ୟକ୍ତ ନିଷ୍ଠାରେ ଏବଂ ଆନ୍ତରିକତାରେ ହିଁ ପରିଣତ ହୋଇଯାଏ-। ସେତେବେଳେ ବାହାରୁ କାହାରି ବା ଏପରିକି କୌଣସି ଆବଶ୍ୟକତାର ବୋଲ ମାନି ଆନ୍ତରିକ ହେବାକୁ ପଡ଼େନାହିଁ । ସେତେବେଳେ ଆନ୍ତରିକତା ଜୀବନର ରୀତିରେ ପରିଣତ ହୋଇଯାଏ, ଜୀବନର ଏକ ସମଗ୍ର ଦୃଷ୍ଟିରେ ହିଁ ପରିଣତ ହୋଇଯାଏ, ଏକ ଧର୍ମରେ ପରିଣତ ହୋଇଯାଏ । ତାହାହିଁ ଏକ ମଧୁର ଜୀବନର ଅନୁଭୂତି ।

 

ସେତେବେଳେ ଦିବସ ମଧୁର ହୁଏ, ରାତ୍ରି ମଧୁର ହୁଏ; ଦୁଃଖମାନ ମଧୁର ହୁଅନ୍ତି, ସଙ୍ଗ ଓ ଅସଙ୍ଗ ଉଭୟେ ମଧୁର ହୋଇଯାଆନ୍ତି । କେବଳ ଆମର ଅସାମାନ୍ୟ ମୁହୂର୍ତ୍ତଗୁଡ଼ାକ ନୁହନ୍ତି, ଆମର ସାମାନ୍ୟ ମୁହୂର୍ତ୍ତଗୁଡ଼ାକ ମଧ୍ୟ ମଧୁର ହୋଇ ଉଠନ୍ତି । ସେତେବେଳେ ସାମାନ୍ୟ ବୋଲି ହୁଏତ ଆଉ କିଛିହେଲେ ରହେନାହିଁ । ନଶ୍ଵରଗୁଡ଼ାକର ଅନ୍ତଃପରିଚୟ ମିଳିଯିବାପରେ ନଶ୍ଵରଗୁଡ଼ାକ ଆଉ ନଶ୍ଵର ହୋଇ ରହନ୍ତିନାହିଁ । ସେମାନେ ବି ମଧୁର ହୋଇ ଉଠନ୍ତି, ପ୍ରତୀକ ହୋଇ ସହଜୀବନ୍ତ ହୋଇ ଉଠନ୍ତି, –ଡୋର ଲଗାଇ ଦିଅନ୍ତି ।

 

୧୨ । ୭ । ୭୯

 

ହଁ, ମୁଁ ଆହୁରି ଉଡ଼ିଉଡ଼ି ଯିବି । ଉଡ଼ି ଉଡ଼ି ଆଉ କୁଆଡ଼େ ପଳାଇ ଯିବିନାହିଁ । ଆପଣା ପାଖରେ ଯଥାର୍ଥ ଭାବରେ ଧରା ଦେବାଲାଗି ହିଁ ମୁଁ ଉଡ଼ି ଉଡ଼ି ଯାଉଥିବି । ତେଣୁ, କେବଳ ଗଗନମାର୍ଗରେ ଉଚ୍ଚକୁ ନୁହେଁ, ଆପଣାର ଗଭୀରକୁ ମଧ୍ୟ ଉଡ଼ିଯାଇ ପାରୁଥିବି । ଆପଣାର ଚାରିପାଖଟାକୁ ମଧ୍ୟ ମୁଁ ଉଡ଼ି ଉଡ଼ି ଛୁଇଁ ଆସି ପାରୁଥିବି । ଡେଣା ମେଲିଦେଲା ମାତ୍ରକେ ଭିତର ବାହାର, ନିକଟ ଦୂର ତଥା ଉଚ୍ଚ ଏବଂ ଗଭୀରକୁ ମଧ୍ୟ ଏକାବେଳେକେ ଛୁଇଁ ଆସି ପାରୁଥିବି । ତେବେଯାଇ ମୋ’ ଚେତନାକୁ ମୁଁ ପ୍ରକୃତରେ ଏକ ସରସ ଚଢ଼େଇ ବୋଲି ଅନୁଭବ କରି ପାରିବି ।

 

ଏଠୁ ଉଡ଼ି ସେଠିକି ଚାଲିଯିବା ଭାରି ସହଜ । ସେତୁ ଉଡ଼ି ଏଠିକି ଚାଲିଆସିବା ହୁଏତ ଆଦୌ କୌଣସି ପ୍ରକାରେ ଅଧିକ କଷ୍ଟକର ନୁହେଁ । କିନ୍ତୁ, ଏଠା ସହିତ ସେଠାର ଖିଅ ଲଗାଇ ଦେଇ ଏକାବେଳେକେ ଏପାଖ ଓ ସେପାଖ ଦୁଇପାଖକୁ ଛୁଇଁ ସ୍ଥିର ହୋଇ ବିହରଣ କରିପାରିବା, ଦୁଇଟି ପାଖକୁ ଭେଦ ଅନୁଭବ କରିପାରିବା, ମୋ’ର ଶ୍ରଦ୍ଧା ସେଇଥିରେ ହିଁ । କାରଣ, ଯେତେବେଳେ ସତେଅବା ବିମନା ହୋଇ ମୁଁ ଏ ପାଖରୁ ସେପାଖକୁ ପଳାଇ ଯିବାକୁ ଚେଷ୍ଟା କରେ, ସେତେବେଳେ ଆପଣାକୁ ଭାରି ଖଣ୍ଡିଆ ବୋଲି ମନେହୁଏ, ଆପଣା ଭିତରେ ମୁଁ ସତେଅବା ବିଭକ୍ତ ହୋଇ ରହିଥିବା ପରି ମନେହୁଏ । ଚେତନା ଲାଜରା ହୋଇ ପଡ଼ି ରହିଥାଏ । ଚେତନା ସେତେବେଳେ ଆଉ ଚେତନା ହୋଇ ରହି ପାରେନାହିଁ, ତା’ର ପକ୍ଷୀପଣ ଅପହୃତପ୍ରାୟ ହୋଇଯାଏ । ନା, –ଉଡ଼ି ଉଡ଼ି ମୁଁ କେବଳ ଗୋଟିଏ ଚରଣତଳକୁ ଆସିବାର ଆକାଙ୍‌କ୍ଷା ରଖିଥାଏ, ଯେଉଁଠାରେ ବାହାର ମିଳେ, ଭିତରେ ମିଳେ, ଉଚ୍ଚ ମିଳେ, ଗଭୀର ବି ମିଳେ; ଦୂର ମିଳେ, ନିକଟ ବି ମିଳେ ।

 

୧୩ । ୭ । ୭୯

 

ସିଏ ଏକ ଅଗ୍ନି । ମୁଁ ତାକୁ ଭିତରେ ଦେଖିବାକୁ ପାଏ, ବାହାରେ ଦେଖିବାକୁ ପାଏ । ନିଜ ଭିତରେ ଅନୁଭବ କରେ, ବାହାରେ ବି ଅନୁଭବ କରେ । ସେହି ଅଗ୍ନିର ଦାହ ନାହିଁ, ଔଜ୍ଜ୍ୱଲ୍ୟ ରହିଛି । ତାହା ନିଜେ ଦୀପ୍ତ ହୋଇ ଭିତରେ ବାହାରେ ସବୁକିଛିକୁ ଦୀପ୍ତ କରିଦିଏ । ନିଜର ଦୀପ୍ତି ଦ୍ଵାରା ସିଏ ଅନ୍ଧାର ଭିତରେ ରହିଥିବା ଦୀପ୍ତିଟିକୁ ମଧ୍ୟ ଅନୁଭୂତ କରାଇଆଣେ । ତାହାହିଁ ଅଭୀପ୍‌ସାର ଅଗ୍ନି । ମୁଁ ଯେତିକି କୋଳାହଳ କରେ ଅଥବା ଯେତିକି ଆତୁରତା ପ୍ରକାଶ କରେ, ସେହି ଅଗ୍ନି ସତେଅବା ସେତିକି ପାସୋର ହୋଇ ରହିଥାଏ । ନୀରବରେ, ଅର୍ଥାତ୍ ଶ୍ରଦ୍ଧା ଏବଂ ବିଶ୍ଵାସ ସହିତ ଆପଣା ଭିତରର ସମ୍ପଦଗୁଡ଼ାକୁ ଅନୁଭବ କରି ବାହାରିବା ସମୟରେ, ଆପଣା ପାଲରେ ଦଉଡ଼ିଗୁଡ଼ିକୁ ଅବଲୋକନ କରିବାକୁ ବାହାରିବା ସମୟରେ ମୁଁ ସେହି ଅଭୀପ୍‌ସାଟିକୁ ହିଁ ଦେଖିବାକୁ ପାଏ, ତାହାକୁ ମୁଁ ଅଗ୍ନିରୂପେ ପ୍ରତ୍ୟକ୍ଷ କରିଥାଏ । ସେହି ଅଗ୍ନି ସତେଯେପରି ମୋ’ର ଯାବତୀୟ ଆକାଙ୍‌କ୍ଷା ଓ ଯାବତୀୟ ସକ୍ରିୟତା ପଛରେ ସର୍ବପ୍ରଧାନ କାରଣ ହୋଇ ରହିଛି, ଠିକ୍ ସେହିପରି ମନେ ହୁଏ ।

 

ନୀରବ ହୋଇ ସେହି ଅଗ୍ନିଆଡ଼କୁ ଅନାଇଥିବା ସମୟରେ ମୁଁ ଏଠୁ ସେଠିକି ପଡ଼ିଥିବା ସଂପୂର୍ଣ୍ଣ ରାସ୍ତାଟିକୁ ଦେଖିବାକୁ ପାଇଥାଏ । ବର୍ତ୍ତମାନ ଓ ଭବିଷ୍ୟକୁ ସଂଯୁକ୍ତ କରି ରଖିଥିବା ବାଟଟିକୁ ବି ଦେଖିବାକୁ ପାଏ । ମୋତେ ବାଟ ମିଳିଯାଏ, ବିଶ୍ଵାସର ଖିଅ ମିଳିଯାଏ । ମୁଁ ଯାହାକୁ ଚାହୁଛି, ତାହାରି ସ୍ପର୍ଶ ମିଳିଯାଏ ! ସେହି ସ୍ପର୍ଶ ହିଁ ମୋତେ ସାଧାରଣ ଓ ଅସାଧାରଣ ପ୍ରତ୍ୟେକ ମୁହୂର୍ତ୍ତରେ ଉଦ୍‌ଭାସିତ କରି ରଖିଥାଏ ।

 

୧୪ । ୭ । ୭୯

 

ସିଏ ଏକ ସୂର୍ଯ୍ୟ । ମୋ’ ଜୀବନର ଅଭୀପ୍‌ସା, ଅର୍ଥାତ୍ ମୋ’ ଗଗନର ସୂର୍ଯ୍ୟ ସେ । ସିଏ ମୋ’ର ଆକାଶ ଭରାଇ ରଖିଥାଏ, ମୋତେ ଆଲୋକର ସ୍ପର୍ଶ ଦେଇଥାଏ, ମୁଁ ଯେ କେତେ ଆଡ଼କୁ ପ୍ରସରି ଖିଅ ଲଗାଇ ରହିଛି, ସେହି ସୂର୍ଯ୍ୟ ମୋତେ ସେହି ସତ୍ୟଟିର ସ୍ପର୍ଶ ଦେଇଯାଏ । ଭିତରେ ତାହାହିଁ ପ୍ରଦୀପ ହୋଇ ଜଳୁଥାଏ, ତାହାହିଁ ଅପେକ୍ଷା କରି ରହିଥାଏ, ଆପଣାକୁ ଅନେକ ବିଶ୍ଵାସରେ ଭୂଷିତ ଓ ଧନ୍ୟ କରି ରଖିଥାଏ ।

 

ସେହି ଅଭୀପ୍‌ସା ହିଁ ଅହଂକୁ କାଟି କାଟି ଦେବାରେ ଲାଗିଥାଏ । ଏଇଟିକୁ ସାଙ୍ଗ କରିପାରିଲେ ସେଇଟି ପ୍ରାୟ ଆପେ ଆପେ ସାଙ୍ଗ ଛାଡ଼ି ପଳାଏ । ଅହଂଗୁଡ଼ାକୁ ଆମେ ଯେତିକି ଯେତିକି ତଡ଼ିବା ଲାଗି ବ୍ୟସ୍ତ ହେଉଥାଉ, ସେଥିଲାଗି ଯେତିକି ଯେତିକି ଅଧିକ କ୍ରୂରତା ପ୍ରକାଶ କରୁଥାଉ, ତାହା ଅନେକ ସମୟରେ ଆମକୁ ସତେଅବା ସେତିକି ଅଧିକ ଶକ୍ତ ଭାବରେ ଜାବୁଡ଼ି ଧରିବାକୁ ଚେଷ୍ଟା କରୁଥାଏ । ସାନ ଅହଂ ଗୁଡ଼ାକ ବଡ଼ ବଡ଼ ଅହଂରେ ପରିଣତ ହେବାରେ ଲାଗିଥାଏ, ସାନ ସାନ ଭ୍ରମ ଓ ହାସ୍ୟାସ୍ପଦତାରୁ ଆମକୁ ବଡ଼ ବଡ଼ ଭ୍ରମ ଏବଂ ହାସ୍ୟାସ୍ପଦତା ଭିତରେ ଦେହସୁହା କରି ବାନ୍ଧି ରଖିବାଲାଗି ଫିକର କରୁଥାଏ । ତେଣୁ ଗଣ୍ଠି ଛିଡ଼େନାହିଁ, ଗଣ୍ଠି ପଡ଼ି ପଡ଼ି ଯାଉଥାଏ । କିନ୍ତୁ, ଭିତରେ ଅଭୀପ୍‌ସାର ଜାଗରଣ ଘଟାଇ ପାରିଲେ, ଆପଣାକୁ ନଚାହିଁ ଆପଣାକୁ ନିମିତ୍ତ କରି ଆଉକିଛି ଚାହିଲେ ଏବଂ ସେଇଥିଲାଗି ଯଥାର୍ଥରେ, ସ୍ଵତଃପ୍ରେରିତ ଭାବରେ ଖୁସୀ ହୋଇ ଜୀବନ ବଞ୍ଚିପାରିଲେ ଆମ ଜୀବନ ସତେଅବା ଆକାଶ ଭରି ସେହି ସୂର୍ଯ୍ୟଟିକୁ ଦେଖି ପାରିବାର ଯୋଗ୍ୟତା ଅର୍ଜନ କରେ, ଭିତରେ ସତେଅବା ଏକ ପ୍ରଦୀପ ଜଳିଉଠିଲା ପରି ଅନୁଭବ କରେ । ତା’ପରେ ଯାବତୀୟ ମେଘାଚ୍ଛନ୍ନତା କୁଆଡ଼େ କଟିଯାଏ ।

 

୧୫ । ୭ । ୭୯

 

ଏହି ବିସ୍ମୟର ଅନ୍ତ ନାହିଁ, କାରଣ ଏହି ପରିଚୟର ଅନ୍ତ ନାହିଁ, ଏହି ଅନ୍ତଃପ୍ରବେଶର ଅନ୍ତ ନାହିଁ, ଏହି ଖିଅ ଯୋଡ଼ିହୋଇ ଯିବାର ଅନ୍ତନାହିଁ । ଏହି ପଥର ଅନ୍ତ ଆଉ ନାହିଁ । ଏହି ଭଲ ପାଇବାର ଅନ୍ତ ନାହିଁ, ଏହି ସମର୍ପଣର ବି ଅନ୍ତ ନାହିଁ । ମୁଁ ଯେତିକି ଯେତିକି ଅଧିକରୁ ଅଧିକ ପ୍ରସ୍ତୁତ ହୋଇ ପାରୁଥିବି, ଯେତିକି ଯେତିକି ଆପଣାକୁ ସମସ୍ତଙ୍କ ଲାଗି ଅର୍ଥାତ୍ ତାଙ୍କ ଲାଗି ଗୋଟିଏ ଘର ରୂପେ ତିଆରି କରି ପାରୁଥିବି, ସେପର୍ଯ୍ୟନ୍ତ ଏହି ବିସ୍ମୟର ଅନ୍ତନାହିଁ । ଏହି ପରିତ୍ରାଣକାରୀ ଅନ୍ତରଙ୍ଗତା ଓ ଆତ୍ମୀୟତାର ପ୍ରକୃତରେ କୌଣସି ଅନ୍ତନାହିଁ ।

 

ତେଣୁ, କେବଳ ବିଶ୍ଵାସ ଲୋଡ଼ା; କେବଳ ଶ୍ରଦ୍ଧା ଲୋଡ଼ା । ଯେଉଁ ଶ୍ରଦ୍ଧା ଅଭୟ ଦିଏ, ତାହାହିଁ ଲୋଡ଼ା । ଯେଉଁ ବିଶ୍ଵାସ ଅଭୟ ଦିଏ, ତାହାହିଁ ଲୋଡ଼ା । ସେହି ଅଭୟ ପାଇଲେ ନିଜକୁ ନେଇ ମଧ୍ୟ ଏହି ସଂସାରରେ ଆଉ କଦାପି ଏତେ ଭୟ ଲାଗେ ନାହିଁ । ନିଜ ପ୍ରତି ଭୟ ତୁଟିଗଲେ ନିଜ ଭିତରେ ଅହଂ ବୋଲି ଯେଉଁ ମଳିନ ସାନ ଜିନିଷଟି ସତେଅବା ଏଡ଼େ ବଡ଼ ଓ ଏଡ଼େ ପ୍ରତାପଶାଳୀ ହୋଇ ବସିଥାଏ, ତା’ର ଆଣ୍ଟଗୁଡ଼ାକ ମଧ୍ୟ କ୍ରମେ ଭାଙ୍ଗି ଭାଙ୍ଗି ଯାଏ, ତା’ ଦଉଡ଼ିଗୁଡ଼ାକ ଫିଟି ଫିଟି ଆସେ । ସେହି ଦଉଡ଼ି ଫିଟି ଆସିଲେ ସବୁକିଛି ହାଲୁକା ଲାଗେ । ଆଖି ଦୁଇଟାର ସକଳ ଲାଜ ଅନ୍ତର୍ନିହିତ ହୋଇଯାଏ । ଆଖିଦୁଇଟା ବି ଫୁଲ ପରି ଫୁଟି ଉଠି ସକଳ ବିସ୍ମୟର ଆକାର ତାଙ୍କରି ଆଡ଼କୁ ଚାହିଁ ରହିବାକୁ ଆଗଭର ହୋଇଯାଆନ୍ତି ।

 

୧୬ । ୭ । ୬୯

 

ନା,-କେବଳ something new ନୁହେଁ, everything new; –ଦୁଇଟାଯାକ ପାଖରେ ହିଁ everything new; –ଯାହାକୁ ମୁଁ ଅନାଇ ରହିଛି, ଯାହାକୁ ମୁଁ ସମ୍ଭାରି ଧରିବାର ବାସନା ରଖିଛି, ତା ଭିତରେ everything new; ଏବଂ ଏହି ବାସନାକୁ ଅଭିବ୍ୟକ୍ତିରେ ପରିଣତ କରିବା ସଙ୍ଗେ ସଙ୍ଗେ ମୋ ଭିତରେ ମଧ୍ୟ everything new–ଆପଣାକୁ ଚିହ୍ନି ଚିହ୍ନି ଯାଉଥିବ; ତଥାପି ଆକାଶଟି ନୂଆ ନୂଆ ଲାଗୁଥିବ । ଆକାଶଟିକୁ ଚିହ୍ନି ଚିହ୍ନି ଯାଉଥିବ, ତଥାପି ଆକାଶଟି ନୂଆ ନୂଆ ଲାଗୁଥିବ, ତା’ ଆମନ୍ତ୍ରଣର ଭାଷା ପ୍ରତ୍ୟେକ ମୁହୂର୍ତ୍ତରେ କାନକୁ, ଆଖିକୁ ନୂଆ କରି ଲାଗୁଥିବ, –ଏଠାରେ ଏହାହିଁ ରୀତି ।

 

ଆଉ ସେଠିକା ଏବଂ ଏଠିକା ମଧ୍ୟରେ ଖିଅ ବତାଇଦେଇ ଯେଉଁ ସେତୁଟି ପଡ଼ି ରହିଛି, ଏଠୁ ସେଠା ପର୍ଯ୍ୟନ୍ତ ବାଟଟିକୁ ସତେଅବା ଉନ୍ମୋଚିତ କରି ସମ୍ମୁଖରେ ଧରିରଖିଛି, ତାହା ମଧ୍ୟ କେବଳ something new ନୁହେଁ, ତାହା ବି everything new; –ଏପରି ନହେଉଥିଲେ ସମ୍ଭବତଃ ଆଦୌ କୌଣସି ବାଟ ଚାଲିବା ସମ୍ଭବ ହେଉନଥାନ୍ତା । ଗୁଡ଼ାଏ ମାଗିବା ଏବଂ ପାଇବାର ପ୍ରହସନ ଚାଲିଥାନ୍ତା, ଗୁଡ଼ାଏ ସଂଗ୍ରହ କରି ଗୁଡ଼ାଏ ଅହଂକାର ସହିତ କୋଳାହଳ କରିବା ସାର ହେଉଥାନ୍ତା ସିନା, ମାତ୍ର ବାଟ ଚାଲିବା ସମ୍ଭବ ହେଉନଥାନ୍ତା । ବାଟ ଚାଲିବା ନାଆଁରେ ହୁଏତ ଗୁଡ଼ାଏ ଗଣ୍ଠି ପଡ଼ି ପଡ଼ି ଯାଉଥାନ୍ତା, ଅର୍ଥାତ୍ ଆର୍ତ୍ତତା ବଢ଼ି ବଢ଼ି ଯାଉଥାନ୍ତା, ଘରଗୁଡ଼ିକ ଖାଲି ଶୂନ୍ୟ ଶୂନ୍ୟ ଦିଶୁଥାନ୍ତେ, ଜୀବନଟାଯାକ ଖାଲି ବିକଳ ହୋଇ କଟି ଯାଉଥାନ୍ତା ।

 

୧୭ । ୭ । ୭୯

 

ପ୍ରତ୍ୟେକ ଦିନର ବିଜୟ ଯେପରି କେବଳ ଏକ ସର୍ବପ୍ରଥମ ବିଜୟ, ପ୍ରତ୍ୟେକ ଦିନର ଦେଖା ସତେ ଯେପରି କେବଳ ସର୍ବପ୍ରଥମ ଦେଖା; –ଠିକ୍ ସେହିପରି ଅନୁଭବ ହେଉଛି । ପେଟ ପୁରିଗଲେ ବୋଧହୁଏ ଠିକ୍ ଏହିପରି ହୁଏ, ପ୍ରେମରେ ପଡ଼ିଲେ ବୋଧହୁଏ ଠିକ୍ ଏହିପରି ହୁଏ । ଏଠାରେ କୌଣସି ଅତୃପ୍ତି ରହି ଯାଉଥିବାର ଆଦୌ କୌଣସି ପ୍ରଶ୍ନ ହିଁ ଉଠୁନାହିଁ । ଭିତରେ ଅତୃପ୍ତି ଗୁଡ଼ାଏ ରହିଥିଲେ ମୁଁ ତ କେବେହେଲେ ପାଖକୁ ଆସିବାକୁ ସାହସ ବି କରି ପାରନ୍ତି ନାହିଁ । ହାତ ପାଖରେ ପାଇବାର ଭ୍ରମ ସୃଷ୍ଟି ହେବା ମାତ୍ରକେ ମୁଁ ତ ଗୋଟାସୁଦ୍ଧା ଗିଳି ପକାଇବାର ବାହାଦୂରୀ ଦେଖାଇବାରେ ଲାଗିଥାନ୍ତି । ତେଣୁ, ଅତୃପ୍ତିର ଆଦୌ କୌଣସି ପ୍ରଶ୍ନ ଉଠୁନାହିଁ । ଆହୁରି ପାଖକୁ ପାଖକୁ ଆସି ବସି ପାରିବାର ବାସନା ସତେଅବା ସର୍ବପ୍ରଥମ ବାସନାରେ ପରିଣତ ହୋଇଗଲେ ସବୁ ଛୁଇଁବା ଯେପରି ସର୍ବପ୍ରଥମ ଛୁଇଁବା ପରି ବୋଧ ହେଉଥାଏ, ଏହି କ୍ଷେତ୍ରରେ ସମ୍ଭବତଃ ତାହାହିଁ ଘଟୁଛି ।

 

ତେଣୁ, ଆହୁରି ଅଛି । ଆହୁରି ଶ୍ରଦ୍ଧା ରହିଛି, ଆହୁରି ଅନେକ ଦ୍ଵାର ମୋତେ ହାତ ଠାରି ଡାକିବାରେ ଲାଗିଛନ୍ତି, ଆହୁରି କେତେ ଆକାଶର କେତେ କେତେ ତାରା ମୋ’ଲାଗି ସତେଅବା ଅପେକ୍ଷା କରି ରହିଛନ୍ତି । ଆହୁରି କେତେ କେତେ ସଦନ ମୋ’ଲାଗି ଅପେକ୍ଷା କରି ରହିଛି ।

 

୧୮ । ୭ । ୭୯

 

ବିଜୟ ପରେ ବିଜୟ, ଆହୋରଣ ପରେ ଆହୋରଣ, ସାନୁ ପରେ ସାନୁ, ସନ୍ନିଧାନ ପରେ ଆହୁରି ସନ୍ନିଧାନ, ସମର୍ପଣ ପରେ ପୁନରାୟ ସମର୍ପଣ, –ଏହାହିଁ ରୀତି ଏହାହିଁ ଗତି, ଏହାହିଁ ପରିଚୟ ।

 

ଏହି ପରିଚୟ ହେଉଛି ଆହୁରି ଏବଂ ଆହୁରି ଅଧିକ ପାଖକୁ ଆସି ବସିବାର ପରିଚୟ, ଏହି ପରିଚୟରେ ଯେଉଁ ଆନନ୍ଦ ମିଳେ, କିଛି ମାଗି ତାକୁ ପାଇବାରେ କ'ଣ କେବେହେଲେ ସେତେ ଆନନ୍ଦ ମିଳେ ? ସେଥିଲାଗି ମୁଁ ପ୍ରାୟ କିଛିହେଲେ ମାଗି ପାରେନାହିଁ । ଅନାଉଁ ଅନାଉଁ ଅନାଇ ରାହିଯାଏ, –ହାତ ପତାଉ ପତାଉ ସତେଅବା ଫାନ୍ଦରେ ଆସି ପଡ଼ିଯାଏ, ବିକି ହୋଇଯାଏ, ଏକାବେଳେକେ ନିଜର ହୋଇଯାଏ । ଏହି ସବୁକିଛି ମୋ’ର ବୋଲି ଅନୁଭବ ହୁଏ । ପୁଣି ତା'ପରେ ଆଉ ମାଗି କରି ସେଠୁ ଆଣିବାର କ'ଣ ରହିଲା ? ପାଖରେ ବସିବାର ଆନନ୍ଦ, ତାହାହିଁ ଏହି ଜୀବନର ସର୍ବଶ୍ରେଷ୍ଠ ପ୍ରାପ୍ତି, ସର୍ବଶେଷ ପୁଣ୍ୟ । ତାହାହିଁ ସର୍ବଶ୍ରେଷ୍ଠ ପ୍ରତିଶ୍ରୁତି-। ଏହି ପ୍ରତିଶ୍ରୁତି ପ୍ରତ୍ୟହ ନୂତନ ନୂତନ କରି ଆସୁଛି, କେବେ କୌଣସିଟିର ପୁନରାବୃତ୍ତି ହେଉନାହିଁ-। ମନେ ହେଉଛି, ମୁଁ ଯେପରି ଏହି ସବୁକିଛିର ମାଲିକ ହୋଇ ଏହି ଜଗତକୁ ଆସିଅଛି-। ତେଣୁ ଆଉ କାଙ୍ଗାଳଙ୍କ ପରି ମୁଁ କିଛିହେଲେ ମାଗିବାକୁ ମନ କରି ପାରୁନାହିଁ । ଏବଂ ପ୍ରତ୍ୟେକଟି ଦିନ ବିଜୟୀ ହେବାର ଗୋଟିଏ ଗୋଟିଏ ମାଇଲ୍ ଖୁଣ୍ଟ ହେବାରେ ଲାଗିଛି ।

 

୧୯ । ୭ । ୭୯

 

ବାସନାର ଜୟ, ତାହାହିଁ ବାସନାର ତର୍ପଣ । ଯିଏ ଆପଣାର ଅଭିବ୍ୟକ୍ତି ଲାଗି କ'ଣଟିଏ ମାଗୁଛି, ମୁଁ ତାକୁ ସମଗ୍ର ଆକାଶଟିକୁ ନେଇ ଦେଖାଇଦେଇ ପାରିବି । ଯିଏ ନିଜର ଛୋଟ ଗିନାଟିରେ ଗିନାଏ ପାଣି ମାଗୁଛି, ତାକୁ ମୁଁ ସମୁଦ୍ର ଦେଖାଇଦେଇ ଏବଂ ଯିଏ କ୍ଷଣକଲାଗି ପୁଲକରେ ଟିକିଏ ଶିହରି ଉଠିବ ବୋଲି ଅଧକ୍ଷଣକ ଲାଗି ଏତେଟିକିଏ ସ୍ପର୍ଶ ପାଇବ ବୋଲି ବିକଳ ହେଉଛି, ମୁଁ ତାକୁ ସାଙ୍ଗ କରି ସଙ୍ଗରେ ନେଇ ଚରଣସ୍ପର୍ଶ କରାଇଦେବି । ଏହାହିଁ ମୋ’ର ଧାରା ମୋ’ର ବାଟ । ଦମନକୁ ମୂଳ କରି ଯେଉଁ ଅବଦମନ ସମ୍ଭବ ହୋଇଥାଏ, ସେହି ବାଟରେ ଯେପରି ଅନେକ କ୍ଷତି ଏବଂ ଅନେକ କ୍ଷତର ଭୟ ରହିଛି ।

 

ତେଣୁ, ମୋ’ର ବାସନାକୁ ମୁଁ ଅଭୀପ୍‌ସାର ମନ୍ତ୍ର ଛୁଆଁଇ ଆପଣାର ଶକ୍ତିରେ ପରିଣତ କରିନେବି । ଝୁଣ୍ଟିବାଗୁଡ଼ାକୁ ନିଦ୍ରାଭଙ୍ଗର ନାନା ବନ୍ଧୁ ଅବସରରେ ପରିଣତ କରିନେବି । ଏବଂ, ଯାବତୀୟ କ୍ଷେତ୍ରରେ, ସବୁ ବାସନାର ଶେଷରେ, ମୁଁ ପ୍ରକୃତରେ ଯାହାକୁ ଖୋଜୁଛି, ଯାହାକୁ ଲୋଡ଼ୁଛି, ତାହାରି ଉପସ୍ଥିତିକୁ ହିଁ ଅନୁଭବ କରୁଥିବି । ଏହି ସଂସାର ମୋତେ ତ୍ରାସ ଦେବନାହିଁ; ଏହି ସଂସାର ମୋତେ ଗୋଟିଏ ବାଟ ବୋଲି ଲାଗିବ । ସେହିପରି ମୋ’ର ବାସନା ବି ମୋତେ ତ୍ରାସ ଦେବନାହିଁ, –ମୋ’ର ବାସନା ମୋ’ ଭିତରକୁ ଭିତରକୁ ମୋତେ ବାଟ କଢ଼ାଇ ନେଉଥିବ, ମୋତେ ଆହୁରି ଉପରକୁ ଯିବାରେ ସାଥୀ ପରି କାର୍ଯ୍ୟ କରିବ; –ନିମିତ୍ତ ହୋଇ ମୋତେ ଅଧିକ ବିଜୟ ଲାଗି ଅଭୀପ୍‌ସା ପରି କାର୍ଯ୍ୟ କରିବ ।

 

୨୦ । ୭ । ୭୯

 

ଏ ଘର ଆପଣା ଘର ବୋଲି ଲାଗୁଥିବ, ତାହାହିଁ ହେଉଛି ଯଥାର୍ଥ ସୁଖ, ତାହାହିଁ ସ୍ଥାୟୀ ସୁଖ । ଯେତେବେଳେ ଏହି ଘରକୁ ଆଉକିଏ ଅଧିକାର କରି ରହିଥାଏ, ଯେତେବେଳେ ମୁଁ ପ୍ରାୟ ଏକାବେଳେକେ ଅନେକ ତ୍ରାସ ଦ୍ଵାରା ଆପଣା ଭିତରେ ଟାଣି ଘୋଷାରି ହେବାରେ ଲାଗିଥାଏ, ସେତେବେଳେ ମୁଁ ପ୍ରକୃତରେ ଆପଣା ଭିତରେ ଭାରି ଦୀନ ଓ ଅଳ୍ପବଳ ହୋଇ ରହିଥାଏ । ସଂସାରଯାକର ଦୁଖଃ ମୋତେ ସତେଅବା ଏକାବେଳେକେ ବାନ୍ଧି କରି ଧରିଥାନ୍ତି ।

 

ତେଣୁ, ମୋ’ ଘରଟି ମୋ’ ଘର ହୋଇ ରହିବ । ଏହି ଘରଟି ମୋ’ର ତ୍ରାସଦ୍ଵାରା ନୁହେଁ, ମୋ’ର ଶ୍ରଦ୍ଧାଦ୍ଵାରା ହିଁ ପୂର୍ଣ୍ଣ ହୋଇ ରହିଥିବ । ସେହି ଶ୍ରଦ୍ଧାକୁ ଭୂମି କରି ହିଁ ମୋ’ର ଯାବତୀୟ ବିଚରଣ ସମ୍ଭବ ହେଉଥିବ । ତେବେଯାଇ ଯଥାର୍ଥ ସୁଖ ମିଳିବ । ଆପଣା ଉପରେ ଅଧିକରୁ ଅଧିକ ଅର୍ଜନ କରିବାର ଅର୍ଥ ନୁହେଁ ଯେ ଆପଣାର କାନକୁ ଧରି ଆପଣାକୁ ପୂର୍ଣ୍ଣ ସଜ୍ଞାନତା ଭିତରେ ରଖିବ, ଆପେ ଆପଣାଠାରୁ ଲୁଚି ନରହିବା, ଆପଣା ଭିତରେ ବିଭକ୍ତ ହୋଇ ନରହିବା, ତାହାହିଁ ନିଜ ଉପରେ ନିଜର ଅଧିକାର ଅର୍ଜନ କରିବା, ନିଜେ ନିଜକୁ ସାଥୀ କରି ପାଇବା, ନିଜ ଘରକୁ ପ୍ରକୃତରେ ନିଜର ଘର ବୋଲି ଅନୁଭବ କରିବା ।

 

୨୧ । ୭ । ୭୯

 

ଯିଏ ନିଜକୁ ଖୋଲିଦେଇ ସାରିଛି, ଏଠାରୁ ସେଯାଏ ଯାହାର ଜୀବନରେ ବିଶ୍ଵାସର ସେତୁଟି ପଡ଼ି ସାରିଛି, ତା'ର ପୁଣି ସୁଖ କ'ଣ ଦୁଃଖ କ'ଣ ? ପୁଣି, ସିଏ ପୁଣି ସୁଖକୁ କ'ଣ ଇଚ୍ଛା କରିବ ଏବଂ ଦୁଃଖକୁ ଦୂରରେ ରଖିବାକୁ ଅର୍ଥାତ୍ ଦୁଃଖଠାରୁ ଆପଣାକୁ ଦୂରଛଡ଼ା କରି ରଖିବାକୁ ଇଚ୍ଛା କରିବ ? ଦୁଃଖ ନପାଇବା ଲାଗି ଯେଉଁ ସୁଖର ଇଚ୍ଛା କରାଯାଏ ତାହାକୁ ମୁଁ କେବେହେଲେ ସୁଖ ବୋଲି ଅନୁଭବ କରିନାହିଁ । ଯେଉଁ ସୁଖ ଦୁଃଖଠାରୁ ବାରି ହୋଇ ପଡ଼େ, ଯାହାକୁ ପାଇଲେ ମଣିଷ ଆପଣାକୁ ଦୁଃଖୀ ବୋଲି ଅନୁଭବ ନକରି ସୁଖୀ ବୋଲି ଅନୁଭବ କରିବାକୁ ସମର୍ଥ ହୁଏ, ସେହି ସୁଖ ମୁଁ ପ୍ରାୟ କେବେହେଲେ ଇଚ୍ଛା କରିନାହିଁ । କାରଣ, ସେହି ସୁଖରୁ କେବେହେଲେ ସୁଖ ମିଳିବ ବୋଲି ମୁଁ ବିଶ୍ଵାସ କରିନାହିଁ ।

 

ଯେଉଁଥିରେ ଖାସ୍ ମୋ’ରି ସୁଖ ହେବ, ଯେଉଁଟିଦ୍ଵାରା ମୁଁ ଜୀବନର ନାନା ଦୁଃଖରୁ ସୁରକ୍ଷିତ ହୋଇ ରହିପାରିବି, ମୁଁ ସେପରି ସୁଖର କେବେହେଲେ ଅପେକ୍ଷା ବି ରଖିନାହିଁ । ଏପରି ଏକ ସ୍ତର ରହିଛି, ଯୋଉଠି ଦୁଃଖ ସୁଖ କିଛି ବାରି ହୁଏ ନାହିଁ । କେବଳ ଦୁଆର ବନ୍ଦ ହୋଇଗଲେ ଦୁଃଖ ଭୋଗ କରିବାକୁ ହୁଏ ଏବଂ ଦୁଆର ଖୋଲିଗଲେ, ଖିଅ ଲାଗି ଗଲେ, ସବୁଯାକ କରୁଣା ସତେଅବା ମୁକ୍ତ ପବନ ଓ ମୁକ୍ତ ଆଲୁଅ ହୋଇ ଘର ଭିତରେ ପ୍ରବେଶ କରୁଥିବା ସମୟରେ ସୁଖ ଲାଗେ । ତା'ପରେ ଆଉ ଅଧିକ କିଛି ମାଗିବାକୁ ମୋଟେ ମନ ଯାଏନାହିଁ ।

 

୨୨ । ୭ । ୭୯

 

ଶତ୍ରୁକୁ ଦେଖି ଯେଉଁ ହସଟି ହସାଯାଏ, ତାହା କଦାପି ଉପହାସର ହସ ନୁହେଁ । ଶତ୍ରୁକୁ କେବଳ ଶତ୍ରୁ ପରି ଦେଖୁଥିବା ପର୍ଯ୍ୟନ୍ତ ଶତ୍ରୁ ପ୍ରତି କଦାପି ଯଥାର୍ଥ ହସଟିକୁ ହସି ହୁଏନାହିଁ । ଶତ୍ରୁ ଭିତରେ ଯାହା ପ୍ରଚ୍ଛନ୍ନ ହୋଇ ରହିଛି, ମୋ’ନିଜ ଭିତରେ ମଧ୍ୟ ସେହି ସତ୍ୟଟି ପ୍ରଚ୍ଛନ୍ନ ରହିଛି, ମୋତେ ପ୍ରେରିତ କରି ରଖିଛି, –ଏହିପରି ସରଳ ବିଶ୍ଵାସ ଭିତରୁ ଯେଉଁ ଆତ୍ମୀୟତାକୁ ଅନୁଭବ କରିବାର ଅଧିକାର ମିଳେ, ଶତ୍ରୁ ପ୍ରତି ହସ ଭିତରେ ଯଥାର୍ଥରେ ସେହି ଆତ୍ମୀୟତା ହିଁ ପ୍ରକାଶିତ ହୋଇଥାଏ । ଶତ୍ରୁ ଆଗରେ ହସୁଥିବାବେଳେ ମୁଁ ତାକୁ ଯଥାର୍ଥରେ ସେହି ଆତ୍ମୀୟତାର ଆମନ୍ତ୍ରଣଟିକୁ ଜଣାଇବାକୁ ଚେଷ୍ଟା କରୁଥାଏ ।

 

ଶତ୍ରୁକୁ ହସି ପାରିବା ମୋଟେ ସହଜ ନୁହେଁ । ନିଜ ସହିତ ମୁଁ ଯେତେବେଳେ ଯଥାର୍ଥ ଆତ୍ମୀୟତା ଅର୍ଜନ କରି ପାରିବି, ଅର୍ଥାତ୍ ମୁଁ ଯେତେବେଳେ ନିଜ ଭିତରେ ଅନ୍ୟମାନଙ୍କୁ ମଧ୍ୟ ଦେଖି ପାରିବି, ଅନ୍ୟମାନଙ୍କ ଲାଗି ମୋ’ ଭିତରେ ଏକ ସ୍ଥାନ ରହିଛି ବୋଲି ଯେତେବେଳେ ମୁଁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଅନୁଭବ କରିପାରିବି ସେତିକିବେଳେ ଯାଇ ଶତ୍ରୁ ମିତ୍ର ସମସ୍ତଙ୍କୁ ଆତ୍ମୀୟ ଭାବରେ ଆମନ୍ତ୍ରଣ ଜଣାଇ ପାରିବି । କିନ୍ତୁ, ସେତେବେଳେ ଏହି ଜୀବନ ଆଦୌ ଏକ ବାଣିଜ୍ୟ ହୋଇ ରହିବନାହିଁ, ତାହା ଏକ ଧର୍ମରେ ପରିଣତ ହୋଇଯିବ ।

 

୨୩ । ୭ । ୭୯

 

ଏହି ହସତଳେ ଏକ ସାହସ ରହିଛି, ଏହି ସାହସ ପଛରେ ଏକ ବିଶ୍ଵାସ ରହିଛି । ଏବଂ ହୁଏତ ସେଇଥିଲାଗି ଏହି ହସ ଯାବତୀୟ ବାଧାକୁ ଅତିକ୍ରମ କରି ପାରୁଛି, ଯାବତୀୟ ବାଡ଼କୁ ଭାଙ୍ଗିଦେଇ ପାରୁଛି । ଜୀବନରେ ଯେପରି ବାଧା ବୋଲି କିଛି ନାହିଁ, ଜୀବନରେ ସେହିପରି ଏକ ପ୍ରତ୍ୟୟ ଆଣିଦେଇ ପାରୁଛି ।

 

ଅନେକ ମଣିଷ ମେଘଗୁଡ଼ାକୁ ହିଁ ଆପଣା ଜୀବନର ସବୁଠାରୁ ବଡ଼ ଧନ୍ଦା ବୋଲି ଧରି ବସିଥାନ୍ତି । ସେମାନେ ସେହିଗୁଡ଼ାକର କବଳରୁ ମୁକ୍ତ ହେବାଲାଗି ସତତ ପ୍ରାର୍ଥନା କରନ୍ତି, ବର ମାଗୁଥାନ୍ତି, ଗୁହାରି କରୁଥାନ୍ତି । ଏହି ସଂସାରର ପାପଗୁଡ଼ାକ ଆସି ସେମାନଙ୍କୁ ଗିଳି ପକାଇଲା ବୋଲି ସେମାନେ ଗମ୍ଭୀରିଗୁଡ଼ାକୁ ଫଟାଇ କାନ୍ଦିବାରେ ଲାଗିଥାନ୍ତି । ସୂର୍ଯ୍ୟ ଆସିଲେ ମେଘମାନେ ଅପସରି ଯାଆନ୍ତି । କୁଆଡ଼େ ଉଡ଼ି ପଳାଇ ଯାଆନ୍ତି । ସେହି ନିଜ ଭିତରୁ ଯେ ସକଳ ଯଥାର୍ଥ ସୂର୍ଯ୍ୟୋଦୟ ହୁଏ, ଆପଣାର ଦୁଆରଟି ଫିଟିଗଲେ ଯେ ଯଥାର୍ଥ କରୁଣାବତରଣ ଓ ଭାଗ୍ୟୋଦୟ ସମ୍ଭବ ହୁଏ, ସେହି କଥାଟିକୁ ସତ୍ୟ ବୋଲି ଚିହ୍ନିବା ଲାଗି ଯେତିକି ବିଳମ୍ବ ହେଉଥାଏ, ମେଘଗୁଡ଼ାକ, ପାପଗୁଡ଼ାକ, ଏହି ଖସଡ଼ା ବାଟଗୁଡ଼ାକ ଆମର ଧ୍ୟାନକୁ ଓ ଆମର ଶ୍ରଦ୍ଧାକୁ ସତେଅବା ସେତିକି ଶକ୍ତ ଭାବରେ ଯାବୁଡ଼ି, ଧରିଥିଲା ପରି ମନେ ହେଉଥାଏ । ଗଣ୍ଠିଗୁଡ଼ାକ ସେତିକି ଚଉକଷ ହୋଇ ପଡ଼ିଥିବା ପରି ଓ ସତେଅବା କେବେହେଲେ ନଫିଟିଲା ପରି ମନେ ହେଉଥାନ୍ତି । ପାପରୁ ମୁକ୍ତ ହେବାଲାଗି ସଂଗ୍ରାମ କରି କରି ଜୀବନଟା କଟିଯାଏ । ଅର୍ଗଳିଗୁଡ଼ାକ ମୋଟେ ଖୋଲନ୍ତିନାହିଁ, ସୂର୍ଯ୍ୟୋଦୟ କେବଳ ଏକ ସ୍ଵପ୍ନ ହୋଇ ରହିଯାଏ ।

 

୨୪ । ୭ । ୭୯

 

Yes, if I chose to take it, –ମୋ’ର ଏହି ଜୀବନକୁ ଯଦି ମୁଁ ସୁନା ବୋଲି ଜାଣିଥିବି, ମୋ’ର ଅସଲ ଭିତରଟା ମଧ୍ୟ ସେଇ ସୁନା ଦେଇ ଗଢ଼ାହୋଇଚି ବୋଲି ମୁଁ ଯଦି ଅନୁଭବ କରୁଥିବି, ତେବେଯାଇ ମୁଁ ସେହି ପଥକୁ ଆପଣାର ପଥ ବୋଲି ବାଛିନେବି, ଅର୍ଥାତ୍ ମୁଁ ସେହି ପଥକୁ ବାସନା କରିବି । ମୋ’ ସମ୍ମୁଖରେ ଯାହାକୁ ରଖି ମୁଁ ବାଟ ଚାଲୁଛି, –ସମ୍ମୁଖରେ କିଛି ନରଖି ଆଦୌ କେବେହେଲେ କୌଣସି ବାଟ ଚାଲି ହେବ କି ?–ତାହା ଯଦି ମୋତେ କେବେହେଲେ ଏପରି ଏକ ସୂର୍ଯ୍ୟ ବୋଲି ଅନୁଭୂତ ହେଉଥାଏ ଯାହାକି ମୋ’ ଜୀବନର ସବୁକିଛିକୁ ଆଲୋକିତ ଓ ଧୌତ କରିଦେଇ ପାରୁଥାଏ, ତେବେ ମୋ’ର ପଥକୁ ମୁଁ ନିଶ୍ଚୟ ଏକ ସୂର୍ଯ୍ୟାଲୋକିତ ପଥ ବୋଲି ହିଁ ପ୍ରତ୍ୟକ୍ଷ କରି ପାରିବି । ଏହି ପଥର ଧୂଳିଗୁଡ଼ାକ ହିଁ ମୋତେ ସୂର୍ଯ୍ୟାଲୋକର କଣା ବୋଲି ଲାଗିବ । ଧୂଳି ଆଉ କଦାପି ଧୂଳି ବୋଲି ମନେ ହେବନାହିଁ । ଏବଂ, ଧୂଳି ଯେତେବେଳେ ଆଉ ମୋଟେ ଧୂଳି ବୋଲି ମନେ ନହେବ, ସେତେବେଳେ ଜୀବନରେ ବାଧାଗୁଡ଼ାକ ଆଉ ମୋଟେ ବାଧା ବୋଲି ଲାଗିବନାହିଁ ।

 

ତେଣୁ, ବାଛିନେବାକୁ ହିଁ ପଡ଼ିବ, ମୋତେ, ତୋତେ, ସମସ୍ତଙ୍କୁ କେବଳ ବାଛି ନେବାକୁ ପଡ଼ିବ, ସକଳ ବାସନା ମଧ୍ୟରେ ସେହି ଅସଲ ବାସନାଟିକୁ ଚିହ୍ନି ରଖିବାକୁ ହେବ । ଆପଣାର ଭିତରେ ରହି ଆପଣାକୁ ଜନ୍ମ ନେବାରେ ଲାଗିଥିବା ଜନନୀକୁ ଚିହ୍ନି ନେବାକୁ ପଡ଼ିବ । ମୋ’ର ଯାବତୀୟ ବାସନା ଯେତେବେଳେ ଭିତରେ ଥିବା ସେହି ଜନନୀର ବିଗଳିତ ହୋଇ ଆସୁଥିବା କରୁଣାକୁ ସ୍ପର୍ଶ କରି ପାରିବ, ଏକଥା ସେତିକିବେଳେ ଯାଇ ସମ୍ଭବ ହେବ ।

 

୨୫ । ୭ । ୭୯

 

ଜୀବନ ଯଦି ବୀଭତ୍ସ ହୁଏ, ତେବେ ମୁଁ ତାକୁ ଆଦୌ ଜୀବନ ବୋଲି କାହିଁକି କହିବି ? ଯଦି ଏହି ଜୀବନ ତୁମର ଆଲୋକ, ତୁମରି ଚେତନା ଓ ତୁମରି ସୌନ୍ଦର୍ଯ୍ୟ ଦ୍ଵାରା ପରିପ୍ରେରିତ ହୋଇ ରହିନଥାଏ, ତେବେ ମୁଁ ତାହା ଭିତରେ ଆଦୌ କୌଣସି ଦ୍ରବ୍ୟ ଅଛି ବୋଲି ବି କିପରି ଅନୁଭବ କରି ପାରିବି ? ଯଦି ନିଜ ଭିତରକୁ ଅନାଇଦେବା ମାତ୍ରକେ ତାହା ମୋତେ ନିଜ ଘର ପରି ଭଲ ଲାଗୁନଥାଏ ତେବେ ମୁଁ ତୁମକୁ ସମସ୍ତ ବିଶ୍ଵର ଘର ଓ ସମସ୍ତ ବିଶ୍ଵର ଆଶ୍ରୟ ବୋଲି କିପରି କହି ପାରିବି ? ଏସବୁ ନଥିଲେ ଜୀବନଟା ବା ଜଗତଟା ଯେ କ’ଣ ହୋଇଥାନ୍ତା, ମୁଁ ସେକଥା କେବଳ ବୁଦ୍ଧି ଖଟାଇ ଭାବିକରି କହିପାରିବି ସିନା, ମାତ୍ର ତା’ଠାରୁ ଆଉ ଅଧିକ କ’ଣ କରିପାରିବି ? ତୁମେ ସାଙ୍ଗରେ ନଥିଲେ ଏହି ବାଟକୁ ଚାଲିବାବେଳେ ତୁମକୁ ମୁଁ ମନେ ପକାଇ ପାରିବି ବା କିପରି ? ତୁମେ ସାଙ୍ଗରେ ନଥିଲେ ଏହି ବାଟକୁ ମୁଁ ବାଟ ବୋଲି ବି କହିପାରିବି କିପରି-? ଯାହାକୁ ମୁଁ ସହଜରେ ଅନୁଭବ କରି ପାରୁଛି, ସହଜରେ ଆପଣାର ସାଥୀ ବୋଲି ଗ୍ରହଣ କରିନେଇ ସାରିଛି, ସିଏ ନଥିଲେ ବା ତା’ର ଅମୁକ କିମ୍ବା ସମୁକ ମୋ ଲାଗି ଉପଲବ୍‌ଧ ହେଉ ନଥିଲେ ମୋ’ର ଯେ କଣସବୁ ହେଉଥାଆନ୍ତା, ସେ କଥା କହିଲାବେଳେ ଆପଣକୁ କେବଳ ବୁଦ୍ଧିର କେତେଟା କାରିଗରୀ ଦ୍ଵାରା ଆବୁରା ଜାବୁରା କରି ପକାଇବା ବ୍ୟତୀତ ମୁଁ ଆଉ ଅଧିକ କ’ଣ କରିପାରିବି ?

 

୨୬ । ୭ । ୭୯

 

ଶ୍ରଦ୍ଧା ଦେଇ ବୁଝିଲେ ପ୍ରକୃତରେ ବୁଝିବାର ଅନ୍ତ ନଥାଏ । ବୁଦ୍ଧି ଦେଇ ବୁଝିବାକୁ ବାହାରିଲେ ବାଡ଼ ବସାଇବାକୁ ହୁଏ, ରୂପ ଓ ପ୍ରକୃତିର ନିରୂପଣ କରିବାକୁ ହୁଏ, ଅଲଗା ଅଲଗା କରି ବାରିବାକୁ ହୁଏ, କୋଉଟା ମୋ’ର ଓ କୋଉଟା ମୋ’ର ନୁହେଁ, ସେକଥା ଭଲ କରି ଚିହ୍ନି ରଖିବାକୁ ହୁଏ । ଖାସ୍ ମୋ’ରି ଲାଗି ତାଙ୍କୁ ବୁଝିବାକୁ ବାହାରିଲେ ମଧ୍ୟ ସେହିପରି ହୁଏ । ସିଏ ସତେଅବା ମୋ’ର ଏହି ସାନ ଗୁହାଟି ଭିତରେ କିଳିହୋଇ ରହିଯାଆନ୍ତି । କେବଳ ମୋ’ରି ପୂଜା, ମୋ’ରି ଉପଚାର ଓ ମୋ’ର ଲୋଭ ଏବଂ ଆସକ୍ତିଗୁଡ଼ାକ ଭିତରେ ମୋତେ ଦୃଶ୍ୟ ହୁଅନ୍ତି । ଅନେକ ଅଶ୍ରଦ୍ଧା ଲାଗି ପ୍ରାୟ ଏକ ପ୍ରେରଣା ହୋଇ ରହିଥାନ୍ତି ।

 

ମାତ୍ର, ଶ୍ରଦ୍ଧା ଦେଇ ବୁଝିବାକୁ ମନ କଲେ ଦୁଆରଗୁଡ଼ାକ ଖୋଲିଯାଏ । ଏଇଠି ନିଜର ଦୁଆରଗୁଡ଼ାକ ଖୋଲିଯିବା ମାତ୍ରକେ ସିଏ ସତେଅବା ଏଇଠି ଦୃଶ୍ୟ ହେବାରେ ଲାଗନ୍ତି । ଏହି ଅଳପଗୁଡ଼ାକ ଅସୀମ ହୋଇଯାଏ, ଏହି ବାହୁଗୁଡ଼ାକର ଓ ଏହି ଆଖିଗୁଡ଼ାକର ସତେଅବା ଆଉ କୌଣସି କଳନା କରି ହୁଏନାହିଁ । ପଙ୍ଗୁ ହୋଇ ମଧ୍ୟ ଗିରି ଲଙ୍ଘି ହୋଇଯାଏ । ନିଜର ଅଳ୍ପତାଗୁଡ଼ାକୁ ଏକାବେଳେକେ ଭୁଲି ହୋଇଯାଏ । ଜ୍ଞାନକୁ ଅପେକ୍ଷା ରହେନାହିଁ । କାରଣ ଶ୍ରଦ୍ଧା ଜାଗ୍ରତ ହେଲେ ଜ୍ଞାନ ବି ସହଜ ହୋଇଯାଏ, ସଂଶୟଗୁଡ଼ାକ ସହଜ ହୋଇ ଫିଟି ଫିଟି ଯିବାପରି ଲାଗନ୍ତି । ବାଟମାନେ ହାତ ଠାରି ଡାକନ୍ତି । ମନ୍ଦିର ଚୂଡ଼ାଗୁଡ଼ାକ ସତେଅବା କେଉଁ ପରମବନ୍ଧୁର ଆଖିରେ ପରିଣତ ହୋଇ ଯାଆନ୍ତି !

 

୨୭ । ୭ । ୭୯

 

ସଂସାରରେ ମୁଁ କୃତଜ୍ଞ ହେବି । ସଂସାର ପାଖରେ କୃତଜ୍ଞ ହେବି । ଭଗବାନଙ୍କ ପାଖରେ କୃତଜ୍ଞ ରହିବି । ଏହି ଆଲୁଅ, ପବନ ଓ ଆକାଶ ପାଖରେ କୃତଜ୍ଞ ରହିବି । ଏହିସବୁ ନାନା ଖିଅ ଏବଂ ସମ୍ବନ୍ଧ ପାଖରେ କୃତଜ୍ଞ ହୋଇ ରହିବି । କାରଣ, ଏହିସବୁ କ୍ଷେତ୍ରରେ ମୁଁ ଯେତେ ଦେଉଛି, ତା’ଠାରୁ ଅନେକ ଅଧିକ ପରିମାଣରେ ମୁଁ ଗ୍ରହଣ କରୁଛି । ମୁଁ ପାଉଛି, ତେଣୁ ମୁଁ ସମ୍ପଦବାନ୍ ହେବାରେ ଲାଗିଛି । ମୋ’ର ପ୍ରାର୍ଥନା ମୂଳତଃ ଏହି କୃତଜ୍ଞତାର ପ୍ରାର୍ଥନା ହୋଇ ରହିବି-। ମୋ’ର ସାମର୍ଥ୍ୟ ପ୍ରଧାନତଃ କୃତଜ୍ଞତା ଲାଗି ହିଁ ସାମର୍ଥ୍ୟ ହୋଇ ରହିବ । ମୋ’ର ଅଭୀପ୍‌ସା ମଧ୍ୟ ପ୍ରଧାନତଃ ସେହି କୃତଜ୍ଞତାର ଯୋଗ୍ୟ ହେବାଲାଗି ଅଭୀପ୍‌ସା ହୋଇ ରହିବ ।

 

କୃତଜ୍ଞ ଜୀବନରୁ ହିଁ ପ୍ରକୃତ ଆନନ୍ଦ ସମ୍ଭବ ହୋଇଥାଏ । ଜଣେ କୃତଜ୍ଞ ମଣିଷଲାଗି ହିଁ ଏହି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତଗୁଡ଼ିକ ଏତେ ଆପଣାର ମନେ ହୋଇଥାନ୍ତି । ସଂସାରଯାକ ଘର ପରି ମନେହୁଏ ଏବଂ ସମସ୍ତେ ଆପଣାର ମନେ ହୁଅନ୍ତି । ଆପଣାର କ୍ଷତ ଏବଂ କ୍ଷତିଗୁଡ଼ାକୁ ଭୁଲିଯିବାଟା ସେତେବେଳେ ଭାରି ସହଜ ହୋଇଯାଏ, ଜୀବନର ଏକ ସ୍ଵାଭାବିକ ଧର୍ମରେ ପରିଣତ ହୋଇରହେ । କୃତଜ୍ଞ ମଣିଷ ଲାଭ କ୍ଷତି ବିଚାର କରେନାହିଁ; କୃତଜ୍ଞ ମଣିଷ କୌଣସି କ୍ଷେତ୍ରରେ ବି ଦିଗ୍‌ବିଜୟ ହାସଲ କରିବାକୁ ବାହାରେନାହିଁ । ସିଏ କୌଣସି ଗଡ଼ ଜୟ କରିବାର ଅଭିମାନ ରଖେନାହିଁ । ବନ୍ଧୁ ଓ ଶତ୍ରୁର ସଂଜ୍ଞାଟା ହିଁ ତା’ଲାଗି କ୍ରମେ ଏକାବେଳେକେ ଅଲଗା ପ୍ରକାରର ହୋଇଯାଏ । ତା’ର ବଣିଜଗୁଡ଼ାକ ହିଁ ଅନ୍ୟ ପ୍ରକାରର ହୋଇଯାଏ । ସମର୍ପଣ ସକାଶେ ତା’ପରେ ହୁଏତ ଆଉ କୌଣସି ପ୍ରକାରର ସାଧନା କରିବାକୁ ପଡ଼େନାହିଁ । ତା’ପରେ ଆଉ କୌଣସି ଶାସ୍ତ୍ରର କିମ୍ବା ସମ୍ପ୍ରଦାୟର ବୋଲ ମାନିବା ବା ଚିତା ଲଗାଇବା ବି ଦରକାର ପଡ଼େନାହିଁ ।

 

୨୮ । ୭ । ୭୯

 

ଆଉ ଭରସା କାହାରି ଉପରେ ନାହିଁ, ଭରସା ଆଉ କୋଉଠି ନାହିଁ । ମୋ’ ଭିତରେ ଯେଉଁଠି ସିଏ ଅଧିଷ୍ଠିତ ହୋଇ ରହିଛନ୍ତି, ସମସ୍ତଙ୍କ ଭିତରେ ଯେଉଁଠି ସିଏ ଅଧିଷ୍ଠିତ ହୋଇ ରହିଛନ୍ତି, ଭରସା କେବଳ ସେଇଠି । ସିଏ ସେହିଠାରେ ଅପେକ୍ଷା କରି ରହିଛନ୍ତି । ତାଙ୍କୁ ଉନ୍ମୋଚିତ କରି ଆଣିବାକୁ ହେବ । ତାହାହିଁ ଭରସା ।

 

ଆମେ ହଜାର ହଜାର ବରଷ ଧରି ଆହୁରି କେତେ କ’ଣ ଉପରେ ଭରସା କରି ଆସିଲୁ । ଆହୁରି କେତେ ଅପାୟକୁ ଉପାୟ ବୋଲି ଗ୍ରହଣ କରି କେତେମନ୍ତେ ଆପଣାର ଦାମ୍ଭିକତା ଗୁଡ଼ାକର ପ୍ରଦର୍ଶନ ବି କଲୁ । ବାଡ଼େଇ ପିଟି, ଘଷି ମାଜି; ଭୟ ଦେଖାଇ ଲାଞ୍ଚ ଦେଇ ମଣିଷକୁ ଏକାବେଳେକେ ସମ୍ପୂର୍ଣ୍ଣ କରି ଗଢ଼ିବା ଲାଗି କେତେ ଦୁରାତ୍ମତା ଦେଖାଇ ଆସିଲୁ । କିନ୍ତୁ, ଯୋଉ ଝିଅଟି ସହିତ ଖିଅ ବାନ୍ଧି ପାରିଥିଲେ ମଣିଷ ମଣିଷ କଥା ଶୁଣିଥାନ୍ତା, ଯେଉଁ ଥାନଟିକୁ ସ୍ପର୍ଶ କରିଥିଲେ ମଣିଷ ମଣିଷ ଉପରେ ବିଶ୍ଵାସ କରି ପାରିଥାନ୍ତା, ସେହି ଥାନଟିକୁ ପ୍ରାୟ ଏକାବେଳେକେ କିଳିକରି ରଖିଦେଲୁ । ଆମ ନୀତିବାଦରେ ସେଇଆ ହେଲା, ରାଜନୀତିରେ ସେଇଆ ହେଲା, ଆମ ଧର୍ମରେ ସେଇଆ ହେଲା, ଆମ ଶିକ୍ଷାରେ ବି ସେଇଆ ହେଲା । ଅନ୍ୟ ଭିତରେ ଅପେକ୍ଷା କରି ରହିଥିବା ପରମସତ୍ୟଟିକୁ ଅସ୍ଵୀକାର କରି ଆମେ ଆପଣାକୁ ଅନ୍ୟ ସମସ୍ତଙ୍କ ଠାରୁ କେଡ଼େ ଉପରେ ବୋଲି ଦମ୍ଭ କଲୁ ଓ ଏହିପରି ଭାବରେ ଆପଣା ଭିତରେ ରହିଥିବା ସେହି ଅସଲ କଳାଟିକୁ ମଧ୍ୟ ଅସ୍ଵୀକୃତ କରି ରଖିଲୁ । ତେଣୁ ଆମର ସବୁକିଛି ଧନ୍ଦା କେବଳ ଗୋଟାଏ ଗୋଟାଏ ନିର୍ମମତାରେ ପରିଣତ ହୋଇ ରହିଲା, ଫସରଫାଟି ଗଲା । ଏଥର ଅଗଗୁଡ଼ାକୁ ଛାଡ଼ି ମୂଳକୁ ନ ଆସିଲେ ଉପାୟ ନାହିଁ, ମୂଳଟିକୁ ଦେଇ ହିଁ ଆଗକୁ ନଧରିଲେ ଆଉ କୌଣସି ଉପାୟନାହିଁ ।

 

୨୯ । ୭ । ୭୯

 

ଯିଏ ଧୈର୍ଯ୍ୟରେ ବିଶ୍ଵାସ କରେ, ଅବିରତ ଉଦ୍ୟମରେ ବିଶ୍ଵାସ କରେ, ସେଇ ଯଥାର୍ଥ ଭାବରେ ପ୍ରାର୍ଥନା କରିପାରେ । ଅଧୀର ମଣିଷର ପ୍ରାର୍ଥନା ଆର୍ତ୍ତର ପ୍ରାର୍ଥନା । ତାହା ବାହାରେ ଆଉ ଯୋଉଠି ଯାଇ ବାଜୁ ବା ନବାଜୁ, ପଛକେ, ତାହା କଦାପି ତା’ର ନିଜ ଭିତରେ ରହିଥିବା ଅସଲ ମନ୍ଦିରଟିରେ ଯାଇ ମୋଟେ ବାଜି ପାରେନାହିଁ । ବାହାରେ ସେ କେତେ କାନ୍ଦି କରି ଆକାଶ କମ୍ପାଏ, ଅରଣ୍ୟକୁ ଥରହର କରେ, ଆପଣାର ସାନ ଦୁଃଖଗୁଡ଼ାକ ଦ୍ଵାରା ସଂସାର ଗୋଟାକୁ ଅଭିଭୂତ ଓ ଆକୁଳ କରି ପକାଇବା ସକାଶେ ସେ କେତେ ଚେଷ୍ଟା କରେ; ମାତ୍ର ତା’ର କଥାଗୁଡ଼ିକ ଯୋଉଠି ଯାଇ ବାଜୁଥିଲେ ସିଏ ସମସ୍ତ ଆକାଶ ଓ ସମସ୍ତ ଆଶ୍ରୟକୁ ଆପଣାର ଭିତରେ ହିଁ ଏକ ଅଭ୍ରାନ୍ତ ଭରସାରୂପେ ପାଇ ପାରୁଥାନ୍ତା, ଆପଣାର ଆର୍ତ୍ତ ସ୍ଵଭାବ ଦ୍ଵାରା ସିଏ ସେହି ସ୍ଥାନଟିକୁ ପ୍ରାୟ କଳି କରି ରଖିଥାଏ । ସିଏ ଆପଣା ଭିତରକୁ ବାଟ ପାଏନାହିଁ, ତେଣୁ ବାହାରେ ମଧ୍ୟ ସିଏ ଯଥାର୍ଥରେ ଆଦୌ କୌଣସି ବାଟ ପାଇ ପାରେନାହିଁ ।

 

ପ୍ରାର୍ଥନା କରିବାର ଯୋଗ୍ୟ ହେବାର ଅର୍ଥ ହେଉଛି, ଯାହାଙ୍କୁ ମୁଁ ପ୍ରାର୍ଥନା କରୁଛି, ତାଙ୍କୁ ଆପଣାର ସାଥୀରୂପେ ପାଇବାର ଯୋଗ୍ୟ ହୋଇ ପାରିବା । ଅର୍ଥାତ୍, ତାଙ୍କରି ବାଟଟି ଅନୁସାରେ ଆପଣାର ବାଟଟିକୁ ପ୍ରସ୍ତୁତ ଓ ସହଯୋଗୀ କରି ରଖିବା, ଆପଣାର ଦୁଆରଟିକୁ ତାଙ୍କରିମୁହାଁ କରି ଖୋଲି ରଖିବା, –ସତତ ପ୍ରଚେଷ୍ଟା ଦ୍ଵାରା ହିଁ ସତତ ବିଶ୍ଵାସର ଯୋଗ୍ୟ ହେବା । ପ୍ରାର୍ଥନା ଶକ୍ତିଶାଳୀ ହେଲେ ଦେବତାର ଆସନ ଟଳିବାକୁ ଲାଗେ ବୋଲି ଅପବାଦ ରହିଛି । ହଁ, ପ୍ରାର୍ଥନା ଶକ୍ତିଶାଳୀ ହେଲେ, ଅର୍ଥାତ୍ ଯଥାର୍ଥରେ ଯୋଗ୍ୟ ହେଲେ ନିଜ ଭିତରର ମୁଦା ଦୁଆର ଓ ଉଚ୍ଚ ପ୍ରାଚୀରଗୁଡ଼ାକ, ଯେଉଁଗୁଡ଼ାକ ଆଗରୁ ମୋ’ ଜୀବନରେ ସିଂହାସନ ପରି ହୋଇ ରହିଥିଲେ, ସେହି ଗୁଡ଼ାକ ହିଁ ଟଳିବାକୁ ଆରମ୍ଭ କରନ୍ତି । କ୍ରମେ ଦୁଆର ଖୋଲେ ବାଡ଼ ଭାଙ୍ଗେ,-ପ୍ରାର୍ଥନା ପୂରଣ ହୁଏ ।

 

୩୦ । ୭ । ୭୯

 

ମୁଁ ଯାହା ହେବାକୁ ଚାହେ, ମୁଁ ତାହାକୁ ହିଁ ଭଲ ପାଏ । ଏହି ଜଗତରେ କ’ଣ ଭଲ ପାଇବା ଉଚିତ ଓ କ’ଣ ଭଲ ପାଇବା ଉଚିତ ନୁହେଁ, ତାହା ଜାଣିବା ଆଗରୁ ଅର୍ଥାତ୍ ଅନ୍ୟମାନଙ୍କୁ ଠାରୁ ଉପଦେଶମାନ ଶୁଣି ସେହିଗୁଡ଼ାକୁ ହିଁ ଆପଣାର ବୋଲି ଭାବିବା ଆଗରୁ ଯଦି ସିଏ ପ୍ରକୃତରେ କ’ଣ ହେବାକୁ ଇଚ୍ଛା କରୁଛି ଅର୍ଥାତ୍ କ’ଣ ହେବାଲାଗି ସେ ଅଭିପ୍ରେତ ହୋଇ ଆସିଛି, ଜଣେ ସେହି କଥାଟିକୁ ଜାଣି ପାରିବ, ଅର୍ଥାତ୍ ଅନୁଭବ କରିପାରିବ ଓ ଦେଖିପାରିବ, ତେବେ ତାହାକୁ ହିଁ ପରମ ଭାଗ୍ୟ ବୋଲି କୁହାଯିବ ।

 

ସଂସାରର ବାଟରେ କେତେ ନା କେତେ କ’ଣ ଆସି ଜୁଟନ୍ତି । କେତେ ନା କେତେ ଆଡ଼କୁ ମନ ବଳିବାରେ ଲାଗିଥାଏ, ଭିତର ଆଡ଼କୁ ଅସଲ ଦୁଆରଟି ଖୋଲା ହୋଇ ରହିଥିଲେ ମଧ୍ୟ ନାନା କାରଣରୁ ହୁଏତ ଆଗ ଅନ୍ୟମାନଙ୍କର କଥା ଶୁଣିବାଟାକୁ ସହଜ, ଉଚିତ ଏବଂ ନିରାପଦ ବୋଲି ମନେହୁଏ । ତଥାପି ଏହାହିଁ ମହାଭାଗ୍ୟର କଥା ଯେ, ବାହାରୁ ଶିଖା ଯାଇଥିବା କଥାଗୁଡ଼ାକ ଗୋଟିଗୋଟି ହୋଇ କ୍ରମଶଃ ଉପରେ ଲଦା ହୋଇଥିବା ବୋଝଗୁଡ଼ାକ ପରି ଖସିପଡ଼ନ୍ତି, କ୍ରମେ ଭିତରର ଦରଜାଟି ହିଁ ଆପଣାର ଦରଜାବୋଲି ଅନୁଭୂତ ହୁଏ, କ୍ରମେ ସେହିଆଡ଼କୁ ବାଟ ଫିଟିଯାଏ; ମୁଁ ଯାହା ହେବାକୁ ଅଭିପ୍ରେତ ହୋଇଛି, ତାହାହିଁ ମୋ’ର ଇଚ୍ଛାରେ ପରିଣତ ହୁଏ ଓ ମୁଁ ତାହାକୁ ହିଁ ଭଲ ପାଇବାକୁ ଆରମ୍ଭ କରେ । ଚାଲି ଆସିଥିବା ସବୁଯାକ ବାଟ ସେହି ଅସଲ ଦରଜାଟିର ପାଖକୁ ଆସି ସତେଅବା ସାର୍ଥକ ହୋଇ ଯାଆନ୍ତି । ସେତେବେଳେ କୋଉଟିକୁ ହେଲେ ଅକାରଣ ବୋଲି ମନେ ହୁଏନାହିଁ, କୋଉଟି ପ୍ରତି ଅଶ୍ରଦ୍ଧା ହୁଏନାହିଁ, ଗୋଟିଏ କେନ୍ଦ୍ରରେ ହୃଦୟ ରମିଯିବା ମାତ୍ରକେ ସବୁକିଛି ସତେଅବା ତାହାକୁ ଘେରି ସମନ୍ଵିତ ଓ ସମଗ୍ର ହୋଇ ରହନ୍ତି । ଆଖି ଫିଟିଯାଏ ।

 

୩୧ । ୭ । ୭୯

 

ଯାହାକୁ ପାଇଲେ ସବୁ ମିଳିଯାଏ, ତାହାହିଁ ପ୍ରାପ୍ୟ । ଯାହାକୁ ଦେଖିଲେ ସବୁରି ସହିତ ଦେଖା ମିଳିଯାଏ, ସେଇ ଦର୍ଶନୀୟ, ସେଇ ଆକାଙ୍‌କ୍ଷାନୀୟ । ଯାହାର ସ୍ପର୍ଶ ପାଇଲେ ଆପଣା ସମେତ ସବୁକିଛିକୁ ସ୍ପର୍ଶ କରିହୁଏ, ତାହାହିଁ ଅନ୍ଵେଷଣର ବସ୍ତୁ । ଏବଂ, ଯାହାକୁ ସଖାରୂପେ, ନିକଟରୂପେ ଅନୁଭବ କଲେ ସମସ୍ତେ ସଖା ବୋଲି ଲାଗନ୍ତି, ନିକଟ ବୋଲି ଲାଗନ୍ତି, ସେଇ ହେଉଛନ୍ତି ପରମସଖା । ତେଣୁ ତାହାହିଁ ପରମ ପ୍ରୟୋଜନ, ସକଳ ଦ୍ରବିଣର ଦ୍ରବିଣ ।

 

ଏଠି ଏଗୁଡ଼ାକୁ ଛାଡ଼ି, ତାଙ୍କୁ ହିଁ ଅନ୍ଵେଷଣ କରିବାର କୌଣସି ପ୍ରଶ୍ନ ଉଠୁନାହିଁ । ଏଠି ମୋତେ ଯାହାସବୁ ଘେରିକରି ରହିଛନ୍ତି, ସଦନ ହୋଇ ରହିଛନ୍ତି, ବସତି ହୋଇ ରହିଛନ୍ତି, ସଖା ହୋଇ ରହିଛନ୍ତି, ସବୁଟି ଭିତରେ ତାଙ୍କୁ ଉଦ୍‌ଘାଟିତ କରି ପାରିବାର ଯେଉଁ ପ୍ରୟୋଜନଟି ଏ ଜୀବନରେ ରହିଛି, ତାହାହିଁ ଅସଲ ପ୍ରୟୋଜନ । ସବୁ ଅନୁଭୂତି ମଧ୍ୟରେ ମୁଁ ତାହାଙ୍କୁ ହିଁ ଅନୁଭବ କରିବି । ସବୁ ଉପଲବ୍‌ଧି ମଧ୍ୟରେ ମୁଁ ତାହାଙ୍କୁ ହିଁ ଉପଲବ୍‌ଧି କରି ପାରୁଥିବି । ତାଙ୍କରି ସକାଶେ ହିଁ ମୋତେ ଦୂରଗୁଡ଼ାକ ଅତି ପାଖ ବୋଲି ମନେ ହେଉଥିବ । କେତେବେଳେ ବି କିଛି ହଜି ଯାଇଥିବା ପରି ମୋଟେ ମନ ହେଉନଥିବ । ଜୀବନରେ ଅଭାବ ରହିଥିବ, ଦୁଃଖ ରହିଥିବ, ଅସନ୍ତୋଷ ରହିଥିବ, –ଆଗରେ ଆହୁରି ଅନେକ ବାଟ ବାକୀ ରହିଥିବ ପଛକେ, ମାତ୍ର ଆଦୌ କୌଣସି ଶୂନ୍ୟତାବୋଧ ନଥିବ, କୌଣସି ହତାଶା ନଥିବ, ଦରିଦ୍ରତା ନଥିବ, –ଆତୁରତା ବି ନଥିବ । ଅବିଶ୍ଵାସ ନଥିବ । ବାଟ ଉପରେ ବିଶ୍ଵାସ ଥିବ । ନିଜ ଉପରେ ବିଶ୍ଵାସ ରହିଥିବ । ଏବଂ, ମୋ’ ନିଜ ଭିତରେ ରହି ଯିଏ ମୋତେ ସତତ ବାଟ ଚଲାଇ ନେଉଛନ୍ତି, ତାଙ୍କ ଉପରେ ବି ବିଶ୍ଵାସ ରହିଥିବ ।

 

୧ । ୮ । ୭୯

 

ଯାହାଦ୍ଵାରା ମୁଁ ଜୁଡ଼ୁବୁଡ଼ୁ ହୋଇ ସାରିଲିଣି, ତାକୁ ପୁଣି ମାପିବାକୁ ଯିବି କାହିଁକି ? ଫୁଲି ଯଦି ପବନକୁ ମାପିବସିବ, ଚଢ଼େଇ ଯଦି ଆକାଶକୁ ମାପି ବସିବ, କାକରବିନ୍ଦୁ ଯଦି ଆଲୁଅର ସ୍ନେହକୁ ମାପି ବସିବ, ତେବେ ତା’ପରେ ତାହା ଆଉ ଫୁଲ ଚଢ଼େଇ ବା କାକରବିନ୍ଦୁ ହୋଇ ରହି ପାରିବ କି ?

 

ମୁଁ ଜୀବନରେ କେବେହେଲେ ମେ’ ଖାଲ ଓ ଗାତଗୁଡ଼ାକୁ କଳନା କରିବାକୁ ମନ କରିନାହିଁ । କାରଣ, ଯେତେବେଳେ ଯଥାର୍ଥ ମନଟି ନେଇ ମୁଁ ସେଗୁଡ଼ିକ ଉପରେ ଦୃଷ୍ଟିପାତ କରିବାକୁ ଚେଷ୍ଟା କରିଛି, ସେତେବେଳେ ସେଗୁଡ଼ିକ ସତେଅବା ଆଲୁଅ, ପବନ ଆଉ ଆକାଶଦ୍ଵାରା ଏକାବେଳେକେ ଭରି ଉଠିଲାପରି ମନେ ହୋଇଛି । ଏହି ଶରୀରର ରୋମକୂପ ଗୁଡ଼ାକ ରୋମାଞ୍ଚିତ ହେବା ସମୟରେ ଯେପରି ଭରିଉଠନ୍ତି, କୋଉଠି କୌଣସି ଛିଦ୍ର ରହିଛି ବୋଲି ମୋଟେ ଜାଣି ପାରନ୍ତିନାହିଁ, ମୋ’ର ଖାଲ, ଗାତ ଓ ଖାଲିଗୁଡ଼ାକ ସତେଅବା ଠିକ୍ ସେହିପରି ଭାବରେ ହିଁ ଭରି ଉଠିଥାନ୍ତି । ସବୁଟିଯାକ, ଜୀବନଟାଯାକ ଯେପରି ଏକ କରୁଣାରେ ଭରି ରହିଥାଏ । ଯଦି ଏତେ ସ୍ନେହ ମୋ’ ଉପରେ ପ୍ରାୟ ଅଯାଚିତ ଭାବରେ ଅଜାଡ଼ି ହୋଇ ପଡ଼ିବାରେ ଲାଗିଛି, ତେବେ ମୋତେ ଆଉ ନିଜର ଅଭାବଗୁଡ଼ାକୁ ନେଇ କ୍ଷୋଭ ପ୍ରକାଶ କରିବାର, ଆତୁର ଭାବରେ ପ୍ରାୟ ଏକ ଅବିଶ୍ଵାସ ମଧ୍ୟରେ ଘାଣ୍ଟି ହେବାର ଅବକାଶ ମିଳିବ ଆଉ କେତେବେଳେ ? ସେଇଥିଲାଗି ମୋ’ ବଗିଚାର ସବୁଯାକ ଗଛର ସବୁଯାକ ସମ୍ଭାବ୍ୟ କଢ଼ ପ୍ରତିଦିନ ସକାଳେ ସତେଅବା ଏକାବେଳେକେ ଉନ୍ମୁଖ ହୋଇ ରହିଥିଲା ପରି, ସତେଅବା ଫୁଟି ଉଠିଥିଲା ପରି ମନେ ହୁଅନ୍ତି । କେଉଁ ଅନନ୍ତ ରାଜ୍ୟରୁ ସତେଅବା କରୁଣା କେଡ଼େ ଚିହ୍ନା ପରି ମୋ’ ଉପରେ ଅଜାଡ଼ି ହୋଇ ପଡ଼ୁଥିବା ପରି ଲାଗୁଥାଏ ।

 

୨ । ୮ । ୭୯

 

The heart leaps, –ହୃଦୟ ହିଁ ଚିହ୍ନେ । ଭିତରକୁ ଦର୍ପଣ ପରି ବ୍ୟବହାର କରି ବାହାରକୁ ଚିହ୍ନେ, ପୁଣି ବାହାରକୁ ବି ଦର୍ପଣ ପରି ବ୍ୟବହାର କରି ଭିତରକୁ ଚିହ୍ନେ । ଦୁଇଟିଯାକ ଚିହ୍ନାକୁ ମୂଳତଃ ସେହି ଗୋଟିଏ ଚିହ୍ନା ବୋଲି ବୁଝିବା ମାତ୍ରକେ ଏଠି ସବୁକିଛି କେବଳ ଏକ ସେତୁ ବୋଲି ମନେହୁଏ । ନିଜକୁ ବି ଗୋଟିଏ ସେତୁ ବୋଲି ମନେହୁଏ, ନିଜକୁ ଏକ ସେତୁ ପରି ବ୍ୟବହାର କରି ତାହାରି ଉପର ଦେଇ ସତେଅବା ପ୍ରତ୍ୟେକ ମୁହୂର୍ତ୍ତରେ ସମ୍ଭାବ୍ୟ ସେପାଖଟିକୁ ଚାଲି ଯାଉଥିଲା ପରି ମନେ ହୁଏ ।

 

ନିଜକୁ ଏହିପରି ଏକ ସେତୁ ବୋଲି ଜାଣିବା, ତାହାହିଁ ଆପଣା ଭିତରେ ରହିଥିବା ସେହି ପରମସୁନ୍ଦରଙ୍କର ଏକ ପ୍ରୟାସ ବୋଲି ଜାଣିବା । ଆପଣାକୁ କୌଣସି ଏକ ଧୂପର ଗନ୍ଧ ବୋଲି ଜାଣିବା, ଆପଣାକୁ ଆପଣାର ବନ୍ଧୁ ବୋଲି ଜାଣିବା । ସେଥିଲାଗି, ଅନେକ ସମୟରେ ଜୀବନର ତଥାକଥିତ ଯାବତୀୟ ସାଧନା ସତେଅବା ବନ୍ଧୁ ଖୋଜି ବାହାରି ଥିବାର ଏକ ସାଧନା ପରି ମନେହୁଏ । ଭିତରେ ଯିଏ ଅଛି, ସେଇ ଯେପରି ଆପଣାକୁ ଏହି ଆକାଶ, ଆଲୁଅ ଓ ପବନ ଭିତରେ, ସଂସାରର ସବୁ ମଣିଷଙ୍କ ଭିତରେ, ଇପ୍‌ସିତ ଯାବତୀୟ ଭବିଷ୍ୟ ଭିତରେ ତଥା ଲିଖିତ ଓ ଅଲିଖିତ ସବୁ ଶାସ୍ତ୍ର ଭିତରେ ଖୋଜୁଥିବା ପରି ମନେହୁଏ । ସେତେବେଳେ ସବୁ ପାଇବା ଏହି ବନ୍ଧୁକୁ ପାଇବାରେ ରୂପାନ୍ତରିତ ହୋଇଯାଏ ସବୁ ଡୋର ବନ୍ଧୁତାର ଡୋର ପରି ଲାଗେ । ଏହି ଶରୀର, ଏହି ପ୍ରାଣ ଓ ଏହି ମନ, ଏହି ଆତ୍ମା ସମେତ ସତେଅବା ଗୋଟିଏ ଗୋଟିଏ ଡୋର ପରି ଲାଗନ୍ତି; ପଥଗୁଡ଼ାକ ବି ଡୋର ପରି ମନେହୁଏ, ଉପଲବ୍‌ଧିଗୁଡ଼ାକ ବି ଡୋର ପରି କାମ କରିବାରେ ଲାଗିଥାନ୍ତି ।

 

୩ । ୮ । ୭୯

 

ସେହି ଆନନ୍ଦରୁ କଣାଏ ମାତ୍ର ଯେତେବେଳେ ଏଠି ପ୍ରବେଶ କରିବାର ବାଟ ପାଇଯାଏ, ଯେତେବେଳେ ଏଠୁ ସମ୍ମତିଟି ପ୍ରାପ୍ତ ହୋଇଯାଏ, ସେତେବେଳେ ସବୁ ଅନ୍ଧାର କଟିଯାଏ, ଦୁଃଖର ଲେଶମାତ୍ର ହିଁ ରହେନାହିଁ । ତାହା ପୂର୍ବରୁ ଦୁଃଖଲାଗି କେତେ କାହାକୁ ଦୋଷ ଦିଆଯାଉଥାଏ ଅନ୍ଧାର ଲାଗି ଆଲୋକର ତଥାକଥିତ କୃପଣତାକୁ ହୁଏତ କେତେ ଦୋଷ ଦିଆ ଯାଉଥାଏ । କିନ୍ତୁ ସେହି ଆନନ୍ଦର ଏତେ ଟିକିଏ ସ୍ପର୍ଶ ଆସି ପ୍ରାପ୍ତ ହୋଇଯିବା ମାତ୍ରକେ ଭିତରର କୋଉଠି କ’ଣସବୁ ବଦଳିଯାଏ, କେଜାଣି ତା’ପରେ ଆଉ ଦୁଃଖର କାରଣ ଖୋଜିବାକୁ ମନ ହୁଏନାହିଁ; –ଦୁଃଖ ଥାଏ, ତଥାପି ଦୁର୍ଭାଗ୍ୟବୋଧ ନଥାଏ, ଅସନ୍ତୋଷ ରହିଥାଏ, ତଥାପି ହତାଶା ନଥାଏ, ଆଗରେ ଆହୁରି ଅନେକ ବାଟ ବାକୀ ରହିଥାଏ; ତଥାପି ସେଥିଲାଗି ଆପଣାକୁ କୌଣସି ପ୍ରକାରେ ବଞ୍ଚିତ ବୋଲି ମନ ହୁଏନାହିଁ ।

 

ତେଣୁ, ସେହି ବୃହତ୍ତାକୁ ଆପଣା ଭିତରେ ଅନୁଭବ କରିବା, ଏବଂ ସେଇଥିଲାଗି ଆପଣାର ସବୁ ସାନ ବାଡ଼ଗୁଡ଼ିକୁ ଭାଙ୍ଗିଦେବା, ଏହାହିଁ ହେଉଛି ତାଙ୍କର ଆନନ୍ଦକୁ ଆପଣା ଭିତରେ ଲାଭ କରିବା । ତାଙ୍କରି ଗୌରବକୁ ଆପଣାର ଗୌରବରେ ପରିଣତ କରିବା–ତାହାହିଁ ଯଥାର୍ଥ ଭାବରେ ଆପଣାର ଅସଲ ଘରଟିକୁ ଫେରି ଆସିବା । ଯିଏ ନିଜ ଘରକୁ ଏହିପରି ଭାବରେ ଫେରିଆସେ, ତାହାର ଦୁଃଖ ରହେନାହିଁ, ସିଏ ତା’ପରେ ଆଉ ଅନ୍ଧାରକୁ ଅଭିଶାପ ଦେଉ ଦେଉ ଆପଣାକୁ ଆଲୋକରୁ ବଞ୍ଚିତ କରି ରଖିବାକୁ କଦାପି ଯାଏନାହିଁ । ସିଏ ମଧ୍ୟ ଏହି ଜଗତର ଆଲୋକଯାତ୍ରାରେ ଭାଗ ନିଏ, ଏହି ଜୀବନକୁ ଏକ ଆମନ୍ତ୍ରଣ ବୋଲି ଭାବେ, –ଏଠି ଆପଣାକୁ ମୂଳତଃ ଏକ ସହଯୋଗୀ ବୋଲି ଅନୁଭବ କରିବାକୁ ଆରମ୍ଭ କରେ ।

 

୪ । ୮ । ୭୯

 

ଗୋଟିଏ ମାତ୍ର ଜ୍ୟୋତି, ଗୋଟିଏ ମାତ୍ର କଣା, –ଏବଂ ଏପାଖରୁ ଗୋଟିଏ ମାତ୍ର ନମସ୍କାର । ଦୁଆର ଖୋଲିଦେବାକୁ ଯଦି ନମସ୍କାର ବୋଲି କୁହାଯାଏ, ତେବେ ତାହାହିଁ ମୋ’ର ପ୍ରକୃତ ନମସ୍କାର । ଡୋର ଲଗାଇ ରଖିବାକୁ ଯଦି ନମସ୍କାର ବୋଲି କୁହାଯାଏ, ତେବେ ତାହାହିଁ ହେଉଛି ମୋ’ର ନମସ୍କାର ।

 

ସେହି ଡୋରଟି ଲାଗି ରହିନଥିଲେ ଏଠି ସବୁକିଛି ଅନ୍ଧକାର । ଯେତେ ଚାତୁରୀ ଅଥବା ଯେତେ ଭାବାତୁରତା ସହିତ ତାହା ଆପଣାକୁ ପ୍ରଦର୍ଶିତ କରି ରଖୁଥିଲେ ମଧ୍ୟ ତାହା ତଥାପି ଅନ୍ଧକାର । ଏବଂ ସେପର୍ଯ୍ୟନ୍ତ ସବୁ ଚେତନା, କେବଳ ଅଚେତନ ସବୁଯାକ ଉପାସନା ବା ଆରାଧନା ପ୍ରଧାନତଃ ଅହଂଦ୍ଵାରା ପ୍ରେରିତ ଆତ୍ମପ୍ରଚାର । ସେତେବେଳ ପର୍ଯ୍ୟନ୍ତ ହୃଦୟଟା କେବଳ ଖଣ୍ଡେ ପଥର ପରି ହୋଇ ପଡ଼ି ରହିଥିବ । ଶାସ୍ତ୍ର ଥିବ, ଦେଉଳ ଥିବ, ଛୟାଅଶୀ ପ୍ରକାରର ଉପଚାର ରହିଥିବ, ଆଡ଼ମ୍ବର ଥିବ, ତଥାପି ଏହି ଭିତରେ ସବୁ ପଥର ହୋଇ ପଡ଼ି ରହିଥିବ । ତେଣୁ, ସେହି ମହିମାର କେବଳ ଗୋଟିଏ ମାତ୍ର କିରଣରେଖା ଏହି ଭିତରକୁ ଆସି ସ୍ପର୍ଶ କରି ପାରିବାଲାଗି ଏତେଟିକିଏ ଉନ୍ମୋଚନ ମଧ୍ୟ ଆବଶ୍ୟକ । ସେହି ଉନ୍ମୋଚନ ଲାଗି ଆବଶ୍ୟକ ଏକ ବିଶ୍ଵାସ । ଯାହାକୁ ମୁଁ ଚାହୁଁଛି ଯାହାର ଆବାହନ କରୁଛି, ସିଏ ମୋ’ ଭିତରେ ପ୍ରେରକ ହୋଇ ରହିଛି, ମୋ’ ଭିତରେ ଅସଲ ରତ୍ନ ହୋଇ ତାହାହିଁ ସଞ୍ଚିତ ହୋଇ ରହିଛି । ଅସଲ ବନ୍ଧୁ ହୋଇ ସେଇ ଅପେକ୍ଷା କରି ରହିଛି, ଏତିକି ବିଶ୍ଵାସ । ସେହି ବିଶ୍ଵାସ ହେଉଛି ଏକ ଭୟଶୂନ୍ୟତା, ତାହା ହେଉଛି ଏକ ସଜାତୀୟତାର ଆବିଷ୍କାର, ଏକ ଆତ୍ମୀୟତାର ଆବିଷ୍କାର । ଏହି ଆବିଷ୍କାରର ସାମର୍ଥ୍ୟ ହେଉଛି ଚେତନା । ଅସଲ ଖିଅଟିକୁ ପାଇଯିବା, –ତାହାହିଁ ଚେତନାଯୁକ୍ତ ହେବା ।

 

୫ । ୮ । ୭୯

 

ତୁମରି ବିଜୟ, ପ୍ରାଣର ବିଜୟ, ଜୀବନର ବିଜୟ । ଏଠି ମୋ’ର ଏହି ସାନ ସଦନଟିରେ ତୁମରି ବିଜୟ । ବାହାରେ ଯେଉଁ ବୃହତ୍ତର ବିଶ୍ଵକୁ ମୁଁ ମୁହୂର୍ତ୍ତ ମୁହୂର୍ତ୍ତର ଶ୍ରଦ୍ଧା ଓ ବିଶ୍ଵାସ ଦେଇ ମୋ’ ନିଜର ସଦନରେ ପରିଣତ କରିବାକୁ ବାଟ ଚାଲୁଛି, ସେଠାରେ ମଧ୍ୟ ତୁମରି ବିଜୟ, ତୁମରି ମହିମାର ବିଜୟ । ତୁମେ ଯେ ମୋ’ରି ଭିତରେ ବୀଜରୂପେ ଅବସ୍ଥିତ ରହି ବନ୍ଧୁରୂପେ ପ୍ରେରିତ କରାଇ ଅଧୀଶ୍ଵର ରୂପେ ମୋ’ର ଏହି ପରିଧିଗୁଡ଼ିକୁ ଆବୋରି ନେଇ ମୋତେ ସେହି ମହିମାଟିର ଅନୁଭୂତି ଆଣି ଦେଇଛ, ମୁଁ ତାହାକୁ ହିଁ ଆପଣା ଭିତରେ ତୁମର ବିଜୟରୂପେ ଗ୍ରହଣ କରିଛି । ତାହାହିଁ ମୋ’ର ଜୀବନକୁ ଏକ ସତତ ସ୍ଵୀକୃତିରେ ପରିଣତ କରିପାରିଛି, ମୋ’ର ଯାବତୀୟ ଅନୁଭୂତିକୁ ମଧ୍ୟ ଗୋଟିଏ ଗୋଟିଏ ସ୍ଵୀକୃତିରେ ପରିଣତ କରି ରଖିଛି ।

 

ତେଣୁ, ଏହି ସବୁଯାକ ବିଜୟ ହେଉଛି ପ୍ରକୃତରେ ଆନନ୍ଦର ହିଁ ଏକ ବିଜୟ, ଆନନ୍ଦର ହିଁ ଏକ ମହିମା । ଯେଉଁ ଆନନ୍ଦ ବାଡ଼ ଭାଙ୍ଗେ, କୃପଣତାକୁ ଭାଙ୍ଗେ, କାମନାଗୁଡ଼ାକୁ ପବିତ୍ର କରି ପଥରେ ପରିଣତ କରିବାରେ ଲାଗିଥାଏ, ସାନ ବଡ଼ ସବୁକିଛିକୁ ମହିମାନ୍ଵିତ କରି ରଖେ, ତାହାରି ବିଜୟ । ଏହି ବିଜୟ ଅହଂକାରକୁ ନାଶ କରେ, ସକଳ ପ୍ରକାର ଆତୁରତାକୁ ଶାନ୍ତ କରି ଆଣେ, ସକଳ ପ୍ରକାରର କୋଳାହଳକୁ ନୀରବ କରି ଆଣେ, ସକଳ ପ୍ରକାର ଜ୍ଵର ମଧ୍ୟରୁ ମୁକ୍ତ କରି ଆଣେ-। ନିଜକୁ ଅନାଇଦେବା ବେଳକୁ ତୁମର ସ୍ପର୍ଶ ଅର୍ଥାତ୍ ଆଶୀର୍ବାଦ ଲାଭ କରିଥିବା ଗୁଡ଼ାଏ ସମ୍ଭାବନା ପରି ମନେହୁଏ । ଆପଣାକୁ ସତେଅବା ଏକ ସାହସୀ ସର୍ବତଃଚକ୍ଷୁ ପିଲାଟି ପରି ମନେହୁଏ । ଜୀବନ ଧନ୍ୟ ହୁଏ, –ମୁହୂର୍ତ୍ତଗୁଡ଼ିକ ଧନ୍ୟ ହୁଏ,-ସଙ୍ଗୀତଗୁଡ଼ାକ ପ୍ରାର୍ଥନାରେ ପରିଣତ ହୁଏ; ଏହି ସବୁକିଛିକୁ ଅନେକ ଦିନରୁ ଚିହ୍ନିଥିଲା ପରି ମନେହୁଏ ।

 

୬ । ୮ । ୭୯

 

ମୋ’ରି ଭିତରେ ମୁଁ ତାଙ୍କରି ସଦନଟିକୁ ପ୍ରତିଷ୍ଠା କରି ରଖିପାରିଲେ ସବୁ ବାଧା କୁଆଡ଼େ ଅପସରି ଯିବ । ତାଙ୍କର ଇଚ୍ଛା ଓ ମୋ’ର ଇଚ୍ଛା, ଅର୍ଥାତ୍ ତାଙ୍କର କାର୍ଯ୍ୟ ଓ ମୋ’ର କାର୍ଯ୍ୟ ମଧ୍ୟରେ ଯେପର୍ଯ୍ୟନ୍ତ ଏକ ବ୍ୟବଧାନ ରହିଥିବ, ସେପର୍ଯ୍ୟନ୍ତ ବାଧା ରହିଥିବ । ଆପଣାକୁ ଅଧିକ ସମ୍ପନ୍ନ କିମ୍ବା ସମର୍ଥ କରିବାଲାଗି ମୁଁ ଯେପର୍ଯ୍ୟନ୍ତ ତାଙ୍କୁ ଏଇଟା ଅବା ସେଇଟା ମାଗିବାରେ ଲାଗିଥିବି ଓ ସେହି ମାଗିବାର ଆତୁରତାଗୁଡ଼ାକୁ ନେଇ ନାନାବିଧ ଆଡ଼ମ୍ବର କରିବାରେ ଲାଗିଥିବି, ସେପର୍ଯ୍ୟନ୍ତ ବାଧା ରହିଥିବ, ସେପର୍ଯ୍ୟନ୍ତ ଦୁଆରଟା ବି ବନ୍ଦ ହୋଇ ରହିଥିବ, ହୁଏତ ନାନାବିଧ କପଟପଣିଆ ବି ରହିଥିବ । ତାଙ୍କୁ ଭକ୍ତି କରି ମୁଁ ସେ ପର୍ଯ୍ୟନ୍ତ ନିଜେ ବଳୀୟାନ୍ ହେବାଲାଗି ପାଞ୍ଚ କରିବାରେ ଲାଗିଥିବି, ତାଙ୍କଠାରୁ ଦୂରଛଡ଼ା ହୋଇ ରହିଥିବି ।

Unknown

 

ତେଣୁ, ଅସଲ ଡୋରଟି ଲାଗିଥିବା ଦରକାର, ଅସଲ ସ୍ପର୍ଶଟି ଅନୁଭବ କରି ପାରୁଥିବା ଦରକାର । ଉପରକୁ ତାଙ୍କ ଆଡ଼କୁ ଅନାଇଲା ବେଳକୁ ଭିତରକୁ, ଆପଣା ଭିତରକୁ, ସିଏ ଯେଉଁଠି ବସିଛନ୍ତି ଓ ଅପେକ୍ଷା କରି ରହିଛନ୍ତି, ସ୍ଵାଭାବିକ ଭାବରେ ବାଟ ଦିଶି ଯାଉଥିବା ଦରକାର । ତାଙ୍କରି ଗୀତ ଗାଇବା ସମୟରେ ନିଜ ଭିତରର ଚେରଗୁଡ଼ାକ ମଧ୍ୟ ସ୍ଵାଭାବିକ ଭାବରେ ଉଲ୍ଲସି ଉଠି ପାରୁଥିବା ଦରକାର । ତେଣୁ, ଦୁଆରଗୁଡ଼ାକ ବନ୍ଦ ହୋଇ ରହିଥିବାଟା ହେଉଛି ବାଧା, ଆତୁରତା ହେଉଛି ବାଧା, ଆପଣାକୁ ଦୀନ, ଦରିଦ୍ର ଓ ବଞ୍ଚତ ବୋଲି ଭାବି ମାଗି ମାଗି ମରୁଥିବା ହେଉଛି ବାଧା । ଅଲଗା କରି ଆପଣାର ତଥାକଥିତ ଏକ ଭଣ୍ଡାରକୁ ଭରଣା କରି ରଖିବାର ଚରୁର ବୁଦ୍ଧି ହେଉଛି ଏକ ବାଧା । ଏହି ପବନ, ଏହି ଆଲୋକ ଓ ଏହି ଆକାଶଭରା ଖୁସୀରୁ ଆପଣାକୁ ଖିଅଛଡ଼ା କରି ରଖି ବଡ଼ଲୋକ ହୋଇ ବସିବାକୁ ମନ କରିବା ହେଉଛି ବାଧା ।

 

୭ । ୮ । ୭୯

 

ସିଏ ସବୁବେଳେ ସମ୍ମତ, କାରଣ ସିଏ କରୁଣାମୟ । କରୁଣାମୟତା ହେଉଛି ତାଙ୍କର ଧର୍ମ । କରୁଣାମୟ ହୋଇଥିବାରୁ ହିଁ ତାଙ୍କର ଅବତରଣ ସମ୍ଭବ ହୋଇପାରୁଛି, ତାଙ୍କର ଏହି ଅଭବ୍ୟକ୍ତି ସମ୍ଭବ ହୋଇ ପାରୁଛି । ସିଏ କରୁଣାମୟ ହୋଇଥିବାରୁ ହିଁ ଦୁଆର ଖୋଲିଦେବା ମାତ୍ରକେ ମୁଁ ସମସ୍ତ ଆକାଶଟାକୁ ଓ ସମଗ୍ର ଗଭୀରଟିକୁ ଏଡ଼େ ସହଜ ଭାବରେ ଅନୁଭବ କରିପାରୁଛି । ତାଙ୍କରି କରୁଣାର ସ୍ପର୍ଶ ମୋ’ର ଏହି ସଦନଟିରେ ଆସି ବାଜିଛି ବୋଲି ଏଠି ଥାଇ ମଧ୍ୟ ମୁଁ ତାଙ୍କୁ ଅନୁଭବ କରି ପାରୁଛି । ମୋ’ ବିଶ୍ଵାସ ସେହି କାରଣରୁ ହିଁ ତେଣେ ହାତ ବଢ଼ାଇ ଡାକି ପାରୁଛି ଓ ଆପଣା ଭିତରେ ଆପଣାର ଅତି ନିକଟରେ ସତେଅବା ତାଙ୍କର ଉନ୍ମୋଚନ ଅବଶ୍ୟ ହେବାକୁ ଯାଉଛି ବୋଲି ମୁଁ ଏକ ଅନୁସ୍ପନ୍ଦନ ମଧ୍ୟ ଶୁଣିବାକୁ ପାଉଛି ।

 

ବାଧା ଆମରି ଭିତରେ । ଆମ ଆଖିରେ, ଆମ ଚେତନାରେ । ଆମ ଅଭୀପ୍‌ସାରେ, ଆମ ଭକ୍ତି ଭିତରେ ଓ ଆମର ଏହି ସହସ୍ର ପ୍ରକାରର ଅଳ୍ପ ଧୈର୍ଯ୍ୟ ଆତୁରତାରେ । ଆତୁରତା ଭିତରେ କେଉଁଠି ନା କେଉଁଠି ଏକ ଅବିଶ୍ଵାସ ଅବଶ୍ୟ ଆତ୍ମଗୋପନ କରି ରହିଥାଏ । ବାଧା ସେହି ଅବିଶ୍ଵାସ ମଧ୍ୟରେ । ସେହି ଅବିଶ୍ଵାସ ଅହଂପ୍ରଣୋଦିତ ନାନା ଭୟର ସୃଷ୍ଟି କରି ଏଠି ମୋ’ ଚାରିପାଖରେ ଅନେକ ନିକଟକୁ ମଧ୍ୟ ସତେଅବା ବହୁଦୂର କରି ରଖିଥାଏ, –ପୂଜା, ଉପାସନା, ଶାସ୍ତ୍ରବାସନା ପ୍ରଭୃତି ନାନା ବାଡ଼ ପକାଇ ତାହାକୁ ଦୂର କରି ରଖିଥାଏ । ଏହି ବାଧା ଦୂର ହୋଇଗଲେ ସବୁ ନିକଟ ବୋଲି ମନେହୁଏ, ସବୁ ଆପଣାର ମନେହୁଏ । ଆପଣାକୁ ସତେଅବା ତାଙ୍କରି ଏକ ହାତ ବୋଲି ମନେହୁଏ । ଏବଂ, ଏହି ନିକଟ ବୋଲି ମନେହେବା, ଏହି ଆପଣାର ବୋଲି ମନେ ହେବା, ଏଇ ଭଲ ଲାଗିବା, –ତାହାହିଁ ତ ତାଙ୍କର ଅଭିବ୍ୟକ୍ତି, ତାଙ୍କର ଅବତରଣ ।

 

୮ । ୮ । ୭୯

 

ପ୍ରତ୍ୟେକ ମୁହୂର୍ତ୍ତରେ ଓ ପ୍ରତ୍ୟେକ ବସ୍ତୁରେ କେବଳ ତାଙ୍କରି ଇଚ୍ଛା ପୂର୍ଣ୍ଣ ହେବ । ମୋ’ର ଇଚ୍ଛା ପୂର୍ଣ୍ଣ ହେବନାହିଁ । ଅନେକ ସମୟରେ ମୁଁ ତାଙ୍କରି ଇଚ୍ଛା ବୋଲି ଯାହା କହେ ବା ଯାହା ବୁଝେ, ତା’ ଭିତରେ ମୋ’ ନିଜର ଅନେକ ଇଚ୍ଛା ବା ଅହଂପ୍ରଣୋଦିତ ଲାଳସା ଭାରି ପରାକ୍ରମ ଓ ଦମ୍ଭ ସହିତ ପ୍ରାଣ-ଭଣଭଣ ହୋଇ ରହିଥାଏ । ଏହିପରି ଭାବରେ ମଣିଷ ମୂଳତଃ ନିଜେର ଇଚ୍ଛାଟାକୁ ହିଁ ଭଗବାନଙ୍କର ଇଚ୍ଛା ନାମରେ କେତେଥର ଚଳାଇ ନେଇଛି ଓ ଏହି ଜଗତରେ ଅନେକ ଦୌରାତ୍ମ୍ୟର-କାରଣ ମଧ୍ୟ ହୋଇଛି । ଭଗବାନଙ୍କୁ ସେ ନାନା ଉପାୟରେ ଆତ୍ମସାତ୍ କରି ନେଇଛି ଓ ଭଗବାନଙ୍କ ନାଆଁରେ ନିଜ ପ୍ରଲୁବ୍‌ଧଟା ଗୁଡ଼ାକର ହିଁ ଅନୁସରଣ କରିଛି-

 

ନା, ମୋ’ର ଇଚ୍ଛା ପୂରଣ ହେବନାହିଁ, ତାଙ୍କର ଇଚ୍ଛା ହିଁ ପୂରଣ ହେବ । ଯେତିକି ଦୂର ପର୍ଯ୍ୟନ୍ତ ମୋ’ର ଇଚ୍ଛା ତାଙ୍କରି ଇଚ୍ଛାର ଅନୁଗାମୀ ହୋଇ ରହିଛି, ମୋ’ର ଇଚ୍ଛାଟି ତାଙ୍କ ଇଚ୍ଛା ସହିତ ସହଯୋଗ କରିପାରୁଛି, ସେତେଦୂର ପର୍ଯ୍ୟନ୍ତ ମୋ’ ଇଚ୍ଛା ପୂରଣ ହେବ । ଅର୍ଥାତ୍, ମୁଁ କିଛି ମାଗିବି ନାହିଁ । ମୋ’ଲାଗି ମୁଁ ଅଲଗା କରି କୌଣସି ଗତି, ଉନ୍ନତି କିମ୍ବା ପ୍ରଗତିର ଆକାଙ୍‌କ୍ଷା ରଖିବି ନାହିଁ । ଅର୍ଥାତ୍, ତାଙ୍କୁ ମୁଁ କେବଳ ମୋ’ରି ମନ୍ଦିର ବା ମୋ’ରି ଖଟୁଲିଟି ଉପରେ ନଦେଖି ସମଗ୍ର ବିଶ୍ଵରେ ପୂର୍ଣ୍ଣ ହୋଇ ରହିଥିବା ଏବଂ ସମସ୍ତଙ୍କର ହୃଦୟରେ ଅନୁମନ୍ତା ବନ୍ଧୁ ପରି ହୋଇ ରହିଥିବା ଅଧିଷ୍ଠାତା ରୂପେ ଦେଖି ଶିଖିବି । ଅର୍ଥାତ୍ ମୁଁ ଆପଣାକୁ ତାଙ୍କରି ସମଗ୍ର ସୃଷ୍ଟିରେ ବ୍ୟବହୃତ ହେବାରେ ଲାଗିଥିବା ଏକ ସମ୍ମତ ଯନ୍ତ୍ର ବୋଲି ଗ୍ରହଣ କରିବି । ମୋ’ର ସକଳ ଭକ୍ତି, ପ୍ରାପ୍ତି ଏବଂ ମୁକ୍ତି କେବଳ ସେହି ସଂଜ୍ଞାଟି ଦ୍ୱାରା ନିର୍ଣ୍ଣିତ ହେଉଥିବ ।

 

୯ । ୮ । ୭୯

 

ମୋ’ର ଯାବତୀୟ କାର୍ଯ୍ୟରେ ତାଙ୍କରି ଇଚ୍ଛା ହିଁ ପୂର୍ଣ୍ଣ ହେବ, ମୋ’ ଜୀବନର ଯାବତୀୟ ମୁହୂର୍ତ୍ତରେ ତାଙ୍କରି ଇଚ୍ଛା ପୂର୍ଣ୍ଣ ହେବ, ମୋ’ ଜୀବନର ଉଚ୍ଚାତିଉଚ୍ଚତମ ସୋପାନରୁ ନିମ୍ନାତିନିମ୍ନତମ ସକଳ ସୋପାନ ଓ କ୍ଷେତ୍ର ପର୍ଯ୍ୟନ୍ତ ସବୁଠାରେ କେବଳ ତାଙ୍କର ଇଚ୍ଛା ହିଁ ପୂର୍ଣ୍ଣ ହେବ,-ଏଥିଲାଗି କେବଳ ବୋଲ ମାନିବା ଯଥେଷ୍ଟ ନୁହେଁ, କେବଳ ଶାସ୍ତ୍ର ମାନିବା ଯଥେଷ୍ଟ ନୁହେଁ, କେବଳ କେତେଟା ଉପଚାରକୁ ମାନି ପୂଜା କରିବା ବି ଆଦୌ ଯଥେଷ୍ଟ ନୁହେଁ । ତାଙ୍କରି ସମ୍ମୁଖରେ ଠିଆ ହୋଇ ପାରିବା ଦରକାର । ତାଙ୍କ ଆଉ ମୋ’ ଭିତରେ ମଝିରେ ଯେଉଁ ଦ୍ଵାରଟି ରହିଛି, ସେଇଟିକୁ ଖୋଲିଦେଇ ପାରିବା ଉଚିତ । ପ୍ରତ୍ୟେକ ମୁହୂର୍ତ୍ତରେ ସକଳ କୁଣ୍ଠା, ସକଳ କପଟ ଓ ସକଳ କୃତ୍ରିମତା ମଧ୍ୟରୁ ଆପଣାକୁ ମୁକ୍ତି କରି ତାଙ୍କରି ଆଲୋକ ଓ ତାଙ୍କରି ପବନ ପରି ତାଙ୍କ ସମ୍ମୁଖରେ ପୂର୍ଣ୍ଣ ହୋଇ ଠିଆହୋଇ ପାରିବା ଉଚିତ । କିଛି ମାଗି ତାହାରିଦ୍ଵାରା ଅନ୍ୟମାନଙ୍କଠାରୁ ଅଧିକ ହୋଇ ବସିବାର ସକଳ ଅଭିମାନ ଛାଡ଼ି ଠିଆହୋଇ ପାରିବା ଉଚିତ । ଏହି ଠିଆହୋଇ ପାରିବା ସମ୍ଭବ ହେବ ସେତିକିବେଳେ, ଯେତେବେଳେ ମୁଁ ନିଜ ଭିତରେ ମଧ୍ୟ ତାଙ୍କୁ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିପାରିବି; ଠିକ୍ ଆପଣାର ପରି ମୁଁ ତାଙ୍କୁ ଅନୁଭବ କରିପାରିବି, ନିଜକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ମୁଁ ତାଙ୍କୁ ବି ସ୍ପର୍ଶ କରିପାରୁଥିବି । ସେତେବେଳେ ମୋ’ ଜୀବନରେ ଆଉ ଛୋଟ ବନାମ ବଡ଼ ବୋଲି କିଛିହେଲେ ରହିବନାହିଁ, ଆଧ୍ୟାତ୍ମିକ ବନାମ ଅନାଧ୍ୟାତ୍ମିକ ବୋଲି କିଛି ରହିବ ନାହିଁ । ପାଇବା ବନାମ ହରାଇବା ବୋଲି ବି ଆଦୌ କୌଣସି କଥା ରହିବ ନାହିଁ ।

 

୧୦ । ୮ । ୭୯

 

ଏବଂ ସେହି ବିଶ୍ଵାସ ଏହି ଅନ୍ତର ଭିତରୁ ହିଁ ଉଦ୍‌ଘାଟିତ ହେଉ । କୌଣସି ଭୟ ଏହି ବିଶ୍ଵାସକୁ ପ୍ରେରଣା ନଦେଉ, କୌଣସି ସ୍ଵାର୍ଥ ଏହି ବିଶ୍ଵାସକୁ ପ୍ରେରଣା ନଦେଉ । ଆତ୍ମବୃଦ୍ଧି ଅଥବା ଅହଙ୍କାରର କୌଣସି ଭାବନା ହିଁ ସେହି ବିଶ୍ଵାସକୁ ପ୍ରେରଣା ନଦେଉ । ଏହି ବିଶ୍ଵାସ ଭିତରେ କୌଣସି ପ୍ରକାର ଉଗ୍ରତା ନରହୁ, କୌଣସି ଧୃର୍ତ୍ତତା ନରହୁ । ସଂସାର ଭିତରେ ଯେତେ ପ୍ରକାର କାତରତା ଏବଂ ଯେତେପ୍ରକାର ସଂଶୟଚିତ୍ତତା ଆମକୁ ଆମ ସାନ ବାଡ଼ଗୁଡ଼ିକ ମଧ୍ୟରେ ନାନାଭାବେ ଉତ୍ତେଜିତ ଏବଂ ସକ୍ରିୟ କରି ରଖିଥାଏ, ସେଗୁଡ଼ାକ ଆମର ଅସଲ ବିଶ୍ଵାସଗୁଡ଼ିକୁ ଯେପରି କୌଣସି ପ୍ରକାରେ ସଂକ୍ରାମିତ କରି ନପାରିବ, ସେଥିଲାଗି ପ୍ରକୃତରେ ଅନେକ ବଳ ଦରକାର, ଅନେକ ନିର୍ଭୟତା ଦରକାର, ଅର୍ଥାତ୍ ଅନେକ ଶ୍ରଦ୍ଧା ଦରକାର ।

 

ଇତିହାସରେ ବିଶ୍ଵାସ ନାମରେ କେତେ ଭୟ ଏବଂ କେତେ ଘୃଣାକୁ ପ୍ରଶ୍ରୟ ଦିଆଯାଇଛି । ଏବଂ, କେତେପ୍ରକାର ଚିତ୍ରପଟର ସମର୍ଥନ ସହିତ ସେହି ଭୟ ଓ ଘୃଣାକୁ ହିଁ ବିଶ୍ଵାସ ବୋଲି ପ୍ରଚାର କରାଯାଇଛି । ନାନପ୍ରକାର ଅବିଶ୍ଵାସକୁ ଏକତ୍ର ଗୋଳାଇ ଦିଆଯାଇ ତାହାକୁ ବିଶ୍ଵାସ ବୋଲି କୁହାଯାଇଛି, ତାହାକୁ ହିଁ ପାଟଲୁଗା ପିନ୍ଧାଇ ଦିଆଯାଇ କେତେଟା ମୂର୍ତ୍ତିରେ ପରିଣତ କରି ଦିଆଯାଇଛି । ସେଗୁଡ଼ାକ ପୁରୁଣା କଥା । ଅସଲ ବିଶ୍ଵାସ ହେଉଛି ଏପରି ଏକ ସମ୍ପଦ, ଯାହା ମୋ’ ଭିତରୁ ଉନ୍ମୋଚିତ ହୋଇଉଠିବ, ସେହି ପ୍ରକ୍ରିୟାରେ ମୋତେ ମଧ୍ୟ ଉନ୍ମୋଚିତ କରିଦେଇ ପାରିବ, ମୋ’ ସହିତ ସମସ୍ତ ବିଶ୍ଵର ଏକ ଖିଅ ଲଗାଇ ଦେଇଯିବ । ମୋତେ ନିର୍ଭୟ କରିବ, ମୋ’ର ବିଶ୍ଵାସକୁ ଶ୍ରଦ୍ଧାମୂଳ କରି ରଖିବ, ମୋ’ର ଜୀବନକୁ ବର୍ତ୍ତମାନର ଯାବତୀୟ ସଙ୍କୋଚନରୁ ରକ୍ଷା କରି ପାରିବ ।

 

୧୧ । ୮ । ୭୯

 

ସମ୍ପୂର୍ଣ୍ଣ ଭାବରେ ତାଙ୍କରି ଅଧୀନରେ ରହିବା, ତାଙ୍କରି ପ୍ରଭାବ ମଧ୍ୟରେ ରହିବା,-ଅର୍ଥାତ୍ ମୋ’ ଜୀବନରେ ଏକାନ୍ତ ବ୍ୟକ୍ତିଗତ ବୋଲି ଆଦୌ କିଛି ନରହିବା । ମୋ’ର ଦୁଃଖ ମଧ୍ୟ ମୋ’ର ବ୍ୟକ୍ତିଗତ ହୋଇ ରହିବନାହିଁ, ମୋ’ର ବେଦନା ଅଥବା ମୋ’ର ଅଭାବଗୁଡ଼ାକ ମଧ୍ୟ କେବଳ ମୋ’ର ବେଦନା କିମ୍ବା କେବଳ ମୋ’ରି ଅଭାବ ହୋଇ କଦାପି ରହିବନାହିଁ ।

 

ଅନେକ ସମୟରେ ଆମେ ତାଙ୍କୁ ଆମ ନିଜ ଭିତରକୁ ଟାଣି ଆଣିଥାଉ । ଆପଣାକୁ ତାଙ୍କ ମଧ୍ୟକୁ ଉନ୍ନୋଚିତ ଏବଂ ପ୍ରସାରିତ କରିଦେବା ପରିବର୍ତ୍ତେ ଆମେ ତାଙ୍କୁ ଆଣି ଆମରି ନାନାବିଧ ଗାତ ଭିତରେ କିଳି ବାନ୍ଧ ରଖିବାର ଚେଷ୍ଟା କରିଥାଉ । ଆମର ଅଧିକାଂଶ ଭଜନ ଓ ଜଣାଣଗୁଡ଼ାକରେ ଆମର ଏହି ଅଳ୍ପତା ଗୁଡ଼ାକ ହିଁ ବଡ଼ ଅତିରିକ୍ତ ଭାବରେ ପ୍ରକାଶ ପାଇଥାଏ । ସେଇଗୁଡ଼ାକୁ ନେଇ ହିଁ ଧର୍ମ ନାମରେ କେତେ ଧୁମ୍‌ଧାମ୍‌ ଲାଗି ରହିଥାଏ । ଭୋଗ ପାଇବା ସେକାଶେ ଭୋଗ ଦେବାର ଆଡ଼ମ୍ବର ଲାଗି ରହିଥାଏ । ଆପଣାର ପ୍ରଭାବମଣ୍ଡଳ ଗୁଡ଼ାକ ଏକ ଧର୍ମଭାରି ଅହଙ୍କାରିତା ସହିତ ତାଙ୍କ ଭିତରକୁ ବିସ୍ତୃତ କରିଦେବାର ନାନା ଆୟୋଜନ ଚାଲିଥାଏ, ନାନା ପ୍ରକାରର କୋଳାହଳ ସହିତ ଚାଲିଥାଏ । କିନ୍ତୁ ସେଇଟା ରାତି ନୁହେଁ । ରାତି ହେଉଛି ବାଡ଼ ଉଠାଇଦେବା, ପାଚେରୀଗୁଡ଼ାକୁ ଭାଙ୍ଗିଦେବା, ଦେଉଳଗୁଡ଼ାକର ମୋହକୁ ଡେଇଁ ଆପଣାକୁ ଉନ୍ନୋଚିତ କରିଦେବାର ସାହସ ଅର୍ଜନ କରିବା ।

 

୧୨ । ୮ । ୭୯

 

କୃତଜ୍ଞତା, ଅନେକ ଗଭୀର କୃତଜ୍ଞତା । ଏକ ପ୍ରଗାଢ଼ କୃତଜ୍ଞତା, ଏକ ସ୍ଵଭାବସହଜ କୃତଜ୍ଞତା । ସେହି କୃତଜ୍ଞତାକୁ ଏକ ଆଚାରି ରୂପେ ଶିକ୍ଷା କରାଯାଏନାହିଁ, ଏକ ବୋଲ ବୋଲି ମାନିବାକୁ ହୁଏନାହିଁ, ଏକ କର୍ତ୍ତବ୍ୟ ବୋଲି ସ୍ମରଣ ରଖିବାକୁ ହୁଏନାହିଁ । ଏହା ଏକ ଅନୁଭୂତି, ଜଗତପ୍ରତି ଓ ଜଗତକର୍ତ୍ତାଙ୍କ ପ୍ରତି ଏକ ସ୍ଵାଭାବିକ ସ୍ଵତଃସ୍ପୂର୍ତ୍ତ ଅନୁଭୂତି । ଏହି ଅନୁଭୂତିକୁ ଅଭ୍ୟାସ କରି ଶିଖାଯାଏ ନାହିଁ, ମନ୍ତ୍ର ମୁଖସ୍ଥ କରି ଆୟତ୍ତ କରାଯାଏନାହିଁ, କହି କରି ବା ଆଉ କୌଣସି ପ୍ରକାରର ସିଧା ବା ବଙ୍କା କୋଳାହଳ ଅଥବା ପ୍ରଦର୍ଶନ ଦ୍ଵାରା ପ୍ରଦର୍ଶନ ବି କରାଯାଏନାହିଁ । ଏହି କୃତଜ୍ଞତା ଆଖିକୁ ଭରି, ପ୍ରାଣକୁ ଭରି, ହୃଦୟ ଭରି, ସକଳ ବଞ୍ଚିବାକୁ ଧନ୍ୟ କରି ଭିତରୁ ଆପଣାକୁ ଅଭିବ୍ୟକ୍ତ କରିଆଣେ ।

 

ଏହି କୃତଜ୍ଞତା ଆଦୌ କିଛିହେଲେ ମାଗେନାହିଁ । କୌଣସି ପ୍ରକାର ଆତୁରତା ଦେଖାଏ ନାହିଁ । କୌଣସି ଅଜଟ କରେନାହିଁ ବା କୌଣସି ଅଭିମାନ ଦ୍ଵାରା ଆପଣାକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ବୋଲି ଦେଖାଇବାକୁ ଚେଷ୍ଟା କରେନାହିଁ । ଏହା ନିଜକୁ ଅଧିକରୁ ଅଧିକ ପ୍ରସ୍ତୁତ କରିବାରେ ଲାଗିଥାଏ, ଅଧିକରୁ ଅଧିକ ସାର୍ଥକ ଭାବରେ ଭାଜନ କରିବାରେ ଲାଗିଥାଏ । ଏହି କୃତଜ୍ଞତାରେ ହୁଏତ ସ୍ଥୂଳ କୌଣସି ଲକ୍ଷ୍ୟ ନଥାଏ, ତାହା ଆପଣା ଲାଗି ହୁଏତ ଆଦୌ କୌଣସି ଗତି ମାଗୁନଥାଏ । ତାହା ଆଲୋକ ପରି ଅମର ସକଳ ପ୍ରେରଣା ଓ ପ୍ରବୃର୍ତ୍ତିକୁ ଅନୁସିକ୍ତ ଓ ଅଭିଷିକ୍ତ କରି ରଖିଥାଏ । ମୁଁ ଯେ ମୋଟେ ସନ୍ତପ୍ତ ନୁହେଁ, ଦୁଃଖରେ ନୁହେଁ କି ସୁଖରେ ନୁହେଁ, ତାହାହିଁ ପ୍ରକାଶ କରି ଦେଉଥାଏ ।

 

୧୩ । ୮ । ୭୯

 

ସେହିସବୁ ପ୍ରତିଭାର ମୁଁ କୌଣସି ଅପବ୍ୟୟ କରିବିନାହିଁ । ସେହିସବୁ ସମ୍ଭାବନାର ମଧ୍ୟ ମୁଁ ଆଦୌ କୌଣସି ଅପବ୍ୟୟ କରିବିନାହିଁ । ମୋ’ ଚାରିପାଖରେ ଏହି ଯେଉଁ ସଂସାର, ତା’ ଭିତରେ କୌଣସି ପ୍ରକାର ଉଗ୍ରତା ଅଥବା ମତ୍ତତା ଦେଖାଇ ମୁଁ କୌଣସି ଅପଚୟ ଅଥବା ଅନ୍ଧତାରେ କୌଣସି ଅଂଶ ଗ୍ରହଣ କରିବିନାହିଁ । ସଂସାରକୁ ଭୋଗ କଳାବେଳେ ଯିଏ ଯେତିକି ସ୍ଵାର୍ଥପରତା ଆଚରଣ କରିଥାଏ, ଅନେକ ସମୟରେ ସଂସାରରୁ ପଳାଇ ଯିବାକୁ ମଧ୍ୟ ସିଏ ସେତିକି ସ୍ଵାର୍ଥପରତା ଆଚରଣ କରେ । ଏପରି କରିବାଦ୍ଵାରା ସିଏ ତା’ଭିତରେ ରହିଥିବା ଅନେକ ମୂଳଭୁତ ସମ୍ଭାବନାକୁ ଅସ୍ଵୀକାର କରିଥାଏ । ଆପଣାକୁ ମଧ୍ୟ ତାହା ଅସ୍ଵୀକାର କଲାପରି ହୁଏ ।

 

ଏହି ଭୋଗ କରିବା ଯେପରି ଏକୁଟିଆ ମୋ’ର ନୁହେଁ, ଏହି ମୁକ୍ତି ମଧ୍ୟ ସେହିପରି ଏକୁଟିଆ ମୋ’ର ନୁହେଁ । ଆପଣାକୁ ଅଧିକରୁ ଅଧିକ ଅଭିବ୍ୟକ୍ତି ଏବଂ ପ୍ରକାଶିତ କରି ଆଣିବାପାଇଁ ଯେଉଁ ମୁକ୍ତି ଦରକାର, ମୋ’ର କେବଳ ସେହି ମୁକ୍ତିରେ ହିଁ ଅଧିକାର ରହିଛି । ମୁଁ ଆପଣାକୁ ପ୍ରକାଶିତ କରିବି, ଅର୍ଥାତ୍ ଏହି ବିଶ୍ଵର ସମଗ୍ର ଦିବ୍ୟ ଯୋଜନାଟିର ଯେ ମୁଁ ଗୋଟାଏ ଅଂଶ, ସେହି ସତ୍ୟଟିକୁ ମୁଁ ଜୀବନର ଏକ ଉପଲବ୍‍ଧିରେ ପରିଣତ କରିବି । ଭିତରେ ମୁଁ ଯାହାକିଛି ନିଜର ବୋଲି ଅର୍ଜନ ବା ଅନୁଭବ କରିବି, ତାହାକୁ ବାହାରକୁ ଏହି ଆଲୋକ ମଧ୍ୟକୁ ଆଣିବାକୁ ସମର୍ଥ ହେବି । କୌଣସି ମୁହୂର୍ତ୍ତରେ ବି ସେଗୁଡ଼ାକୁ କେବଳ ମୋ’ରି ବୋଲି ଭାବି କୌଣସି ଦମ୍ଭଯୁକ୍ତ ଦୌରାତ୍ମ୍ୟର ଶିକାର ହେବାକୁ ଯିବିନାହିଁ । ଏହି ଜୀବନ ଯାହାର ସ୍ପର୍ଶ ଲାଭ କରିଛି, ତାହାକୁ ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ତାଙ୍କର ଉଦ୍ଦେଶ୍ୟରେ ଅର୍ଥାତ୍ ତାଙ୍କର ଲାଗି ଉତ୍ତୋଳିତ କରି ଧରି ରଖି ପାରୁଥିବି ।

 

୧୪ । ୮ । ୭୯

 

ଏହି ସହଯୋଗ, ଏହାହିଁ ଜୀବନ । ଏହି ସହଚାରିତା, ଏହାହିଁ ଗୌରବ । ଏହି ସହଯାତ୍ରା, ତାହାହିଁ ଧର୍ମ ।

 

ନିଜ ଭିତରେ ଯେଉଁମାନେ ଗୋଟାଏ ପାଖରେ ସହଯୋଗ କରି ପାରିବାକୁ ଯାଇ ଆଉଗୋଟାଏ ପାଖକୁ ଦଉଡ଼ିରେ ବାନ୍ଧି ରଖିଥାନ୍ତି, ଲୁଚାଇ କରି ଅଥବା ଦବାଇ କରି ରଖିଥାନ୍ତି, ଅନେକ ସମୟରେ ସେମାନଙ୍କ ପାଖରେ ଆପଣାକୁ ଭାରି ଖାପଛଡ଼ା ମନେହୁଏ, ଭାରି ଅପାଂକ୍ତେୟ ପରି ମନେହୁଏ, ସେମାନେ ଏହି ଅସହଯୋଗ ଏହି ଅବଦମନ ଏବଂ ଏହି ଆତ୍ମଗୋପନକୁ ନେଇ ପୂରଣ ଲେଖନ୍ତି, ସଂହିତା ଲେଖନ୍ତି, ତଦ୍ଦ୍ୱାରା ଧର୍ମକୁ ଅର୍ଥାତ୍ ଜୀବନାଚରଣକୁ ପ୍ରାୟ ଏକ ଶାସ୍ତ୍ରୀୟ ବସ୍ତୁ ପରି କରି ରଖିଥାନ୍ତି । ସେମାନେ ହୁଏତ କେତେବେଳେ ହେଲେ ଯଥାର୍ଥ ଭାବରେ ପ୍ରସ୍ତୁତ ହୋଇ ପାରନ୍ତିନାହିଁ । ଅଧଟାକୁ ନଲୁଚାଇ ପାରିଲେ ଆର ଅଧଟା ପ୍ରକାଶିତ ହୋଇ ପାରିବନାହିଁ ବୋଲି ବିଚାର କରୁଥାନ୍ତି ଏବଂ ସେହି ବିଚାର ଭିତରେ ଅହରହ ହନ୍ତସନ୍ତ ହେବାରେ ଲାଗିଥାନ୍ତି । ସେମାନେ ଭଲ ସାଙ୍ଗ ହୋଇ ପାରନ୍ତିନାହିଁ, ରାସ୍ତା ଉପରେ ସେମାନେ କାହାରି ଯଥାର୍ଥ ସାଥୀ ହୋଇ ପାରନ୍ତିନାହିଁ । ସେମାନେ ସମଗ୍ର ଭାବରେ ହୁଏତ ମୋଟେ ପ୍ରସ୍ତୁତ ହୋଇ ପାରନ୍ତିନାହିଁ । ଏମାନେ ଧର୍ମଜୀବନକୁ ଗୋଟାଏ ଛାତି ପରି ମେଳାଇ ଧରି ସତେଅବା ତାହାରି ତଳେ ଲୁଚି ବସିଥାନ୍ତି । ଭିତରଟାକୁ ପୂର୍ଣ୍ଣ ଭାବରେ ପ୍ରସ୍ତୁତ କରି ପାରିବାର ଭରସା କରି ପାରନ୍ତିନାହିଁ ବୋଲି ବୋଧହୁଏ ବାହାରଟାକୁ ଭାରି ସରାଗରେ ଦେଖାଇବାରେ ଲାଗିଥାନ୍ତି । ଏମାନେ ଦେଉଳ ଦେଖନ୍ତି, ବାନା ଦେଖନ୍ତି, ଭେକଗୁଡ଼ାକୁ ପ୍ରାୟ ବିଶେଷଜ୍ଞମାନଙ୍କର ବୁଦ୍ଧି ଦେଇ ଚିହ୍ନିନେଇ ପାରନ୍ତି । କିନ୍ତୁ ହୁଏତ ସହଯୋଗୀ ହୋଇ ପାରନ୍ତିନାହିଁ ।

 

୧୫ । ୮ । ୭୯

 

'କର ତାଁର ନାମ ଗାନ, ଯତ ଦିନ୍ ଦେହେ ରହେ ପ୍ରାନ୍',-ଏହାହିଁ ପୂଜା, ଏହାହିଁ ଆରାଧନା । ମୁଁ ଯେତେଦିନ ଯାଏ ରହିଛି, ସେତେଦିନ ଯାଏ ମୁଁ ମୋ’ର ଉତ୍ସଟିକୁ ଆପଣା ଭିତରେ ହିଁ ଅନୁଭବ କରି ପାରୁଥିବି, ସତତ ଅନୁଭବ କରି ପାରୁଥିବି । ଏହି ବିଶ୍ଵସଂସାର ଭିତରେ ମଧ୍ୟ ମୁଁ ସେହି ଉତ୍ସଟିକୁ ଅନୁଭବ କରି ପାରୁଥିବି, ପ୍ରତ୍ୟେକ ମଣିଷଙ୍କ ଭିତରେ ସେହି ଉତ୍ସଟିକୁ ଏବଂ ସେହି ସଜାତୀୟତାଟିକୁ ଅନୁଭବ କରି ପାରୁଥିବି । ଏହି ଆକାଶ, ଏହି ଆଲୋକ ଏବଂ ଏହି ସକାଳ ଭିତରେ ମୁଁ ତାହାକୁ ଅନୁଭବ କରି ପାରୁଥିବି, ସବୁଟି ଭିତରେ ମୋତେ ଅନୁଭବ କରି ପାରୁଥିବି, ମୋ’ ନିଜ ଭିତରେ ସମସ୍ତଙ୍କୁ ମଧ୍ୟ ଅନୁଭବ କରି ପାରୁଥିବି ।

 

ଭଲ ପାଇବା କହିଲେ ମୁଁ ଏହାହିଁ ବୁଝେ । ଯୋଉମାନେ ଆଗ ବାରନ୍ତି; ଆଗ ଭଲଠାରୁ ମନ୍ଦକୁ ଅଲଗା କରି ବାରି ପାରନ୍ତି, ତା’ପରେ ଯାଇ ଭଲ ପାଆନ୍ତି ମୁଁ ଅନେକ ସମୟରେ ସେମାନଙ୍କ କଥା ବୁଝି ପାରେନାହିଁ । ସେମାନେ କ'ଣ ସେହି ଉତ୍ସବଟିକୁ ଅନୁଭବ କରୁ ନଥାନ୍ତି କି-? ଏହି ସଂସାର ଭିତରେ ଆମେ ଯେ ଚତୁର୍ଦ୍ଦିଗରୁ ଏତେବେଶୀ ଆକର୍ଷଣ ଅନୁଭବ କରୁ, ଏଠି ସମସ୍ତ ଯେ ଏପରି ଆପଣାର ମନେ ହୁଅନ୍ତି ଏଠି ଗୋଟାକୁ ଛୁଇଁଲେ ଯେ ସମସ୍ତଙ୍କୁ ଛୁଇଁ ଆସିଲା ପରି ମନେହୁଏ, ଯେକୌଣସି ଥାନରେ ଦୁଆର ଫିଟାଇଦେବା ବେଳକୁ ନିଜ ଭିତରେ ହଠାତ୍ ଦ୍ଵାରଟିଏ ଫିଟି ଯାଉଥିଲା ପରି ମନେ ହେଉଥାଏ, ସେମାନେ କ’ଣ ସେମାନେ ଗୋଟିଏ ଡୋର ଲଗାଇ ପାରିବେ ବୋଲି ଆଉ ସବୁଯାକ ଡୋରକୁ କାଟିବା ଲାଗି ଏତେ ଅତ୍ୟାବଶ୍ୟକ ମନେ କରନ୍ତି କି, ଆଖି ନବୁଜିଲେ ଆରାଧନା ହୋଇ ପାରିବନାହିଁ ବୋଲି ବିଶ୍ଵାସ କରୁଥାନ୍ତି କି, ଆଡ଼ ହୋଇ ନଗଲେ ନିଜ ଭିତରକୁ ପ୍ରବେଶ କରି ପାରିବେନାହିଁ ବୋଲି କହୁଥାନ୍ତି କି ?

 

୧୬ । ୮ । ୭୯

 

ସକ୍ରିୟ ବିଶ୍ଵାସ; ଉତ୍ସାହଦୀପ୍ତ ବିଶ୍ୱାସ, ଅଟଳ ଏବଂ ଅବିଚଳ ବିଶ୍ୱାସ, –ଏଗୁଡ଼ାକ ମାଗିଲେ ମିଳେ ନାହିଁ । ଯୋଗ୍ୟ ହେଲେ ମିଳେ । ପାଦ ପାଦ କରି ଆଗକୁ ବଢ଼ି ପାରୁଥିଲେ ମିଳେ-। ସେହି ବିଶ୍ୱାସର ଭାଜନ ହେବାକୁ ହୁଏ । ଆପଣାକୁ ଖୁସୀ ହୋଇ ସତେଅବା ଏକ ବଗିଚାରେ ପରିଣତ କରି ରଖିବାକୁ ହୋଇଥାଏ । ତେବେଯାଇ ଅନୁଭବ ଗୁଡ଼ାକ, ସମ୍ପର୍କ ଗୁଡ଼ାକ, ସ୍ପର୍ଶଗୁଡ଼ାକ ବିଶ୍ୱାସ ଦ୍ଵାରା ପ୍ରେରିତ ହୁଅନ୍ତି । ବିଶ୍ୱାସ ମଧ୍ୟରେ ଆତଯାତ ହେଉଥାନ୍ତି, ବିଶ୍ୱାସକୁ ବାଡ଼ି କରି ବାଟ ଚାଲି ପାରନ୍ତି, ବିଶ୍ୱାସକୁ ଦଉଡ଼ି କରି ଆପଣାକୁ ଏହି ସବୁଟି ସହିତ ଛନ୍ଦିଦେଇ ପାରିବା ଲାଗି ସମର୍ଥ ହୁଅନ୍ତି ।

 

ଏହି ବିଶ୍ୱାସ ମୂଳତଃ ଏକ ବିଜୟ ଉପରେ ବିଶ୍ୱାସ । ମୋ’ ଭିତରେ ତାଙ୍କର ବିଜୟ, ଏହି ବିଶ୍ଵର ନିୟତିପଥରେ ତାଙ୍କର ବିଜୟ, –ଏହିସବୁ ନାନା ସ୍ଵପ୍ନ ଓ ସମ୍ପଦ ଉପରେ ବିଜୟ । ସେହି ବିଜୟ ଉପରେ ଆମର ବିଶ୍ଵାସଟି ପ୍ରତିଷ୍ଠିତ ହୋଇ ପାରିଲେ ପରାଜୟର ଯାବତୀୟ ଅବିଶ୍ଵାସ କୁଆଡ଼େ ପରାଭବ ପାଇ ରହିଯାଆନ୍ତି । ଝୁଣ୍ଟିବାଗୁଡ଼ାକୁ ସତେଅବା ଆଉ ମୋଟେ ଡର ମାଡ଼େନାହିଁ । ସେତେବେଳେ ଅପୂର୍ଣ୍ଣତାଗୁଡ଼ାକ ମୋଟେ ଅଟକାଇ ରଖନ୍ତିନାହିଁ । ସେତେବେଳେ ବିଶ୍ୱାସ ଉତ୍ସାହର ରୂପ ଧାରଣ କରେ । ସତେଅବା କେଉଁ ଜନନୀର ହାତରେ ପରିଣତ ହୋଇ ତାହା ଅଶେଷ ପ୍ରେରଣା ଦେଇ ହାତ ଧରି ଆଗକୁ ବାଟ ଚଳାଇନିଏ । ମୋ’ରି ନିଜ ଭିତରେ ସତେଅବା କେଉଁ ବୃହତ୍ ଜନ୍ନଲାଭ କରେ, କେଉଁ ଶ୍ରଦ୍ଧାଶୀଳ ଭକ୍ତ ଜନ୍ନଲାଭ କରେ । କେଉଁ ଉଦ୍ଦିଷ୍ଟତାର ସ୍ମରଣ ହୋଇଯାଏ । ସେତେବେଳେ ଆଖିଗୁଡ଼ାକ ଭିତରୁ ହିଁ ପ୍ରେରଣା ପାଆନ୍ତି, ଜୀବନଟା ସତେଅବା ଏକ ଆନନ୍ଦମୟ ସମର୍ପଣ ପରି ଲାଗେ । ତା’ପରେ ଆଉ କୌଣସି ଦୁଃଖ ରହେନାହିଁ ।

 

୧୭ । ୮ । ୭୯

 

ସେହି ମୁହୂର୍ତ୍ତ ବେଳେ ବେଳେ ଆସେ, ଦିନେ ଦିନେ ଆସେ । ସବୁ ପୂର୍ଣ୍ଣ ହୋଇଯାଏ, ସବୁ ସତେଅବା ଏହି ଗୋଟିଏ ଅନ୍ତର ଭିତରେ ଏକାବେଳେକେ କେତେ ବୀଣା ହୋଇ ବାଜି ଉଠନ୍ତି । ସବୁଯାକ ସ୍ପର୍ଶ ସତେଅବା କେଉଁ ଅନ୍ତରଙ୍ଗ ଅନ୍ତରସ୍ଥ ବନ୍ଧୁର ସ୍ପର୍ଶ ପରି ମନେ ହେଉଥାଏ-। ସବୁ ସଙ୍ଗୀତ ସ୍ତୋତ୍ର ପରି ଲାଗେ, ଶବ୍ଦଗୁଡ଼ାକ ମନ୍ତ୍ର ପରି ଲାଗନ୍ତି । କୋଇଠି କିଛିହେଲେ ବିଚ୍ଛିନ୍ନ ହୋଇ ରହିଥିବା ପରି ଦେଖା ଯାଆନ୍ତିନାହିଁ । ଏଠୁ ସେଯାଏ ଖିଅ ଲାଗିଥାଏ, ସବୁ ଲୋକକୁ ଏକାଠି ଜଗାଇ ସତେଅବା କୌଣସି ଏକ ସେତୁ ଏକ ଆନନ୍ଦଲୋକରେ ପରିଣତ କରି ରଖିଥାଏ ।

 

ଏହି ମୁହୂର୍ତ୍ତ ସବୁବେଳେ ମଧ୍ୟ ଆସି ପାରିବ, ଏହି ଦିନ ସବୁଦିନ ମଧ୍ୟ ସମ୍ଭବ ହୋଇ ପାରିବ । ଯାହା ଆଜି ପ୍ରାୟ ଏକ ବ୍ୟତିକ୍ରମ ହୋଇ ରହିଛି, ତାହା ଏକ ବିଧାନରେ ପରିଣତ ହୋଇ ପାରିବ । ସବୁ ଥାନ ସଦନ ପରି ଲାଗିବ, ସବୁ ମଣିଷଙ୍କୁ ଚିହ୍ନିହେବ, ସବୁ ମନ୍ଦିରର ଦେବତା ଏକାପରି ଦେଖାଯିବେ, ସବୁ ଫୁଲ ତାଙ୍କରି ବନ ଓ ଉପବନରେ ଫୁଟୁଥିବା ଫୁଲ ପରି ମନେହେବ-। ଏବଂ, ଆପଣାକୁ ସତେଅବା ପ୍ରସାଦ ପରି ମନେହେବ, ଭିତରକୁ ଅନାଇ ଦେବା ମାତ୍ରକେ ତାହା ସତେଅବା ଏକ ଆସ୍ଥାନ ଅର୍ଥାତ୍ ତୀର୍ଥସ୍ଥାନ ପରି ମନେ ହେଉଥିବ । ମଣିଷମାନଙ୍କର ଆଖି କଥା କହି ଉଠିବେ । ସତେଅବା ଗୋଟିଏ ଆତ୍ମସଂବେଦନର ସୂତ୍ରରେ ଗୁନ୍ଥା ହୋଇଥିବା ଆତ୍ମୀୟ ଜନଙ୍କ ପରି କଥା କହି ଉଠିବେ । ଅନାଇଦେବା ମାତ୍ରକେ ଏକାବେଳେକେ ଭିତରଯାଏ ଦୁଆର ଖୋଲି ଯାଉଥିବ । ସେତେବେଳେ ବାଡ଼ ବୋଲି କିଛି ରହିବନାହିଁ, ବାରଣ ବୋଲି କିଛିହେଲେ ରହିବନାହିଁ-

 

୧୮ । ୮ । ୭୯

 

ତୁମରି ଶ୍ରଦ୍ଧାର ବାରି ହିଁ ଏହି ସବୁକିଛିକୁ ସଂଜୀବିତ କରି ରଖିଛି, ଏହି ସବୁକିଛିକୁ ଶ୍ରଦ୍ଧାନ୍ୱିତ କରି ରଖିଛି । ଏହି ମାଟିଟା ଉପରେ ଯଦି ସେହି ବାରିର କରୁଣାମୟ ସ୍ପର୍ଶ ସମ୍ଭବ ହେଉନଥାନ୍ତା, ତେବେ ଏ ମାଟିରେ କୌଣସି ସ୍ଵପ୍ନ ସମ୍ଭବ ହେଉନଥାନ୍ତା, କୌଣସି ଶ୍ରଦ୍ଧା ଓ କୌଣସି ପ୍ରାର୍ଥନା ଅର୍ଥାତ୍ ଉତ୍ତୋଲନ ସମ୍ଭବ ହେଉନଥାନ୍ତା । ସେହି ବାରିର ସ୍ପର୍ଶ ଏହି ମାଟିର ଆଖି ଓ ଅଭୀପ୍‌ସା ଗୁଡ଼ିକ ଆକାଶଯାଏ ପ୍ରଳମ୍ବିତ ହୋଇ ପାରିବାକୁ ଓ ଆପଣା ଭିତରେ ସେହି ଆକାଶକୁ ଅନୁଭବ କରିବାକୁ ମଧ୍ୟ ସମ୍ଭବ କରି ପାରିଛି । ସେହି ଶ୍ରଦ୍ଧାର ବାରି ଏହି ଜୀବନରେ ପ୍ରକୃତରେ ଏକ ବହ୍ନିରୂପେ ମଧ୍ୟ କାର୍ଯ୍ୟ କରିଛି ।

 

ସେହି ବହ୍ନି ଏହି ସବୁଯାକ ମଧ୍ୟବର୍ତ୍ତୀ ଆବରଣଗୁଡ଼ାକ ସତେଅବା ମୁହୂର୍ତ୍ତକ ମଧ୍ୟରେ ଭେଦିଯାଇ ପାରିଛି, ମୋତେ ତା’ ସାଙ୍ଗରେ ନେଇ ସତେଅବା କେତେ ନା କେତେ ଗଭୀରକୁ ତାହା ଭେଦିଯାଇ ପାରିଛି । ମୋ’ର ନିଜ ଭିତରେ ତାହା କେତେ ନା କେତେ ଶ୍ରଦ୍ଧାତଳର ପରିଚୟ ଦେଇଯାଇଛି, କେତେ ନା କେତେ ବନ୍ଧୁଙ୍କର ପରିଚୟ ଦେଇପାରିଛି, ମୁଁ ଯେ ଏତେଗୁଡ଼ାକ ପ୍ରସାରଣର ସମ୍ଭବନାକୁ ଆପଣା ଭିତରେ ଧାରଣ କରି ରଖିଛି, ମୋତେ ତାହାର ଏକ ପ୍ରତ୍ୟୟ ଏବଂ ବିଶ୍ଵାସ ଦେଇଯାଇଛି । ବାହାରର ବହ୍ନି ଭିତରକୁ ଭେଦି ମୋତେ ଧାରଣ କରି ରଖିଥିବା ସେହି ବହ୍ନିଟି ସହିତ ସମ୍ମିଳିତ ହୋଇଛି, ମୋତେ ଧନ୍ୟ କରିଛି, ମୋତେ ଏତେ ହାଲୁକା କରିଦେଇ ପାରିଛି, ମୋ’ର ଜୀବନକୁ ତାହା ଏକ ଆଶୀର୍ବାଦରେ ପରିଣତ କରି ଦେଇଛି । ଜୀବନକୁ ମୁଁ ସତେଅବା ଏକ ବର୍ଷଣଭୂମି ରୂପେ ଅନୁଭବ କରି ଶିଖିଛି, ଆପଣାର ଶ୍ୟାମଳିମା ଗୁଡ଼ିକୁ ଅନୁଭବ କରି ମୁଁ ଅବାକ୍ ହୋଇଛି । ଏହି ଅବାକ୍ ହେବାରୁ ହିଁ ମୋ’ର ସବୁ ଯାତ୍ରା ଅନ୍ତଃପ୍ରେରିତ ହୋଇ ଆସିଛି ।

 

୧୯ । ୮ । ୭୯

 

ଆଲୋକର ବର୍ଷଣ ହୁଏ, ନକ୍ଷତ୍ରର ବର୍ଷଣ ହୁଏ । ଅନ୍ଧକାରର ସମସ୍ତ ପ୍ରତୀକ୍ଷା ଧନ୍ୟ ହୋଇଯାଏ,-ଆଶୀର୍ବାଦଧନ୍ୟ ସେହି ଅନ୍ଧକାର ନିଜର ହୃଦୟକୁ ଚିହ୍ନିବାରେ ସମର୍ଥ ହୁଏ । ସେତେବେଳେ ଅନ୍ଧକାର ଆପଣାକୁ ଆଲୋକଠାରୁ ଅଲଗା ବୋଲି ଅନୁଭବ ବି କରି ପାରେନାହିଁ ।

 

ଅନେକ ସମୟରେ ସ୍ଵପ୍ନରେ ମୁଁ ଏହିପରି ବର୍ଷଣ ଅନୁଭବ କରିଛି । ଯେଉଁଠାରେ କି ପ୍ରତୀକ୍ଷାର ଅଧା ଆଲୁଅ ଆଉ ଅଧା ଅନ୍ଧାର ଭିତରେ ମୋ’ର ସକଳ ଶାଖା ଓ ସକଳ ପତ୍ର ଅପେକ୍ଷା କରି ରହିଛନ୍ତି, ବିଶ୍ଵାସର ଉଲ୍ଲାସରେ ଅପେକ୍ଷା କରି ରହିଛନ୍ତି । ସେତିକିବେଳେ ସେହି ବର୍ଷଣ ଆରମ୍ଭ ହୋଇଛି, ସେହି ପ୍ରତୀକ୍ଷା ପରିପୂର୍ଣ୍ଣ ହୋଇଛି,-ସବୁଯାକ ଅନାଇ ବସିବା ଏକାବେଳେକେ ଧନ୍ୟ ହୋଇ ଉଠିଛି । କେତେ ଅଚିହ୍ନା ଏକାବେଳେକେ ଚିହ୍ନାରେ ପରିଣତ ହୋଇ ଯାଇଛନ୍ତି । ଅନେକ ସମୟରେ ଆଖି ବୁଜି ଶାନ୍ତ ହୋଇଯିବା ମାତ୍ରକେ ସତେଅବା ମୋ’ର ପ୍ରାର୍ଥନା କେଉଁ ବନ୍ଧୁର ପାଦକୁ ସ୍ପର୍ଶ କରି ବର୍ଷଣର ରୂପ ଧରି ପୁଣି ମୋ’ ପାଖକୁ ଫେରି ଆସିଛି । ମୁଁ ଯେ ମୋଟେ ଏତିକି ମାତ୍ର ନୁହେଁ, ମୁଁ ଯେ ଏଠୁ ସେଯାଏ ଲମ୍ବିଛି, ସିଏ ଯେ ସେଠୁ ଏଯାଏ ଲମ୍ବି ରହିଛନ୍ତି, ମୁଁ ତାହାକୁ ମୋ’ ଦେହ ଉପରେ ମଧ୍ୟ ଅନୁଭବ କରିବାକୁ ଆରମ୍ଭ କରିଛି । ସେହି ଆଲୋକ ନକ୍ଷତ୍ର ମାଳାରେ ପରିଣତ ହୋଇ ମୋ’ର ଆକାଶକୁ ପରିପୂର୍ଣ୍ଣ କରିଦିଏ । ସେତେବେଳେ ସବୁ ମଣିଷଙ୍କ ଆଡ଼କୁ ଅନାଇବା ମାତ୍ରକେ ମୁଁ ସତେଅବା ସେହି ନକ୍ଷତ୍ରମାଳାମଣ୍ଡିତ କେତେକେତେ ଆକାଶର ପ୍ରତ୍ୟକ୍ଷ କରେ । ମୋ’ ସମେତ ସମସ୍ତକୁ ସତେଅବା ଏକ ଆଲୋକବର୍ଷଣଧନ୍ୟ ଉପତ୍ୟକା ପରି ପ୍ରତ୍ୟକ୍ଷ କରିବାକୁ ଆରମ୍ଭ କରେ ।

 

୨୦ । ୮ । ୭୯

 

ହଁ ଏହି ଅଦ୍‌ଭୂତତାରେ ଓ ଅପୂର୍ବତାରେ ମଧ୍ୟ ଅନ୍ତ ନାହିଁ । ସବୁଦିନ ଏହା ନୂତନ ନୂତନ ପରି ଲାଗୁଛି । ସେଇଥିଲାଗି ତାହା ଏଡ଼େ ଭଲ ଲାଗୁଛି । ଭିତରେ କୌଣସି ଥାନରେ ଏକ ଶିଶୁ ରହିଛି ଯାହା ପ୍ରତ୍ୟେକ ମୁହୂର୍ତ୍ତରେ ନବନବ ପ୍ରକାରେ ଜନ୍ମଲାଭ କରୁଛି । ଭିତରେ କୋଉଠି ଗୋଟାଏ ଆଖି ରହିଛି, ଯାହାକି ସବୁବେଳେ ନୂତନ ନୂତନ ଭାବରେ ଦେଖୁଛି, ନୂତନ ନୂତନ ଭାବରେ ଅନୁଭବ କରୁଛି । ନୂତନ ନୂତନ ଭାବରେ ଆପଣାକୁ ଚିହ୍ନିଛି ଓ ଆବିଷ୍କାର କରୁଛି । ଜଗତକୁ ମଧ୍ୟ ତାହା ନୂତନ ନୂତନ ଭାବରେ ଆବିଷ୍କାର କରୁଛି । ସମ୍ଭବତଃ ସେଇଥି ସକାଶେ ହିଁ ଏହି ଅଦ୍‌ଭୂତତାଟି ପ୍ରତିଦିନ ଏପରି ଅପୂର୍ବ ବୋଲି ମନେ ହେଉଛି ।

 

ମୁଁ ସେହି ଅଦ୍‌ଭୂତତାକୁ ପ୍ରମାଣ କରିବି, ସେହି ଅଦଭୂତତା ସମକ୍ଷରେ ମୁଁ ପ୍ରଣତ ହୋଇ ଆପଣାର କୃତଜ୍ଞତା ଜଣାଇ ପାରୁଥିବି । ପ୍ରତ୍ୟେହ ସକାଳ ହେଲା ମାତ୍ରକେ ହିଁ ନୂତନ ଦିନଟି ସହିତ ମୋ’ର ସାକ୍ଷାତ ଏକ କୃତଜ୍ଞତାରୂପେ ଆପଣାକୁ ଅଭବ୍ୟକ୍ତ କରି ପାରୁଥିବ । ଯାହାରି ଅନୁରାଗ ବଳରେ ଏହି ସବୁକିଛି ନୂଆ ଲାଗୁଛି ଅପୂର୍ବ ଓ ଅଦ୍‌ଭୂତ ଲାଗୁଛି, ଯାହା ସକାଶେ ନିଜକୁ ଅନାଇଦେବା ମାତ୍ରକେ ନିଜ ଭିତରେ ବସିଥିବା ବନ୍ଧୁଟିକୁ ଛୁଇଁ ଆସିଲା ମାତ୍ରକେ ସବୁକିଛି ଏପରି ନୂଆ ଲାଗୁଛି, ଏପରି ଅପୂର୍ବ ଓ ଅଦ୍‌ଭୂତ ଲାଗୁଛି, ତାହାରି ପାଖରେ ହିଁ ମୁଁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ନତମସ୍ତକ ହୋଇ ପାରୁଥିବି, ତାହାରି ସହିତ ମୋର’ ସମ୍ପର୍କଟି ମୂଳତଃ ଏକ କୃତଜ୍ଞତା ରୂପେ ହିଁ ଆପଣାକୁ ପ୍ରକଟ କରିଦେଇ ପାରୁଥିବ ।

 

୨୧ । ୮ । ୭୯

 

ଏହି ପ୍ରୟାସ ସବୁଦିନର, ଏହି ଖିଅ ଲଗାଇବା ସବୁଦିନର, ଏହି ଯାତ୍ରା ସବୁଦିନର, ଏହ ଶ୍ରଦ୍ଧା ସବୁଦିନର, ଏହା ଆବିଷ୍କାର ସବୁଦିନର । ଯେତେବେଳେ କ’ଣ ଗୋଟାଏ କରିପକାଇ କ’ଣ ଗୋଟାଏ ହାସଲ କରିବାର ଜ୍ଵର ଘାରିକରି ରହିଥାଏ ଏବଂ ସେହି ଜ୍ଵରପ୍ରାୟ ଉତ୍ତେଜନା ହିଁ ବାଟ ଚାଲିବାର ସର୍ବପ୍ରଧାନ ପ୍ରେରଣା ହୋଇ ରହିଥାଏ, ସେତେବେଳେ ଆମେ ଭାବୁ ଯେ, ଏହି ସିଦ୍ଧିଗୁଡ଼ାକ ହିଁ ସବୁ, ଏହି ପ୍ରାପ୍ତିଗୁଡ଼ାକ ହିଁ ସବୁକିଛି । ସେତେବେଳେ ସିଦ୍ଧିଗୁଡ଼ାକରେ ଦେଉଳ ତୋଳାହୁଏ, ପ୍ରାପ୍ତିଗୁଡ଼ାକରେ ଭଣ୍ଡାରଗୁଡ଼ାକ ଭରି କରି ରଖି ଦିଆଯିବାରେ ଲାଗିଥାଏ । ସିଦ୍ଧିଗୁଡ଼ାକ ସତେଅବା ଗୋଟାଏ ଗୋଟାଏ ଜଞ୍ଜିର ହୋଇ ବାନ୍ଧି ରଖନ୍ତି, ଅଧା ବାଟରେ ଅଟକାଇ ରଖନ୍ତି । ତା’ପରେ କେବଳ କେତେଟା ମନ୍ତ୍ରର ଆବୃତ୍ତି କରିବାଟା ହିଁ ହୋଇ ରହିଯାଏ । ଗୋଡ଼ ରହିଯାଏ, ହୃଦୟ ରହିଯାଏ, ସଂପ୍ରସାରଣ ରହିଯାଏ, ଚେତନାଗୁଡ଼ାକ ସତେଅବା ବାଡ଼ ହୋଇ ରହିଥାନ୍ତି । ଶ୍ରଦ୍ଧା ନିର୍ବାସିତ ହୋଇ ରହେ ।

 

ନା,-ଏଗୁଡ଼ାକର ଶେଷ ନାହିଁ । ଏହି ପୂର୍ଣ୍ଣତାର ଶେଷ ନାହିଁ, ଏହି ପ୍ରୀତିର ବିଶେଷ ନାହିଁ; –ଏହି ଆସକ୍ତିର ଶେଷ ନାହିଁ, ତେଣୁ ଏହି ବାଟ ଚାଲିବାର ଶେଷ ନାହିଁ । ତେଣୁ ଏହି ପରିପୂର୍ଣ୍ଣତାର ମଧ୍ୟ ଆଦୌ କୌଣସି ପରିପୂର୍ଣ୍ଣ ସଂଜ୍ଞା ନାହିଁ । ପୂର୍ଣ୍ଣ ଶୁଦ୍ଧ, ପୂର୍ଣ୍ଣ ଜ୍ୟୋତିର୍ମୟ, ପୂର୍ଣ୍ଣୋଜ୍ଜ୍ୱଳ ଏବଂ ପୂର୍ଣ୍ଣଚେତନ,-ଏସବୁ ଶବ୍ଦର କୌଣସି ଅର୍ଥ ହିଁ ନାହିଁ । ଅର୍ଥ ଅଛି, ପୁଣି ଅର୍ଥ ନାହିଁ, ପ୍ରେରଣାତ୍ମକ ଅର୍ଥ ନିଶ୍ଚୟ ଅଛି, ମାତ୍ର ପରିମାଣାତ୍ମକ ଅର୍ଥ କଦାପି ନାହିଁ । ଏହି ଦୃଷ୍ଟିରୁ ପରଖି ଦେଖିଲେ ସିଦ୍ଧି ପ୍ରଭୃତି ନାନା ଶବ୍ଦର ଅର୍ଥ ବଦଳି ଯାଉଛି । ସିଦ୍ଧି କହିଲେ ଏକ ସତତ ସାଧନାନୁରାଗକୁ ବୁଝାଉଛି । ଏକ ଅବିଚଳିତ ଜୀବନାନୁରାଗ ଏବଂ ଶ୍ରଦ୍ଧାନୁଶୀଳନକୁ ବୁଝାଉଛି ।

 

୨୨ । ୮ । ୭୯

 

ବନ୍ଧୁ ହିଁ ଶକ୍ତି, ବନ୍ଧୁ ହିଁ ଅବଲମ୍ବନ, ବନ୍ଧୁ ହିଁ ପଥପ୍ରଦର୍ଶକ । ସିଏ ହେଉଛି ପଥର ସାଥୀ, ପଥ ଚାଲିବାର ବିଶ୍ଵାସ ।

 

ଆମେ ତାଙ୍କୁ ଅନେକ ସମୟରେ ଶକ୍ତି ବୋଲି କହୁ, ଅବଲମ୍ବନ ବୋଲି ମାନିନେଇ ପାରୁନାହିଁ । ତାଙ୍କୁ ସକଳ ବିଶ୍ଵାସର ଆଧାର ବୋଲି ମାନୁ ସତ, ମାତ୍ର ପଥର ସାଥୀ ବୋଲି ମାନି ପାରୁନାହିଁ । ଏହି କାରଣରୁ ଆମେ ତାଙ୍କୁ ଦୂରରେ ରଖିଥାଉ, ତାଙ୍କୁ ଭୟ ବି କରୁଥାଉ; ତାଙ୍କୁ ସତେଅବା କେତେଗୁଡ଼ାଏ ବହିର ବାକ୍ୟ ବୋଲି ମାନୁଥାଉ । କିନ୍ତୁ, ସିଏ ଅତି ଅନ୍ତରଙ୍ଗ ଭାବରେ ଆମରି ପାଖେ ପାଖେ ଓ ଆମରି ସାଙ୍ଗରେ ରହିଛନ୍ତି, ସେକଥା ମୋଟେ ସହଜରେ ବିଶ୍ଵାସ କରି ପାରୁନାହିଁ । ଆମେ ଦୁଃଖ ପଡ଼ିଲେ ଯାଇ ତାଙ୍କୁ ମନେ ପକାଉ, ଦୁର୍ଗତ ବେଳେ କେଡ଼େ ବିକଳ ହୋଇ ତାଙ୍କ ପାଖକୁ ଦଉଡ଼ିଯାଉ । ମାତ୍ର, ତାଙ୍କୁ ଆମ ଜୀବନର ସହଚାରୀ ସେହି ଶକ୍ତିଦାୟୀ ଜଳବାୟୁ ପରି ଗ୍ରହଣ କରି ପାରୁନାହିଁ । ଆମେ ତାଙ୍କୁ ଆପଣାର ଏହି ଘରଟି ଭିତରେ ମୋଟେ ଅନୁଭବ କରି ପାରୁନାହିଁ । ତେଣୁ, ତାଙ୍କୁ ଅବଲମ୍ବନ କରି ଯେଉଁ ଶକ୍ତିର ଅଧିକାର ଆମକୁ ପ୍ରସ୍ତ ହେବାର କଥା, ଆମେ ସେହି ଶକ୍ତିଟିର ଭାଜନ ହୋଇ ପାରୁନାହିଁ । ବୁଢ଼ା ହେବାଯାଏ ବି ଆମେ ପ୍ରଧାନତଃ ଆର୍ତ୍ତ ହୋଇ ରହିଯାଉ, ପ୍ରଧାନତଃ ଜଣାଣ ବୋଲିବାରେ ରହିଯାଉ । ତାଙ୍କୁ ପଉଟି ପଉଟି ଭୋଗ ସଜାଡ଼ିବାରେ ଲାଗିଥାଉ, ତଥାପି ସମ୍ବନ୍ଧଟିକୁ ଭାରି ଦରିଦ୍ର କରି ରଖିଥାଉ, ଆମ ସାହସର ମର୍ଯାଦାଟିକୁ ଭାରି ନିମ୍ନସ୍ତରୀୟ କରି ରଖିଥାଉ ଆପଣାକୁ ବଞ୍ଚିତ କରି ରଖିଥାଉ ।

 

୨୩ । ୮ । ୭୯

 

ଅନ୍ଧାକାରକୁ ବିକ୍ଷିପ୍ତ କରିଦେଇ ସେହି ଆଲୋକକୁ ତାକୁ ନିଜ ଭିତରେ କୁଆଡ଼େ ମିଳାଇ ଦିଏ । ଆଲୋକ ହେଉଛି ଯଥାର୍ଥ ବିଜେତା, କାରଣ ଆଲୋକ ଅନ୍ଧକାରକୁ ଭୟ କରେନାହିଁ-। ତାହା ଅନ୍ଧକାରର ଗର୍ଭ ଭିତରେ ପ୍ରବେଶ କରେ । ଗର୍ଭ ଭେଦ କରି ତାହା ଅନ୍ଧକାରକୁ ରୂପାନ୍ତରିତ କରେ । ଅନ୍ଧକାରକୁ ଆଲୋକରେ ପରିଣତ କରିଦିଏ । ଅନେକ ଦୁଃଖକୁ ତାହା ନୂତନ ଉତ୍ସାହ, ନୂତନ ଉଦ୍ୟମ ଏବଂ ନୂତନ ଆହ୍ଵାନରେ ପରିଣତ କରେ । ଅନେକ ଦୂରତାକୁ ଏକ ଅପୂର୍ବ ଆତ୍ମପ୍ରସାରଣ ଦ୍ଵାରା ନୈକଟ୍ୟରେ ପରିଣତ କରେ, ଅନେକ ଅପରିଚିତତାକୁ ଆତ୍ମୀୟତାରେ ପରିଣତ କରିଦିଏ । କଥାକଥିତ ଅନେକ ବିଫଳତାକୁ ସଫଳତାରେ ପରିଣତ କରେ, ଅନେକ ଅପୂର୍ଣ୍ଣତାକୁ ବି ଏକ ଉତ୍ତରୋତ୍ତର ପୂର୍ଣ୍ଣତା ମଧ୍ୟରେ ସାର୍ଥକ କରେ, ଧନ୍ୟ କରେ ।

 

ଏହାହିଁ ଯଥାର୍ଥ ବିଜୟ । ଏହି ବିଜୟଟିକୁ ଅନୁଭବ କରୁଥିବା ସଙ୍ଗେ ସଙ୍ଗେ ମୁଁ ଯେପରି କେଉଁଠି ଆଦୌ କିଛିହେଲେ ହରାଇ ଆସୁନାହିଁ ବା ହଜାଇ ଆସୁନାହିଁ । ମୋ’ର କେଉଁଠି କିଛିହେଲେ ବି ମୋଟେ ଖଣ୍ଡିଆ ରହି ଯାଉନାହିଁ,-କୌଣସିଠାରୁ ଆପଣାକୁ ବିଚ୍ଛିନ୍ନ କରି ଆଣିବାକୁ ଆଦୌ ପଡ଼ୁନାହିଁ । ତେଣୁ, ମୁକ୍ତିର ଆକାଶଟି ବଢ଼ିବା ସଙ୍ଗେ ସଙ୍ଗେ ଆତ୍ମୀୟତାର ବନ୍ଧନଟି ମଧ୍ୟ ବଢ଼ି ବଢ଼ି ଯାଉଛି । ସଂଚୟଗୁଡ଼ାକ ବଢ଼ିବା ସଙ୍ଗେ ସଙ୍ଗେ ବାଡ଼ଗୁଡ଼ାକ ବି ଭାଙ୍ଗି ଯିବାରେ ଲାଗିଛି । ଭଣ୍ଡାର ବଢ଼ିବା ସଙ୍ଗେ ସଙ୍ଗେ ଆପଣାକୁ ବିସ୍ତୃତ କରିଦେବାରେ, ଉନ୍ମୋଚିତ କରିଦେବାରେ ମିଳୁଥିବା ଆନନ୍ଦ ବି ବଢ଼ିବାରେ ଲାଗିଛି । ଅନେକ ସମ୍ପର୍କ ଏବଂ ଅନେକ ଶ୍ରଦ୍ଧାକୁ ସାଙ୍ଗରେ ବାନ୍ଧି ଏହି ଆନନ୍ଦଯାତ୍ରା ସତେ ଯେପରି ଅଧିକରୁ ଅଧିକ ଐଶ୍ଵର୍ଯ୍ୟମୟ ହେବାରେ ଲାଗିଛି । ଏହି ଜୀବନରେ ସେହି ବିଜୟୀର ହିଁ ଜୟ ହେଉ ସେହି ଆଲୋକର ହିଁ ଜୟ ହେଉ ।

 

୨୪ । ୮ । ୭୯

 

ତୁମେ ସେଠାରେ ଏଠାରେ ସବୁଠାରେ ବିରାଜିତ ହୋଇ ରହିଛି, ତେଣୁ ଏଠୁ ସେଠାଯାଏ ଏହି ସର୍ବତ୍ର ବ୍ୟାପି ଏତେ ପରିଷ୍କାର ହୋଇ ଦେଖାଯାଇ ପାରୁଛି । ମୁଁ ଯେଉଁ ଆଲୋକଟିକୁ ଦେଖୁଛି, ସେହି ଆଲୋକ ଏହି ଭିତରେ ମଧ୍ୟ ପ୍ରଜ୍ଜ୍ୱଳିତ ହୋଇ ରହିଛି । ମୋ’ର ଆଖି ଭିତରେ ସେହି ଆଲୋକଟି ସତେଅବା ଅଭୀପ୍‌ସାରୂପେ କାର୍ଯ୍ୟ କରୁଛି । କେଡ଼େ ଗର୍ବ ଓ ସରାଗରେ ମୁଁ ତାହାକୁ ମୋ’ ଅଭୀପ୍‌ସା ବୋଲି କହୁଛି, ମୋ’ସାଧନାର ଏକ ଅର୍ଜନ ବୋଲି କହୁଛି-। ତଦ୍ଦ୍ୱାରା କିଛି ଖରାପ ହେଉନାହିଁ, ସେପରି କରି ମଧ୍ୟ ଆଗକୁ ଯିବା ସମ୍ଭବ ହେଉଛି । କିନ୍ତୁ, ଆଲୋକର ପଥରେ ଏଠାରୁ ସେଠାଯାଏ ସବୁ ପରିଷ୍କାର ହୋଇ ଗଲାପରେ ମୁଁ ବେଶ୍ ଅନୁଭବ କରି ପାରୁଛି ଯେ, ଏଠି ଯାହା, ସେଠି ତାହାହିଁ ରହିଥିଲା ବୋଲି ଏହି ପଥଟି ଫିଟିଯାଇ ପାରିଲା, ଏହି ବାସନା ଓ ଏହି ଅନ୍ଵେଷଣ ସମ୍ଭବ ହୋଇ ପାରିଲା, ଏହି ପରିଚୟଟି ସମ୍ଭବ ହୋଇ ପାରିଲା । ସେତେବେଳେ ବାଟରେ ସାଧନା ମନେ ରହୁନାହିଁ, ଏପର୍ଯ୍ୟନ୍ତ ଆସିବାରେ ମୋ’ର କିଛି ବାହାଦୁରୀ ରହିଛି ବୋଲି ବି ମୋଟେ ଲାଗୁନାହିଁ । କେବଳ ଏକ ଅନିର୍ବଚନୀୟ ଅଭୂତପୂର୍ବ ଅନୁଭବ ମୋତେ ସତେଅବା କେଡ଼େ ବଡ଼ ମହିମାରେ ମହିମାନ୍ଵିତ କରିଦେଇ ଯାଉଥିଲେ ପରି ଲାଗୁଛି । ତାହାହିଁ ସିଦ୍ଧି । ଘରକୁ ଆସିବା ହେଉଛି ସିଦ୍ଧି, ଖିଅ ଲାଗାଇବା ହେଉଛି ସିଦ୍ଧି, ବାହାରେ ଛୁଇଁବାକୁ ମନ କରି ଭିତରେ ଛୁଇଁପାରିବା ହେଉଛି ସିଦ୍ଧି ।

 

ଯେଉଁ ଅଗ୍ନି ମୋତେ ଏହି ସମ୍ପଦଟି ଲାଗି ଯୋଗ୍ୟ କରିଛି, ମୁଁ ତାହାକୁ ବାହାରେ ଓ ଭିତରେ ସକଳ ଚିତ୍ତ ମଧ୍ୟରେ ଓ ସବୁରି ଆଖିରେ ପ୍ରତ୍ୟକ୍ଷ କରି ପାରୁଛି । ମୁଁ ସେହି ଅଗ୍ନିକୁ ନମସ୍କାର କରୁଛି ।

 

୨୫ । ୮ । ୭୯

 

ତାଙ୍କରିଠାରୁ ସକଳ ଶବ୍ଦର ଉତ୍ପତ୍ତି, ତାଙ୍କରି ଲାଗି ସକଳ ଶବ୍ଦ ଉଦ୍ଦିଷ୍ଟ । ତେଣୁ, ଆମର ଜୀବନରେ ଯେଉଁସବୁ ଶବ୍ଦ ଯଥାର୍ଥରେ ଉଚ୍ଚାରିତ ହୁଏ, ସେଗୁଡ଼ିକ ମଧ୍ୟ ତାଙ୍କରିଠାରୁ ପରିପ୍ରେରିତ ହୋଇ ଆସିଥାନ୍ତି । ଆମ ଭିତରେ ତାଙ୍କରି ଯେଉଁ ଅଂଶଟି ରହିଛି, ଆମର ଅସଲ ସାଥୀ ହୋଇ ରହିଛି, ଆମର ଯଥାର୍ଥ ଶବ୍ଦ ଗୁଡ଼ିକ ତାଙ୍କରିଠାରୁ ହିଁ ଉତ୍ସାରିତ ହୋଇ ଆସିଥାନ୍ତି ।

 

ତେଣୁ, ସେଇ ସକଳ ବିଶ୍ଵାସର ପରମସ୍ଥଳ, ସକଳ ବିଶ୍ଵାସର ଆଶ୍ରୟ ସେ । ଆମର ଯାବତୀୟ ଅବିଶ୍ଵାସ ତଥା ଅର୍ଦ୍ଧବିଶ୍ଵାସ ଯେତେବେଳେ ତାଙ୍କୁ ସ୍ପର୍ଶ କରିବାଲାଗି ସମର୍ଥ ହୁଏ, କେବଳ ସେତିକିବେଳେ ହିଁ ତାହା ଯଥାର୍ଥ ବିଶ୍ଵାସରେ ପରିଣତ ହୁଏ । ଆମ ଜୀବନର ପ୍ରକ୍ରିୟା ଗୁଡ଼ିକରେ ତାହା ସେତେବେଳେ ସତେଅବା ଏକ ରୂପାନ୍ତରକାରୀ ରସାୟନରେ ପରିଣତ ହୋଇଯାଏ । ଆମର ସବୁ ଜ୍ଞାନ ସେତେବେଳେ ଏକ ମୂଳଭୂତ ବିଶ୍ଵାସରେ ପରିଣତ ହୁଏ, ଆମର ବିଶ୍ଵାସ ଓ ଆମର ଜ୍ଞାନ ଭିତରେ ଆଉ କୌଣସି ଫରକ ରହେନାହିଁ, ଆମର ବିଶ୍ଵାସ ଏବଂ ଆମର ଜୀବନ ଭିତରେ କୌଣସି ଫରକ ରହେନାହିଁ । ଏଠା ଓ ସେଠା ଭିତରେ ବି କୌଣସି ଫରକ ରହେନାହିଁ । ହଁ, ବିଶ୍ଵାସ ଓ ଅବିଶ୍ଵାସ ଭିତରେ ବି କୌଣସି ଫରକ ରହେନାହିଁ । ସେତେବେଳେ ଅବିଶ୍ଵାସକୁ, ତଥାକଥିତ ଅବିଶ୍ଵାସକୁ ଛାଡ଼ି ତଥାକଥିତ ବିଶ୍ଵାସକୁ ମୋଟେ ଧରିବାକୁ ପଡ଼େ ନାହିଁ । ଏହିସବୁ ଯାବତୀୟ ଆର୍ତ୍ତତା କୁଆଡ଼େ ଦୂରୀଭୂତ ହୋଇଯାଏ । ଜୀବନର ଅନେକ ଉଦ୍‌ବେଗ ସେତେବେଳେ ଆପେ ଆପେ ଶାନ୍ତ ହୋଇଯାଏ, ଅନେକ ତଥାକଥିତ ଦୁଃଖ ସେତେବେଳେ ସତେଅବା ଏକ ପବିତ୍ରକାରୀ ଅଗ୍ନିରେ ପରିଣତ ହୁଏ,-ବିପଦମାନେ ସାଥୀରେ ପରିଣତ ହୁଅନ୍ତି, ସାହାଯ୍ୟକାରୀ ଅର୍ଥାତ୍ ବିମୋଚନକାରୀ ସାଥୀରେ ପରିଣତ ହୋଇଯାଆନ୍ତି ।

 

୨୬ । ୮ । ୭୯

 

ସେଇ ବନ୍ଧୁ, ସେଇ ସର୍ବଶ୍ରେଷ୍ଠ ବନ୍ଧୁ । ସେଠାରେ କିଛି ଲୁଚାଇ ରଖିବାକୁ ପଡ଼େନାହିଁ, ସେଠାରେ ଭଲ ଦିଶିବା ଲାଗି କୌଣସି ଚେଷ୍ଟା କରିବାକୁ ପଡ଼େନାହିଁ । ସେଠାରେ ସବୁକିଛି ସ୍ଵୀକୃତ ହୁଏ । ଅଗ୍ନି ଯେପରି ସବୁକିଛିକୁ ସ୍ଵୀକାର କରିନିଏ, ଠିକ୍ ସେହିପରି

 

ସେଇ ସ୍ଵୀକାର କରେ, ସେଇ ଭଲ ପାଏ, ଆଦ୍ୟରୁ ପ୍ରାନ୍ତଯାଏ ସେଇ ସବୁକିଛି ବୁଝେ । ଆମେ ଯେଉଁମାନେ ଭଲ ମନ୍ଦ ବାରୁ, ପୂର୍ଣ୍ଣ ଓ ଅପୂର୍ଣ୍ଣ ବାରୁ, ଏଇଟାକୁ ଦେଖିବୁ ବୋଲି ସେଇଟାକୁ ଦେଖିବୁ ନାହିଁ ବୋଲି ପଣ କରି ବାହାରିଥାଉ, ଆମେ କୋଉଠି କିଛିହେଲେ ବୁଝି ପାରୁନାହିଁ । ଆପଣାର ଯେଉଁ ଅହଙ୍କାରଟା ଲାଗି ଆମେ ଏସବୁ କରୁ, ଆମେ ସେହି ଅହଙ୍କାରକୁ ମଧ୍ୟ ବୁଝି ପାରୁନାହିଁ । ପୁଣି, ଜଣେ ଅହଙ୍କାର ଭଲ ବି କେତେବେଳେ ପାଇବା ? ଅହଙ୍କାରୀ ଭିତରେ ମୋଟେ କୌଣସି ଭଲ ପାଇବା ନଥାଏ । ହୁଏତ ଗୁଡ଼ାଏ ଭୟ ବା ଭୀରୁତା ହିଁ ରହିଥାଏ । ନାନା ଅଳ୍ପତାର ଗେଲବସର ପାଇ ସେହି ଭୀରୁତାଗୁଡ଼ାକ ସତେଅବା ଭାରି କର୍କଶ ଓ କଠିନ ହୋଇ ଯାଇଥାଏ । ସେହି କର୍କଶତାକୁ ଏକ ପ୍ରକାର ଦମ୍ଭ ଦ୍ଵାରା ସହଜ ପ୍ରବୃତ୍ତ ହୋଇ ଆମେ ଅନେକ ସମୟରେ ନୀତି ଅଥବା ନୈତିକତା ବୋଲି କହିଥାଉ । ସେହି ନୈତିକତା ନାମରେ ନାନା ରଙ୍ଗର ବାନା ଉଡ଼ାଇ ବାହାରୁ । ସେହି ବାନାକୁ ଅନେକ ସମୟରେ ଆମେ ଧର୍ମ ବୋଲି ବି କହୁ । ସେହି ଧର୍ମଭିତରେ କେତେ କେତେ ଦେବତାଙ୍କର ଥାପନା ବି କରି ବାହାରୁ । ସବୁ ହୁଏ, କିନ୍ତୁ ଭଲ ପାଇବା ହୁଏନାହିଁ । ପରମ ବନ୍ଧୁକୁ ବନ୍ଧୁ ବୋଲି ଚିହ୍ନିନେବା ମୋଟେ ସମ୍ଭବ ହୋଇ ପାରେନାହିଁ ।

 

୨୭ । ୮ । ୭୯

 

ଆମର ସର୍ବୋଚ୍ଚ ଅର୍ଥାତ୍ ସର୍ବୋତ୍ତମ ଇଚ୍ଛାର ଅଭିବ୍ୟକ୍ତି ହେଉଛି ଆମର ଜୀବନ ମଧ୍ୟଦେଇ ତାଙ୍କରି ଅଭିବ୍ୟକ୍ତି । ସିଏ ଯେ ଭିତରେ ରହିଛନ୍ତି, ଅସଲ ଭିତରେ ଯେ କେବଳ ସେଇ ଅଛନ୍ତି, ସେହି କଥାଟିକୁ ଅନୁଭବ କରିବାକୁ ମଧ୍ୟ ଇଚ୍ଛାଟିଏ କରିବାକୁ ପଡ଼େ । ଜାଣିଲେ ହୁଏନାହିଁ, ଅନୁଭବ କରିବାକୁ ପଡ଼େ । ଆମେ ତ କିଏ କେତେ କଥା ଜାଣିଥାଉ, କିନ୍ତୁ ସେତିକିରେ ଅନୁଭବ ସମ୍ଭବ ହୁଏନାହିଁ । ଅନୁଭବ ସକାଶେ ଅନୁରାଗରେ ଭାଜନ ହେବାକୁ ହୁଏ । ଅନୁରାଗ ଲାଗି ଆପଣାର ଭିତରେ ଭିତର ଯାଏ ପାରିବାକୁ ହୁଏ-, ଏଠୁ ସେଠାକୁ ପଡ଼ିଥିବା ସେହି ସେତୁଟିକୁ ଆବିଷ୍କାର କରିବାକୁ ହୁଏ ।

 

ଆମର ସର୍ବୋତ୍ତମ ଇଚ୍ଛା ହେଉଛି ତାଙ୍କରି ଇଚ୍ଛା । ତେଣୁ, ଅନେକ ସମୟରେ ଆପଣା ଭିତରକୁ ଅବୁରାଗ ସହିତ ଗତି କରି କରି ଯାଉଥିଲେ ଶେଷରେ ତାଙ୍କରି ସହିତ ଭେଟ ହୁଏ, ତାଙ୍କରି ଇଚ୍ଛାକୁ ଜାଣିହୁଏ, ତାଙ୍କରି ଇଚ୍ଛାଲାଗି ବଞ୍ଚିହୁଏ । ସେତେବେଳେ ଜୀବନର ସାଧନାରେ ଏକ ଗୁଣାତ୍ମକ ପରିବର୍ତ୍ତନ ଘଟେ । ବାହାରେ ଯେଉଁ ବୃହତ୍ ଜୀବନ ଏବଂ ବୃହତ୍ ସଂସାର ପଡ଼ିରହିଛି, ତାହାକୁ ଆପଣାର ବୋଲି ଆବିଷ୍କାର କରୁ କରୁ ହୁଏତ ସେଇଥିଲାଗି ହିଁ ଭିତରକୁ ବାଟ ଦିଶିଯାଏ । ଜଗତର ଇଚ୍ଛା ଜଗତ ମଧ୍ୟଦେଇ ତାଙ୍କରି ଇଚ୍ଛା ଓ ଆପଣାର ତଥାକଥିତ ଇଚ୍ଛା ମଧ୍ୟରେ ସେତେବେଳେ ଆଉ କୌଣସି ଅନ୍ତର ରହେନାହିଁ । ସେତେବେଳେ ସମର୍ପଣ ଆଉ ଶାସ୍ତ୍ରର ଏକ କଥା ହୋଇ ରହେନାହିଁ, ତାହା ସ୍ଵଭାବରେ ପରିଣତ ହୋଇଯାଏ ।

 

୨୮ । ୮ । ୭୯

 

ଆଉ କେଉଁଠାରେ ହେଲେ ନୁହେଁ, କେବଳ ତୁମରି ମଧ୍ୟରେ । ଆଉ ଯେ କୌଣସିଠାରେ ମଧ୍ୟ ମୁଁ କେବଳ ତୁମକୁ ହିଁ ଦେଖିବି । ତୁମକୁ ହିଁ ଖୋଜିବି, ତୁମେ ପ୍ରଚ୍ଛନ୍ନ ହୋଇ ରହିଛ ବୋଲି ଅନୁଭବ କରି ପାରୁଥିବି, ତୁମକୁ ଆବିଷ୍କାର କରି ପାରୁଥିବି, ତୁମକୁ ଦେଖି ପାରୁଥିବି-

 

ତୁମରି ଭିତରୁ ମୁଁ ସକଳ ପ୍ରଶ୍ନର ଊତ୍ତର ଖୋଜି ବାହାରିବି । ତୁମକୁ ବୁଝି ମୁଁ ସଂସାରକୁ ବୁଝିବି, ଜୀବନକୁ ବୁଝିବି ଆପଣାକୁ ବୁଝିବି । ଆପଣାର ଯାବତୀୟ ବୁଝିବା ମୋତେ ଯେପରି ତୁମରି ଅଧିକରୁ ଅଧିକ ନିକଟବର୍ତ୍ତୀ କରି ଆଣୁଥିବ, ମୋ’ ଜୀବନରେ ତାହାହିଁ ସର୍ବଶ୍ରେଷ୍ଠ ଶ୍ରଦ୍ଧା ହୋଇ ରହିଥିବ । ସମଗ୍ରକୁ ଛାଡ଼ି ସଂସାରରେ ଆଉ ଯେତେ ଯାହା ବୁଝିବା ରହିଛି, ମୁଁ ସେସବୁ ତଥାକଥିତ ପ୍ରତ୍ୟୟକୁ କେବଳ ଖଣ୍ଡପ୍ରତ୍ୟୟ ବୋଲି ଜାଣିବାକୁ ସମର୍ଥ ହେବି । ଅଧିକରୁ ଅଧିକ ସମଗ୍ର କରି ବୁଝିବା । ଆପଣାର ବୋଧପରିଧିଟିକୁ ଅଧିକରୁ ଅଧିକ ସଂପ୍ରସାରିତ କରି ପାରୁଥିବା, ତାହାହିଁ ଅନୁରାଗ, ତାହାହିଁ ଭଲ ପାଇବା । ଭଲ ପାଇବା ନାଆଁରେ ଯେଉଁମାନେ କବାଟଗୁଡ଼ାକୁ କିଳି ଆଣନ୍ତି, କାନ୍ଥଗୁଡ଼ାକ ଭିତରେ ପ୍ରାୟ ତୀବ୍ର ଏବଂ ତିକ୍ତ ହୋଇ ବସିଥାନ୍ତି, ଭଲ ପାଇବା ନାମରେ ପୁଳାଏ ଘୃଣାକୁ ହିଁ ଆବୋରି ରହିଥାନ୍ତି, ମୁଁ ସେମାନଙ୍କୁ ମୋଟେ ବୁଝି ପାରେନାହିଁ । ସେମାନଙ୍କୁ ମୋ’ର କଳ ପାଏନାହିଁ । ତେଣୁ, ମୋର ସକଳ ଭଲ ପାଇବା ସର୍ବଦା ଅଧିକରୁ ଅଧିକ ସଂପ୍ରସାରିତ ହୋଇ ପାରିବାର ଅଭିଳାଷ ରଖିଥାଏ । ସମଗ୍ର ଆକାଶଟିକୁ ଛୁଇଁ ପାରିବାର ବାସନା ରଖିଥାଏ ।

 

୨୯ । ୮ । ୭୯

 

ଏକଥାଟିକୁ ଯିଏ କହେ, ସିଏ କହିବାକୁ ବେଳ ପାଏ କେତେବେଳେ ? ଏବଂ, ଯିଏ କହିବାକୁ ପ୍ରକୃତରେ ବେଳ ପାଏ, ସିଏ ଏକଥା ଅନୁଭବ କରିପାରେ କେତେବେଳେ ?

 

ସିଏ ପ୍ରତ୍ୟେକ ମୁହୂର୍ତ୍ତରେ ହିଁ ପ୍ରସ୍ତୁତ । ସମ୍ଭବତଃ ସେହି କାରଣରୁ ମୁଁ ମଧ୍ୟ ସକଳ ମୁହୂର୍ତ୍ତରେ ପ୍ରସ୍ତୁତ । ସିଏ ମୋତେ ଗୋଟାଏ ମୁହୂର୍ତ୍ତ ସକାଶେ ମଧ୍ୟ କୁଆଡ଼େ ଛାଡ଼ି ଯାଇ ପାରିବେନାହିଁ । ସମ୍ଭବତଃ ସେଇଥି ସକାଶେ ହିଁ ମୁଁ ମଧ୍ୟ ଏଠି କୌଣସି ଗୋଟିଏ ଜିନିଷକୁ ବି ଛାଡ଼ିକରି ଆଉ କୁଆଡ଼େ ଯାଇ ପାରୁନାହିଁ । ସିଏ ପ୍ରତ୍ୟେକ ମୁହୂର୍ତ୍ତରେ ସବୁକିଛି ସହିତ ସଂଲଗ୍ନ ହୋଇ ରହିଛନ୍ତି, ସବୁକିଛିକୁ ସଂଲଗ୍ନ କରି ରଖିଛନ୍ତି । ସମ୍ଭବତଃ ସେହି ସକାଶେ ମୁଁ ମଧ୍ୟ ଏଠି ଓ ସବୁଠି ଏପରି ସବୁଟି ସହିତ ସଂଲଗ୍ନ ହୋଇ ରହିଛି । ଏଠି କିଛି ମାୟା ବୋଲି ଲାଗୁନାହିଁ, ବାଟଟା ଖାଲି ପ୍ରବେଶଦ୍ଵାରା ପରି ଲାଗୁଛି, ଜୀବନଟା ଖାଲି ସଂଲଗ୍ନ ହେବାରେ ଲାଗିଥିବା ଏକ ସମଗ୍ର ଅଭିଭୂତି ପରି ଲାଗୁଛି । ଦୁଃଖଗୁଡ଼ାକ ସତେଅବା କାହାର ସ୍ପର୍ଶରେ ହାଲୁକା ହୋଇଯାଉଛି, ସତେଅବା ମୋ’ ଭିତରେ ବସିଥିବା କେଉଁ ଚରଣାଶ୍ରୟୀର ପ୍ରାର୍ଥନା ପରି ମନେ ହେଉଛି । ସୁଖଗୁଡ଼ାକ ବନ୍ଧୁସଙ୍ଖୋଳା ପରି ଲାଗୁଛି । ସଂସାରଟା ସତେଅବା ଏକ ଉତ୍ସବ ପରି ମନେହେଉଛି-। ଜୀବନ ସହିତ ନିତ୍ୟପରିଚୟ ଗୋଟିଏ ଗୋଟିଏ ଉପଲବ୍‌ଧି ପରି ଲାଗୁଛି । ଏଭଳି ଏକ ସ୍ଥିତିରେ ଛାଡ଼ିଯିବାର ପ୍ରଶ୍ନ ଉଠୁଛି କୁଆଡ଼େ ? ସିଏ ମୋ’ରି ପାଖରେ ଉନ୍ନିଦ୍ର ହୋଇ ବସି ନଥିବାର ପ୍ରଶ୍ନ ବା କେଉଁଠି ଉଠୁଛି ? ଭିତରେ ମୁଁ ଏହି କଥାଟିକୁ ସ୍ଵାଭାବିକ ଭାବରେ ଅନୁଭବ କରି ପାରୁଛି ବୋଲି ସିନା ଶାସ୍ତ୍ରଗୁଡ଼ାକୁ ବୁଝି ପାରୁଛି, ଏବଂ, ସଙ୍କେତଗୁଡ଼ାକୁ ବି ବୁଝି ପାରୁଛି !

 

୩୦ । ୮ । ୭୯

 

ପୂର୍ଣ୍ଣ ବିଶ୍ଵାସରୁ ଏକ ଆନନ୍ଦ ଆସେ । ପୂର୍ଣ୍ଣ ବିଶ୍ଵାସରୁ ଏକ ଅନ୍ତର୍ଗତ ନିର୍ଭୟତା ଅର୍ଥାତ୍ ଭୟମୁକ୍ତତାର ଜନ୍ମ ହୋଇଥାଏ ଏବଂ ସେହି ଭୟମୁକ୍ତତା ହିଁ ଆନନ୍ଦଟିର କାରଣ ହୋଇଥାଏ । ସମ୍ପୂର୍ଣ୍ଣ ଭାବରେ ଭଗବାନଙ୍କର ଏହି ସଂସାର ଭିତରେ ଉନ୍ମୋଚିତ ହେବା ଲାଗି ଅପେକ୍ଷା କରି ରହିଥିବା ଭଲଟି ସହିତ ଏକାତ୍ମିକ ହୋଇ ପାରିଲେ ଯାଇ ମଣିଷ ନିର୍ଭୟ ହୁଏ, ମଣିଷ ଅବିଶ୍ଵାସକୁ ଛାଡ଼ି, ନିଜ ଜୀବନରେ ମୂଳତଃ ବିଶ୍ଵାସକୁ ହିଁ ଅନୁଭବ କରିଥାଏ । ବିଶ୍ଵାସ ହିଁ ତା’ ଜୀବନର ଏକ ମୂଳଭୂତ ଦୃଷ୍ଟି ଓ ମୂଳଭୂତ ଶୈଳୀରେ ପରିଣତ ହୋଇଯାଏ । ତା’ପରେ ଆଉ ବିପଦକୁ ଡର ମାଡ଼େନାହିଁ, ତା’ପରେ ଅବିଶ୍ଵାସୀ ମଣିଷମାନଙ୍କୁ ମଧ୍ୟ ଆଉ ମୋଟେ ଡର ମାଡ଼େନାହିଁ । ଏକାତ୍ମକତା ହିଁ ଭୟମୁକ୍ତତାର ଜନନୀ, ତେଣୁ, ଜୀବନରେ ଲାଭ କରା ଯାଉଥିବା ସକଳ ଯଥାର୍ଥ ଆନନ୍ଦର ମଧ୍ୟ ଜନନୀ ।

 

ସେହି ଭୟମୁକ୍ତତାରୁ ସମର୍ପଣ ଜାତ ହୁଏ । ଅନେକ ମଣିଷ ସଂସାରକୁ ଭୟ କରି ଭଗବାନଙ୍କ ପାଖରେ ନେଇ ନିଜକୁ ସମର୍ପିତ କରିଥାନ୍ତି । ମଣିଷଙ୍କୁ ଭୟ କରି ଈଶ୍ଵରଙ୍କ ପାଖକୁ ଦଉଡ଼ି ପଳାଇ ଥାଆନ୍ତି । ଏଭଳି ମଣିଷମାନେ ପ୍ରକୃତ ଅର୍ଥରେ ଏକାତ୍ମକ ହୋଇ ପାରିନଥାନ୍ତି । ଏମାନେ ଧର୍ମକୁ ବାକ୍ୟ ଓ ବୋଲଗୁଡ଼ାଏ ପରି ଗ୍ରହଣ କରିଥାନ୍ତି । ଏବଂ, ସେଇଥିଲାଗି ଭୟ କରୁଥାନ୍ତି । ଏମାନେ ଆନନ୍ଦର ଭାଜନ ହୋଇ ପାରନ୍ତି ନାହିଁ, ଯଥାର୍ଥ ସମର୍ପଣର ବି ଭାଜନ ହୋଇ ପାରନ୍ତିନାହିଁ ।

 

୩୧ । ୮ । ୭୯

 

ଠିକ୍ ଗୋଟିଏ ଶିଶୁ ପରି,-ଖୁସୀ, ସହଜ ଓ ସମର୍ପିତ । ଶିଶୁ ଆଗ ଆପଣାର କରିନିଏ; ଆଗ ଆପଣାକୁ ନିକଟବର୍ତ୍ତୀ କରିଆଣେ । ଶିଶୁ ଏହି ସଂସାରକୁ ଆପଣାର ଘର ବୋଲି ସ୍ଵୀକାର କରିନିଏ, ଏହି ଆକାଶକୁ ହିଁ ଆପଣାର ଘର ବୋଲି ସ୍ଵୀକାର କରି ନେଇଥାଏ ।

 

ମୋ’ ଭିତରେ କେଉଠି ଏକ ଶିଶୁ ଏହିପରି ମୋତେ ବୁଢ଼ା ହେବାର ମହତୀ ବିନଷ୍ଟିରୁ ରକ୍ଷାକରି ଆସିଛି । ଏହି ଶିଶୁ ଖିଅ ଲଗାଇ ରଖି ପାରିଛି । ଏହି ଶିଶୁର ସହଜ ସ୍ପର୍ଶରେ ମୋ’ର ଆପଣାକୃତ ଅନେକ ବ୍ୟାଧି ସତେଅବା କେଡ଼େ ସହଜରେ କୁଆଡ଼େ ଅନ୍ତର୍ହିତ ହୋଇଯାଇଛି । ଏହି ଶିଶୁ ମୋ’ ଭିତରେ ରହି କେତେ କାନ୍ଦିଛି । ଭିତରେ ରହିଥିବା ମୋ’ର ଦୁର୍ଗ ଓ ବାଡ଼ଗୁଡ଼ାକ ସକାଶେ ସିଏ କେତେ କାନ୍ଦିଛି । କେତେ ବାଡ଼ ଭାଙ୍ଗିଛି, କେତେଦୁର୍ଗକୁ ଅସ୍ଵୀକାର କରିଛି । ଭିତରେ ସେହି ଶିଶୁଟିକୁ ହିଁ ସବାଆଗ ସ୍ଵୀକାର କରି ପାରୁଥିବା ପର୍ଯ୍ୟନ୍ତ ମୁଁ ଆପଣାର ଅନେକ କୃପଣତାକୁ ଭୟ କରି ପାରିଛି, ଭଗବାନ୍ ମୋତେ ଅତି ଆପଣାର ବୋଲି ଅନୁଭବ ହୋଇଛନ୍ତି, ଅତି ପାଖରେ ବୋଲି ଅନୁଭବ ହୋଇଛନ୍ତି । ସେହି ଅନୁଭୂତି ମୋ’ର ଯାବତୀୟ ଆସ୍ପୃହାକୁ ସାର୍ଥକ କରିଛି । ମୋର ଯାବତୀୟ ବାଟ ଚାଲିବାକୁ ସତେଅବା ଏକ ଆନନ୍ଦମୟ ଚାଲିବାରେ ପରିଣତ କରି ରଖିଛି-। ଆପଣା ଭିତରେ ଏହି ଶିଶୁଟିକୁ ଚିହ୍ନିବା, –ତାହାହିଁ ସତେ ଯେପରି ସବୁଠାରୁ ବଡ଼ ଆଧ୍ୟାତ୍ମିକତା ବୋଲି ମନେ ହୋଇଛି ।

 

୧ । ୯ । ୭୯

 

ସତ୍ୟର ହିଁ ଅନୁସରଣ କରିବା, ସତ୍ୟର ହିଁ ଅନୁଶୀଳନ କରିବା । ସତ୍ୟରେ ଶ୍ରଦ୍ଧା ରଖିବା, ସତ୍ୟଲାଗି ଅନୁରାଗ ରଖିବା । ସତ୍ୟ ମଧ୍ୟକୁ ଆପଣାକୁ ପ୍ରେରିତ କରିନେବା । ଏହି ଜୀବନରେ ଓ ଜଗତରେ ସତ୍ୟର ପୂର୍ଣ୍ଣତର ପ୍ରତିଷ୍ଠା ଲାଗି ଆମେ ନିଜକୁ ଅଧିକ ଯୋଗ୍ୟ କରିଥିବାରେ ଲଗିଥିବା । ଆମେ ଜଗତ ଭିତରେ ସତ୍ୟକୁ ଦେଖିବା, ମନୁଷ୍ୟ ଭିତରେ ସତ୍ୟକୁ ଦେଖିବା । ଭବିଷ୍ୟ ମଧ୍ୟରେ ସତ୍ୟକୁ ଆଘ୍ରାଣ କରିବାକୁ ସମର୍ଥ ହେବା । ଏହି ସବୁକିଛି ଆପାତ ଅନ୍ଧକାରର ଗର୍ଭମଧ୍ୟରେ ସତ୍ୟକୁ ଅନୁଭବ ଏବଂ ଆବିଷ୍କାର କରିପାରିବା । ନାନା କାରଣରୁ ଯେଉଁଗୁଡ଼ାକୁ ମନ୍ଦ ଏବଂ ଅନିଷ୍ଟଜନକ ବୋଲି କହି ଆମଠାରୁ ନୀତିବାଦୀମାନଙ୍କ ଦ୍ଵାରା ଅନ୍ତରାଳ କରି ରଖାଯାଇଛି, ଆମେ ସେଗୁଡ଼ିକ ଭିତରେ ମଧ୍ୟ ସତ୍ୟର ଆବିଷ୍କାର ଓ ଅନୁଭବ କରି ଶିଖିବା ।

 

ସେହି ସତ୍ୟ ହେଉଛି ଏକ ପ୍ରତିଶ୍ରୁତି । ନିଜ ପାଖରେ ନିଜର ଏକ ପ୍ରତିଶ୍ରୁତି । ଜଗତ ମଧ୍ୟରେ ପରମେଶ୍ଵରଙ୍କର ଏକ ପ୍ରତିଶ୍ରୁତି । ସମଷ୍ଟି ପାଖରେ ପ୍ରତ୍ୟେକ ବ୍ୟକ୍ତିର ଏକ ପ୍ରତିଶ୍ରୁତି । ମୁଁ ସେହି ପ୍ରତିଶ୍ରୁତିର ଭାଜନ ହେବି । ଅର୍ଥାତ୍ ଏକ ଅନନ୍ତ ପଥରେ ବିଶ୍ଵାସ ରଖିବି, ଅଖଣ୍ଡ ଅତିକ୍ରମଣରେ ବିଶ୍ଵାସ ରଖିବି । ସୋପାନ ପରେ ସୋପାନ ଅତିକ୍ରାନ୍ତ ହୋଇଯାଇ ପାରିବ ବୋଲି ବିଶ୍ଵାସ ରଖିବି । ମୋ’ରି ଭିତରେ ମୁଁ ସେହି ସୋପାନଗୁଡ଼ିକୁ ପ୍ରତ୍ୟକ୍ଷ କରି ପାରୁଥିବି । ଶ୍ରଦ୍ଧା ସହିତ ପ୍ରତ୍ୟକ୍ଷ କରି ପାରୁଥିବି । ପୃଥିବୀର ଯାବତୀୟ ମନ୍ଦିର ଭିତରେ ମୁଁ ଏହି ସୋପାନଗୁଡ଼ିକୁ ପ୍ରତ୍ୟକ୍ଷ କରି ପାରୁଥିବି ।

 

୨ । ୯ । ୭୯

 

ସିଏ ବାହାରୁ ଆଉ କୁଆଡ଼ୁ ଆସି ଏହି ଜୀବନରେ ନିଜକୁ ବ୍ୟକ୍ତି କରିବେ ନାହିଁ । ସିଏ ଏଇଠି ଥିବେ, ଏହିଠାରେ ହିଁ ପ୍ରକାଶିତ ହେବେ । ଆମର ଅନୁରାଗ ଦ୍ଵାରା ହିଁ ପ୍ରକାଶିତ ହେବେ । ଅନୁରାଗକୁ ଯଦି ଏକ ସାଧନା ବୋଲି କୁହାଯାଏ, ତେବେ ସିଏ ସାଧନାଦ୍ଵାରା ହିଁ ପ୍ରକାଶିତ ହେବେ-। ଅନୁରାଗ ଦ୍ଵାରା ବାଡ଼ ଭାଙ୍ଗିଯିବ । ବାଡ଼ ଭାଙ୍ଗିଲେ ଯେ ଅନୁରାଗ ଆପେ ଆପେ ସମ୍ଭବ ହେବ, ସେକଥାଟି ହୁଏତ ସବୁବେଳେ ସମ୍ଭବ ହୋଇ ନପାରେ । ଗୋଟିଏ ବାଡ଼କୁ ଭାଙ୍ଗୁ ଭାଙ୍ଗୁ ଅବାଡ଼ ନାମରେ ଆହୁରି କେତେକେତେ ବାଡ଼ ଆସି ଘେରି ଯିବାକୁ ଆରମ୍ଭ କରିବେ । ଅଦୃଶ୍ୟ ବାଡ଼ଗୁଡ଼ାକ କ୍ରମେ ଦୃଶ୍ୟ ହେବାକୁ ଆରମ୍ଭ କରିବେ । ଦୃଶ୍ୟ ହେବାଦ୍ଵାରା ହିଁ ହୁଏତ ଭଲ ବି ଲାଗିବେ । ସୂକ୍ଷ୍ମଗୁଡ଼ାକ ଚାହୁଁ ଚାହୁଁ ସ୍ଥୂଳ ହେବାକୁ ମନ କରିବେ ଏବଂ ପ୍ରାୟ ଚାହୁଁ ଚାହୁଁ ଗିଳି ପକାଇବେ । ପ୍ରେରଣାମାନେ ଧ୍ଵଜା ହୋଇ ଉଡ଼ିବେ । ଯାହାକୁ ଆମେ ସତ୍ୟଚେତନାର ମୂର୍ତ୍ତିମନ୍ତ ରୂପ ବୋଲି ସେତେବେଳେ ପୂଜା କରିବାକୁ ଲାଗିଥିବୁ, ସେଇଟା ମଧ୍ୟ ପ୍ରାୟ ଏକ ବାଡ଼ ହୋଇ ଆମକୁ ଘେର କରି ରଖିଥିବ । ଅତୀତଟା ସହିତ ପ୍ରାୟ ଏକ ନାହି ହୋଇ ଲାଗି ରହିଥିବ ।

 

ଅନୁରାଗ ହେଲେ ଅହଂ ଯାଏ । ଅହଂବୋଧ ରହିଥାଏ, ମାତ୍ର ଅହଂ ଯାଏ, ଅହଂର ସ୍ଥୂଳତାଗୁଡ଼ାକ ଅପସରି ଯାଏ । ସେତେବେଳେ ସଂପ୍ରସାରିତ ହୋଇ ପାରିବାର ବିଦ୍ୟାଟି ଭାରି ସ୍ଵାଭାବିକ ଶିଖି ହୋଇଯାଏ । ଅନୁରାଗ ହିଁ ଏହି ସଂପ୍ରସାରଣର ଜନକରୂପେ କାର୍ଯ୍ୟ କରେ । ସୋପାନଟି ଉଠି ହୋଇଯାଏ । ସେଇ ଭିତରେ ଥାଇ ରଜ୍ଜୁ ଧରନ୍ତି, ଅର୍ଥାତ୍ ବାଟ ଛାଡ଼ି ଦିଅନ୍ତି । ସେହି ଅନ୍ତରବସ୍ଥିତିର ବିଶ୍ଵାସ ଏକ ଜୀବନ ବିଶ୍ଵାସରେ ହିଁ ପରିଣତ ହୁଏ । ବିଶ୍ଵାସ ହିଁ ସବୁକିଛିକୁ ସେତୁ ପରି କାର୍ଯ୍ୟ କରେ ।

 

୩ । ୯ । ୭୯

 

ମିଥ୍ୟାର ଶାସନ, ଅର୍ଥାତ୍ ଆମ ସମସ୍ତଙ୍କ ଭିତରେ ରହିଥିବା ମିଥ୍ୟାର ଶାସନ, ଆମେ ସମସ୍ତ ମିଥ୍ୟା ସହିତ କରୁଥିବା ସହଯୋଗର ଶାସନ,-ଏସବୁର ଅବସାନର ବେଳ ଆସି ପହଞ୍ଚି ଗଲାଣି । ଏହି ଅବସାନ ଯେ ପ୍ରକୃତରେ ଅତ୍ୟନ୍ତ ଆସନ୍ନ, ସତ୍ୟ ଉପରେ ନିର୍ଭର କରି ବାଟ ଚାଲୁଥିବା ବ୍ୟକ୍ତିମାନଙ୍କୁ ଏହିପରି ଏକ ଦୃଢ଼ ବିଶ୍ଵାସ ସହିତ ଆଗକୁ ଯିବାକୁ ପଡ଼ିବ । ଏପର୍ଯ୍ୟନ୍ତ ଆମ ଅନେକଙ୍କର ମିଥ୍ୟା ଉପରେ ନାନା ପ୍ରତ୍ୟୟ ଓ ବିଶ୍ଵାସ ରହି ଆସିଥିଲା । ଆମ ରାଜନୀତିରେ ମିଥ୍ୟା ରହିଥିଲା, ଆମର ଶିକ୍ଷାରେ ମିଥ୍ୟା ରହିଥିଲା, ଆମର ନାନାବିଧ ଧାର୍ମିକତା ଓ ନୈତିକତା ମଧ୍ୟରେ ବି ମିଥ୍ୟା ରହିଥିଲା । ତାହାର ଅର୍ଥ ହେଉଛି ଯେ, ଆମେ ସମସ୍ତ ମିଥ୍ୟା ଉପରେ ତଥାପି ବିଶ୍ଵାସ ରଖିଥିଲୁ, ମିଥ୍ୟାଦ୍ଵାରା ଅର୍ଥାତ୍ ମିଥ୍ୟାର ବୁଦ୍ଧିଯୁକ୍ତ ପ୍ରୟୋଗ ଦ୍ଵାରା ସତ୍ୟର ତଥାପି ଯେ କିଛି ସେବା କରାଯାଇ ପାରିବ, ସତ୍ୟକୁ ଆଗେଇ ନିଆଯାଇ ପାରିବ, ଆମେ ଅନେକେ ଏପରି ବିଶ୍ଵାସ ମଧ୍ୟ କରୁଥିଲୁ ।

 

ଆଜି ଆମେ ସେହି ବିଶ୍ଵାସକୁ ସଂପୂର୍ଣ୍ଣ ଭାବରେ ପରିତ୍ୟାଗ କରି ଆସିବା । ତେବେଯାଇ ମିଥ୍ୟାର ଅବସାନ ଘଟିବାର ବେଳ ଆସନ୍ନ ହୋଇ ଆସିଲା ବୋଲି ଆମ ଭିତରେ ଏକ ବଳିଷ୍ଠ ବିଶ୍ଵାସ ଆସିବ ଏବଂ ତା’ପରେ ଆମେ ସତ୍ୟର ମାର୍ଗ ଧରିପାରିବା । ସତ୍ୟରେ ହିଁ ମୁକ୍ତି ନିହିତ ହୋଇ ରହିଛି, ଏହାକୁ ଆମେ ଅନେକ ଦିନ ହେଲା ଏକ ଧର୍ମବାକ୍ୟ ରୂପେ ସ୍ଵୀକାର କରି ଆସିଛୁ । ତଦ୍ଦ୍ୱାରା ଆମର ବା ସଂସାରର କୌଣସି ଲାଭ ହୋଇନାହିଁ । ଏଥର ତାହାକୁ ଏକ ଜୀବନବାକ୍ୟ ଅର୍ଥାତ୍ ଏକ ଆବଶ୍ୟକତା ରୂପେ ଗ୍ରହଣ କରିନେବାକୁ ପଡ଼ିବ ।

 

୪ । ୯ । ୭୯

 

କାରଣ ସେ ବାହାରର ପରିସ୍ଥିତି ଭିତରେ ବି ସତ୍ୟକୁ ଅନୁଭବ କରିପାରେ । ଅନ୍ଧାରର ଗର୍ଭରେ ଆଲୋକକୁ ଅନୁଭବ କରିପାରେ । ଅସତ୍ୟ ଭିତରେ ସତ୍ୟ ହିଁ ଅପେକ୍ଷା କରି ରହିଥିବାର ଅନୁଭବ କରିପାରେ । ସିଏ ଅସତ୍ୟଟାକୁ ସେହି ଅପେକ୍ଷା ଦ୍ଵାରା ବିଚାର କରେ । ଅସତ୍ୟର ଗର୍ଭ ଭେଦ କରେ । ଅସତ୍ୟର ବହିରାବରଣଟିକୁ ଫଟାଇ ସେ ଭିତରକୁ ଯାଏ । ସେହି ଭିତରୁ ହୁଏତ ସେ ବାହାରଟିକୁ ଦେଖେ । ଏବଂ, ଭିତରୁ ଦେଖେ ବୋଲି ବାହାରଟା ତାକୁ ଆଦୌ ବ୍ୟସ୍ତ ବିଚଳିତ କରିଦେଇ ପାରେନାହିଁ । ବର୍ତ୍ତମାନ ଭିତରେ ସେ ଭବିଷ୍ୟତକୁ ପ୍ରତ୍ୟକ୍ଷ କରେ, ବହିରାବରଣ ଭିତରେ ଅନ୍ତରଟିକୁ ପ୍ରତ୍ୟକ୍ଷ କରେ । ଯାହା ଉପରକୁ ଏତେବେଶୀ ବିକ୍ଷୁବ୍‌ଧ ହୋଇ ରହିଥିଲା ପରି ମନେ ହେଉଥାଏ, ତାହା ଭିତରେ ସେ ସମ୍ଭାବ୍ୟକୁ ପ୍ରତ୍ୟକ୍ଷ କରେ ।

 

ହଁ, ଆପଣା ଭିତରେ ମଧ୍ୟ ସେ ସେହି ସମ୍ଭାବ୍ୟଟିକୁ ଅନୁଭବ କରିବାକୁ ସମର୍ଥ ହୋଇଥାଏ । ଆପଣା ଭିତରେ ସତେଅବା ସେହି ସତତ ଶିଶୁଟିକୁ ଅନୁଭବ କରୁଥାଏ । ତା’ରି ଭିତରେ ଯେଉଁ ସତ୍ୟ ତାକୁ ଜଳଜଳ ହୋଇ ଦେଖା ଯାଉଥାଏ ଏବଂ ଯାହାକୁ ଆପଣାର ସର୍ବୋତ୍ତମ ନିର୍ଭରରେ ପରିଣତ କରି ସେ ଜୀବନ ବଞ୍ଚୁଥାଏ, ସିଏ ତାହାକୁ ହିଁ ଅନୁଭବ ଅକରୁଥାଏ-। ଅନ୍ୟମାନେ ଭାବନ୍ତି, ବାହାରେ ସବୁକିଛି ଠିକ୍ ହୋଇଗଲେ ଯାଇ ଭିତରଟିକୁ ଅନୁଭବ କରିବା ସମ୍ଭବ ହେବ । ସେମାନେ ବାହାରଟାକୁ ନେଇ ଏପରି ବ୍ୟସ୍ତ ହୋଇ ରହିଥାନ୍ତି ଯେ, ଭିତରଟାକୁ ଅନାଇବା ଲାଗି ଯେଉଁ ବେଳଟି ଦରକାର, ସେମାନଙ୍କ ପାଖରେ ହୁଏତ ସେହି ବେଳ ବି ନଥାଏ । ସେମାନେ ସତ୍ୟକୁ ପାଇବା ନାଆଁରେ ଅସତ୍ୟ ଭିତରେ ଗୁରାଇ ତୁରାଇ ହୋଇ ରହିଥାନ୍ତି । ହୁଏତ ଅନେକ ସମୟରେ ସତ୍ୟକୁ ଅସତ୍ୟ ଭିତରକୁ ଟାଣି ସବୁକିଛିକୁ ଭାରି ଗୋଳମାଳିଆ କରି ଦେଉଥାନ୍ତି ।

 

୫ । ୯ । ୭୯

 

ଜୀବନ ସରଳ ହେବ, ସହଜ ହେବ । ଆମେ ଯଦି ଏଇଠି ଅଟକି ନଯିବାକୁ ଇଚ୍ଛା କରୁଥିବା, ଯଦି ଆପଣା ଚତୁର୍ଦ୍ଦିଗରେ ଗୁଡ଼ାଏ ବାଡ଼ ତିଆରି କରି ରଖିବାକୁ ସୁରକ୍ଷା ବୋଲି ଜାଣୁ ନଥିବା, ଯଦି ଆମେ ଭୟ କରୁନଥିବା, ତେବେଯାଇ ଆମ ଜୀବନ ସହଜ ହେବ, ସରଳ ହେବ । ସେତେବେଳେ ଆମେ ଅର୍ଜନ କରିଥିବା ବିବେକ ଏବଂ ଅନୁରାଗଶକ୍ତି ହିଁ ଆମ ବୁଦ୍ଧିକୁ ପରିଚାଳିତ କରିବ । ଆମର ବୁଦ୍ଧି କଦାପି ଆମର ବିବେକ ଏବଂ ଅନୁରାଗଶକ୍ତିକୁ ନାନାପ୍ରକାରେ ଜଟିଳ କରି ବାନ୍ଧି ରଖିବାକୁ ସମର୍ଥ ହେବନାହିଁ । ଯେଉଁ ବୁଦ୍ଧି ମଣିଷକୁ ଭାରି ଭୀରୁ କରିପକାଏ, ଭାରି ଖିଅଛିଣ୍ଡା ଓ ଏକୁଟିଆ କରିପକାଏ ଓ ତେଣୁ ସର୍ବଦା ଭାରି ଉଗ୍ର କରି ରଖିଥାଏ, ଏଠାରେ ସେହି ବୁଦ୍ଧିର କଥା କୁହାଯାଉଛି । ସେହି ବୁଦ୍ଧିକୁ ଅନେକ ସମୟରେ ସାଂସାରିକ ବୁଦ୍ଧି ବୋଲି କୁହା ଯାଇଥାଏ । ମାତ୍ର ତାହା ସଂସାରକୁ ମଧ୍ୟ ଯଥାର୍ଥ କାମ ଦେଇ ପାରେନାହିଁ । ଆମ ସଂସାରକୁ କେବଳ ଭୟମୁକ୍ତ କରି ରଖିବାରେ ସାହାଯ୍ୟ କରେ, ଆମକୁ ତଥା ଆମର କ୍ଷେତ୍ରଟିକୁ ମଧ୍ୟ ଭାରି ଜଟିଳ କରି ପକାଇବାରେ ସାହାଯ୍ୟ କରେ । ସେତେବେଳେ ଆମର ତଥାକଥିତ ବିବେକ ଗୁଡ଼ାକ ମଧ୍ୟ ଭାରି ଜଟିଳ ହୋଇପଡ଼େ, ଆମର ତଥାକଥିତ ଅନୁରାଗଗୁଡ଼ାକ ମଧ୍ୟ ଭାରି ଜଟିଳ ହୋଇପଡ଼ନ୍ତି । ଆମେ ବୁଦ୍ଧିଆ ହେଉ ହେଉ ବଞ୍ଚିତ ହୋଇ ରହିଯାଉ, ଚାଲାକ ହେଉ ହେଉ ପ୍ରକୃତରେ ଭାରି ବୋକା ହୋଇ ରହିଯାଉ । ଆପଣା ପାଖରେ ହାରିଯାଉ, ସକଳ ପ୍ରକାର ଅନୁରାଗ ଲାଗି ପ୍ରାୟ ଅଯୋଗ୍ୟ ହୋଇ ରହିଥାଉ । ତେଣୁ ବାହାରେ ନିଜକୁ ବୁଦ୍ଧିଆ କରି ଭାରି ସଣ୍ଠଣା ଦେଖାଉଥାଉ ।

 

୬ । ୯ । ୭୯

 

ଅସଲ ବୁଝିବା ପରେ ଆଉ ଅଧିକ ବୁଝିବା ଦରକାର ହିଁ ହୁଏନାହିଁ । ଅସଲ ବୁଝିବାଟି ଆଗରୁ ଆମେ ଏପାଖ ସେପାଖ ବାହାର ଭିତର ସଦର ମଫସଲ କେତେ ବୁଝିବାରେ ଲାଗିଥାଉ । ହିସାବ ଠିକ୍ ରହିଲା କି ନାହିଁ; ଏହି ବିଷୟରେ କେତେ କେତେ ସଂଶୟ ଦ୍ଵାରା ପ୍ରଣୋଦିତ ହୋଇ ଆଗେ ଖାତାଗୁଡ଼ାକୁ ଠିକ୍ କରି ରଖିବାଲାଗି କେତେ ନିୟମସତର୍କତାର ପାଳନ କରିବାରେ ଲାଗିଥାଉ ।

 

ଅସଲ ବୁଝିବାଟା ଏସବୁ ଦ୍ଵାରା ପ୍ରାୟ ହୁଏନାହିଁ । ଅସଲ ବୁଝିବାଟା କେମିତି ହୁଏ, ଠିକ୍ ଠିକ୍ କହି ହୁଏନାହିଁ । ସତେ ଯେପରି ଗୋଟାଏ ଦୁଆର ଖୋଲିଯାଏ, ପାଚେରୀମାନେ ଭାଙ୍ଗି ପଡ଼ନ୍ତି, ଯାହାସବୁ ଦୂରରେ ରହିଥିଲା, ସେସବୁ ନିକଟ ହୋଇ ଆସିଥିଲା ପରି ଲାଗେ । ବୁଦ୍ଧି ଗୁଡ଼ାକ ଆପେ ସତେଅବା କ’ଣ ଗୋଟାଏ ଅନ୍ୟ ସମ୍ପଦକୁ ସ୍ପର୍ଶ କରି ପାରିଥିଲା ପରି ଉଜ୍ଜ୍ଵଳ ହୋଇ ଉଠନ୍ତି, ଆପଣାର ସବୁ ଆଣ୍ଟକୁ ଭୁଲି ସବୁ ଉଗ୍ରତାକୁ ଛାଡ଼ି କାହାର ସେବା ଖଟିବେ ବୋଲି ପ୍ରସ୍ତୁତ ହୋଇ ଠିଆ ହୋଇ ଯାଆନ୍ତି । ତା’ ପରେ ଆଉ ଡାକିବାକୁ ପଡ଼େନାହିଁ, ଆଉ ଆଗପରି ବୁଝିବାକୁ ପଡ଼େନାହିଁ, ତା’ ପରେ ନିଜର ଆଉ କୌଣସି ପରୀକ୍ଷା ଦେବାକୁ ପଡ଼େନାହିଁ ଆପଣାକୁ ସତେଅବା କାହାର ଏକ ଆସ୍ଥାନ ପରି ମନେହୁଏ । ସେତେବେଳେ ସବୁ ପରିଷ୍କାର ହୋଇଯାଏ । ଆଖି ଖୋଲିଦେବା ମାତ୍ରକେ ସବୁ ଦିଶିଯାଏ, ସତ୍ୟ ଗୁଡ଼ାକ ଦିଶିଯାଏ, ଭବିଷ୍ୟତଗୁଡ଼ାକ ଦିଶି ଦିଶି ଯାଏ । ତେଣୁ, ଗ୍ରହଣ କରିବା ହିଁ ଜୀବନର ସର୍ବପ୍ରଥମ ଧର୍ମରେ ପରିଣତ ହୋଇ ରହେ । ଅଜ୍ଞାନ ଅବସ୍ଥାରେ ମଧ୍ୟ ଆମେ ଏକ ପ୍ରକାରର ଗ୍ରହଣ କରିଥାଉ ସତ, ମାତ୍ର ଏହି ଗ୍ରହଣ ତା’ଠାରୁ ସମ୍ପୂର୍ଣ୍ଣ ଧରଣର । ଜ୍ଞାନ ପରିପକ୍ଵ ହୋଇ ବୁଝିବାରେ ପରିଣତ ହୁଏ, ସବୁ ବୁଝିବା ପରିପକ୍ଵ ହୋଇ ଯେଉଁ ଗ୍ରହଣରେ ପରିଣତ ହୁଏ, ଏଠାରେ ସେହି ଗ୍ରହଣର ପର୍ଯ୍ୟାୟ ଆସି ପହଞ୍ଚେ ।

 

୭ । ୯ । ୭୯

 

ତାଙ୍କରି ରାଜତ୍ଵ ହିଁ ସତ୍ୟ, ତାଙ୍କରି ରାଜ୍ୟ ସତ୍ୟ, ତାଙ୍କରି ଶାସନ ହିଁ ସତ୍ୟ । ଏହି ସମଗ୍ର ବିଶ୍ଵରେ ସତ୍ୟ, ଏହି ଗୋଟିଏ ଜୀବନରେ ସତ୍ୟ, ଆଜିର ଏହି ସକାଳଟିରେ ମଧ୍ୟ ସତ୍ୟ । ଏବଂ, ମୁଁ ଯେତେବେଳେ ମୋ’ ଜୀବନରେ ଏହି ସତ୍ୟଟିକୁ ସ୍ଵୀକାର କରିନେଇ ପାରୁଛି ଏବଂ ସେହି ସ୍ଵୀକୃତିଟିକୁ ଏକ ଆହ୍ଵାନରୂପେ ଶୁଣି ପାରୁଛି, ମୁଁ ଯେ ସେତେବେଳେ ତାହାକୁ ମୋ’ର ସାନ ବଡ଼ ସକଳ ମୁହୂର୍ତ୍ତରେ ଓ ସାନ ବଡ଼ ସକଳ ସମ୍ପନ୍ନତାରେ ଅନୁଭବ କରି ପାରିବି; ସେଥିରେ ଆଉ କି ସନ୍ଦେହ କାହିଁକି ରହିବ ? ସେତେବେଳେ ମୋ’ର ପ୍ରାର୍ଥନାଗୁଡ଼ାକ ହିଁ ଜୀବନର ସ୍ଵାଭାବିକ ସଙ୍ଗୀତରେ ପରିଣତ ହୋଇଯିବ, ମୋ’ର ବାସନାଗୁଡ଼ାକ ଗୋଟିଏ ଗୋଟିଏ ଅଭୀପ୍‍ସାରେ ପରିଣତ ହୋଇଯିବ, ମୋ’ର ଯାବତୀୟ ସମ୍ପର୍କ ସେତେବେଳେ ସତେଅବା ତାଙ୍କରି ସହିତ ଯୋଡ଼ି ହୋଇ ଯାଉଥିବାର ଗୋଟିଏ ଗୋଟିଏ ଖିଅ ଏବଂ ସଂସ୍ପର୍ଶରେ ପରିଣତ ହୋଇଯିବ ।

 

ମୁଁ ଇଚ୍ଛା କଲେ ସେହି ସଂସ୍ପର୍ଶ ଏହି ସକାଶେ ମଧ୍ୟ ମୋ’ ଲାଗି ଉପଲବ୍‍ଧ ହୋଇ ପାରିବ । ଚାରିଆଡ଼କୁ ଅନାଇଦେବା ମାତ୍ରକେ ମୁଁ ସେହି ସଂସ୍ପର୍ଶଟିକୁ ମୋ’ ନିଜର ଆଖିଟି ଭିତରେ ହିଁ ଅନୁଭବ କରିପାରିବି, ମୋ’ ହୃଦୟ ବୋଲି ମୁଁ ଯେଉଁ ସମଗ୍ର ଅନୁଭୂତିଟିକୁ କହି ଆସୁଛି, ସେହି ଅନୁଭୂତିର କ୍ଷେତ୍ରରେ ବି ଅନୁଭବ କରିପାରିବି । ତାହାକୁ ତୁମେ ଅତିମାନସ ବୋଲି କହୁଥାଅ ବା ଅପହଞ୍ଚ ବୋଲି କହୁଥାଅ ବା ଆଉ ଯେତେ ନାମଦେଇ କହୁଥାଅ, ପଛକେ ତାହାକୁ ମୁଁ ନିଜ ଦେହରେ ଆସି ବାଜୁଥିବା ସଂସ୍ପର୍ଶଗୁଡ଼ିକ ମଧ୍ୟରେ ଚିନ୍ମୟ ସତ୍ୟ ରୂପେ ଅନୁଭବ କରି ପାରିବି । ଦୃଶ୍ୟ ଓ ଅଦୃଶ୍ୟ ସବୁକିଛିକୁ ମୁଁ ସେତେବେଳେ ସେହି ସଂସ୍ପର୍ଶ ମଧ୍ୟଦେଇ ଏଇଠି ଅତି ପାଖରେ ଦେଖିପାରିବି ।

 

୮ । ୯ । ୭୯

 

ସତ୍ୟ ହିଁ ପ୍ରେମର ଦ୍ଵାରକୁ ଉନ୍ମୋଚିତ କରିଦେଇ ପାରିବ । ଆମେ କାରଣ ଅକାରଣରେ ଯେଉଁ ସତ୍ୟର ଦ୍ଵାହି ଦେଇଥାଉ ଓ କାରଣ ଅକାରଣରେ ଯେଉଁ ପ୍ରେମର ବାସନା ରଖିଥାଉ, ଏଠାରେ ସେହି ସତ୍ୟ ଓ ପ୍ରେମର କଥା ଆଦୌ କୁହା ଯାଇନାହିଁ । ଏସବୁ ସତ୍ୟ ଓ ଏସବୁ ପ୍ରେମ ତ ଆମ ଅସଲ ଜୀବନରେ ସତେଅବା ଗୋଟିଏ ଗୋଟିଏ ମୁଖା ପରି କାର୍ଯ୍ୟ କରିଥାନ୍ତି; ଆମକୁ ଘୋଡ଼ାଇ ରଖିବାପାଇଁ, ଭିତରୁ ଓ ବାହାରୁ ଉଭୟପଟୁ ଘୋଡ଼ାଇ ରଖିବା ପାଇଁ ସତେଅବା ଗୋଟିଏ ଗୋଟିଏ ଢାଙ୍କୁଣୀ ପରି କାର୍ଯ୍ୟ କରିଥାନ୍ତି । ଏଠାରେ ସେହି ସବୁ ସତ୍ୟ ଓ ପ୍ରେମର କଥା ମୋଟେ କୁହା ଯାଇନାହିଁ ।

 

ସତ୍ୟ ଆମରି ଭିତରେ ରହିଛି । ଆମରି ଭିତରେ ଯାହା ରହିଛି, ଆମେ ତାହାକୁ ଆବିଷ୍କାର କଲେ ସମସ୍ତ ବିଶ୍ଵ ସହିତ ଖିଅ ଲଗାଇ ଦେଇ ପାରିବା, ବିଶ୍ଵ ନାମକ ଏକ ଚିରସଂଲଗ୍ନତାକୁ ଆମେ ଆମ ଜୀବନରେ, ଜୀବନର ସାନ ବଡ଼ ସକଳ ଅବସରରେ ଅନୁଭବ କରିବାକୁ ସମର୍ଥ ହେବା । ଯେତେବେଳେ ସେହି ଅନୁଭୂତି ଆପଣାକୁ ଆମ ଜୀବନ ମଧ୍ୟଦେଇ ଅଭିବ୍ୟକ୍ତ କରିବ; ତାହାହିଁ ପ୍ରେମରୂପେ ଅନୁଭୂତ ହେବ । ସେତେବେଳେ ଜାଣିହେବ, ଏହି ପ୍ରେମ ହେଉଛି ଜୀବନକୁ ବଞ୍ଚିବାର ମୂଳ କଥା । ମୋ’ ସହିତ ସମଗ୍ରଟିର ଖିଅ ଲାଗିଛି, ଏବଂ ସେହି ସମଗ୍ରଲାଗି ହିଁ ମୁଁ ବଞ୍ଚିବି । ସତ୍ୟର ଆକୃତି ଆମକୁ ଏହିପରି ଭାବରେ ପ୍ରେମର ଅଧିକରୁ ଅଧିକ ଭାଜନ କରିଦେଇ ପାରୁଥିବ । ସତ୍ୟର ଆକୃତି, ସତ୍ୟର ଅନୁଭବ ଓ ଜୀବନରେ, ଭିତରେ ଓ ବାହାରେ ସେହି ସତ୍ୟଟିକୁ ପ୍ରତ୍ୟକ୍ଷ କରିବା, –ପ୍ରେମ ହେଉଛି ତାହାର ପରିଣାମ । ମୁଁ ଯେ ସବୁଟି ସହିତ ସଂଯୁକ୍ତ ହୋଇ ରହିଛି, ଏହି ଆବିଷ୍କାର ଯିଏ କରିପାରିବ, ତା’ ଲାଗି ପ୍ରେମର କୌଣସି ସ୍ଵତନ୍ତ୍ର ସାଧନା କରିବାକୁ ପଡ଼ିବନାହିଁ । ସେହି ଆବିଷ୍କାରର ଅବଶ୍ୟମ୍ଭାବୀ ପରିଣାମ ରୂପେ ଜୀବନରେ ପ୍ରେମର ହିଁ ଉପଲବ୍‍ଧି ହେବ ।

 

୯ । ୯ । ୭୯

 

For our call, –ଆମପାଇଁ ଏତିକି ମନେ ରଖିବାର କଥା । ଆମେ ପ୍ରାର୍ଥନା କଲାବେଳେ ସେହି ଆନନ୍ଦକୁ ଅବତରଣ କରି ଆସିବାଲାଗି କେତେ ଗୁହାରି ଓ ଅଳି କରିଥାଉ । ସିଏ ଆସିଲେ ଆମର ସବୁ ଦୁଃଖ ଦୂର ହୋଇଯିବ ବୋଲି ଆମେ କେତେ ଅଳଙ୍କାର ଲଗାଇ କହିଥାଉ । ସିଏ ଆମର ଡାକ ଶୁଣିଲେ ନାହିଁ, ବଧିର ହେଲେ, ଏହିପରି ଭାବରେ ଆର୍ତ୍ତ କାବ୍ୟିକତା କରି ଆମେ କେତେ କ’ଣ ଉପମାମାନ ଆଣି ଆମ ଚାରିପାଖରେ ଅଜାଡ଼ି ଦେଇଥାଉ । କିନ୍ତୁ ସିଏ ଯେ ଆଗରୁ ଅପେକ୍ଷା କରି ରହିଛନ୍ତି, ଆନନ୍ଦରୂପେ ଓ ପରମବନ୍ଧୁ ରୂପେ ଅପେକ୍ଷା କରି ରହିଛନ୍ତି, ଆମ ଭିତରେ ଓ ବାହାରେ ଅପେକ୍ଷା କରି ରହିଛନ୍ତି, ଆମର ଏହି ମ୍ଳେଚ୍ଛ ମନଟାକୁ ସେଥାଏ କିଏ ବୁଝାଇବାକୁ ଆସିବ ? ଆମେ ଡାକିଲେ ଅର୍ଥାତ୍ ଅସଲ ଦୁଆରଟିକୁ ଖୋଲିଦେଇ ପାରିଲେ ଭିତରେ ଏବଂ ବାହାରେ ଆମେ ଯେ କେବଳ ସେହି ବିସ୍ମୟକାରୀ ଆନନ୍ଦଟିର ହିଁ ଅନୁଭବ କରିବା, ଆମର ଏହି ଆର୍ତ୍ତ ଭକ୍ତିର ଅତିକାତରତା ଉପରେ ଯଥାର୍ଥ ଆଘାତ କରି କିଏ ଆମକୁ ସେହି କଥାଟିକୁ ଚେତାଇ ଦେବାକୁ ଆସିବ ?

 

ତେଣୁ ଆମେ କୁଆଡ଼େ ଯିବାନାହିଁ । କାରଣ ସେ ସେଠାରେ ଅବତୀର୍ଣ୍ଣ ହୋଇଛନ୍ତି, ସିଏ ଆନନ୍ଦରୂପେ ଅବତୀର୍ଣ୍ଣ ହୋଇଛନ୍ତି । ଆନନ୍ଦରୂପେ ସିଏ ସବୁକିଛିକୁ ଏକତ୍ର ସଂଯୁକ୍ତ କରି ରଖିଛନ୍ତି । ଆମେ ଖାଲି ଦୁଆର ଖୋଲିଦେବା, ବାଡ଼ ଭାଙ୍ଗିଦେବା, ଆମେ ସ୍ଵାଭାବିକ ହେବା, –ଏକ ମୂଳଭୂତ ବିଶ୍ଵାସକୁ ହିଁ ଜୀବନବିକାଶର ଅସଲ ସୂତ୍ରରୂପେ ଗ୍ରହଣ କରି ଆମେ ଆପଣାକୁ ପ୍ରେରିତ କରି ରଖିବା । ତେବେ ଏହି ଅଳ୍ପତାର ରଜ୍ଜୁଗୁଡ଼ାକ କୁଆଡ଼େ କଟିଯିବେ, ଆଲୋକ ଆମଭିତରେ ମଧ୍ୟ ଜନ୍ମଲାଭ କରିପାରିବ । ଆମ ଆର୍ତ୍ତଗୁଡ଼ାକୁ ସତକୁ ସତ ହରଣ କରିନେବ ।

 

୧୦ । ୯ । ୭୯

 

ଜୀବନର ଯଥାର୍ଥ ଲକ୍ଷ୍ୟ ଆପଣାର ଯଥାର୍ଥ ପରିଚୟଟି ଲାଭ କରିବା ଏବଂ ସେହି ପରିଚୟ ଅନୁସାରେ ନିଜର ଜୀବନଟିକୁ ବଞ୍ଚିବା । ପରମେଶ୍ଵରଙ୍କ ଲାଗି ଜୀବନ ବଞ୍ଚିବା, ପରମ ସତ୍ୟଲାଗି ଜୀବନ ବଞ୍ଚିବା ବା ଆପଣାର ଆତ୍ମା ଲାଗି ଜୀବନ ବଞ୍ଚିବା, –ଏଗୁଡ଼ିକ ହେଉଛି ସେହି ଗୋଟିଏ କଥା । ଆମକୁ ଅଧିକ ଭ୍ରାନ୍ତି ଭିତରେ ପକାଇ ଦେବାଲାଗି ନୁହେଁ, ଆମ ଜୀବନର ଲକ୍ଷ୍ୟଟି ବିଷୟରେ ଆମକୁ ଆହୁରି ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ କରାଇବାକୁ ଏପରି କୁହାଯାଇଛି । ଆତ୍ମା ଭିତରେ ଅସଲ ସତ୍ୟ ହେଉଛି ସେହି ପରମ ସତ୍ୟ, ଯାହା ଭିତରେ ସମଗ୍ର ଜଗତର ସତ୍ୟ, ସେହି ପରମ ଦିବ୍ୟ ସତ୍ୟ ପ୍ରଚ୍ଛନ୍ନ ହୋଇ ରହିଛି । ହଁ ପ୍ରଚ୍ଛନ୍ନ ହୋଇ ରହିଛି । ଏବଂ, ସେହି ସତ୍ୟକୁ ଉଦ୍‌ଘାଟିତ କରିବା ହେଉଛି ଆମ ଜୀବନର ଅସଲ ଉଦ୍ଦେଶ୍ୟ । ଯେଉଁ ଉଦ୍‌ଘାଟନ ମୋ’ର ଯାବତୀୟ କୃପଣତାକୁ ଭାଙ୍ଗି ଦେଇ ଯିବ, ଯାବତୀୟ ଅଳ୍ପତାକୁ ମଧ୍ୟ ଭାଙ୍ଗିଦେଇ ଯିବ । ମୁଁ ଯେ ଏସବୁଥିରୁ ଅଲଗା ନୁହେଁ, ମୋ’ର ସାନ ଓ ବଡ଼ ଯାବତୀୟ ବିଚରଣ ଏବଂ ବିଚାରଣାରେ ମୋତେ ସେହି କଥାଟି ବିଷୟରେ ସକ୍ରିୟ ଭାବରେ ମୋତେ ତାହା ସଚେତନ କରି ରଖିବ । ସେହି ଉଦ୍‌ଘାଟନ ମୋତେ ସକଳ ପ୍ରକାରେ ବୈରାଗୀ ହେବାରୁ ବାବାଜୀ ହେବାରୁ ବଞ୍ଚାଇ ରଖିବ । ପରମ ସତ୍ୟ ଆଉକେଉଁଠି ରହିଛନ୍ତି ବୋଲି ମୁଁ ଏହି ଜଗତରେ କଦାପି ରୁଷି ବସିବିନାହିଁ, ଏହି ସଂସାର ଦୁଃଖପୂର୍ଣ୍ଣ ବୋଲି କହି ମୁଁ ପରମସୁଖ ଲାଭ କରିବାପାଇଁ ଆଉ କୁଆଡ଼େ ପଳାଇ ଯିବିନାହିଁ । ଏଇଠି, ଏହି ସବୁଟି ଭିତରେ ତଥାକଥିତ ଦୁଃଖପୂର୍ଣ୍ଣ ଏହି ଜଗତ ଭିତରେ ତାଙ୍କରି ଉଦ୍‌ଘାଟନ କରାଇବା, –ତାହାହିଁ ଜୀବନର ଅସଲ ଲକ୍ଷ୍ୟ ।

 

୧୧ । ୯ । ୭୯

 

ମୁଁ କିଛି ଚାହିବିନାହିଁ, କିଛି ମାଗିବିନାହିଁ । ଆଜିର ସକାଳ ପରି ସକାଳଟିଏ ହୋଇ ପ୍ରସନ୍ନ ହୋଇ ରହିବି । ଆଜି ସକାଳେ ଯେତେ ଯେଉଁଠି ଫୁଲ ଫୁଟିଛନ୍ତି, ମୁଁ ଠିକ୍ ସେହିପରି ଗୋଟିଏ ଫୁଲ ହୋଇ ସଂସାରରେ ଫୁଟିବି, –ନିଜ ଭିତରେ ଫୁଟିଉଠିବି ଏହି ଜଗତରେ ସମସ୍ତଙ୍କ ଲାଗି ଫୁଟି ଉଠିବି ଏବଂ ଏହି ବିଶାଳ ଆକାଶକୁ ସ୍ଵୀକାର କରି ନେଉଥିବା ଏହି ପରିବେଶ ଓ ବିସ୍ତାରଟି ମଧ୍ୟରେ ଫୁଟି ଉଠି ପାରିବି ।

 

ଯେଉଁସବୁ ଦେଉଳରେ ତାଙ୍କୁ କିଛି ବଢ଼ିଆ କରି ଓ ଜାକଜମକ କରି ମାଗିବାଲାଗି ଭକ୍ତମାନେ ଜାକଜମକ କରି ଈଶ୍ଵରାନୁଧ୍ୟାନ କରୁଛନ୍ତି, ବାନା ଉଡ଼ାଉଛନ୍ତି ବା ପ୍ରସାଦ ବିତରଣ କରୁଛନ୍ତି, ସେହି ଦେଉଳରେ ମୁଁ ଆଦୌ କୌଣସି ଧଣ୍ଡା ପିନ୍ଧିବାକୁ ଯିବିନାହିଁ । ସେଠାରେ ପୂଜାରୀ ବା ପୂଜାପଣ୍ଡା ହୋଇ ବସିବାର ଅଭିମାନ ମୁଁ କଦାପି କରିବିନାହିଁ । ଆଜି ନିଷ୍ଠାରେ ନିଷ୍ଠାରେ ପ୍ରତିଯୋଗିତା ଲାଗିଛି । ନିଷ୍ଠାର ମାର୍କାମାନ ଏବେ ତିଆରି ହେଲାଣି, ନିଷ୍ଠାମାନେ ପଇତା ପକାଇ ଆପଣାର ବିଶେଷତ୍ଵ ଜାହିର କରିବାର ଉତ୍ସାହ ବି ଦେଖାଇଲେଣି । ମୁଁ ଏସବୁ ନିଷ୍ଠା ଭିତରେ ନାହିଁ-। ଏଗୁଡ଼ାକ ପ୍ରାୟ ମାଗିବାର ନିଷ୍ଠା, ଆପଣାକୁ ଯଥାସମ୍ଭବ ଅଧିକ ପରିମାଣରେ ପ୍ରଦର୍ଶିତ କରି ନିଜକୁ ଆର୍ତ୍ତରୁ ଆହୁରି ଆର୍ତ୍ତ ବୋଲି ପ୍ରମାଣିତ କରିବାର ନିଷ୍ଠା । ଏଥିରେ ମୁଁ ନାହିଁ । ମୋର ନିଷ୍ଠା ଫୁଟି ଉଠିବାର ନିଷ୍ଠା, ଦେବାର ନିଷ୍ଠା, ସେତୁ ପକାଇବାର ନିଷ୍ଠା, ଖିଅ ଲଗାଇବାର ନିଷ୍ଠା, ଖୁସୀ ହୋଇ ଆପଣାକୁ ଦେବାର ନିଷ୍ଠା, ନିଜ ଭିତରେ ମୁଁ ସମ୍ମୁଖରେ ଯାହାକୁ ଦେଖିପାରୁଛି, ଖୁସୀ ହୋଇ ତାଙ୍କରି ଲାଗି ନିଜକୁ ପ୍ରସ୍ତୁତ କରିବାର ନିଷ୍ଠା ।

 

୧୨ । ୯ । ୭୯

 

ସତ୍ୟର ଅନ୍ଵେଷଣ ଅର୍ଥାତ୍ ସତ୍ୟଲାଗି ଶ୍ରଦ୍ଧା । ଯିଏ ନିଜ ଭିତରେ ସତ୍ୟର ପରିଚୟ ପାଇଛି, ନିଜ ଭିତରେ ସତ୍ୟ ରହିଛି ବୋଲି ଯିଏ ସଙ୍କେତ ପାଇଛି, କେବଳ ସେଇ ସତ୍ୟର ଅନ୍ଵେଷଣ କରି ପାରିବ, କାରଣ କେବଳ ସେଇ ସତ୍ୟ ଲାଗି ଶ୍ରଦ୍ଧା ରଖି ପାରିବ । ଆମେ ନିଜ ଭିତରେ ଯାହାର ସ୍ପର୍ଶ ପାଇଥିବା, କେବଳ ତାହାରି ଅନୁସନ୍ଧାନ କରିପାରିବା । ଜୀବନଟାଯାକ ଯେତେବେଳେ ଶ୍ରଦ୍ଧା ଦ୍ଵାରା ଅନୁପ୍ରାଣିତ ହୋଇ ରହିଥାଏ, କେବଳ ସେତିକିବେଳେ ତାହା ଏକ ଯଥାର୍ଥ ଅନ୍ଵେଷଣରେ ହିଁ ପରିଣତ ହୋଇଥାଏ ।

 

ସତ୍ୟ ସହିତ ଶ୍ରଦ୍ଧା ସଂଯୁକ୍ତ ହୋଇ ରହିଛି । ସେହି ଶ୍ରଦ୍ଧା ମୋ’ ଭିତରେ ଏକ ସତତ ଅନ୍ଵେଷଣରେ ପରିଣତ ହୋଇ ପାରିଛି । ବିଜ୍ଞାନୀ ସତ୍ୟର ଅନ୍ଵେଷଣ କରେ, କାରଣ ସିଏ ପ୍ରଧାନତଃ ସତ୍ୟଲାଗି ହିଁ ଶ୍ରଦ୍ଧା ଅନୁଭବ କରୁଥାଏ । ସିଏ ନିଜ ଭିତରେ ଯେଉଁ ସତ୍ୟଟିକୁ ଅନୁଭବ କରୁଥାଏ, ଆପଣାର ଅନ୍ଵେଷଣ ଦ୍ଵାରା ସିଏ ତାହାକୁ ହିଁ ଅଭିବ୍ୟକ୍ତ କରିବ ବୋଲି ମନ କରୁଥାଏ । ସକଳ ଅଭିବ୍ୟକ୍ତି ହେଉଛି ଏହି ଅର୍ଥରେ ପ୍ରକୃତରେ ଏକ ଆତ୍ମ ଅଭିବ୍ୟକ୍ତି । ଏବଂ, ଶ୍ରଦ୍ଧା ନଥିଲେ ଆତ୍ମଅଭିବ୍ୟକ୍ତି କେଉଁଠି କାହିଁକି ସମ୍ଭବ ହେବ ? ସଞ୍ଚୟ ସମ୍ଭବ ହେବ, ପାଣ୍ଡିତ୍ୟ ସମ୍ଭବ ହେବ, ପ୍ରଦର୍ଶନ ସମ୍ଭବ ହେବ, ଏପରିକି ଭାବପ୍ରବଣତା ଏବଂ ଆର୍ତ୍ତତା ବି ସମ୍ଭବ ହୋଇ ପାରିବ ସିନା, ମାତ୍ର ଆତ୍ମଅଭିବ୍ୟକ୍ତି କଦାପି ସମ୍ଭବ ହେବନାହିଁ । ତେଣୁ ମୁଁ ଏହି ଶ୍ରଦ୍ଧାକୁ ନେଇ ବଣିଜ କରିବି; ଶ୍ରଦ୍ଧା ଦେବି, ଶ୍ରଦ୍ଧାଦ୍ଵାରା ଜୀବନ ବଞ୍ଚିବି । ମୋ’ର ଯାବତୀୟ ଜ୍ଞାନ କେବଳ ଶ୍ରଦ୍ଧାର ଏକ ଅନ୍ଵେଷଣ ରୂପେ ଆପଣାକୁ ଅନୁଭୂତ କରାଇ ପାରୁଥିବ, ମୋତେ ଦିନକୁଦିନ ଅଧିକରୁ ଅଧିକ ନିକଟବର୍ତ୍ତୀ କରାଇ ଆଣୁଥିବ ।

 

୧୩ । ୯ । ୭୯

 

ସତ୍ୟର ଆକାଙ୍‌କ୍ଷା ହିଁ ଅସଲ ସଫଳତାର ଆକାଙ୍‌କ୍ଷା । ଆମେ ଅଧିକାଂଶ ମଣିଷ ସଫଳତା ହିଁ ଚାହୁ ଓ ଏହି ଚାହିବାକୁ ହିଁ ଜୀବନର ବାସ୍ତବତା ବୋଲି ଭାବିଥାଉ । ଏହା ଫଳରେ ଆମ ଜୀବନର ଅସଲ ବିଫଳତା ଗୁଡ଼ାକ ଆମକୁ ଯେତିକି ଯେତିକି ଘାରି ରଖିବାରେ ଲାଗିଥାନ୍ତି, ଆମେ ସଫଳତା ପାଇବା ସକାଶେ ସେତିକି ଅଧିକ ବ୍ୟାକୁଳ ଭାବରେ ଆପଣାକୁ ଧାବମାନ କରିବାରେ ଲାଗିଥାଉ । ଜୀବନରେ ଏହି ଘେର ବୁଲିବା ଅନେକ ସମୟରେ ଏପରି ଉଗ୍ର ଭାବରେ ଲାଗି ରହିଥାଏ ଯେ, ତାହାରି ଫଳରେ ଆମକୁ ପ୍ରାୟ ସକଳ ସଫଳତାରୁ ବଞ୍ଚିତ ହୋଇ ରହିବାକୁ ପଡ଼େ ଏବଂ, ସଫଳତା ସହିତ ସତ୍ୟାକାଙ୍‌କ୍ଷାର ଯେ ଆଦୌ କୌଣସି ସମ୍ବନ୍ଧ ରହିଛି, ସେହି କଥାଟି ବି ଆମର ଆଉ ପ୍ରାୟ ମନେ ରହେନାହିଁ ।

 

ମୁଁ ସତ୍ୟକୁ ହିଁ ଚାହେଁ, ଏହି ସତ୍ୟର ଉଦ୍‌ଘାଟନ ଚାହେ, ମୋ’ ଜୀବନରେ ସତ୍ୟର ଅବତରଣ ଚାହେ । କେବଳ ଏକ ବିଶେଷ ମୁହୂର୍ତ୍ତରେ ବା ବିଶେଷ ଉପଲକ୍ଷ୍ୟରେ ନୁହେଁ, ମୋ’ ଜୀବନର ସାନ ବଡ଼ ପ୍ରତ୍ୟେକ ଆକାଙ୍‌କ୍ଷା ମଧ୍ୟରେ ମୁଁ ସତ୍ୟର ଅବତରଣ ଚାହେ । ମୋ’ ନିଜ ଜୀବନରେ, ମୋ’ ଚତୁର୍ଦ୍ଦିଗରେ ନାନାଭାବେ ବଞ୍ଚିତ ହୋଇ ରହିଥିବା ଏହି ବୃହତ୍ତର ଜୀବନରେ ସେହି ସତ୍ୟର ସତତ ଅବତରଣ ଘଟୁ, ଏହି ମୋ’ ଜୀବନର ଯେପରି ଅସଲ ଅନୁଧାବନ ହୋଇ ରହିବ, ମୁଁ ହୃଦୟତଳେ ସର୍ବଦା ତାହାହିଁ ବାସନା ରଖିଥାଏ । ମୁଁ ଯେ ସେହି ସତ୍ୟଠାରୁ ଆଦୌ ବିଚ୍ଛିନ୍ନ ନୁହେଁ, ଜୀବନରେ ଯେତିକି ଯେତିକି ମୁଁ ଏହି କଥାଟିକୁ ଉପଲବ୍‍ଧି କରୁଛି, ସତ୍ୟ ପ୍ରତି ଏବଂ ତଥାକଥିତ ସଫଳତା ପ୍ରତି ରହିଥିବା ମୋ’ର ଆଗ୍ରହଗୁଡ଼ିକ ଭିତରେ ପାର୍ଥକ୍ୟଗୁଡ଼ିକ ମଧ୍ୟ ସେତିକି ପରିମାଣରେ କମ୍ ହୋଇ ଆସୁଛନ୍ତି ।

 

୧୪ । ୯ । ୭୯

 

ଭାବନା ଯଥାର୍ଥ ହେବାଲାଗି ସେହି ଭାବନାକୁ କାର୍ଯ୍ୟରେ ପରିଣତ କରିବାକୁ ପଡ଼େ । ଏବଂ, ଆମେ ଯେତିକି ସକ୍ରିୟ ହୋଇ ରହିଥାଉ, ଆମେ ଠିକ୍ ସେତିକି ହିଁ ଯଥାର୍ଥ ଭାବରେ ବଞ୍ଚୁଛୁ ବୋଲି କୁହାଯାଇ ପାରିବ । ଯେଉଁଠି ଭାବିବା, କାର୍ଯ୍ୟରେ ପରିଣତ କରିବା ଏବଂ ଜୀବନ ବଞ୍ଚିବା ଭିତରେ ଫରକ କିମ୍ବା ବ୍ୟବଧାନ ରହିଥାଏ, ସେଠି ସେହି ପ୍ରାଣୀଟିର ଦଶା ଯେ ପ୍ରକୃତରେ କ’ଣ ହୋଇଥିବ, ମୁଁ ସେକଥା କଳ୍ପନା ବି କରି ପାରେ ନାହିଁ । ଦିବ୍ୟ ସତ୍ୟଟି ବିଷୟରେ ମୁଁ କେବଳ ଭାବିବି, ଜୀବନରେ କର୍ମପ୍ରବୃତ୍ତ ହୋଇ ରହିଥିବା ସମୟରେ ସିଏ ମୋ’ ସହିତ କୋଉଠି ହେଲେ ନଥିବେ ଏବଂ ମୁଁ ଆହୁରି କୌଣସି ଏକ ତଥାକଥିତ ଅନ୍ୟ କ୍ଷେତ୍ରରେ ମୋ’ର ଜୀବନଟିକୁ ବଞ୍ଚୁଥିବି, ଏକଥା କିପରି ସମ୍ଭବ ହୁଏ କେଜାଣି ?

 

ମନନ ହେଉଛି କର୍ମର ଜନନୀ ଏବଂ କର୍ମ ହିଁ ଜୀବନକୁ ଏକ ସ୍ଵତନ୍ତ୍ର ଅଭିଧା ଏବଂ ସ୍ଵତନ୍ତ୍ର ବ୍ୟଞ୍ଜନାରେ ଉକୁଟାଇ ଆଣିବାରେ ସମର୍ଥ ହୋଇଥାଏ । ଯେଉଁଠି ଅନ୍ତର ଭିତରେ ଭାବନା, କର୍ମ ଏବଂ ଜୀବନ ମଧ୍ୟରେ ଅସଲ ସୂତ୍ରଟି ଲାଗି ରହିଛି, ମୁଁ ସେହି ସୂତ୍ରଟିକୁ ହିଁ ମୋ’ର ଅସଲ ଜାଣିବା, ଅସଲ ଅନୁଭବ କରିବା ଏବଂ ଅସଲ ବଞ୍ଚିବାର ସୂତ୍ର ବୋଲି ଜାଣିବି । ବାହାରେ ମୁଁ ଯାହାରି ମଧ୍ୟକୁ ସଂପ୍ରସାରିତ ହୋଇଯିବାକୁ ଆକାଂକ୍ଷା ରଖିଛି, ଭିତରେ ମୋତେ ସିଏ ମୋ’ର ସେହି ତିନୋଟିଯାକ କ୍ଷେତ୍ରରେ ଗୋଟିଏ କରି ରଖିଥିବ ।

 

୧୫ । ୯ । ୭୯

 

ମଝିରେ ଆଉ କୌଣସି ସାଲିଶ୍ ନାହିଁ । ମୋ’ ନିଜ ଜୀବନରେ ମଧ୍ୟ ଆଦୌ କୌଣସି ସାଲିଶ୍ ନାହିଁ । ସାଲିଶ୍ କରିବାର ଅର୍ଥ ହେଉଛି ଏହି ଦାରୁଣ ଅନ୍ଧକାରକୁ ସ୍ଵୀକାର କରିନେବା, ମୋ’ ଭିତରେ ରହିଥିବା ଅନ୍ଧକାରକୁ ମଧ୍ୟ ସ୍ଵୀକାର କରିନେବା । ଯାହାକୁ ମୁଁ ନିଜ ଭିତରର ଅନ୍ଧକାର ବୋଲି କହିଲି, ସିଏ ହେଉଛି ମୋ’ରି ଭିତରେ ଏକ ସଂସ୍କାରବଶ ଅନମନୀୟତା ସହିତ ରାଜତ୍ଵ କରିବାକୁ ଇଚ୍ଛା କରୁଥିବା ସେହି ଅହଂ, ଯାହାକି ଦୁଆର ଖୋଲିବାକୁ ମୋଟେ ପ୍ରସ୍ତୁତ ନୁହେଁ, ଯିଏ କି ଖିଅ ଲଗାଇବାକୁ ଭୟ କରୁଛି, ଯାହାକି ସମଗ୍ର ସଂସାରକୁ ନିଜର କେତୋଟି ସାନ ସାନ ଗାତ ଭିତରେ ପୁରାଇ ତାହାରିଦ୍ଵାରା ଆପଣାକୁ ବଡ଼ କରି ଅନୁଭବ କରିବାଲାଗି କେତେ ପ୍ରକାରର ଚେଷ୍ଟା କରିବାରେ ଲାଗିଛି । ତା’ ଭିତରେ ଅଶେଷ ଭୟ ଭର୍ତ୍ତି ହୋଇ ରହିଛି । କେତେ ପ୍ରକାରର ଭୀରୁତା ତା’ର ବୁଦ୍ଧିକୁ ମଧ୍ୟ ଭାରି କାତର କରି ରଖିଛି ।

 

ତେଣୁ ଦିନେ ନା ଦିନେ ଏହି ଅନ୍ଧକାର ମଧ୍ୟରୁ ବାହାରି ଆସିବାକୁ ପଡ଼ିବ । ଆପଣା ଜୀବନର ନାନା ଅର୍ଦ୍ଧ ବିଶ୍ଵାସ ମଧ୍ୟରୁ ବାହାରି ଆସିବାକୁ ପଡ଼ିବ, ସମଗ୍ର ମଧ୍ୟରେ ଆପଣାର ବିରାଟ ରୂପଟିକୁ ଅନୁଭବ କରିବାକୁ ପଡ଼ିବ । ଅସଲ ଅନୁରାଗ ସେତିକିବେଳେ ସମ୍ଭବ ହେବ, ଅସଲ ଅନୁଭବ ସେତିକିବେଳେ ସମ୍ଭବ ହେବ । ସେହି ସ୍ଥିର ବାଟଟିକୁ ବାଛିନେବା ଲାଗି ଯେତିକି ବିନୟ ଏବଂ ଯେତିକି ବିଶ୍ଵାସ ଦରକାର, ମୋ’ର ସକଳ ପ୍ରାର୍ଥନା ସେହି ବିନୟ ଏବଂ ସେହି ବିଶ୍ଵାସ ଲାଗି ପ୍ରେରିତ ହୋଇ ରହୁ । ତା’ ପରେ, ଯିଏ ଆଗକୁ ବାଟ ଦେଖାଇ ନେଇଯାଆନ୍ତି, ସେଇ ମୋ’ର ସମସ୍ତ ଭାର ଗ୍ରହଣ କରିବେ ।

 

୧୬ । ୯ । ୭୯

 

ଚେତନାରେ ପରିବର୍ତ୍ତନ, –ଅର୍ଥାତ୍ ଅସଲ ଚେତନା ସହିତ ପରିଚୟ । ସେହି ଅସଲ ଚେତନା ନିଜ ଭିତରେ ରହିଛି । ଆପଣା ଭିତରେ ତାହାରି ଅନୁଭୂତି ଲାଭ କରି ତାହାକୁ ସଂପ୍ରସାରିତ କରିଦେଇ ବାହାରେ ବିସ୍ତାରି ରହିଥିବା ଏହି ସବୁଟି ସହିତ ସଂସ୍ପର୍ଶଲାଭ, –ମୋ’ର ନିଜ ବାଟ ହେଉଛି ଏଇଟି, ଏହାହିଁ ପରିବର୍ତ୍ତନର ବାଟ । ମୁଁ ଏଯାଏ ଯେତେବେଳେ ଯାହାହୋଇ ଆସିଲି, ତାହା ପ୍ରଥମତଃ ଏହି ପରିଚୟ ଲଭିଛି ଏବଂ ସଂପ୍ରସାରଣର ବାଟ । ଅନେକେ ନିଜ ଭିତରେ ଏକୁଟିଆ ଖଣ୍ଡିଆ ହୋଇ ରହିଥାନ୍ତି ବୋଲି ଆପଣାକୁ ବାହାର ସହିତ ସର୍ବଦା ବିଚ୍ଛିନ୍ନ ବୋଲି ଅନୁଭବ କରୁଥାନ୍ତି । ସେମାନେ ଆପଣା ଭିତରକୁ ବାଟ ପାଇନଥାନ୍ତି; ଆପଣା ପାଖରେ ଅତ୍ୟନ୍ତ ଦରିଦ୍ର ହୋଇ ରହିଥାନ୍ତି । ଏବଂ, ସେଇଥିସକାଶେ, ବାହାରେ ସମାଧାନ ଖୋଜୁଥାନ୍ତି ଓ ସମାଧାନ ନାଆଁରେ ନାନା ଦୌରାତ୍ମ୍ୟ କରିବାରେ ଲାଗିଥାନ୍ତି । ସଂସାରରେ ଦାରିଦ୍ର୍ୟ ବୃଦ୍ଧି କରିବାରେ ଏମାନେ ବୀର ଭଳି ସାହାଯ୍ୟ କରନ୍ତି ।

 

ହଁ, ଏହି ପରିବର୍ତ୍ତନ ନିଶ୍ଚୟ ଆସିବ । କ୍ରମଶଃ ପରିଚୟ ବଢ଼ିବ । ଯାହା କ୍ଷୁଦ୍ର ହୋଇ ରହିଛି, ତାହା ବୃହତ୍‌କୁ ଭୟ ବା ଦ୍ଵେଷ ନକରି ଆପଣାକୁ ବୃହତ୍ ମଧ୍ୟକୁ ସଂପ୍ରସାରିତ କରିଦେବ । ମୋ’ ନିଜ ଜୀବନରେ ଯାହା ପ୍ରତିଦିନ ପ୍ରତ୍ୟେକ ସମ୍ପର୍କ ସ୍ଥାପନରେ ଘଟୁଛି, ତାହା ସମଗ୍ର ସଂସାରରେ ଘଟିବନାହିଁ କାହିଁକି ? ଭବିଷ୍ୟ ଉପରେ ବିଶ୍ଵାସ କହିଲେ ମୁଁ ମୂଳତଃ ଏହିପରି ଏକ ବିଶ୍ଵାସକୁ ହିଁ ବୁଝିଥାଏ । ମୋ’ରି ଭିତରେ ସବୁଟି ସହିତ ସମ୍ମିଳିତ ହୋଇ ରହିବାର ଯେଉଁ ବାନା ରହିଛି, ମୁଁ ସେଇଥିରୁ ହିଁ ଆଉ ସମସ୍ତଙ୍କର କଳନା କରିଥାଏ ।

 

୧୭ । ୯ । ୭୯

 

ନା, –ମୁଁ ନିଜେ ହିଁ ଦ୍ଵାରଟିକୁ ଖୋଲି ଦେଇଛି, ମୁଁ ସହଯୋଗର ପଥଟିକୁ ବାଛି ନେଇଛି-। ଜୀବନରେ ବିଶ୍ଵାସ କହିଲେ ମୁଁ ମୂଳତଃ ତାହାହିଁ ବୁଝିଛି ।

 

ପରିସ୍ଥିତି ଆସି ମୋତେ ଗିଳି ପକାଇବ, ପରିସ୍ଥିତି ଦ୍ଵାରା ବାଧ୍ୟ ହୋଇ ମୁଁ ଏଇଟା କରିବି ବା ସେଇଟା କରିବି, –ଏବଂ ତାହାକୁ ମୁଁ ନିଜର ବଦଳିବା ବୋଲି କହିବି, ଏପରି ଯୁକ୍ତିକୁ ମୁଁ ଏପର୍ଯ୍ୟନ୍ତ ମୋ’ ଜୀବନରେ କୌଣସି ସ୍ଥାନ ଦେଇନାହିଁ । ମୁଁ ବିଶ୍ଵାସ ଆଡ଼ୁ ଆରମ୍ଭ କରିଛି, ଖିଅ ଲଗାଇବା ଆଡ଼ୁ ହିଁ ଆରମ୍ଭ କରିଛି । କାରଣ, ପରିସ୍ଥିତି ଦ୍ଵାରା ବାଧ୍ୟ ହୋଇ ମୁଁ ହୁଏତ କେବେ ବଦଳିବାକୁ ବାଧ୍ୟ ହେବି ସିନା, ମାତ୍ର ତଦ୍ଦ୍ଵାରା ମୋ’ର ଦ୍ଵାରଟି ଯେ ପ୍ରକୃତରେ କେବେ ଖୋଲିଯାଇ ପାରିବ ଏବଂ ମୋ’ ଭିତରେ ମଧ୍ୟ ତାଙ୍କୁ ସକଳ ପରିବର୍ତ୍ତନର ଅସଲ ବିଧାୟକଙ୍କୁ ମୁଁ ଅନୁଭବ କରି ପାରିବି, ମୁଁ ସେପରି ଆଦୌ ବିଶ୍ଵାସ କରି ପାରୁନାହିଁ ।

 

ହଁ, ଆମକୁ ସମସ୍ତଙ୍କୁ ଏହିପରି ନିର୍ବାଚନ କରିବାକୁ ହିଁ ପଡ଼ିବ । ବାଧ୍ୟ ହୋଇ ସହଯୋଗୀ ହୋଇ ପାରିବାର ଆଦୌ କୌଣସି ପ୍ରଶ୍ନ ହିଁ ଉଠୁନାହିଁ । ସହଯୋଗୀ ଯଦି ହେବି, ତେବେ ମୁଁ ସ୍ଵେଚ୍ଛାରେ ହିଁ ତାହା ହୋଇପାରିବି । ମୋ’ର ପରିବର୍ତ୍ତନରେ ମୋ’ର ମତ ନିଶ୍ଚୟ ରହିଥିବ । ଅର୍ଥାତ୍ ମୋ’ର ପରିବର୍ତ୍ତନ ଉପରେ ମୋ’ର ବିଶ୍ଵାସ ନିଶ୍ଚୟ ରହିଥିବ । ତେବେଯାଇ ମୁଁ ଭବିଷ୍ୟତକୁ ମୋ’ର ବର୍ତ୍ତମାନ ମଧ୍ୟରେ ଯଥାର୍ଥ ଭାବରେ ଅନୁଭବ କରି ପାରିବି । ମୋ’ ନିଜ ବାଟଟି ଉପରେ ତାଙ୍କରି ଇଚ୍ଛାକୁ ଅନୁଭବ କରି ପାରୁଥିବି ।

 

୧୮ । ୯ । ୭୯

 

ତେଣୁ ସହଯୋଗ କରିବାକୁ ହେବ । ସହଯୋଗ କରିବାକୁ ହିଁ ଜାଗ୍ରତ ହୋଇ ଉଠିବାକୁ ହେବ । ଆମେସବୁ ଧରା ନପଡ଼ିବା ବୋଲି ଜାଗ୍ରତ ହୋଇ ରହିଥାଉ । ଆମେ ନିରାପଦ ରହିବାକୁ, ସୁଖରେ ରହିବାକୁ, ଯାବତୀୟ କଷ୍ଟପଙ୍କର ବାହାରେ ରହିବାକୁ ଜାଗ୍ରତ ହୋଇ ରହିଥାଉ । ବିଚ୍ଛିନ୍ନ ହୋଇ, ଆପଣା ଘରଟିରେ ଆପେ କିଳିହୋଇ ରହିବା ବିଷୟରେ ସଦା ଜାଗ୍ରତ ହୋଇ ରହିଥାଉ । ଆମେ ଲୁଚି ଲୁଚି ବୁଲୁଥାଉ । ବିଶ୍ଵ ପାଖରେ ଧରା ଦେବା ତ ଦୂରର କଥା, ଆପଣା ପାଖରେ ମଧ୍ୟ ଧରା ଦେଉନଥାଉ, ଆପଣା ପାଖରୁ ଲୁଚି ଲୁଚି ବୁଲିବାରେ ଲାଗିଥାଉ । କୋଉଠି ଗୋଟିଏ ପାଖରେ ସହଜ ଭାବରେ ଧରା ଦେଲେ ହୁଏତ ଆର ପାଖଟିରେ ଧରା ଦେଇ ପାରିବା ମଧ୍ୟ ସହଜ ହୋଇ ଯାଉଥାଆନ୍ତା । କିନ୍ତୁ ତାହା ହୋଇ ପାରେନାହିଁ । ଏଣେ ଭକ୍ତି ବଢ଼ୁଥାଏ, ପୂଜା ବଢ଼ୁଥାଏ, ଆର୍ତ୍ତତା ବଢ଼ୁଥାଏ, ଅକିଞ୍ଚନତା ଗୁଡ଼ାକ ପ୍ରାୟ ସବୁଠାରୁ ବଡ଼ ଭୂଷଣ ପରି ଆମ ଉପରେ ଲଦିହୋଇ ରହିଥାନ୍ତି ।

 

ନିଜ ଭିତରେ ଯାହା ସର୍ବୋତ୍ତମ, ମୁଁ ତାହାରି ସହିତ ସହଯୋଗ କରିବି । ଗଭୀରକୁ ଅନାଇଲେ ଯେଉଁଠି ଏକ ଅପୂର୍ବ ଆଲୋକ ଦ୍ଵାରା ଆଲୋକିତ ହୋଇ ରହିଥାଏ, ମୁଁ ତାହାରି ସହିତ ସହଯୋଗ କରିବି । ସେହି ଆଲୋକକୁ ସଙ୍ଗୀ କରି ମୁଁ ବିଶ୍ଵ ସହିତ ଆପଣାର ପରିଚୟ ଯୋଡ଼ିବି । ମୋ’ର ପାଚେରୀଗୁଡ଼ାକୁ ଭାଙ୍ଗିଦେଇ, ଭୟଗୁଡ଼ାକୁ ବିଦୂରିତ କରି ମୁଁ ତାଙ୍କରି ସହିତ ସହଯୋଗ କରି ପାରିବି । ମୋ’ର ଯାବତୀୟ ଜାଗରଣ, ଅର୍ଥାତ୍ ଯାବତୀୟ ସଚେତନତା ଏବଂ କ୍ରିୟାଶୀଳତା ମୂଳତଃ ସେହି ସହଯୋଗ ଲାଗି ହିଁ ଉଦ୍ଦିଷ୍ଟ ହୋଇ ରହିଥିବ ।

 

୧୯ । ୯ । ୭୯

 

ଆଲୋକର ପିପାସା, ସତ୍ୟ ଲାଗି ଶ୍ରଦ୍ଧା, –ଏହାହିଁ ତ ଜୀବନ, ଜୀବନ ପରି ଜୀବନ । ଏସବୁ ନଥିଲେ ମୁଁ ମୋ’ର ଜୀବନକୁ ଜୀବନ ବୋଲି ବା କାହିଁକି କହିବି ? ଏଗୁଡ଼ିକ ନଥିଲେ ଏହି ସକାଳଟା ସକାଳ ବୋଲି ବି ଲାଗିବନାହିଁ, ଏହି ସକାଳଟିକୁ ଆଦୌ ସ୍ପର୍ଶ ବି କରି ହେବନାହିଁ, ଏହି ସକାଳକୁ ସାଙ୍ଗ କରି ସମସ୍ତ ବିଶ୍ଵକୁ ସାଙ୍ଗରେ ଧରି ନିଜ ଭିତରେ ନିଜକୁ ବି ସ୍ପର୍ଶ କରି ହେବନାହିଁ । ଶ୍ରଦ୍ଧା ଏବଂ ଆଲୋକ, –ଏହିଗୁଡ଼ିକ ତ ମୋତେ ଦୂରକୁ ନିକଟରୂପେ ଅନୁଭବ କରାଇ ପାରୁଛନ୍ତି ।

 

ଯେତେବେଳେ ମୁଁ ଜୀବନଠାରୁ ପ୍ରକୃତରେ ଅଲଗା ହୋଇଯାଏ, ପ୍ରାୟ ସେତିକିବେଳେ ମୁଁ ସତେଅବା ଗୋଟାଏ କ୍ରୂର ଅପରାଧସଚେତନ ରାକ୍ଷସ ପରି ମୁଁ ଆପଣାକୁ ଶାସନ କରି ବାହାରେ । ସେତେବେଳେ ନିୟମ ଦରକାର ହୁଏ, ନିର୍ମମତା ବି ଦରକାର ହୁଏ । ମାତ୍ର, ଯେତେବେଳେ ଶ୍ରଦ୍ଧା ହିଁ ମୋ’ ଜୀବନର ସର୍ବପ୍ରଧାନ ପ୍ରେରଣା ହୋଇ ରହିଥାଏ, ଯେତେବେଳେ ମୋ’ର ଜୀବନ ଉପରେ ସେହି ଆଲୋକକୁ ପ୍ରବେଶ କରିବା ଲାଗି ମୁଁ ବାଟ ଛାଡ଼ିଦିଏ; ସେତେବେଳେ ନିଜ ଭିତରେ ଯାବତୀୟ ପ୍ରକାରେ ବିଭକ୍ତ ହୋଇ ରହିବାର ଦୁର୍ଭାଗ୍ୟକର ମଧ୍ୟ ଅନ୍ତ ହୁଏ । ଭିତରେ କେଉଁ ଶ୍ରଦ୍ଧାଶୀଳ ଏବଂ ଆଲୋକମୟଙ୍କର ସନ୍ଧାନ ମିଳିଯାଏ । ତା’ ପରେ ହାତରେ ପାଞ୍ଚଣ ଧରି କାହାକୁ ଭଲ ବାଟକୁ ଆସିବାଲାଗି ବାଧ୍ୟ କରିବାକୁ ପଡ଼େନାହିଁ, ନିଜ ଭିତରେ କାହାରି ସହିତ ଝଗଡ଼ା କରିବାକୁ ମଧ୍ୟ ପଡ଼େନାହିଁ । ଯାହା ହେବାର କଥା ତାହା ଭାରି ସହଜରେ ହୁଏ, ସହଯୋଗରେ ହୁଏ, ସଂଯୁକ୍ତ ରହି ତାହା ସମ୍ଭବ ହୁଏ ।

 

୨୦ । ୯ । ୭୯

 

ଯାହା ହେବ ଏହି ପୃଥିବୀରେ ହେବ, ଆମର ଏହି ମନୁଷ୍ୟସମାଜ ଭିତରେ ହେବ, ଆମରି ଜୀବନରେ ହିଁ ସେଗୁଡ଼ିକର ପ୍ରତିଷ୍ଠା ହେବ; ଏକତା, ଜ୍ଞାନ, ଚେତନା ଓ ସତ୍ୟର ପ୍ରତିଷ୍ଠା ହେବ । କେବଳ ଧର୍ମଶାସ୍ତ୍ରରେ କିମ୍ବା କେବଳ ହିମାଳୟ ପର୍ବତ ଉପରେ ସେଗୁଡ଼ାକର ତୁଙ୍ଗ କଳ୍ପନା କରା ଯିବନାହିଁ । ଆମ ଜୀବନରେ ଯାହାର ପ୍ରତିଷ୍ଠା ହେବ, ସେଗୁଡ଼ିକ ଲାଗି ଆମେ ଉଦ୍ୟମ କରିବା । ଆମର ସକଳ ସାଧନା ସେହି ଉଦ୍ୟମ ରୂପେ ହିଁ ଆମ ନିଜନିଜର ଜୀବନରେ ତଥା ଆମର ସାମୂହିକ ସମ୍ବନ୍ଧ ଓ ଅସ୍ପୃହାଗୁଡ଼ିକ ଭିତରେ ପ୍ରତିଭାତ ହୋଇ ଉଠିବ । ତେଣୁ, ଯାହାକିଛି ଏହି ଆଲୋକ, ଶାନ୍ତି, ସତ୍ୟ ଏବଂ ପ୍ରେମର ପ୍ରତିଷ୍ଠାପଥରେ ଅନ୍ତରାୟ ହୋଇ ଠିଆ ହୋଇଛି, ଆମେ ତାହାରି ବିରୋଧ କରିବା । ଅର୍ଥାତ୍, ଏହିସବୁ ବିରୋଧୀ ଉପାଦାନକୁ ଆମେ ଆମ ଜୀବନରେ ଆଦୌ କୌଣସି ସ୍ଥାନ ଦେବାନାହିଁ, ଆମ ଜୀବନର ଦୈନନ୍ଦିନ ରୀତିଗୁଡ଼ାକରେ ମଧ୍ୟ ସେହିସବୁ ଉପାଦାନର ଆଦୌ କୌଣସି ସ୍ଥାନ ରହିବନାହିଁ । ସେଗୁଡ଼ାକ ସହିତ ଆମେ କୌଣସି ସାଲିଶ୍ କରିବାନାହିଁ । ଆମର ସାମୂହିକ ଜୀବନରେ, ଆମର ଅନୁରକ୍ତିଗୁଡ଼ିକରେ ଆମେ ପୁରାତନ ସହିତ ଆଦୌ କୌଣସି ସାଲିଶ୍ କରିବାନାହିଁ । ଯଦି, ଆମେ ଯାହା ଇଚ୍ଛା କରୁଛୁ; ଆମ ଚେତନାରେ ତାହାରି ଏକ ପ୍ରତ୍ୟକ୍ଷ ସ୍ପର୍ଶ ବାଜିଥିବ, ତେବେଯାଇ ଏହିପରି କୌଣସି ସାଲିଶ୍ କରିବାରୁ ରମେ କ୍ଷାନ୍ତ ହୋଇ ରହି ପାରିବା ।

 

୨୧ । ୯ । ୭୯

 

ସତ୍ୟର ବିଜୟ ଲାଗି ମୁଁ ସହଯୋଗ କରିବି, ଅର୍ଥାତ୍ ମୁଁ ଆପଣା ଭିତରେ ମୋ’ ଅହଂର ଇଚ୍ଛାପୂରଣ ଗୁଡ଼ାକ ସକାଶେ ନୁହେଁ, ମାତ୍ର ସତ୍ୟର ବିଜୟ ସକାଶେ ହିଁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ପ୍ରେରିତ ହୋଇ ରହିଥିବି । ମୋ’ ଜୀବନରେ ଅହଂ ଓ ସତ୍ୟ ଭିତରେ ଯେତେଦିନ ଯାଏ ଏକ ଚତୁର ବ୍ୟବଧାନ ରହିଥିବ, ଯେତେଦିନ ଯାଏ ଦୁଇଟି ଭିତରେ ଏକ ବିରୋଧ ଲାଗିରହିଥିବ, ସେପର୍ଯ୍ୟନ୍ତ ମୁଁ ଯେତେ ଯାହା ଉପଚାର ଭିତରେ ଛନ୍ଦିହୋଇ ରହି ଯେତେପ୍ରକାର ପ୍ରଦର୍ଶନ କରୁଥିଲେ ମଧ୍ୟ ମୁଁ ଏତେଟିକିଏ ପରିମାଣରେ ବି ଅସଲ ବିଜୟଟିର କାମରେ ମୋଟେ ଲାଗି ପାରିବିନାହିଁ । ମୋ’ର ଅହଂ ଯେତେବେଳେ ଅନେକ କୁଣ୍ଡଳୀରେ ଆପଣାକୁ ପ୍ରେମରୂପେ, ଶ୍ରଦ୍ଧାରୂପେ, ସଖ୍ୟରୂପେ ଏବଂ ସତ୍ୟର ସହଯୋଗୀ ରୂପେ ସଂପ୍ରସାରିତ କରିଦେଇ ପାରିବ, ସେତେବେଳେ ଯାଇ ମୁଁ ଏକ ଯଥାର୍ଥ ନିମିତ୍ତ ହୋଇ ଯୋଗ୍ୟତା ଅର୍ଜନ କରି ପାରିବି ।

 

ଅର୍ଥାତ୍, ସହଯୋଗ କରିବାର ଅସଲ ଅର୍ଥ ହେଉଛି ନିମିତ୍ତ ହେବା । ନିମିତ୍ତ ହେବାର ଅର୍ଥ ହେଉଛି ନିର୍ଭୟ ହେବା । ନିର୍ଭୟ ହେବାର ଅର୍ଥ ହେଉଛି ନିଜପାଇଁ କିଛି ନମାଗିବା, ନିଜର ଅତୃପ୍ତି ଗୁଡ଼ାକୁ ନେଇ ରୋଦନ ନକରିବା, ନିଜକୁ ଭାଗ୍ୟହୀନ ବା ବଞ୍ଚିତ ବୋଲି ମନେ ନକରିବା । ନିର୍ଭୟ ହେବାର ଅର୍ଥ ହେଉଛି ସହଜ ହେବା, ସ୍ଵାଭାବିକ ହେବା, ହୃଦୟର ସହିତ ବଞ୍ଚିବା । ନିଜ ଭିତରେ ଯେଉଁଠି ସ୍ପର୍ଶ କରିପାରିଲେ ସମସ୍ତ ବିଶ୍ଵକୁ ସ୍ପର୍ଶ କରୁଥିଲା ପରି ମନେହୁଏ, ସେହିଠାରେ ହିଁ ପ୍ରତିଷ୍ଠିତ ରହି ଆପଣାର ଜୀବନଟିକୁ ବଞ୍ଚିବା ।

 

୨୨ । ୯ । ୭୯

 

ଜୀବନ ତାଙ୍କୁ ଖୋଜେ । ଜୀବନ ତା’ର ଗଭୀରତାକୁ ଖୋଜେ, ତା’ର ନିକଟତମ ଓ ଉଚ୍ଚତମକୁ ଖୋଜେ । ତା’ର ସର୍ବୋତ୍ତମ ଓ ପ୍ରିୟତମକୁ ଖୋଜେ । ଏବଂ ଆପଣା ଭିତରେ ଆଗ ତାହାରି ସ୍ପର୍ଶ ପାଏ । ସେହି ସ୍ପର୍ଶଟିକୁ ନିଜ ଚକ୍ଷୁରେ ଭରି ଯେତେବେଳେ ସେ ସଂସାରକୁ ଦେଖେ, ସେତେବେଳେ ସେ ସବୁକିଛିକୁ ଅନ୍ୟ ପ୍ରକାରେ ଦେଖେ । ମାୟା ବୋଲି ସେତେବେଳେ ଆଉ କିଛି ରହେନାହିଁ, ସେତେବେଳେ ସବୁକିଛି ଆପଣାର ହୋଇଯାଏ, ସବୁକିଛି ସତ୍ୟରେ ପରିଣତ ହୋଇଯାଏ । ସେହି ଗଭୀରତମ ଏବଂ ସର୍ବୋତ୍ତମଙ୍କୁ ଖୋଜିବା ହେଉଛି ଜୀବନ ।

 

ସେହି ଅନ୍ଵେଷିତ ଅର୍ଥାତ୍ ଅଭୀଷ୍ଟଙ୍କୁ ଉପଲବ୍‌ଧି କଲେ ହିଁ ଜୀବନ ସାର୍ଥକ ହୁଏ । ଆମେ ଜୀବନରେ ଜୀବନ ମଧ୍ୟଦେଇ ଯାହା ଖୋଜୁଥାଉ, ତାହା ଆମକୁ ମିଳିଯାଏ । ଆମେ ସାନ୍ନିଧ୍ୟ ଖୋଜୁଥାଉ, ଆମେ ଗଭୀରତା ଖୋଜୁଥାଉ, ଦୂରକୁ ଅତ୍ୟନ୍ତ ନିକଟ କରି ପାଇବୁ ବୋଲି ଖୋଜୁଥାଉ–ଏହି ଯାବତୀୟ କ୍ଷଣିକତା ମଧ୍ୟରେ ଆମେ ଚିରନ୍ତନତା ଖୋଜୁଥାଉ, ଯାହାର ମାଧ୍ୟମରେ କି ଆମେ ଏଠାରେ ଆମର ସାନ ବଡ଼ ଯାବତୀୟ କଥାର ଏକ ବିପୁଳତାର ସ୍ପର୍ଶ ଲାଭ କରିପାରିବା । ସେତେବେଳେ ଆମର ଆଖି ତାଙ୍କରି ଆଖିରେ ପରିଣତ ହୋଇ ପାରିବ, ଆମରି ଇଚ୍ଛା ତାଙ୍କରି ଇଚ୍ଛାରେ ପରିଣତ ହୋଇ ପାରିବ । ଆମର ସାନବଡ଼ ସକଳ ଶ୍ରଦ୍ଧା ତାଙ୍କର ଶ୍ରଦ୍ଧାରେ ପରିଣତ ହୋଇଯିବ । ସମସ୍ତ ଜୀବନ ସତେଅବା ଏକ ଆଶୀର୍ବାଦ ପରି ଲାଗିବ । ଏହି ଆକାଶ ଓ ପୃଥିବୀ ମଧ୍ୟରେ ରହିଥିବା ଶୂନ୍ୟଗୁଡ଼ାକ ସତେଅବା ଠିକ୍ ଆପଣାର ଘର ପରି ପୂର୍ଣ୍ଣ ହୋଇ ଉଠିବ; ଶ୍ରଦ୍ଧାରେ, ବ୍ୟଞ୍ଜନାରେ ଓ ନୈକଟ୍ୟରେ ପୂର୍ଣ୍ଣ ହୋଇ ଉଠିବ ।

 

୨୩ । ୯ । ୭୯

 

ଅଭିଳାଷ ସହିତ ଯେତେବେଳେ ଆଧ୍ୟାତ୍ମିକତା ଆସି ମିଶେ, ସେତିକିବେଳେ ଅଭିଳାଷ ଅଭୀପ୍‌ସାରେ ପରିଣତ ହୁଏ । ଗୁରୁଜନ ନୀତିବାଦୀମାନେ ବାସନାରୁ ସମସ୍ତ ଖିଅକୁ କଟାଇ ଆସିବାକୁ ଉପଦେଶ ଦେଇଥାନ୍ତି । ବାସନାମୁକ୍ତି ହୋଇଗଲେ କୁଆଡ଼େ ସବୁ ହୋଇଯିବ ବୋଲି ସେମାନେ ଆମକୁ କେତେ ପରାମର୍ଶ ଦେଇଥାନ୍ତି । ବାସନାରୁ ସବୁ ଖିଅ କାଟିଦେଲେ ନିର୍ମମ ହୁଏ, ନୃଶଂସ ହୁଏ । ନିଜର କୌଣସି ଚେର ନଥିବାର ଦୁର୍ଦ୍ଦଶାକୁ ଭୁଲିବାଲାଗି ସେ ନିତ୍ୟ, ଅନାଦି, ଅନନ୍ତ ଓ ଅବିକଳ୍ପଙ୍କ ଭିତରେ ବିଚରଣ କରୁଥାଏ ବୋଲି କେତେ କହିବାରେ ଲାଗିଥାଏ । ଏଗୁଡ଼ାକୁ ନେଇ ପୁଣି ଶାସ୍ତ୍ର ମଧ୍ୟ ଲେଖାଯାଏ ।

 

ବାସନା ରହିବ । ଶିଶୁର ମନଟି ବୁଢ଼ା ହେବାଯାଏ ବଞ୍ଚି ରହିଥିବ । କିନ୍ତୁ ଆଧ୍ୟାତ୍ମିକ ଭୂମି ଉପରେ ତାହା ସମ୍ଭବ ହୋଇ ପାରୁଥିବ । ମୋ’ ନିଜ ଭିତରେ ସବା ମୂଳରେ ଯେଉଁ ଭୂମିଟି ରହିଛି, ଯେଉଁଠାରେ ଏହି ଜଗତର ସବୁକିଛି ସହିତ ମୋ’ର ଖିଅଟି ଲାଗି ରହିଛି, ବାସନାଗୁଡ଼ାକ ସେଇଠି ରହିଥିବା ଦରକାର । ଏହି ଭିତ୍ତିଟିକୁ ଏଡ଼ାଇ ଦେବାକୁ ହିଁ ଆମେ ଅନେକ ସମୟରେ ଆମ ବାସନାଗୁଡ଼ାକୁ ବଡ଼ ବିଚ୍ଛିନ୍ନ ଭାବରେ ବଞ୍ଚିବାକୁ ଚେଷ୍ଟା କରୁଥାଉ ଓ ନିରାଶ ହେବାରେ ଲାଗିଥାଉ । ବାସନାମାନେ ଚେରଛିଣ୍ଡା ହୋଇ ଆମକୁ ଆମ ନିଜଠାରୁ, ଆମ ନିଜ ଜୀବନର ସମ୍ଭାବନାଗୁଡ଼ିକ ଠାରୁ ଓ ଆମ ଜୀବନର ଅସଲ ଉଦ୍ୟାନଟିରୁ ଆମକୁ କୁଆଡ଼େ ଉଡ଼ାଇ ହୁଡ଼ାଇ ନେଇଯାଆନ୍ତି । ତା’ ପରେ ଜୀବନଟା କେବଳ କେତେଟା ପୌତ୍ତଳିକତା ମଧ୍ୟରେ ହିଁ ଅତି ବିକଳ ଓ ଅତ୍ୟନ୍ତ ଦରିଦ୍ର ଭାବରେ ଗୁରାଇ ତୁରାଇ ହୋଇ ରହିଥାଏ । ତେଣୁ, ଅସଲ ଭୂମିଟିକୁ ଧରି ରଖିପାରିଲେ ହିଁ ବାସନାଗୁଡ଼ିକ ଆମକୁ ଆମର ଅସଲ ଉତ୍ତରଣଟିରେ ମଧ୍ୟ ବନ୍ଧୁପରି ସାହାଯ୍ୟ କରିଥାନ୍ତି ।

 

୨୪ । ୯ । ୭୯

 

Unknown

ଆମେ ଯେତେବେଳେ କୌଣସି ବାଣୀକୁ ଆପଣାର ଜୀବନରେ ପଢ଼ିବାକୁ ସମର୍ଥ ହେବା, ସେତେବେଳେ ଆମେ ସେଇଟିକୁ ବଞ୍ଚି ମଧ୍ୟ ପାରିବା । ଯେତେବେଳେ ତାହାକୁ ଶ୍ରଦ୍ଧା ଦେଇ ଶିଖିବା, ଆପେ ଆପଣାର ସମ୍ମୁଖୀନ ହେବାର ଆଗ୍ରହ ନେଇ ତାହାକୁ ଦେଖି ଶିଖିବା, ସେତେବେଳେ ତାହା ଆମ ଜୀବନର ଏକ ଅଂଶରେ ପରିଣତ ହୋଇ ପାରିବ । ପ୍ରତ୍ୟେକ ଅସଲ ସନ୍ଦେଶକୁ ଆମେ କେବଳ ନିଜ ଭିତରେ ହିଁ ଅନୁଭବ କରିପାରୁ । ବହିମାନଙ୍କରେ ଅନେକ ବାଣୀ ଲେଖା ହୋଇ ରହିଥାଏ, ଅନେକ ସନ୍ଦେଶ ଆମର ଏ କାନ ଭିତରେ ପଶି ହୁଏତ ସେ କାନରେ ବାହାରି ଯାଉଥାଏ । ଆମକୁ ଭଲ ଲାଗୁଥାଏ, ଅଭିଭୂତ ବି କରି ଦେଉଥାଏ; କିନ୍ତୁ ଆମକୁ ତାହା କୌଣସି ପ୍ରକାରେ ଅନୁସିକ୍ତ କରିଦେଇ ପାରେନାହିଁ । ଯେଉଁ ସନ୍ଦେଶଟି ସକାଶେ ଆମ ଭିତରେ ଏକ ଆଗ୍ରହଭୂମି ସୃଷ୍ଟି ହୋଇଥାଏ, ଆମକୁ ତାହାହିଁ ଅସଲ ବାଣୀ ପରି ଲାଗେ । ଆମେ ସତେଅବା ଅନେକ ଦିନରୁ ଯେଉଁ ବିଶେଷ ବାଣୀଟିକୁ ଖୋଜି ବୁଲୁଥିଲୁ, ସେଇଟି ଆମକୁ ମିଳିଯାଏ; ଯେଉଁ ବିଶେଷ ସାନ୍ନିଧ୍ୟଟିକୁ ଖୋଜି ବୁଲୁଥିଲୁ ସେଇଟି ମିଳିଯାଏ ।

 

ଏବଂ ତା’ପରେ ଶୁଣିବା ଏବଂ ବଞ୍ଚିବା ମଧ୍ୟରେ ଆଉ କୌଣସି ବ୍ୟବଧାନ ରହେନାହିଁ । ନିଜର ଜୀବନରେ ସତେଅବା ଗୋଟିଏ କେନ୍ଦ୍ର ମିଳିଯାଏ । ନିଜ ଭିତରେ ନିଜର କେନ୍ଦ୍ରଟି ମିଳିଯାଏ-। ଏବଂ, ସେହି କେନ୍ଦ୍ରଟିରେ ହିଁ ଆମର ଲବ୍‌ଧ ବାଣୀଟି ମଧ୍ୟ ଲିପିବଦ୍ଧ ହୋଇ ରହିଥାଏ । ଆମେ ଯାହାକୁ ବାହାରୁ ପଢ଼ିଥିଲୁ ବା ବାହାରୁ ଶୁଣିଥିଲୁ, ସେଇଟିକୁ ଆମେ ନିଜ ଭିତରେ ବି ପଢ଼ିବାକୁ ଆରମ୍ଭ କରୁ ତା’ପରେ ବହିଗୁଡ଼ାକ ବି ଜୀବନ୍ତ ଲାଗେ, ନିଜର ଆଗ୍ରହଗୁଡ଼ାକ ହିଁ ଅସଲ ଆଗ୍ରହ ପରି ମନେହୁଏ । ଜୀବନରେ ଏକ ନୂତନ ଗ୍ରହଣଶୀଳତା ଅର୍ଥାତ୍ ଶ୍ରଦ୍ଧା ସମ୍ଭବ ହୋଇଯାଏ-

 

୨୫ । ୯ । ୭୯

 

ଯେଉଁ ସ୍ଵାଧୀନତା ଦ୍ଵାରା ମୋ’ର ଭିତର ସହିତ ଖିଅ ଛିଡ଼ିଯାଏ, ସେହି ସ୍ଵାଧୀନତା ସ୍ଵାଧୀନତା ନୁହେଁ । ଯେଉଁ ସ୍ଵାଧୀନତା ମୋତେ ମୋ’ ନିଜ ଘରୁ ବାହାର କରିନିଏ, ମୋତେ ଖଣ୍ଡେ ମୂଲ୍ୟହୀନ ଡାଳରେ ପରିଣତ କରି ମୋ’ ଅକ୍ତିଆର ବାହାରେ କୁଆଡ଼େ ଉଡ଼ାଇ ଉଡ଼ାଇ କ୍ଳାନ୍ତ କରି ରଖିଥାଏ, ତାହା ସ୍ଵାଧୀନତା ନୁହେଁ ।

 

ଭିତରେ ମୁକ୍ତି ପାଇଲେ ଯାଇ ମୁଁ ବାହାରେ ବି ମୁକ୍ତ ହୋଇପାରିବି । ଆଗ ଭିତରେ ନିର୍ଭୟ ହେଲେ ସିନା ବାହାରର ଏକ ସକଳ ବସ୍ତୁ ଓ ସକଳ ସଂସାରର ସମ୍ପର୍କରେ ଆସିବା ସମୟରେ ମୁଁ ନିଜ ଭିତରେ ଏକ ଯଥାର୍ଥ ଆନନ୍ଦ ଅନୁଭବ କରି ପାରିବି । ଭିତରେ ସ୍ଵାଧୀନତା ପାଇବାର ଅର୍ଥ କ’ଣ, ସେକଥା ମୁଁ ମୋଟେ ବୁଝାଇ କରି କହି ପାରିବି ନାହିଁ । କିନ୍ତୁ ମୁଁ ଭଲ କରି ଜାଣିଛି ଯେ, ମୁଁ ଯେତେବେଳେ ନିଜ ଭିତରେ ଭୀରୁ ହୋଇ ରହିଥାଏ, ଯେତେବେଳେ ମୁଁ ସମ୍ପୂର୍ଣ୍ଣ ଭାବେ ନିଜେ ନିଜର ସମ୍ମୁଖୀନ ହୋଇ ନପାରେ, ଯେତେବେଳେ ମୁଁ ନିଜକୁ ସାମନା କରି ନପାରି ଆଉ କୁଆଡ଼େ ପଳାଇ ଯିବାକୁ ଆତୁର ହେଉଥାଏ, ସେତିକିବେଳେ ବାହାରେ ମଧ୍ୟ ମୁଖା ପିନ୍ଧିବାକୁ ମନ ହୁଏ । ସେତେବେଳେ ବାହାରେ ମଧ୍ୟ ମୁଁ ଲୁଚି ଲୁଚି ବୁଲୁଥାଏ, ବାହାରେ ଲୁଚି ରହିବାର ଫିକରରେ ହିଁ ମୁଁ ନିଜର ସବୁଯାକ ଶକ୍ତି ସାରିବାରେ ଲାଗିଥାଏ । ତେଣୁ ଖାଲି ବାହାରେ ନାନାଭାବେ ନିଜକୁ ସକ୍ରିୟ ଓ ସଚେତନ କରି ରଖିଲେ ସ୍ଵାଧୀନତା ବଢ଼େନାହିଁ । ଭିତରେ ସ୍ଵାଧୀନ ହୋଇ ପାରିଲେ ଯାଇ ବାହାରେ ମଧ୍ୟ ସ୍ଵାଧୀନତା ମିଳେ । ଭିତରେ ଦାସ ଓ ଭୀରୁ ହୋଇ ରହିଥିବା ପର୍ଯ୍ୟନ୍ତ ବାହାରେ ଆପଣାର ମୁହଁଟାକୁ ଦେଖାଇବାକୁ ମଧ୍ୟ ଲଜ୍ଜା ଲାଗେ । ଭୟ ବି ଲାଗେ ।

 

୨୬ । ୯ । ୭୯

 

ଏସବୁ ଅହଙ୍କାର ଓ ଅଭିମାନ, ଏହିସବୁ ବିରାଗ ଏବଂ ବିଚ୍ଛିନ୍ନତାର ଅନେକ ଗଭୀରରେ ମୋ’ ଭିତରେ ଯାହା ରହିଛି, ତାହାହିଁ ମୋ’ର ଆତ୍ମା । ଆପଣାର ଏହି ବାଡ଼ଗୁଡ଼ିକୁ ଡେଇଁ ଉପରକୁ ଉଠିଗଲେ ଯେଉଁ ସ୍ତରକୁ ଆସି ମୁଁ ସବୁକିଛି ଭିତରେ ଆପଣାକୁ ଯୁକ୍ତ ହୋଇ ରହିଥିବାର ଅନୁଭବ କରିଥାଏ, ତାହାହିଁ ହେଉଛି ମୋ’ର ଆତ୍ମା । ସେହି ଆତ୍ମାଟିକୁ ଆବିଷ୍କାର କରିବାର ଅର୍ଥ ହେଉଛି ଆପଣାକୁ ସମଗ୍ର ଭାବରେ ଆବିଷ୍କାର କରିବା, ଯୁକ୍ତ ହୋଇ ରହିଥିବା ଏହି ସବୁଟି ସହିତ ଆପଣାକୁ ଆବିଷ୍କାର କରିବା । ସେହି ଆତ୍ମା ସହିତ ସମ୍ମିଳିତ ହୋଇ ରହିବାକୁ ହୁଏ । ଅର୍ଥାତ୍, ନିଜ ଭିତରେ ଯେଉଁଠାରେ ମୁଁ ସମସ୍ତଙ୍କ ସହିତ ଯୁକ୍ତ ହୋଇ ରହିଛି, ସେହିଠାରେ ହିଁ ସଚେତନ ଭାବରେ ଜୀବନ ବଞ୍ଚିବାକୁ ହୁଏ । ନିଜର ଯଥାର୍ଥ ସ୍ତରଟିରୁ ହିଁ ଜୀବନକୁ ବଞ୍ଚିବାକୁ ହୁଏ ।

 

ଯେଉଁଟି ସହିତ ମୁଁ ସମ୍ମିଳିତ ହୋଇ ରହିବି, ଭୟରେ ନୁହେଁ କି ଦ୍ଵିଧାରେ ନୁହେଁ, ଆପଣାର ସ୍ଵାଭାବିକ ଖୁସୀରେ ମୁଁ ଯେଉଁଠାରେ ଆପଣାର ଗଭୀରତମ ଗ୍ରହଣଶୀଳତା ଗୁଡ଼ିକ ସହିତ ସଂଯୁକ୍ତ ହୋଇ ରହିଛି, ତାହାହିଁ ମୋ’ର ଜୀବନର ସାନ ବଡ଼ ସବୁକିଛିକୁ ଶାସନ କରିବ । ନିଜର କୌଣସି ଅହଙ୍କାର ଅଥବା ବିରାଗକୁ ନେଇ ମୁଁ ସେହି ଆତ୍ମାଟିର ଦ୍ଵାରକୁ ବନ୍ଦ କରି ରଖିବାର ଧୃଷ୍ଟତା କେବେହେଲେ କରିବି ନାହିଁ । ସେତେବେଳେ ବଞ୍ଚିବାର ସମସ୍ତ ଭୟ ବିଦୂରିତ ହୋଇଯିବ ଏବଂ ସେତିକିବେଳେ ଯାଇ ଯଥାର୍ଥ ସ୍ଵାଧୀନତାର ଅଧିକାର ମଧ୍ୟ ମୋତେ ମିଳିପାରିବ-। ଏହି ସ୍ଵାଧୀନତା ମୋତେ ମୋ’ର ଭିତରୁ ମିଳିବ, ମୋ’ ନିଜ ଘରେ ମୋତେ ମିଳିବ ଓ ମୋ’ର ଯାବତୀୟ ମାର୍ଗରେ ମୋ’ର ସାଥୀ ହୋଇ ରହିଥିବ ।

 

୨୭ । ୯ । ୭୯

 

ସବୁଟି ବିଷୟରେ ଏକାବେଳେକେ ସଚେତନ ହୋଇ ପାରିବା, ଅର୍ଥାତ୍ ତାଙ୍କରି ବିଷୟରେ ସଚେତନ ହେବା । କାରଣ ସେ ଏକାବେଳେକେ ସବୁଟି ଭିତରେ ରହିଛନ୍ତି । ଆମେ ତାଙ୍କୁ ସେଠି ଦେଖିବାପାଇଁ ଏଠୁ ବାହାର କରି ନେବାର ଏକ ପ୍ରୟୋଜନ ବାହାର କରିଥାଉ । ଏହି ହିସାବରେ ଆମେ ତାଙ୍କୁ ଖଣ୍ଡିଆ କରି ରଖିଥାଉ । ଆମେ ଯେଉଁଭଳି ଆପଣା ଭିତରେ ଖଣ୍ଡିଆ ହୋଇ ରହିଛୁ ଠିକ୍ ସେହିପରି । ତାଙ୍କରି ମଧ୍ୟଦେଇ ଆମ ଜୀବନରେ ସମଗ୍ର ଜୀବନଟି ସହିତ ଯେଉଁ ସେତୁଟି ଲାଗି ରହିଛି, ସେହି ସେତୁଟିକୁ ମୁଁ ସକଳ ମୁହୂର୍ତ୍ତରେ ଅନୁଭବ କରି ପାରୁଥିବି ।

 

ଏହି ସବୁଟିକୁ ଛାଡ଼ି ମଣିଷ ଅନେକ ସମୟରେ ତାଙ୍କୁ ଜାଣିବାର ପ୍ରୟାସ କାହିଁକି କରିବାକୁ ଯାଏ ? କାରଣ ନିଜର ସବୁ ବାଡ଼ ଭାଙ୍ଗି ଯାଉ, ଏହି ବିଷୟରେ ତା’ର ଅନେକ ଭୟ ରହିଥାଏ । ସବୁଟି ସହିତ ସଂଯୁକ୍ତ ହୋଇ ରହି ଆମେ ସତେଅବା ଏକାବେଳେକେ ବିଲୁପ୍ତ ହୋଇଯିବୁ ବୋଲି ଭୟ କରୁଥାଉ । ଆମର ସାନ ସାନ ପାଚେରୀଗୁଡ଼ିକ ଭିତରକୁ ହିଁ ଆମେ ତାଙ୍କୁ ଟାଣି ଆଣିବାକୁ ଇଚ୍ଛା କରୁଥାଉ । ଏଇଟା ହେଉଛି ଏକ ଅହଙ୍କାର । ତାଙ୍କୁ ଆପଣାର ସମ୍ପତ୍ତି କରି ରଖିବାର ଏକ ଅହଙ୍କାର । ଏଇଟା ପୁରୁଣା ସଂସ୍କାର, ଉପରର ଯାବତୀୟ ଆଧୁନିକ ସାଜସଜ୍ଜା ସତ୍ତ୍ୱେ ଆମଭିତରେ ରହିଥିବା ପୁରୁଣା ସଂସ୍କାର । ଏହି ସଂସ୍କାର ଗଲେ ଯାଇ ତାଙ୍କ ସହିତ କୌଣସି ଯୋଗସୂତ୍ର ସ୍ଥାପନ କରିବା ସମ୍ଭବ ହେବ । ଅର୍ଥାତ୍, ଆପଣାର ପାଚେରୀଗୁଡ଼ିକରୁ ନିଜର ମାୟା ତୁଟିଲେ ଯାଇ ଆପଣାର ଅସଲ ଖିଅଗୁଡ଼ିକୁ ଯୋଡ଼ିହେବ ।

 

୨୮ । ୯ । ୭୯

 

ପ୍ରସ୍ତୁତିର ଅନ୍ୟ ନାମ ଦୃଢ଼ ପ୍ରତ୍ୟୟ । ସେହି ମୁହୂର୍ତ୍ତଟି ମୋ’ରି ଭିତରେ କେତେ କାଳ ଧରି ଅପେକ୍ଷା କରି ରହିଛି, ସେହି ମୁହୂର୍ତ୍ତଟି ମୋ’ରି ଘରେ ମୋ’ ଲାଗି କେତେ କାଳ ଧରି ଅପେକ୍ଷା କରି ରହିଛି । ମୋ’ ସମାଜରେ ଓ ଏହି ସମଗ୍ର ସଂସାରରେ ସେହି ମୁହୂର୍ତ୍ତ ମୋ’ରି ଲାଗି ହିଁ ଅପେକ୍ଷା କରି ରହିଛି । ଆପଣାର ଯାବତୀୟ ଅବସରରେ ଏହି ସତ୍ୟଟିକୁ ଅନୁଭବ କରିବା ହିଁ ପ୍ରସ୍ତୁତି ।

 

ଦିବ୍ୟ ମୁହୂର୍ତ୍ତ ବୋଲି ଖାସ୍ କିଛି ନାହିଁ । କାରଣ, ଅଦିବ୍ୟ ମୁହୂର୍ତ୍ତ ବୋଲି ମଧ୍ୟ ଖାସ୍ କିଛି ନାହିଁ । ମୁଁ ଆଖି ଖୋଲି ଅନାଇଲେ ଆଲୋକ, ଆଖି ବୁଜି ବସିଥିଲେ ଅନ୍ଧାର । ଭିତରକୁ ହେଉ କିମ୍ବା ବାହାରକୁ ହେଉ, ଆଖି ବୁଜିଥିଲେ ଅନ୍ଧାର, ଆଖି ଖୋଲିପାରିଲେ ଆଲୁଅ । ଆଖି ଖୋଲି ଯଥାର୍ଥ ଭାବରେ ଅନାଇ ପାରିଲେ ସବୁ ନିଜର, ସବୁ ଆପଣାର । ମାତ୍ର, ଆଖି ବୁଜିଦେଇ ସତେଅବା ଆପଣା ଲାଗି ଏକ ଅଲଗା କନ୍ଦି ଖୋଜିନେଇ ସେଇଠି ଦର୍ପଭରେ ବସି ରହିବାର ଫିକର କରୁଥିଲେ ମୋ’ର ଭିତରେ ଆଉ ଆଉ ବାହାର ସବୁକିଛି ଅନ୍ଧାର । ଏହି ଅନ୍ଧାର ଏହି ଦୃଷ୍ଟିରୁ ଦେଖିଲେ ମୋଟେ ତାଙ୍କର ମାୟା ନୁହେଁ । ଏହା ମୋ’ରି ଇଚ୍ଛା, ବାଡ଼ ପକାଇ ରହିବାର ଇଚ୍ଛା, ଦୂରରେ ରହି ଆତ୍ମଗୋପନ କରିବାର ଇଚ୍ଛା, ଅଳପ ହୋଇ ସେହି ଅଳ୍ପତାର ଦର୍ପରେ ବଡ଼ ହୋଇ ଦେଖାଯିବାର ଏକ ବିଚିତ୍ର ଇଚ୍ଛା । ମୁଁ ପ୍ରସ୍ତୁତ ହେବି, ଅର୍ଥାତ୍ ଦୂରଗୁଡ଼ାକୁ ନିକଟ କରିଆଣିବି-। ମୋ’ ଆପଣା ଭିତରେ ବି କେତେ କ’ଣ ସତେଅବା କେତେ ଦୂର ହୋଇ ରହିଛି, ମୁଁ ସତେଅବା ଜାଣି ଜାଣି ସେଗୁଡ଼ାକୁ ବନ୍ଦ କରି ରଖିଛି । ମୁଁ ସେଗୁଡ଼ାକୁ ଖୋଲିଦେବି । ବିଶ୍ଵାସର ସହିତ ଖୋଲିଦେବି । ତାହାହିଁ ପ୍ରସ୍ତୁତି, ତାଙ୍କରି ମୁହୂର୍ତ୍ତଟି ଲାଗି ପ୍ରସ୍ତୁତି ।

 

୨୯ । ୯ । ୭୯

 

ସତ୍ୟର ପରମ ମୁହୂର୍ତ୍ତଟି ଆସି ମୋ’ ଦ୍ଵାରରେ ଉପସ୍ଥିତ ହୋଇଛି । ସେହି ସତ୍ୟ ହିଁ ବର୍ତ୍ତମାନ ସଂସାରକୁ ଶାସନ କରିବ । ଏହି ସଂସାର ମଧ୍ୟରେ ହିଁ ସେହି ସତ୍ୟ ଆପଣାକୁ ପରିପୂର୍ଣ୍ଣ କରିବ । ଆମେ ସମସ୍ତଙ୍କର ଜୀବନକୁ ତାହାହିଁ ଶାସନ କରିବ ଅର୍ଥାତ୍ ଆମ ସମସ୍ତଙ୍କର ଜୀବନକୁ ପରିପୂର୍ଣ୍ଣ କରିଦେବାକୁ ଆସିବ । ସେହି ମୁହୂର୍ତ୍ତଟି ଏଥର ଆସନ୍ନ ହୋଇ ଆସିଲା । ମୋ’ ଆପଣା ଭିତରେ ମଧ୍ୟ କେହି କେହି ଆସନ୍ନ ହୋଇ ଆସୁଥିବାର ସମ୍ବାଦଟିକୁ ପାଇ ସାରିଲାଣି । ଏଥର ଦ୍ଵାର ଫିଟିବାକୁ ଆଉ ମୋଟେ ଡେରି ହେବନାହିଁ, ତା’ର ପ୍ରବେଶ କରିବା ମଧ୍ୟ ଡେରି ହେବନାହିଁ ।

 

ତାହାର ସେହି ଆସିବାଟିକୁ ମୁଁ ଆହୁରି ସତ୍ଵର କରିଦେଇ ପାରିବି । ମୋ’ ନିଜର ଖୁସୀ ଦ୍ଵାରା ନିଜ ବିଶ୍ଵାସ ଦ୍ଵାରା ଏବଂ ଆପଣାର ସଂପ୍ରସାରଣ ଦ୍ଵାରା ମୁଁ ସେହି କାର୍ଯ୍ୟଟିକୁ ଅବଶ୍ୟ କରିପାରିବି । ଅନେକ ଲୋକ ଭାବନ୍ତି ଯେ, ତାଙ୍କଠାରୁ ଗୁଡ଼ାଏ କିଛି ପାଇବାଲାଗି ଏହା ହେଉଛି ଏକ ଅପୂର୍ବ ସୁଯୋଗ । ସେଥିଲାଗି ସେମାନେ ସିଏ ଦଣ୍ଡେ ଘଡ଼ିଏ ଅଟକି ରହିବେ ବୋଲି ହୁଏତ ମନ୍ଦିର ତୋଳିବାକୁ ବି ମନ କରୁଛନ୍ତି । କିନ୍ତୁ ଆମର ମନ୍ଦିର ତୋଳିବା ଉପରେ ତାଙ୍କ ଆସିବା ମୋଟେ ନିର୍ଭର କରୁନାହିଁ । ମୋ’ର ପ୍ରସ୍ତୁତ ହେବା ଉପରେ, ସମ୍ମତ ହେବା ଉପରେ ହିଁ ତାହା ସର୍ବପ୍ରଥମେ ନିର୍ଭର କରୁଛି । ତେଣୁ, ମନ୍ଦିର ତିଆରି କରି ତାଙ୍କୁ ଅଟକାଇ ରଖିବାର ଯାବତୀୟ ଫିକର ଛାଡ଼ି ଯଦି ମୁଁ ଆପଣାକୁ ପ୍ରସ୍ତୁତ କରି ରଖିବି; ଆପଣାର ବାଡ଼ଗୁଡ଼ାକୁ ଭାଙ୍ଗି ଦେବି ଏବଂ ବିଚ୍ଛିନ୍ନତାର ନାନା ଭୟକୁ ମଧ୍ୟ ଭାଙ୍ଗି ଦେବି, ତେବେ ମୁଁ ଆସନ୍ନ ସତ୍ୟକୁ ମୋ’ ଜୀବନର ଆହୁରି ଅଧିକ ନିକଟବର୍ତ୍ତୀ କରିଆଣି ପାରିବି ।

 

୩୦ । ୯ । ୭୯

 

ତାଙ୍କୁ ହିଁ ଦେଖିବା, ତାଙ୍କରି କଥା ହିଁ ଶୁଣିବା, ତାଙ୍କୁ ହିଁ ଅନୁଭବ କରିବା, ତାଙ୍କରି କାର୍ଯ୍ୟ କରିବା ଅର୍ଥାତ୍ ଆପଣାର ଯାବତୀୟ କାର୍ଯ୍ୟକୁ ତାଙ୍କରି କାର୍ଯ୍ୟର ସ୍ତରକୁ ଉତ୍ତୋଳିତ କରି ନେଇଯିବା, –ଏସବୁ ସେତିକିବେଳେ ସମ୍ଭବ ହେବ, ଯେତେବେଳେ କି ମୁଁ ତାଙ୍କୁ ଆପଣାଠାରୁ ଅଭିନ୍ନ ବୋଲି ଅନୁଭବ କରିବି ଅଭିନ୍ନରୂପେ ଦେଖିବି ଓ ଅଭିନ୍ନରୂପେ ଶୁଣିପାରିବି । ସାରା ସଂସାରକୁ ଅନାଇ ଦେବା ମାତ୍ରକେ ମୁଁ ତାହାଙ୍କୁ ହିଁ ଦେଖୁଥିବି, ଶୁଣୁଥିବି ଓ ଅନୁଭବ କରି ପାରୁଥିବି-। ଏଗୁଡ଼ାକ କେବଳ ଗୋଟାଏ ଗୋଟାଏ ବାକ୍ୟ ନୁହେଁ ବା ସୁନ୍ଦର ଶାସ୍ତ୍ରକଥା ନୁହେଁ, –ଏଗୁଡ଼ିକ ଗୋଟିଏ ଗୋଟିଏ ସତ୍ୟ, ଏହି ମୁହୂର୍ତ୍ତର ବି ସତ୍ୟ, ମୋ’ ଜୀବନର ବି ସତ୍ୟ ।

 

ସେହି ପରମ ସତ୍ୟ ମୋ’ର ଜୀବନର ସତ୍ୟରେ ପରିଣତ ହେବ । ଅର୍ଥାତ୍, ମୋ’ ଜୀବନର ସବୁଯାକ ସତ୍ୟସୂତ୍ର ମୁଁ ସମସ୍ତ ଭୁବନ ମଧ୍ୟଦେଇ ଛନ୍ଦିହୋଇ ଆଲୋଡ଼ିତ କରି ରହିଥିବାର ଅନୁଭବ କରି ପାରିବି । ସମସ୍ତ ସଂସାର ସହିତ ମୁଁ ସହସ୍ପନ୍ଦିତ ହୋଇପାରିବି, ସହଚାଳିତ ହୋଇପାରିବି । ମୋ’ର ଶ୍ରଦ୍ଧା ଏଠି ରହିଥିବା ମୋ’ର ଖାସ୍ ନିଜର ବାଡ଼ଗୁଡ଼ିକୁ ଭାଙ୍ଗି ଦେଇ ପାରୁଥିବ, ଏହି ବାଡ଼ଗୁଡ଼ିକୁ ଭାଙ୍ଗି ଦେବାକୁ ମୋଟେ ଡର ମାଡ଼ୁନଥିବ, ଓଲଟି ବାଡ଼ ଭାଙ୍ଗିବାଟା ହିଁ ସବୁଠାରୁ ଅଧିକ ସହଜ ଓ ସ୍ଵାଭାବିକ ବୋଲି ବୋଧ ହେଉଥିବ । ତେବେଯାଇ ମୁଁ ସେହି ପ୍ରଭୁଙ୍କୁ ପ୍ରକୃତରେ ପରମୋଚ୍ଚ ବୋଲି ଚିହ୍ନିଲି ବୋଲି କୁହାଯାଇ ପାରିବ, ତାଙ୍କୁ ଯଥାର୍ଥରେ ସତ୍ୟ, ନିତ୍ୟ ଓ କେବଳ ଚିହ୍ନିଲି ବୋଲି ମୁଁ ଅନୁଭବ ବି କରି ପାରିବି ।

 

୧ । ୧୦ । ୭୯

 

ତାଙ୍କରି ଆଲୋକ ମଧ୍ୟରେ ହିଁ ଏହି ଜୀବନ କ୍ରମକୁସୁମିତ ହେବାରେ ଲାଗିଥିବ । ଅର୍ଥାତ୍ ଆମ ଭିତରେ ରହିଥିବା ଆଲୋକଟି ଯେତେବେଳେ ତାଙ୍କରି ଆଲୋକ ମଧ୍ୟରେ ପ୍ରସ୍ଫୁଟିତ ହୋଇଉଠିବ, ସେତିକିବେଳେ ଯାଇ ଆମେ ଭିତରେ ଆମଲାଗି ଅଭିପ୍ରେତ ହୋଇ ରହିଥିବା କୁସୁମପର୍ବଟିକୁ ଅନୁଭବ କରିପାରିବା, ସେହି କୁସୁମପର୍ବଟିକୁ ହିଁ ଆମର ଜୀବନ ବୋଲି କହିବାଲାଗି ଯୋଗ୍ୟ ହୋଇ ପାରିବା । ତାଙ୍କରି ଜ୍ଞାନ ଆମର ଯାବତୀୟ ଜ୍ଞାନ ମଧ୍ୟକୁ ପ୍ରସାରିତ ହୋଇ ଆସିଛି ବୋଲି ଅନୁଭବ କରିବା ସଙ୍ଗେ ସଙ୍ଗେ ଆମର ଜ୍ଞାନଟି ପ୍ରସ୍ଫୁଟିତ ହୋଇଉଠି ପାରିବ-। ଅର୍ଥାତ୍ ଆପଣାର ଜ୍ଞାନ ଦେଇ ଆମେ ତାଙ୍କରି ବାସନାଟିକୁ ଅନୁଭବ କରି ପାରିବା, ଆମର ନିଜ ଦୀପଟି ଭିତରେ ତାଙ୍କରି ଲାଗି ଜଳିଉଠି ପାରିବାର ସେହି ସର୍ବମୂଳ ଅନ୍ତରବାସନାଟିକୁ ଆମେ ଅନୁଭବ କରିବାକୁ ସମର୍ଥ ହେବା ।

 

ଆମର ଯାବତୀୟ ଉପଲବ୍‌ଧି ଆମର ନିଜ ଇଚ୍ଛା ନୁହେଁ, ମାତ୍ର ତାଙ୍କରି ଇଚ୍ଛା ହୋଇ ପ୍ରସ୍ଫୁଟିତ ହୋଇ ଉଠିବ । ଜୀବନରେ ଯାହାକିଛିକୁ ଉପଲବ୍‌ଧି ବୋଲି କୁହାଯିବ, ସେସବୁ ହେଉଛି କେବଳ ତାଙ୍କରି ଲାଗି ସମ୍ମତ ହୋଇ ରହିବା, ତାଙ୍କରି ଲାଗି ପ୍ରସ୍ତୁତ ହୋଇ ରହିବା । ଏକ ଅନ୍ତରନୁଭୂତ ପୁଲକ ସହିତ ତାଙ୍କରିଲାଗି ପ୍ରସ୍ତୁତ ହୋଇ ରହିବା । କିଛି ମାଗିବାଲାଗି ନୁହେଁ, କିଛି ହାସଲ କରି ନେବାଲାଗି ଆଦୌ ନୁହେଁ, ମାତ୍ର ଆପଣାକୁ ତାଙ୍କରି ହାତରେ ଧରା ଦେବାଲାଗି ଅର୍ଥାତ୍ ତାଙ୍କରି ମଧ୍ୟରେ ନେଇ ମୁକ୍ତ କରି ଦେବାଲାଗି ପ୍ରସ୍ତୁତ ହୋଇ ରହିବା ।

 

୨ । ୧୦ । ୭୯

 

We must gather ourselves, –କେତେ ଆବେଗ, କେତେ ଆକୂତି, କେତେ ଆକାଙ୍‌କ୍ଷା ଓ କେତେ ଅଭୀପ୍‌ସା କେତେ ଆଡ଼େ ବିକ୍ଷିପ୍ତ ହୋଇ ପଡ଼ିଥାଏ । ଏଗୁଡ଼ାକ ଆମରି ହୋଇଥିଲେ ମଧ୍ୟ ଆମର ହୋଇ ରହିନଥାଏ । ଆମକୁ ନାନାପ୍ରକାରେ ବିକଳ କରି ରଖିଥାଏ, ବ୍ୟାକୁଳ କରି ରଖିଥାଏ । ଏହି ସବୁଗୁଡ଼ିକ ଯଦି ପ୍ରକୃତରେ ମୋ’ର ହୋଇ ରହିଥାଏ, ତେବେ ସେଗୁଡ଼ିକ ମୋ’ ଜୀବନରେ ଗୋଟିଏ ଗୋଟିଏ ସମ୍ପଦ ହୋଇ ରହିଥିବା ଉଚିତ, ମୋ’ ହାତରେ ଗୋଟିଏ ଗୋଟିଏ ଶକ୍ତିମାନ ଆୟୁଧ ହୋଇ ରହିଥିବା ଉଚିତ ।

 

ଆପଣାକୁ ସଂଗୃହୀତ କରି ଆଣିବା, ଅର୍ଥାତ୍ ଆପଣାର କେନ୍ଦ୍ରଟିକୁ ଫେରିପାଇବା, ଆପଣାକୁ ଫେରିପାଇବା । ଆପଣାକୁ ଫେରି ପାଇବାର ଅର୍ଥ ହେଉଛି ସମଗ୍ର ପୃଥିବୀଟିକୁ ମଧ୍ୟ ଯଥାର୍ଥ ଭାବରେ ଫେରିପାଇବା । ଆପଣାର କେନ୍ଦ୍ରଟିକୁ ଆପଣାର ଚେତନା ମଧ୍ୟରୁ ହରାଇ ବସି ଆମେ କେତେ ଉତ୍ତେଜିତ ହୋଇ କେତେ କୁଆଡ଼େ ଧାଇଁବାରେ, କାମୁଡ଼ି ଗୋଡ଼ାଇବାରେ ଲାଗିଥାଉ । ତଦ୍ଦ୍ଵାରା ଆମକୁ ସବୁ ମିଳୁଥାଏ, ତଥାପି କିଛି ନମିଳୁଥିବା ପରି ମିଳୁଥାଏ । କିନ୍ତୁ କେନ୍ଦ୍ରଟିକୁ ଫେରିପାଇଲେ ସ୍ଥିରତା ଆସେ । ଏକ ଅବିଚଳ ସଂକଳ୍ପ ସମ୍ପନ୍ନତା ଆସେ । ଏସବୁ ଆପଣାକୁ ସଂଗୃହୀତ କରିଆଣି ପାରିଲେ ଯାଇ ହୁଏ ।

 

ମୋ’ର ପଇସା, ମୋ’ର କ୍ଷମତା, ମୋ’ର ସମସ୍ୟା ଓ ମୋ’ର ପ୍ରତାପ, –ଆପଣାକୁ ସଂଗୃହୀତ କରି ପାରିନଥିବା–ପର୍ଯ୍ୟନ୍ତ ହିଁ ଆମେ ଏସବୁ ମଧ୍ୟରେ ନାନାଭାବେ ଚକ୍ରାନ୍ତଗ୍ରସ୍ତ ହୋଇ ବୁଲୁଥାଉ । ତାହାରି ମଧ୍ୟରେ କେତେ ମନ୍ଦିର ଓ କେତେ ଠାକୁରଙ୍କୁ ଟାଣି ଭର୍ତ୍ତିକରିବାରେ ଲାଗିଥାଉ ଏବଂ ସେହିଗୁଡ଼ାକୁ ହିଁ କେନ୍ଦ୍ର ବୋଲି ଭ୍ରମ କରୁଥାଉ । ତେଣୁ ସ୍ଥିରତା ମଧ୍ୟ ପ୍ରତିହତ ହୋଇ ରହିଥାଏ । ତେଣୁ ଅସଲ ଶକ୍ତି ଓ ସଂକଳ୍ପଗୁଡ଼ାକ ମଧ୍ୟ ପ୍ରତିହତ ହୋଇ ରହିଥାଏ ।

 

୩ । ୧୦ । ୭୯

 

ଏହି ଜୀବନରେ ତାଙ୍କରି ଆଲୋକ ପ୍ରକାଶିତ ହେଉ, ସେଇଥିଲାଗି ତାଙ୍କର ଏହି ଆବାହନ । ଏହି ଜୀବନର ସବୁକିଛି ଉପରେ ତାଙ୍କରି ପ୍ରସନ୍ନତା ସଂଯୁକ୍ତ ହୋଇ ରହି ଜୀବନର ସବୁକିଛିକୁ ସହଜ ଓ ସ୍ଵାଭାବିକ କରି ରଖିଥାଉ, ସେଇଥିଲାଗି ହିଁ ଏହି ଆବାହନ । ତାଙ୍କୁ ହିଁ ଜୀବନର ଅସଲ ବଳ ଓ ଅସଲ ଆଖିରୂପେ ଗ୍ରହଣ କରି ଏହି ସଂସାରରେ ସବୁଠାରେ ଆପଣାର ଘର ପରି ମନେହେଉ, ସେଇଥିପାଇଁ ଏହି ଆବାହନ । ବନ୍ଧନଗୁଡ଼ାକ ମୋଟେ ନକଟୁ, ବନ୍ଧନଗୁଡ଼ାକ ବଳିଷ୍ଠ ହେଉ, ଆହୁରି ଅନ୍ତରଙ୍ଗ ଓ ଆନ୍ତରିକ ହେଉ, ସବୁଠି ଯାହାକିଛି ଛୁଇଁଲା ମାତ୍ରକେ କେବଳ ତାଙ୍କୁ ହିଁ ଛୁଇଁପାରିବା ପରି ଲାଗୁ, ସେଇଥିଲାଗି ଏହି ଆବାହନ ।

 

ଏବଂ, ଯିଏ ଅନ୍ତରଭିତରେ ଅପେକ୍ଷା କରି ରହିଛନ୍ତି, ମୋ’ର ଯାବତୀୟ ଆବାହନ ଦ୍ଵାରା ସେଇ ଜାଗୃତ ହୋଇଉଠନ୍ତୁ, ସେଇ ଉଦ୍‌ଘାଟିତ ହୁଅନ୍ତୁ, ସେଇ ଅଭିବ୍ୟକ୍ତି ହୁଅନ୍ତୁ । ଏହି ସବୁଯାକ ଦ୍ଵାର ଫିଟିଯାଉ । ଭିତରେ ଲୁଚି ବସିବାର ଯାବତୀୟ ପ୍ରବୃତ୍ତି ଅସଲ ସ୍ପର୍ଶଟିକୁ ପାଇ ନିର୍ମଳ ହୋଇଯାଉ, ସଙ୍କୋଚମୁକ୍ତ ହେଉ, –ସମସ୍ତ ପ୍ରକାର ବିଚ୍ଛିନ୍ନତାକୁ ଭୁଲି ତାହା ଆପଣାକୁ ଏକାବେଳେକେ ବଦଳାଇ ଦେବାକୁ ସମର୍ଥ ହେଉ । ସେଇଥିପାଇଁ ଏ ଆବାହନ । ସେହି ଆବାହନ ହେଉଛି ଏକ ଶକ୍ତି । ସେହି ଆବାହନ ମୋତେ ତାଙ୍କର ଶକ୍ତିରେ ଜାଗୃତ କରି ଦେଇଯାଉ, ମୋ’ର ଯାବତୀୟ ଦାରିଦ୍ର୍ୟବୋଧକୁ ବିନାଶ କରୁ । ମୋ’ ଜୀବନର ଭୂମି ଉପରେ ମୁଁ ଯେପରି ତାଙ୍କୁ ହିଁ ପ୍ରକାଶ କରିପାରେ, ଅର୍ଥାତ୍ ଅସଲ ଗଭୀରଟି ଭିତରେ ଯେପରି ସେଇ ବସି ରହିଛନ୍ତି, ସିଏ ସବୁଟି ସହିତ ଖିଅ ଲଗାଇ ଯେ ବସି ରହିଛନ୍ତି, ମୋ’ର ଯାବତୀୟ ବିଚରଣ ଭିତରେ କେବଳ ତାହାହିଁ ବ୍ୟକ୍ତ ହୋଇଉଠୁ । ସେଇଥିଲାଗି ଏହି ଆବାହନ ।

 

୪ । ୧୦ । ୭୯

 

ବିଶ୍ଵାସ ନିଷ୍ଠାପର ହେବ, –ଅର୍ଥାତ୍ ବିଶ୍ଵାସରେ ଭୟ ରହିବନାହିଁ । ବିଶ୍ଵାସରେ ଅହଙ୍କାର ରହିବନାହିଁ, କୌଣସି ଅଧିକାର–ପ୍ରମତ୍ତତା ବି ରହିବନାହିଁ । ମୋ’ର ବିଶ୍ଵାସ ଦେବତାନୁଗ୍ରହର କୌଣସି ହାଟରେ ବିକିବା ବା କିଣିବାର ପଣ୍ୟ ଅଥବା ମୁଦ୍ରାରୂପେ କଦାପି ବ୍ୟବହୃତ ହେବନାହିଁ । ବିଶ୍ଵାସ ମୋ’ ଜୀବନର ଆଖି ହୋଇ ରହିଥିବ, ମୋ’ ଜୀବନର ସ୍ଵାଭାବିକ ଖୁସୀରୂପେ ଆପଣାକୁ ବ୍ୟକ୍ତ କରିଆଣି ପାରୁଥିବ । କେବଳ ତଥାକଥିତ ଦେବତା ମନ୍ଦିରରେ ବା ଦେବସ୍ଥାନମାନଙ୍କରେ ନୁହେଁ, ମୋ’ ଜୀବନରେ ସାନ ବଡ଼ ସମସ୍ତ ସମ୍ପର୍କରେ ମୋର ବିଶ୍ଵାସ ସତେଅବା ଆଲୋକ ପରି ହୋଇ ଭେଦକରି ରହିଥିବ, ଏକ ପ୍ରସନ୍ନତାରୂପେ ମୋ’ର ସବୁକିଛି ସମ୍ପର୍କ ଓ ଖିଅଭିତରେ ଉଜ୍ଜ୍ଵଳ ହୋଇ ରହିଥିବ । ସେହି ବିଶ୍ଵାସ ମୋ’ର ସୁଖକୁ ସହଜ କରିବ; ସୁଖକୁ ହାଲୁକା କରିଦେବ; ଦୁଃଖକୁ ତାହା ଶକ୍ତିମୟ କରି ରଖିବ, ପ୍ରାର୍ଥନାମୟ କରି ରଖିବ । ସେହି ବିଶ୍ଵାସ କାହାସହିତ ଲଢ଼ିବାକୁ ଯିବନାହିଁ, କେଉଁଠି ଆଦୌ କୌଣସି ଗଡ଼ ଜିଣିବାକୁ ମଧ୍ୟ କଦାପି ଯିବନାହିଁ । ଗଛରୁ ଖସି ଭୂମିକୁ ଧନ୍ୟ କରି ଦେଉଥିବା ପୁଷ୍ପରାଶି ପରି ତାହା ମୋ’ ଜୀବନ ଉପରକୁ ଅଜାଡ଼ି ହୋଇ ପଡ଼ୁଥିବ, ମୋ’ର ସଂଶୟଗୁଡ଼ାକୁ ମହକରେ ପୂର୍ଣ୍ଣ କରି ଦେଉଥିବ, ଅର୍ଥାତ୍ ସେଗୁଡ଼ାକୁ ଆହୁରି ଅଧିକ ଜିଜ୍ଞାସାରେ, ଆହୁରି ଅଧିକ ଶ୍ରଦ୍ଧାରେ ଏବଂ ଆହୁରି ଅଧିକ ଖିଅ ଯୋଡ଼ିବାରେ ପରିପୂର୍ଣ୍ଣ କରି ରଖି ପାରୁଥିବ । ମୋ’ର ସବୁ ହରାଇବାର ବାଟରେ ମୋତେ ଆହୁରି ଖୋଜିବାରେ ପ୍ରବୃତ୍ତ କରୁଥିବ, ମୋତେ ନୂଆ କରି କେତେ କେତେ ନୂଆ ବାଟରେ ପରିଚାଳିତ କରି ନେଇ ଯାଉଥିବ ।

 

୫ । ୧୦ । ୭୯

 

ସେଇ ସକଳ ବଳର ଉତ୍ସ, ସେଇ ସକଳ ବଳର ଆଧାର । ଆମେ ଅନେକ ସମୟରେ ଆମ ନିଜ ବଳରେ ବଳୀୟାନ୍ ହେବାଲାଗି ତାଙ୍କର ସାହାଯ୍ୟ ମାଗିବାକୁ ଯାଇଥାଉ । ସେତେବେଳେ ଆମେ ନିଜନିଜର ହୁଏତ କୌଣସି ଏକ ସ୍ଵତନ୍ତ୍ର ସିଦ୍ଧିକୁ ହାସଲ କରିବାକୁ ମନ କରିଥାଉ, ଆମର ସେହି ସିଦ୍ଧିଲାଭରେ ସିଏ ଆମର ସହାୟ ହେବେ ବୋଲି ଆଣ୍ଟ ବାନ୍ଧିଥାଉ । ଆମେ ସିନା ତାଙ୍କରି କର୍ମ କରିବାଲାଗି ପ୍ରସ୍ତୁତ ହୋଇ, ଅର୍ଥାତ୍ ତାଙ୍କରି କର୍ମକୁ ହିଁ ଆପଣାର କର୍ମରେ ପରିଣତ କରି ତାଙ୍କଠାରୁ ବଳ ମାଗିଲେ ଯଥାର୍ଥ ଭାବରେ ବଳବାନ୍ ହୋଇପାରନ୍ତୁ, ମାତ୍ର ଆମେ ଆମ ନିଜର ଅନେକ ବଳରେ ନିଜକୁ ବଳୀୟାର ବୋଲି ଭାବି ଆମ ପଛରେ ତାଙ୍କର ସମର୍ଥନ ରହିଛି ବୋଲି ଅନେକ ସମୟରେ କେଡ଼େ ଦମ୍ଭ ନକରୁ । ସଂସାରଟାକୁ କେତେପ୍ରକାରେ ହନ୍ତସନ୍ତ ନକରୁ ଓ ଆମ ନିଜକୁ ବି କେତେପ୍ରକାରେ ବଞ୍ଚିତ ନକରୁ ।

 

ସିଏ ସାଙ୍ଗରେ ଥିଲେ ବାଧାଗୁଡ଼ାକ ଅତିକ୍ରମି ହୋଇଯାଏ । ଅର୍ଥାତ୍, ଆମେ ତାଙ୍କରି ପଥକୁ ଆପଣାର ପଥରେ ପରିଣତ କରି ପାରିଥିଲେ ବାଧାବିଘ୍ନ ଅତିକ୍ରମି ହୋଇଯାଏ । ସେଇ ଆମର ସବୁକିଛି ସିଦ୍ଧିର ଦାୟିତ୍ଵ ଗ୍ରହଣ କରନ୍ତି । ସେ ଆମକୁ ସଫଳତମ ଭାବରେ ବ୍ୟବହାର କରନ୍ତି, ଆମକୁ ଧନ୍ୟ କରନ୍ତି, ବିମୋଚିତ କରନ୍ତି । ଏବଂ ଆମକୁ ଆହୁରି ଅନେକ ବିମୋଚନରେ ନିମିତ୍ତରୂପେ ବ୍ୟବହାର କରନ୍ତି । ଯିଏ ନିମିତ୍ତ ହୁଏ, ସିଏ କେବଳ ଆପଣାର ଉତ୍ସାହକୁ ହିଁ ଅନୁଭବ କରେ, ବାଧାଗୁଡ଼ାକୁ ମୋଟେ ଦେଖି ପାରେନାହିଁ ।

 

୬ । ୧୦ । ୭୯

 

ଏ ବାଧା କେବଳ ତାହାକୁ ଅତିକ୍ରମ କରି ଯିବାଲାଗି ଏକ ଆକର୍ଷଣ ଏହି ବିମୁଖତା କେବଳ ଆହୁରି ଅଧିକ ଇଚ୍ଛା କରିବାର ଏକ ଅନ୍ୟ ନାମ; ଏବଂ ଏହି ବ୍ୟତିଶ୍ରଦ୍ଧତା କେବଳ ଏହି ବର୍ତ୍ତମାନର ସାନ ପରିସରଟିକୁ ଅତିକ୍ରମ କରି ଏକ ବୃହତ୍ତର ପରିଧି ମଧ୍ୟକୁ ପ୍ରସାରିତ ହୋଇଯିବାର ଏକ ଅଭିଳାଷ । ତେଣୁ, ଏହି କ୍ଷେତ୍ରରେ ବିଚ୍ଛିନ୍ନ ହୋଇ ରହିବାର ଆଦୌ କୌଣସି ଆଶଙ୍କା ନାହିଁ । ସତେଯେପରି ସେଇ ମୋ’ ଭିତରେ ରହି ସମ୍ମୁଖସ୍ଥ ବାଧାଗୁଡ଼ିକୁ ଅତିକ୍ରମ କରିଯିବାକୁ ବାହାରିଛନ୍ତି–ଏହି ସାନ ବୃତ୍ତଟିକୁ ଭାଙ୍ଗି ଆହୁରି ସେପାଖକୁ ପ୍ରସାରିତ ହୋଇଯିବାକୁ ବ୍ୟାକୁଳ ହୋଇ ଉଠୁଛନ୍ତି । ଏଠୁ ଛାଡ଼ି ସେଠାକୁ ଚାଲିଯିବା ଆଦୌ ନୁହେଁ, କ୍ଷୁଦ୍ରତରର ବୃହତ୍ତର ମଧ୍ୟକୁ ପ୍ରସାରିତ ହୋଇଯିବା, ଉତ୍ତରୋତ୍ତର ପ୍ରସାରିତ ହେବାରେ ହିଁ ଲାଗିଥିବା, –ଏହି କ୍ଷେତ୍ରରେ ତାହାହିଁ ହେଉଛି ରୀତି, ଏହାହିଁ ସ୍ଵଭାବ ଏବଂ ଏହାହିଁ ସ୍ଵଧର୍ମ । ଏହାହିଁ ଶ୍ରଦ୍ଧାର ରୀତି । ଏହାହିଁ ଆପଣା ଭିତରେ ଆପଣାକୁ ଲୋଡ଼ିବାର ରୀତି, ସଂସାର ଭିତରେ ସଂସାରକୁ ତଥା ଆପଣାକୁ ଏକାବେଳେକେ ଲୋଡ଼ିବାର ରୀତି, –ଏଇଠି ରହି ମଧ୍ୟ ସବୁଟି ସହିତ ଖିଅ ଲଗାଇ ରହିଥିବାର ରୀତି । ସେଇ ଗଭୀରରେ ବିଦ୍ୟମାନ୍ ରହି ମୋତେ ତାଙ୍କରି ଆଡ଼କୁ ଟାଣିନେବାରେ ଲାଗିଛନ୍ତି, ବାଧାଗୁଡ଼ାକର ସେପାଖରେ ତାଙ୍କର ପ୍ରସନ୍ନ ନେତ୍ର ସର୍ବଦା ବିଦ୍ୟମାନ ରହି ମୋତେ ବାଧାଗୁଡ଼ାକୁ ଅତିକ୍ରମ କରିଯିବାର ଶ୍ରଦ୍ଧା ଦେଇ ଯାଉଛନ୍ତି । ମୋ’ରି ଭିତରେ ତାଙ୍କରି ବିଜୟ ନିତି ଘଟିବାରେ ଲାଗିଛି, ମୋ’ରି ଭିତରେ ତାଙ୍କର ଏହି ନିତ୍ୟ ଆବିଷ୍କାର ଲାଗି ରହିଛି ।

 

୭ । ୧୦ । ୭୯

 

ସେତିକିରେ ଭାଜନ ହୋଇ ପାରିଲେ ଯାଇ ଏହି ଘୃଣା ଯିବ, ଅନ୍ଧକାର ପରି ଆଚ୍ଛନ୍ନ କରି ରହିଥିବା ଏହି ଘୃଣା ମଧ୍ୟ ଅପସରି ଯାଇ ପାରିବ ଏବଂ ତାହାର ସ୍ଥାନରେ ଏବଂ ଜ୍ୟୋତିର୍ମୟ ଶାନ୍ତି ବିରାଜମାନ କରିବ ।

 

ସେହି ଶକ୍ତିକୁ ସ୍ପର୍ଶ କରି ଜୀବନ ଧାରଣ କରି ପାରିଲେ ଆଉ ବିଚ୍ଛିନ୍ନ ଓ ବିହ୍ଵଳ ହୋଇ ରହିବାର କୌଣସି କାରଣ ହିଁ ରହିବନାହିଁ । ଆଉ ଆପଣାକୁ ଏକୁଟିଆ ଲାଗିବନାହିଁ, ବଞ୍ଚିତ ବୋଲି ବି ଲାଗିବନାହିଁ । ଅନ୍ୟମାନଙ୍କୁ ଦେଖି ଆଉ କୌଣସି ଈର୍ଷା ଆସିବନାହିଁ । ସମସ୍ତଙ୍କୁ ବଳିଯାଇ ଆଉଗୋଟାଏ ଅଧିକ କ’ଣ ହୋଇ କ’ଣ ଗୋଟାଏ ଆସନ ମାଡ଼ି ବସିବାଲାଗି ମଧ୍ୟ ଆଉ କୌଣସି ଆଗ୍ରହ ହେବନାହିଁ । ତେଣୁ, ଘୃଣାଗୁଡ଼ାକ ଲଜ୍ଜିତ ହୋଇ ଚାଲିଯିବେ, ସେମାନଙ୍କ ଲାଗି ଏଠି ଆଉ କୌଣସି ଆବଶ୍ୟକତା ରହିବନାହିଁ । ସେହି ଶକ୍ତିର କ୍ଷେତ୍ରରେ କୌଣସି ପାଚେରୀ ନଥାଏ କୌଣସି ଦୂରତା ନଥାଏ, କୌଣସି ବିଭେଦ ନଥାଏ । ସେତେବେଳେ ସମସ୍ତଙ୍କୁ ଓ ସବୁକିଛିକୁ ଗୋଟିଏ ଘର ଭିତରେ ସମ୍ପୂର୍ଣ୍ଣ କରି ଦେଖିହୁଏ, ସମ୍ପୂର୍ଣ୍ଣ କରି ଅନୁଭବ କରିହୁଏ ଓ ସମ୍ପୂର୍ଣ୍ଣ କରି ପାଇ ବି ହୁଏ । ତେଣୁ ସେତେବେଳେ ଆଉ କୌଣସି ଦାରିଦ୍ର୍ୟ ଦ୍ଵାରା ପୀଡ଼ିତ ହୋଇ ରହିବାକୁ ପଡ଼େନାହିଁ । ଦାରିଦ୍ର୍ୟବୋଧର ବିନାଶରେ ହିଁ ଶ୍ରଦ୍ଧା ସମ୍ଭବ ହୁଏ, ଶାନ୍ତିର ଉପଲବ୍‌ଧି ହୁଏ ।

 

୮ । ୧୦ । ୭୯

 

ତତ୍ର କୋ ଭୟଃ, କଃ ଶୋକଃ ? ବାଟ ଆହୁରି ବାକୀ ଥିବ, ଆହୁରି ଗଭୀର ଓ ଆହୁରି ଉର୍ଦ୍ଧ୍ଵକୁ ତଥାପି କେତେ ବାଟ ପଡ଼ି ରହିଥିବାର ଦେଖା ଯାଉଥିବ, –ତଥାପି ଡର ମାଡ଼ିବନାହିଁ, ତଥାପି ଦୁଃଖ ନଥିବ । ଚାଲିବାକୁ ଡର ମାଡ଼ୁନଥିବ, ଖିଅ ଲଗାଇବାକୁ ବି ଡର ମାଡ଼ୁନଥିବ, ଭାବନାକୁ ଅର୍ଥାତ୍ ଚେତନାକୁ ଆହୁରି ଆଗକୁ ସଂପ୍ରସାରିତ କରିବାଲାଗି ବି ଆଦୌ ଡର ମାଡ଼ୁନଥିବ । ହରାଇଲେ ଦୁଃଖ ହେଉନଥିବ, କୋଉଠି କିଛି ହଜିଗଲା ପରି ମୋଟେ ଲାଗୁନଥିବ । କୋଉ ଦିଶିଥିବା ଦୁର୍ଗଗୁଡ଼ାକୁ ମୋଟେ ହରାଇଦେବା ପରି ଲାଗୁନଥିବ । ଏହି ସଂସାରରେ ମୋଟେ ଏକୁଟିଆ ଲାଗୁନଥିବ ।

 

ଆଖି ଭିତରର ଆଲୋକ ଯେତେବେଳେ ଆଖି ବାହାରେ ଏହି ସମଗ୍ର ଭୁବନ ମଧ୍ୟରେ ବିସ୍ତୃତ ହୋଇ ରହିଥିବା ଆଲୋକ ମଧ୍ୟକୁ ଆପଣାକୁ ସଂପ୍ରସାରିତ କରିଦେଇ ଆପଣାର ଠାବ ପାଇବ, ସେତେବେଳେ ଏହି ଯାବତୀୟ ବାଟ ଚାଲିବା ପ୍ରକୃତରେ ପୂଣ୍ୟମୟ ହୋଇଉଠିବ । ଏହି ବାଟ ଚାଲିବା ସଙ୍ଗେ ସଙ୍ଗେ ଭିତରେ ଅପେକ୍ଷା କରି ରହିଥିବା କଢ଼ଗୁଡ଼ାକ ସତେଅବା ଫୁଟି ଉଠୁଥିବା ପରି ଲାଗୁଥିବ । ବାଟ ଚାଲୁ ଚାଲୁ ପ୍ରତ୍ୟେକ ମୁହୂର୍ତ୍ତରେ ଆପଣା ଘରେ ଆସି ପହଞ୍ଚି ଯାଉଥିବା ପରି ଲାଗୁଥିବ, ସତତ ଆପଣାର ଘରଟି ଭିତରେ ହିଁ ରହିଥିବା ପରି ଲାଗୁଥିବ । ଯାହାକୁ ତା’ ଘର ବାଟପରି ଲାଗୁଛି ଆଉ ବାଟ ବି ଘର ପରି ଲାଗୁଛି । ତା’ର ଆଉ ଦୁଃଖ କ’ଣ ଅଛି, ଭୟ ବା କ’ଣ ରହିଛି ?

 

୯ । ୧୦ । ୭୯

 

ସବୁବେଳେ ଉନ୍ମୁକ୍ତ, ସବୁବେଳେ ପ୍ରଶସ୍ତ । ଅଧିକରୁ ଅଧିକ ଉନ୍ମୁକ୍ତ, ଅଧିକରୁ ଅଧିକ ପ୍ରଶସ୍ତ । କିନ୍ତୁ ଏ ବାଡ଼ଗୁଡ଼ାକ ନଉଠିବା ପର୍ଯ୍ୟନ୍ତ ଏହି ପ୍ରଶସ୍ତ ହେବା ଓ ଏହି ଉନ୍ମୁକ୍ତ ହେବା ସମ୍ଭବ କିପରି ?

 

ବାଡ଼ଗୁଡ଼ାକୁ ଜୀବନର ପରମ ପ୍ରତିଷ୍ଠା ଓ ପରମ ସଂସ୍କାର ବୋଲି ମନେକରି ଯେତେବେଳେ ଆମେ ତଥାପି ପ୍ରଶସ୍ତ ଏବଂ ଉନ୍ମୁକ୍ତ ହେବାର ନାନା ଆଡ଼ମ୍ବର କରୁଥାଉ, ଯେତେବେଳେ ପ୍ରକୃତରେ ସୁନ୍ଦର ନହୋଇ ନାନାଭାବେ ସୁନ୍ଦର ବୋଲି ଦିଶିବାର ନାନା ଆୟୋଜନ ଭିତରେ ପ୍ରାୟ ଗୋଟାସୁଦ୍ଧା ଭୋଳ ହୋଇ ରହିଥାଉ, ଉଦାର ହୋଇନଥିଲେ ମଧ୍ୟ ଉଦାର ହୋଇ ଦିଶିବାର ନାନା ଆନୁଷ୍ଠାନିକ ଶୋଭାମୟତା ଭିତରେ କେଡ଼େ ଖୁସୀ ହୋଇ ରହିଥାଉ ଓ ସତେଅବା କେଡ଼େ ହାଲୁକା ହୋଇଗଲୁ ବୋଲି ଅନୁଭବ କରୁଥାଉ, ସେତେବେଳେ ଆମ ଭିତରର ଅହଂଟା କେବଳ ପ୍ରଶସ୍ତ ହେବାରେ ଲାଗିଥାଏ; ସେହି ଅହଂଟା କେବଳ ଏଡ଼େ ବଡ଼ ଆଁ କରି ସବୁକିଛି ଗିଳିବ ବୋଲି ଧାଇଁଥାଏ ଓ ତାହାକୁ ହିଁ ପ୍ରଶସ୍ତତା ଏବଂ ଉନ୍ମୁକ୍ତତା ବୋଲି କହୁଥାଏ । ଆମ ଭିତରର ବିଚ୍ଛିନ୍ନତାବୋଧ ଅର୍ଥାତ୍ ଭୟଗୁଡ଼ାକ ହିଁ ଅଧକରୁ ଅଧିକ ବହଳ ହେବାରେ ଲାଗିଥାନ୍ତି । ସଂସାରକୁ ଆପଣା କରିବା ନାଆଁରେ ଆପଣାକୁ ହିଁ ବିସ୍ତାରିତ କରିବାରେ ଲାଗିଥାନ୍ତି । ତେଣୁ ତାଙ୍କର ପ୍ରଚୁରତା ଆଉ ଆମ ଭିତରକୁ କୌଣସି ବାଟ ହିଁ ପାଏନାହିଁ । ଆମ ପୃଥିବୀଗୁଡ଼ାକ ଠିକ୍ ସେହିପରି ବଞ୍ଚିତ ହୋଇ ରହିଥାନ୍ତି, ଠିକ୍ ସେହିପରି ଆର୍ତ୍ତ ଓ ଉପବାସୀ ହୋଇ ରହିଥାନ୍ତି । ଭଗବାନଙ୍କର ପୃଥିବୀରେ କେବଳ ଆମେ ରହିଥାଉ, ସିଏ ବିତାଡ଼ିତ ଏବଂ ନିର୍ବାସିତ ହୋଇ ରହିଥାନ୍ତି ।

 

୧୦ । ୧୦ । ୭୯

 

ଭିତରୁ ପ୍ରେରିତ ହୋଇ ମୁଁ ଯେତିକି ଯେତିକି ଅଗ୍ରସର ହୋଇ ପାରୁଥିବି, ଅର୍ଥାତ୍ ଆପଣାକୁ ଯେତିକି ଯେତିକି ପ୍ରସାରିତ କରିଦେଇ ପାରୁଥିବି, ଆପଣାର ଚେତନାକୁ ମୁଁ ସେତିକି ସେତିକି ଯୋଗ୍ୟ କରି ପାରୁଥିବି, ଆପଣା ଚେତନାର ଦର୍ପଣ ଉପରେ ମୁଁ ସେତିକି ସେତିକି ତାଙ୍କୁ ପ୍ରତିଫଳିତ ହୋଇ ରହିଥିବାର ଦେଖିବାକୁ ପାଉଥିବି । ମୋ’ ଚେତନାର ଗଭୀରରେ ସେଇ ଯେ ପ୍ରଥମରୁ ହିଁ ବିଦ୍ୟମାନ୍ ହୋଇ ରହିଥିଲେ, ମୋ’ ସାଙ୍ଗରେ ସେଇ ଯେ ସବୁଦିନ ମୋ’ର ସାଥୀ ହୋଇ ରହିଥିଲେ, ମୋ’ ଆଖିର ଯାବତୀୟ ସମ୍ଭାବନା ହୋଇ ରହିଥିଲେ, ମୁଁ ତାହାରି ଆବିଷ୍କାର କରୁଥିବି ।

 

ସେହି ଆବିଷ୍କାର, ତାହାହିଁ ପ୍ରାଣର ଉଲ୍ଲାସ । ସ୍ପର୍ଶର ଉଲ୍ଲାସ, ସଂପ୍ରସାରଣର ଉଲ୍ଲାସ, ସଂଯୁକ୍ତ ହୋଇ ରହିଥିବାର ଉଲ୍ଲାସ । ତାହାହିଁ ଉପଲବ୍‌ଧି । ସେହି ଉପଲବ୍‌ଧିଟି ପରେ ଆମ ମୁହୂର୍ତ୍ତଗୁଡ଼ିକ ସହିତ ଆମର ସମ୍ପର୍କ ବଦଳିଯାଏ; ଆମ ଯାବତୀୟ କର୍ମ ସହିତ, ଜ୍ଞାନ ସହିତ, ଏବଂ ଶ୍ରଦ୍ଧାଗୁଡ଼ିକ ସହିତ ମଧ୍ୟ ଆମ ସମ୍ପର୍କର ସ୍ତର ବଦଳିଯାଏ । ସେତେବେଳେ ଯାବତୀୟ ବିଚ୍ଛିନ୍ନତାବୋଧର ଅବସାନ ହୁଏ, ଯାବତୀୟ ଭୟଭାବନା ଓ ତେଣୁ ଦ୍ଵେଷଭାବନାର ଅବସାନ ହୁଏ । ସିଏ ଯେତେବେଳେ ସାଙ୍ଗରେ ବାହାରନ୍ତି, ସେତେବେଳେ ପଥଗୁଡ଼ାକ ଆଉ ମୋଟେ ପର ବୋଲି ମନେ ହୁଅନ୍ତିନାହିଁ । ସଂସାର ଆପଣାପରି ଲାଗେ, ଆକାଶଟାଯାକ ଶ୍ରଦ୍ଧାରେ ପରିପୂର୍ଣ୍ଣ ହୋଇଯାଏ, ନିଜ ଭିତରଟାଯାକ ତାଙ୍କରି ସ୍ପର୍ଶାଲୋକରେ ଧୌତ ହୁଏ, ଧନ୍ୟ ହୁଏ ।

 

୧୧ । ୧୦ । ୭୯

 

ଏଠାରେ କେବଳ ରୂପାନ୍ତର ହିଁ ଘଟୁଛି । ବାସନାଗୁଡ଼ାକ ଶ୍ରଦ୍ଧାରେ ରୂପାନ୍ତରିତ ହୋଇଯାଉଛି । କାମନାଗୁଡ଼ାକ ପ୍ରେମରେ ରୂପାନ୍ତରିତ ହୋଇଯାଉଛି । ଯାହାକୁ ଭୟ ବୋଲି କୁହା ଯାଉଥିଲା ଓ ଯାହା ନାନାପ୍ରକାର ବାଡ଼ର ସୃଷ୍ଟି କରି ରଖିଥିଲା ତାହା ସତେଅବା ଏକ ଆକର୍ଷଣଶକ୍ତିରେ ରୂପାନ୍ତରିତ ହୋଇଉଠୁଛି । ଯାହା ଭିତର ଓ ବାହାର ଏହିପରି ଦୁଇ କ୍ଷେତ୍ରରେ ବିଭକ୍ତ ହୋଇ ରହିଥିଲା ଓ ଆପଣାକୁ ଚିହ୍ନି ନପାରି କେତେ ସନ୍ତାପ ଓ କେତେ ଗ୍ଳାନିର କାରଣ ହୋଇ ରହିଥିଲା, ତାହା ସତେଅବା ଗୋଟାଏ ଆସ୍ଥାନରେ ରୂପାନ୍ତରିତ ହୋଇଯାଉଛି । ଏଠି ସତେଅବା ଗୋଟିଏ ଘର ବ୍ୟତୀତ ଆଉ କିଛିହେଲେ ଦେଖା ଯାଉନାହିଁ । ଆପଣାକୁ ଏପରି ଗୋଟିଏ ଘରରୂପେ ରୂପାନ୍ତରିତ ହୋଇ ଯାଇଥିବା ପରି ମନେହେଉଛି, ଯେଉଁଠି କେବଳ ସେଇ ବସିଛନ୍ତି, ସେଇ ସବୁଟିକୁ ଛୁଇଁକରି ରହିଛନ୍ତି, ଏହି ସବୁକିଛିକୁ ଧନ୍ୟ କରି ରଖିଛନ୍ତି ।

 

ହଁ, ସିଏ କେବଳ ଏକ ଶକ୍ତିରୂପେ ଅବିଚଳ, ଅଟଳ ଓ ଅଜେୟ ହୋଇ ରହିଛନ୍ତି । ସେଇ ଅଛନ୍ତି ବୋଲି ଏହି ଶ୍ରଦ୍ଧାଗୁଡ଼ାକ ଶକ୍ତିରୂପେ ଅନୁଭୂତ ହେଉଛି, ଏହି ଭଲପାଇବା ଗୁଡ଼ାକ ଶକ୍ତିରୂପେ ହିଁ ଅନୁଭୂତ ହେଉଛନ୍ତି । ଆଗରୁ ଯାହାକୁ କେଡ଼େ ଚକ୍ରାନ୍ତବଶ ଭାବରେ ବନ୍ଧନ ବୋଲି କୁହା ଯାଉଥିଲା ତାହା ସତେଅବା ଗୋଟିଏ ଗୋଟିଏ ଖିଅରେ ପରିଣତ ହୋଇ ରହିଛନ୍ତି ।

 

୧୨ । ୧୦ । ୭୯

 

ହଁ, ଏଠାରେ ସବୁକିଛି ନିଶ୍ଚିତ, ସବୁକିଛି ସୁନିଶ୍ଚିତ, ସବୁକିଛି ଅଭିପ୍ରେତ । ସେଇଥିଲାଗି ସବୁକିଛି ପ୍ରକୃତରେ ଏପରି ସହଜ ବୋଲି ମନେହେଉଛି । ବାଟଗୁଡ଼ାକ ନିଶ୍ଚିତ ଭାବରେ ଭିତରୁ ବାହାରଯାଏ ପଡ଼ିଛି । କରୁଣାଗୁଡ଼ାକ ବାହାରୁ ଭିତରଯାଏ ପଡ଼ିଛି । କୋଉଟା ତାଙ୍କର କରୁଣା ଓ କୋଉଟା ମୋ’ର ବାଟ, ସେକଥା ମୋ’ର ମୋଟେ ପଇଠ ହୋଇ ପାରୁନାହିଁ ।

 

ସେଇଥିଲାଗି ଏହି ସକାଳ ଭିତରେ ବି ଏତେ ନିର୍ଭର ଭରି ରହିଛି । ଏହି ସକାଳଟି ଖାସ୍ ମୋ’ରି ସକାଶେ ଆସିଥିବା ପରି ଲାଗୁଛି । ମୋ’ରି ସକାଶେ, ମୋ’ରି ଭିତରେ କେଉଁ ପରମସଖା ଅର୍ଥାତ୍ ପରମସମ୍ଭାବନାକୁ ଅର୍ଥାତ୍ କେବଳ ଏକ ଶ୍ରଦ୍ଧାମୟ ସମ୍ପ୍ରସାରଣକୁ ଉଦ୍‌ବୋଧିତ କରି ଆଣିବାଲାଗି ହିଁ ଆଲୋକର ଉଦୟ ହେଉଛି । ବାଟ କେବେହେଲେ ସରୁନାହିଁ, ବାଟ ଲମ୍ବି ଲମ୍ବି ଯାଉଛି । ବାଟ ଲମ୍ବି ଲମ୍ବି ଯାଉଥିବା ସଙ୍ଗେ ସଙ୍ଗେ ଲକ୍ଷ୍ୟ ଅଧିକରୁ ଅଧିକ ନିକଟ ହୋଇ ଆସୁଛି । ପ୍ରତ୍ୟେକ ଦିନ କୌଣସି ନା କୌଣସି ସ୍ଥଳରେ ପହଞ୍ଚିଗଲା ପରି ଲାଗୁଛି, ପ୍ରତ୍ୟେକ ଦିନ ଆହୁରି କେତେ କେତେ ନୂଆ ପଥ ସଖା ପରି ଅଗ୍ରସର କରାଇ ନେଉଛି । ଅନ୍ତରର ନୀରବତା ମଧ୍ୟରେ ସବୁଯାକ ପଥ ସତେଅବା ଏକାବେଳେକେ ଦୃଶ୍ୟ ହୋଇ ଯିବାପରି ଲାଗୁଛି । ସେଇଠି ସତେ–ଯେପରି କିଏ ସମ୍ପୂର୍ଣ୍ଣ ମାନଚିତ୍ରଟି ଧରି ମୋ’ର ଗୋଡ଼ଗୁଡ଼ାକୁ ଭବିଷ୍ୟ ଆଡ଼କୁ କଢ଼ାଇ କଢ଼ାଇ ନେଇଯାଉଛି । ଏହାକୁ ମୁଁ ସଂକଳ୍ପ କହିବି ନା ବିଶ୍ଵାସ ବୋଲି କହିବି, ଶ୍ରଦ୍ଧା କହିବି ନା ସୌଭାଗ୍ୟ ବୋଲି କହିବି ? ନା–ମୁଁ ଏହାକୁ କେବଳ କରୁଣା ବୋଲି ହିଁ କହିବି ।

 

୧୩ । ୧୦ । ୭୯

 

ସର୍ବପ୍ରଥମ ଏବଂ ସର୍ବଶ୍ରେଷ୍ଠ, –ଏବଂ ସର୍ବଶେଷ; ତାଙ୍କରି ପାଇଁ ଅଭୀପ୍‌ସା, ତାଙ୍କରି ଲାଗି ଜୀବନ ବଞ୍ଚିବା, ନିଜର ଜୀବନ ମଧ୍ୟରେ ତାହାଙ୍କୁ ହିଁ ଚାହିଁବା, ତାଙ୍କରି ଲାଗି ସ୍ଥାନ ଛାଡ଼ିଦେବା-। ଅର୍ଥାତ୍, ଆପଣାର ଏହି ଘରଟି ମଧ୍ୟରେ ସଂସାରଲାଗି ଥାନ ଛାଡ଼ିଦେବା, ସମସ୍ତଙ୍କ ଲାଗି ଥାନ ଛାଡ଼ିଦେବା ।

 

ଆମେ ଅନେକ ସମୟରେ କାହାରି ଲାଗି ଏତେଟିକିଏ ଥାନ ବି ଛାଡ଼ି ଦେବାନାହିଁ ବୋଲି ସତେଯେପରି ଭାରି ଜିଦ୍ କରି ବସିଥାଉ । କେବଳ ଆପଣା ଲାଗି ଭଲ ହେଉ, ଆପଣାଲାଗି ଧର୍ମ କମାଉ, ଆପଣାଲାଗି ପ୍ରାର୍ଥନା କରୁ, ଆପଣାଲାଗି ଉଦାରତା ଦେଖାଉ । ସେତେବେଳେ ଆମେ ସତେଅବା ସମସ୍ତ ଶାସ୍ତ୍ରବୁଦ୍ଧି ଏବଂ ସ୍ଵାର୍ଥବୁଦ୍ଧିକୁ ଖଟାଇ ତାଙ୍କୁ ଏହି ସାନ ଅଡ଼ାଟି ଭିତରକୁ ଟାଣିଆଣି ଗୋଟାସୁଦ୍ଧା ନିଜର କରି ରଖିବାକୁ ଚେଷ୍ଟା କରୁଥାଉ । ତାଙ୍କୁ ଆମରି ପରି ସାନ କରି ଆଣିବାକୁ ହିଁ ଆପଣାକୁ ବଡ଼ କରିବାର ବାଟ ଖୋଲି ଭ୍ରମ କରୁଥାଉ । ସେହି ଭ୍ରମକୁ ଭକ୍ତି ବୋଲି କହୁ, ଭକ୍ତିକୁ ସର୍ବଶ୍ରେଷ୍ଠ ମାର୍ଗ ବୋଲି ଆମେ କେଡ଼େ ଆହ୍ଲାଦରେ ଘୋଷଣା କରୁ ଏବଂ ଏହି ଭକ୍ତିରେ ହିଁ ଭଗବାନ ବଶ ହୁଅନ୍ତି ବୋଲି ପ୍ରମାଣ କରି ଶାସ୍ତ୍ର ଲେଖୁ । ତଥାପି ଦୁଆର ଖୋଲେନାହିଁ, ତଥାପି ଆଖି ଫିଟେନାହିଁ । ଆଲୁଅଗୁଡ଼ାକ ଅନ୍ଧାରର ଗମ୍ଭୀରିଭିତରେ ବନ୍ଦ ହୋଇ ରହିଥାଏ । ତେଣୁ ଆଗ ଅଭୀପ୍‌ସା ଦରକାର । ଆହୁରି ଅଭୀପ୍‌ସା ଦରକାର । ତେବେଯାଇ କାନ୍ଥ ଗୁଡ଼ାକ ଭାଙ୍ଗି ପାରିବ, ତେବେଯାଇ ନିଜ ଭିତରକୁ ବାଟ ଦିଶିଯିବ । ତେବେଯାଇ ଆମର ଅନୁଭବମାନ ଆମକୁ ବିମୋଚିତ କରି ପାରୁଥିବ ।

 

୧୪ । ୧୦ । ୭୯

 

ତା’ପରେ ସେହି ଅଭୀପ୍‌ସାଟିର ପରିପାଳନ, ଅର୍ଥାତ୍ ସେହି ଅଭୀପ୍‌ସାଟି ମଧ୍ୟରେ ବିଚରଣ । ସେତେବେଳେ ନିଜର ବଞ୍ଚିବା କହିଲେ ହିଁ ଉକ୍ତ ବିଚରଣକୁ ବୁଝାଇବ । ଆମେ ଜୀବନକୁ ଆଉଗୋଟାଏ ଜାଗାରେ ରଖି ତାହାରି ବିକାଶ, ଅଭିବୃଦ୍ଧି ଏବଂ ସମୃଦ୍ଧି ଲାଗି ଭଗବାନଙ୍କ ପାଖକୁ ଅନୁଗ୍ରହ ମାଗି ଯାଇଥାଉ । ଆପଣାକୁ ଅକିଞ୍ଚନ କରି ଦୂରରେ ରଖିଥାଉ, ଆପଣାର ମଳିଗୁଡ଼ାକ ଭିତରେ ସନ୍ତପ୍ତ ହୋଇ ରହିଥାଉ ଏବଂ ଏପରି ଏକ ଶୁଭଦିନ ଆସିବ, ଯେତେବେଳେ କି ସିଏ ଆମକୁ ଏହି ମଳିଭିତରୁ ଉର୍ଦ୍ଧ୍ଵକୁ ବାହାର କରି ନେଇଯିବେ ବୋଲି ବିଚାର କରୁଥାଉ । ଆପଣାର ଦଇନିଗୁଡ଼ାକୁ ଜଣାଇବାକୁ ହିଁ ଆମେ ପ୍ରାର୍ଥନା ବୋଲି ବିଚାରିଥାଉ । ସେହିପରି ଆର୍ତ୍ତ ଭାବରେ ପ୍ରାର୍ଥନା କରିବାକୁ ଆମେ ଅନେକ ସମୟରେ ଅଭୀପ୍‌ସା ବୋଲି ଭ୍ରମ କରିଥାଉ ।

 

କିନ୍ତୁ ଏହି ଅକିଞ୍ଚନତାକୁ ଛାଡ଼ି ତାଙ୍କରି ଭିତରେ ଜୀବନ ବଞ୍ଚିବା, ସେହି ବିସ୍ତାରିତ ଓ ସହଜପ୍ରସାରିତ କୋଳ ଭିତରେ ଆପଣାକୁ ପ୍ରତିପାଳିତ କରି ରଖିବା, –ଆପଣାର ମାଟିଟି ଉପରେ ବିଚରଣ କରୁ କରୁ ତାଙ୍କରି ଆଶୀର୍ବାଦର ସ୍ପର୍ଶକୁ ଆପଣା ଜୀବନର ଶାଖାପ୍ରଶାଖା ବୋଲି ଅନୁଭବ କରିବା, –ଇଏ ଏକ ଅନ୍ୟ ଅଧିକାର, –ଏକ ଅନ୍ୟ ସୌଭାଗ୍ୟ, ତାହା ଏକ ଅନ୍ୟ ବିଚରଣ । ସେହି ଅଭୀପ୍‌ସା ମୋ’ ଭିତରେ ଜୀବନ୍ତ ହୋଇ ରହିବ, ଜାଗୃତ ହୋଇ ରହିବ, ସଦାସଚେତ ହୋଇ ରହିବ, ମୋ’ ଜୀବନରେ ତାହା ମୋ’ ଶ୍ରଦ୍ଧାର ଅନ୍ୟନାମ ହୋଇ ରହିବ । ମୋ’ର ଯାବତୀୟ ଖିଅ ଲଗାଇବା ପ୍ରସାରିତ ହେବା ଏବଂ ଆପଣାକୁ ଅଜାଡ଼ିଦେବା ମଧ୍ୟରେ ତାହାହିଁ ଅସଲ ଖିଅ ଓ ଅସଲ ସମ୍ବନ୍ଧର ସନ୍ତକ ହୋଇ ରହିବ । ତା’ପରେ ଯାଇ ଅକିଞ୍ଚନତା ରୂପାନ୍ତରିତ ହୋଇଯିବ । ଏହି ଧୂଳି ରୂପାନ୍ତରିତ ହୋଇଯିବ, ଅର୍ଥାତ୍ ଧୂଳି ଆପଣାକୁ ଆବିଷ୍କାର କରିବାଲାଗି ସମର୍ଥ ହେବ ।

 

୧୫ । ୧୦ । ୭୯

 

ଆପଣାକୁ ଗୋଟାସୁଦ୍ଧା ଦେଇ ଦେବାପାଇଁ ଏ ଧ୍ୟାନ, ଏ ଏକାଗ୍ରତା ଓ ଏହି ତପସ୍ୟା । ସେତେବେଳେ ଧ୍ୟାନ ଏବଂ ସମର୍ପଣ ଭିତରେ ମୁଁ ଆଦୌ କୌଣସି ଫରକ ରହିଥିବା ପରି ଅନୁଭବ କରେନାହିଁ । ଫୁଲଟିଏ କେତେବେଳେ ଫୁଟିଉଠେ ଓ କେତେବେଳେ ଆପଣାକୁ ସମର୍ପଣ କରେ, ଆଗ ଫୁଟିଉଠେ ନା ଆଗ ଆପଣାକୁ ସମର୍ପଣ କରେ, –ଏସବୁ ମଧ୍ୟରେ ଫୁଲ ଆଦୌ କୌଣସି ଫରକ ଅନୁଭବ କରୁନଥିବ । ସିଏ ହୁଏତ କୋଉଠି ଆପଣାକୁ ସମର୍ପଣ କରୁଛି ବୋଲି ମୋଟେ ଅନୁଭବ କରୁନଥିବ । ସିଏ ଫୁଟି ଉଠୁଥିବ ଓ ତାହାହିଁ ଏକ ସମର୍ପଣରେ ରୂପାନ୍ତରିତ ହୋଇ ଯାଉଥିବ । ସିଏ ଫୁଟି ଉଠୁଥିବ ଓ ଗ୍ରହଣ କଲାବାଲା ତାହାକୁ ଠିକ୍ ସେହିପରି ଭାବରେ ହିଁ ଗ୍ରହଣ କରି ନେଉଥିବେ ।

 

ଏହି ଫୁଟି ଉଠିବାର ବାଟ, –ତାହାହିଁ ଯାବତୀୟ ଏକାଗ୍ରତାର ବାଟ, ତପସ୍ୟାର ବାଟ; ଏହି ଜଗତ ମଧ୍ୟରେ, ତାଙ୍କରି ଜଗତ ମଧ୍ୟରେ ଆପଣାକୁ ଅନୁଭୂତ କରାଇବାର ବାଟ । ତାହାହିଁ ମୋ’ର ବାଟ, ମୁଁ ନିଜେ ବାଛି ନେଇଥିବାର ବାଟ । ଏହି ବାଟରେ ହିଁ ମୋ’ର ଅଭୀପ୍‌ସିତ ପରମ ସଖ୍ୟଟିକୁ ଲାଭ କରିପାରିଛି । ଆପଣା ଭିତରେ ସେହି ସଖ୍ୟକୁ ଲାଭ କରି ପାରିଛି । ବାହାରେ ଏହି ବିସ୍ତୃତ ଆକାଶ ଭିତରେ ମଧ୍ୟ ଲାଭ କରି ପାରିଛି । ତାହାହିଁ ଜୀବନର ସମଗ୍ର କଥା ସମଗ୍ର ଖୁସୀ ଓ ସମଗ୍ର ସ୍ଵୀକୃତି । ତାହାହିଁ ପ୍ରକୃତ ଠାବ ପାଇବାର, ପ୍ରକୃତ ସଂଯୁକ୍ତ ହେବାର ଅସଲ ରହସ୍ୟ, ପ୍ରକୃତ ରହସ୍ୟ ।

 

୧୬ । ୧୦ । ୭୯

 

ସେଇଠି ସେହି ହୃଦୟ ଭିତରେ ସବୁକିଛି ସମାବିଷ୍ଟ ହୋଇ ରହିଛି । ମୁଁ ଅଛି, ସିଏ ଅଛନ୍ତି, ଭବିଷ୍ୟ ଅଛି । ସେଇଠି ସବୁଯାକ ଡୋର ଓ ଖିଅର ମୂଳଗୁଡ଼ାକ ଏକାଠି ହୋଇ ବନ୍ଧାହୋଇଛି । ମୋ’ର ସମଗ୍ର ଆକୂତିଟି ମୋ’ର ହୃଦୟ ହୋଇ ଉକୁଟି ଉଠିଛି ବୋଲି ଯେତେବେଳେ ମୁଁ ଅନୁଭବ କରି ପାରିବି, ମୁଁ ସେତିକିବେଳେ ଯାଇ ଆପଣାର ହୃଦୟଟି ଚିହ୍ନିପାରିବି ।

 

ସେହି ହୃଦୟ ଭିତରେ ପ୍ରବେଶ କରିବାକୁ ହେବ, ଆପଣାର ଗଭୀରତା ଏବଂ ଆପଣାର ବିସ୍ତାରଗୁଡ଼ିକୁ ଠାବ କରିବାକୁ ହେବ । ଆପଣାର ଏହି ଘରଟିକୁ ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ଜାଣିବାକୁ ଅର୍ଥାତ୍ ଅନୁଭବ କରିବାକୁ ହେବ । ଏବଂ, ତାହାରି ଭିତରେ ହିଁ ମୋତେ ଆପଣାର ଅନ୍ତରଙ୍ଗ ନିଜସ୍ୱ ସୂତ୍ରଟି ମିଳିଯାଇ ପାରିବ । ତାହାହିଁ ମୋତେ ଆପଣା ସହିତ ଘନିଷ୍ଟ ଭାବରେ ସଂଯୁକ୍ତ କରି ରଖିପାରିବ । ହୃଦୟ ଏପରି ଗୋଟିଏ କ୍ଷେତ୍ର, ଯେଉଁଠାରେ କି ଆପଣାର ଜ୍ଞାନ ଓ ଆପଣାର କର୍ମ ସବୁକିଛି ଗୋଟିଏ ଭାବମୟତାରେ ସତେଅବା କେତେ ଆହ୍ଵାନରେ ଆପଣାକୁ ସଖା ପରି, ଆପଣାର ଅସଲ ମୂଳଟି ପରି ଆଲୋଡ଼ିତ ଓ ପ୍ରେରିତ କରିବାରେ ଲାଗିଥାଏ । ହୃଦୟ ଭିତରେ କୌଣସି ଦୁଆର ବା ବାଡ଼ ରଖିଥିଲେ ତାହା ଆମକୁ ନାନାପ୍ରକାରେ ଏହି ତଥାକଥିତ ଜ୍ଞାନ ଓ ତଥାକଥିତ କର୍ମର ଗର୍ତ୍ତଗୁଡ଼ାକ ଭିତରେ ବାନ୍ଧି କରି ରଖିଥାଏ । ଜ୍ଞାନଗୁଡ଼ାକ ବାଡ଼ ହୋଇ ବାନ୍ଧିପକାନ୍ତି ଓ କର୍ମଗୁଡ଼ାକ ବି ବାଡ଼ ହୋଇ ନାନା ଅପ୍ରଶସ୍ତତାର ଉତ୍ତେଜନା ଭିତରେ ଆମକୁ ଭାରି କ୍ଲେଶସନ୍ତପ୍ତ କରି ରଖିଥାନ୍ତି । ଭିତରକୁ, ଆହୁରି ଭିତରକୁ ଗଲେ ବାଡ଼ ଭାଙ୍ଗେ, ଅସଲ ସୂତ୍ରଗୁଡ଼ିକ ବି ମିଳିଯାଏ । ଭାବସଦନରେ ବାସ ମିଳିଯାଏ । ଜୀବନର ଯାବତୀୟ ପ୍ରୟାସ ମଧ୍ୟରେ ଏକ ସମଗ୍ରତାର ସ୍ଵାଦ ମିଳେ । ସେଇଠି ସିଏ ବି ମିଳିଯାଆନ୍ତି ।

 

୧୭ । ୧୦ । ୭୯

 

ହଁ, ମୁଁ କେବଳ ଏହି ନିଆଁଟିକୁ ହିଁ ଦେଖିବାକୁ ପାଏ । ଆଖି ବୁଜିଲେ ଦେଖିବାକୁ ପାଏ, ଆଖି ଖୋଲିଲେ ମଧ୍ୟ ଦେଖିବାକୁ ପାଏ । ଆପଣା ଭିତରେ ଯେତିକି ଗଭୀରକୁ ଯାଏ, ମୁଁ ସେତିକି ସେତିକି ଆପଣା ଭିତରେ ସତେଅବା ଏହି ଅଗ୍ନିମିତ୍ରର ହିଁ ପ୍ରତ୍ୟକ୍ଷ କରୁଥାଏ । ବାହାରେ ଆଉ କେଉଁ ମଣିଷ ସହିତ ଯେତେବେଳେ ମୋ’ର ଯଥାର୍ଥ ଭାବରେ ସାକ୍ଷାତ ହୁଏ, ସେତେବେଳେ ତା’ ଭିତରେ ମଧ୍ୟ ମୁଁ ସେହି ନିଆଁଟିକୁ ହିଁ ସ୍ପର୍ଶ କଲାପରି ଅନୁଭବ କରିଥାଏ । ସେହି ଅନୁଭୂତିରୁ ହିଁ ସଖ୍ୟ ମିଳେ, ନୈକଟ୍ୟର ଅନୁଭୂତି ମିଳେ । ଆମେ ଦୁହେ ଯେ ପରସ୍ପରଠାରୁ ମୋଟେ ଦୂର ନୋହୁ, ତାହାରି ଅନୁଭବ ମିଳିଥାଏ ।

 

ସେହି ଅଗ୍ନି ହେଉଛି ମୋ’ ଭିତରେ ସନ୍ନିବେଶିତ ହୋଇ ରହିଥିବା ବିଶ୍ଵକର୍ମାର ଶ୍ରଦ୍ଧା, ବିଶ୍ଵକର୍ମାର ସାହସ ଏବଂ ସେହି ବିଶ୍ଵକର୍ମାର ସ୍ଵପ୍ନ । ତା’ରି ଲାଗି ହିଁ ମୋ’ ଆଖିଭିତରେ ମୁଁ ଏତେ ଶ୍ରଦ୍ଧା ଭରି ରହିବାର ଅନୁଭବ କରିପାରେ, ତାହାରି ଲାଗି ହିଁ ମୁଁ ବାଡ଼ ଭାଙ୍ଗିବାର ସାହସ ପାଏ, ତାହାରିଲାଗି ହିଁ ବାହାରକୁ ଅନାଇଦେଲେ ସବୁକିଛି ତଥାପି ଏତେ ନିକଟ ପରି ମନେହୁଏ, ଏଡ଼େ ଆପଣାର ପରି ମନେହୁଏ । ଯେତେବେଳେ ମୁଁ ତାହାକୁ ହିଁ ମୋ’ର ଅସଲ ଅଗ୍ନି ବୋଲି ସ୍ଵୀକାର କରି ନେଇପାରେ, ସେତିକିବେଳେ ଯାଇ ତାହାରଦ୍ଵାରା ଆଉ ଯାବତୀୟ ଅନ୍ୟ ସକଳ ଅଗ୍ନିକୁ ପ୍ରଜ୍ଜ୍ଵଳିତ କରି ପାରିବାର, ଆଉ ଅନ୍ୟ ଯାବତୀୟ ଅଗ୍ନିକୁ ଚିହ୍ନି ପାରିବାର ସୂତ୍ର ପାଇଯାଏ । ତେଣୁ, ଏହି ଦୁଃଖ, ସୁଖ, ଶ୍ରଦ୍ଧା, ଆକାଙ୍‌କ୍ଷା, ଏହି ଯାବତୀୟ ତପସ୍ୟା ଓ ସାଧନା, –ଏହି ସବୁକିଛି ପଛରେ ଯେଉଁ ନିଆଁଟି ସତ୍ୟରୂପ, ସଖାରୂପ ଏବଂ ଭଗବତରୂପ ହୋଇ ମୋତେ ଅପେକ୍ଷା କରି ରହିଛି, ମୁଁ ତାହାକୁ ହିଁ ବହନ କରି ରହିବି, ସଚେତନ ଭାବରେ ତାହାର ହୋଇ ରହିବି ।

 

୧୮ । ୧୦ । ୭୯

 

ମୋ’ରି ଭିତରେ ତାଙ୍କରି ଗୌରବ ମୋ’ର ଏତେ ଆପଣାର ହୋଇ ରହିଛି, ଏବଂ ତାହାହିଁ ମୋତେ ନିୟତ ଏକ ବୀର ଯୋଦ୍ଧାର ଅନୁଭୂତି ଆଣି ଦେଇଯାଏ । ତାହା ମୋତେ ମୋ’ର ତଥାକଥିତ ଯାବତୀୟ ବିଫଳତାରେ ମଧ୍ୟ ଏକ ବୀର ଯୋଦ୍ଧାର ଅନୁଭୂତି ଆଣି ଦେଇଥାଏ । ମୋ’ ପାଖରେ ଘେରି ରହିଥିବା ତଥାକଥିତ ଯାବତୀୟ ଅନ୍ଧକାର ସତ୍ତ୍ୱେ ମୋ’ ଭିତରେ ରହିଥିବା ଆଲୋକର ଓ ଆଲୋକାଗ୍ରହର ନିର୍ଭର ଆଣି ଦେଇଯାଏ ।

 

ସେହି ଗୌରବଟିକୁ ମୁଁ ସମସ୍ତ ଭୁବନରେ ପ୍ରକାଶିତ ହୋଇଥିବାର ଅନୁଭବ କରିବାକୁ ପାଏ । ଖାସ୍ ସେଇଥି ସକାଶେ ହିଁ ମୋତେ ଏଠାରେ କୋଉଠି କିଛିହେଲେ ଦୁର୍ଗତ ଓ ଦୁର୍ଭାଗ୍ୟ ବୋଲି ମନେ ହୁଅନ୍ତିନାହିଁ । ଏଠାରେ କେହି ଅକିଞ୍ଚନ ଅଥବା ହେୟ ବୋଲି ମନେ ହୁଅନ୍ତିନାହିଁ । କେବଳ ମଝିରେ ଯେଉଁ ଗୋଟାଏ ଗୋଟାଏ କାନ୍ଥ ଓ ବାଡ଼ ଠିଆହୋଇ ରହିଥାଏ, ସେଗୁଡ଼ାକ ହିଁ ଯାବତୀୟ ଅନ୍ତରାୟ ସୃଷ୍ଟି କରି ରଖିଥାନ୍ତି । ସେହି ବାଡ଼ ଓ କାନ୍ଥଗୁଡ଼ାକୁ ଭାଙ୍ଗିବାଲାଗି ବୀର ଯୋଦ୍ଧା ହୋଇ ତିଆରି ହେବାର ଆବଶ୍ୟକତା ରହିଛି । ନିଜ ଭିତରେ ଯେତେଯେତେ ବାଡ଼ ଓ କାନ୍ଥ ରହିଛି, ଆଗ ସେଗୁଡ଼ାକୁ ଉଠାଇ ଦେବାକୁ ପଡ଼ିବ, ନିଜର ଶ୍ରଦ୍ଧା ଓ ବିଶ୍ଵାସ ବଳରେ ଆପଣାକୁ ସବୁବେଳେ ଅପେକ୍ଷମାଣ ସେହି ଆଲୋକସଖ୍ୟଟି ଆଡ଼କୁ ଉନ୍ମୋଚିତ କରି ରଖିବାକୁ ହେବ । ଏବଂ ବାହାରେ, ଆମର ସମୂହ ଏବଂ ସମାଜଗୁଡ଼ିକରେ ଯେଉଁସବୁ କାନ୍ଥ ଓ ବାଡ଼ ତଥାପି ନାନା ପ୍ରତିଷ୍ଠାର ଅନମନୀୟତା ସହିତ ଜାରି ହୋଇ ରହିଛି, ସେଗୁଡ଼ିକୁ ବି ଉଠାଇ ପାରିବାଲାଗି ପ୍ରସ୍ତୁତ ହେବାକୁ ପଡ଼ିବ, ଯୋଦ୍ଧାରୂପେ ପ୍ରସ୍ତୁତ ହେବାକୁ ପଡ଼ିବ । ଅନେକ ବିଶ୍ଵାସ ଏବଂ ଶ୍ରଦ୍ଧା ସହିତ ପ୍ରସ୍ତୁତ ହେବାକୁ ପଡ଼ିବ । ଆପଣାର ଆଖିଗୁଡ଼ିକୁ ଆହୁରି ଅଧିକ ସଂପ୍ରସାରିତ କରି ପାରିଲେ ଏହି ଦିଗରେ ଅଗ୍ରଗତି ସମ୍ଭବ ହେବ ।

 

୧୯ । ୧୦ । ୭୯

 

ଏହି ଗୋଟିଏ ପିଲା ଭିତରେ କେତେ ଅମାନିଆ ପିଲା ଅଛନ୍ତି । ଅମାନିଆ ପିଲା ଅର୍ଥାତ୍ ଗେହ୍ଲା ପିଲା । ସେହି ପିଲାମାନେ କେବଳ ଆପଣାର ଅଜଟଗୁଡ଼ାକ ଅନୁସାରେ ହିଁ ଜୀବନଟାକୁ ଚଳାଇ ନେବାକୁ ଇଚ୍ଛା କରୁଛନ୍ତି । ଏତେ ଅଜଟ ଭିତରେ, ସବୁରି ତଳେ ଅସଲ ଯେଉଁ ପିଲାଟି ଆପଣାକୁ ପ୍ରସ୍ଫୁଟିତ କରି ଆଣିବାର ଅଭିଳାଷ ରଖିଛି, ସିଏ ଏକାବେଳେକେ ଅବହେଳିତ ହୋଇ ରହିଯାଉଛି । ସେହି ପିଲାଟି ସତେଅବା ମୋଟେ କେଉଁଠିହେଲେ ନାହିଁ ଅଜଟଗୁଡ଼ାକ ଅନେକ ସମୟରେ ସେହିପରି ଏକ ଭ୍ରମ ବି ସୃଷ୍ଟି କରି ରଖିବାକୁ ଚେଷ୍ଟା କରୁଛନ୍ତି ।

 

ତେଣୁ, ଅସଲ ପିଲାଟିକୁ ଚିହ୍ନି ରଖିବାଲାଗି, ଅର୍ଥାତ୍ ଆପଣା ଭିତରେ ଅନୁକ୍ଷଣ ତାହାକୁ ଅନୁଭବ କରି ପାରିବାଲାଗି ଆପଣାର ଇଚ୍ଛାଶକ୍ତିକୁ ଯେତିକି ଦୃଢ଼ କରିବା ଆବଶ୍ୟକ, ତାହାକୁ ସେତିକି ଦୃଢ଼ କରିବାକୁ ପଡ଼ିବ । ସେହି ପିଲାଟି ସହିତ ଆମର ଅସଲ ଖିଅଗୁଡ଼ିକ ଲାଗି ରହିଥିଲେ ବାହାରେ ରହିଥିବା ଏହିସବୁ ନାନା ଅଜଟ ଆମକୁ ଆଉ କଦାପି ଛନ୍ଦିକରି ରଖି ପାରିବନାହିଁ । ଅମାନିଆ ପିଲାଗୁଡ଼ାକ ବି କ୍ରମେ ଘରକୁ ଫେରିଆସିବେ, ଫୁଟିବାରେ ସହାୟକ ହେବେ ଏବଂ ସେତେବେଳେ ଭିତରର ସବୁଯାକ ଦ୍ଵନ୍ଦ ଓ ଦୁର୍ବଳତା ଅନେକ ପରିମାଣରେ ଅପସରି ଯିବ ।

 

୨୦ । ୧୦ । ୭୯

 

ଗଭୀରରେ ଥିବା ସେହି ମନ୍ଦିରଟି ହେଉଛି ତାଙ୍କର ମନ୍ଦିର, ତାହା ମୋ’ର ବି ଅସଲ ମନ୍ଦିର । ସେଇଟି ହେଉଛି ମୋ’ର ଅସଲ କେନ୍ଦ୍ର, ଅସଲ ତୀର୍ଥ, ଅସଲ ବନ୍ଧୁ । ମୁଁ ସେହି କେନ୍ଦ୍ରଟିରୁ ବଞ୍ଚି ପାରିଲେ ତାଙ୍କରି ସକାଶେ ଜୀବନ ବଞ୍ଚି ପାରିବି । ସେତେବେଳେ ମୋତେ ଆଉ ବାହାରେ ଆଉ ଭିତରେ କୌଣସି ପ୍ରକାରେ ବିଭକ୍ତ ହୋଇ ରହିବାକୁ ମୋଟେ ପଡ଼ିବନାହିଁ । ଆପଣା ଭିତରେ କୌଣସି ପ୍ରକାରେ ବିଭକ୍ତ ହୋଇ ରହିବାକୁ ମୋଟେ ପଡ଼ିବନାହିଁ । ମୁଁ ଯାହାକୁ ଖୋଜୁଛି, ଯାହାର ଚରଣଧ୍ଵନିକୁ ଶୁଣିପାରୁଛି, ସିଏ ମୋ’ର ଭିତରେ ଅଛନ୍ତି; ସିଏ ମୋ’ର ଅନ୍ତର ମନ୍ଦିରରେ ରହିଛନ୍ତି । ତାଙ୍କୁ ମୁଁ ସେହିଠାରେ ହିଁ ଆବିଷ୍କାର କରିବି, ଅନୁଭବ କରିବି । ସେଇଠି ତାଙ୍କୁ ସଖାରୂପେ ସ୍ଵୀକାର କରିବି । ତାଙ୍କରି ହାତ ଧରି ବାହାରେ ପ୍ରବୃତ୍ତ ହେବାର ବିଦ୍ୟାଟିକୁ ମୁଁ ଶିଖିପାରିବି । ତେବେଯାଇ ମୋ’ର ଏହି ଚେତନ ଜୀବନ ଯଥାର୍ଥରେ ଚେତନାମୟ ହୋଇପାରିବ । ସେହି ଅସ୍ଥାନଟିକୁ ମୁଁ ନିଜେ ତିଆରି କରି ନାହିଁ, ମୁଁ ନିଜେ ସେଠାରେ ଦେବତାଙ୍କୁ ନେଇ ଓ ବସାଇନାହିଁ । ସେ ସେଠାରେ ମୁଁ ତାଙ୍କୁ ଆବିଷ୍କାର କରିବା ଆଗରୁ ରହିଛନ୍ତି, ତାଙ୍କର ଆସ୍ଥାନଟିକୁ ସିଏ ଆପେ ଆପେ ତିଆରି କରି ମୋ’ର ଅତି ଆପଣାର ହୋଇ ରହିଛନ୍ତି । ମୁଁ ଅନେକ ସମୟରେ ଭିତରକୁ, ଗଭୀରକୁ ଯିବାର ସାହସ କରି ପାରୁନାହିଁ ବୋଲି ତାଙ୍କୁ ଅନୁଭବ କରି ପାରୁନାହିଁ । ନାନା ଭୟବୁଦ୍ଧିର ତାର୍କିକତା ମୋତେ ତାଙ୍କଠାରୁ ଏପରି ବିଚ୍ଛିନ୍ନ କରି ରଖୁଛି ।

 

୨୧ । ୧୦ । ୭୯

 

ସେହି ଚୈତ୍ୟସତ୍ତାର ଚେତନା ଏବଂ ଅଭୀପ୍‍ସା, –ମୁଁ ଏହି ଚେତନା ଏବଂ ଏହି ଅଭୀପସା ମଧ୍ୟରେ ବି ବାହାର ସ୍ପର୍ଶ ବାରମ୍ବାର ପାଇ ତାକୁ ଚିହ୍ନିଛି । ଏହି ବାସନା ମୋତେ କେତେକେତେ ଥର ସେହି ବାସନାର ଖିଅଟିକୁ ଧରାଇଦେଇ ଯାଇଛି । ଏବଂ, ଯେତିକି ଯେତିକି ମୁଁ ଅସଲ ଖିଅଟିକୁ ଧରିବାକୁ ସମର୍ଥ ହୋଇଛି ଦୁଇ ଚେତନା ଓ ଦୁଇ ଅଭୀପ୍‌ସା ଯେ ପରସ୍ପରଠାକୁ ମୂଳତଃ ଆଦୌ ଭିନ୍ନ ନୁହନ୍ତି, ମୁଁ ସେହି କଥାଟିକୁ ଅଧିକରୁ ଅଧିକ ପରିମାଣରେ ଅନୁଭବ କରିଛି । ସେହି ଅନୁଭୂତି ମୋତେ ସାହସ ଦେଇଛି, ତାହାରିଦ୍ଵାର ମୋ’ର ଅନେକ ଅପବିତ୍ରତା ପବିତ୍ର ହୋଇ ଯାଇଛି, ଅନେକ ଦ୍ଵାର ଖୋଲିଯାଇଛି, ଅନେକ ବାଡ଼ ବି ଭାଙ୍ଗିଯାଇଛି । ବାଡ଼ ଭାଙ୍ଗିଯିବା ପରେ, ଅର୍ଥାତ୍ ଆପଣାର ବାଡ଼ଗୁଡ଼ିକୁ ଭାଙ୍ଗିବାକୁ ପ୍ରସ୍ତୁତ ହୋଇଯିବା ପରେ, ଆଉ କୌଣସି ବାଧା ବା ଅସୁବିଧା ରହେନାହିଁ, କୌଣସି ସଂଶୟ ବି ରହେନାହିଁ । ବାଟ ବାକିଥାଏ, ତଥାପି ସେହି ବାଟଗୁଡ଼ାକ ସକାଶେ ଆଦୌ କୌଣସି ବ୍ୟବଧାନର ଆଘାତ ସହିବାକୁ ପଡ଼େ ନାହିଁ । ନିଜର ଭିତରକୁ ଅନାଇ ଶିଖିବା ସଙ୍ଗେ ସଙ୍ଗେ ବାହାରଲାଗି ଦୃଷ୍ଟିଟି ମଧ୍ୟ ନିର୍ମଳ ହୋଇଯାଏ । ଭିତରେ ଆପଣାର ବାଟଟିକୁ ଶ୍ରଦ୍ଧା ସହକାରେ ଚିହ୍ନି ନେଉଥିବା ସଙ୍ଗେ ସଙ୍ଗେ ହିଁ ବାହାରର ବାଟଗୁଡ଼ାକ ମଧ୍ୟ ସଂଶୟରହିତ ହୋଇଯାଉଥାଏ । ଅସଲ ସୂତ୍ରଗୁଡ଼ିକ ବିଷୟରେ ଆଉ ସଂଶୟ ରହେନାହିଁ ।

 

୨୨ । ୧୦ । ୭୯

 

ସାନ ବଡ଼ ସକଳ କାର୍ଯ୍ୟରେ, ସାନ ଓ ବଡ଼ ପ୍ରତ୍ୟେକ ମୁହୂର୍ତ୍ତରେ ତାଙ୍କରି ପାଖରେ ପ୍ରତିଶ୍ରୁତିବଦ୍ଧ ହୋଇ ରହିବାକୁ ହୁଏ, ଆପଣା ପାଖରେ ପ୍ରତିଶ୍ରୁତବଦ୍ଧ ହୋଇ ରହିବାକୁ ହୁଏ ।

 

ଅନେକ କାଳ ପର୍ଯ୍ୟନ୍ତ ଆମେ ନିଜକୁ ତାଙ୍କଠାରୁ ଅତି ଦୂରରେ ରଖିଥାଉ, ଆପଣା ପାଖରୁ ଆପଣାକୁ ବହୁଦୂର କରି ରଖିଥାଉ । ଆପଣା ଉପରେ ଜବରଦସ୍ତି କେତେ ନିୟମକୁ ଆଣି ମାଡ଼ିଦେବାରେ ଲାଗିଥାଉ । ଲୁଚି ଲୁଚି ବୁଲୁଥାଉ ଓ ଡରି ଡରି ମରୁଥାଉ । ଏହି ସଂସାର ପାଖରେ ପର ହୋଇ ରହିଥାଉ । ଏଇଠି ଅନ୍ୟ ମାନଙ୍କ ପାଖରେ ଓ ଆପଣାର କ୍ଷୁଦ୍ର ଯଶୋଲୋଭୀ ଅହଂଟା ପାଖରେ ଭାରି ଭଲ ହୋଇ ଦେଖାଯିବାକୁ ଚେଷ୍ଟା କରୁଥାଉ । ଏଗୁଡ଼ାକ କୌଣସିଟି ଦ୍ଵାରା କିଛି ହୁଏ ନାହିଁ । ଦୂରତା ଘୁଞ୍ଚେନାହିଁ କି ଅନ୍ଧକାର ଘୁଞ୍ଚେନାହିଁ । ଭୟଗୁଡ଼ାକ ପ୍ରାୟ ଦେବତାର ଆସନ ଲାଭ କରି ବାଟ ମଝିରେ ବସି ରହିଥାନ୍ତି, ଅବିଶ୍ଵାସଗୁଡ଼ାକ ବନ୍ଧୁପରି ଲାଗୁଥାନ୍ତି, ଭୀରୁତାଗୁଡ଼ାକ ବାଟ ପରି ଦେଖା ଯାଉଥାଏ । ତେଣୁ ସେପାଖରୁ କୌଣସି ଜବାବ ମିଳେନାହିଁ । ଯାହାଙ୍କୁ ମୁଁ ଭୟ କରୁଛି, ଯାହାଙ୍କ ପାଖରୁ ମୁଁ ଲୁଚି ଲୁଚି ବୁଲୁଛି, ସିଏ ପୁଣି ମୋତେ କି ଜବାବ ଦେବେ ? ତେଣୁ, ଜବାବ ପାଇବାକୁ ହେଲେ ଜବାବ ଦେବାକୁ ହେବ, ପାଖକୁ ଆସିବାକୁ ହେବ, ପାଖରେ ବସିବାକୁ ହେବ, –ଏଠି ସବୁକିଛି ଯେପରି ତାଙ୍କ ପାଖରେ ନିର୍ଭୟ ହୋଇ ବସିଛି, ସେହିପରି ନିର୍ଭୟ ହୋଇ ବସିବାକୁ ପଡ଼ିବ । ବିଶ୍ଵାସର ସହିତ ନିର୍ଭୟ ହେବାକୁ ପଡ଼ିବ ।

 

୨୩ । ୧୦ । ୭୯

 

ମୋ’ ଜୀବନରେ ବିଜୟ କେବଳ ମୋ’ରି ବିଜୟ ନୁହେଁ । ଏହା ମୋ’ ଭିତରେ ରହିଥିବା ସତ୍ୟର ବିଜୟ । ଧର୍ମ ଭିତରେ ଶତାବ୍ଦୀ ଶତାବ୍ଦୀ ଧରି ଆମେ ଏତେବେଶୀ ଏକ ଦେଶଦର୍ଶିତାକୁ ଆଖି ପୂରାଇ ଦେଇଛୁ ଯେ, ଅନେକ ସମୟରେ ଜୀବନରେ କୌଣସି ବିଜୟ ହାସଲ କରିବାକୁ ଆମେ ବିଚ୍ଛିନ୍ନ ଭାବରେ ନିଜଲାଗି ସତେଅବା କୌଣସି ଗଡ଼ ଜୟ କରି ଆଣିବାକୁ ହିଁ ବୁଝିଛୁ । ଏହିପରି ଗଡ଼ଜୟ ଗୁଡ଼ାକ ଲାଗି ଆମ ସଂସାରର ଆର୍ତ୍ତମାନେ ଅନେକ ଉତ୍ତେଜନା ସୃଷ୍ଟି କରିଛନ୍ତି । ନିଜକୁ ଅନେକ ପ୍ରକାରେ ଉତ୍ତେଜିତ କରି ରଖିଛନ୍ତି, ସଂସାରଟାକୁ ବି ଅନେକ ସନ୍ତପ୍ତ କରି ରଖିଛନ୍ତି ।

 

ମୋ’ରି ଭିତରେ ତାଙ୍କରି ଜୟ ହେଉ । ଆମ ସମସ୍ତଙ୍କ ଭିତରେ କେବଳ ତାଙ୍କରି ଜୟ ହେଉ । ଏହି ଅହଂବାଡ଼ ଗୁଡ଼ାକ ଅସମର୍ଥ ବୋଲି ଘୋଷିତ ହୁଅନ୍ତୁ । ପାଚେରୀ ଗୁଡ଼ାକ ବି ପରାଭବ ଲାଭନ୍ତୁ । ମୁଁ ଯେତେଯେତେ ପ୍ରକାରେ ସଂସାରଟାକୁ ଓ ସଂସାରର କର୍ତ୍ତାଙ୍କୁ ନିଜ ଲୋଭର ଓ ଯଶ ଲାଳସାରେ ସାନା ଗାତଟି ଭିତରକୁ ଟାଣିଆଣୁଛି, ନିଜର ସାନ ମନାସଗୁଡ଼ାକୁ ଓ ଉଗ୍ରତାଗୁଡ଼ାକୁ ମୁଁ ଯେତେ ଯେତେ ଦେବତାର ବସନ ଓ ଭୂଷଣ ପିନ୍ଧାଇ ରଖିବାକୁ ଉଦ୍ୟମ କରି ଆସିଛି, ସେହି ଉଦ୍ୟମର ଅବସାନ ହେଉ । ଆମେ ସମସ୍ତେ ଯେତେବେଳେ ସବୁଟିକୁ ସମ୍ଭାରି ରଖିଥିବା ସେହି ଅକ୍ଷୟ ସତ୍ୟମୟଙ୍କ ସକାଶେ ଜୀବନ ବଞ୍ଚିପାରିବା, ସେତେବେଳେ ଯାଇ ଆମ ଜୀବନରେ ସକାଶେ ଜୀବନ ବଞ୍ଚିପାରିବା, ସେତେବେଳେ ଯାଇ ଆମ ଜୀବନରେ ଯାହାକିଛି ବିଜୟ ହାସଲ ହେବ, ତାହା ପ୍ରକୃତରେ ସେହି ଅସଲ ବିଜୟଟିର ସହାୟକ ହୋଇପାରିବ ।

 

୨୪ । ୧୦ । ୭୯

 

ଯୁଦ୍ଧ ଏବଂ ବିଜୟ, –ଏହାହିଁ ରୀତି । ନିଜ ଜୀବନରେ ଯେଉଁପରି ରୀତି, ବାହାର ବିଶ୍ଵରେ ମଧ୍ୟ ଠିକ୍ ସେହିପରି ରୀତି । ଆଧାତ୍ମିକତାର କ୍ଷେତ୍ରରେ ରୀତି, ଶ୍ରଦ୍ଧା କ୍ଷେତ୍ରରେ ରୀତି, –ଆପଣା ସହିତ ପରିଚିତ ହେବାରେ ସର୍ବପ୍ରଧାନ ରୀତି, ଜୀବନରେ ଅଗ୍ରଗତି କରିବାରେ ମଧ୍ୟ ଏହାହିଁ ରୀତି-। ସଂଗ୍ରାମ ଏବଂ ବିଜୟ ।

 

ଆପଣା ସହିତ ସଂଗ୍ରାମ ଅର୍ଥାତ୍ ଆପଣାର ନୂତନ ନୂତନ ରୂପରେ ଆବିଷ୍କାର, ଅର୍ଥାତ୍ ଆପଣା ଉପରେ ନୂତନ ନୂତନ ରୂପରେ ବିଜୟ । ମୋ’ନିଜ ଭିତରେ କ’ଣ ସବୁ ଯେ ରହିଛି, ଏହାରି ଭିତରେ କେତେ ଶକ୍ତି ଓ କେତେ ଶ୍ରଦ୍ଧା ବି ରହିଛି, ସେ ବିଷୟରେ ବାହାରୁ ଦେଖିବାକୁ ମୁଁ ପ୍ରକୃତରେ କେତେ ଟିକିଏ ଜାଣିଛ ! ଅଧିକାଂଶ ସମୟ ତ ଆପଣାଠାରୁ ଆପେ ଲୁଚି ରହିବା ଓ ଆପଣାକୁ ସମସ୍ତ ବିଶ୍ଵଠାରୁ ଲୁଚାଇ ରଖିବାକୁ ହିଁ ବିତିଯାଇଛି । ଏହି ପୁରାତନ ଅଭ୍ୟାସଟି ଭିତରେ ମୋ’ର କଥାକଥିତ ଯାବତୀୟ ଧର୍ମ ବି ଅନେକ ଆତ୍ମଆବିଷ୍କାରରୁ ବଞ୍ଚିତ କରି ରଖିଛି । ଅନେକ ସଂଗ୍ରାମରୁ ମୋତେ ଉଢ଼ୁଆଳ କରି ରଖୁଛି । ଏବଂ ତେଣୁ, ମୋ’ର ଜୀବନର ଅନେକ ଅଭିପ୍ରେତ ଅଗ୍ରଗତିରୁ ବଞ୍ଚିତ କରି ରଖିଛି । ସେ ପଥକୁ ଛାଡ଼ି ଏ ପଥକୁ ଆସିବା,-ଏହାହିଁ ପ୍ରାୟ ଏକ ପୁନର୍ଜନ୍ମ ଲାଭ କରିବା, –ଆପଣା ଭିତରେ ଅସଲ ସ୍ପର୍ଶଟିକୁ ଅନୁଭବ କରିପାରିବା, ଅସଲ ଆତ୍ମୀୟତାଟିକୁ ନିଜର ପରମ ଧର୍ମ ବୋଲି ଜାଣିବା, ଅସଲ ବିଜୟଟିକୁ ଅଧିକାରୀ ହେବା ।

 

୨୫ । ୧୦ । ୭୯

 

ସେଇଟା ହିଁ ସବୁଠାରୁ ବଡ଼ କଥା, ଆପଣାର ସର୍ବୋଚ୍ଚ ଚେତନାରେ ଅବସ୍ଥିତ ରହି କାର୍ଯ୍ୟ କରିବା, ସତ୍ୟପାଇଁ କାର୍ଯ୍ୟ କରିବା, ସତ୍ୟପାଇଁ ବଞ୍ଚିବା, ବିରୋଧୀ ମଝିରେ ତଥାପି ସତ୍ୟର ଘୋଷଣା କରିବା ଏବଂ ଆବଶ୍ୟକ ହେଲେ ସତ୍ୟଲାଗି ସଂଗ୍ରାମ ମଧ୍ୟ କରିବା ।

 

ଯେଉଁମାନେ ସର୍ବୋଚ୍ଚ ଚେତନାରେ ଅବସ୍ଥିତ ରହନ୍ତି, ସେମାନେ ସାଧାରଣତଃ ସକଳ ପ୍ରକାର ସଂଗ୍ରାମରୁ ଏପରି ଭାବରେ ଅଲଗା ଓ ଦୂରଛଡ଼ା ହୋଇ ରହିଥାନ୍ତି କାହିଁକି ? ସେମାନେ କ’ଣ ସତ୍ୟ ଲାଗି ସଂଗ୍ରାମ କରିବାର କୌଣସି ଆବଶ୍ୟକତା ଅଛି ବୋଲି କେବେହେଲେ ଅନୁଭବ କରନ୍ତି ନାହିଁ ? ସେମାନେ କ’ଣ ବିରୋଧ ଓ ଅନ୍ୟ ସବୁକିଛିକୁ ଭୟ କରୁଥାନ୍ତି ବୋଲି ବିରୋଧ ଭିତରେ ଆସି ସତ୍ୟଲାଗି ଠିଆ ହେବା ତ ଦୂରେ ଥାଉ, ବିରୋଧ ହେବ ବୋଲି ସତ୍ୟର ଘୋଷଣା କରିବାକୁ ବି ଅତ୍ୟାବଶ୍ୟକ ମନେ କରନ୍ତି ନାହିଁ ? ଏହା ଫଳରେ ସେମାନେ ହୁଏତ ଏକ ଦ୍ଵନ୍ଦ୍ଵରହିତ ଜୀବନ ଯାପନ କରନ୍ତି ସତ, ମାତ୍ର ଚେତନାର ଅନ୍ୟ ନାନା ନିମ୍ନତର ସ୍ତରରେ ରହିଥିବା ଲୋକମାନଙ୍କ ହାତରେ ସବୁପ୍ରକାର ସଂଗ୍ରାମର ଦାୟିତ୍ଵ ଛାଡ଼ିଦେଇ ଆସନ୍ତି । ସଂସାରରେ ତେଣୁ କେତେ କେତେ ସଂଗ୍ରାମ ଚାଲିଥାଏ ସତ, ମାତ୍ର ସେଥିରେ ସତ୍ୟ ଲାଭବାନ୍ ହୁଏ ନାହିଁ, ଅସଲ ମଣିଷ କ୍ଵଚିତ୍ ଲାଭବାନ୍ ହୁଏ, ଅସଲ ଅପରିବର୍ତ୍ତନ କ୍ଵଚିତ୍ ହୁଏ । ସତ୍ୟଚେତନ ବ୍ୟକ୍ତିମାନେ ସାଧୁ ହୋଇ ପୂଜା ପାଆନ୍ତି, ମାତ୍ର ଏଣେ ସଂସାର ଭିତରେ ସତ୍ୟଟା ହିଁ ମାଡ଼ ଖାଇବାରେ ଲାଗିଥାଏ ।

 

୨୬ । ୧୦ । ୭୯

 

ସହିବି ସତ, କିନ୍ତୁ ଦୁର୍ବଳ ପରି ନୁହେଁ, ସବଳ ପରି ସହିବି । ଶ୍ରାଦ୍ଧଶୀଳ ହୋଇ ସହିବି । ଅର୍ଥାତ୍ ସହିବା ନାମରେ ସାଲିଶ୍ କରିବି ନାହିଁ, ଅଟକି ଯିବିନାହିଁ । ଆଖିବୁଜି ଦେବିନାହିଁ କିମ୍ବା ଭାଗ୍ୟବାଦୀ ବି ହେବିନାହିଁ । ମୋ’ର ଯାହା ଲକ୍ଷ୍ୟ, ତାହାହିଁ ହେଉଛି ମୋ’ର ଭାଗ୍ୟ । ଏହି ସମଗ୍ର ସୃଷ୍ଟିରେ ଯାହା ଲକ୍ଷ୍ୟ, ସେହି ଲକ୍ଷ୍ୟରେ ଆପଣାର ଯାବତୀୟ ନିଜସ୍ଵ ଅର୍ଜନକୁ ଦେଇ ସହଯୋଗ କରିବା ମୋ’ର ଲକ୍ଷ୍ୟ । ତେଣୁ, ମୁଁ ସହିବା ନାମରେ କେଉଁଠି ହେଲେ ଅଟକି ଯିବିନାହିଁ । କେଉଁଠାରେ ହେଲେ ସାଲିଶ୍ ବି କରିବି ନାହିଁ ।

 

ମୋର ଅହଂକାର କିଛି ଚାହୁନଥିବ, ମୁଁ ନିଜ ପାଇଁ କିଛି ଚାହୁନଥିବି । କିନ୍ତୁ ମୋ’ଭିତରେ ଶ୍ରଦ୍ଧା ଏବଂ ଏକାତ୍ମକତାକୁ ବଢ଼ାଇବା ଲାଗି ଯାହାକିଛି ଆହ୍ଵାନ ଆସି ପହଞ୍ଚୁଥିବ, ମୁଁ ସେହି ଆହ୍ଵାନକୁ ମାନୁଥିବି । ସହିବା ନାଆଁରେ ଆହ୍ଵାନଗୁଡ଼ାକୁ ଏଡ଼ିଦେଇ ଯିବିନାହିଁ । ତେଣୁ ମୋ’ର ବାଟ ଚାଲିବା କେବେହେଲେ ବନ୍ଦ ହେବନାହିଁ । ସବୁବେଳେ ମୋ’ର ପ୍ରସ୍ତୁତ ଚାଲିଥିବ । ଏହି ପ୍ରସ୍ତୁତି ଲାଗି ହିଁ ମୁଁ ସବୁ ସହିବି । ପ୍ରସ୍ତୁତି ଲାଗି ଏକାଗ୍ର ହୋଇ ରହିବି । ମୋ’ର କଥାକଥିତ ସହିଷ୍ଣୁତା ମୋ’ର ଭବିଷ୍ୟଦୃଷ୍ଟିକୁ ଯେପରି କୌଣସି ପ୍ରକାରେ ଦୁର୍ବଳ କରି ଦେଉନଥିବ । ଚାଲିଯିବା ପର୍ଯ୍ୟନ୍ତ ଜଣେ ମଣିଷର କାହିଁକି କି ଅଭିଯୋଗ ରହିବ ? କିନ୍ତୁ, ଅଭିଯୋଗ କରିବା ଉଚିତ ନୁହ ବୋଲି କହି ମୁଁ ଯେପରି ବାଟ ଚାଲିବାଟାକୁ ବି ବନ୍ଦ କରି ନଦିଏ, ମୁଁ ସେ ବିଷୟରେ ସବୁବେଳେ ସାବଧାନ ରହିଥିବି ।

 

୨୭ । ୧୦ । ୭୯

 

ତାଙ୍କରିଠାରେ ସଂପୂର୍ଣ୍ଣ ବିଶ୍ଵାସ, ଏବଂ ସେଇଥିଲାଗି ନିଜ ଉପରେ ଅଟଳ ବିଶ୍ଵାସ । ନିଜ ଉପରେ ସେହି ବିଶ୍ୱାସଟି ଯେତେବେଳେ ଅତ୍ୟନ୍ତ ସ୍ଵାଭାବିକ ଭାବେ ରହିଥିବି, ସେତେବେଳେ ଯାଇ ଯଥାର୍ଥ ଭାବରେ ସବୁକିଛିକୁ ହସି ଦେଇହେବ । ସେହି ହସ, ସେହି ବିଶ୍ଵାସକୁ ମୁଁ ଯଦି ଗୋଟାଏ ଟେକ୍‌ନିକ୍ ପରି ଭାବୁଥିବି, ତେବେ ଧରା ପଡ଼ିଯିବା ଲାଗି ମୋତେ କଦାପି ବେଶୀ ସମୟ ଲାଗିବ ନାହିଁ । ମୁଁ ଯାହାଙ୍କ ଉପରେ ଚରମ ଆସ୍ଥା ରଖିଛି, ସେଇ ମୋ’ରି ଭିତରେ ଥାଇ ପରିଚାଳିତ କରି ନେଉଛନ୍ତି; ମୋ’ବାଟରେ ମୋତେ ଅଗ୍ରସର କରାଇ ନେଉଛନ୍ତି, ଅର୍ଥାତ୍ ମୋ’ର ଯାବତୀୟ କାର୍ଯ୍ୟର ମଧ୍ୟଦେଇ ମୁଁ କେବଳ ତାଙ୍କରି କାର୍ଯ୍ୟ କରୁଛି, –ଏହାହିଁ ଆତ୍ମ ବିଶ୍ଵାସ, ଏହାହିଁ ଅସଲ ବଳ । ଯେଉଁମାନେ ଭଗବାନଙ୍କ ନାଆଁରେ ନିଶା ଖାଇଥାନ୍ତି, ଭଗବାନଙ୍କୁ ନିଜ କାମରେ ଲଗାଇବାର ଧୃଷ୍ଟତା କରନ୍ତି, ସେମାନେ କେବଳ ଧୃଷ୍ଟ ହିଁ ରହିଯାଆନ୍ତି । ସେମାନେ ବିଶ୍ଵାସର ଘରଟିରେ ମୋଟେ ପ୍ରବେଶ କରିପାରନ୍ତି ନାହିଁ ।

 

ମୋ’ର ଅସଲ ବିଶ୍ଵାସଟି ଯେତେବେଳେ ଆତ୍ମବିଶ୍ଵାସରେ ପରିଣତ ହୁଏ ଏବଂ ତାହାରି ବଳରେ ବଳୀୟାର ହୋଇ ମୁଁ ଯେତେବେଳେ ଯଥାର୍ଥରେ ହସିପାରେ, ସେତେବେଳେ ମୋ’ ଭିତରେ ରହିଥିବା ଶତ୍ରୁମାନେ ମଧ୍ୟ ଡେରା ଭାଙ୍ଗି ପଳାଇବାକୁ ଆରମ୍ଭ କରନ୍ତି । ଭିତରେ ରହି ଆସିଥିବା ଏବଂ ମୋତେ ନାନାଭାବେ ନ୍ୟୁନ ଓ ତପ୍ତ କରି ରଖିଥିବା କେତେ ଅନ୍ୟ ତାପର ଦୌରାତ୍ମ୍ୟ ସେତେବେଳେ କୁଆଡ଼େ ଅପସରିଯାଏ । ଜୀବନରେ ସବୁକିଛି ସେତେବେଳେ ଅତ୍ୟନ୍ତ ସ୍ଵାଭାବିକ ହୋଇଯାଏ ।

 

୨୮ । ୧୦ । ୭୯

 

ଯାହାକୁ ମୁଁ କେବଳ ଆପଣାର ଶକ୍ତି ବୋଲି ଗର୍ବ କରୁଛି ଓ ଦମ୍ଭ କରୁଛି, ସେଇଟି ଯେତେବେଳେ ଅସଲ ମାର୍ଗରେ ଓ ଅସଲ ଆକଙ୍‌କ୍ଷାରେ ଦୀକ୍ଷିତ ହୋଇ ପାରିବ, ଯେତେବେଳେ ତାହା ଅସଲ ବୃହତ୍ତାଟି ମଧ୍ୟରେ ଆପଣାଙ୍କୁ ସ୍ଵାଭାବିକ ଭାବରେ ଆବିଷ୍କାର କରି ପାରିବ, ସେତେବେଳେ ତାହା ଆପଣାର ଅଗ୍ରଗତି ବିଷୟରେ ମଧ୍ୟ ସୁନିଶ୍ଚିତ ହୋଇଯିବ । ଅର୍ଥାତ୍, ଯେଉଁ ସୁନିଶ୍ଚିତତା ସମସ୍ତ ଭୁବନର ଅନ୍ତର୍ନିୟତି ହୋଇ ରହିଛି, ତାହାକୁ ସେ ନିଜର ସୁନିଶ୍ଚିତତାରେ ମଧ୍ୟ ପରିଣତ କରିଦେଇ ପାରିବ ।

 

ଆମେ ଏହି କଥାଟିକୁ ଅନେକ ଦିନ ପର୍ଯ୍ୟନ୍ତ ବି ଠିକ୍ ଅନୁଭବ କରି ପାରୁନାହିଁ । କଥାଟିକୁ ଶାସ୍ତ୍ରର କଥା ବୋଲି ଜାଣୁ କିମ୍ବା ଧର୍ମର କଥା ବୋଲି ଜାଣୁ ସତ, ମାତ୍ର ତାହାକୁ ଏକ ନିଜସ୍ଵ ବିଶ୍ଵାସରୂପେ ଉପଲବ୍‌ଧି କରିନଥାଉ । ତେଣୁ ତାହା ଆମକୁ ଯଥାର୍ଥ ପ୍ରକାରେ ଆଉ ପ୍ରେରିତ କରି ପାରେନାହିଁ । କଥାକଥିତ ଧର୍ମର ନାନା ଆଚରଣ ଭିତରେ ବି ଆମେ ଏହିପରି ଅଲଗା ହୋଇ ରହିଥାଉ । ସତେଅବା କେଉଁ ଶକ୍ତିଭଣ୍ଡାରରୁ ପୁଳାଏ ଶକ୍ତି କେବଳ ଆପଣା ଲାଗି ଆତ୍ମସାତ୍ କଲାପରି ନେଇ ଆସି ତାହାରି ବଳରେ ଶକ୍ତିମାନ୍ ହୋଇ କ’ଣ ନା କ’ଣ ଗୋଟାଏ ଅଲଗା ସିଦ୍ଧି ହାସଲ କରିବା ସକାଶେ ଆମେ ଯେପରି ଭାରି ଉତ୍ସୁକ ହୋଇ ରହିଥାଉ । ଏହି ସବୁକିଛି ଉତ୍ସୁକତା ସତ୍ତ୍ୱେ ଆମେ ତଥାପି ଉଚ୍ଛିନ୍ନ ହୋଇ ରହିଥାଉ, ଅନାବିଷ୍କୃତ ହୋଇ ରହିଥାଉ ।

 

୨୯ । ୧୦ । ୭୯

 

ଯାହା ମୋ’ର ଆକାଙ୍‌କ୍ଷା ରୂପେ ମୋ’ର ଆଖିରେ ଭାସି ଭାସି ଉଠୁଛି, ମୋ’ର ଅନ୍ତର ଭିତରେ ମୁଁ ଯାହାକୁ ମୋ’ର ସର୍ବପ୍ରଥମ ବିଶ୍ଵାସ ରୂପେ ଅନୁଭବ କରିପାରୁଛି, ଅନ୍ୟ ଯାହାପାଖକୁ ଆସିଲେ ମଧ୍ୟ ତାହାର ମୁଖମଣ୍ଡଳ ଉପରୁ ମୋତେ ଯେଉଁ ଭବିଷ୍ୟଟିର ସୂଚନା ମିଳିଯାଉଛି, ତାହା ଅବଶ୍ୟ ଫଳିବ । କାରଣ, ତାହାହିଁ ହେବ ବୋଲି ଅଭିପ୍ରେତ ହୋଇ ରହିଛି । ଯିଏ ଏଗୁଡ଼ିକ ହେବ ବୋଲି ଅଭିପ୍ରାୟ ରଖି ଆମରି ଭିତରେ ସେଗୁଡ଼ିକ ଲାଗି ଏକ ଆକୁଳତା ଜାଗୃତ କରି ରଖିଛି ଓ ଆମ ପ୍ରତ୍ୟେକଙ୍କ ଭିତରେ ଯିଏ ରହି ସେଥିଲାଗି ପାଦେପାଦେ ଆଗକୁ ଚାଲିଛି, ତାହା ନିଶ୍ଚୟ ହେବ । ମୋ’ ଭିତରେ ତାହାରି ସହିତ ସହଯୋଗ ସଂସ୍ଥାପିତ ହେଲେ ତାହା ଆହୁରି ଶୀଘ୍ର ଘଟିବ ।

 

ତାକୁ କେହି ବନ୍ଦ କରି ରଖି ପାରିବନାହିଁ । ଏହି ପାଚେରୀ ଗୁଡ଼ାକ ଆମ ତରଫରୁ ସହଯୋଗଟି ହୁଏତ ବିଳମ୍ବିତ କରି ଦେଇ ପାରିବେ । ଆମର ମୋହଗୁଡ଼ାକ, ଅତୀତ ପ୍ରତିଷ୍ଠା ଲାଗି ରହିଥିବା ଆମର ମୋହଗୁଡ଼ାକ ସକାଶେ ହୁଏତ ଆମକୁ ହିଁ ଏହି ନୂତନ ଉଦ୍‌ଘାଟନଟିରୁ କିଛିଦିନ ସକାଶେ ବଞ୍ଚିତ ହୋଇ ରହିବାକୁ ପଡ଼ିବ । ଆମର କାତରତାଗୁଡ଼ାକର ମିଆଦ ବଢ଼ିବ, ଆମ ଅବିଶ୍ଵାସ ଗୁଡ଼ାକ ହୁଏତ ବିଶ୍ଵାସର ପ୍ୟାରେଡ଼୍ କରି ବାହାରିଥିବେ ଓ ଅହଂକାରୀ ତାର ନାନା ନାମକୁ ଭଗବାନ କରି ପୂଜା କରିବାରେ ଲାଗିଥିବେ । କିନ୍ତୁ କେହି ତାହାର ପ୍ରତିରୋଧ କଦାପି କରିପାରିବେନାହିଁ ।

 

୩୦ । ୧୦ । ୭୯

 

ଏବଂ, ମୋ’ର ଶକ୍ତ ଯେତେବେଳେ ସେହି ସର୍ବଶକ୍ତିମାନ୍‌ର ସମଗ୍ରତାଟିକୁ ସ୍ପର୍ଶ କରି ରହିଥିବ, ସେତେବେଳେ ମୋ’ର କୌଣସି ଆକାଙ୍‌କ୍ଷା ଏବଂ ମୋ’ର କୌଣସି ଉଦ୍ୟମ ମଧ୍ୟ କଦାପି ବିଫଳ ହୋଇ ଯିବନାହିଁ ।

 

କିନ୍ତୁ, ଅନେକ ସମୟରେ ଶକ୍ତି କହିଲେ ଆମେ ଅନ୍ୟକିଛି ବୁଝିଥାଉ । ଶକ୍ତି ମାଗିବା ସମୟରେ ସତେଅବା ଆଉକ’ଣ ମାର୍ଗ ବସିଥାଉ, ନିମିତ୍ତ ହୋଇ ବାହାରିବା ବେଳେ ସତେଅବା ଆଉ କାହାର ନିମିତ୍ତ ହୋଇ ରହିଥାଉ,-ସେହି ନିମିତ୍ତ ହେବାରେ ଏକ ଉତ୍ତେଜନା ବି ଅନୁଭବ କରୁଥାଉ । ତାଙ୍କଠାରୁ ଆମେ ଶକ୍ତି ମାଗୁ, କିନ୍ତୁ ହୁଏତ ଆମ ଲାଗି ମାଗୁ । ତାଙ୍କର ଅନୁଗ୍ରହ ମାଗୁ, କିନ୍ତୁ ସେହି ଅନୁଗ୍ରହ ଦ୍ଵାରା ବଳବାନ୍ ହୋଇ ଆପଣାର ଆମୋଦ ଲାଗି କିଛି ଦୌରାତ୍ମ୍ୟ ବିସ୍ତାର କରି ରହିବା ସକାଶେ ସେହି ଅନୁଗ୍ରହ ମାଗିଥାଉ । ଆମ ଭିତରର ଚିହ୍ନା ଅଚିହ୍ନା ଅନେକ ଅହଙ୍କାରୀ ସତେଅବା ଏକାବେଳେକେ ଭଗବତ୍ କୃପାର ଭିକାରୀ ହୋଇ ବାହାରି ଥାଆନ୍ତି । ସେତେବେଳେ ଆମେ ଯାହା ପାଉ, ତାହା,-ତାକୁ ଆମେ କୃପା, ଅନୁଗ୍ରହ ଅଥବା ଶକ୍ତି ଯେଉଁ ନାମରେ କହିବାକୁ ଚେଷ୍ଟା କରୁଥାଉ ନା କାହିଁକି, ସେହି ସମ୍ପଦଟିର ଉତ୍ସ ଏବଂ ଆମଭିତରେ ଏକ ପ୍ରାଚୀର ଠିଆ କରିଦେଇ ଯାଏ । ହୁଏତ ଆମର ଅହଂକାର ଏବଂ ତଜ୍ଜନିତ ଆଡ଼ମ୍ବର ଓ ଅତିଚାରଗୁଡ଼ାକ ହିଁ ଗୋଟାଏ ଗୋଟାଏ ସାଦୃଶ୍ୟ ପାଚେରୀ ହୋଇ ଠିଆ ହୋଇ ରହିଥାନ୍ତି । ତାହାକୁ ହିଁ ଆମେ ସତେଅବା କେତେ କ’ଣ ପ୍ରସାଦ ବୋଲି ଭାବୁଥାଉ । ସ୍ପର୍ଦ୍ଧିତ, ସ୍ଫୀତ ଓ ଉତ୍ତେଜିତ ହୋଇ ରହିଥାଉ ସତ, ମାତ୍ର ବଞ୍ଚିତ ହୋଇ ରହିଥାଉ, ଯଥାର୍ଥ ଅସଲ ସକଳ ଶକ୍ତିରୁ ବଞ୍ଚିତ ହୋଇ ରହିଥାଉ ।

 

୩୧ । ୧୦ । ୭୯

 

ଯେଉଁ ଦିନଠାରୁ ଆପଣା ଭିତରେ ଆପଣା ଠାରୁ ବୃହତ୍ତର ଏକ ସତ୍ୟକୁ ଅନୁଭବ କରିହୁଏ, ସେହିଦିନରୁ ହିଁ ସକଳ ଅବିଶ୍ଵାସ ଏବଂ ସକଳ ଦୁର୍ବଳତାର ଅପସାରଣ ଆରମ୍ଭ ହୁଏ । ତା’ପରେ ଆଉ ସାହସ ସଂଗ୍ରହ କରିବାକୁ ପଡ଼େନାହିଁ, ସାହସ ସେହି ଭିତରୁ ହିଁ ମିଳେ । ସେତେବେଳେ ବିଶ୍ୱାସ ବଢ଼ିବାଲାଗି ଶାସ୍ତ୍ର ପଢ଼ିବାକୁ ବି ପଡ଼େନାହିଁ । ବିଶ୍ୱାସ ଭିତରୁ ମିଳେ । ସେହି ବିଶ୍ୱାସ ନିଜ ଜୀବନର ଭୀରୁତାଗୁଡ଼ାକୁ ଘୋଡ଼ାଇ ରଖିବାର ଏକ ପୁଣ୍ୟରୂପେ ଆଉ ମୋତେ ବ୍ୟବହୃତ ହୁଏନାହିଁ । ସେହି ବିଶ୍ୱାସଦ୍ଵାରା ଜୀବନ ବଞ୍ଚିହୁଏ । ଅର୍ଥାତ୍ ଜୀବନଟା ଆଶୀର୍ବାଦ ପରିଲାଗେ । ଫୁଲ ଫୁଟୁଥିବା ପରି ଲାଗେ ।

 

ଏତିକି କ’ଣ କମ୍ ବିଜୟ ? ଏହି ଯେଉଁ ଅସଲ ସଂଗ୍ରାମଟି ଚାଲିଛି, ମୋ’ ଭିତରେ ଚାଲିଛି ଓ ମୋ’ ବାହାରେ ମଧ୍ୟ ଚାଲିଛି, ସେହି ସଂଗ୍ରାମଟି ଲାଗି ମୋତେ ମଧ୍ୟ ନିର୍ବାଚିତ କରାଯାଇଛି, ଜୀବନରେ ଏକାନ୍ତ କୋଳାହଳଶୂନ୍ୟ ଓ ସାବଲୀଳ ଭାବରେ ଏତିକି ବି ଅନୁଭବ କରିବା କ’ଣ କମ୍ ବିଜୟ ? ଏହି ଅନୁଭୂତି ମୋ’ର ସକଳ ଭୀରୁତାକୁ ଯେ କେଡ଼େ ସ୍ଵାଭାବିକ ଭାବରେ ଜୟ କରିବାରେ ଲାଗିଛି, ମୋତେ ଦିନକୁ ଦିନ ଅଧିକରୁ ଅଧିକ ସଂଯୁକ୍ତ କରି ରଖିପାରୁଛି ଓ ସମର୍ପିତ ହୋଇ ପାରିବାର ବଳ ଦେଇଯାଉଛି, ଏହାକୁ କ’ଣ ମୁଁ ଏକ ସାନ ବିଜୟ ବୋଲି କହିବି ? ଆପଣାକୁ ଏହିପରି ଅନେକ ଆଶୀର୍ବାଦର ଏକ ଅଧିକାରୀ ବୋଲି ଅନୁଭବ କରିବା, ତାହାହିଁ ଅସଲ ସାହସ ।

 

୧ । ୧୧ । ୭୯

 

କେବଳ ତୁମରି ସାହାଯ୍ୟ ବ୍ୟତୀତ ଆଉ କେଉଁ ସାହାଯ୍ୟ ଏ ଜୀବନରେ ରହିଛି ? ଆଉ କିଏ ଏହି ଜୀବନ ଭିତରେ ଏହି ଶରୀର ଭିତରେ ରହି ଏତେ ସ୍ନେହ ଓ ଏତେ ଅନୁରାଗ ସହିତ ମୋ’ର ପ୍ରତ୍ୟେକ ପଦଟିକୁ ଏହିପରି କୁସୁମମୟ କରି ରଖିଛ ? କିଏ ମୋତେ ସାହସ ଦେଉଛି, ଅଭୟ ଦେଉଛି ଏବଂ କ୍ରମେ ଅଧିକରୁ ଅଧିକ ପ୍ରଗାଢ଼ ଭାବରେ ମୋ’ ନିଜ ଭିତରେ ତାହାକୁ ହିଁ ଅନୁଭବ କରି ଶିଖାଉଛି ? ତେଣୁ ଯାହା ସାହାଯ୍ୟ ମିଳୁଛି, ମୋତେ ତାହାର ସାହାଯ୍ୟ ମିଳୁଛି । ଯେତିକି ଆଗକୁ ଯାଇ ପାରୁଛି, ମୁଁ କେବଳ ତାହାରିଲାଗି ଯାଇପାରୁଛି । ମୋ’ର ସକଳ ଜ୍ଞାନ, ସକଳ କର୍ମ ଓ ଆଉ ସବୁକିଛି ସବାଶେଷରେ ଯେଉଁଠାରେ ଯାଇ ପହଞ୍ଚୁଛି, ସେଠାରେ ମୁଁ ସକଳ ସମ୍ପଦଠାରୁ କେବଳ ତାହାରି କରୁଣା ଅର୍ଥାତ୍ ତାହାରି ସାହାଯ୍ୟକୁ ଅଧିକ ପରିମାଣରେ ଅନୁଭବ କରି ପାରୁଛି । ମୋ’ର ସବୁ କାର୍ଯ୍ୟ ସତେ ଯେପରି ତାହାରି କାର୍ଯ୍ୟରେ ହିଁ ପରିଣତ ହୋଇଯାଉଛି । ତାପରେ ବାଧାଗୁଡ଼ିକୁ ଆଉ ମୋଟେ ବାଧାପରି ଲାଗୁନାହିଁ । ବିପଦ ବିପଦ ପରି ଲାଗୁନାହିଁ ଜୀବନରେ ଅସଲ ସଂଘର୍ଷରୁ ପଳାଇଯାଇ ଆଉ କୋଉଠି ଆଶ୍ରୟ ନେବାପାଇଁ ଏତେ ଟିକିଏ ହେଲେ ଇଚ୍ଛା ହେଉନାହିଁ ।

 

ସେହି ସାହାଯ୍ୟ ସର୍ବଦା ମହଜୁଦ ହୋଇ ରହିଛି । ମୁଁ ସେହି ସାହାଯ୍ୟ ମାଗିବା ପୂର୍ବରୁ ହିଁ ତାହା ମୋ’ଲାଗି ମହଜୁଦ ହୋଇ ରହିଛି । ବେଳେବେଳେ ଏପରି ବି ଲାଗୁଛି, ସେହି ସାହାଯ୍ୟ ଲାଗି ମୁଁ ଯଥାର୍ଥରେ ଯୋଗ୍ୟ ହୋଇ ପାରିବା ପୂର୍ବରୁ ମଧ୍ୟ ତାହା ମୋ’ ଲାଗି ମୋ’ରି ପାଖରେ ମହଜୁଦ ହୋଇ ରହିଛି ।

 

୨ । ୧୧ । ୭୯

 

ହଁ, ସବୁ ନିକଟବର୍ତ୍ତୀ ହୋଇ ଆସୁଛି । ମୁଁ ଆପଣାର ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସୁଛି । ଏହି ସଂସାର ଭିତରେ ଯେଉଁଠି ବିଶ୍ଵସୂତ୍ରଟି ମୋ’ର ଅସଲ କେନ୍ଦ୍ରଟିକୁ ସ୍ପର୍ଶ କରି ରହିଛି, ମୁଁ ଅଧିକରୁ ଅଧିକ ନିବିଡ଼ ଭାବରେ ତାହାରି ନିକଟବର୍ତ୍ତୀ ହୋଇ ଆସୁଛି । ବିରାଟରେ ଅଧିକ ନିକଟବର୍ତ୍ତୀ ହୋଇ ଆସୁଛି, ଗଭୀରର ଅଧିକ ନିକଟବର୍ତ୍ତୀ ହୋଇ ଆସୁଛି । ଦୁଆରଗୁଡ଼ାକ ଖୋଲିଦେଇ ଆଲୁଅ ଓ ପବନ ଯେତିକି ନିକଟବର୍ତ୍ତୀ ହୋଇ ଆସନ୍ତି, ଆଖି ମେଲି ହାଲୁକା ହୋଇ ଉପରକୁ ଚାହିଁଦେବା ମାତ୍ରକେ ଆକାଶଟା ମଧ୍ୟ ଯେତିକି ନିକଟବର୍ତ୍ତୀ ହୋଇ ଆସିଲାପରି ବୋଧ ହେଉଥାଏ, ସବୁକିଛି ଦିନକୁ ଦିନ ଠିକ୍ ସେହିପରି ଭାବରେ ନିକଟବର୍ତ୍ତୀ ହୋଇ ଆସୁଛି ।

 

ତେଣୁ, ଅସଲ ଉପଲବ୍‌ଧିଟି ମଧ୍ୟ ନିକଟବର୍ତ୍ତୀ ହୋଇ ଆସୁଛି । ଜୀବନର ଅସଲଗୁଡ଼ାକ ମୋ’ର ପ୍ରକୃତରେ ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସୁଥିବା ପରି ଲାଗୁଛି । ତେଣୁ, ଏହି ସକାଳ ଓ ଏହି ସନ୍ଧ୍ୟାଗୁଡ଼ାକ ଏତେ ଆପଣାର ପରି ବୋଧ ହେଉଛି । ଏଠି ସବୁକିଛି ଘରପରି ମନେହେଉଛି । ଘର ବୋଲି ଏଡ଼ିକି ଟିକିଏ ଜାଗା ଓ ଏଡ଼ିକି ଟିକିଏ ପ୍ରୀତିକୁ ଭ୍ରମ କରି ଆଗେ ମୁଁ ପ୍ରକୃତରେ କେଡ଼େ କାତର ହୋଇ ରହିଥିଲି । ଯାହାଙ୍କୁ ସଂସାରର ପ୍ରଭୁ ବୋଲି କହି ସ୍ତୁତି କରୁଥିଲି, ଆପଣା କାତରତାର ନାନା ଅଧର୍ମ ସକାଶେ ତାଙ୍କ ପାଖରେ ବି ଉଶ୍ଵାସ ହୋଇ ବସି ପାରୁନଥିଲି । ଯାହାଙ୍କୁ ସବୁଠାରୁ ଆକୁଳ ହୋଇ ଡାକିବାକୁ ବାହାରୁଥିଲି, ତାଙ୍କରିଠାରୁ ଦୂରଛଡ଼ା ହୋଇ ରହିବାଲାଗି କେତେ ଧାର୍ମିକତା, କେଡ଼େ ଶାସ୍ତ୍ରମୋହ ଏବଂ କେତେ ଗୁହାପ୍ରବେଶର ଆଡ଼ମ୍ବର ବି କରୁଥିଲେ । ସେଗୁଡ଼ାକ କଟି ଯିବାପରି ମନେହେଉଛି । ମୁଁ ଯାହାଙ୍କୁ ଖୋଜୁଥିଲି, ସିଏ ଏଇଠି ମୋ’ର ଅତ୍ୟନ୍ତ ନିକଟବର୍ତ୍ତୀ ହୋଇ ରହିଥିଲେ । ନିଜର ଦୁଆରଗୁଡ଼ାକୁ ଖୋଲିଦେବା ମାତ୍ରକେ ମୁଁ ତାଙ୍କୁ ନିଜ ଭିତରେ ହିଁ ଦେଖିବାକୁ ପାଇଲି ।

 

୩ । ୧୧ । ୭୯

 

ଅସଲ ନିର୍ଭର ତାଙ୍କରିଠାରୁ ଆସେ, ସେଇଥିଲାଗି ସବୁ ନିର୍ଭରର ପରିଧିଗୁଡ଼ିକ ପାରା ଆମେ ଯେଉଁଠାରେ ଆସି ପହଞ୍ଚୁ, ସେହିଠାରେ ହିଁ ଆମର ତାଙ୍କ ସହିତ ଭେଟ ହୁଏ । ସବୁଯାକ ଭୟର ସାନ ପାଚେରୀଗୁଡ଼ିକୁ ପାରିହୋଇ ଆମେ ତାଙ୍କରି ପାଖରେ ଆସି ପହଞ୍ଚୁ ବୋଲି ଆମେ ତାଙ୍କୁ ଅଭୟ ବୋଲି ଜାଣୁ । ଅନ୍ୟ ସବୁଯାକ ଆଶ୍ରୟକୁ ପରିପୂର୍ଣ୍ଣ କରି ଯେତେବେଳେ ଆମେ ସବୁଯାକ ଗାର ଆଉ ବାଡ଼କୁ ଉଠାଇ ଦେଇ ନିଜପାଖରେ ନିଜେ ଧନ୍ୟ ହେଉ ଓ ନିଜକୁ ନିଜର ପ୍ରକୃତ ବନ୍ଧୁ ବୋଲି ଚିହ୍ନୁ, ଠିକ୍ ସେତିକିବେଳେ ମହଦାଶ୍ରୟକୁ ଲାଭକରୁ । ସେତେବେଳେ ଏହି ଅଳ୍ପଗୁଡ଼ାକୁ ଆଉ ମୋଟେ ଭୟ ଲାଗେନାହିଁ । ଆପଣାକୁ ବି ଡର ମାଡ଼େନାହିଁ । ତାଙ୍କ ବିଷୟରେ କଳ୍ପନା କରା ଯାଇଥିବା ଯାବତୀୟ ଭୀଷଣ ମୂର୍ତ୍ତି ସେତେବେଳେ କୁଆଡ଼େ ଅପସରି ଯାଅନ୍ତି ।

 

ତାଙ୍କର ସାହାଯ୍ୟ ସବୁବେଳେ ରହିଛି, କାରଣ ସେଇ ମୋ’ର ପାଖେ ପାଖେ ବନ୍ଧୁ ହୋଇ ବାଟ ଚାଲୁଛନ୍ତି । ମୋ’ର ଜନନୀରୂପେ ସିଏ ମୋତେ ସବୁବେଳେ ନୂଆ ଆଖି, ନୂଆ ହୃଦୟ ଅର୍ଥାତ୍ ନୂଆ ନୂଆ ବିସ୍ତାର ଦେବାରେ ଲାଗିଛନ୍ତି । ନିଜେ ଗୋଟିଏ ଗୋଟିଏ ସାନ ବଡ଼ ଭିତରେ ବନ୍ଦ ହୋଇ ରହିଥିବା ପର୍ଯ୍ୟନ୍ତ ତାଙ୍କୁ ମଧ୍ୟ ଆମେ ଗୋଟାଏ ବିରାଟ ଗଡ଼ର ଦୁର୍ଦ୍ଧର୍ଷ ଓ ପ୍ରଚଣ୍ଡ ରାଜାପରି ମାନିବାରେ ଲାଗିଥାଉ । ତାଙ୍କୁ ଦଣ୍ଡଦାତା ବୋଲି ଭାବି ଭୟ କରୁଥାଉ, ସେହି ଭୟଦ୍ଵାରା ପ୍ରେରିତ ହୋଇ ହିଁ କେତେ ବେଶ ଓ କେତେ ଭୂଷାରେ ସ୍ତୁତିମାନ ଫାନ୍ଦି ତାଙ୍କରି ପାଖରେ ଠିଆ ହୋଇ ମଧ୍ୟ ତଥାପି କମ୍ପିବାରେ ଲାଗିଥାଉ । ସେଇଥିଲାଗି ଅସଲ ନିର୍ଭୟଟିରୁ ଆପଣାକୁ ବଞ୍ଚିତ କରି ରଖିଥାଉ । ଅସଲ ବାଟଟିକୁ ଅର୍ଥାତ୍ ଅସଲ ଉଦ୍‌ଘାଟନଟିକୁ ତଥାପି ବିଶ୍ୱାସ କରି ପାରୁନାହିଁ । ଏବଂ, ସେଇଥିଲାଗି ତାଙ୍କ ଇଚ୍ଛାର ଭାଜନ ବି ହୋଇ ପାରୁନାହିଁ ।

 

୪ । ୧୧ । ୭୯

 

ତେଣୁ, ମୋ’ର ଆଉ କିଛି ବ୍ୟସ୍ତ ହେବାରେ ନାହିଁ, କିଛି ଚିନ୍ତା କରିବାର ନାହିଁ, କିଛି ମାଗିବାର ନାହିଁ । ଆପଣାକୁ ଦରିଦ୍ର ବୋଲି ଅନୁଭବ କରିବା ହିଁ ସମ୍ଭବତଃ ଗୋଟାଏ ପ୍ରକାରର ଅପରାଧ, ଗୋଟାଏ ପ୍ରକାରର ଆଳସ୍ୟ ଏବଂ ଗୋଟାଏ ପ୍ରକାରର ଅନିଚ୍ଛା । ଯିଏ ମୋ’ର ଏତେ ଆପଣାର ବୋଲି ମୁଁ ଯାହାକୁ ଡାକୁଛି, ଗୋଟାଏ ସ୍ତରରେ ଆସି ପହଞ୍ଚିଗଲେ ତାଙ୍କରି ହାତରେ ସବୁ ଟେକିଦେଇ ହୁଏ । ତା’ପରେ ସବୁକିଛି ତାହାରିଦ୍ଵାରା ହୁଏ; ତାହାରିଦ୍ଵାର ସଜଡ଼ା ହୁଏ । ତାହାରିଦ୍ଵାରା ଯୋଜନା ହୁଏ । ମୁଁ କେବଳ ସତେଅବା ଏକ କ୍ଷେତ୍ର, ଏକ ମୁକ୍ତ କ୍ଷେତ୍ର; ତାହାରି ହାତରେ ଏକ ମୁକ୍ତ କ୍ଷେତ୍ରରୂପେ ପଡ଼ି ରହିଥାଏ ।

 

ତେଣୁ, ସେହି କାର୍ଯ୍ୟଟି ଯେପରି ଆହୁରି ଯଥାର୍ଥଭାବେ ସମ୍ଭବ ହୋଇପାରିବ, ସେଇଥିଲାଗି ମୁଁ ଆପଣାକୁ କେବଳ ଉନ୍ମୁକ୍ତ କରି ରଖିଥିବି । ଆପଣାକୁ ଉନ୍ମୁକ୍ତ ରଖି ହିଁ ମୁଁ ଆପଣା ବିଶ୍ଵାସର ପରିଚୟ ଦେବି । ଅନେକ ସମୟରେ ମୁଁ ଅସଲ କଥାଟି କରିନଥାଏ, ଅର୍ଥାତ୍ ଆପଣାକୁ ଯଥେଷ୍ଟ ଭାବରେ ଉନ୍ମୁକ୍ତ କରି ଦେବାଲାଗି ଆଦୌ ପ୍ରସ୍ତୁତ ହୋଇନଥାଏ । ପ୍ରସ୍ତୁତ ନହୋଇ ଥିବାର ସେହି ଦୀନତାଟିକୁ ଘୋଡ଼ାଇ ରଖିବାର ଫିକରରେ ମୁଁ କେତେ ଉପଚାର ଏବଂ ଆଚାର ଭିତରେ ଆପଣାକୁ ବାନ୍ଧିବୁନ୍ଧି ରଖିଥାଏ, କେତେ ପ୍ରକାର ଆଡ଼ମ୍ବରକୁ ହିଁ ବିଶ୍ଵାସର ପ୍ରତିପାଦକ ଏବଂ ନିଷ୍ଠାର ସମବାଚୀ ବୋଲି ଘୋଷଣା କରିବାକୁ ଚେଷ୍ଟା କରୁଥାଏ । କିନ୍ତୁ ଅସଲ ଥାନରେ ପ୍ରାୟ କିଳିହୋଇ ବସିଥାଏ । ଆପଣା ପାଖରେ ବି କିଳିହୋଇ ବସିଥାଏ । ସ୍ତୁତିସ୍ତବର କୋଳାହଳ ଭିତରେ ଆପଣାର ଅସଲ ଅସମ୍ମତିଟିକୁ ଟାଳି ରଖିବାର ଚେଷ୍ଟା କରୁଥାଏ ।

 

୫ । ୧୧ । ୭୯

 

ନିଦ ଭାଙ୍ଗି ଉଠିବସିବା ମାତ୍ରକେ ହିଁ ମୁଁ ତୁମକୁ ଦେଖେ, ତୁମକୁ ଅନୁଭବ କରେ, ତୁମକୁ ସ୍ପର୍ଶ କରିପାରେ । ନିଦ ଭାଙ୍ଗି ଉଠି ବା ମାତ୍ରକେ ମୋ’ର ଘରଟି ଆଉ ଖାସ୍ ମୋ’ର ଘର ହୋଇ କଦାପି ରହି ପାରେନାହିଁ ଏହା ସେତେବେଳେ ତାଙ୍କର ସ୍ପର୍ଶରେ ଧନ୍ୟ ହୋଇଯାଏ । ମୁଁ ଯେପରି ଠିକ୍ ଏହି ସଂସ୍ପର୍ଶଟି ଲାଗି ଅପେକ୍ଷା କରି ରହିଥିଲା, ଜୀବନରେ ଏହିଭଳି ଏକ ଅନୁଭୂତି ଲାଭ ହୁଏ-

 

ଅନେକ ସମୟରେ ମୋ’ର ସମସ୍ତ ଉପଚାର ସତ୍ତ୍ୱେ ମୁଁ ଅସଲ କ୍ଷେତ୍ରଟିରେ କେବଳ ଶୋଇ ହିଁ ରାହୁଥାଏ । କେତେ ଘଣ୍ଟ ବାଜୁଥାଏ, କେତେ ସଂକୀର୍ତ୍ତନ ଲାଗି ଥାଏ, ତାଙ୍କର ଆବାହନ ନାମରେ କେତେ ପ୍ରଚଣ୍ଡତା ଓ କେତେ ପରାକ୍ରମ ସହିତ ମାଜଣା ହେବାରେ ଲାଗିଥାଏ । ତଥାପି ଅସଲ କ୍ଷେତ୍ରଟିରେ ମୁ ଶୋଇ ରହିଥାଏ । ମୁଁ ଭୟ କରୁଥାଏ, ମୁଁ ଲୁଚି ରହିବାକୁ ଇଚ୍ଛା କରୁଥାଏ ! ମୁଁ ଠିକ୍ ଯେଉଁଭଳି ଅଛି, ସେହିଭଳି ରହିବାକୁ ହି ଭଲ ପାଉଥାଏ । ଅର୍ଥାତ୍ ମୁଁ ଶୋଇ ରହିଥାଏ । ଶୋଇ ରହିବାକୁ ନିରାପଦ ମଣୁଥାଏ । ଏକ ଅତିନିର୍ଭରଶୀଳ ଅତିଅହଙ୍କାରୀ ଶିଶୁଟି ପରି ମୁଁ ଆପଣା ମୋହ ଓ ଆପଣା ଅଳ୍ପତାର ନାନା କାନି ଭିତରେ ଲୁଚି ରହିବାକୁ କେତେ ଭଲପାଉଥାଏ । ସେହି ଲୁଚି ରହିବାଟି ଲାଗି ଶାସ୍ତ୍ରର ସମର୍ଥନ ଖୋଜି ବୁଲୁଥାଏ । ସେତିକିବେଳେ ମୋତେ ନିଦରୁ ଉଠାଇଦେବା ସକାଶେ ସିଏ ଏଇଠି ମୋ’ର ଅତି ନିକଟରେ ରହିଥାନ୍ତି, ମୋ’ର ଭିତରକୁ ଆସିବାଲାଗି ବାଟ ପାଉନଥାନ୍ତି । ତଥାପି ଅପେକ୍ଷା କରି ରହିଥାନ୍ତି ମୋ’ର ମୁହୂର୍ତ୍ତଟି ଲାଗି ଅପେକ୍ଷା କରି ରହିଥାନ୍ତି ।

 

୬ । ୧୧ । ୭୯

 

ଯିଏ ଗତି ହୋଇ ମୋ’ରି ଭିତରେ ଅପେକ୍ଷା କରି ରହିଥାନ୍ତି, ସେଇ ମୋତେ ସକଳ ଗତି ଦିଅନ୍ତି । ମୋ’ ଭିତରେ ରହିଥିବା ସକଳ ଉତ୍ସାହ ଓ ଉଦ୍ୟମରେ ସେତେବେଳେ ତାଙ୍କର ହାତଟି ବାଜେ, ମୁଁ ସେତିକିବେଳେ ଯାଇ ଯାଥାର୍ଥରେ ସକ୍ରିୟ ହୋଇଉଠେ । ଆଗରୁ ତଥାକଥିତ ଅନେକ ସକ୍ରିୟତା ମୋତେ କେବଳ ଲୁଚି ରହିବାର ହିଁ ସାହାଯ୍ୟ କରୁଥାଏ, ପ୍ରଧାନତଃ ବିଚ୍ଛିନ୍ନ ହୋଇ ରହିବାକୁ ହିଁ ମୁଁ ଭିତରେ ଓ ବାହାରେ କେତେପ୍ରକାରେ ଓର ଉଣ୍ଡିବାରେ ଓ ତତ୍ପର ହୋଇ ରହିବାରେ ଲାଗିଥାଏ ଓ ତାହକୁ ହିଁ ସକ୍ରିୟତା ବୋଲି ଭ୍ରମ କରୁଥାଏ । ସେହି ଯାବତ ସକ୍ରିୟତା ସତ୍ତ୍ୱେ ମୁଁ ତଥାବି ପ୍ରାୟ ଅଚଳ ହୋଇ ରହିଥାଏ । ମୋ ନିଜ ପାଖରେ ସତେଅବା ଅଚଳ ହୋଇ ରହିଥାଏ । ମୋ’ର ଯେଉଁ କ୍ଷୁଦ୍ର ଅଂଶଟିକୁ ମୁଁ ଗୋଟାସୁଦ୍ଧା ନିଜେ ବୋଲି ଭ୍ରମ କରୁଥାଏ, ତାହାରି ମଧ୍ୟରେ ଭାରି ସଙ୍କୁଚିତ ହୋଇ ପଡ଼ିଥାଏ ଏବଂ ଦ୍ଵାରା ସଂସାରଟାକୁ ତାହାରି ଭିତରକୁ ଯେକୌଣସି ପ୍ରକାରେ ଟାଣି ଆଣି ଭର୍ତ୍ତି କରିବା ଭିତରେ ହିଁ ମୋ’ର ପ୍ରାୟ ସକଳ ସକ୍ରିୟତା ସୀମାବଦ୍ଧ ହୋଇ ରହିଥାଏ ।

 

କିନ୍ତୁ ଯେତେବେଳେ ତାଙ୍କରି ସହିତ ଖିଅ ଲାଗିଯାଏ, ସେତେବେଳେ ସତେଅବା ସବୁଟି ସହିତ ହିଁ ଖିଅ ଲାଗିଯାଏ । ଆପଣାକୁ ମୁଁ ଏହି ବିଶ୍ଵମୟ ସକ୍ରିୟତା ସହିତ ଅଭିନ୍ନ ବୋଲି ଆବିଷ୍କାର କରେ । ସେତେବେଳେ ମୁଁ ସ୍ଵଭାବତଃ ସକ୍ରିୟ ହୋଇଯାଏ, ଧର୍ମତଃ ସକ୍ରୀୟ ହୁଏ, –ତା’ପରେ ମୋ’ର ଭକ୍ତି, ମୋ’ର ପ୍ରାର୍ଥନା ଏବଂ ମୋ’ର ସାଧନାର ଯଜ୍ଞଗୁଡ଼ିକ ହିଁ ଅନ୍ୟପ୍ରକାର ହୋଇଯାଏ ।

 

୭ । ୧୧ । ୭୯

 

ତାକୁ କେହି କେହି ସୁଷମା ବୋଲି କୁହନ୍ତି, କେହି ତାକୁ ସମଞ୍ଜସତା ବୋଲି କହନ୍ତି । ପୁଣି ଆଉକେହି ତାକୁ ସମତା ବୋଲି ହିଁ କହନ୍ତି । ସେଇଟି ମଧ୍ୟ ଗୋଟିଏ ପ୍ରକ୍ରିୟା ।

 

ଏହି ସମଗ୍ରତା ବାରବାର ଭଙ୍ଗା ହୋଇ ବାରବାର ଗଢ଼ା ହେଉଥିବ । ଗୋଟିଏ ସ୍ତରର ସଜଡ଼ାଗୁଡ଼ାକ ଆଉଗୋଟିଏ ସ୍ତର ଲାଗି ପାହାଚ ପରି କାର୍ଯ୍ୟ କରୁଥିବ । ଆଜିର ସଞ୍ଜୟଗୁଡ଼ିକ କାଲିର ପଥଲାଗି ପାଥେୟରୂପେ କାର୍ଯ୍ୟ କରୁଥିବ । ଏହି ପଥଟି ଉପରେ ଯଦି ମୁଁ ପ୍ରକୃତରେ ଅହରହ ବାଟ ଚାଲୁଥିବ, ଯଦି ପ୍ରକୃତରେ ଅଧିକରୁ ଅଧିକ ଆଗକୁ ଅର୍ଥାତ୍ ଗଭୀରକୁ ଯାଇପାରୁଥିବ, ତେବେ ଗୋଟିକପରେ ଗୋଟିଏ ହୋଇ କେତେ ସକାଳ ଆସିବ, ଗୋଟିକପରି ଗୋଟିଏ ହୋଇ ଆହ୍ଵାନ ଆସିବ । ସେଗୁଡ଼ିକ ଆପଣାର ଜୀବନରେ ଅଂଶରୂପେ ଗ୍ରହଣ କରିନେବାକୁ ଯାଇ ମୁଁ କେତେଥର ଆପଣାର ଡେରା ଉଠାଇବି, କେତେଥର ବାଡ଼ି ଘୁଞ୍ଚାଇବି, କେତେ ନୂଆ ନୂଆ କରି ଚିହ୍ନିବାରେ ଲାଗିଥିବି । ଏବଂ ଏହି ଚିହ୍ନିବାକୁ ହିଁ ସାଧନା ବୋଲି କହୁଥିବି । ଏହି ବାଟ ଚାଳିବାକୁ ହିଁ ଜୀବନର ଅସଲ ସମତା ଓ ସୁଷମା ବୋଲି କହୁଥିବି । ଜୀବନଟା ଯଦି ଅଧିକରୁ ଅଧିକ ନିବିଡ଼ ଭାବରେ ତାହାରି ନିକଟବର୍ତ୍ତୀ ହେବାକୁ ହିଁ ବୁଝାଉଥାଏ, ତେବେ ତାଙ୍କରି ଆଡ଼କୁ ଯିବାକୁ ହିଁ ମୁଁ କ୍ରମେ ଅସଲ ସମଞ୍ଜସତା ବୋଲି ଅତ୍ୟନ୍ତ ସ୍ଵାଭାବିକ ଭାବରେ ଅନୁଭବ କରିବାରେ ଲାଗିଥିବି; ଗତିକୁ ହିଁ ଅସଲ ପ୍ରାପ୍ତି ବୋଲି ଅନୁଭବ କରିବାରେ ଲାଗିଥିବି ।

 

୮ । ୧୧ । ୭୯

 

ସେହି ଆଲୋକ, ତେଣୁ ସେଇ ଶାନ୍ତି । ଅନେକ ସମୟରେ ଆମେ ଘରଟିକୁ ବନ୍ଦ କରିଦେଇ ତାହାକୁ ହିଁ ଶାନ୍ତି କହୁଥାଉ । ଏକୁଟିଆ ନହେଲେ କୁଆଡ଼େ ଶାନ୍ତି ଆସେନାହିଁ ବୋଲି ଆମେ ପିଲାଦିନରୁ ପାଠ ପରି ମୁଖସ୍ଥ କରି ରଖିଥାଉ । ଅଭିଜ୍ଞତା ଏକାବେଳେକେ ପୃଥକ୍ ହେଲେ ମଧ୍ୟ ତଥାପି ଆମେ ମୁଖସ୍ଥ କରି ରଖିଥାଉ । ପାଠଗୁଡ଼ାକୁ ସତ୍ୟବୋଲି ପଇଟାଇ କରିବାରେ ଲାଗିଥାଉ । ଅନ୍ଧାର ଭିତରେ ରହିଥିବା ସମୟରେ ବି ବୋଧହୁଏ ସେଇଥିଲାଗି ଆମେ ଆଗ ଆଲୋକର କାମନା ନକରି ଶାନ୍ତିର କାମନା କରିବାରେ ଲାଗିଥାଉ । କିନ୍ତୁ ଆଲୋକ ନଆସିବା ପର୍ଯ୍ୟନ୍ତ ଶାନ୍ତି ଆସିବ କୁଆଡ଼ୁ ? ଆପଣାର ଆଲୋକଖିଅଟିକୁ ଆବିଷ୍କାର କରିନେଇ ତାହାକୁ ହିଁ ସବୁକିଛିର ଅସଲ ସେତୁ ବୋଲି ଅନୁଭବ ନକରିପାରିବା ପର୍ଯ୍ୟନ୍ତ ଶାନ୍ତି ପ୍ରାପ୍ତ ହୋଇ ପାରିବ ବା କିପରି ? ଏହି ଶାନ୍ତି କଦାପି କୌଣସି ଜଡ଼ତାକୁ ବୁଝାଇବ ନାହିଁ । ଏହା ପରିପୂର୍ଣ୍ଣ ପ୍ରତ୍ୟୟକୁ ବୁଝାଇବ, ପରିପୂର୍ଣ୍ଣ ପଥ ଚଳିବାକୁ ବୁଝାଇବ, ପରିପୂର୍ଣ୍ଣ ସମର୍ପଣକୁ ବୁଝାଇବ ।

 

ଆଲୋକ ପାଖରେ ଆପଣାକୁ ସମର୍ପଣ କରିଦେବାକୁ ହୋଇଥାଏ । ଆଲୋକର କାମନା କରିବାକୁ ପଡ଼ିଥାଏ । ସେହି ଆଲୋକର ଭିକ୍ଷା ବୋଲି ଅନୁଭବ କରିପାରିଲେ ଯାଇ ଏଠି ସବୁକିଛି ଭଲ ଲାଗେ, ସବୁକିଛି ବିଶ୍ଵାସମୟ ହୋଇଉଠେ । ତା’ପରେ ଶାନ୍ତି ସମ୍ଭବ ହୁଏ । ତେଣୁ, ଜୀବନ ଶାନ୍ତ ହୋଇଯାଏ । ଆଲୋକିତ ପଥଟି ଉପରେ ଆପଣାକୁ ପୂର୍ଣ୍ଣରୂପେ ଆବିଷ୍କୃତ କରିପାରିଲେ ଯାଇ ଶାନ୍ତି ଆସେ ।

 

୯ । ୧୧ । ୭୯

 

ସତ୍ୟ ଗୋଟିଏ ବହ୍ନି ପରି । ତାହା ପୃଥିବୀରେ କେଉଁଠି କ’ଣ କରେ, ତାହା ଜାଣିବା ପୂର୍ବରୁ ଆଗ ଏହି କଥାଟିକୁ ଅନୁଭବ କରିବାକୁ ହୁଏ ଯେ, ତାହା ମୋ’ ନିଜଭିତରେ ଯାହାକିଛି ସମ୍ମତ ଓ ପ୍ରସ୍ତୁତ, ତାହାକୁ ଜାଳି ଶୁଦ୍ଧ କରିଦେବାରେ ହିଁ ଲାଗିଛି । ସତ୍ୟର ବହିକୁ ଆଗ ଠିକ୍ ଏହିପରି ଭାବରେ ଆପଣା ଭିତରେ ହିଁ ଅନୁଭବ କରିବାକୁ ହୁଏ, ବନ୍ଧୁରୂପେ ଅନୁଭବ କରିବାକୁ ହୁଏ, ଭଗବାନଙ୍କର ଆଶୀର୍ବାଦରୂପେ ଅନୁଭବ କରିବାକୁ ହୁଏ । ଆଗ ତାହାରି ଲାଗି ନିଜଭିତରେ ବାଟ ଛାଡ଼ିଦେବାକୁ ହୁଏ । ଏହି ସମ୍ଭବ ହୋଇ ପାରିନଥିବା ପର୍ଯ୍ୟନ୍ତ ସତ୍ୟ ବହୁଦୂରବର୍ତ୍ତୀ ହୋଇ ରହିଥାଏ । ସେତେବେଳେ ଯାଏ ସତ୍ୟକୁ ଡର ମାଡ଼ୁଥାଏ । ସତ୍ୟ ପାଖରୁ ଆସିବା ମାତ୍ରକେ ସତେଅବା କାହାର ଗ୍ରାସ ଭିତରେ ଆସି ପଡ଼ିଯିବା ପରି ମନେ ହେଉଥାଏ । ତେଣୁ, ସତ୍ୟ ସହିତ ଅସଲ ପରିଚୟଟିକୁ ବି ହୁଏତ ଯାଇ ହୁଏନାହିଁ । ସତ୍ୟକୁ ଦିଅଁରେ ପରିଣତ କରି ଖଟୁଲି ଉପରେ ବସାଇ ଦିଆଯାଏ । ମାତ୍ର ଆପଣା ଭିତରେ ସତ୍ୟଦିଅର ଉନ୍ମୋଚନ ମୋଟେ ସମ୍ଭବ ହୁଏନନାହିଁ ।

 

୧୦ । ୧୧ । ୭୯

 

ପ୍ରଶସ୍ତ କର, ଆଲୋକିତ କର, –ଏହାହିଁ ଏହି ସକାଳର ବାଣୀ । କାରଣ ଏହାହିଁ ବିଶ୍ଵ ହୃଦୟର ବାଣୀ, ଏହାହିଁ ବିଶ୍ଵ ହୃଦୟର ବାଣୀ । ମୋ’ର ନିଜ ହୃଦୟର ବାଣୀ । ମୋ’ର ଦୁଃଖଗୁଡ଼ାକୁ ତୁମେ ଆସି ଠୋ କରି ଛଡ଼ାଇଦେଇ ଯାଅ ବୋଲି ମୁଁ କେବେହେଲେ ଅଜାଣତରେ ମଧ୍ୟ ପ୍ରାର୍ଥନା କରିନାହିଁ । ମୋ’ ରାସ୍ତାଗୁଡ଼ାକୁ ସଳଖ ଓ ନିରାପଦ କରିଦେଇ ଯାଅ ବୋଲି ମୁଁ କେବେହେଲେ କାତର ଓ ଭୟାର୍ତ୍ତ ହୋଇ ଡକା ପାରିନାହିଁ । ମୁଁ ଯେତେଥର ଯାହା କଷ୍ଟ ପାଇଛି, କେଉଁଠି ଅପ୍ରଶସ୍ତ ହୋଇ ରହିଯାଇଛି ବୋଲି ହିଁ କଷ୍ଟ ପାଇଛି, କେଉଁଠି ଅନ୍ଧକାରକୁ ସତେଅବା କିଞ୍ଚିତ୍ ଫାଇଦା ପାଇବି ବୋଲି ଭ୍ରମ କରି ନିଜଭିତରେ ଥାନ ଦେଇ ରଖିଛି । ସେହି ଅପ୍ରଶସ୍ତତା ଓ ସେହି ଅନ୍ଧକାରକୁ ଛାଡ଼ିଆସିବା ମାତ୍ରକେ ହିଁ ସବୁ କଷ୍ଟ ଚାଲିଯାଇଛି । ବିପଦ ଓ ସମ୍ପଦ ସବୁକିଛି କେବଳ ପଥ ବୋଲି ମନେ ହୋଇଛି ।

 

ଆପଣା ଭିତରେ ଆପଣାକୁ କିଳିରଖିବା, ତାହାହିଁ ଦୁଃଖ । ଆପଣା ଭିତରେ ତୁମକୁ ମଧ୍ୟ କିଳି ରଖିବାକୁ ଚେଷ୍ଟା କରିବା, ତାହାହିଁ ଦୁଃଖ । ଅନ୍ଧାର ଭିତରେ କେଉଁଠି ଆପଣାର ନିଜସ୍ଵ କରି ଅରାଏ ଜାଗା ଅଲଗା କରିନେଇ ସେଇଠି ଥାନମାଡ଼ି ବସିବା, –ତାହାହିଁ ସକଳ ଦୁଃଖର ମୂଳ, ସକଳ ସନ୍ତାପର ମଞ୍ଜି । ତୁମେ ଯେ ଭିତରେ ରହିଛ, ତୁମେ ଯେ ପାଖେ ପାଖେ ରହିଛ, ତୁମେ ଯେ ସାଥୀରୂପେ ରହିଛ, ଧୄଷ୍ଟତା କରି ଏହି ସତ୍ୟଟିରୁ ହାତଛଡ଼ା ହୋଇଯିବା ମାତ୍ରକେ ହିଁ ଅସଲ ପ୍ରମାଦ ଘୋଟିଆସେ । ତା’ପରେ ସକଳ ଜ୍ଞାନ ଓ ସକଳ ଭକ୍ତ ତଥା ସକଳ କର୍ମ ପ୍ରଧାନତଃ ଏକ କପଟଚାରଣରେ ପରିଣତ ହୁଏ, ଆପଣାକୁ ଲୁଚାଇ ରଖିବା ସାର ହୁଏ, ଦୁଃଖ ବଢ଼େ ।

 

୧୧ । ୧୧ । ୭୯

 

ହୃଦୟରେ ଦୀପ୍ତି ଅଛି ତୁମେ ତାହାକୁ ଆହୁରି ଦୀପ୍ତ କର । ଆଖି ଭିତରେ ଅକାଙ୍‌କ୍ଷା ଭରି ରହିଛି, ତୁମେ ସେହି ଆକାଙ୍‌କ୍ଷାଟି ଲାଗି ସମପ୍ତ ଆକଶଟିକୁ ଉଦ୍‌ଘାଟିତ କରିଦିଅ । ଭିତରେ ଦୀପ୍ତି ନଥିଲେ ତୁମର ସେହି ଭୁବନମୟ ଦୀପ୍ତିକୁ ମୁଁ ଆଦୌ ଚିହ୍ନି ପାରୁନଥାନ୍ତି । ଏବଂ ଭୁବନମୟ ଦୀପ୍ତିକୁ ଦେଖି ମୁଁ ଭୟଭୀତ ହୋଇ ଆପଣାର କେଉଁ ଗହିର ଭିତରେ ରହି ଲୁଚି ରହୁଥାନ୍ତି । ନା–ସେହି ଦୀପ୍ତି ଯାହା ଭିତରେ ଅଛି, ତାହାହିଁ ମୋତେ ତୁମର ଆଡ଼କୁ ବାଟା କଢ଼ାଇ ନେଉଛି ।

 

ମୋ’ର ଅନୁଭବ, ତାହାକି ମୋ’ର ପ୍ରେମ, ମୋ’ର ଶ୍ରଦ୍ଧା । ଶ୍ରଦ୍ଧାବିହୀନ ହୋଇ କିପରି କ’ଣ ଅନୁଭବ କରାଯାଏ, ସେକଥା ମୁଁ ଆଜିଯାଏ ବି ଶିଖିପାରିଲିନାହିଁ । ହଁ ଶ୍ରଦ୍ଧାବିହୀନ ଭାବରେ କେବଳ ଭୟଟାକୁ ଅନୁଭବ କରାଯାଏ । ଆପଣାର କ୍ଷୁଦ୍ରତାଟାକୁ ହିଁ ଅନୁଭବ କରାଯାଏ । ଆପଣାର ଅହଂଟାକୁ, ଅର୍ଥାତ୍ କ୍ଷୁଦ୍ର ସତର୍କତା ଏବଂ ବିଛିନ୍ନତାଗୁଡ଼ାକୁ ଯିଏ ଯେତିକି ବିହିଳ ଓ ତେଣୁ ଉଗ୍ର ଭାବରେ ଜାବୁଡ଼ି କରି ଧରିଥାଏ । ଶ୍ରଦ୍ଧାହୀନ ହେବା ଲାଗି ହିଁ ସିଏ ଆପଣାକୁ ସେତିକି ପ୍ରଶୟ ଦେଉଥାଏ । ଯଦି ମୋ’ ଭିତରେ ସେହି ଅଜ୍ଞାନଟି ତଥାପି କେଉଁଠାରେ ରହିଥାଏ ଏବଂ ମୋତେ ଭିତରେ ଦୁଇଭାଗ କରି ରଖିଥାଏ, ତେବେ ସେ ସକଳ ଶ୍ରଦ୍ଧାର ଆକାର, ତୁମେ ମୋର ସେହି ଅଜ୍ଞାନଟିକୁ ଦୂର କରିଦେଇ ଯାଅ । ତୁମେ ମୋତେ ଶ୍ରଦ୍ଧାଚେତନ କର, ସତ୍ୟଚେତନ କର । ମୋ’ର ଏହି ଜୀବନକୁ ସମଗ୍ରତଃ ତୁମର ଅଭିପ୍ରାୟ ଦ୍ୟୁର ଜୀବନମୟ, ପ୍ରେରଣାମୟ ଓ ସ୍ପର୍ଶମୟ କରି ରଖ ।

 

୧୨ । ୧୧ । ୭୯

 

ଏହି ଅନ୍ଧାର ଭିତରେ ଆଲୋକ ରହିଛି ବୋଲି ବାହାରେ ଅନ୍ଧାରଗୁଡ଼ାକ ବଢ଼ି ଚାଲିଥିବା ସଙ୍ଗେ ସଙ୍ଗେ ଆଲୋକ ଉପରେ ହିଁ ବିଶ୍ଵାସ ବଢ଼ି ବଢ଼ି ଚାଲିଛି । ବାହାରୁକୁ ଯୋଉଠି ସବୁ ଖାଲି ଛାଇପରି ଦେଖାଯାଉଛି, ସେହି ଛାଇର ଗର୍ଭ ଭିତରେ ହିଁ ସେହି ଅନିର୍ବାଣ ଦୀପ ପ୍ରଜ୍ଵଳିତ ହୋଇ ରହିଛି । ଯାହାକି ମୋ’ର ଭିତରେ ମଧ୍ୟ ଆଲୋକର ଆକାଙ୍‌କ୍ଷାରୂପେ ଆପଣାକୁ ଅଭ୍ୟବ୍ୟକ୍ତ କରି ଆଣିଛୁ । ଭିତରେ ଏପରି କିଛି ରହିଛି, ଯାହାକି ପ୍ରକୃତରେ ଅନିର୍ବାଣ ଏବଂ ଯାହାକି ପ୍ରକୃତରେ ସଂକ୍ରମଣଶୀଳ; –ଏହି ବିଶ୍ଵାସ ଯେତିକି ବଢ଼ି ବଢ଼ି ଯାଉଛି ଓ ଏହି ଅନୁଭୂତି ଯେତିକି ଯେତିକି ପ୍ରତ୍ୟକ୍ଷ ହେବାରେ ଲାଗିଛି, ନିଜ ଭିତରକୁ ବି ସତେଅବା ସେତିକି ସେତିକି ବାଟା ମିଳିଗଲା ପରି ମନେହେଉଛି । ସଂସାର ଭିତରକୁ ଅର୍ଥାତ୍ ଭବିଷ୍ୟ ଭିତରକୁ ସେତିକି ସେତିକି ବାଟ ମିଳି ଯାଉଥିଲା ପରି ଅନୁଭବ ହେଉଛି ।

Unknown

 

ଏହି ଜୀବନ ତାଙ୍କଠାରୁ ବିଚ୍ଛିନ୍ନ ହୋଇ ରହିନାହିଁ, ମଣିଷ ଆପଣାକୁ ତାଙ୍କଠାରୁ ବିଚ୍ଛିନ୍ନ କରି ରଖିବାର ଫନ୍ଦି କରୁଥିଲେ ମଧ୍ୟ ତଥାପି ସିଏ ଜନନୀ ପରି ତାଙ୍କର ସ୍ନେହଦ୍ଵାରା ନୀରବରେ ଆମକୁ ଗଢ଼ି ଆଣିବାରେ ଲାଗିଛନ୍ତି;-ଏହି ବିଶ୍ଵାସ ହେଉଛି ଯଥାର୍ଥ ଜୀବନରେ ଦ୍ୟୋତକ । ଆମ ସଂସାରରେ ସେହି ବିଶ୍ଵାସଟି ହିଁ ବଢ଼ିବାରେ ଲାଗିଥାଉ । ତେବେ ଯାହା ଅସଲ, ତାହାହିଁ ଆମ ଆଖିରେ ଦେଖା ଯାଉଥିବ । ଆମର ଅସଲ ଦୃଷ୍ଟିଟି ଅନିର୍ବାଣ ହୋଇ ରହିଥିବ ।

 

୧୩ । ୧୧ । ୭୯

 

ବାହାରର ସବୁ ଉତ୍ସାହ ସବୁ ଅବଲମ୍ବନ ଓ ସବୁ ଅଗ୍ନି, –ଏମାନେ କେହି ଝଡ଼ ବେଳକୁ ବଳ ଦେଇ ପାରନ୍ତିନାହିଁ । କେବଳ ଭିତରେ ମୋ’ର ଯେତିକି ବଳ ସହିତ ପରିଚୟ ଘଟିଥାଏ, ତାହାହିଁ ବଳ ଦିଏ, ତାହାହିଁ ଠିଆ କରାଇ ରଖିପାରେ । ତାହାହିଁ ବନ୍ଧ ରୂପେ କାର୍ଯ୍ୟ କରେ । ତାହାରି ବଳରେ ଏହି ଏହି ଭୂବନମୟ ସବୁକିଛି ନିଜର ଘରଭଳି ଲାଗେ, ତେଣୁ ମୋଟେ ଡର ମାଡ଼େନାହିଁ ।

 

ଭିତରରେ ଯେଉଁ ବଳ ମୋତେ ଏହି ବିରାଟ ବିଶ୍ଵ ସହିତ ସଂଯୁକ୍ତ କରି ରଖିଥାଏ, ତାହା ଏକ ବିପୁଳ ଅଟଳ ବିଶ୍ଵାସରୂପେ ହଁ ମୋ’ର ଜୀବନରେ ଆସି ପ୍ରକାଶିତ ହୁଏ । ତାହାହିଁ ମୋ’ର ଅସଲ ବହ୍ନିଟି ପରି ମୋତେ ପ୍ରଦୀପ୍ତ କରେ; ମୋତେ ଆଶୀଷର ଯୋଗ୍ୟ କରି ରଖିଥାଏ । ସେହି ବହ୍ନିଟିକୁ ବୀଜରୂପେ ଗ୍ରହଣ କରି ହଁ ମୁଁ ଏହି ସଂସାରକୁ ଆସିଛି । ସଂସାରରେ ମୋ’ର ଯେତେ ଯାହା ପରିଚୟ, ତାହା ଏହି ବହ୍ନି ସହିତ ବହ୍ନିର ପରିଚୟ । ଏହି ବହ୍ନିକୁ କଦାପି କେହି ବିଚଳିତ କରିଦେଇ ପାରିବନାହିଁ । ମୋ’ ଭିତରେ ମଧ୍ୟ ଯେତେବେଳେ ଯେଉଁ ଝଡ଼ ଆସିଛି, ଏହି ବହ୍ନିକୁ ତାହା ଆଦୌ ବିଚଳିତ କରି ପାରିନାହିଁ । ଅର୍ଥାତ୍ ଏହି ବହ୍ନିଟି ସହିତ ସଂଯୋଗ ରହିବା ପର୍ଯ୍ୟନ୍ତ ଜୀବନ ଉପରେ ବହି ଯାଉଥିବା କୌଣସି ଝଡ଼ ମୋତେ କୌଣସି ପ୍ରକାରେ ବିଚଳିତ କରାଇ ପାରିନାହିଁ, ମୋ’ର ବିଶ୍ଵାସଟିକୁ ମଧ୍ୟ କୌଣସି ପ୍ରକାରେ ବିଚଳିତ କରି ପାରିନାହିଁ, ମୋ’ର ଯାବତୀୟ ଜୟକୁ ମୁଁ ସେହି ବହ୍ନିର ବିଜୟ ବୋଲି ହିଁ ଗ୍ରହଣ କରି ନେଇଛି ।

 

୧୪ । ୧୧ । ୭୯

 

ଭିତରର ସେହି ଅଗ୍ନି ଯେତେବେଳେ ବାହାରର ସେହି କରୁଣାରୂପୀ ଅଗ୍ନିଟି ସହିତ ସଂଯୁକ୍ତ ହେବ ସେତେବେଳେ ଏହି ସବୁକିଛି ବାଧା କୁଆଡ଼େ ଦୂର ହେଇଯିବ । ବାଧା ଥିବ କିନ୍ତୁ ବାଧା ବାଧା ବୋଲି ଲାଗିବନାହିଁ । ସେତେବେଳେ ପାହାଡ଼ଗୁଡ଼ାକ କେବଳ ପଥ ପରି ମନେହେବ-। ବିପଦଗୁଡ଼ାକ ଆହ୍ଵାନ ପରି ମନେହେବେ । ସେତେବେଳେ ପଥ ଉପରେ ଯାହାକିଛି ଆସି ପହଞ୍ଚିବ, ତାହା କେବଳ ତାଙ୍କର ଅଭିପ୍ରେତ ପରି ଲାଗିବ । ତେଣୁ, ତାକୁ ସ୍ଵୀକାର କରି ନେବାଲାଗି ଆଉ କୌଣସି କୁଣ୍ଠା ବା ଶଙ୍କା ରହିବନାହିଁ । ସେତେବେଳେ ଆଉ କିଛି ମାଗିବାକୁ ନଥିବ । ଯିଏ ସବୁ ପାଇଛି ତାକୁ ଯେ କେବଳ ଦେବାକୁ ହେବ, ସବୁକିଛି ଦେଇ ହେଇ cycleଟିକୁ ପୂର୍ଣ୍ଣ କରିବାକୁ ହେବ । ସେତେବେଳେ ତାହାହିଁ ଅନୁଭୂତ ହେବ ।

 

ସେଇଥିଲାଗି, ଅର୍ଥାତ୍ ବାହାରର ସେହି ଅଗ୍ନି ମୋ’ ଭିତରକୁ କରୁଣା ରୂପେ ଆସୁଛି ବୋଲି ତାହା ଏବେ ବିଶୁଦ୍ଧ, ଏତେ ନିର୍ଭୟ ଓ ଏତେ ଗୌରବମୟ । ଏବଂ ତାହାହିଁ ମୋତେ ସୁଦ୍ଧ କରିଦେବ, ମୋତେ ସିଧା ହୋଇ ଅନାଇବାକୁ ଶିଖାଇବ, ଉନ୍ନତଶିର ହେବାକୁ ଶିଖାଇବ, ଅସଲ ଗୌରବରେ ଗୌରବାନ୍ୱିତ ହୋଇ ଶିଖାଇବ । ବାହାରେ ମୁଁ ଏପର୍ଯ୍ୟନ୍ତ ଯାହା ମାଗି ବୁଲୁଥିଲି, ଭିତରେ ମୁଁ ତାହା ଆବିଷ୍କାର କରିପାରିବି । ତାହାହିଁ ମୋ’ର ପରିତ୍ରାଣର ଏକମାତ୍ର ଉପାୟ ବୋଲି ବୁଝିବ । ସେଇ ମୋତେ ଯାବତୀୟ କର୍ମରେ ପ୍ରବୃତ୍ତ କରି ରଖିପାରିବ । ଏବଂ ତା’ପରେ ଯାହା କିଛି ହେବ, ତାହା ତାହାରି ଲାଖି ହେବ ।

 

୧୫ । ୧୧ । ୭୯

 

ତୁମର ସ୍ପର୍ଶ ଲାଗିବା ମାତ୍ରକେ ସେହି ଆଲୋକର କ’ଣ ହୁଏ, ମୁଁ ସେକଥା କହି ପାରିବିନାହିଁ, ମାତ୍ର ମୋ’ର ସମସ୍ତ ଜୀବନ ହିଁ ବହ୍ନିମାନ୍ ହୋଇଉଠେ । ଏବଂ, ଏହି ବହ୍ନିମାନ୍ ହେବାକୁ ହିଁ ମୁଁ ମୋ’ର ଆସଲ ଆତ୍ମପରିଚୟ ବୋଲି ଅନୁମାନ କରେ ।

 

ହଁ, ଜୀବନର ସମସ୍ତ କ୍ଷେତ୍ର ବହ୍ନିମାନ୍ ହୋଇଉଠେ, ସେହି ଗୋଟିଏ ବହିର ଖିଅରେ ମୋ’ର ବାହାର ଭିତର, ବ୍ୟକ୍ତିଗତ ଓ ବିଶ୍ଵଗତ ତଥା ବର୍ତ୍ତମାନ ଓ ଭବିଷ୍ୟ ଏକାଠି ଗୋଟିଏ ସମଗ୍ରରେ ପରିଣତ ହୋଇଯାଏ ଓ ତା’ପରେ ମୋ’ର ବାଟଗୁଡ଼ାକ ଅର୍ଥାତ୍‍ ମୋ’ର ଦୃଷ୍ଟିଗୁଡ଼ାକ ହିଁ ଅଲଗା ପ୍ରକାରର ହୋଇଯାଏ । ସେତେବେଳେ ମୋ’ ନିଜର ସ୍ଵାର୍ଥ ବୋଲି କିଛି ରହିଛି ବୋଲି ଆଉ ମୋଟେ ଅନୁଭବ ହୁଏ ନାହିଁ । ସ୍ଵାର୍ଥ ଯେ ଅନ୍ତର୍ହିତ ହୋଇଯାଏ, ତାହା ମୋଟେ ନୁହେଁ; ମାତ୍ର ସେହି ସ୍ଵାର୍ଥ ଏପରି ସ୍ଵାଭାବିକ ଭାବରେ ପ୍ରସାରିତ ହୋଇଯାଏ, ଯାହା ଫଳରେ ସ୍ଵାର୍ଥ ଆଉ ପରାର୍ଥ ମଧ୍ୟରେ ଆଉ କୌଣସି ଭେଦ ରହେ ନାହିଁ, କୌଣସି ବାଡ଼ ବି ରହେନାହିଁ । ସେତେବେଳେ ପୁରୁଣା ନୀତିଗୁଡ଼ାକ ମଧ୍ୟ ଛାଇପରି ଦିଶେ । ପୁରୁଣା ଧର୍ମଗୁଡ଼ାକ ମଧ୍ୟ ନୂତନ ବହ୍ନି ଶିଖା ଭିତରେ ଆସି ସମାହିତ ହୋଇ ଯିବାପରେ ଜୀବନ ଭୟମୁକ୍ତ ହୁଏ । ତା’ ପରେ ଆଉ ଲୁଚି ରହିବାର ମୋଟେ କୌଣସି ଜାଗା ରହେନାହିଁ, ଆପଣା ସହିତ ସଙ୍ଘର୍ଷ କରିବାର ଓ ଆପଣା ଭିତରେ ବିଜୟ ହାସଲ କରିବାର ବି କୌଣସି ପ୍ରୟୋଜନ ରହେନାହିଁ । ମୁଁ ଦ୍ଵିଜ ହୋଇ ଜନ୍ମଲାଭ କରେ ।

 

୧୬ । ୧୧ । ୭୯

 

ନୀରବତା ଭିତରେ ହିଁ ଯାବତୀୟ ଉନ୍ନୋଚନ ଘଟେ । ବିଶ୍ଵାସ ବଢ଼ିଲେ ମଣିଷ ଆପେଆପେ ନୀରବ ହୋଇଯାଏ । କୋଳାହଳର ଯାବତୀୟ ବାଡ଼ ଭାଙ୍ଗିଯାଏ । ଭୟ ଭାଙ୍ଗି ଯାଏ-। କୋଳାହଳ ସମୟରେ ଯୋଉଗୁଡ଼ାକ ଏଡ଼େବଡ଼ ପାଚେରୀ ବୋଲି ମନେ ହଉଥିଲା, ନୀରବ ହୋଇ ଆସିଲେ ସେହିପରି ପାଚେରି ତିଆରି କରି ସେଗୁଡ଼ାକ ଭିତରେ ଉଗ୍ର ଏବଂ କ୍ଷୁଦ୍ର ହୋଇ ବସିବାର ବୁଦ୍ଧି କୁଆଡ଼େ ଛାଡ଼ି ପଳାଏ ।

 

ସେହି ନୀରବତା ମଧ୍ୟରେ ହିଁ ଆପଣା ସହିତ ଦେଖାହୁଏ । ସେହି ନୀରବତା ମଧ୍ୟରେ ହିଁ ତାଙ୍କ ସହିତ ଦେଖାହୁଏ । ଆପଣା ଭିତରେ ତାଙ୍କ ସହିତ ଭେଟ ହୁଏ । ତଦ୍ଦ୍ଵାରା ଯେଉଁ ମହାନ୍ ପ୍ରସାରଣ ଅତ୍ୟକ୍ତ ସ୍ଵାଭାବିକ ଭାବରେ ଘଟେ, ତାହାରି ମାଧ୍ୟମରେ ହିଁ ସମସ୍ତ ସଂସାର ସହିତ ଭେଟ ହୁଏ । ମୁଁ ଯେ ସଂସାର ଠାରୁ ମୋଟେ ବିଛିନ୍ନ ନୁହେଁ, ସେହି ଉପଲବ୍‌ଧିଟି ସମ୍ଭବ ହୁଏ ଏବଂ ଓ ଆପଣାର ନବଜନ୍ମ ହୁଏ । ସବୁ ଯେପରି ସେହି ଗୋଟିଏ ଆଲୋକର ଆତ୍ମୀୟତା ମଧ୍ୟରେ ଆଲୋକିତ ହୋଇଉଠନ୍ତି । ଅନ୍ଧାରଗୁଡ଼ାକ ବି ସେଇ ଆଲୋକର ଅନ୍ଵେଷଣ କରିବାଲାଗି ଗୋଟିଏ ଗୋଟିଏ ଆହ୍ଵାନ ପରି ଅନୁଭବ ହୁଅନ୍ତି । ସେତେବେଳେ ଏହି ପଥରେ ମହିମାର ଦର୍ଶନ ହୁଏ । ଜୀବନରୁ ସକଳ କୋଳାହଳର ପର୍ଯ୍ୟାୟଟି ଭାରି ସହଜ ଭାବରେ କଟିଯାଏ ।

 

୧୭ । ୧୧ । ୭୯

 

ତାଙ୍କର ଇଚ୍ଛା ହିଁ କାର୍ଯ୍ୟକାରୀ ହେଉଛି । ଏହାର ଅର୍ଥ ନୁହେଁ ଯେ, ମୁଁ ଯାହାକିଛି କରୁଛି, ସେଇଗୁଡ଼ାକ କରିବାରେ ଲାଗିଥିବ ଓ ସେଥିପ୍ରତି ଚରମ ଭାବରେ ଉଦାସୀନ ହୋଇ ରହିଥିବି । ପ୍ରକୃତ କଥା ହେଉଛି, ମୁଁ କେବଳ ତାଙ୍କର ଇଚ୍ଛାକୁ କାର୍ଯ୍ୟକାରୀ କରିବି । ତାଙ୍କର ଇଚ୍ଛାକୁ ବାଦ୍ ଦେଇ ମୋ’ର କିଛି ଅଲଗା ଇଚ୍ଛା ରହିବନାହିଁ । ମୁଁ ନିଜର ଇଚ୍ଛାଗୁଡ଼ାକର ପୂରଣ ଲାଗି ତାଙ୍କପାଖରୁ ଅଲଗା କିଛି ମାଗିବାକୁ ଯିବିନାହିଁ ।

 

କିନ୍ତୁ, ତାଙ୍କର ଇଚ୍ଛା କ’ଣ, ମୁଁ ତାହାକୁ କିପରି ଭାବରେ ଜାଣିବି ? କୌଣସି ବୁଦ୍ଧି ଆଶ୍ରିତ ପାଣ୍ଡିତ୍ୟ ଦ୍ଵାରା ତାହାକୁ ମୁଁ କଦାପି ଜାଣି ପାରିବିନାହିଁ । ଯେତେବେଳେ ମୋ’ ଭିତରୁ ସବୁଯାକ ବାଡ଼ ଉଠିଯିବ, ଯେତେବେଳେ ଭୟ ତୁଟିଯିବ, ଯେତେବେଳେ ମଣିଷକୁ ମୁଁ ପ୍ରତିଦ୍ଵନ୍ଦୀ ବୋଲି ନଭାବି ସହଯୋଗୀ ବୋଲି ଗ୍ରହଣ କରିନେଇ ପାରିବି, ଯେତେବେଳେ ମୋ’ ଭିତରେ ଯେଉଁ ସହଜ ନୀରବତା ଏବଂ ପ୍ରସନ୍ନତା ସମ୍ଭବ ହୋଇଯିବ, ତାହାହିଁ ମୋତେ ବାଟ ଦେଖାଇବ । ସେତେବେଳେ ଅସଲ ଖିଅଟି ଲାଗିରହି ପାରିବ । ଭିତରେ ସହିତ ଲାଗିଥିବ ତଥା ବାହାର ସହିତ ବି ଲାଗିଥିବ । ତେଣୁ, ସେତେବେଳେ ମୁଁ ଯାହାକିଛି କରିବି, ପ୍ରଧାନତଃ ନିମିତ୍ତ ପରି କରୁଥିବି, ନିର୍ଭୟ ହୋଇ କରୁଥିବି । ଏହି ପର୍ଯ୍ୟାୟରେ ହାରିବା ଜିତିବାର ଆଉ କୌଣସି ବାଛ ରହିବନାହିଁ, ସତର୍କତା ଓ କୃତ୍ରିମତା ବୋଲି ମଧ୍ୟ କୋଉଠି କିଛି ରହିବନାହିଁ । ତାଙ୍କର ଇଚ୍ଛାକୁ ଯେ ମୁଁ କାର୍ଯ୍ୟକରି କରୁଛି, ମୋ’ର ସକଳ ଭାବରୁ ହିଁ ସେହି କଥାଟି ପ୍ରକଟିତ ହୋଇ ଉଠୁଥିବ ।

 

୧୮ । ୧୧ । ୭୯

 

ଏହି ଦୁର୍ଗତି ଭିତରେ ହିଁ ତାହାର ଆବିର୍ଭାବ ହେବ । କାରଣ, ଏହି ଦୁର୍ଗତି ଭିତରେ ହିଁ ଆପଣା ଭିତରେ ତାଙ୍କର ସ୍ପର୍ଶଟି ସବୁଠାରୁ ଅଧିକ ନିଶ୍ଚିତ ଭାବରେ ଅନୁଭୂତ ହେଉଛି । ତାହାରି କଥା ସବୁଠାରୁ ଅଧିକ ମନେପଡ଼ୁଛି । ଭିତରେ ଏପରି ଗୋଟାଏ ମୂଳ ଯେ ରହିଛି, ଯେଉଁ ମୂଳ ସହିତ ସଲଗ୍ନ ରହି ସଂସାରକୁ ଓ ସମଗ୍ରଟିକୁ ଦେଖି ପାରିଲେ ବାଟଗୁଡ଼ାକ, ସମ୍ବନ୍ଧଗୁଡ଼ାକ ଭାରି ସ୍ପଷ୍ଟ ଭାବରେ ଦେଖାଯିବାକୁ ଆରମ୍ଭ କରେ, ତାହାହିଁ ମୋତେ ବାହାରକୁ ଚରମ ଅବିଶ୍ଵାସମୟ ପରି ଦେଖା ଯାଉଥିବା ଏହି ଜଗତ ମଧ୍ୟରେ ତଥାପି ବିଶ୍ଵାସ ସହିତ ଯୁକ୍ତ କରି ରଖିପାରୁଛି ।

 

ଆପଣା ଭିତରେ ମୁଁ ଯାହାସହିତ ଘର କରି ରହିଛି, ତାହା ମୋତେ ଆଦୌ ଏକ ଅଲୌକିକ ବ୍ୟାପାର ବୋଲି ଲାଗିବ ବା କାହିଁକି ? ଯାହାକୁ ମୁଁ ଭିତରେ ବାହାରେ ସର୍ବତ୍ର ଅନୁଭବ କରିପାରୁଛି, ଯାହା ମୋ’ ଜୀବନରେ ଅସଲ ସୁତ୍ର ଓ ଅସଲ ଅବଲମ୍ବନ ହୋଇ ରହିଛି, ମୁଁ ସମସ୍ତଙ୍କ ଭିତରେ ଓ ସମସ୍ତଙ୍କ ଅସଲ ମୂଳରେ ସେଇଟିକୁ ହିଁ ଅନୁଭବ କରି ପାରୁଛି–ସେହି ସ୍ଥାନକୁ ଗୋଟିଏ ସେତୁ ପକାଇ ବଞ୍ଚି ପାରିବା;-ତାହାହିଁ ସଂସାରରେ ମୋ’ର ପ୍ରୀତିବାଞ୍ଛାର ଅନ୍ୟନାମ ହୋଇରହିଛି । ତେଣୁ ମୁଁ ତାକୁ କେବେହେଲେ ଅଲୌକିକ ବା ଅପ୍ରତ୍ୟାଶିତ ବୋଲି ଅନୁଭବ କରି ପାରେନାହିଁ । ତାହାହିଁ ଅଭିପ୍ରେତ, ଏକମାତ୍ର ତାହାରିଲାଗି ହିଁ ଅପେକ୍ଷା ରହିଛି ।

 

୧୯ । ୧୧ । ୭୯

 

ମାଗି ମାଗି ଜୀବନ ଗଲା, ସେଥିଲାଗି ଖାଲି ପୁଜି ପୁଜି ଜୀବନ ଗଲା । ନିଜ ବ୍ୟତୀତ ଆଉ କିଛିହେଲେ ଦେଖା ଗଲାନାହିଁ । ତେଣୁ, ସବୁ ଖାଲି ଦୂର ହୋଇ ରହିଲା । ନିଜ ଭିତରକୁ ଅନାଇବାକୁ ବି ଡର ମାଡ଼ିଲା । ହାତ ପାଆନ୍ତାରେ କେବେ କେଉଁଠି କିଛି ମିଳିବ ବୋଲି ବିଶ୍ଵାସ ବି ହେଲାନାହିଁ । ତେଣୁ, ବିଶ୍ଵାସ ନାମରେ ଗୁଡ଼ାଏ ଭାବପ୍ରବଣତା, ଗୁଡ଼ାଏ ଆତୁରତା ଓ କାତରତା ବୁଦ୍ଧି ପାଇଲା ସିନା, ମାତ୍ର ଏକ ମୌଳିକ ଅବିଶ୍ଵାସ ମୋ’ ଭିତରେ ସତେଅବା କେଉଁ ରୋଗର ଅର୍ଥାତ୍ ଅସମ୍ମତିର ଲକ୍ଷଣ ହୋଇ ରହିଲା । ଅସମ୍ମତି ବହୁବିସ୍ତୃତ ହୋଇଗଲା, ସକଳ ପ୍ରକାରର ଉପଚାର ସହିତ ମୁଁ ତାହାର ଏହି କାୟାବିସ୍ତାରରେ ସହଯୋଗ ବି କଲି । ଭଗବାନଙ୍କର ନାମକୁ ଏଡ଼େବଡ଼ ପାଟିରେ ଉଚ୍ଚାରଣ କରି ଭିତରେ ଅସମ୍ମତି ହୋଇ ବସିବାକୁ ସତେଯେପରି କେତେ ପ୍ରଶୟ ପାଇଲି । ଦୁଆର ଗୁଡ଼ାକ ବନ୍ଦ ହୋଇ ରହିଲା । ନିକଟ ଦୂର ହୋଇ ରହିଲା । ବିଶ୍ଵାସଗୁଡ଼ାକ ଅତିଦୂର ହୋଇ ରହିଲା । ଆପଣାକୁ ଲୁଚାଇ ରଖି ଆପଣା ଲାଗି ଶହେଟା ବ ହଜାରଟା ଜିନିଷର ତାଲିକା କରି ଖାଲି ମାଗିବାରେ ଲାଗିଥିବା, ଏହାହିଁ ଯଦି ରୀତି ହୁଏ, ତେବେ ମୁଁ ନିଜକୁ ରାଜାର ସମ୍ମାନ ଆଉ ଦେଇପାରିବି କେତେବେଳେ ? ତେଣୁ, ଭିକ୍ଷୁକ ହୋଇ ରହିବା ହିଁ ସାର ହେଲା । ମୁଁ ଦରିଦ୍ର ହୋଇ ରହିଲି । ଏକ ମହାଭିମାନୀ ଦରିଦ୍ର ହୋଇ ରହିଲି । ଏବଂ, ବାହାରର ପୂଜା ଏବଂ ମାଗିବାଗୁଡ଼ିକ ଦଶଗୁଣ ଅଧିକ ଆଡ଼ମ୍ବରେ ବଢ଼ିଲା ।

 

୨୦ । ୧୧ । ୭୯

 

ଜନନୀ ମୋ’ ପାଖରେ ସର୍ବଦା ରହିଛନ୍ତି, ସିଏ ମୋ’ରି ଭିତରେ ରହି ମୋତେ ନବନବ ଜନ୍ମ ଦେଉଛନ୍ତି, –ନବ ନବ ଚକ୍ଷୁ ପ୍ରଦାନ କରୁଛନ୍ତି, –ନୂଆ ନୂଆ ଆବିଷ୍କାର ଏବଂ ପରିଚୟରେ ଲାଭବାନ୍ କରୁଛନ୍ତି, ମୋତେ ନୂତନ ସମ୍ପ୍ରସାରଣର ଯୋଗ୍ୟ କରିବାରେ ଲାଗିଛନ୍ତି ।

 

ଏହି ଜନନୀ ମୋ’ ଭିତରେ ସର୍ବପ୍ରଥମ ପ୍ରେରଣା ହୋଇ ରହିଛନ୍ତି ବୋଲି ମୋ’ ନିଜକୁ ମଧ୍ୟ ମୁଁ ମୋ’ର ସର୍ବଶ୍ରେଷ୍ଠ ମୁହୂର୍ତ୍ତଗୁଡ଼ିକରେ ସତେଅବା ଜଣେ ଜନନୀ ପରି ଅନୁଭବ କରିପାରୁଛି-। ଆପଣାକୁ ଜନନୀ ପରି ଅନୁଭବ କରିବାର ସେହି ପ୍ରସାଦକୁ ହିଁ ମୁଁ ଜୀବନର ଏକ ବଡ଼ ଆଶୀର୍ବାଦ ଏବଂ ଲାଭରୂପେ ଗ୍ରହଣ କରି ନେଇଛି । ଜୀବନଟା ଅଧିକରୁ ଅଧିକ ପରିମାଣରେ ସେହି ଅନୁଭବଟି ଦ୍ଵାରା ପ୍ରେରିତ ହେଉଥିବା ସଙ୍ଗେ ସଙ୍ଗେ ନିଜଭିତରେ ରହିଥିବା କେତେ ମଳି, କେତେ ଦ୍ଵନ୍ଦ୍ଵ ଓ କେତେ ଧୂର୍ତ୍ତତା କୁଆଡ଼େ କଟିଯାଉଛି । ଆଖିଗୁଡ଼ାକ ସତେଅବା ନୂତନ ଭାବରେ ଦେଖି ଶିଖୁଛନ୍ତି, ନୂତନ ଶରୀରକୁ ପ୍ରବେଶ କରି ଶିଖୁଛନ୍ତି । ଯେଉଁସବୁ ବସ୍ତକୁ ମୁଁ ନିଜର ବାହାରେ ବୋଲି ଅନୁମାନ କରି ଆସିଥିଲି, ସେସବୁ କ୍ରମେ ମୋ’ ନିଜ ଭିତରେ ରହିଥିବା ପରି ମନେହେଉଛି-। ଆପଣା ଭିତରେ ଜନନୀ ହୋଇ ରହିବାର ଅନୁଭୂତି, –ତାହା ହେଉଛି ଯଥାର୍ଥ ଭାବରେ ଏକାତ୍ମକ ହୋଇ ରହିବାର ଅନୁଭୂତି, ସବୁଟି ସହିତ ଏକାତ୍ମକ ହୋଇ ରହିବାର ଅନୁଭୂତି-

 

୨୧ । ୧୧ । ୭୯

 

ସିଏ ମୋ’ ସହିତ ରହିଛନ୍ତି, ଅର୍ଥାତ୍ ମୁଁ ତାଙ୍କ ସହିତ ରହିଛି । ସିଏ ମୋ’ ଭିତରେ ରହିଛନ୍ତି, ମୁଁ ତାଙ୍କରି ଭିତରେ ଅଛି । ସିଏ ମୋ’ ସହିତ ସହଯୋଗ କରୁଛନ୍ତି, ସିଏ ମୋ’ ଭିତର ଦେଇ ମୋତେ ପୂର୍ଣ୍ଣ ବାଟଟିକୁ ପାର କରାଇ ନେଉଛନ୍ତି, ଅର୍ଥାତ୍ ମୋତେ ପୂର୍ଣ୍ଣ ଭାବରେ ପ୍ରସ୍ତୁତ କରି ନେଉଛନ୍ତି । ଯେପରିକି ମୁଁ ଭିତରେ ବାହାରେ ଆପଣାର ଜୀବନର ଓ ସବୁକିଛିର ଯଥାର୍ଥ ଯୋଗ୍ୟ ହୋଇପାରିବି, ଆପଣାର, ଜୀବନର ଓ ସବୁକିଛିର ଯଥାର୍ଥ ପରିଚୟ ପାଇ ପାରିବି, ସେଇଥିଲାଗି ସିଏ ମୋତେ ପଳପଳ କରି ପ୍ରସ୍ତୁତ କରି ନେଉଛନ୍ତି, ମୋତେ ପଳପଳ ପଳ କରି ପରୀକ୍ଷା କରି ନେଉଛନ୍ତି । ତାହାହିଁ ସହଯୋଗ, ତାହାହିଁ ସାଥିତ୍ୱ ।

 

କିନ୍ତୁ, ସହଯୋଗୀ ସଖାଙ୍କୁ ମୁଁ ଏତେ ଦୂରଛଡ଼ା କରି ରଖୁଛି କାହିଁକି ? ତାଙ୍କୁ ଦୂରରେ ରଖି ପୂଜା କରି ମୁଁ ଏତେ ଭୟ କରୁଛି କାହିଁକି ? ତାଙ୍କୁ ଆପଣା ଭିତରେ ମାନିନେଇ ନଥିବା ପର୍ଯ୍ୟନ୍ତ ଆପଣାର ସାଥିରୂପେ ଅନୁଭବ ନକରୁଥିବା ପର୍ଯ୍ୟନ୍ତ ମୋତେ ଏହିଁ ଦୁର୍ଦ୍ଦଶା ନିତି ଭୋଗିବାକୁ ପଡ଼ିବ । ବାହାରେ ତାଙ୍କୁ ପ୍ରଦର୍ଶିତ କରିବାର ଆଡ଼ମ୍ବରଗୁଡ଼ାକ ଯେତେ ବଢ଼ିବାରେ ଲାଗିଥିବ, ଭିତରେ କାତରତା ବି ସେତିକି ବଢ଼ୁଥିବ । ଏବଂ, କାତର ମଣିଷ କାହାକୁ ହେଲେ ସାଥୀରୂପେ ଗ୍ରହଣ କରିବା ସମ୍ଭବ ହେଇନାହିଁ, ଆପଣାକୁ ମଧ୍ୟ ଆପଣାର ସାଙ୍ଗରେ ଆଗକୁ ନେବା ସମ୍ଭବ ହେବାନାହିଁ । ତେଣୁ, ସିଏ ଯେ ଏଇଠି ରହିଛନ୍ତି, ସହଯୋଗୀ ହୋଇ ରହିଛନ୍ତି, ତାହାହିଁ ଏହି ବନ୍ଧନମୁକ୍ତର ମାର୍ଗ ।

 

୨୨ । ୧୧ । ୭୯

 

ତୁମର ଇଚ୍ଛା, ମୋ’ର ଇଚ୍ଛା, ତୁମର ଆନନ୍ଦ, ମୋ’ର ଆନନ୍ଦ; ତୁମର ବିଶ୍ଵ, ମୋ’ର ବିଶ୍ଵ-। ଏବଂ, ତୁମର ଅଭିପ୍ରାୟ, ତାହାହିଁ ମୋ’ର ବି ଅଭିପ୍ରାୟ ।

 

ଅନେକ ସମୟରେ ମୁଇଁ ଆପଣାର ନାନା ଅନ୍ୟ ଅନୁରକ୍ତି ଭିତରେ ପଡ଼ି ଅନ୍ୟ ଇଚ୍ଛା କରୁଥାଏ, ଅନ୍ୟ ଗୌରବକୁ ଆପଣାର ଗୌରବ ବୋଲି ମାନୁଥାଏ, ଏବଂ, ଏହିଁ ବୃହତ୍ତର ବିଶ୍ଵକୁ ନାନାଭାବେ ଡରି ଆପଣାଲାଗି ଗୋଟିଏ କ୍ଷୁଦ୍ରବିଚ୍ଛିନ୍ନ ବିଶ୍ଵକୁ କଳ୍ପନା କରି ରଖିବାର ଚେଷ୍ଟା କରୁଥାଏ । ତାହାକୁ ନେଇ ମୁଁ ଅନେକ ବୁଲେ, ଅନେକ ଚାଖେ, ଅନେକ ଭେକ ପିନ୍ଧେ, ଅନେକ ଭେକ ଓହ୍ଳାଇବାରେ ମଧ୍ୟ ଲାଗିଥାଏ । ଭେକଗୁଡ଼ାକୁ ହିଁ ମାର୍ଗ ବୋଲି କହୁଥାଏ ଓ ଧର୍ମ ବୋଲି କହୁଥାଏ । କିନ୍ତୁ ତାଙ୍କ ଇଚ୍ଛା ସହିତ ଆପଣାର ତଥାକଥିତ ଇଚ୍ଛାଗୁଡ଼ିକୁ ସଂଯୁକ୍ତ କରି ନରଖି ପାରିବା ପର୍ଯ୍ୟନ୍ତ ଜୀବନରେ ପ୍ରକୃତରେ ମାର୍ଗ ବୋଲି କିଛି ମିଳିନଥାଏ । ତେଣୁ, ଜୀବନରେ କୌଣସି ଯଥାର୍ଥ ଚାଲିବା ବି ସମ୍ଭବ ହୋଇନଥାଏ । ବିଶ୍ଵକୁ ଆପଣା ଭିତରେ ଅନୁଭବ କରି ପାରିଲେ ଯାଇ ମାର୍ଗ ଭଳି ମାର୍ଗଟିଏ ମିଳେ । ତା’ପରେ ଆଉ ଭେକଆଡ଼କୁ ମନ ଯାଏନାହିଁ । ସେଗୁଡ଼ାକ ତୁଚ୍ଛା ଆଡ଼ମ୍ବର ପରି ଲାଗେ । ଜୀବନରେ ପ୍ରଥମଥର ପାଇଁ କୌଣସି ଭଲପାଇବା ସମ୍ଭବ ହୁଏ । ତା’ ପୂର୍ବରୁ ତ କେବଳ ନିଜକୁ ଘେରି ନାନା ଭ୍ରମଦମ୍ଭ ସହିତ ଜୀବନଟାକୁ ଫୁଲାଇ ରଖିଥିବା ହିଁ ସାର ହେଉଥାଏ ।

 

୨୩ । ୧୧ । ୭୯

 

ଏହା ଏକ ଆବିଷ୍କାରର କଥା, ଏକ ଅନୁଭବର କଥା, ଏକ ଉପଲବ୍‌ଧିର କଥା । ସେହି ପ୍ରେମ ମୋ’ର ସମସ୍ତ ସତ୍ତାମଧ୍ୟରେ ସର୍ବଦା ହିଁ ଭେଦିକରି ରହିଥିଲା, ମୋ’ ଦେହର ସବୁଯାକ କୋଷକୁ ସେହି ସର୍ବୋତ୍ତମ ଆଲୋକ ହିଁ ଆଲୋକିତ କରି ରଖିଥିଲା । ମୁଁ ତାକୁ ଚାହୁଛି କି ନାହିଁ, ମୁଁ ତାକୁ ଅନୁଭବ କରୁଛି କି ନାହିଁ, ସେହି ପ୍ରେମ ଏବଂ ସେହି ଆଲୋକର ଉପସ୍ଥିତି ଆଦୌ ତା’ ଉପରେ ନିର୍ଭର କରୁନାହିଁ । କିନ୍ତୁ ମୁଁ ତାହାକୁ ଅନୁଭବ କରି ପାରିବି କି ନାହିଁ । ସେଇଟି ମୁଖ୍ୟତଃ ମୋ’ର ସମ୍ମତ, ମୋ’ର ଆକାଙ୍‌କ୍ଷା ଓ ମୋ’ର ବାସନା ଉପରେ ହିଁ ନିର୍ଭର କରୁଛି । ମୋ’ର ଆବିଷ୍କାର ଉପରେ ନିର୍ଭର କରୁଛି, ଅର୍ଥାତ୍ ମୋ’ର ଉନ୍ମୋଚନ ଉପରେ ହିଁ ନିର୍ଭର କରୁଛି । ମୁଁ ଏହି ସଂସାର ଭିତରେ ପ୍ରେମ ଖୋଜି ବୁଲୁଥାଏ, ଆଲୋକ ଖୋଜି ବୁଲୁଥାଏ, ମାତ୍ର ନିଜଭିତରେ ଅସଲ ସୂତ୍ରଟିକୁ ମୁଁ ପାଇନଥାଏ ବୋଲି ହିଁ ମୋତେ ଭିତରେ ଅଥବା ବାହାରେ କେଉଁଠିହେଲେ ସେଗୁଡ଼ିକର ଅନୁଭବ ମିଳି ପାରୁନଥାଏ । ତାହାକୁ ପାଇବି ବୋଲି ମୁଁ କେତେ କୃତ୍ରିମତା ସହିତ କ’ଣ କରିବାରେ ଲାଗିଥାଏ । କେତେପ୍ରକାରେ ଦରିଦ୍ରତାର ପରିଚୟ ଦେବାରେ ଲାଗିଥାଏ । ତେଣୁ, ଆଗ ସେହି ସୂତ୍ରଟିକୁ ଆବିଷ୍କାର କରିବାକୁ ପଡ଼ିବ । ଭିତରେ ସେହି ଅସଲ ଦୁଆରଟିକୁ ଖୋଲିଦେବାକୁ ପଡ଼ିବ । ସେହି ପ୍ରେମ ଓ ସେହି ଆଲୋକ ଲାଗି ସମ୍ମତି ଦେବାକୁ ପଡ଼ିବ, ତାହାର ଯୋଗ୍ୟ ହେବାକୁ ପଡ଼ିବ ।

 

୨୪ । ୧୧ । ୭୯

 

ପୃଥିବୀ ଲାଗି ଏକ ନୂତନ ସିନ୍ଦୂରା ଫାଟିବାକୁ ଯାଉଛି । ଅର୍ଥାତ୍, ଏକ ନୂତନ ପୃଥିବୀ ଜନ୍ମଲାଭ କରୁଛି । ଏହି ପୃଥିବୀର ଭାଗ୍ୟାକାଶରେ ଏକ ନୂତନ ପ୍ରଭାତ ଜନ୍ମଲାଭ କରୁଛି । ପ୍ରତିଦିନ ଯେଉଁ ପ୍ରଭାତ ଜନ୍ମଲାଭ କରିଥାଏ, ଆମେ ପ୍ରସ୍ତୁତ ଥିଲେ ସେହି ପ୍ରଭାତଟି ମଧ୍ୟ ଆମକୁ ଅନନ୍ୟ ବୋଲି ମନେହୋଇ ପାରିବ । ଆମେ ପ୍ରସ୍ତୁତ ନଥିଲେ ଏହି ପ୍ରଭାତ ଠିକ୍ ଅନ୍ୟ ଯେକୌଣସି ଦିନର ପ୍ରଭାତ ପରି ଆମକୁ ଏକାନ୍ତ ଘଟଣାହୀନ ଓ ଏକାନ୍ତ ନିତ୍ୟନୈମିତ୍ତିକ ବୋଲି ମନେହେବ ।

 

ମୋ’ ନିଜେ ଜୀବନରେ ମଧ୍ୟ ଠିକ୍ ସେହିକଥା ହିଁ ଘଟିଆସୁଛି । ଯେତେବେଳେ ଆପଣା ଭିତରେ କେଉଁ ଦିଗନ୍ତପ୍ରାନ୍ତରେ ମୁଁ ଗୋଟିଏ ନୂତନ ସିନ୍ଦୁରା ଫାଟିଥିବାର ପ୍ରତ୍ୟକ୍ଷ କରିପାରେ, ସେତିକିବେଳେ ମୋତେ ନିମିତ୍ତ କରି ଓ ମୋତେ କେନ୍ଦ୍ରକରି ଏକ ନୂତନ ପୃଥିବୀ ଜନ୍ମଲାଭ କରେ । ସେତେବେଳେ ଏହି ଆଖିଦୁଇଟା ଏକାବେଳକେ ବଦଳି ଯାଇଥାଏ । ମୋ’ର ଆଖି ପରି ଲାଗୁଥାଏ ସତେ, ମାତ୍ର ତଥାପି ସତେଯେପରି ଆଉ କାହାର ଆଖି ମୋ’ର ଆଖି ଦୁଇଟାକୁ ମାଧ୍ୟମ କରି ସେତେବେଳେ କଥା କହୁଥାଏ, ସେତେବେଳେ ସବୁକିଛି ଦେଖୁଥାଏ । ସେତେବେଳେ ଏହି ପୃଥିବୀ ନୂଆ ଦିଶେ, ଭବିଷ୍ୟତରେ ଏହି ପୃଥିବୀ ଯେପରି ହବ, ସତେଅବା ଠିକ୍ ସେହିପରି ଦିଶେ । ନିଜ ଭିତରେ ମଧ୍ୟ ସବୁ ନୂଆ ଦିଶେ, ବାହାରେ ସବୁ ନୂଆ ଦିଶେ । ଯାହାକିଛି ଏହି ଭିତରେ ତଥା ବାହାରେ ଜନ୍ମ ନେବାକୁ ଯାଉଛି, ତାହାହିଁ ସତେଅବା ଆଗତୁରା ହୋଇ ଦିଶିଦିଶି ଯାଏ ।

 

୨୫ । ୧୧ । ୭୯

 

ପ୍ରତିଶ୍ରୁତି ଯାବତୀୟ କଥା ଯେଉଁ କ୍ଷେତ୍ରଟି ଉପରେ ପରିପୂର୍ଣ୍ଣତା ଲାଭ କଲେ ସତ୍ୟରୂପେ ପ୍ରକାଶିତ ହୋଇଆସେ, ସେଇଟି ହେଉଛି ମୋ’ର ଏହି ଜୀବନ କ୍ଷେତ୍ର, ଏହି ବିଶ୍ଵର ଜୀବନକ୍ଷେତ୍ର । ତେଣୁ, ମୁଁ ଯେତିକି ଅଧିକ ପ୍ରତ୍ୟକ୍ଷ ଭାବରେ ଏହି ବିଶ୍ଵରେ ତାଙ୍କର ଉପସ୍ଥିତିକୁ ଅନୁଭବ କରିପାରିବି, ଏହି ବିଶ୍ଵରେ ଆପଣକୁ ମଧ୍ୟ ବ୍ୟାପ୍ତ ହୋଇ ରହିଥିବାର ଅନୁଭବ କରିପାରିବି, ତେବେ ପ୍ରତିଶ୍ରୂତିଗୁଡ଼ାକ ମୋତେ ଆଉ କଦାପି ପ୍ରବଞ୍ଚନା ବୋଲି ଲାଗିବ ନାହିଁ । କେବଳ ନିଜଲାଗି ଅଲଗା ଭାବରେ ମୁଁ ଯଦି ପ୍ରତିଶ୍ରୁତିଗୁଡ଼ାକୁ ଆଣି ମଡ଼ାଇ ଦେବାର ଚିନ୍ତା କରୁଥିବି, ତେବେ ପ୍ରତିଶ୍ରୁତିଗୁଡ଼ାକ ମୋ’ ପାଖରେ କେବଳ ଶାସ୍ତ୍ରର ଜିନିଷ ହୋଇ ରହିଥିବ, ଧର୍ମର ଜିନିଷ ହୋଇ ରହିଥିବ, ଏପରିକି କେତେକ ପରିମାଣରେ ଏକ ଭାବପ୍ରବଣତାର କଥା ହୋଇ ମଧ୍ୟ ରହିଥିବ । ପ୍ରତିଶ୍ରୂତିଗୁଡ଼ାକ ମୋତେ ବାଦ୍ କଦାପି ପରିପୂର୍ଣ୍ଣ ହେବନାହିଁ ସତ, ମାତ୍ର ଖାସ୍ ମୋ’ରିଲାଗି ସେଗୁଡ଼ାକ କଦାପି ହେବନାହିଁ । ମୋତେ ଏକ ମାତ୍ର ଏବଂ ବିଚ୍ଛିନ୍ନ ଏକାକେନ୍ଦ୍ର ରୂପେ ମାନି କଦାପି କିଛି ହେବନାହିଁ । କାରଣ ମୁଁ ଆଦୌ ସେପରି ବିଚ୍ଛିନ୍ନ ଭାବରେ କେଉଠି ହେଲେ ରହିନାହିଁ । ମୁଁ ଏହି ବିଶ୍ଵ ସହିତ ସଂଯୁକ୍ତ ହୋଇ ରହିଛି । ଏବଂ, ଯାହାକିଛି ବିଶ୍ଵରେ ଘଟିବ, ତାହାହିଁ ମୋ’ ଜୀବନରେ ମଧ୍ୟ ଘଟିବ । ସମସ୍ତେ ବିଶ୍ଵର ଏକ ଅବିଭାଜ୍ୟ ଅଂଶ ମୋ’ ଭିତରେ ମଧ୍ୟ ଘଟିବ-। ମୁଁ ଏହି ବିଶ୍ଵ ଭିତରେ ତାଙ୍କୁ ଆବିଷ୍କାର କରି ଆପଣାକୁ ମଧ୍ୟ ପରିପୂର୍ଣ୍ଣ ଭାବରେ ଆବିଷ୍କାର କରିବାଲାଗି ସମର୍ଥ ହେବି ।

 

୨୬ । ୧୧ । ୭୯

 

ଏବଂ ମୋ’ର ଜୀବନରେ ସେହି ଆଲୋକର ଅଭିବ୍ୟକ୍ତି, ତାହା ହେଉଛି ଏକ ସଂଗୀତ ରୂପେ । ଏବଂ ସେହି ସଂଗୀତ ମୋ’ ଭିତରର ଆନନ୍ଦଟିକୁ ହିଁ ପ୍ରକାଶିତ କରିଦେଇ ପାରୁଥିବ । ସେହି ଆନନ୍ଦ ହେଉଛି ବିଶ୍ଵାସଜନିତ ଆନନ୍ଦ ।

 

ସେହି ବିଶ୍ଵାସକୁ ମୁଁ ଆପଣାର ଜୀବନରେ ସ୍ଥାପନ କରି ରଖିପାରିଲେ ମୋ’ର ଆଉ କୌଣସି ଚିନ୍ତା ରହିବ ନାହିଁ । ସେହି ବିଶ୍ଵାସ ମୋତେ ସଂସାରର ସବୁ ମଣିଷଙ୍କ ସହିତ ସଂଯୁକ୍ତ କରି ରଖିବ, ସେମାନଙ୍କ ସହିତ ରହିଥିବା ମୋ’ର ଆତ୍ମୀୟତାକୁ ହିଁ ମୋ’ ଜୀବନ ବଞ୍ଚିବାର ଅସଲ ସୂତ୍ରରୂପେ ପ୍ରତିଷ୍ଠିତ କରି ରଖିଥିବ । ମୋ’ର ଯାବତୀୟ କାର୍ଯ୍ୟ ସେହି ସଂଗୀତଟି ଦ୍ଵାରା ହିଁ ପ୍ରେରିତ ହୋଇ ରହିଥିବ ଏବଂ ମୁଁ ସବୁବେଳେ ହିଁ ସେଇଟି ସହିତ ଡୋର ଲଗାଇ ରହିଥିବା ପରି ଅନୁଭବ କରି ପାରୁଥିବି । ମୋ’ର ହୃଦୟ ସେହି ବିଶ୍ଵାସ ଏବଂ ସେହି ବିଶ୍ଵାସ ଦ୍ଵାରା ପ୍ରେରିତ ହେଉଥିବା ଆନନ୍ଦଦ୍ଵାରା ହିଁ ଅନୁସିକ୍ତ ହୋଇ ରହିଥିବ । ତାପରେ ମୋ’ର ଆଖିରେ ମୁଁ ନିଜକୁ, ଅନ୍ୟମାନଙ୍କୁ ଏବଂ ଜୀବନକୁ ମଧ୍ୟ ବିଲକୁଲ ଅଲଗା ପ୍ରକାରେ ଦେଖିବାକୁ ଆରମ୍ଭ କରିବି । ଜୀବନରେ ମୋ’ର ଅଭିଳାଷଗୁଡ଼ାକ ହିଁ ଅନ୍ୟପ୍ରକାର ହୋଇଯିବ । ମୋ’ର ସକଳ ଦାରିଦ୍ର୍ୟ ଘୁଞ୍ଚିଯିବ ଏବଂ ଏହି ସଂସାରରେ ମୁଁ କେବେହେଲେ ଆପଣାକୁ ଦୁର୍ବଳ ବୋଲି ମନେ କରିବି ନାହିଁ ।

 

୨୭ । ୧୧ । ୭୯

 

ଜୀବନରେ କେବଳ ଶ୍ରଦ୍ଧା ହିଁ ସର୍ବପ୍ରଧାନ ଭାଷା ହୋଇ ରହିବ, ଏହି ଜୀବନ କେବଳ ଏହି ଶ୍ରଦ୍ଧାରେ ପରିଣତ ହୋଇ ରହିବ,-ଏହାହିଁ ଅସଲ ବାସନା, ଏହାହିଁ ଅସଲ ଆକୃତି, ତାହାହିଁ ଅସଲ ପ୍ରତିଶ୍ରୁତି । ଜ୍ଞାନ, କର୍ମ ଓ ଭକ୍ତି ବୋଲି ଯେତେଗୁଡ଼ିଏ ମାର୍ଗର ସୂଚନା ପଣ୍ଡିତମାନେ ଦେଇଯାଇଛନ୍ତି, ସେହି ମାର୍ଗ ଯଦି ଅଧିକରୁ ଅଧିକ ଶ୍ରଦ୍ଧାର ଭାଜନ କରିଦେଇ ଯାଉଥିବ, ତେବେ ଆଉ ଚିନ୍ତା କରିବାର କିଛି ହିଁ ନଥିବ । ଶ୍ରଦ୍ଧାରେ ଅଗ୍ରସର ହେବାର ଅର୍ଥ ହେଉଛି ଆପଣାକୁ ଅଧିକରୁ ଅଧିକ ଅନ୍ତରଙ୍ଗ ଭାବରେ ହିଁ ଚିହ୍ନିବା, –ଏହି ସବୁକିଛିକୁ ଆହୁରି ଅନ୍ତରଙ୍ଗ ଭାବରେ ଚିହ୍ନିବା, ଆପଣାର କରି ଚିହ୍ନିବା ।

 

ସେଥିଲାଗି, ଯେଉଁଠାରେ ଜ୍ଞାନୀ ଖାଲି ଜ୍ଞାନର କଥା କହେ, ଯେଉଁଠାରେ କର୍ମୀ ଖାଲି କର୍ମର କଥା କହେ ଓ ତଥାକଥିତ ଭକ୍ତିର କଥା କହେ ଏବଂ, ଯେଉଁଠି ଆପଣାର ଏହି ଜ୍ଞାନ, କର୍ମ ଓ ଭକ୍ତିକୁ ନେଇ ଜ୍ଞାନୀ, କର୍ମୀ ଓ ଭକ୍ତମାନେ ଖାଲି ବଡ଼ାଇ କରୁଥାନ୍ତି ଓ ଆପଣା ଆପଣା ବାଟରେ ଯାଇ ଅମୁକ ବା ସମୁକ ପାଇଛନ୍ତି ବୋଲି କେଡ଼େ ପାଟିରେ କହୁଥାନ୍ତି, ସେତେବେଳେ ମୁଁ ସେମାନଙ୍କ ଭିତରେ କେଉଁଠି କ’ଣ ଖିଅ ଛିଣ୍ଡି ଯାଇଥିବାର ସ୍ପଷ୍ଟ ଭାବରେ ଅନୁଭବ କରିପାରେ, କେଉଁଠି କ’ଣ ଅସଲ ଥାନରେ ସେମାନେ ସତେଅବା ଭାରି ବଞ୍ଚିତ ହୋଇ ରହିଛନ୍ତି ବୋଲି ଅନୁଭବ କରେ । ସେଠି ଶ୍ରଦ୍ଧା ନଥାଏ, ଏବଂ ଶ୍ରଦ୍ଧା ନଥାଏ ବୋଲି ଆଉ ସବୁକିଛି ସେତେ ଆଡ଼ମ୍ବର ଭାବରେ ରହିଥିଲେ ମଧ୍ୟ ତଥାପି ଯଥାର୍ଥରେ ନଥାଏ ।

 

୨୮ । ୧୧ । ୭୯

 

ମୋ’ର ଏହି ସାନା ଶ୍ରଦ୍ଧାଟିର ଜଗତ, ମୁଁ ସର୍ବଦା ଏହି ସାନ ଘରଟି ଭିତରେକୁ ସବୁକିଛିକୁ ଟାଣି ଆଣି ସ୍ପର୍ଦ୍ଧିତ ହୋଇ ରହିବାର ଚେଷ୍ଟା କରୁଥାଏ । ଏବଂ ତୁମେ ସେହି ସ୍ପର୍ଦ୍ଧାକୁ ଭାଙ୍ଗି ଦେବାଲାଗି ବାରବାର ଆୟୋଜନ କରି ରଖିବାରେ ଲାଗିଥାଅ । ମୋତେ ଅପଦସ୍ଥ କରି ପକାଇବାକୁ ମୋତେ କନ୍ଧଚ୍ୟୁତ କରିଦେବାକୁ ନୁହେଁ, ମାତ୍ର ମୋତେ ମୋ’ର ଏହି ଜୀବନରେ ମଧ୍ୟ ତୁମର ପ୍ରସାରଟିକୁ ଆଣି ଦେବାଲାଗି ତୁମେ ମୋ’ର ସ୍ପର୍ଦ୍ଧା ଭାଙ୍ଗିବାରେ ଲାଗିଥାଅ । ମୋ’ର ସ୍ପର୍ଦ୍ଧା ଅର୍ଥାତ୍ ମୋର ପାଚେରୀଗୁଡ଼ାକ ଓ କାନ୍ଥଗୁଡ଼ାକ ଭାଙ୍ଗି ଦେବାରେ ଲାଗିଥାଅ । ମୋ’ର ସାନ ସାନ ଜଳାଶୟଗୁଡ଼ିକୁ ତୁମେ ସର୍ବଦା ସେହି ଯଥାର୍ଥ ଉନ୍ମୋଚନଟି ଆଣି ଦେବାଲାଗି ମୋ’ ହୃଦୟର ଅସନ୍ତୋଷ ରୂପେ ଆପଣାକୁ ପ୍ରକଟ କରି ଆଣୁଥାଅ ।

 

ସେଇଥିଲାଗି ଏଠାରେ ବେଳେ ବେଳେ ସବୁ ବାଡ଼ ଭାଙ୍ଗି ଯାଏ । ଆଉ କୌଣସି ଜାତି ରହେନାହିଁ । କୌଣସି ଅହଙ୍କାର ଓ ତଜ୍ଜନିତ କୌଣସି ଅଣଉପଚାର କିଛି ରହେନାହିଁ । ସେତିକିବେଳେ ଆପଣାକୁ ଛୁଇଁବାକୁ ଯିବା ମାତ୍ରକେ ଆପଣା ଭିତରେ ସତେଅବା ସମସ୍ତ ଜଗତ କମ୍ପି ଉଠିଲାପରି ଲାଗେ । ବାହାରକୁ ଅନାଇବା ମାତ୍ରକେ ଭିତରେ କେତେ କେତେ ଗଭୀରକୁ ଆଖି ଦେଖିବାକୁ ସମର୍ଥ ହୁଏ । ମନେହୁଏ, ଏଣିକି ସେଇ ଯେପରି ଆସି ମୋ’ ଭିତରେ ତାଙ୍କଲାଗି ଏକ ଆସ୍ଥାନ ପାଇ ପାରିଛନ୍ତି । ସତେଯେପରି ମୁଁ ମଧ୍ୟ ତାଙ୍କ ଭିତରେ ଏକ ଥାନ ପାଇପାରିଛି । ମୁଁ ଧନ୍ୟ ହୁଏ । ମୋତେ ଅସଲ ଥଳ ମିଳିଯାଏ ।

 

୨୯ । ୧୧ । ୭୯

 

ମୋ’ର ଦ୍ଵାର ଉନ୍ମୁକ୍ତ ହୋଇ ରହିଛି । ମୋ’ର ହସ୍ତ ତୁମରି ଆଡ଼କୁ ପ୍ରସାରିତ ହୋଇ ରହିଛି । ତୁମ ଭୁବନ ଆଡ଼କୁ ହିଁ ପ୍ରସାରିତ ହୋଇ ରହିଛି । ଆପଣାକୁ ମୁଁ କୌଣସିଟି ଠାରୁ ବିଚ୍ଛିନ୍ନ କରି ରଖିନାହିଁ । ତୁମର ଏହି ବୃହତ୍ତର ଜୀବନ ଏବଂ ମୋ’ର ଏହି ତଥାକଥିତ ନିଜର ଜୀବନ ମଧ୍ୟରେ ମୁଁ ଆଉ କୌଣସି ବ୍ୟବଧାନ ରଖିନାହିଁ । ମୋର ହୃଦୟ ଯେତେବେଳେ ତୁମର ଚରଣକୁ ସ୍ପର୍ଶ କରି ରହିଛି, ଅର୍ଥାତ୍ ମୋ’ର ହୃଦୟ ଭିତରେ ମୁଁ ଯେତେବେଳେ ତୁମରି ଚରଣସ୍ପର୍ଶ ଓ ତୁମରି ସାନ୍ନିଧ୍ୟକୁ ହିଁ ଅନୁଭବ କରୁଛି, ସେତେବେଳେ ତୁମେ ଯେ ମୋ’ର ଭିତରେ ରହି ମୋତେ ଆଖି ଯୋଗାଇ ଦେଉଥିବ ଓ ମୋତେ ଅଗ୍ରସର କରାଇ ନେଉଥିବ, ସେତେବେଳେ ମୁଁ ଆଉ କୌଣସି ଚିନ୍ତା କରିବିନାହିଁ ।

 

ତା’ପରେ, ଏହି ଶ୍ରଦ୍ଧା ଯେ କେବଳ ବଢ଼ିବ, ଏହି ଶ୍ରଦ୍ଧା ସମଗ୍ର ଭୁବନକୁ ସ୍ପର୍ଶ କରିବ, ତାହା ମୋତେ ସମସ୍ତଙ୍କର ସ୍ପର୍ଶ ଦ୍ଵାରା ପବିତ୍ର କରି ରହିଛି, ଏହି କଥାଟିକୁ ମଧ୍ୟ ମୁଁ ପ୍ରତ୍ୟକ୍ଷ ଭାବରେ ଅନୁଭବ କରି ପାରିବି । ଭିତରଟି ପୂର୍ଣ୍ଣ ହୋଇ ରହିଥିଲେ ଭିତରେ ଓ ବାହାରେ ସମସ୍ତେ କୋଳାହଳ ମଧ୍ୟ କୁଆଡ଼େ ବନ୍ଦ ହୋଇଯିବ । ସଂଯୁକ୍ତ ହୋଇ ରହିବା ପର୍ଯ୍ୟନ୍ତ କିଏ କାହିଁକି କୌଣସି କୋଳାହଳ କରିବ ?

 

୩୦ । ୧୧ । ୭୯

 

ସେହି ଭଲ ପାଇବା ପ୍ରକୃତରେ ଏକ ଶକ୍ତି । ସେହି ଶକ୍ତିର ଉତ୍ସ ସେଇଠି; ଯେଉଁଠାରୁ କି ମୁଁ ଭଲ ପାଇବାର ସାହସ ଅର୍ଜନ କରିବାଲାଗି ଏତେଦିନ ପ୍ରାର୍ଥନା କରି ଆସୁଛି । ଭଲ ପାଇବା ନାମରେ ମୁଁ ଯେତେଦିନ ପର୍ଯ୍ୟନ୍ତ ଆପଣାକୁ କୌଣସି ନା କୌଣସି ପ୍ରକାରେ କିଳି ରଖିବାକୁ ଫିକର କରୁଥାଏ । ସେପର୍ଯ୍ୟନ୍ତ ମୋ’ର ତଥାକଥିତ ଭଲପାଇବାର ବିକୃତିଗୁଡ଼ାକ ମୋତେ କେବଳ ଶକ୍ତିହୀନ କରିଦେବାରେ ହିଁ ଲାଗିଥାଏ । ମାତ୍ର, ଥରେ ଯଥାର୍ଥ ଭଲ ପାଇ ପାରିବାର ପ୍ରେରଣା ପାଇପାରିଲେ, ଜୀବନ ପ୍ରସାରିତ ହେବାକୁ ଲାଗେ, ଜୀବନକୁ ଆଉ ଗୋଟିଏ କଣଭିତରେ ବନ୍ଦୀ କରି ରଖି ହୁଏନାହିଁ । ଅସଲ ବାଟଟି ମିଳିଗଲା ପରି ଅସଲ ଖିଅଟି ଲାଗି ଗଲାପରି ମନେହୁଏ ।

 

ତାଙ୍କୁ ଭଲ ପାଇବାର ଉଗ୍ର ଉତ୍ତେଜନା ଭିତରେ ପଡ଼ି ମୁଁ ତାଙ୍କୁ କୌଣସି ପ୍ରକାର କ୍ଷୁଦ୍ରତା ଭିତରେ କ୍ଷୁଦ୍ର କରିପକାଇବି ନାହିଁ । ତାଙ୍କୁ ମୁଁ ସବୁ ମଣିଷଙ୍କ ଭିତରେ ଅନୁଭବ କରିବି, ସକଳ ବସ୍ତୁ ଭିତରେ ଅନୁଭବ କରିବି, ତାଙ୍କୁ ମୁଁ ସର୍ବତ୍ର ଅନୁଭବ କରି ପାରିବି । ଏହି ଅନ୍ତଃପ୍ରବେଶର ସୂତ୍ରଟି ମୋ’ ଜୀବନରେ ଯେତିକି ଯେତିକି ଏକ ସତ୍ୟରେ ପରିଣତ ହେବାରେ ଲାଗିଥିବ, ବାହାରର ଏହି ଆଡ଼ମ୍ବରମୟ କୋଳାହଳଗୁଡ଼ାକ ସେତିକି ସେତିକି ମୋ’ ଜୀବନ ଉପରୁ ଖସି ପଡ଼ୁଥିବ । ପ୍ରସନ୍ନତା ବଢ଼ୁଥିବ, ଅଧିକରୁ ଅଧିକ ଦ୍ଵାର ସହିତ ପରିଚୟ ମିଳୁଥିବ । ନିଜ ଭିତରେ ବି ମୁଁ ଅଧିକରୁ ଅଧିକ ଅନେକ ଦ୍ଵାରର ଆବିଷ୍କାର କରି ପାରୁଥିବି ।

 

୧ । ୧୨ । ୭୯

 

ହଁ, ଆମେ ଖାଲି ଜାଣିଲେ ହେଲା । ଆମେ ଖାଲି ଦେଖିପାରିଲେ ହେଲା, ଖାଲି ଅନୁଭବ କଲେ ହେଲା, ଖାଲି ଖିଅ ଲଗାଇ ରହିପାରିଲେ ହେଲା, ଖାଲି ଆତ୍ମୀୟତା ଲଗାଇ ପାରିଲେ ହେଲା, ଖାଲି ବାଟ ଛାଡ଼ି ଦେଇ ପାରିଲେ ହେଲା, ଖାଲି ଚିହ୍ନ ପାରିଲେ ହେଲା, ଖାଲି ଆପଣାର ଭିରତଟିକୁ ସ୍ପର୍ଶ କରି ପାରିଲେ ହେଲା ଓ ତାହାକୁ ବାହାର ଯାଏ ସମ୍ପ୍ରସାରିତ କରିଦେଇ ପାରିଲେ ହେଲା ।

 

ଯେଉଁମାନେ ସଂସାରପ୍ରତି ବିରକ୍ତ ହୁଅନ୍ତି; ଏହି ସବୁକିଛିକୁ ଅନିତ୍ୟ ଓ ଅଲୀକ ବୋଲି କୁହନ୍ତି, ନିଜ ଭିତରେ କୋଉଠି ଗୋଟିଏ ଗଣ୍ଠି ଫିଟି ପାରୁନାହିଁ ବୋଲି ଯେଉଁମାନେ ବାହାରଟାକୁ ଖାଲି ନିନ୍ଦିବାରେ ଲାଗିଥାନ୍ତି ଏବଂ ବିଚ୍ଛିନ୍ନ ହୋଇ ରହିବାକୁ ହିଁ ଆପଣାର ଧର୍ମ ସନ୍ତାପ ବୋଲି ବାଛି ନେଇ ନେଇଥାନ୍ତି, ମୁଁ ସେହିମାନଙ୍କ କଥା ଭାବିଥାଏ । ଶ୍ରଦ୍ଧାର ଆଖିରେ ଦେଖିଲି କାହିଁ କିଛି ତ ଅନିତ୍ୟ ବୋଲି ଦେଖା ଯାଏନାହିଁ, କିଛି ବି ଜାଲ ବା ଫାଶ ବୋଲି ପ୍ରତୀକ ହୁଏନାହିଁ ! ତେଣୁ, ଶ୍ରଦ୍ଧାର ଆଖି ଦେଇ ଦେଖିଲେ ସବୁକିଛି ଶ୍ରଦ୍ଧାରେ ହିଁ ପରିଣତ ହୋଇଥାଏ । ଆପଣାକୁ ସେହି ଶ୍ରଦ୍ଧାର ଏକ ନିମିତ୍ତ ବୋଲି ମନେହୁଏ । ଆପଣାକୁ ଏପରି ଏକ କାଉଁରୀକାଠି ପରି କରି ତିଆରି କରିବାକୁ ଇଚ୍ଛା ହୁଏ, ଯାହାକୁ ଛୁଆଁଇଦେଲେ ଏହି ସବୁକିଛି କେବଳ ଶ୍ରଦ୍ଧାରେ, କେବଳ ଆତ୍ମୀୟତାରେ ହିଁ ପରିଣତ ହୋଇଯାଏ । ଏହି ଆତ୍ମୀୟତାଟିର ଅର୍ଜନ ହୋଇଗଲେ ଅନ୍ଧାର ଭିତରେ ମଧ୍ୟ ଆଲୋକ ଦେଖାଯାଏ । ଦୁଃଖଭିତରେ ତଥାପି ନିଜର କରି ଦେଖିବାର ଆଖି ସକ୍ରିୟ ହୋଇ ରହିଥାଏ । ଆପଣାର ସକଳ ଦାରିଦ୍ର୍ୟ ଦୂର ହୋଇଯାଏ । ନିଜକୁ ଏହି ଭୁବନ ଭିତରେ ଯଥାର୍ଥରେ ଏକ ସନ୍ତାନ ବୋଲି ମନେହୁଏ, ଏକ ଆଶୀର୍ବାଦ ବୋଲି ମନେହୁଏ ।

 

୨ । ୧୨ । ୭୯

 

ଶ୍ରଦ୍ଧାରୁ ହିଁ ସୁଷ୍ଟି । ଏବଂ, ସେହି ଶ୍ରଦ୍ଧା କେବଳ ଗୋଟିଏ ଶ୍ରଦ୍ଧା । ଏହି ଶ୍ରଦ୍ଧା ଭିତରେ ଯଦି କେଉଁଠି ବିଚ୍ଛିନ୍ନତା ରହିଥାନ୍ତି, ଯଦି ତାହା କୌଣସି ପ୍ରକାରେ ମୋହଗ୍ରସ୍ତ ହୋଇ ରହିଥାନ୍ତି, ତେବେ ତାହା କଦାପି ସୃଷ୍ଟି କ୍ଷମ ହୋଇ ପାରୁନଥାନ୍ତା, ସୃଷ୍ଟିର ବିନାଶରେ ହିଁ ତାହା ସହାୟକ ହେଉଥାନ୍ତା ।

 

ଆମ ଅନେକଙ୍କର ତଥାକଥିତ ଶ୍ରଦ୍ଧା ଓ ଭଲ ପାଇବା ଗୁଡ଼ାକ ସେହିପରି ଅନେକ ସମୟରେ ଅନେକ ବିନାଶ ଓ ଅନେକ ବିରୋଧର କାରଣ ହୋଇ ରହିଥାଏ । ଏହି ଜଗତରେ ତାହା ଅନେକ ଦୌରାତ୍ମ୍ୟ ସୃଷ୍ଟି କରେ, ଅନେକ କୋଳାହଳ କରେ; ଅନେକ ଉଗ୍ରତା ଦେଖାଏ, ଅନେକ ପ୍ରକାରେ ପ୍ରଚଣ୍ଡ ହୋଇ ବସିଥାଏ । ତାହାକୁ ଆମେ ଆମ ଏକୁଟିଆ ମୋହଗୁଡ଼ାକ ପ୍ରତି ହିଁ ଶ୍ରଦ୍ଧା ବୋଲି କହିବା । ସଂସାର ପ୍ରତି ଏକ ମୂଳଗତ ଅଶ୍ରଦ୍ଧା, ଭଗବାନଙ୍କ ବିଷୟରେ ଏକ ମୂଳଗତ ଅବିଶ୍ଵାସ ହିଁ ଆମର ଏହି କ୍ଷୁଦ୍ର ପାଚେରୀଗୁଡ଼ାକ ଭିତରେ ଗୋଟିଏ ପ୍ରକାରର ବିକୃତ ଶ୍ରଦ୍ଧା ହୋଇ ଆପଣାକୁ ଅଭିବ୍ୟକ୍ତ କରିଥାଏ, ଯାହାକି ଆମକୁ ଆହୁରି ଅଧିକ ବାନ୍ଧିପକାଏ । ଶ୍ରଦ୍ଧାର ଅସଲ ଆସ୍ଥାନଟି ପାଖରୁ ଦୂରକୁ ଦୂରକୁ ନେଇଯାଏ । ଆମକୁ ଏହି ସଂସାରରେ ଅଶ୍ରଦ୍ଧାର କାରଣ କରାଏ । ଶ୍ରଦ୍ଧା କେବଳ ଗୋଟିଏ; ତାହା ଖିଅ ପରି ଆମ ସମସ୍ତକୁ ତାହା ଅସଲ ଆବିଷ୍କାର ଓ ଅସଲ ଉନ୍ମୋଚନର ଯୋଗ୍ୟ କରି ଆଣୁଛି ।

 

୩ । ୧୨ । ୭୯

 

ଶ୍ରଦ୍ଧା ଦ୍ଵାରା ଯେତେବେଳେ ବାଡ଼ ଭାଙ୍ଗେ, ହୁଏତ ସେତେକିବେଳେ ସତ୍ୟର ପରିଚୟ ଘଟେ । ମାତ୍ର, ଅପର ପକ୍ଷରେ, ଯେତେବେଳେ ଶ୍ରଦ୍ଧା ଆପଣାକୁ ନାନା କ୍ଷୁଦ୍ରତା ମଧ୍ୟରେ ବଡ଼ ସଙ୍କୁଚିତ କରି ରଖିଥାଏ; ସେତିକିବେଳେ ତାହା ମୋହରୂପେ ବିକୃତ ହୋଇ ରହିଥାଏ, ସତ୍ୟ ସୁଦୂରପରାହତ ହୋଇ ରହିଥାଏ । କେତେଟା ଅର୍ଦ୍ଧ ସତ୍ୟକୁ ନେଇ ବଡ଼ ଦରିଦ୍ର ଓ ଶ୍ରଦ୍ଧାହୀନ ଭାବରେ ଘର କରିବା ହିଁ ସାର ହୁଏ ।

 

ଅନେକ ପଣ୍ଡିତ ସତ୍ୟକୁ ଜ୍ଞାନୀମାନଙ୍କର ଗୌରବ ବୋଲି କହିଥାନ୍ତି । ଭକ୍ତିକୁ ଭକ୍ତମାନଙ୍କର ବିଶେଷ ସମ୍ପତ୍ତି ବୋଲି କହିଥାନ୍ତି । ଜ୍ଞାନ କୁଆଡ଼େ ଚକ୍ଷୁରେ ବାସ କରେ, ଏବଂ ଶ୍ରଦ୍ଧା ହୃଦୟରେ ବାସ କରୁଥାଏ । ମାତ୍ର, ଯେତେବେଳେ ଚକ୍ଷୁର କୌଣସି ଜ୍ଞାନୋପଲବ୍‌ଧି ହୃଦୟ ଯାଏ ବି ସ୍ପର୍ଶ କରି ପାରୁଥାଏ ଓ ହୃଦୟ ପର୍ଯ୍ୟନ୍ତ ସବୁକିଛିକୁ ଭରି ରଖିଥାଏ, ଏବଂ ଯେତେବେଳେ ହୃଦୟର ପରିଚୟ ଏବଂ ସାକ୍ଷାତକାରଟି ଏକ ସମଗ୍ର ଧନରେ ପରିଣତ ହୋଇ ଚକ୍ଷୁକୁ ମଧ୍ୟ ଗଦ୍‌ଗଦ୍‌କରି ରଖିଥାଏ, ସେତେବେଳେ ମୁଁ କୋଉଠୁ କୋଉଯାଏ ଶ୍ରଦ୍ଧା ବୋଲି କହିବି ଓ ତା ପରେ କୋଉଠୁ କୋଉଯାଏ ଜ୍ଞାନ ବୋଲି କହିବି ? କାହିଁକି ବା ତାହାକୁ ମୁଁ ଦୁଇଭାଗ କରି ଦୁଇଟା ଅଲଗା ନାମରେ କହିବି ? ତେଣୁ, ମୁଁ ଏତିକି ମନେ ରଖିଥିବି ଯେ, ଯେତେବେଳେ ବାଡ଼ ଭାଙ୍ଗେ, ଦମ୍ଭ ଭାଙ୍ଗେ, ସେତେବେଳେ ଯାହା ଆସେ, ଯାହା ଉପଲବ୍‌ଧ ହୁଏ, ତାହାକୁ ଜ୍ଞାନ ବୋଲି କୁହାଯାଇ ପାରିବ, ଭକ୍ତି ବୋଲି ବି କୁହାଯାଇ ପାରିବ । ସତ୍ୟ ବୋଲି କୁହାଯିବ ଓ ଶ୍ରଦ୍ଧା ବୋଲି ବି କୁହାଯିବ ।

 

୪ । ୧୨ । ୭୯

 

ସେହି ତୃଷା କ’ଣ ପାଇଁ, ମୁଁ ସେକଥା ସ୍ପଷ୍ଟ କରି କହି ପାରିବିନାହିଁ । ମାତ୍ର, ସେହି ତୃଷା ଯେ କଣ ପାଇଁ ନୁହେଁ, ମୁଁ ବେଳେବେଳେ ବିଶେଷ କରି ତାଙ୍କରି ପାଖରେ ଥିର ଓ ପୂର୍ଣ୍ଣ ହୋଇ ବସିଥିବା ବେଳେ, ପୂର୍ଣ୍ଣ ନୟନରେ ଏହି ଆକାଶ ଆଡ଼କୁ କିମ୍ବା ତାଙ୍କରି ଚରଣ ପ୍ରାନ୍ତକୁ ଚାହିଥିଲା ବେଳେ ସେହିକଥା ଭାବିଥାଏ ।

 

ଏହି ସବୁଯାକ ତୃଷା ଯେଉଁଠି ଏକାଠି ହୋଇ ମିଶିଯାଉଛି, ସେଠାରେ ଆଦୌ କୌଣସି ଚଞ୍ଚଳତା ନାହିଁ, ଅନୁପଲବ୍‌ଧିର ଆଦୌ କୌଣସି ଉତ୍ତେଜନା ନାହିଁ । ସେଠାରେ କେବଳ ଶ୍ରଦ୍ଧା ହିଁ ରହିଛି । ଶ୍ରଦ୍ଧାକାର ହିଁ ରହିଛନ୍ତି । ଆଦାନ-ପ୍ରଦାନ ଚାଲିଛି, ସୂତ୍ର ଲାଗି ରହିଛି; ମାତ୍ର, କିଏ କାହାକୁ ଦେଉଛି ବା କିଏ କାହାଠାରୁ ନେଉଛି, ସେଠି ସେକଥା ନିର୍ଦ୍ଧାରଣ କରିବାଲାଗି ନିଜଭିତରେ ଯେତିକି ସଙ୍କୋଚନା ବା ଯେତିକି ପ୍ରସୀମନ ଦରକାର, ସେତିକିଲାଗି ମଧ୍ୟ ବେଳ ନାହିଁ । ଶ୍ରଦ୍ଧା କହିଲେ ଯେତେବେଳେ ବାଟକୁ ବୁଝାଏ, ଯେତେଯେତେ ଆଧାରକୁ ବୁଝାଏ ଏବଂ ଯେତେଯେତେ ପ୍ରକାରର ନିବେଦନ, ବ୍ରତସଂକଳ୍ପ ଏବଂ ସଂଯୋଗ-ସ୍ଥାପନକୁ ବୁଝାଏ, ସେଠାରେ ତାହା ସବୁ ଅଛି । ତାହାହିଁ ଏକ ପରିପୂର୍ଣ୍ଣ ମେଘ ଭଣ୍ଡାର ହୋଇ ଆପଣାକୁ ଏହି ଭୁବନଯାକ ଅଭିବ୍ୟକ୍ତ କରିଦେବାକୁ ଇଚ୍ଛା କରୁଛି, ଅର୍ଥାତ୍ ବରଷି ଯିବାକୁ ଚାହୁଛି । କୋଉଠି କିଛି ଢାଙ୍କି ରଖିବାକୁ ଚାହୁନାହିଁ, କେବଳ ବରଷି ଯିବାକୁ ଚାହୁଛି, ବଞ୍ଚିଯିବାକୁ ଚାହୁଛି ।

 

୫ । ୧୨ । ୭୯

 

ଯିଏ ପ୍ରସ୍ତୁତ, ତା’ ଲାଗି ସବୁ ପ୍ରସ୍ତୁତ ହୋଇ ରହିଛି । ତା’ ଆଗରେ ଏହି ଭୁବନ ପ୍ରସାରିତ ହୋଇ ରହିଛି, ଏହି ଆକାଶ ମଧ୍ୟ ପ୍ରସାରିତ ହୋଇ ରହିଛି; ଅସଲ ଅବତରଣଟି ତାହାରି ଆଖିରେ ହିଁ ଅନୁଭୂତ ହେଉଛି, ଅସଲ ଘୋଷଣାଟି ତାହାରି କାନକୁ ଶୁଭୁଛି । ଯିଏ ଦେଖିବାକୁ ପ୍ରସ୍ତୁତ, ଓ ଶୁଣିବାକୁ ପ୍ରସ୍ତୁତ ଏହି ସମଗ୍ର ଜୀବନକୁ ସେହି ପୁଞ୍ଜି ରୂପେ ପାଇ ପାରୁଛି, ଏହି ପଥଗୁଡ଼ାକ କେବଳ ତାହାରି ପାଇଁ ଗୋଚର ହୋଇ ରହିଛନ୍ତି ।

 

ମାତ୍ର ଯେତେବେଳେ ଯାଏ ମୁଁ କେବଳ ମୋ’ର ଏହି ସାନ ସ୍ଵ-ଆୟତନଟିକୁ ହିଁ ଦେଖିପାରୁଛି, ଯେତେବେଳେ ଯାଏ ମୁଁ କେବଳ ଆପଣାର କ୍ଷୁଦ୍ରତା ଦାରିଦ୍ର୍ୟଗୁଡ଼ାକୁ ନେଇ ହିଁ ଏହି ପୃଥିବୀର ଯାବତୀୟ ଶବ୍ଦକୁ ବିକୃତ କରି ରଖିଛି ଓ ସେହିସବୁ କାରଣରୁ ଆପଣାର ଆର୍ତ୍ତତାଗୁଡ଼ାକ ବ୍ୟତୀତ ଏହି ସଂସାରରେ ଥାଉ କିଛି ହେଲେ ଦେଖି ପାରୁନାହିଁ, ସେତେବେଳେ ମୋ’ ପାଖରେ ହିଁ ସବୁକିଛି ରହିଥିବ । ମୋତେ ଅପେକ୍ଷା କରି ରହିଥିବ, ଅଥଚ ମୁଁ କିଛି ହେଲେ ଦେଖି ପାରିବି ନାହିଁ; ମୋ’ ଲାଗି କେତେ ସନ୍ଦେଶ ପ୍ରେରିତ ହୋଇ ଆସୁଥିବ, ମାତ୍ର ମୁଁ କିଛିହେଲେ ଶୁଣି ପାରୁନଥିବି ମୋ’ର ଯାବତୀୟ କର୍ମକୁ ମୁଁ ମୋ’ କ୍ଷୁଦ୍ରତାର ଦଉଡ଼ିଗୁଡ଼ାକରେ ବାନ୍ଧି ତାହାରି ଫଳଗୁଡ଼ାକୁ ହିଁ ଭୋଗ କରିବାରେ ଲାଗିଥିବି । ତେଣୁ, ପ୍ରସ୍ତୁତ ହେବାକୁ ହିଁ ପଡ଼ିବ । ତେବେଯାଇ ସିଏ ପାଖରେ ଅଛନ୍ତି ବୋଲି ଅନୁଭବ ହୋଇ ପାରିବ । ତେବେଯାଇ ଜୀବନର ଏକ ଉଦ୍ଦେଶ୍ୟ ଅଛି ବୋଲି ବୁଝି ହେବ, ଏକ ବାଟ ରହିଛି ବୋଲି ଦେଖିହେବ ।

 

୬ । ୧୨ । ୭୯

 

ଯେତେବେଳେ ସବୁ ଭାସି ଯାଉଥାଏ, ହୁଏତ ସେତିକିବେଳେ ତାହାରି ସହିତ ନିଜ ଭିତରେ ଅନେକ ପ୍ରକାରର ଛଦ୍ମବେଶ ଧରି ଘର କରି ରହିଥିବା ଦମ୍ବ ଓ ଅହଙ୍କାରଗୁଡ଼ାକୁ ମଧ୍ୟ ତାହାରି ସହିତ ଭସାଇ ଦେବାକୁ ମନ ହୁଏ । ସେତେବେଳେ ଗୋଡ଼ ତଳୁ ପ୍ରାୟ ସବୁ ମାଟି ଭୁଷୁଡ଼ି ପଡ଼ିବାପରି ମନେ ହେଉଥାଏ, ବୋଧହୁଏ ସେତେକିବେଳେ ଆପଣାର ଯାବତୀୟ ଅଭ୍ୟସ୍ତ ଆଶ୍ରୟଗୁଡ଼ାକ ମୋହକୁ ଛାଡ଼ି ନୂତନ ଅସଲ ଆଶ୍ରୟଟି ଲାଗି ମନ କରିବାକୁ ସାହସ ହୁଏ । ସବୁ ଅନ୍ଧକାର ହୋଇ ଆସୁଥିବା ବେଳେ ଆକାଶରୁ, ଅନ୍ତରାକାଶରୁ ସେହି ଅସଲ ବନ୍ଧୁଟିର ଇସାରା ମିଳେ । ଅସଲ ପରିଚୟଟି ହୁଏତ ସେତିକିବେଳେ ହୁଏ । ସେହି ପରିଚୟ ପ୍ରକୃତରେ ସ୍ଥାୟୀ ହୋଇ ରହେ । ସେତିକିବେଳେ କରୁଣାକୁ ସ୍ପର୍ଶ କରିହୁଏ ।

 

ଏବଂ, ଯିଏ ସବୁକିଛି ସମ୍ପଦର ସମ୍ଭାରକୁ ମୋ’ର ଚତୁର୍ଦ୍ଦିଗରେ ଏହି ବିଶ୍ଵଭୁବନର ଆକାରରେ ବ୍ୟାପ୍ତ କରି ରଖିଛି, ହୁଏତ ସେତିକିବେଳେ ଯାଇ ତା’ରିପାଖରେ ଆପଣାର ସବୁକିଛି ଦେଇ ଦେବାକୁ ମନ ହୁଏ, ସାହସ ହୁଏ, ସେତିକିବେଳେ ଏହି ମୁହୂର୍ତ୍ତଗୁଡ଼ାକ ସଂକଳ୍ପରୂପେ ଅନୁଭୂତ ହୁଅନ୍ତି । ଜୀବନରେ ଗୋଟାଏ ଅଭିପ୍ରେତ ବାଟ ରହିଥିବା ପରି ଅନୁଭୂତ ହୁଏ । ତଥାକଥିତ ବିପଦ, ବିଚ୍ଛେଦ ଏବଂ ପ୍ରମାଦଗୁଡ଼ିକ ଯାତ୍ରାର ଏବଂ ଚିହ୍ନର ସମଗ୍ର ଚିତ୍ରଟି ମଧ୍ୟରେ ଗୋଟିଏ ଗୋଟିଏ ଆବଶ୍ୟକ ଅଙ୍ଗପରି ହିଁ ମନେହୁଅନ୍ତି । ତା’ପରେ ଆଉ ଆଶ୍ରୟ ମାଗିବାକୁ ମନହୁଏ ନାହିଁ ବା ସୁରକ୍ଷିତ ହୋଇ ରହିବାଲାଗି ପ୍ରାର୍ଥନା କରିବାକୁ ବି ମନ ହୁଏନାହିଁ । ତାଙ୍କରି ଏକ ପ୍ରସନ୍ନ ବିରାଟତା ମଧ୍ୟରେ ଆପଣାକୁ କେବଳ ଉଶ୍ଵାସ କରି ମେଲିଦେବାକୁ ମନ ହୁଏ । ତାହାହିଁ ଶକ୍ତି ଆଣିଦିଏ, ଅଭୟ ଆଣିଦିଏ, କରୁଣାର ଯୋଗ୍ୟ କରି ତିଆରି କରେ ।

 

୭ । ୧୨ । ୭୯

 

ସତ୍ୟ ହିଁ ବିଜୟଲାଭ କରିବ । ଏହି ଯାବତୀୟ ବିକ୍ଷୋଭ ଏବଂ ଅଶାନ୍ତତା ମଧ୍ୟରୁ ସତ୍ୟ ଉଦ୍‌ଘାଟିତ ହୋଇ ଆସିବ । ଏହି ବିକ୍ଷୋଭ ମଧ୍ୟରେ ହିଁ ସତ୍ୟର ଅନ୍ୟ ସମ୍ଭାବନାଟି ପ୍ରକାଶିତ ହୋଇ ଆସିବ ଏବଂ ମନୁଷ୍ୟକୁ ନୂତନ ବିଶ୍ଵାସରେ ଅଭିଭୂତ କରିବ, ଅଭିବୃଦ୍ଧ କରିବ ।

 

ସେତେବେଳେ ଏହି ଯାବତୀୟ ବିକ୍ଷୋଭ, ଆନ୍ଦୋଳନ ଏବଂ ସଂଶୟସନ୍ତପ୍ତତା ପ୍ରଧାନତଃ ଏକ ଇତିହାସ ହୋଇ ରହିବ । କେବଳ କାଟି ଆସିଥିବା ଏକ ମାର୍ଗପରି ଦେଖାଯିବ । ଅନ୍ଵେଷଣର ପୂର୍ବ ସୋପାନଟି ହୋଇ ରହିବ । ଏହି ଯାବତୀୟ ବିକ୍ଷୁବ୍‌ଧତା ସେତେବେଳେ ଏକ ଈଶ୍ଵରୀୟ ଅସନ୍ତୋଷରେ ପରିଣତ ହେବ । ଆପଣା ଭିତରେ ଯାହାକିଛି ନାନା ସନ୍ତାପର ଆକାର ଧରି ମୋତେ ମୋ’ରି ଭିତରେ ନାନାଭାବ ବିଚ୍ଛିନ୍ନ କରି ରଖିଥିଲା, ମୋତେ ଏହି ସମଗ୍ର ସଂସାରଠାରୁ ମଧ୍ୟ ବିଚ୍ଛିନ୍ନ କରି ରଖିଥିଲା, ତାହା ସତେଅବା ଏକ ଭଗବତ ପୁଞ୍ଜିରେ ପରିଣତ ହୋଇଯିବ । ସେତେବେଳେ ଏହି ଅନ୍ଧାରଗୁଡ଼ାକ ଦେଖି ମୋଟେ ଡର ମାଡ଼ିବନାହିଁ । ସେତେବେଳେ ଯାବତୀୟ ଅନ୍ଧକାର ସତ୍ତ୍ୱେ ବିଶ୍ଵାସ ହିଁ ବଢ଼ୁଥିବ, ବିଶ୍ଵାସ ହିଁ ଗୋଡ଼ ହୋଇ ବାଟ କାଢ଼ି ନେଉଥିବ । ଅନ୍ଧାରର ଗର୍ଭରେ ଯେଉଁ ସତ୍ୟ ମୋ’ ଲାଗି ଅପେକ୍ଷା କରିଛି, ଯାବତୀୟ ତର୍କଦ୍ଵନ୍ଦ୍ଵର ଅର୍ଦ୍ଧପ୍ରତ୍ୟୟର ସେପାଖରେ ଯେଉଁ ଦୃଢ଼ପ୍ରତିଷ୍ଠ ଅସଲ ଭୂମିଗୁଡ଼ିକ ଅବସ୍ଥିତ ରହିଛି, ସେତେବେଳେ ସେହି ଆଡ଼କୁ ବାଟ ଦିଶିଯିବ । ମୋ’ ନିଜ ଭିତରେ ବାଟ ଦିଶିଯିବ, ସଂସାର ଭିତରେ ମଧ୍ୟ ବାଟ ଦିଶିଯିବ । ମୋ’ ଜୀବନର ସତ୍ୟପରିଚୟ ସେତିକିବେଳେ ଘଟିବ, ମୋ’ ଜୀବନ ମଧ୍ୟରେ ସେତିକିବେଳେ ହିଁ ସତ୍ୟର ପ୍ରତିଷ୍ଠା ହେବ । ମୋ’ ଭିତରେ ଏହି ସମଗ୍ର ଜୀବନର ମଧ୍ୟ ପ୍ରତିଷ୍ଠା ହୋଇପାରିବ । ଏହି ବିଚ୍ଛିନ୍ନତା ବି ଜୟ ହୋଇଯିବ । ଅସତ୍ୟଗୁଡ଼ାକ ମଧ୍ୟ ମୋତେ ଅନ୍ୟପ୍ରକାରେ ଦେଖାଯିବ । ଏହି ବିକ୍ଷୋଭଗୁଡ଼ାକ ମଧ୍ୟ ଆଉ ସନ୍ତାପ ଦେଇ ପାରିବନାହିଁ ।

 

୮ । ୧୨ । ୭୯

 

ସୁନିର୍ଦ୍ଦିଷ୍ଟ ଭାବରେ ଓ ସୁଅଭିପ୍ରେତ ଭାବରେ, -ଅତ୍ୟନ୍ତ ପ୍ରସନ୍ନ ଭାବରେ, ପରିପୂର୍ଣ୍ଣ ବିଶ୍ଵାସର ସହିତ,-ଅର୍ଥାତ୍ ସମ୍ପୂର୍ଣ୍ଣ ନିର୍ଭୟ ଭାବରେ । ବିଚ୍ଛିନ୍ନ ମଣିଷ ନିର୍ଭୟ ହୋଇ ପାରେନାହିଁ, ଖିଅ ଛାଡ଼ିଯିବା ମାତ୍ରକେ ହିଁ ନାନାପ୍ରକାର ଅବିବେକୀଭାବ କୂଆଡ଼ୁ ମାଡ଼ିଆସି ଦୃଷ୍ଟିକୁ ଗ୍ରାସ କରିପକାଏ, ଆଖିଗୁଡ଼ାକ ବିକୃତ କରିପକାଏ, ଜୀବନଟାକୁ ଭାରି ଅସୁନ୍ଦର କରିରଖେ, –ତା’ପରେ କେବଳ ଅମଙ୍ଗଳଗୁଡ଼ାକ ହିଁ ଦୃଷ୍ଟିଗୋଚର ହୁଏ । ଆପଣା ଭିତରକୁ ଅନାଇଥିଲେ ମଧ୍ୟ କେଉଠିହେଲେ ଆପଣା ଘରଟିର ଠାବ ମିଳେନାହିଁ । ମସ୍ତିଷ୍କର ନାନା ପ୍ରାଚୀର ସତେଅବା ଭିତରେ କେଉଁ ଅସଲ ଆକାଶଟିକୁ ମେଘ ଘୋରାଇ ରହିଥାନ୍ତି । ଆପଣା ସହିତ ମୋଟେ ସାକ୍ଷାତ ହୋଇ ପାରେନାହିଁ, ତେଣୁ କାହାରି ସହିତ ବି କୌଣସି ସାକ୍ଷାତ ହୋଇ ପାରେନାହିଁ । ଖାଲି ଆଘାତ ଦେବା ଏବଂ ଆଘାତ ଖାଇବା ହିଁ ସାର ହୁଏ । ବିକଳ ହୋଇ ପରିତ୍ରାଣ ଲାଗି କେତେ କୁଆଡ଼େ ଡାକିଲେ ମଧ୍ୟ ତଥାପି ପରିତ୍ରାଣ ମିଳେନାହିଁ । ଯଥାର୍ଥ ସାକ୍ଷାତ ଘଟିଲେ ହିଁ ଯେଉଁ ପରିତ୍ରାଣ ମିଳନ୍ତା, ସାକ୍ଷାତ ନହୋଇଥିବା ପର୍ଯ୍ୟନ୍ତ ଆମକୁ ତାହା କିପରି ମିଳିବ ? ତେଣୁ, ଉଚାରଗୁଡ଼ାକ ବଢ଼େ, ନାନା ଆଚାରର ଅନାଚାରୀ ଦୌରାତ୍ମ୍ୟ ଜୀବନକୁ ଓ ଜୀବନର ପ୍ରାୟ ଯାବତୀୟ ସମ୍ପର୍କକୁ ଭାରି ଊତ୍ତେଜିତ ଏବଂ ବିପର୍ଯ୍ୟସ୍ତ କରି ରଖିଥାଏ । ଆପଣାର ଦୁଆରଗୁଡ଼ାକୁ ନଖୋଲିବା ହିଁ ସେତେବେଳେ ଚତୁର ବାଣିଜ୍ୟ ବୋଲି ସାବ୍ୟସ୍ତ ହୁଏ । ଏହି ଜୀବନଟା ମଧ୍ୟ ଚତୁରତାର ନାନା ପରସ୍ତ ଦେଇ ଗୁଡ଼ାହୋଇ ରହେ । ଫୁଲଟି ମୋଟେ ଫୁଟି ପାରେନାହିଁ । ଆପଣାର ଅସଲ ସଙ୍ଗୀଟି ଭିତରେ ଅପେକ୍ଷା କରି ରହିଯାଏ ।

 

୯ । ୧୨ । ୭୯

 

ପରାଜୟଗୁଡ଼ାକ ବିଜୟଲାଭର ନାନା ସୋପାନରେ ପରିଣତ ହୁଏ, ତଥାକଥିତ ବିଫଳତାଗୁଡ଼ିକ ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସିବାର ନାନା ସୋପାନରେ ପରିଣତ ହୋଇଯାଏ । ଠିକ୍ ଏହି ନ୍ୟାୟରେ ଦୁଃଖ ଓ ଅଭାବଗୁଡ଼ାକ ମଧ୍ୟ ପଛକୁ ଅନାଇବା ବେଳକୁ ଗୋଟିଏ ଗୋଟିଏ ପାବଚ୍ଛ ପରି ଦେଖା ଯାଉଥାଏ । ଏହି ଆଖିଟିକୁ ନେଇ ଆପଣା ଆଡ଼କୁ ଅନାଇବା ବେଳକୁ ସବୁକିଛି ଖୋଲି ପଥ ପରି ଦେଖା ଯାଉଥାଏ, ଏକ ଅବିଚ୍ଛିନ୍ନ ଏବଂ ଅଭିପ୍ରେତ ପଥ ପରି ଦେଖା ଯାଉଥାଏ ।

 

ତେଣୁ, କିଛି ନଷ୍ଟ ହୋଇଯାଇଛି ଅଥବା ବୃଥା ଚାଲିଯାଇଛି ବୋଲି ମୋଟେ ମନେ ହୁଏନାହିଁ । ପ୍ରତ୍ୟେକ ଦିନ ପରସ୍ପର ସହିତ ମିଶି ବରଷଟିଏ ହେଲାପରି ପ୍ରତ୍ୟେକ ପାହାଚ ଏକାଠି ଗୋଟିଏ ମାଳାରେ ପରିଣତ ହୋଇ ସମଗ୍ର ଜୀବନରୂପେ ଅନୁଭୂତ ହୁଏ । ତେଣୁ, ଲାଭକ୍ଷତିର କୌଣସି ବିଚାର ଆଉ କୌଣସି କାମ ଦିଏନାହିଁ । ଖଣ୍ଡିତ ବିଚାରଗୁଡ଼ାକ, ଖଣ୍ଡିତ ମୂଲ୍ୟାୟନଗୁଡ଼ାକ, ଯେଉଁଗୁଡ଼ାକ କି ଆପଣା ଉପରେ ଛାଇ ପରି ହୋଇ ରହିଥିଲେ ଓ ଆଖିକୁ ମଧ୍ୟ ଆଚ୍ଛନ୍ନ କରି ରଖିଥିଲେ, ସେଗୁଡ଼ାକ କୁଆଡ଼େ ଛାଟିପିଟି ହୋଇ ପଳାନ୍ତି । ନା,-ହୁଏତ ଆଦୌ କେଉଁଠାକୁ ହେଲେ ପଳାଇ ଯାଆନ୍ତିନାହିଁ । ସମଗ୍ର ଆଲୋକଟିର ବିସ୍ତାର ମଧ୍ୟରେ ପ୍ରବେଶ କରି ସେଗୁଡ଼ିକ ମଧ୍ୟ ସେହି ଆଲୋକସମଗ୍ରର ହିଁ ଗୋଟିଏ ଗୋଟିଏ ଅଂଶ ହୋଇ ରହନ୍ତି । ଆପଣାକୁ ତାଙ୍କରି ପଦପ୍ରାନ୍ତ ଯାଏ ପ୍ରସାରି ରହିଥିବାର ଅନୁଭବ ସମ୍ଭବ ହୁଏ, ଆପଣାକୁ ଭାରି ଭାଗ୍ୟବାନ୍ ବୋଲି ମନେହୁଏ ।

 

୧୦ । ୧୨ । ୭୯

 

ତାଙ୍କରିଲାଗି ପ୍ରସ୍ତୁତ ହୋଇ ରହିପାରିଲେ ହଟିବାର ଆଉ ଆଦୌ କୌଣସି ପ୍ରଶ୍ନ ନଥାଏ । ନିଜଲାଗି ବାଟଟିଏ ମିଳିଗଲେ ବାଟ ହୁଡ଼ିବାର ହୁଏତ ଆଉ କୌଣସି ପ୍ରଶ୍ନ ନଥାଏ । ଆପଣା ଆଗରେ ଲକ୍ଷ୍ୟଟିଏ ରହିଥିଲେ ବାଟ ହଜିଯିବାର ମଧ୍ୟ ଆଦୌ କୌଣସି ପ୍ରଶ୍ନ ନଥାଏ ।

 

ଅନେକ ସମୟରେ ଆପଣାକୁ ନିରାପଦ ରଖିବା ଲାଗି ଆମେ ବାଟଟିଏ ଖୋଜି ପାଇବାପାଇଁ ମଧ୍ୟ ଭାରି କାତର ହୋଇପଡ଼ୁ, ଆଗରେ କୌଣସି ଲକ୍ଷ୍ୟଟିଏ ରଖି ବାଟ ଚାଲିବାଲାଗି ଭାରି କାତର ହୋଇପଡ଼ୁ; ପ୍ରସ୍ତତ ହେବାକୁ ଡରୁ, ଦ୍ଵାର ଖୋଲିଦେବାକୁ ବି ଡରୁ, ବିଶ୍ଵାସ କରିବାକୁ ବି ଭାରି ଡରୁ । ତଦ୍ଦ୍ୱାରା ନିଜ ଉପରେ ମଧ୍ୟ ଆମେ ସର୍ବନିମ୍ନ ବିଶ୍ଵାସଟିକୁ ହରାଇବସୁ, ସଂସାର ଉପରେ ବି ଆମର ସର୍ବନିମ୍ନ ବିଶ୍ଵାସଟିକୁ ହରାଇବସୁ । ସେତେବେଳେ ନିରାପତ୍ତା କହିଲେ ପ୍ରାୟ ଏକ ନିଷ୍କ୍ରିୟତାକୁ ବୁଝାଏ । ନିଷ୍କ୍ରିୟ ଜୀବନ ସର୍ବଦା ଏକ କାତର ଅଧୋଗତ ସ୍ତରରେ ପଡ଼ି ରହିଥାଏ । ଆପଣାକୁ ଆପଣାର ସାଙ୍ଗରେ ନେଇ ବାଟ ଚାଲିବାକୁ ସେତେବେଳେ ଭାରି ଡର ମାଡ଼େ । ଏହି ସଂସାରରେ ସମସ୍ତଙ୍କ ଭିତରେ ଥାଇ ମଧ୍ୟ ଭାରି ଏକୁଟିଆ ଲାଗେ । ଶହେ ବିଧି ମାନି ଚଳୁଥିଲେ ମଧ୍ୟ ତଥାପି ଏକୁଟିଆ ଲାଗେ । ଶହେ ପ୍ରକାରର ଭଗବାନଙ୍କୁ ଡାକୁଥିଲେ ମଧ୍ୟ ତଥାପି ଭାରି ଅରକ୍ଷିତ ପରି ଲାଗେ ।

 

୧୧ । ୧୨ । ୭୯

 

ଆମେ ତାଙ୍କର ପୃଥିବୀରେ ତାଙ୍କରି କାର୍ଯ୍ୟ କରିବାଲାଗି ରହିଛୁ । ତାଙ୍କରି କାର୍ଯ୍ୟକୁ ହିଁ ଆମ ନିଜର କାର୍ଯ୍ୟରୂପେ ସ୍ଵୀକାର କରିନେବା, -ତାହାହିଁ ହେଉଛି ସାଧାନାର ଅନ୍ୟ ନାମ । ଆମର ଯାବତୀୟ ବାସନା ଓ ଉଦ୍ୟମ ଯେତେବେଳେ ସେହି ସ୍ତରକୁ ଉତ୍ତୋଳିତ ହୋଇଯାଇ ପାରିବ, ସେତେବେଳେ ଏହି ଜଗତର ଯାବତୀୟ ଯଥାର୍ଥ କାର୍ଯ୍ୟ ଆମ ନିଜର କାର୍ଯ୍ୟ ବୋଲି ଅନୁଭୂତ ହୋଇପାରିବ । ସେତେବେଳେ ତାଙ୍କୁ ବାହାରେ ଆଉ କେଉଁଠାରେ ଥାପି ଆମ ନିଜଲାଗି ସ୍ଵତନ୍ତ୍ର ଭାବରେ କୌଣସି ବଳ ଶକ୍ତି ଅଥବା ସହାୟତା ମାଗିବାଲାଗି ଆଉ କୌଣସି ଅବକାଶ ହିଁ ରହିବନାହିଁ । ସିଏ ସେତେବେଳେ ଆମରି ଭିତରେ ରହି ଆମକୁ ପ୍ରେରିତ କରି ନେଉଥିବେ, ଆମେ ସତତ ତାଙ୍କରି ମଧ୍ୟରେ ବିଚରଣ କରି ପାରୁଥିବା ।

 

ତାଙ୍କ ସଂସାର ବଦଳିଯିବ । ଅର୍ଥାତ୍, ଏଠି ମଣିଷ ମଣିଷ ମଧ୍ୟରେ ରହିଥିବା ଯାବତୀୟ ସମ୍ପର୍କ ମଧ୍ୟରେ ଯେତେବେଳେ ସିଏ ଅନୁମନ୍ତା ଓ କର୍ତ୍ତା ହୋଇ ରହିବେ, ଯେତେବେଳେ ଆମର ପ୍ରତ୍ୟେକ ବୃତ୍ତି ଓ ଅନୁବୃତ୍ତିରେ ସିଏ ସବାଆଗରେ ସଖା ପରି ହୋଇ ରହିବେ, ସେତିକିବେଳେ ଆମର ଜୀବନ ବଦଳିଯିବ । ସେତେବେଳେ ଆମେ ତାଙ୍କରି ଆଖିରେ ଏହି ସଂସାରକୁ ଦେଖିବାକୁ ପାଇବା, ତାଙ୍କରି ଆଖିରେ ଆମ ନିଜକୁ ଦେଖିବାକୁ ପାଇବା, ତାଙ୍କରି ଆଖିରେ ଆମ ସମ୍ପର୍କଗୁଡ଼ାକୁ ମଧ୍ୟ ଦେଖିବାକୁ ପାଇବା । ତା’ପରେ ଆମରି ଜୀବନ ମଧ୍ୟରେ ମୂଳତଃ ତାଙ୍କରି ଇଚ୍ଛା ହିଁ ପୂର୍ଣ୍ଣହେବ, ତାଙ୍କରି ଇଚ୍ଛାହିଁ ଆମରି ଇଚ୍ଛାରୂପେ ଏଠାରେ ଆପଣାକୁ କାର୍ଯ୍ୟକାରୀ କରି ପାରିବ ।

 

୧୨ । ୧୨ । ୭୯

 

ମୋ’ର ଯାହା ଅଛି, ମୁଁ ସେହି ସବୁକିଛିକୁ ନେଇ ତାଙ୍କରି ପାଖରେ ସମର୍ପଣ କରିଦେବି; ମୁଁ ଯାହାକିଛି କରୁଛି, ସେହି ଯାବତୀୟ କାର୍ଯ୍ୟକୁ ନେଇ ତାଙ୍କରି ଚରଣତଳେ ସମର୍ପଣ କରିଦେବି; ମୁଁ ଯାହା କିଛି, ତାହାକୁ ମଧ୍ୟ ତାଙ୍କରି ପାଖରେ ସମର୍ପଣ କରିଦେବି । ଅର୍ଥାତ୍, ମୋ’ର ଭିତର ବାହାର, ମୋ’ର ଭବନ ଏବଂ ଭୁବନ ମଧ୍ୟରେ ମୋଟେ କିଛି ବ୍ୟବଧାନ ରହିବନାହିଁ । ଅର୍ଥାତ୍, ମୋ’ର ଯାହାକିଛି ଅଛି, ମୁଁ ଯାହାକିଛି କରୁଛି ଓ ନିଜକୁ ମୁଁ ଯେତେ ଯାହାକିଛି ବୋଲି ଅନୁଭବ କରୁଛି, ସବୁଟି ଭିତରେ ମୁଁ ତାଙ୍କୁହିଁ ଅନୁଭବ କରି ପାରୁଥିବି । ତାଙ୍କୁ ମୁଁ ଏପରି ଏକ ଆକାଶ ବୋଲି ଅନୁଭବ କରିବି, ଯାହାର ପ୍ରସନ୍ନ କ୍ଷେତ୍ରଟିର ତଳେ ମୁଁ ଗୋଟିଏ ଶାଗୁଆ ପଡ଼ିଆ ହୋଇ ବିସ୍ତୀର୍ଣ୍ଣ ହୋଇ ରହିଛି । ତାଙ୍କୁ ମୁଁ ଏପରି ଏକ ଜନନୀ ପରି ଅନୁଭବ କରିବି, ଯିଏକି ମୋତେ ଏହି ସବୁକିଛି ସହିତ କେତେ ଶ୍ରଦ୍ଧାର ଡୋରରେ ସଂଯୁକ୍ତ କରି ରଖିଛନ୍ତି, କେତେ ଧନବାନ୍ କରି ରଖିଛନ୍ତି ।

 

ଆଜିର ଏହି ସକାଳ ମୋତେ ସେହି ପରିପୂର୍ଣ୍ଣତା ଦ୍ଵାରା ସମୃଦ୍ଧ କରିଦେଉ । ଏହି ସକାଳଟି ମୋ’ ଭିତରେ ପରିପୂର୍ଣ୍ଣ ହୋଇ ରହିଛି ଓ ମୁଁ ମଧ୍ୟ ଏହି ସକାଳଟି ମଧ୍ୟରେ ପରିପୂର୍ଣ୍ଣ ହୋଇ ରହିଛି, ଏହି ଅନୁଭୂତି ହିଁ ମୋ’ ଜୀବନର ସକଳ ମୁହୂର୍ତ୍ତକୁ ପରିପୂର୍ଣ୍ଣ କରି ରଖିଥାଉ ।

 

୧୩ । ୧୨ । ୭୯

 

ମୁଁ ଜୀବନରେ ବା ସଂସାରରେ ଯାହାକିଛି ହୋଇ ପାରୁଛି ବା ହେବାକୁ ଇଚ୍ଛା କରୁଛି, ସିଏ ମୋତେ ତାହାହିଁ ହେବାକୁ ଇଚ୍ଛା କରୁଛନ୍ତି ବୋଲି ମୁଁ ତାହା ହୋଇ ପାରୁଛି । ମୋ’ରି ଭିତରେ ରହି ସିଏ ମୋତେ ଜୀବନର ପଥରେ ପ୍ରେରିତ କରାଉଛନ୍ତି, ତାଙ୍କରି ଭୁବନଟି ମଧ୍ୟରେ ମୋତେ ପ୍ରେରିତ କରାଉଛନ୍ତି, ତାଙ୍କରି ଭୁବନଟି ସହିତ ଅଧିକରୁ ଅଧିକ ନିବିଡ଼ ଓ ଅନ୍ତରଙ୍ଗ ଭାବରେ ପରିଚିତ କରାଇ ଦେଉଛନ୍ତି । ତାଙ୍କରି ଭୁବନ ଭିତରେ ପଶି ମୁଁ ଆପଣାକୁ ଜାଣୁଛି; ଅର୍ଥାତ୍ ଏହି ସବୁକିଛିକୁ ସଂଯୁକ୍ତ କରି ରଖିଥିବା ମୋ’ର ଅସଲ ଚେରଗୁଡ଼ିକୁ ଜାଣୁଛି, ଏବଂ ଆପଣା ଭିତରେ ପ୍ରବେଶ କରି ଆପଣାକୁ ଅଧିକରୁ ଅଧିକ ପରିମାଣରେ ନିବିଡ଼ ଭାବରେ ଜାଣି ମୁଁ ଏହି ଭୁବନଟି ସହିତ ଅଧିକରୁ ଅଧିକ ଆତ୍ମୀୟତା ଅର୍ଜନ କରି ପାରୁଛି । ସିଏ ଏଠି ପ୍ରେରକରୂପେ କାର୍ଯ୍ୟ କରୁନଥିଲେ ତାହା କଦାପି ସମ୍ଭବ ହେଉନଥାନ୍ତା ।

 

ଏହି ସକାଳ ସମୟରେ ମୁଁ ତାଙ୍କୁ ହିଁ ଅତି ପାଖରେ ରହିଥିବା ପରି ଅନୁଭବ କରି ପାରୁଛି । ଏହି ନୂତନ କରି ଜନ୍ମ ନେଉଥିବା ସଂସାର ଭିତରେ ମୁଁ ତାଙ୍କୁ ହିଁ ଫୁଟି ଉଠୁଥିବାର ଅନୁଭବ କରି ପାରୁଛି, ମୋ’ ନିଜର ସବୁଯାକ ଆଖି ମଧ୍ୟ ତାହାରି ସହିତ ଫୁଟି ଉଠୁଥିବା ପରି ଅନୁଭବ କରୁଛି ।

 

୧୪ । ୧୨ । ୭୯

 

ସେହି ନୀରବତା ଏକ ସନ୍ଦୀପ୍ତ ନୀରବତା । ସେହି ଦୀପ୍ତିମନ୍ତତା ବାହାର ଆଉ ଭିତରକୁ ଗୋଟିଏ ଆଲୋକମୁତ୍ର ଏବଂ ଗୋଟିଏ ବିଶ୍ଵାସରେ ସଂଯୁକ୍ତ କରି ରଖିଥାଏ । ପ୍ରଥମେ ଭିତରେ ଠାବ ହୁଏ, ତା’ପରେ ବାହାରକୁ ଆସେ ବା ପ୍ରଥମେ ବାହାରେ ଠାବ ହୋଇ ଭିତରକୁ ଯାଏ, ସେକଥା ମୁଁ କହି ପାରିବିନାହିଁ । କିନ୍ତୁ ମୁଁ ଏତିକି ଅବଶ୍ୟ କହିପାରିବ ଯେ, ସେହି ଆଲୋକଟିର ଠାବ ହୋଇ ପାରିଲେ ହିଁ ବାହାର ଆଉ ଭିତର ଗୋଟିଏ ସ୍ପର୍ଶସଞ୍ଚାର ଦ୍ଵାରା ସତେଅବା ଏକାଠି ଯୋଡ଼ି ହୋଇଯାଏ, ବାହାର ଆଉ ଭିତର ଗୋଟିଏ ବୋଲି ଆବିଷ୍କୃତ ହୁଏ । ଏବଂ ତା’ପରେ ସବୁ ନୀରବ ହୋଇଯାଏ । ଭିତରେ ଏବଂ ବାହାରେ ସବୁକିଛି ଆପଣାର ପରି ଲାଗେ ।

 

ସେହି ନୀରବତାରୁ ହିଁ ସମର୍ପଣର ବିଶ୍ଵାସ ଜାତ ହୁଏ । ସେହି ନୀରବତାରୁ ସମର୍ପଣର ସାହସ ଜନ୍ମେ । ଆପଣାକୁ ସତେଅବା ଏକ ପ୍ରାଚୀରହୀନ ଫୁଲବଗିଚା ପରି ମନେହୁଏ । ସେହି ବଗିଚାଟି, ଭିତରେ ସମସ୍ତ ଜଗତ ବିଚରଣ କରୁଥିବା ପରି ମନେହୁଏ । ତାହାହିଁ ସଂପ୍ରସାରଣ ଘଟାଏ, ତାହାହିଁ କରୁଣାର ଯୋଗ୍ୟ କରିଆଣେ । ଏବଂ, ତା’ପରେ ଅଲଗା କରି ଭାବି ଏକ ଲକ୍ଷ୍ୟ ସ୍ଥିର କରିବାଲାଗି ଆଉ ଆଦୌ କୌଣସି ଆବଶ୍ୟକତା ରହେନାହିଁ । ତା’ପରେ କେବଳ ପଥଗୁଡ଼ାକ ହିଁ ଦେଖାଯାଏ, ଏବଂ ପଥ ଚାଲିଗଲେ ଲକ୍ଷ୍ୟ ବି ସ୍ପଷ୍ଟ ଦିଶି ଯାଉଥାଏ ।

 

୧୫ । ୧୨ । ୭୯

 

ଜୀବନକୁ ପରିପୂର୍ଣ୍ଣ କରିବାକୁ ହେବ, ଅର୍ଥାତ୍ ଜୀବନ କହିଲେ ଯେତେଯାହା ଗଭୀରତା ଏବଂ ଉର୍ଦ୍ଧ୍ଵତାକୁ ବୁଝାଏ, ତାହାକୁ ସ୍ପର୍ଶ କରିବାର ଯୋଗ୍ୟ ହେବାକୁ ପଡ଼ିବ, ତାହାକୁ ସ୍ପର୍ଶ କରି ପାରିବାଲାଗି ଶ୍ରଦ୍ଧା ରଖିବାକୁ ହେବ ଏବଂ ସେହି ଶ୍ରଦ୍ଧାଦ୍ଵାରା ହିଁ ଜୀବନର ମୁହୂର୍ତ୍ତଗୁଡ଼ିକୁ ପୂର୍ଣ୍ଣ କରି ରଖିବାକୁ ପଡ଼ିବ । ତେଣୁ, ପଳାଇ ଯିବାକୁ ଅବସର ହିଁ ନାହିଁ ।

 

ପଳାଇ ଯିବାର ବାଟ ବି ନାହିଁ । ଜୀବବ ବୋଲି ମୋ’ ନିଜ ଭିତରେ ମୁଁ ଯାହାକିଛିକୁ ଅନୁଭବ କରିଥାଏ, ତାହା ଏତେ ନିବିଡ଼ ଓ ଅନ୍ତରଙ୍ଗ ଭାବରେ ଏହି ସବୁଟି ସହିତ ଲାଗି କରି ରହିଛି ଯେ; ଆପଣାକୁ ଅଲଗା କରି ଅନୁଭବ କରିବାର କୌଣସି ଦମ୍ଭଚିନ୍ତା ବା ଦୀନ ଚିନ୍ତା କରିବା ମାତ୍ରକେ କେବଳ ଗୁଡ଼ାଏ ଦୁଃଖ ଓ ଗୁଡ଼ାଏ ବୈରାଗ୍ୟ ଭୋଗ କରିବାହିଁ ସାର ହେଉଛି । ସେହି ଦୁଃଖ ଓ ବୈରାଗ୍ୟକୁ ଭୁଲିବା ସକାଶେ ଅନେକ ମଣିଷ ମାନିବାଲାଗି ଗୁଡ଼ାଏ ନିୟମର ଦଉଡ଼ାକୁ ନାନା ଆଡ଼ମ୍ବରମୟ ଭାବରେ ଆପଣାର ଅସଲ ସରାଗଗୁଡ଼ାକୁ ପ୍ରାୟ ଅଦୃଶ୍ୟ କରି ରଖି ଗୁଡ଼ାଇ ହୋଇ ବସିଥାନ୍ତି । ସେହିଗୁଡ଼ାକୁ ଆଶ୍ରୟ କରି କେତେଟା ନିର୍ଦ୍ଦିଷ୍ଟ ଭେକର ମାଧ୍ୟମରେ ଆପଣାର ସମ୍ଭାବନାଗୁଡ଼ାକୁ,-ସମ୍ମିଳନ ଓ ଊପଲବଧିର ସମ୍ଭାବନାଗୁଡ଼ାକୁ, –ପ୍ରାୟ ଉପେକ୍ଷିତ କରି ରଖିଥାନ୍ତି । ମୁଁ ସେହି ବାଟକୁ କେତେ ପଛରେ ଛାଡ଼ି ଆସିଲିଣି ।

 

୧୬ । ୧୨ । ୭୯

 

ଏହି ଜଗତରେ ହିଁ ସେହି ପରିବର୍ତ୍ତନଟି ଘଟିବ । ଏହି ପରିବର୍ତ୍ତନଟି ଏହି ଜଗତରେ ହିଁ ସମ୍ଭବ ହେବ । ଆମେ ଯେତେ ଯିଏ ଏହି ଜଗତରେ ଥାଇ ମଧ୍ୟ ନାନା ବୈରାଗ୍ୟ ଏବଂ ଚତୁରତାର କବଳରେ ପଡ଼ି ପ୍ରଧାନତଃ ଆଉ ଅନ୍ୟ କୌଣସି ପରିବର୍ତ୍ତନର କଥା କହିବାରେ ଲାଗିଛି, ମର୍ତ୍ତ୍ୟରେ ଥାଇ ମଧ୍ୟ ଆଉ କୌଣସି ସ୍ଵର୍ଗର କଥା କହିବାରେ ଲାଗିଛୁ ସେମାନଙ୍କର ମୋହଭଙ୍ଗ ହେବା ଉଚିତ ।

 

ମୋତେ ଏହି ଜଗତରେ ହିଁ ବଦଳିବାକୁ ପଡ଼ିବ । ଏହି ଜଗତଟିକୁ ଏହିପରି ଅନ୍ଧକାରମୟ ବୋଲି ମାନିନେଇ ମୁଁ ଯେତେବେଳେ ତଦନୁରୂପ ଏକ ଚତୁର ପଳାୟନତତ୍ପର ଅନ୍ୟ ଧର୍ମର କଥା କହି ବୁଲୁଥାଏ, ସେତେବେଳେ ମୁଁ କେବଳ ଏକ ମୂଳଗତ ଅବିଶ୍ଵାସର ହିଁ ଘୋଷଣା କରିବାରେ ଲାଗିଥାଏ । ଏହି ଅବିଶ୍ଵାସକୁ ମୁଁ ଏକ ହିଂସତା ଓ ନିର୍ମମତା ବୋଲି ମଧ୍ୟ କହିବି । ଯିଏ ଆପଣାର ଭିତରଟିକୁ ଚିହ୍ନି ପାରେନାହିଁ, ଅର୍ଥାତ୍ ଯିଏ ଆପଣା ଭିତରେ ଠାବ ଓ ଅନୁଭବ କରି ପାରେନାହିଁ, ସିଏ ସର୍ବପ୍ରଥମେ ଆପଣାପ୍ରତି ହିଁ ନିର୍ମମ ଓ ହିଂସ୍ର ଆଚରଣ କରିଥାଏ । ଆପଣାକୁ ବଞ୍ଚିତ କରି ରଖିବା, –ସମ୍ଭବତଃ ଏହାହିଁ ଆମ ଜୀବନର ସର୍ବମୂଳ ହିଂସ୍ରତା । ଆପଣାର ଘରଟିକୁ ଅନ୍ଧାର ରଖି ଯେତେବେଳେ ଆମ କୌଣସି ଧର୍ମଶାସ୍ତ୍ର ଅଥବା ତଥାକଥିତ ଧର୍ମମାର୍ଗରେ ପରିତ୍ରାଣ ଲାଭ କରିବାକୁ ଯାଇଥାଉ, ଯେତେବେଳେ ସେହି ହିଂସ୍ରତାକୁ ଆମେ ଏକ ବିପଜ୍ଜନକ ସିଦ୍ଧାନ୍ତରେ ପରିଣତ କରିଦେଉ । ତେଣୁ, ଆଉ କୌଣସି ଅନ୍ୟ ଜଗତରେ ନୁହେ, ଆମକୁ ଏହି ସଂସାରରେ ହିଁ ବଦଳିବାକୁ ହେବ, ଏବଂ ଏହିଠାରେ ହିଁ ସେହି ପରିବର୍ତ୍ତନ ସମ୍ଭବ ହେବ ।

 

୧୭ । ୧୨ । ୭୯

 

ସବୁ ସେବା ଛାଡ଼ି ତାଙ୍କର ସେବା ନୁହେଁ, ସବୁ ସେବାକୁ ହିଁ ଆମେ ତାଙ୍କରି ସେବାରେ ପରିଣତ କରିବା । ଆମେ ସଂସାରରେ, ଜୀବନରେ, ନିଜପାଇଁ ଓ ଅନ୍ୟମାନଙ୍କ ପାଇଁ ଯେତେବେଳେ ଯାହାକିଛି କରୁଥିବା, ତାହା ତାଙ୍କରି ସେବାର ଭାଜନ ହୋଇପାରିବ, ଜୀବନରେ ଆମେ ସର୍ବପ୍ରଥମେ ଏହି ଆଶୀର୍ବାଦଟିର ଅଧିକାରୀ ହୋଇ ରହିବାଲାଗି ସର୍ବଦା ତତ୍ପର ହୋଇ ରହିଥିବା । ତେଣୁ, ସେବା, କାର୍ଯ୍ୟ; ଶ୍ରଦ୍ଧା ବା ଉତ୍ସର୍ଗ କହିଲେ ଆମ ଜୀବନରେ କଦାପି ଦୁଇଟା ଭିନ୍ନ ଭିନ୍ନ କ୍ଷେତ୍ର ମୋଟେ ରହିବନାହିଁ । ଗୋଟାକୁ ନିମ୍ନ କ୍ଷେତ୍ର ବୋଲି କହି ଆଉଗୋଟାକୁ କଦାପି ଉଚ୍ଚ କ୍ଷେତ୍ର ବୋଲି କହିବାନାହିଁ । ନିମ୍ନତର ତତ୍ପରତା ଗୁଡ଼ିକର କ୍ଷେତ୍ରରେ ଆମେ ନିଜ ଜୀବନଲାଗି ଓ ସଂସାରଲାଗି ସକ୍ରିୟ ହୋଇ ରହିବା ଓ ଉଚ୍ଚତର କ୍ଷେତ୍ରଗୁଡ଼ିକରେ ତାଙ୍କଲାଗି ଉନ୍ନୁଖ ହୋଇ ରହିବାକୁ ଚେଷ୍ଟା କରୁଥିବା,-ଆମର ଜୀବନ ଭିତରେ ଏପରି କୌଣସି ବିଭାଜନ ଆଦୌ ରହିବନାହିଁ ।

 

ଆମେ ଏଇଠି ଥିଲେ ମଧ୍ୟ ଆମର ପ୍ରଣତିଗୁଡ଼ିକ ତାଙ୍କଯାଏ ପହଞ୍ଚି ପାରୁଥିବ । ଆମେ ଏଇଠି ଥିଲେ ଆକାଶ, ପବନ, ଓ ଆଲୁଅକୁ ମାଧ୍ୟମ କରି ତାଙ୍କୁ ହିଁ ସ୍ପର୍ଶ କରି ପାରୁଥିବା ମଣିଷର ପାଖକୁ ଆସିବାବେଳେ ଆମେ ତାଙ୍କରି ପାଖକୁ ଆସିବାପରି ଅନୁଭବ କରୁଥିବା । ଏପରି ହୋଇ ପାରିଲେ ଆଉ କୌଣସି ଚିନ୍ତା ରହିବନାହିଁ । କେବଳ ଆନନ୍ଦ ହିଁ ବାକୀ ରହିବ, କେବଳ ବାଟ ଚାଲିବା ହିଁ ବାକୀ ରହିବ, କେବଳ ବନ୍ଧୁ ବାନ୍ଧିବା ହିଁ ବାକୀ ରହିବ । ପ୍ରତ୍ୟେକ ଦିନ ସେତେବେଳେ ନୂଆ ନୂଆ ଐଶ୍ଵର୍ଯ୍ୟର ଅଧିକାରୀ କରି ଯାଉଥିବ, ନୂଆ ନୂଆ ସମର୍ପଣ ଲାଗି ଆମକୁ ଯୋଗ୍ୟ କରିଦେଇ ଯାଉଥିବ ।

 

୧୮ । ୧୨ । ୭୯

 

ସେହି ପରମ ଚେତନାର ଅବତରଣ ହେବ; ମୁଁ ଯେଉଁଠି ଅଛି, ସେହି କ୍ଷେତ୍ରକୁ । ସେହି ପରମ ଚେତନାର ଉନ୍ନୋଚନ ଘଟିବ; ମୁଁ ଯେଉଁଠି ଅଛି, ସେହି କ୍ଷେତ୍ରଟି ମଧ୍ୟରୁ । ଏ ଘର ଆଉ ସେ ଘର ମଧ୍ୟରେ ଏକ ସହଜ ସଂଯୋଗସୂତ୍ର ସ୍ଥାପିତ ହେବ । ଏ ଘର ସେ ଘରଟିର ସନ୍ଧାନ ପାଇବ, ଆପଣା ଭିତରେ ତାହାରି ଆସ୍ଥାନଟିକୁ ଅନୁଭବ କରିପାରିବ ।

 

ଆପଣା ସହିତ କେତେ ଅନ୍ତରଙ୍ଗ ଭାବରେ ସଂଯୁକ୍ତ ହୋଇ ରହିଲେ ଯେ ତାହା ସମ୍ଭବ ହୁଏ, ମୁଁ ସେହିକଥା ଭାବୁଛି । ଖାଲି ବୁଝିଲେ ହୁଏନାହିଁ, ଖାଲି ଜାଣିଲେ ହୁଏନାହିଁ । ଖାଲି ବିଧି ଓ ରୀତିଗୁଡ଼ାକୁ ମାନିଲେ ହୁଏନାହିଁ । ଅନୁଭବ କରିବାକୁ ହୁଏ । ଏହି ଶରୀର ଭିତରେ ବି ସେ ଅନ୍ତରଙ୍ଗତାକୁ ଅନୁଭବ କରିବାକୁ ହୁଏ । ବାହାରେ ବିସ୍ତୁତ ହୋଇ ରହିଥିବା ଯେଉଁ ବିଶ୍ଵଟିକୁ ଆମେ ଜଡ଼ ଜଗତ ବୋଲି କହୁଛୁ, ସେଇଟିକୁ ମଧ୍ୟ ଆପଣା ଭିତରେ ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ଅନୁଭବ କରିବାକୁ ହୁଏ । ନିଜକୁ ସେହି ସମଗ୍ରଟି ଭିତରେ ଅନୁଭବ କରିବାକୁ ହୁଏ । ତା’ପରେ ଆଉ କିଛିହେଲେ ବାହ୍ୟ ବୋଲି ଲାଗେନାହିଁ । ଭିତରେ ଆଉ ବାହାର ମଧ୍ୟରେ ଆଉ କୋଉଠି ହେଲେ କୌଣସି ପାଚେରୀ ରହେନାହିଁ । ଏବଂ, ଆପଣାର ଯାବତୀୟ କ୍ଷଣର ଚେତନା ସତେଅବା କେଉଁ ଇପସିତ ବିସ୍ତାରଟିକୁ ପାଇଥିବା ପରି ସ୍ଥିର ହୋଇଯାଏ, ପ୍ରସନ୍ନ ହୋଇଯାଏ, ଧନ୍ୟ ହୁଏ ।

 

୧୯ । ୧୨ । ୭୯

 

ରାତି ଶେଷରେ ନିତି ପ୍ରଭାତ ହେବ, ତାହାହିଁ ଅର୍ଥାତ୍ ଏହି ବିଶ୍ଵାସ ହିଁ ବାଟ ଚାଲିବାର ଅନ୍ୟ ନାମ । କାରଣ କ’ଣ କେଜାଣି, ଏ ଜୀବନଟା ପ୍ରାୟ କେବଳହେଲେ ଗୋଟାଏ ସୁଡ଼ଙ୍ଗପଥ ପରି ମୋଟେ ଲାଗିନାହିଁ । ଯାହାକୁ ସଂସାରରେ ଅଧିକାଂଶ ମଣିଷ ଘୋର ବିପଦ ବୋଲି କହିଥାନ୍ତି, ସେହିପରି ଗୋଟାଏ ଦାରୁଣ ଅବସ୍ଥାରେ ମଧ୍ୟ ଆଖିଆଗର ପର୍ବତଗୁଡ଼ାକ କେବେହେଲେ ମୋ’ ଆକାଶଗୁଡ଼ାକୁ ସମ୍ପୂର୍ଣ୍ଣ ଭାବରେ ଘୋଡ଼ାଇ ପକାଇ ନାହାନ୍ତି । ଏବଂ, ଯେଉଁଠି ଆକାଶ ରହିଛି, ସେଠାରେ ସୂର୍ଯ୍ୟର ବାସନା ଅବଶ୍ୟ ରହିଛି, ସୂର୍ଯ୍ୟ ଉପରେ ଅବଶ୍ୟ ବିଶ୍ଵାସ ରହିଛି ।

 

ଏହି ବିଜୟଗୁଡ଼ାକ ହେଉଛି ଯୁଦ୍ଧର ଅନ୍ୟ ନାମ । ମୋ’ ଭିତରେ ରହିଥିବା ବିଶ୍ଵାସଟିର ଅବିଶ୍ଵାସଗୁଡ଼ିକ ସହିତ ଯୁଦ୍ଧ । ଏହି ଯୁଦ୍ଧ ମୋ’ ଭିତରେ ସବୁବେଳେ ଲାଗିରହିଛି । ଆଜିର ତଥାକଥିତ ପୂର୍ଣ୍ଣବିଶ୍ଵାସ ଗୁଡ଼ାକ କାଲିକୁ ଯେତେବେଳେ ଅର୍ଦ୍ଧବିଶ୍ଵାସ ପରି ଅନୁଭୂତ ହେଉଛି, ସେତେବେଳେ ଆପଣ; ଭିତରେ ଗୋଟାଏ ଭୂଇଁରୁ ଆଉଗୋଟାଏ ଭୂଇଁକୁ ଉଠିଯିବାକୁ ପଡ଼ୁଛି । ଭିତରେ ବାଟ ଦେଖାଉଥିବା ବନ୍ଧୁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ସେହି ଉପରକୁ ଉଠିଯିବାର ଆବଶ୍ୟକ ଶକ୍ତି ଆଣିଦେଉଛି । ତେଣୁ, ବାଟଚଲା ସତତ ଲାଗିଛି’, ବନ୍ଧୁ ଦେଖା ସତତ ଲାଗିଛି । ଭିତରେ ସେହି ପରମ ସଖା ଯେତେବେଳେ ସତତ ବାଟ ଚାଲିବାକୁ ପଣ କରି ମୋ’ ଭିତରେ ଜନ୍ମଲାଭ କରିଛି, ସେତେବେଳେ ଅଟକି ରହିବାକୁ ଆଉ ପ୍ରଶ୍ନ ବା କେଉଁଠି ରହିଲା ? ତେଣୁ, ଜୀବନଟା ଅଭୀପ୍‌ସା ଦ୍ଵାରା ହିଁ ମନ୍ତୁରା ହୋଇ ରହିଛି ।

 

୨୦ । ୧୨ । ୭୯

 

ଦୁଆର ଖୋଲିବାକୁ ସମର୍ଥ ହେବାପରେ ଯାଇ ତାଙ୍କୁ ଶକ୍ତିରୂପେ ଅନୁଭବ କରିବାର ସାମର୍ଥ୍ୟ ମଧ୍ୟ ଉପଲବ୍‌ଧ ହୋଇଥାଏ । ଆପଣାର ଜୀବନଟାକୁ ଗୋଟାଏ ହୁଡ଼ାଦିଆ ଜଳାଶୟ ଅଥବା ପାଚେରୀଘେରା ଗୋଟାଏ ଦେଉଳବେଢ଼ା ପରି କରି ରଖିଥିବା ପର୍ଯ୍ୟନ୍ତ ଆପଣାକୁ କେବଳ ଏକୁଟିଆ ହିଁ ମନେହୁଏ, ନିତାନ୍ତ ଅସହାୟ ମନେହୁଏ । ଯାହାଙ୍କୁ କେଡ଼େ ଆଡ଼ମ୍ବରରେ ମୁଁ ଡାକିବାରେ ଲାଗିଥାଏ, ସିଏ ସବୁବେଳେ ଦୂର ରହିଥାଆନ୍ତି, ଅର୍ଥାତ୍ ମୁଁ ତାଙ୍କଠାରୁ ଭାରି ଦୂରଛଡ଼ା ହୋଇ ରହିଥାଏ । ଦୂରରେ ଥାଇ ପ୍ରାର୍ଥନା କରୁଥାଏ । ନିଜଭିତରେ ତାଙ୍କୁ ଅନୁଭବ କରାଯାଇ ପାରିବ ବୋଲି କହିବାକୁ କିମ୍ବା ଜାଣିବାକୁ ମୋଟେ ସାହସ କରି ପାରୁନଥାଏ ।

 

ଆପଣାକୁ ଉନ୍ମୋଚିତ କରିଦେବାର ଶ୍ରଦ୍ଧାଟିକୁ ଅର୍ଜନ କରି ପାରିଲେ ଯାଇ ଭିତରେ ରଙ୍ଗ ବଦଳେ, ଦୂରତାଗୁଡ଼ାକ କ୍ରମେ ଅପସରି ଯାଏ । ସାରା ସଂସାରଟାକୁ ଆପଣାର ଘର ଭିତରେ ପାଇଲାପରି ମନେହୁଏ । ତା’ପରେ ଯାହା କରିବାର ସେଇ କରନ୍ତି । ସେଇ ସାଥୀ ହୋଇ ବାଟ ଚାଳନ୍ତି, ସକଳ ବାଟ ଚାଲିବାକୁ କେଡ଼େ ସହଜ କରି ଦିଅନ୍ତି । ଆଖିଭିତରେ ସେଇ ଅବସ୍ଥିତ ରହି ଜଗତକୁ ଦେଖନ୍ତି, ସେଇ ଆକାଶକୁ ମନ କରନ୍ତି,-ଏବଂ ମୋତେ ପବନ ପରି ହାଲୁକା କରି ଦିଅନ୍ତି । ତାଙ୍କୁ କେତେ ବେଶୀ ଆପଣାର ବୋଲି ଅନୁଭବ କରିପାରିଲେ ଯାଇ ସେ ଆପଣାକୁ ଖୋଲିଦେବା ସମ୍ଭବ ହୁଏ, ମୁଁ ବେଳେବେଳେ ସେହି କଥାହିଁ ଭାବେ ।

 

୨୧ । ୧୨ । ୭୯

 

ଅନ୍ଧାର ଭିତରେ ସେଇ ରହିଛନ୍ତି, ଅଜ୍ଞାନ ଭିତରେ ବି ସେଇ ରହିଛନ୍ତି; ଏବଂ, ଯଦି ମୁଁ କେବେ ନିଜକୁ ଅନ୍ଧାର ଏବଂ ଅଜ୍ଞାନ ବୋଲି କହୁଥାଏ, ତେବେ ମୋ’ ଭିତରେ ମଧ୍ୟ ସେଇ ରହିଛନ୍ତି । ଏହି ଜଗତ୍‌ସଂସାରକୁ ଯଦି ମୁଁ କେବେ ଅଜ୍ଞାନ ଓ ଅନ୍ଧାର ବୋଲି କହୁଥାଏ, ତେବେ ଏହି ଜଗତ୍‌ସଂସାର ଭିତରେ ମଧ୍ୟ ସେଇ ରହିଛନ୍ତି ।

 

ତାଙ୍କରି ଚେତନା ମୋ’ ଚେତନାର ହୃତ୍‌ସମ୍ପଦ ହୋଇ ରହିଛି । ମୋ’ ଭିତରେ ଏପରି ଏକ ନିବିଡ଼ ଅନ୍ତଃପ୍ରଦେଶ ରହିଛି, ଯେଉଁଠାରେ କି ସେହି ଚେତନା ଆପଣାର ଯାବତୀୟ ଉଜ୍ଜ୍ଵଳତାର ସମ୍ଭାବନାକୁ ବହନ କରି ଅବସ୍ଥିତ ରହିଛି; ଏହି ଜଗତ୍‌ସଂସାର ମଧ୍ୟରେ ଏପରି ଗୋଟିଏ ଅନ୍ତରଙ୍ଗ ଅନ୍ତଃସୋପାନ ରହିଛି, ଯେଉଁଠାରେ କି ସେହି ଚେତନା ଜନନୀପରି ହିଁ ସତ୍ୟ ଏବଂ ସ୍ପଷ୍ଟଭାବରେ ବିରାଜିତ ରହିଛି । ସେଇ ପ୍ରେରିତ କରୁଛି, ସେଇ ବାଡ଼ ଡିଆଇ ନେଉଛି, ମୋ’ର ଯାବତୀୟ ବିଚରଣ ଏବଂ ସଂଚରଣ ପଛରେ ସେଇ ଜନନୀ ପରି ହୋଇ ରହିଛି । ମୁଁ ଯେତିକି ଯେତିକି ଅଧିକ ଜାଣୁଛି, ସେତିକି ଅଧିକ ପରିମାଣରେ ମୁଁ ସେହି ଜ୍ଞାନକୁ କେବଳ ତାହାରି ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସୁଥିବା ପରି ହିଁ ଅନୁଭବ କରୁଛି । ଏହା ପ୍ରକୃତରେ ଏକ ଅଭିନବ ଆବିଷ୍କାର, ଏହାହିଁ ସର୍ବୋତ୍ତମ ଆବିଷ୍କାର । ଏହି ଜଗତକୁ ଆବିଷ୍କାର କରିବା ସଙ୍ଗେସଙ୍ଗେ ଆପଣାର ଅଧିକ ନିକଟବର୍ତ୍ତୀ ହୋଇ ଆସିବା; ଏବଂ ଆପଣାକୁ ଆବିଷ୍କାର କରିବା ସଙ୍ଗେସଙ୍ଗେ ଏହି ଜଗତକୁ ମଧ୍ୟ ଆବିଷ୍କାର କରିବା;-ଏହି ସବୁଟି ମଧ୍ୟରେ ସେହି ଚେତନାର ଡୋରଟିକୁ ହିଁ ଆବିଷ୍କାର କରିବା ।

 

୨୨ । ୧୨ । ୭୯

 

ଆଗକୁ ଯିବାର ଅର୍ଥ ହେଉଛି ତାଙ୍କରି ମଧ୍ୟରେ ପ୍ରବେଶ କରିବା, ଆପଣା ମଧ୍ୟରେ ପ୍ରବେଶ କରିବା, ଯଥାର୍ଥ ଭାବରେ ଏହି ଜଗତ ମଧ୍ୟରେ ପ୍ରବେଶ କରିବା ।

 

ଆମେ ତାଙ୍କୁ ଏଇଟା ବା ସେଇଟା ମାଗୁ । ସେହି ବାରଟିକୁ ପାଇ ଆମେ ଆହୁରି କିଛି ମାଗିବାଲାଗି ତତ୍ପର ହେବାରେ ଲାଗିଥାଉ । ତାଙ୍କରି ଅନୁଗ୍ରହ ଲାଭ କରି ଆମେ ସଂସାରରେ କିଛି ଅଧିକା ଗୋଟାଏ ହୋଇଯିବୁ ବୋଲି ବିଚାର କରିଥାଉ । ତାଙ୍କରି ଅନୁଗ୍ରହ ଲାଭ କରି ଆମେ ତାଙ୍କରି ନିକଟବର୍ତ୍ତୀ ହେଉ, ତାଙ୍କରି ଭିତରେ ପ୍ରବେଶ କରୁ । ସିଏ ଯେ ଏଇଠି ମୋ’ର ଅତ୍ୟନ୍ତ ନିକଟରେ ମୋ’ ଭିତରେ ରହିଛନ୍ତି, ସେହି ଉପଲପ୍‌ଧଟି ଦ୍ଵାରା ଆମର ଯାବତୀୟ ଦାରିଦ୍ର୍ୟ ଦୂର ହୋଇଯାଏ । ଆମର ଯାବତୀୟ ଅକିଞ୍ଚନତା-ବୋଧ ଏବଂ ଅସମର୍ଥତା-ବୋଧ କୁଆଡ଼େ ଦୂର ହୋଇଯାଏ । ଆପଣାର ଭିତରକୁ ଅଣାଇବା ମାତ୍ରକେ ସତେଅବା ଗୋଟାଏ ଫୁଲବଗିଚା ଆଡ଼କୁ ଅନାଉଥିବା ପରି ଅନୁଭବ ହୋଇଥାଏ । ତା’ପରେ ଯାଇ କାଙ୍ଗାଳପଣିଆ ଯାଏ, -ତା’ପରେ ଆଉ କିଛିହେଲେ ମାଗିବାଲାଗି ରହେନାହିଁ । ମୁଁ ଯାହାକିଛି ମାଗୁଛି, ସବୁକିଛି ମୋତେ ଆଗରୁ ମିଳିସାରିଛି ବୋଲି ଅନୁଭବ ହୁଏ । ସତେଅବା ଆପଣା ଭିତରେ ଅନନ୍ତ ମହିମାର ଅନୁଭବ ହୁଏ । ଅନନ୍ତ ନିମିତ୍ତତ୍ଵର ଅନୁଭବ ହୁଏ ।

 

୨୩ । ୧୨ । ୭୯

 

କାଲି, ଆଜି ଆଉ ଆସନ୍ତା କାଲି, –ଏଗୁଡ଼ିକ ସତେଅବା ଗୋଟିଏ ମାଳାରେ ଗୁନ୍ଥାହୋଇ ରହିଛି । ଏଗୁଡ଼ିକ ମୁଁ ସେହି ଗୋଟିଏ ପଥର ବିଭିନ୍ନ ନାମ ବୋଲି ଗ୍ରହଣ କରିନେଇଛି-। ମୁଁ ଆଜି ଯାହାକିଛି ଅର୍ଜନ ବା ସଞ୍ଚୟ କରୁଛି, ସେସବୁ କାଲିର ଅନୁଭୂତରୂପେ ସାଇତାହୋଇ ରହୁଛି । ଆପଣାକୁ ଅଧିକରୁ ଅଧିକ ଚିହ୍ନିବାରେ, ଅଧିକରୁ ଅଧିକ ଅନ୍ତରଙ୍ଗ ଭାବରେ ଆପଣାକୁ ସବୁଟି ସହିତ ସଂଯୁକ୍ତ କରି ରଖିବାରେ ଏହି ଅନୁଭୂତଗୁଡ଼ିକ ମୋ’ଲାଗି ସତେଅବା ଅଗ୍ନିସ୍ପୁଳିଙ୍ଗ ପରି କାର୍ଯ୍ୟ କରୁଛି । ମୋ’ର ଭିତର ସହିତ ବାହାରକୁ ସଂଯୁକ୍ତ କରି ରଖୁଛି, ବାହାର ସହିତ ଭିତରକୁ ଏକ ଆତ୍ମୀୟତାର ସୂତ୍ରରେ ଏକାଠି ବାନ୍ଧରଖୁଛି । ଏହାକୁ ମୁଁ ଅର୍ଜନ ବୋଲି କହିବି, ସଞ୍ଚୟ ବୋଲି କହିବି ନା ଅନୁଭବ ବୋଲି କହିବି, ସେକଥା ହଠାତ୍ ଠିକ୍ କରିପାରିବା ଆଦୌ ସମ୍ଭବ ନୁହେଁ । କାରଣ, ସବୁକିଛି ମୋ’ ଜୀବନରେ ଠିକ୍ ଗୋଟିଏ ଗୋଟିଏ ଆଖିପରି କାର୍ଯ୍ୟ କରୁଛି । ଜୀବନରେ ଅସଲ ସଖାର କାର୍ଯ୍ୟ କରୁଛି ।

 

ମୋ’ର କାଲି ଆଜି ଭିତରେ ପରିପୂର୍ଣ୍ଣ ହେଉ, ମୋ’ର ଆଜିଗୁଡ଼ିକ କାଲିପାଇଁ ସ୍ଵପ୍ନ ହେଉ । ମୋ’ର ସ୍ଵପ୍ନଗୁଡ଼ିକ ମୋ’ର ପଥରୂପେ ଫୁଟି ଫୁଟି ଯାଉଥାଉ । ଏହି ଯାତ୍ରା ଏହିପରି ଅବାରିତ ହୋଇ ରହିଥାଉ, ଠିକ୍ ଏହିପରି ଅନ୍ତରଙ୍ଗ ହୋଇ ରହିଥାଉ । ସେତୁଗୁଡ଼ିକ ଆବିଷ୍କାର କରୁ କରୁ ମୁଁ ଆପଣା ଭିତରେ ରହିଥିବା ବ୍ୟବଧାନଗୁଡ଼ିକୁ ଯେପରି ଏକାବେଳେକେ ପାଶୋରି ଦେବାକୁ ସମର୍ଥ ହୁଏ ।

 

୨୪ । ୧୨ । ୭୯

 

ପ୍ରତ୍ୟେକ ରାତ୍ରିଟିର ମଧ୍ୟଦେଇ କାଲି ଆଜିମଧ୍ୟକୁ ଲମ୍ପପ୍ରଦାନ କରୁଛି, ଅନ୍ଧକାରର ମଧ୍ୟଦେଇ ଆଲୋକ ଅନାଗତ ମଧ୍ୟକୁ ଲମ୍ପପ୍ରଦାନ କରୁଛି । ମୋ’ର ସମସ୍ତ ଅତୀତ ପ୍ରତ୍ୟେକ ମୁହୂର୍ତ୍ତରେ ଏକ ଅନନ୍ତ ଆକୃତିର ରୂପ ଗ୍ରହଣ କରି ଭବିଷ୍ୟତ ମଧ୍ୟକୁ ଲମ୍ପପ୍ରଧାନ କରୁଛି । ମୋ’ ଭିତରେ ଯେ ଏକ ରାସ୍ତା ନିର୍ଦ୍ଦିଷ୍ଟ ହୋଇ ରହିଛି, ମୋ’ର ଅସଲ ନାଡ଼ୀଗୁଡ଼ିକ ଯେ ପ୍ରତ୍ୟେକ ମୁହୂର୍ତ୍ତରେ ଅସଲ କେନ୍ଦ୍ରଟି ସହିତ ସଂଯୁକ୍ତ ହୋଇ ରହିଛି, ମୋ’ର ଏହି ଲମ୍ପପ୍ରଦାନରୁ ତାହା ପ୍ରମାଣିତ ହୋଇଯାଉଛି ।

 

ବର୍ତ୍ତମାନଟାକୁ ନିରାପଦ କରି ରଖିବାଲାଗି ଯେଉଁମାନେ ଅତ୍ୟନ୍ତ ବ୍ୟାକୁଳ ହୋଇ ରହିଥାନ୍ତି, ସେମାନେ ଭବିଷ୍ୟତ ବିଷୟରେ ନାନା ଆଶଙ୍କା ଭିତରେ ଛନ୍ଦହୋଇ ରହିଥାନ୍ତି, ଆପଣା ଭିତରେ ମଧ୍ୟ ସେମାନେ ନାନା ବ୍ୟାକୁଳତା ମଧ୍ୟରେ ଛନ୍ଦିହୋଇ ରହିଥାନ୍ତି । ସେମାନେ ଆପଣାର ଅନେକ ଗଣ୍ଠିଭିତରେ ଛନ୍ଦ ହୋଇ ରହିଥାନ୍ତି ଓ ସମଗ୍ର ସଂସାରଟାକୁ ମଧ୍ୟ ସେହିଗ୍ରନ୍ଥଟି ଭିତରକୁ ଟାଣି ଆଣିବାକୁ ସତତ ସଚେଷ୍ଟ ହୋଇ ରହିଥାନ୍ତି । ସେମାନଙ୍କର ଆଚରିତ ଯାବତୀୟ ଧର୍ମ ଓ ରୀତି ସେମାନଙ୍କର ଏହି ପ୍ରଚେଷ୍ଟାଟିର ଶିକାର ହୋଇ ରହିଥାଏ । ସେମାନେ ବଞ୍ଚିତ ହୁଅନ୍ତି, ଅର୍ଥାତ୍ ଆପେ ଆପଣାକୁ ବଞ୍ଚିତ କରି ରଖିଥାନ୍ତି । ସେମାନେ ବର୍ତ୍ତମାନଟି ମଧ୍ୟରେ ବି ବଞ୍ଚିତ ହୋଇ ରହିଥାନ୍ତି । ଅତୀତ ସେମାନଙ୍କ ପଛରେ ନାନାବିଧ ଗ୍ରନ୍ଥି ହୋଇ ସେମାନଙ୍କୁ ଟାଣି ଧରିଥାଏ-। ଅବଶ କରି ଧରିଥାଏ । ସେମାନଙ୍କର ଯାବତୀୟ ଖଣ୍ଡବିଶ୍ଵାସ ଏକ ମୂଳଗତ ଅବିଶ୍ଵାସ ଭିତରେ ଘାରିହୋଇ ରହିଥାଏ । ସେମାନଙ୍କର ମୁହୂର୍ତ୍ତ ତଥାପି ଆସିନଥାଏ ।

 

୨୫ । ୧୨ । ୭୯

 

ଯେଉଁ ଦିନଠାରୁ ମୋ’ର ଏହି ବାଟଚାଲିବା ଆରମ୍ଭ ହୁଏ, ସେହି ଦିନଠାରୁ ହିଁ ମୋ’ର ଦେବମୁହୂର୍ତ୍ତଟି ଆସି ଉପସ୍ଥିତ ହୋଇଥାଏ । ଯେଉଁ ମୁହୂର୍ତ୍ତଟି ଠାରୁ ମୋ’ର ଏହି ଯାତ୍ରା ଏକ ଅଭିପ୍ରେତ ଯାତ୍ରା ବୋଲି ଅନୁଭୂତ ହୁଏ, ଯେଉଁ ମୁହୂର୍ତ୍ତରୁ ମୁଁ ଆପଣାକୁ ନିର୍ବାଚିତ ବୋଲି ଅନୁଭବ କରିବାକୁ ଆରମ୍ଭ କରେ, ମୋ’ ଜୀବନରେ ସେହି ମୁହୂର୍ତ୍ତରୁ ହିଁ ଦେବ-ମୁହୂର୍ତ୍ତ ଆରମ୍ଭ ହୋଇଯାଏ । ତା’ପରେ ଆଉ ଉପଯୁକ୍ତ ମୁହୂର୍ତ୍ତଟି ଲାଗି ଆଦୌ କୌଣସି ଅପେକ୍ଷା ରହେନାହିଁ । ନିଜେ ପ୍ରସ୍ତୁତ ହୋଇଯାଇ ପାରିଲେ, ଅର୍ଥାତ୍ ଅସଲ ସୂତ୍ରଟି ଲାଗିଯାଇ ପାରିଲେ ତା’ପରେ ଆଉ କୌଣସି ବିଶେଷ ମୁହୂର୍ତ୍ତ ସକାଶେ ଆଦୌ କୌଣସି ଅପେକ୍ଷା ରହେନାହିଁ ।

 

ନିଜେ ପ୍ରସ୍ତୁତ ହେଲେ ସେହି ମୁହୂର୍ତ୍ତ ଆସି ଉପସ୍ଥିତ ହୋଇଯାଏ । ଏବଂ, ସେହି ମୁହୂର୍ତ୍ତଟିରୁ ହିଁ ପରିବର୍ତ୍ତନ ଆରମ୍ଭ ହୋଇଯାଏ । ପରିବର୍ତ୍ତନ ଲାଗି ସମ୍ମତ ହୋଇଗଲେ ପରିବର୍ତ୍ତନ ଆରମ୍ଭ ହୋଇଯାଏ । ପରିବର୍ତ୍ତନ ଲାଗି ଆଉ ବିଶେଷଭାବ ସଚେତନ ହୋଇ ରହିବାକୁ ପଡ଼େନାହିଁ-। ସେତେବେଳେ ଏହି ପରିବର୍ତ୍ତନ ହିଁ ଜୀବନର ସ୍ଵାଭାବିକ ରୀତି ହୋଇ ରହେ । ସେତେବେଳେ ବଞ୍ଚିବାଟା ହିଁ ବାଟ ଚାଲିବାରେ ପରିଣତ ହୁଏ ଓ ବାଟ ଚାଲିବା ସଙ୍ଗେ ସଙ୍ଗେ ଅଭିପ୍ରେତ ପରିବର୍ତ୍ତନଗୁଡ଼ିକ ଆପେ ଆପେ ସମ୍ଭବ ହେବାରେ ଲାଗିଥାଏ । ପରିବର୍ତ୍ତନ ଲାଗି,-ନିଜ ଭିତରେ ଓ ବାହାରେ ଯଥାର୍ଥ ପରିବର୍ତ୍ତନଟି ଲାଗି ଆପଣାକୁ ଏକ ନିମିତ୍ତରୂପେ ପ୍ରସ୍ତତ କରି ରଖିବା,-ତାହାହିଁ ଆଶୀର୍ବାଦ ହୋଇ ବରଷିବାରେ ଲାଗିଥାଏ ।

 

୨୬ । ୧୨ । ୭୯

 

ବିଶ୍ଵାସର ସହିତ ଅଗ୍ରସର ହୋଇଯିବା, ଦୃଢ଼ନିଶ୍ଚିତ ଭାବରେ ଅପେକ୍ଷା କରିରହିବା,-ଇଏ ଦୁଇଟିଯାକ ଗୋଟିଏ କଥା । ଏବଂ, କେବଳ ସଂଯୁକ୍ତ ହୋଇ ରହିପାରିଲେ ଯାଇ ଏହି ଦୁଇଟିଯାକ ଏକାବେଳେକେ ସମ୍ଭବ ହୋଇ ପାରିବ ।

 

ଅଗ୍ରସର ନହେବାକୁ କଦାପି ଅପେକ୍ଷା କରି ରହିବା ବୋଲି ଭ୍ରମ କରିବା ଉଚିତ ନୁହେଁ-। ଭାରତବର୍ଷରେ ଅନେକ ସମୟରେ ବିଶ୍ଵାସକୁ ପ୍ରାୟ ଏକ ନିଷ୍କ୍ରିୟତା ବୋଲି ଧରି ନିଆଯାଇଛି ଏବଂ ତା’ପରେ ଅବିଶ୍ଵାସ ନାମରେ ମଣିଷକୁ କେବଳ କେତେଟା ଅଭ୍ୟସ୍ତ ଧର୍ମାଚାରକୁ ମାନିନେଇ ଚୁପ୍‌ହୋଇ ରହିବାର ପରାମର୍ଶ ଦିଆଯାଇଛି । ବାହାରର ମାନିବା ଭିତରେ ପ୍ରାୟ ସକଳ ଦ୍ଵାରକୁ ବନ୍ଦ କରି ରଖିଛି, କ୍ରମେ ପ୍ରାୟ ସକଳ ଡୋରକୁ କାଟିଦେଇ ଯାଇଛି । ଭିତରେ ହୁଏତ କେବେ ଯେ କାହାରି ସହିତ ସାକ୍ଷାତ୍ ଘଟିପାରେ, ସେହି ସର୍ବମୂଳ ବିଶ୍ଵାସଟିକୁ ମଧ୍ୟ ପ୍ରାୟ କାଢ଼ି ନିଆଯାଇଛି ଏବଂ ସେହି ଶୂନ୍ୟତା କ୍ରମେ ଏକ ଅବିଶ୍ଵାସରେ ଅର୍ଥାତ୍ ଆତ୍ମ-ଅସମର୍ଥତାରେ ପରିଣତ ହୋଇ ରହିଛି । ସିଏ ମୋ’ରି ଭିତରେ ଅଛନ୍ତି । ମୋ’ରି ଭିତରେ ତାଙ୍କୁ ଅଧିକରୁ ଅଧିକ ସମଗ୍ର ଭାବରେ ଅନୁଭବ କରିବାଲାଗି ମୁଁ ପ୍ରତ୍ୟେହ ଅଗ୍ରସର ହୋଇ ଯାଉଥିବି; ଏବଂ ସିଏ ମୋ’ରି ଭିତରେ ଅଛନ୍ତି, ତେଣୁ ମୋତେ ଯାହା ପ୍ରାପ୍ତ ହେବାର କଥା, ସେକଥା କେବଳ ସେଇ ବୁଝିବେ, ମୁଁ କେବଳ ତାଙ୍କର ସମୀପବର୍ତ୍ତୀ ହେବାକୁ ହିଁ ନିଜର ପରମ କର୍ତ୍ତବ୍ୟରୂପେ ଗ୍ରହଣ କରିନେଇ ପାରିବି, –ଏହି ଦୃଢ଼ ପ୍ରତ୍ୟୟ ମୋତେ ଅପେକ୍ଷା କରି ଶିଖାଇବ । ବିଶ୍ଵାସ କରିବା ମଣିଷ ନିଶ୍ଚୟ ଅପେକ୍ଷା କରି ଜାଣିବ-

 

୨୭ । ୧୨ । ୭୯

 

ଯିଏ ପ୍ରସ୍ତୁତ, ତା’ପାଇଁ ଆଉ କୌଣସି ବାରଣ ନାହିଁ, ତା’ର ସକଳ ବ୍ୟାକୁଳତାକୁ ଏକ ବିଶ୍ଵବ୍ୟାକୁଳତାରେ ପରିଣତ କରି ପାରିଛି, ତେଣୁ ବିଶ୍ଵଲକ୍ଷ୍ୟର ପରିପୂର୍ଣ୍ଣତା ଦିଗରେ ସିଏ ନିଜକୁ ଏକ ନିମିତ୍ତରୂପେ : ଅନୁଭବ କରିବାକୁ ଆରମ୍ଭ କରେ । ତା’ର ବିଜୟ ସେତେବେଳେ କେବଳ ତାହାରି ଏକ ବିଚ୍ଛିନ୍ନ ବିଜୟ ହୋଇ ରହେନାହିଁ । ଯେଉଁ ବିଜୟଟି ସମ୍ଭବ ହେଲେ ପୃଥିବୀରେ ଅଭିପ୍ରେତ ହୋଇ ରହିଥିବା ଯଥାର୍ଥ ବିଜୟଟି ସମ୍ଭବ ହୁଏ, ସିଏ ଏଣିକି ସେହି ବିଜୟଟିର ଉଲ୍ଲାସକୁ ହିଁ ନିଜ ଭିତରେ ଅନୁଭବ କରିବାକୁ ଆରମ୍ଭ କରେ । ଏଇଟି ହେଉଛି ଅନ୍ୟ ଏକ ଅନୁଭୂତି, ତାହା ହେଉଛି ଅନ୍ୟ ଏକ ପରିଧି ଭିତରେ ପ୍ରବେଶ ।

 

ସେଠାରେ ପ୍ରକୃତରେ କୌଣସି ଦୁଃଖ ନାହିଁ, କୌଣସି ଜ୍ଵର ନାହିଁ, କୌଣସି ମାଗିବା ନାହିଁ, କୌଣସି କ୍ଷତବୋଧ ବି ନାହିଁ । ସେଠାରେ ଯାହାକିଛି ଆସେ, ତାହା କେବଳ ଆଶୀର୍ବାଦରୂପେ ହିଁ ଅନୁଭୂତ ହୁଏ । ଯାହାକିଛି ଅନୁଭୂତ ହୁଏ, ତାହା ଆପଣାର ଅତ୍ୟନ୍ତ ନିଜର ଏକ ସମ୍ପଦରୂପେ ଅନୁଭୂତ ହୁଏ । ସକଳ ପ୍ରକାରର କାତରତା ଓ ସ୍ପର୍ଶକାତରତା ଦୂର ହୋଇଗଲେ ଜୀବନରେ ଯେଉଁ ଜନନୀରୂପର ଅନୁଭୂତି ଉପଲବ୍‌ଧ ହୋଇଥାଏ, ବର୍ତ୍ତମାନ ତାହାହିଁ ଆଖିର ସମ୍ମୁଖରେ ସର୍ବପ୍ରଧାନ ସମ୍ପଦ ହୋଇ ରହେ ।

 

୨୮ । ୧୨ । ୭୯

 

ଅତୀତକୁ ମୁଁ ଭୁଲିବିନାହିଁ ସତ, କିନ୍ତୁ ଅତୀତ ଭିତରେ କଦାପି ବାନ୍ଧିହୋଇ ରହିବିନାହିଁ । ଅତୀତକୁ ନେଇ ବାହୁନିବି ନାହିଁ କିମ୍ବା ଅତୀତଗୁଡ଼ାକୁ ହିଁ ମୋ’ର କାଳକାଳର ନିୟାମକ ବୋଲି ଗ୍ରହଣ କରିବିନାହିଁ । ଯିଏ ନିୟାମକ ସିଏ ମୋ’ରି ଭିତରେ ରହିଛନ୍ତି; ସମ୍ମୁଖସ୍ଥ ଦିଗ୍‌ବଳୟ ହୋଇ ସିଏ ମୋତେ ଅଗ୍ରସର କରାଇ ନେଉଛନ୍ତି, ଅନ୍ତରଙ୍ଗତମ ସଖା ହୋଇ ସିଏ ମୋତେ ବାଟ ଦେଖାଇ ନେଉଛନ୍ତି ।

 

ଅତୀତକୁ ମୁଁ ସାରି ଆସିଥିବା ପଥ ବୋଲି କରିଛି । ସେହି ପଥଟି ସମ୍ମୁଖସ୍ଥ ପଥଟି ସହିତ ସଂଲଗ୍ନ ହୋଇ ରହିଛି ସତ, ମାତ୍ର ତାହାକୁ କଦାପି ଯାବୁଡ଼ି ଧରିନାହିଁ । ଅତୀତ ମାଟି ହୋଇ ରହିଛି, ଭୂମି ହୋଇ ରହିଛି; –ତାହାରି ଉପରେ ବର୍ତ୍ତମାନର ଫୁଲକଷି ଧରିଛି, ତାରି ଉପରେ ହିଁ ଭବିଷ୍ୟତ ସତେଅବା କେଡ଼େ ବଡ଼ ସ୍ଵପ ହୋଇ ମୋ’ର ଆକାଶକୁ ପୂର୍ଣ୍ଣ କରି ରଖିଛି, ମୋ’ର ମୁହୂର୍ତ୍ତଗୁଡ଼ିକୁ ମହିମାମୟ କରି ରଖିଛି । ଯିଏ ସମ୍ମୁଖରେ ରହିଛି, ମୋ’ର ଅନ୍ତରଗଭୀରରେ ରହି ଯିଏ ଜନ୍ମଲାଭ କରିବାଲାଗି ଅପେକ୍ଷା କରି ରହିଛି, ମୁଁ ତାହାରି ସ୍ପର୍ଶ ଲାଭ କରିଛି । ତେଣୁ ଅତୀତ ସହିତ ମୋ’ର ଆଦୌ କୌଣସି ବାଦ ନାହିଁ । ଅତୀତକୁ ମୋ’ର ଭୟ ନାହିଁ କି ଈର୍ଷା ବି ନାହିଁ । ଅତୀତକୁ ମୁଁ ଭବିଷ୍ୟତ ସହିତ ମିଶାଇ କରି ଅନୁଭବ କରି ପାରୁଛି । ଆଜିର ସକାଳଟିକୁ ବିଗତ ଅନେକ ସକାଳ ସହିତ ଏକତ୍ର ସଂଲଗ୍ନ କରି ମୁଁ ଅନୁଭବ କରିପାରୁଛି । ମୋ’ର ଏହି ସକାଳଟି ସହିତ ସବୁଯାକ ସକାଳ ସଖ୍ୟସୂତ୍ରରେ ହିଁ ଗଅଁଠା ହୋଇ ରହିଛନ୍ତି ।

 

୨୯ । ୧୨ । ୭୯

 

କଥା ନୁହେଁ, କାର୍ଯ୍ୟ । ଖିଅ ନଲାଗିଥିବା ପର୍ଯ୍ୟନ୍ତ କଥା, ଖିଅ ଲାଗିଗଲେ ନୀରବତା ଓ ନୀରବ ହୋଇପାରିଲେ କାମ । ଅବିଶ୍ଵାସ ରହିଥିବା ପର୍ଯ୍ୟନ୍ତ କଥା, ଏବଂ ଭିତରେ ବିଶ୍ଵାସର ଯଥାର୍ଥ ପ୍ରତିଷ୍ଠା ହୋଇଯାଇ ପାରିଲେ ନୀରବତା ଏବଂ ନୀରବତାରୁ କାର୍ଯ୍ୟ । ଭଲ ନପାଇଥିଲା ପର୍ଯ୍ୟନ୍ତ ଖାଲି କଥା, କିନ୍ତୁ ଭଲ ପାଇ ପାରିଲେ ନୀରବତା, ନୀରବତାର ଅର୍ଥ ଯଥାର୍ଥ ସକ୍ରିୟତା ।

 

ଯେଉଁମାନେ କୋଳାହଳ କରନ୍ତି, ପ୍ରଦର୍ଶନ କରନ୍ତି, ନିଜର ଭକ୍ତି ଓ ଶ୍ରଦ୍ଧାକୁ କୋଳାହଳ ଦ୍ଵାରା ମାପୁଥାନ୍ତି, ସେମାନେ ବି ଗୋଟାଏ ପ୍ରକାରର କାର୍ଯ୍ୟ କରୁଥାନ୍ତି । ମାତ୍ର, ସେହି କାର୍ଯ୍ୟଗୁଡ଼ିକର କେନ୍ଦ୍ରର ସମ୍ମୁଖରେ ସେମାନେ ମୁଖ୍ୟତଃ ଆପଣାକୁ ହିଁ ରଖିଥାନ୍ତି । ଯାହାକୁ ସମ୍ମୁଖରେ ରଖିବା କଥା, ଯାହାଲାଗି ପ୍ରସ୍ତୁତ ହେବା କଥା, ତାକୁ ସତେଅବା ନିଜପାଇଁ ବ୍ୟବହାର କରନ୍ତି, ନିଜର ସମ୍ପ୍ରଦାୟ ପାଇଁ ବ୍ୟବହାର କରନ୍ତି । ସମ୍ପ୍ରଦାୟ ବଢ଼େ, ସମ୍ପ୍ରଦାୟଗତ କୋଳାହଳ ଓ ଆଡ଼ମ୍ବର ବଢ଼େ, ମାତ୍ର ଅସଲ ଐଶ୍ଵର୍ଯ୍ୟଗୁଡ଼ିକ ହାତଛଡ଼ା ହୋଇ ରହିଯାଏ । ମନ୍ଦିର ବଢ଼େ, ପତାକାଗୁଡ଼ାକ ଫରଫର ହୋଇ ଉଡ଼େ, ପତାକା ପତାକା ଭିତରେ କେତେ ପ୍ରତିଯୋଗିତା ଚାଲେ, ଏହି ପ୍ରତିଯୋଗିତାର ଫଳ ଅନୁସାରେ ଠାକୁରମାନଙ୍କର ବଳର ବି ପରୀକ୍ଷା କରାଯାଏ ସେମାନଙ୍କୁ ବଡ଼ ସାନ କରି ସକାଇ ରଖିବାର ପାଞ୍ଚ କରାଯାଏ; ମାତ୍ର ଉପଲବ୍‍ଧି ହୋଇ ପାରେନାହିଁ । ପାଖକୁ ଆସି ହୁଏନାହିଁ, –ଆପଣାକୁ ଯଥାର୍ଥରେ ଘରଟିର ଯୋଗ୍ୟ କରି ହୁଏନାହିଁ ।

 

୩୦ । ୧୨ । ୭୯

 

ଦୁର୍ବଳତା କହିଲେ ମୋ’ର ଏଇଟା ବା ସେଇଟା ନଥିବାରୁ ମୋଟେ ବୁଝାଏନାହିଁ । ଦୁର୍ବଳତା ହେଉଛି ମୋ’ର ଅବିଶ୍ଵାସ, ମୋ’ର ଅହଙ୍କାର, ମୋ’ର ଅଭିନୟ ଓ ମୋ’ର ଯାବତୀୟ କୃତ୍ରିମତା । ନିଜ ଭିତରେ ବିଭକ୍ତ ହୋଇ ରହିବା, ମୁଖା ପିନ୍ଧିବାକୁ ହିଁ ପରମ ଆଚରଣୀୟ ଧର୍ମ ବୋଲି ମଣିବା ଏବଂ ଚତୁରତା ହିଁ ସିଦ୍ଧିର ଅନ୍ୟନାମ ବୋଲି ଭ୍ରମ କରିବା,-ଏସବୁ ଦୁର୍ବଳତା । ଏସବୁ ଛଡ଼ା ଆଉ ଯେତେ ଯାହା ଦୁର୍ବଳତା ରହିଲା, ତାହାକୁ ସେହି ଅନ୍ତରଙ୍ଗ ପରମସଖା ହିଁ ଦୂର କରିଦେଇ ପାରିବେ । କିନ୍ତୁ, ମୋ’ର ଅବିଶ୍ଵାସକୁ ସେ କିପରି ଦୂର କରିନେଇ ପାରିବେ ? ମୁଁ ଚତୁର ହୋଇ ବସିବାକୁ ଲାଭଜନକ ଓ ତେଣୁ ହିତକାରକ ବୋଲି ଭାବୁଥିବା ପର୍ଯ୍ୟନ୍ତ ସେ ମୋ’ ଭିତରୁ କଥା କହିପାରିବେ ବା କିପରି ? ସିଏ ଏହି ଅହଙ୍କାରର ମଝି ଲହଡ଼ି ଗୁଡ଼ାକୁ ଭାଙ୍ଗି ମୋ’ ଯାଏ ପହଞ୍ଚି ପାରିବେ ବା କିପରି, ଏହି ମୁଖାଗୁଡ଼ାକୁ କାଟି ସେ ମୋ’ ଭିତରେ ଅନୁଭୂତ ବା କିପରି ହୋଇପାରିବେ ? ଏହିଗୁଡ଼ାକୁ ମୁଁ ନିଜେ କରିବି । ତାହାହିଁ ପ୍ରସ୍ତୁତି, ଅତ୍ୟାବଶ୍ୟକ ପ୍ରସ୍ତୁତି । ଏହି ପ୍ରସ୍ତୁତି ଲାଗି ମୋ’ଠାରେ ଆବଶ୍ୟକ ସାହସଟିର କଦାପି ଅଭାବ ନରହୁ, ଏହାହିଁ ମୋ’ର ବର୍ଷଶେଷର ପ୍ରାର୍ଥନା, ବର୍ଷାରମ୍ଭର ବି ପ୍ରାର୍ଥନା ।

 

୩୧ । ୧୨ । ୭୯

 

ବାହୁ ସର୍ବଦା ପ୍ରସାରିତ ହୋଇ ରହିଛି । ଏହି ଆକାଶର ବାହୁ ପ୍ରସାରିତ ହୋଇ ରହିଛି, ଏହି ଆଲୋକର ବାହୁ ପ୍ରସାରିତ ହୋଇ ରହିଛି, ଏହି ମାଟିର ବାହୁଗୁଡ଼ାକ ମୋ’ର ଅସଲ ନାଡ଼ ଓ ଅସଲ ମୂଳଗୁଡ଼ାକ ଯାଏ ପ୍ରସାରିତ ହୋଇ ରହିଛି । ଶେଷ ଭିତରୁ ଆରମ୍ଭ ଭିତରକୁ ସେହି ବାହୁ ପ୍ରସାରିତ ହୋଇ ରହିଛି । ମୋ’ ପାଖରେ ଯେଉଁସବୁ ଐଶ୍ଵର୍ଯ୍ୟର ଅଧିକାର ରହିଛି, ତାହାରି ଭିତରୁ ଏକ ଅନନ୍ତ ବିଶ୍ଵାସ ଓ ଅନନ୍ତ ଅଭିପ୍‌ସାର ରୂପରେ ଯାହାକିଛି ଐଶ୍ଵର୍ଯ୍ୟର ଅଧିକାର ମୋ’ ଲାଗି ଅପେକ୍ଷା କରି ରହିଛି, ତାହାରି ଭିତରକୁ ବାହୁ ପ୍ରସାରିତ ହୋଇ ରହିଛି । ଶ୍ରଦ୍ଧା ପ୍ରସାରିତ ରହିଛି, ଜନନୀର ସ୍ନେହଦୃଷ୍ଟି ପ୍ରସାରିତ ହୋଇ ରହିଛି ।

 

ସେଇଥିଲାଗି ଏସବୁ ଏତେ ଭଲ ଲାଗୁଛି, ଏତେ ଆପଣାର ବୋଲି ଲାଗୁଛି । ଆପଣାକୁ ଗୋଟାସୁଦ୍ଧା ପାଖକୁ ଲଗାଇ ଆଣିବାକୁ ଏତେ ଭଲ ଲାଗୁଛି, ଆପଣାକୁ ଗୋଟାସୁଦ୍ଧା ଉନ୍ମୋଚିତ କରିଦେବାକୁ ଏତେ ଭଲ ଲାଗୁଛି । ଭୟ ମଧ୍ୟରୁ ଅଭୟ ମଧ୍ୟକୁ ଆପଣାକୁ ଲମ୍ବାଇ ଆଣିବାକୁ ପ୍ରକୃତରେ ଏତେ ଭଲ ଲାଗୁଛି, ଏତେ ସହଜ ଲାଗୁଛି । ଆପଣା ଭିତରେ ସଂସାରଯାକର ସମସ୍ତଙ୍କୁ ଅନାଇଦେବା ମାତ୍ରକେ ଏତେ ଭଲ ଲାଗୁଛି । ସେହି ବାହୁଟି ସତତ ଓ ଅକୁଣ୍ଠିତ ହୋଇ ପ୍ରସାରିତ ହୋଇ ରହିଛି ବୋଲି ସବୁକିଛି ଏତେ ଭଲ ଲାଗୁଛି, ଏତେ ସହଜ ଲାଗୁଛି । ମୋ’ର ଜୀବନ ମଧ୍ୟରେ ସେହି ନିତ୍ୟପ୍ରସାରିତ ବାହୁର ଜୟ ହେଉ, ସେହି ସଦାପ୍ରସନ୍ନ ଜନନୀ ଆଖିର ଜୟ ହେଉ ।

Image